Sriman Bapu

Comedy Drama Fantasy

4.3  

Sriman Bapu

Comedy Drama Fantasy

ବୁରା ନା ମାନୋ ହୋଲି ହେ

ବୁରା ନା ମାନୋ ହୋଲି ହେ

10 mins
628


 


ଦୁଇ ହଜାର ତିନି କି ଚାରି ମସିହାର କଥା ।  ଭୁବନେଶ୍ବର ର ଫାଇନ୍ ଆର୍ଟ କଲେଜରେ ପଢ଼ୁଥିବା କିଛି ଛାତ୍ରଙ୍କ କଥା । କଲେଜର ହଷ୍ଟେଲ୍ ନଥାଏ ତେଣୁ ସବୁ ଛାତ୍ରଛାତ୍ରୀ ସେତେବେଳେ ଘର ଭଡ଼ା ନେଇ ବାହାରେ ରହୁଥାଆନ୍ତି । ଚାରିଜଣ ସାଙ୍ଗ ରାଜା,ବାପୁ ,ରବି ଆଉ ଅନୁଜ ମିଶି ଚିନ୍ତାମଣିଶ୍ୱର କଲୋନୀରେ ଏକ୍ ଆଜବେଷ୍ଟସ ଘରେ ରହୁଥାଆନ୍ତି । ଭଡ଼ା ହଜାରେ ଟଙ୍କା , ମୁଣ୍ଡ ପିଛା ଅଢେଇ ଶହ ଟଙ୍କା । ଘର ସାମ୍ନାରେ ଏକ ଛୋଟ କିଚେନ୍ ଥିଲା ସେଇଠି ରୋଷେଇ ହୁଏ ଦୁଇ ବେଳା । ସକାଳେ ରୋଷେଇ କରି ଖାଇଦେଇ ଯାଆନ୍ତି ଆଉ ପୁଣି ରାତିରେ । ଦ୍ୱିପ୍ରହରରେ ଚା ଆଉ ଜଳଖିଆ ଖାଇ ରୁହନ୍ତି ।


 ଘରଟି ଚାରି ଜଣଙ୍କ ପାଇଁ ପର୍ଯ୍ୟାପ୍ତ ନହେଲେ ବି ଚାରିଜଣ ନିଜ ନିଜ ବିଛଣାରେ ବସି ପେଣ୍ଟିଂ ଆଉ ଡ୍ରଇଂ ଅନାୟାସରେ ଅଭ୍ୟାସ କରିପାରୁଥିଲେ ।ଘରଟି ଦକ୍ଷିଣ ମୁହାଁ ଥାଏ ଆଉ ଘର ଭିତରେ ଗୋଟିଏ ଝରକା ରାସ୍ତାକୁ ମୁହଁକରି । ଘର ପଛପଟେ ମାଙ୍କଡ଼ା ପଥରର ପାଚେରୀ ଆଉ ସେପଟେ କଲୋନୀର ମୁଖ୍ୟ ରାସ୍ତା ।


ସେ ରୁମକୁ ଲାଗି ଆଉ ଦୁଇଟି ରୁମ୍ ଯେଉଁଥିରେ ଗୋଟିଏ ରୁମରେ ଆର୍ଟ କଲେଜର ତିନି ଜଣ ଛାତ୍ର କୁଲୁ , ଲୋକା ଆଉ ବିଜୁ । ଅନ୍ୟଟିରେ ତିନିଟି ପିଲା ଯେଉଁ ମାନେ ଚାକିରି ପାଇଁ ପ୍ରସ୍ତୁତି କରୁଥିଲେ ଆଉ ଗୁଜୁରାଣ ମେଣ୍ଟୁଥିଲା ଟିଉସନ୍ କରି । ଆଖ ପାଖରେ ରହୁଥିବା ଆର୍ଟ କଲେଜର ସବୁପିଲା ସକାଳେ କଲେଜ ଯିବା ବେଳେ ଆଉ ସନ୍ଧ୍ୟାରେ ଫେରିବା ସମୟରେ ରାଜାଭାଇ ( ରାଜା ଯେହେତୁ ଚାରିଜଣଙ୍କ ମଧ୍ୟରୁ ବୟସରେ ଆଉ ଶ୍ରେଣୀରେ ବଡ଼ଥିଲା ତେଣୁ ସମସ୍ତେ ରାଜାଭାଇ ମେସ୍ ବା ରାଜାମେସ୍ ବୋଲି କୁହନ୍ତି ) ମେସରେ ନିଶ୍ଚୟ ଖଟ୍ଟି ମାରି ଯିବେ ନହେଲେ ଭାତ ହଜମ ହୁଏନି । ପୁରା କଲେଜରେ ମେସ୍ ଟି ପ୍ରସିଦ୍ଧ ଥିଲା ! ସବୁଦିନ ବହୁ ପିଲାଙ୍କର ଯିବା ଆସିବା ଲାଗି ରୁହେ । ପ୍ରତିବର୍ଷ ହୋଲିର ବଡ଼ ଦଳଟିଏ ସେଇଠୁ ବାହାରି ସହରର ଅନ୍ୟ ସ୍ଥାନରେ ରହୁଥିବା ଛାତ୍ର ଛାତ୍ରୀ ଆଉ ଅଧ୍ୟାପକଙ୍କ ଘରକୁ ଯାଆନ୍ତି । ବର୍ଷରେ ଅଗଣିତ ବାର ଭୋଜିଭାତ ବି ସେଇଠି ହୁଏ । 


ଆଖ ପାଖରେ ରହୁଥିବା ଅଧିକାଂଶ ଟୋକା କଲେଜ ଯିବା ବାହାନାରେ ଟିକିଏ ଆଗୁଆ ପଳେଇ ଆସି ଘର ଭିତରର ସେ ଝରକା ପାଖରେ ଭିଡ଼ ଜମେଇବେ । ଅଭିପ୍ରାୟ ହେଲା , ସେହି ରାସ୍ତା ଦେଇ ସ୍କୁଲ ଆଉ କଲେଜକୁ ଯାଉଥିବା ସୁନ୍ଦରୀ ଝିଅ ମାନଙ୍କ ଦର୍ଶନ । ଅନୁଜ ଖାତା ଗୋଟେରେ ଟିପି ରଖିଥାଏ କେଉଁ ଝିଅଙ୍କ କେତେବେଳେ ଯିବା ଆଉ ଫେରିବା ସମୟ ।


ଘର ଝରକାରେ ଜାଲି ଲାଗିଥିଲା ପୁଣି ଲାଇଟ୍ ଲିଭେଇ ଦିଆ ଯାଏ । ବାହାର ଲୋକ ଘର ଭିତରେ କିଏ ଥାଇ କ'ଣ କରୁଛି ଦେଖି ପାରିବ ନାହିଁ । ତେଣୁ ବିନ୍ଦାସ୍ ହୋଇ ଝିଅମାନଙ୍କ ଦର୍ଶନ କରନ୍ତି ଆଉ ସାଥିରେ ହାଲକା ହାଲକା କମେଣ୍ଟ ବି କରନ୍ତି । ଅଧିକ ଏଇଥି ପାଇଁ ନୁହେଁ କାରଣ ପିଲାଗୁଡାକ ପ୍ରାୟେ ତ ସମ୍ବେଦନଶୀଳ , ସଂସ୍କାରି ଥିଲେ ଆଉ ତା'ସହ ମାଡ଼ର ଭୟ ବି ଥାଏ ।


କେବେ ଯଦି କେଉଁ ଝିଅ ରାଜାକୁ ପସନ୍ଦ ଆସେ ତ କହିବ ,ହେ ଶଳେ ଶୁଣବେ  ! ଏ ଝିଅଟି ଆଜିଠାରୁ ତୁମ ଭାଉଜ । କେହି ତା ଆଡ଼େ ଅନେଇବ ବି ନାହିଁ ହେଲେ ଅନୁଜ ଭାବେ , ସେ ପ୍ରଥମେ ଝିଅଟିକୁ ଆବିଷ୍କାର କରିଛି ଆଉ ତା'ର ଯିବା ଆସିବା ସମୟଟି ବି ନୋଟ୍ କରିଥିଲା ତେଣୁ ତାହାର ପ୍ରଥମ ଅଧିକାର । ଯେହେତୁ ରାଜା ସିନିୟର୍ ତେଣୁ ତା ମୁହଁରେ କିଛି ନକହି ଚୁପଚାପ୍ ଆଗକୁ ବଢ଼େ । ସକାଳୁ ଗାଧୋଇ ପାଧୋଇ ମୁହଁରେ ସୁହଁ ପାଉଡର ମାଖି ତା'ର ସବୁଦିନ ଇସ୍ତ୍ରୀକରା ଭେଲ୍ ପ୍ୟାଣ୍ଟ୍ ଆଉ ସର୍ଟ ସାର୍ଟ ପିନ୍ଧି ବାହାରି ପଡ଼େ ରାସ୍ତା ଉପରକୁ ଶିକାର ଅଭିପ୍ରାୟରେ । ଏପଟେ ରାଜା ମୁହଁ ନ ଧୋଉଣୁ ମୁହଁରେ ଫେୟାର ଆଣ୍ଡ ଲଭଲି ମାଖି ତା ଚନ୍ଦା ମୁଣ୍ଡରେ ଦଶଥର ପାନିଆ ଚଳେଇ ପାଖ ଦୋକାନରୁ ଗୁଟଖା କିଣିବା ବାହାନାରେ ଯାଇ ପଇଁତରା ମାରେ । ରବିଟା ମନୁଆ ଇଚ୍ଛା ହେଲେ କେତେବେଳେ ଠିଆ ହୋଇ ଟିକିଏ ଦେଖିଦିଏ ଆଉ ପରେ ଭୁଲିଯାଏ । ବାପୁର ଇଚ୍ଛାଥିଲେ ବି ସମସ୍ତଙ୍କ ସାମ୍ନାରେ ତାକୁ ଖରାପ୍ ଲାଗେ , ଲାଜ ଲାଗେ । ଏକା ଥିଲେ ଚୁପଚାପ୍ ଦେଖେ ହେଲେ ଏସବୁ ମାମଲାକୁ ସେ ଏତେ ଗୁରୁତ୍ୱ ଦିଏନି ।


ଏମିତି ତ ଅନେକ ସ୍ମୃତି ଅଛି ସେ ମେସକୁ ନେଇ ହେଲେ ଯେହେତୁ କାହାଣୀଟି ହୋଲିର ସ୍ମୃତିକୁ ନେଇ ତେଣୁ ଅଧିକ ଇଆଢୁ ସିଆଢୁ କଥା ଲେଖି ଆପଣଙ୍କ ସମୟ ଅପଚୟ କରିବାକୁ ଚାହୁଁନାହିଁ । କେବଳ ରାଜାବାବୁଙ୍କ ଆଉ ଗୋଟିଏ ଛୋଟ କଥା ଶୁଣାଇବାର ଲୋଭ ସମ୍ବରଣ କରିପାରୁନି ସେତକ କହିଦେଇ ଆଗକୁ ବଢ଼ିବି । 


ଏକ (ପରିସ୍ରା) କରିବା ପାଇଁ ସମସ୍ତେ ସେହି ପାଚେରୀ ପାଖକୁ ଯାଆନ୍ତି ସମସ୍ତେ ଦିନରେ ଆଉ ସନ୍ଧ୍ୟା ବେଳେ ବସିକି ଏକ କରନ୍ତି । କାରଣ ଆଗ ରାସ୍ତାରେ ଲୋକଙ୍କ ସବୁବେଳେ ଯିବା ଆସିବା ଲାଗି ରହିଥାଏ । କିନ୍ତୁ ରାଜାବାବୁ କେବେ ବସିକି ଏକ କରନ୍ତି ନାହିଁ । ତାଙ୍କର ଏକ ସ୍ୱତନ୍ତ୍ର ଷ୍ଟାଇଲ ଥିଲା , ପାଚେରୀ ଉପରେ ଦୁଇ ବାହୁକୁ ଛନ୍ଦି ଦେଇ ଏମିତି ଭଙ୍ଗୀରେ ଠିଆ ହେବେ ଯିଏ ବି ଆଗରୁ କି ପଛରୁ ଦେଖିବ ଭାବିବ , ଟୋକାଟା ଠିଆ ହୋଇ ରାସ୍ତାରେ ଯାଉଥିବା ଲୋକଙ୍କୁ ଦେଖୁଛି । ବେଳେବେଳେ ସେହି ଅବସ୍ଥାରେ ରାସ୍ତାରେ ଯାଉଥିବା ଚିହ୍ନା ଲୋକଙ୍କୁ ଅଟକାଇ ତାଙ୍କ ସହ ଗପ ବି ଜମେଇ ଦିଏ ବଡ଼ ଅନାୟାସରେ ।


ଘରଟି ଏକ ବିରାଟ ଜାଗାରେ ଥାଏ ,ସେହି ଘର ତିନିଟିକୁ ଛାଡ଼ି ଟିକିଏ ଦୂରରେ ମାଲିକର ଘର । ବୁଢ଼ା ସହ ତା'ର ବେମାର ସ୍ତ୍ରୀ , ବିବାହକୁ ଅପେକ୍ଷା କରିଥିବା ଦୁଃଖୀ ଝିଅଟିଏ ଆଉ ଲମ୍ବା ଚଉଡ଼ା ବଡ଼ି ବିଲ୍ଡର୍ସ ପୁଅ । ମାଲିକ ଘର ସାମ୍ନାରେ କୂଅ ଯେଉଁଠି ସଭିଏଁ ପାଣି କାଢ଼ି ଗାଧାନ୍ତି । ଘର ସାମ୍ନାରେ ପାଣି ଟ୍ୟାପଟିଏ ସେଥିରୁ ପିଇବା ପାଣି ଭରାଯାଏ । ବାକି ଯାଗା ନଡ଼ିଆ, କଦଳୀ,ପିଜୁଳି ,ଫୁଲ ଗଛ ଆଉ ଅନାବନା ଘାସରେ ବର୍ଷସାରା ଭରି ହୋଇ ରହିଥାଏ । 


ମାଲିକ ବୁଢ଼ା ଭାରି ଚୁପଚାପ୍ ଲୋକ ସମସ୍ତଙ୍କ ନାମସହ ବାବୁ ଶବ୍ଦ ଯୋଡି ବଡ଼ ଶ୍ରଦ୍ଧା ଆଉ ସମ୍ମାନ ଦେଇ କଥାହୁଏ । ଘର ଭଡ଼ା କେବେ ମାଗେନି । ଅତି ଦରକାର ଥିଲେ ପୁଅ‌ ବାବୁକୁ ପଠାଏ । ବାବୁ ଲମ୍ବା ଚଉଡ଼ା ହେଲେ ମଧ୍ୟ କେବେ ବି କାହାକୁ ଡରାଏ ନାହିଁ , ଓଲଟା ସାହାସ ଦେଇ କୁହେ ଯଦି କେବେ ବି କେହି ତୁମକୁ ହଇରାଣ କରେ ମୋତେ କହିବ । ତେଣୁ ସମସ୍ତର ସେ ବାବୁ ଭାଇ ।


ସବୁବର୍ଷ ହୋଲି ଧୂମ୍ ଧାମରେ ପାଳିତ ହୁଏ । ଦିନ ସାରା ବୁଲାବୁଲି ଆକୁ ତାକୁ ରଙ୍ଗ ବୋଳା ତା'ପରେ କେବେ ବାଡ଼ିଆ ଡାଲମା ,ଖଟା , ସାଲାଡ଼ର ଭୋଜି ତ କେବେ ଚିକେନ୍ ଆଉ ଭାତ । ଏହି ସାଧାରଣ ଭାତ ଡାଲମା ଅପୂର୍ବ ଆନନ୍ଦ ଦେଉଥିଲା ସେବେ । ଆଉ ଏବେ , ସେ ସୁଖ ନଅ ଭଜା ଛଅ ତୁଣରେ ବି ମିଳେନି । ସେହି ମେସରୁ ପ୍ରତି ବର୍ଷ ପୁରୁଣା ପିଲା ଯାଆନ୍ତି ଆଉ ନୂଆ ପିଲା ଆସନ୍ତି ତେଣୁ ପ୍ରତିବର୍ଷ କାହାର କଲେଜ ଜୀବନର ପ୍ରଥମ ହୋଲି ତ କାହାର ଶେଷ । ତେଣୁ ପ୍ରତିବର୍ଷ ସାମର୍ଥ୍ୟ ହିସାବରେ ଧୂମଧାମରେ ପାଳିବାକୁ ପୂରା ଚେଷ୍ଟା ପିଲାମାନେ କରନ୍ତି । 


ଯେଉଁ ବର୍ଷ ରାଜାର ଶେଷ ବର୍ଷ ଏପଟ ମେସରୁ ଆଉ ସେପଟ ମେସରୁ ଚିନ୍ତା କଲେ ଏଥର ହୋଲିକୁ ଅବିସ୍ମରଣୀୟ କରିବା ପାଇଁ କିଛି ଗୋଟିଏ ନିଆରା କରିବାକୁ ହେବ । କ'ଣ କରାହେବ ? ଟିକିଏ ଭାଙ୍ଗ ଖାଇ ମଜା ନେବା ।ଭାଙ୍ଗର ଗୁଣଗାନ ବହୁତ ଶୁଣିଛନ୍ତି ତା'ର ଶକ୍ତି ବି ଦେଖିଛନ୍ତି ହେଲେ ବ୍ୟକ୍ତିଗତ ଅନୁଭବ କାହାର ନାହିଁ । ହୋଲି ଖେଳୁ ଖେଳୁ ଦୁଇ ବାଜିଲା ଚିନ୍ତା କଲେ, ରାତିରେ ସମସ୍ତେ ମିଶି ଭୋଜି କରିବା । ଦିନରେ ଏମିତି ଭାତ ଡାଲମା କରି ଖାଇଦେଲେ ।


ସନ୍ଧ୍ୟାରେ ଭୋଜି ପାଇଁ ଚିକେନ ଆଉ ପରିବା ପତ୍ର କିଣିବା ପାଇଁ କୁଲୁ ଆଉ ବାପୁ ବାହାରିଲେ । ଏମାନେ ବାହାରିବାର କିଛି ଗୁପ୍ତ ଅଭିସନ୍ଧିଚ୍ଛା ଥିଲା । ଚିନ୍ତାମଣିଶ୍ୱର ମନ୍ଦିର ସାମ୍ନାରେ ବାବୁଭାଇ ସବୁଦିନ ଦୁଧଛେନା ଆଉ ରାବିଡି ସହ ଭାଙ୍ଗ ଖାଏ ବୋଲି ସେମାନେ ଜାଣନ୍ତି । ବାପୁ ବହୁତ ଥର ଯାଇ ଛେନା ଆଉ ରାବିଡି ଖାଇଆସିଛି । ଇଚ୍ଛାଥିଲେ ବି କେବେ ସାହାସ ହୋଇନି ଦୋକାନୀକୁ ଭାଙ୍ଗ ମାଗିବାକୁ । ସେ ସନ୍ଧ୍ୟାରେ ବାପୁର ବି ସାହାସ ହେଲାନି ହେଲେ କୁଲୁଟା ସାହାସିଆଟା । ସିଧା ଯାଇ କହିଲା, ଛେନା ରାବିଡି ସହ ଭାଙ୍ଗ କେତେ ? ଦୋକାନୀ ପାଟିରେ ଆଙ୍ଗୁଳି ରଖି କହିଲା ଚୁପ୍ ! ବାପୁ ଅଧିକ ଡରିଯାଇ କହିଲା , ଚାଲ୍ କୁଲୁ ଥାଉ । କୁଲୁ ଠିଆ ହୋଇ ସେମିତି ରହିଲା । ଦୋକାନୀ ସେଠୁ କହିଲା, ଛେନା ରାବିଡି ଦଶ , କୋଡ଼ିଏ , ତିରିଶି....ଯାହା ଖାଇବ ଖାଅ । ଟେଳା ପାଞ୍ଚ ଟଙ୍କା । ଶେଷ ତିନି ଶବ୍ଦକୁ ଅତି ଧିରେ କହିଲା ‌। ହେଉ , ଦଶ ଦଶ ଟଙ୍କାର ଛେନା ରାବିଡି ତା'ସହ ପାଞ୍ଚ ମିଶାଅ । ଛେନା ରାବିଡି ସହ ମିଶି ଥିଲେ ବି ବାପୁକୁ ବାସ୍ନା ଆଉ ସ୍ୱାଦ ଖରାପ୍ ଲାଗିଲା । କୁଲୁ ଆରମସେ ଚଟ୍ କରି ଦେଲା । ଆଉ ଶହେ ଟଙ୍କାର ଛେନା ରାବିଡି ସହ ଦଶ ଟେଳା ଭାଙ୍ଗ ଧରି ମେସରେ ପହଞ୍ଚିଲେ । 


ଛେନା ରାବିଡି କିଏ ଖାଇବ ଆସ । ବାସ୍ ଏତିକି..... ସାଙ୍ଗେ ସାଙ୍ଗେ ଶାଗୁଣା ପଲ୍ହ ଝପଟି ପଡ଼ିଲେ , ଆଖି ପିଛୁଳାକେ ସଫା ! ବାପୁ ଆଉ କୁଲୁ ଲୋଭରେ ଆଗୁଆ ଆଉ ଟିକିଏ ଖାଇଦେଲେ । ଖାଇ ସାରିବା ପରେ ଲୋକା କହିଲା , ଆବେ ! ଏ ଛେନାଟା ଏମିତି ଅବାଗିଆ କାହିଁ ଲାଗୁଥିଲା ବେ ? ରବିଟା ସୁକୁମାର , ସେ ବି ହଁ ଭରିଲା । ସେଠୁ କୁଲୁ କହିଲା, ଶଳା ! କୋଉ ଦେହେକରେ ଛେନା ରାବିଡି ଖାଇଥିଲୁ ? ଶଳା ! କହିଲା କ'ଣ ନା ଅବାଗିଆ ଲାଗୁଛି । କୁଲୁର ଦମ୍ଭୋକ୍ତି ଦେଖି ଲୋକା ଶଙ୍କିଗଲା । ବାପୁ ଦୀର୍ଘ ନିଃଶ୍ୱାସଟିଏ ଛାଡ଼ିଲା !


ରାଜା ଭାବେ , ସିଏ ସବୁଠୁ ଭଲ ରୋଷେଇ କରେ ବୋଲି । ଚିକେନ୍ ହେଲେ ସେ କାହାକୁ ଛାଡ଼ିବନି ରୋଷେଇ କରିବାକୁ । ବାକି ସବୁ ଅନ୍ୟ କାମରେ ଲାଗିଗଲେ । କିଏ ଭାତ ପାଇଁ ପାଣି ବସେଇଲା , କିଏ ଚାଉଳ ଧୋଇଲା ,କିଏ ପରିବା କାଟିଲା ତ ଆଉ କିଏ ରସୁଣ ଛଡ଼େଇଲା । ବାପୁ ପିଆଜ ଭଲ କାଟେ ତେଣୁ ସେ ଦାୟିତ୍ଵଟି ସ୍ୱଇଚ୍ଛାରେ ଆଦରି ନେଲା । ଗୋଟିଏ ପିଆଜ କାଟିଛି , ଦ୍ୱିତୀୟଟି କାଟିବା ବେଳେ ସେ ଚାହିଁଲା କେତେ ପତଳା କାଟି ପାରିବ । ବାସ୍ ! ଚେଷ୍ଟା କରି ଯେତେ ପତଳା କାଟିଲେବି ତାକୁ ମୋଟା ଦେଖାଗଲା । ତେଣୁ ପେଟେଇ ପଡ଼ି ପିଆଜ ଉପରେ ଛୁରୀଟିକୁ ରଖି ଏମିତି ଦେଖିଲା , ଯେମିତି କିଛି ଗୋଟିଏ ଗବେଷଣା ସେ କରୁଛି । ପିଆଜ ଫାଳର ପରସ୍ତକୁ ଭଲସେ ଅନୁଧ୍ୟାନ କରି ଗଣିଲା...ଏକ୍ ଦୁଇ ତିନି ଚାରି । ଧେତ୍ ଭୁଲ୍ ହୋଇଗଲା ପୁଣି ଆଉଥରେ ଛୁରୀର ମୁନକୁ ଛୁଆଁଇ ଏକ୍ ଦୁଇ ତିନି ଚାରି ....ନା ଅସମ୍ଭବ ! ଏ ତ ଅଗଣିତ ସମସ୍ତକୁ ଦେଖେଇ କହିଲା । ରାଜା କହିଲା , ଏ ଶଳା ! ପିଆଜ କାଟେ ବେ ସେତେବେଳୁ ବସି ଏକ ଦୁଇ ଗଣୁଛି ଗଲା । 


ରବି ଗୋଟିଏ କଣକୁ ଯାଇ ଚେକା ଆସନ ପାରି ବସିଗଲା । କହିଲା ମୋତେ ଭଲ ଲାଗୁନି । ଲୋକା ଆସି ପିଆଜ କାଟିଲା । ବାପୁ ଚୁପଚାପ୍ ବସି ସେଇମିତି ପିଆଜ ବିଷୟରେ ଚିନ୍ତା କରୁଥାଏ । ରାଜା ଚିକେନ୍ କଷିଲା , ହେଇଗଲା ଭାବି ଟେଷ୍ଟ କରିବାକୁ କୁଲୁକୁ ଦେଲା କୁଲୁ କହିଲା, ହଁ ହେଇ ଗଲାଣି । ଅନୁଜ ଖାଇ କହିଲା, ଶଳା ରାକ୍ଷସଟା କି ବେ ? ପୂରା କଞ୍ଚାଟା ! ରାଜା ଖାଇଲା ,ବିଜୁ ଖାଇଲା ଆଉ ଲୋକା ବି ଖାଇଲା ହେଲେ କଞ୍ଚା କି ହେଇଯାଇଛି ସଠିକ୍ ସିଦ୍ଧାନ୍ତରେ ପହଞ୍ଚିବା ମୁସ୍କିଲ୍ ହୋଇଗଲା । ଭାତ ଅବସ୍ଥା ବି ସେଇୟା । ସେଇଠୁ କୁଲୁ କହିଲା, ଚାଲ ଖାଇଦେବା ଯାହା ହେଇଛି ଥାଉ, ଆଉ କିଛି କରିବାନି । ବିଜୁ ପାଣି ଟ୍ୟାପ ପାଖକୁ ଯାଇଛି ଭାତ ଗାଳିବା ପାଇଁ ଅଧ ଘଣ୍ଟାଏ ହେଲାଣି । ଶଳା କୁଆଡ଼େ ଗଲା ଦେଖବେ କିଏ ! ରାଜା ଆଦେଶ ଦେବା ଭଙ୍ଗୀରେ କହିଲା । ଅନୁଜ ଯାଇ ଦେଖିଲା, ବିଜୁ ଭାତ ହାଣ୍ଡି ଗଡ଼େଇ ଧରି ବସିଛି । ପଚାରିଲେ କହିଲା, ଭାତ ହାଣ୍ଡିରେ ପେଜର ଝରଣାଟିଏ ଫୁଟିଛି ଦେଖିବୁ ଆ ! ଯେତେ ଗାଳିଲେ ବି ପେଜ ସରୁନି । ସେଠୁ ଅନୁଜ ଭାତ ହାଣ୍ଡି ଆଉ ବିଜୁକୁ ଧରି ଆସିଲା ତାକୁ ଲାଗିଲା ଯେତେ ଚାଲିଲେ ବି ରାସ୍ତା ଅସରନ୍ତି । ରୁମରେ ପହଞ୍ଚି ଭାତ ହାଣ୍ଡିଟି ଥୋଇଦେଇ କହିଲା, ଶଳା ! କେତେ ବାଟ ଚାଲିଲି ବେ ! 


ସମସ୍ତେ ଖାଇ ବସିଲେ ରବିକୁ ଛାଡ଼ି ,ରବି ତିନି ଘଣ୍ଟା ହେବ ସେଇଠି ସେମିତି ଚେକାପାରି ବସିଥାଏ । ଆଖି ପତାବି ପଡୁନି । ବାପୁ କହିଲା, ଶଳା ! ଏ ମହାଭାରତର ବର୍ବରିକ ଏ ଶଳାର ଦେହ ନାହିଁ ଖାଲି କଟା ମୁଣ୍ଡଟା ,ଏଠି ବସି ମହାଭାରତ ଯୁଦ୍ଧ ଦେଖୁଛି । ସମସ୍ତେ ରବିକୁ ଚାହିଁ ହୋ ହୋ ହୋ କରି ହସିଲେ ! ଚାଲିଲା ହସ ,ପେଟ ଫଟା ହସ ଅଧ ଘଣ୍ଟାଏ । ତା' ପରେ ରାଜା କହିଲା ଆବେ ଖାଇବନିକି  ? ମୋ ମାଁ ପଠେଇଛି ମାଉଁସ ଝୋଳ , ଶୁନ୍ଘିବ ଆସ କେଡ଼େ ସୁନ୍ଦର ବାସୁଛି ! ସେଠୁ କୁଲୁ କହିଲା, ମୋ ବୋଉ ପଠେଇଛି ଭାତ ! ଚାଲିଲା ଜଣକ ପରେ ଜଣେ । କିଏ କହିଲା ମୋ ମା ପଠେଇଛି ବାଡ଼ି ଲଙ୍କା , କିଏ କହିଲା ଲୁଣ କିଏ କହିଲା ଚଟେଇ ।


ରବି ଉଠିକି ଆସିଲାନି କି ପାଟିରେ ଖାଇବା ପୂରେଇଲେ ଖାଇଲା ନାହିଁ । ବାକି ସମସ୍ତେ ସେହି ଦର କଞ୍ଚା ମାଂସ ଆଉ ଭାତ ସବୁ ଖାଇ ହାଣ୍ଡି କଢ଼େଇ ସଫା କରିଦେଲେ । ତା'ପରେ ଶୋଷ ଲାଗିଲା ହୋଲି ଖେଳରେ ମାତି ପିଇବା ପାଣି କେହି ଭରି ନାହାନ୍ତି । ଅଳ୍ପ ଥିଲା , ସେ ଜଣଙ୍କୁ ବି ନିଅଣ୍ଟ । ଏବେ ଜଣେ ପାଣି ପିଇଲା ବେଳକୁ ସମସ୍ତଙ୍କ ତଣ୍ଟି ଶୁଖିଗଲା । ସମସ୍ତେ ପାଣି , ପାଣି ହେଲେ । କୁଲୁ ଉଠି ଦଉଡ଼ିଲା ବାଲଟି ଧରି । ଏତିକି ବେଳେ ବାପୁ କହିଲା, ଶଳା ! ଶ୍ରବଣ କୁମାର ଭଳି ପାଣି ପାଇଁ ଯାଇ ମରିଯିବୁନି ତ ? କୁଲୁ କହିଲା, ସତରେ ତ ! ମୁଁ ଏଇ ହଳଦିଆ ଗାମୁଛା ଆଉ ଧୂସର ଟି-ସାର୍ଟରେ ହରିଣ ଭଳି ଦୂରରୁ ଦେଖାଯାଉଛି । ଦଶରଥ ଶଳା କେଉଁଠି ଲୁଚିକରି ଥିବ ଗୁଳି କରିଦେବ ଆଉ ଏଠି ତୁମେ ଶଳେ ଅନ୍ଧ ସବୁ ଶୋଷରେ ଛଟପଟ ହୋଇ ମରିଯିବ ! ଏତିକି କହି କୁଲୁ ଟି-ସାର୍ଟ ଖୋଲି ଫିଙ୍ଗିଦେଲା ତା ପରେ ଗାମୁଛା , ସମସ୍ତେ ଅନେଇ ଥାଆନ୍ତି ସେ ବାଲଟି ଧରି ପାଣି ପାଇଁ ଚାଲିଗଲା ।


ରାତି ସେତେବେଳକୁ ଦେଢ଼ଟା କି ଦୁଇଟା ହେବ କୁଲୁ ଯାଇ କୂଅରେ ବାଲଟି ପକେଇଲା । ବୁଢ଼ୀର କାଶ ଶବ୍ଦ ଶୁଭିଲା ! ସେ ତର ତର ହୋଇ ପାଣି ଉଠେଇ ଆସୁଛି ବୁଢ଼ୀ ଉଠି ବାହାରର ଲାଇଟ୍ ଜଳେଇଲା । କୁଲୁ ଲମ୍ବା ପତଳା ଆଉ ହାଡୁଆ ଦେହ ଉପରେ ଆଲୁଅ ପଡି ପରିଷ୍କାର ସବୁ ଦେଖାଗଲା କେବଳ ମୁହଁଟି ଛାଡ଼ି ହେଲେ ବୁଢ଼ୀକୁ ପରିଷ୍କାର ଦେଖାଯାଉ ନଥିଲା । ଯେମିତି ବୁଢ଼ୀର ଆଖି ପଢ଼ିଛି , ମୋ ବୋଉଲୋ ....! କିଏଲୋ ଏଇଟା ...! କହିଦେଇ ଘରକୁ ଦୌଡ଼ି ପଳାଇଲା । କୁଲୁ ଗୋଟିଏ ଡ଼ିଆଁରେ ଘରେ । ପାଣି ଅଧାରୁ କମ୍ ଥିଲା ବାଲଟିରେ । ପ୍ରଥମେ ଲାଇଟ୍ ଅଫ୍ କରି କହିଲା, ଚୁପ୍ ! କେହି କିଛି କୁହନି ଶୋଇଯାଅ ।


କିଛି କ୍ଷଣ ପରେ ବାବୁଭାଇ ଆଉ ବୁଢ଼ା ଠେଙ୍ଗା ଆଉ ଟର୍ଚ୍ଚ ଧରି ବାହାରକୁ ଆସିଲେ । ଠେଙ୍ଗା ଠକ୍ ଠକ୍ କରି ଟର୍ଚ୍ଚ ମାରି ସବୁଆଡେ ଅନୁଧ୍ୟାନ କଲେ । ରବି ସେଇମିତି କ'ଣରେ ବସିଥାଏ । ବାକି ସମସ୍ତେ ଶୋଇ ଶୁଣୁ ଥାଆନ୍ତି । ବାହାରେ କ'ଣ ହେଉଛି । ବାବୁଭାଇ ଡାକିଲା, ରାଜା, ବାପୁ ,ରବି ,କୁଲୁ ,ଅନୁଜ ! ସେମାନେ ଜାଣି ଥିଲେ ଟୋକାସବୁ ରାତି ଅଧ ଯାଏଁ ଭୋଜି କରୁଥିଲେ କାଳେ ଏ କାଣ୍ଡ କାହାର ହୋଇଥିବ । ସେଠୁ ରାଜା ଆଉ ଅନୁଜ ଯାଇ କବାଟ ଖୋଲିଲେ । କୂଅ ପାଖକୁ କିଏ ଯାଇଥିଲା କି ? ବାବୁ ପଚାରିଲା । ନାଁ ତ ସମସ୍ତେ ତ ଶୋଇଛନ୍ତି ,ରାତିରେ କୂଅ ପାଖକୁ କାହିଁକି କିଏ ଯିବ ? କ'ଣ ହେଲାକି ? ନା ମା କାହାକୁ ଗୋଟେ ଦେଖି ଡ଼ରିଗଲା , କହୁଥିଲା ତାଳ ଗଛ ପରି ଲମ୍ବା ଲଙ୍ଗଳା ବାବନା ଭୂତଟିଏ ସେ ଦେଖିଲା ! ନା ବା ଭୂତ ଭୂତ କିଛି ନାହିଁ ଆମେ ତ ସବୁଦିନ ଏତେ ରାତିରେ ଶୋଉ , କାହିଁ କେବେ କିଛି ଦେଖିନୁ ତ । ହଉ ଠିକ୍ ଅଛି ଶୋଇପଡ଼ ବାବୁଭାଇ ଆଉ ବୁଢ଼ା ଫେରିଗଲେ । ସମସ୍ତେ ଏପଟେ ଚୂପଚାପ୍ ଶୁଣୁ ଥାଆନ୍ତି । କୁଲୁ ଡରରେ ଥରୁଥାଏ ।


ତା' ପରଦିନ ସକାଳେ , ସମସ୍ତଙ୍କ ନିଶା ଛାଡ଼ି ଯାଇଥିଲା । ରବି ସକାଳ ଯାଏ ସେମିତି କଣରେ ବସି ରହିଥିଲା । ସକାଳେ ନଅଟା ଯାଏଁ ସମସ୍ତେ ଶୋଇଲେ । ରବି ଉଠି କହିଲା, ଶଳା ! କାଲି ସନ୍ଧ୍ୟାରେ ମୋତେ କ'ଣ ଖାଇବାକୁ ଦେଇଥିଲ ? ସମସ୍ତଙ୍କ ନଜର ଏବେ ବାପୁ ଆଉ କୁଲୁ ଉପରେ । କୁଲୁ କହିଲା, କିଛି ନାହିଁ ଛେନାରେ ଭାଙ୍ଗ ଟିକିଏ ମିଶିଥିଲା । ବୁରା ମତ୍ ମାନୋ ହୋଲି ହେ ! ସମସ୍ତେ ଝପଟୀ ପଢ଼ିଲେ କୁଲୁ ଉପରେ ଆଉ ଗୋଇଠା ବିଧା କଷିଦେଇ ଗଲେ ।


ସେ ଦିନଠୁ କୁଲୁ ବୁଢ଼ୀଠୁ ଦୂରେଇ ଦୂରେଇ ରୁହେ । 

ଦିନେ କୁଲୁ ଆଉ ବାପୁ କୂଅରୁ ପାଣି କାଢ଼ି ଗାଧୋଉଥିଲେ । ବୁଢ଼ୀ ଦୂରରେ ଚୌକିଟିଏ ପକେଇ ବସିଥିଲା , ତା'ର ପୂରା ନଜର କୁଲୁ ଉପରେ । କୁଲୁ ଡ଼ରିଗଲା ,ଜଳଦି ଗାଧୋଇ ପାଣି ବାଲଟି ଧରି ଆସୁଥିଲା । ବୁଢ଼ୀ ଡ଼ାକିଲା କୁଲୁ , ଏଠିକି ଆସିଲୁ ! କୁଲୁର ଛାତି ଧଡ଼ ଧଡ଼ କଲା , ଗୋଡ଼ ଥରୁଥିଲା ! ବାପୁ ଲକ୍ଷ୍ୟ କରି ତା ପଛେ ପଛେ ଗଲା । କୁଲୁ ଯାଇ ଚୁପଚାପ୍ ଠିଆ ହୋଇଗଲା ସୁନା ପିଲାଟିଏ ଭଳି । ଗୋଡ଼ ତାହାର ଏବେବି ଥରୁଥିଲା । ବୁଢ଼ୀ କୁଲୁର ପାଦରୁ ମୁଣ୍ଡ ଯାଏ ଦୁଇ ଚାରି ଥର ସ୍କାନିଙ୍ଗ୍ କରିନେଇ କହିଲା, ହଇରେ କୁଲୁ ତୁ ଶେଷରେ ଏଇଆ କଲୁ ? କୁଲୁ ଥଙ୍ଗଥଙ୍ଗ ହୋଇ କହିଲା, ମାଉସୀ ବଡ଼ ଭୁଲ୍ ହୋଇଗଲା । କ୍ଷମା କର ! ବୁଢ଼ୀ ହସିଦେଇ କହିଲା ବଗୁଲିଆଟା , ଯା ! ଆଉ ଏମିତି କରିବୁନି । ବାପୁ କୁଲୁ କାନ୍ଧରେ ହାତ ଥୋଇଲା ,କୁଲୁ ଚାହିଁଲା । ଦୁଇ ଜଣ ଏକା ସାଥିରେ ହସିଦେଲେ ହେ ! ହେ ! ହେ !



Rate this content
Log in

Similar oriya story from Comedy