ବୁଦ୍ଧମ ଶରଣମ ଗଛାମି
ବୁଦ୍ଧମ ଶରଣମ ଗଛାମି
ସହରଟିରେ ବୁଦ୍ଧମନ୍ଦିର ଓ ବୁଦ୍ଧ ମନ୍ଦିର ସଂଲଗ୍ନ ଖୁବ ସୁନ୍ଦର ପାର୍କଟିଏ. ପୁଣି ରହିଛି ଅଡିଟୋରିଅମ ହଲ ସହିତ ଅନ୍ୟାନ୍ୟ ସୁବିଧା. ଖିଆ ପିଆ ଭୋଜି ଭାତ, ବୁଲାବୁଲି, ସାହିତ୍ୟ ଆସର ସହିତ ଅନ୍ୟାନ୍ୟ ଉତ୍ସବ ପାଳନ ପାଇଁ ପ୍ରକୃଷ୍ଠ ସ୍ଥାନଟିଏ. ସେଇ ହଲଟିକୁ ପ୍ରକାଶ ବାଛିଥିଲା ବାପା ମାଆଙ୍କ ପଇଁତିରିଶ ବର୍ଷର ବିବାହ ବାର୍ଷିକୀ ପାଳନ ପାଇଁ. ସବୁ ବର୍ଷ ପରି ବାପା ଦୀନବନ୍ଧୁ ଓ ମାଆ ସୁଲୋଚନା ଏତେଟା ଖୁସି ନଥିଲେ. ଏବେ ସେମାନେ ପୁଅ ବାହା କରିବା ପାଇଁ ଝିଅ ଖୋଜି ପୁଅର ବିବାହ ଦେଇ ସେମାନଙ୍କର ବିବାହ ବାର୍ଷିକୀ ପାଳନ କରିବା ସମୟରେ ଥିଲାବେଳେ ଆଉ ନିଜ ବିବାହ ବାର୍ଷିକୀ ପାଳନରେ ଏତେ ଉତ୍ସାହ କି ଆଗ୍ରହ ନଥିଲେ ମଧ୍ୟ ବନ୍ଧୁ ବାନ୍ଧବ, ଚିହ୍ନାଜଣା, ବାପାଙ୍କ ସହକର୍ମୀ ବନ୍ଧୁଙ୍କ ସହ ମାଆଙ୍କର କିଛି ସାହିତ୍ୟ ସାଙ୍ଗ ବନ୍ଧୁ ବାନ୍ଧବୀ ଆମନ୍ତ୍ରିତ ହୋଇଥିଲେ. ମାଆ ଜାଣିଥିଲେ ପୁଅ ପ୍ରକାଶର ମଧ୍ୟ ସାହିତ୍ୟ ପ୍ରତି ଆଗ୍ରହ ରହିଛି ଖୁବ. ଆଜି ମଧ୍ୟ ତା ନୂଆ ଚାକିରୀର ପ୍ରଥମ ବର୍ଷ. ବାପା ପୁଅକୁ ଦେଖି ନିଜ ଭିତରେ ଭାଙ୍ଗି ପଡୁଥିଲେ କାରଣ ପୁଅ ଯେବେ କହିଥିଲା ସେ କୋଉଠି ଝିଅ ଠିକ କରିନି ବରଂ ପିତା ମାତା ଯୋଉଠି ଠିକ କରିବେ ସେ ସେହି ଝିଅକୁ ଜୀଵନସାଥି ଭାବେ ଗ୍ରହଣ କରିନେବ. ଏଯାଏଁ କିନ୍ତୁ ପିତା ମାତା ଅସମର୍ଥ ସେଥିପାଇଁ. ନିଜ ଜାଣିବାରେ ଯେତେ ଯିଏ ଯୋଉଠି ଅଛନ୍ତି ତାଙ୍କୁ କହି ଯିଏ ବି ଯୋଉଠୁ ପ୍ରସ୍ତାବଟିଏ ଦେଉଛି ଝିଅ ଦେଖି ଭାଙ୍ଗି ଯାଉଛି ପ୍ରସ୍ତାବ କାରଣ କୋଉଠି ଝିଅଟି ଡେଙ୍ଗା ତ କୋଉଠି ଗେଡା, କୋଉଠି ଅତି ପତଳୀ ତ କୋଉଠି ଟିକେ ମୋଟି. କୋଉଠି କଳା ତ କୋଉଠି ଝିଅର ଶିକ୍ଷାଗତ ଯୋଗ୍ୟତା ନାହିଁ. ଭଲ ଝିଅଟିଏ ଅର୍ଥାତ ନିଜ ପୁଅର ଆର୍ଥିକ, ଶାରୀରିକ ଓ ସାମାଜିକ ଯୋଗ୍ୟତାକୁ ନେଇ ଝିଅଟିଏ ପସନ୍ଦ ହେବା କାଠିକର ପାଠ ହୋଇଥିବା ଭାବୁ ଭାବୁ ଅତିଥି ଅଭ୍ୟାଗତ ସବୁଙ୍କୁ ସଂଖୋଳି ବସାଉଥାଆନ୍ତି ସ୍ୱାମୀ ଦୀନବନ୍ଧୁ ଓ ସ୍ତ୍ରୀ ସୁଲୋଚନା.
ଦୀନବନ୍ଧୁବାବୁ ଭାବୁଥାଆନ୍ତି ଏହି ମଉକାରେ ପରିଚିତ ବନ୍ଧୁ ବାନ୍ଧବଙ୍କୁ ପୁଅ ପାଇଁ ମନ ପସନ୍ଦର ଝିଅଟିଏ ଖୋଜିଦେବାକୁ କହିବେ. ମାଆ ସୁଲୋଚନା ମଧ୍ୟ ଭାବୁଥାଆନ୍ତି ତାଙ୍କ ଚିହ୍ନା ଜଣା ସାହିତ୍ୟିକ ବନ୍ଧୁ ବାନ୍ଧବମାନଙ୍କୁ କହିବେ. ସେହି ଅବସର ପାଖେଇ ଆସିଲା ସ୍ୱାମୀ ଓ ସ୍ତ୍ରୀ ଦୁହେଁ ପରସ୍ପରଙ୍କୁ ଫୁଲମାଳ ପିନ୍ଧେଇ କରତାଳି ଓ ପୁଷ୍ପ ବୃଷ୍ଟି ଭିତରେ ହାପି ଆନିଭରସାରୀ ର ମୃଦୁ ଗୁଞ୍ଜରଣ ଭିତରେ ଦେଖାଗଲା ଜଣେ ସାଧାରଣ ଵ୍ୟକ୍ତି ଗୋଟିଏ କଣରେ ଉପବେଶନ କରିଛନ୍ତି.ନା କେହି ତାଙ୍କୁ ଅଭ୍ୟର୍ଥନା କରିଛନ୍ତି ନା ତାଙ୍କୁ ଚନ୍ଦନ ଲଗେଇ ପୁଷ୍ପତୋଡ଼ା ଦେଇ କେହି ସ୍ୱାଗତ କରି ଆଣିଛି!
ବାପା ମାଆଙ୍କ ମନକଥା ବୁଝି ପୁଅ ପ୍ରକାଶ କହିଥିଲା ସେ ମୋର ଖାଲି ପରିଚିତ ନୁଁହଁନ୍ତି ବାପା ମୁଁ ତାଙ୍କର ଖୁବ ବିଶ୍ୱସ୍ତ ତେଣୁ ତୁମ ସର୍ତ୍ତ ଅନୁଯାୟୀ ମୋ ବାହାଘରକୁ ସମସ୍ତେ ନିମନ୍ତ୍ରିତ ହେବେ ବୋଲି କଥା ଥିଲେ ମଧ୍ୟ କାହାକୁ ଡାକିନଥିଲେ ବି ସେହି ଭଦ୍ରଵ୍ୟକ୍ତିଙ୍କୁ ଡାକିବାକୁ ବାଧ୍ୟ ହେଲି. ତାଙ୍କ ସ୍ତ୍ରୀ ବହୁବର୍ଷ ହେଲା ଆରପାରିରେ. ଅବସର ପୂର୍ବରୁ ଝିଅଟିକୁ ବିବାହ ଦେଇନପାରି ବୟସର ଭାର ସହିତ ମନ ତାଙ୍କର ଭାରାକ୍ରାନ୍ତ. ପୁଣି ନିଜର ହାର୍ଟ ଅପରେସନ ସରିଥିବା ଯୋଗୁଁ ଯୁଆଡେ ଯାଆନ୍ତି କେହିତ ଅନ୍ତତଃ ପାଖରେ ରହୁ ଟିକେ ସୁବିଧା ଅସୁବିଧାରେ ଦରକାର ପଡିଲେ ହସ୍ପିଟାଲ ନେଇଯାଇ ପାରିବ ବୋଲି ମତେ ଡାକନ୍ତି. ସେ ତୋର କେମିତି ପରିଚିତ ବୁଝିବାକୁ ଯାଇ ବାପା ପୁଅଠୁ ସବୁ ତଥ୍ୟ ସଂଗ୍ରହ କରୁଥିଲା ବେଳେ, ଅତିଥିମାନେ ଆର୍କେଷ୍ଟାର ତାଳେ ତାଳେ ମୃଦୁ ପାନୀୟ ପିଇ ଓ ଷ୍ଟାଷ୍ଟସରେ ଆୟୋଜନ କରାଯାଇଥିବା ଜଳଯୋଗାର ସଦବ୍ୟବହାର କରୁଥିଲା ବେଳେ ସୁଲୋଚନା ଯାଇ ସେଇ ଭଦ୍ରଵ୍ୟକ୍ତିଙ୍କ ସହ ଗପ ଯୋଡି ଦେଇଥିଲେ. ତାଙ୍କ ଝିଅ ବିଷୟରେ ଜାଣିବାକୁ ପାଇଥିଲେ ସୁଲୋଚନା ଯେ ଝିଅଟି ବହୁତ ପାଠ ପଢିଛି, ହାଇ ସ୍କୁଲରେ ଟିଚର ଅଛି କିନ୍ତୁ ଅତ୍ୟନ୍ତ ଉଚ୍ଚଭିଳାଷୀ ହୋଇଥିବାରୁ ତା ସମକକ୍ଷ ପୁଅଟିଏ ପାଇ ତାକୁ ହାତକୁ ଦିହାତ କରିବା ତାଙ୍କ ପକ୍ଷରେ ସମ୍ଭବ ହେଉନି. ଆମର ଝିଅ ପସନ୍ଦ ହେଲେ ଆପଣ ଆମ ପୁଅକୁ ଜୋଇଁ କରିବେ? ଏତେବଡ ସୌଭାଗ୍ୟ ମୋର କାହିଁ ମାଆ? ଆପଣଙ୍କର ଏତେ ବଡ଼ ବଙ୍ଗଳା, ଗାଡି, ପ୍ରତିପତ୍ତି, ଏସବୁ ଭିତରେ ମୁଁ ଜଣେ ପ୍ରାଥମିକ ଶିକ୍ଷକ. ତା ପରେ ପ୍ରକାଶ ବାବୁଙ୍କ ପରି ନିର୍ଲୋଭି, ସଂସ୍କାବାଦୀ ପୁଅ, ଯାହାକୁ ମୁଁ ବିଶ୍ୱାସ କରେ ବୋଲି ପ୍ରତି ମାସରେ ଏଟିଏମରୁ ପଇସା କାଢିବା ବେଳେ ସାଙ୍ଗରେ ନେଇ ଟଙ୍କା କାଢ଼ିଦେବାକୁ କୁହେ ଓ କାଳେ ଛାତି କଣ ହୋଇଯିବ ଭାବି ଟିକେ ହସ୍ପିଟାଲ ପହଞ୍ଚାଇ ଦେଇ ଝିଅକୁ ଅନ୍ତତଃ ଖବରଟିଏ ଦେଇପାରିବେ ବୋଲି ଭରସା ରଖେ, ତାଙ୍କୁ ଜୋଇଁ ରୂପେ ପାଇବାର ଦୁଃଶାହସ କେମିତି କରିପାରିବି ମାଆ!
ବାପା ମାଆ ଓ ପ୍ରକାଶ କିନ୍ତୁ ଝିଅ ଦେଖି ଯାଇଥିଲେ. ଝିଅଟିକୁ ନାପସନ୍ଦ କରିବାର କୌଣସି ଖୁଣ ନଥିଲା ବରଂ ସଂସ୍କାର, ପରମ୍ପରାଧର୍ମୀ ଝିଅଠାରେ ନମ୍ରତା, ସହିଷ୍ଣୁତା, ଧାର୍ମିକ ଭାବନା ସହିତ ଐଶ୍ଵର୍ଗିକ ବିଶ୍ୱାସ ଭରପୁର ଥିଲା ବେଳେ, ଦୀନବନ୍ଧୁବାବଙ୍କର ଭୟ ଥିଲା ଲୋକେ ବୋଲିବେ କଣ. ଅଭିଯାତ୍ୟ ବିହୀନ ଝିଅକୁ ବୋହୁ କରି ନେବା କେତେଦୂର ସମିଚୀନ ହେବ ଭାବୁ ଭାବୁ ସ୍ୱାମୀ,ସୁଲୋଚନା କିନ୍ତୁ ନିଜ ବେକରୁ ହାର କାଢି ପିନ୍ଧାଇ ଦେଇଥିଲେ ବୋହୁକୁ.ସେହି ବୁଦ୍ଧ ମନ୍ଦିରେ ଖୁବ ଧୁମଧାମରେ ବାହାଘର ସମ୍ପର୍ଣ୍ଣ ହୋଇଗଲା. ସମସ୍ତେ ବୋହୁ ଦେଖି ଓ ବ୍ୟବହାର ପାଇ ଏତେ ପ୍ରଶଂସା କରୁଥିଲେ ଯେ ସେଠି ଆଭିଜାତ୍ୟର ମାନେ ହିଁ ନଥିଲା.ବାହାଘର ଭୋଜି ଖାଇ, ବୋହୁର ରୂପ ଗୁଣ ବର୍ଣ୍ଣନା କରିବା ସହ ସମସ୍ତେ ବୁଦ୍ଧଦେବଙ୍କୁ ଦର୍ଶନ ସାରି କହୁଥିଲେ ବୁଦ୍ଧମ ଶରଣମ ଗଛାମି.
