ବର୍ଷାର ଅନୁଭୂତି
ବର୍ଷାର ଅନୁଭୂତି


ପ୍ରକୃତିର ଶୋଭା ଉପଭୋଗ କରିବାରେ ଏକ ନିଆରା ଅନୁଭବ ମନରେ ଆସିଥାଏ ଯିଏ ଜଙ୍ଗଲ ଓ ପାହାଡ ଘେରା ସବୁଜିମା ପରିବେଶ ଭିତରେ ନଦୀ,ଝରଣା,ଜଳପ୍ରପାତ, ଆଉଵର୍ଷାର ଛିଟାରେ ନିଜକୁ ନିଜେ ହଜାଇ ଦେଇଥାଏ ଆଉ ପାଖରେ ଥାଏ ନିଜର ସାଥୀଟିଏ ।ସେହି ମୁହୂର୍ତ୍ତ ସବୁକୁ କେବେ ଭୁଲିହୁଏ ନାହିଁ । ଚାରିପାଖ ପାହାଡ ବୃକ୍ଷରାଜିରେ ସୁଶୋଭିତ ପରିଵେଶ ଭିତରେ ଅଙ୍ଗେ ଲିଭାଇବାର ବର୍ଷାର ଅନୁଭୂତି ଦିଏ ଖୁବ୍ ଆନନ୍ଦଦାୟକ।
ଝିପି ଝିପି ମେଘ ସାଙ୍ଗକୁ ରହି ରହି ବହୁଥିବା ଥଣ୍ଡା ପବନ ସାରା ପରିବେଶକୁ ଯେପରି ଓଦା ଓଦା କରି ଗଢି ତୋଳୁଥିଲା ।
ନାଆଁଟି ତାର ବର୍ଷା ଦେଖିବାକୁ ଭାରି ସୁନ୍ଦର। ରୂପ ଯେମିତି ଗୁଣବି ସେମିତି। ଧାରା ଶ୍ରାବଣରେ ଜନ୍ମ ହୋଇଥିବା ଯୋଗୁ ତା ମାଆ ତାକୁ ବର୍ଷା ନାଆଁଟି ଦେଇଥିଲା। ବର୍ଷାରେ ଭିଜିବାକୁ ତାକୁ ଭାରି ଭଲଲାଗେ।ପି.ଜି ଦ୍ବିତୀୟ ବର୍ଷର ଛାତ୍ରୀ ସିଏ। ଖୁବ୍ ମେଧାବୀ ଛାତ୍ରୀ।ଷ୍ଟଡିଟୁରରେ ତାକୁ ସିଲଂଗ ଯିବାକୁ ପଡିଥାଏ କିଛି ସହପାଠିଙ୍କ ସହ। ସେଠି ସେ ସାଙ୍ଗ ସାଥିସହ ବାହାରିଥିଲା ସେଠାର କିଛି ସ୍ଥାନ ବୁଲିବାକୁ । ଭୂଗୋଳରେ ପଢିଥିଲା ମେଘାଳୟର ଚେରାପୁଞି ବର୍ଷ ସାରା ବର୍ଷା ।
ସେ ବାହାରିପଡିଥିଲା କେତେକ ସହପାଠୀ ସହ ଚେରାପୁଞି ଅଭିମୁଖେ।ସିଲଂଗରୁ ଚେରାପୁଞି ଯିବା ଵାଟରେ ଅଙ୍କା ବଙ୍କା ପାହାଡିଆ ରାସ୍ତାରେ କୁହୁଡିର ଚାଦର ଭିତରେ ଗାଡିଟି ମେଘ ଭିତରେ ଭାସି ଭାସି ଚାଲୁଥିଲା।ଦୁହେଁ ପାଖକୁ ପାଖ ବସିଥିଲେ ବର୍ଷା ଆଉ ଶୁଭମ। ଗାଡିର ଦୌଳାୟନରେ ଶୁଭମ ବର୍ଷା ପାଖକୁ ଅଧିକ ନିକଟତର ହୋଇଯାଉଥିଲା।କଲେଜ ସାଥି ସମୟରୁ ହିଁ ଶୁଭମ ବର୍ଷାକୁ ଭଲପାଉଥିଲା କିନ୍ତୁ ଏକଥା ବର୍ଷାକୁ ଜଣାନଥାଏ।ସେ ସବୁବେଳେ ନିଜ ପଢାପଢି ଉପରେ ମନ ଧ୍ୟାନ ଦିଏ।ଗାଡି ଭିତରେ କାହିଁକି କେଜାଣି ଶୁଭମ ପ୍ରତି ବର୍ଷାର ଦୁର୍ବଳତା ଭାବ ଆସିଯାଏ ଆପେ ଆପେ।
ରାସ୍ତା ଯାକ ଝିପି ଝିପି ବର୍ଷା। କୁହୁଡି ଚାଦରରେ ମୁହଁକୁ ମୁହଁ ଦେଖାଯାଉନଥାଏ। ଦିନବେଳେ ମଧ୍ୟ ଗାଡିରେ ଲାଇଟ୍ ଲାଗିଥାଏ। ମଝିରେ ମଝିରେ ଗାଡି ରଖି ପାହାଡର ସାଇଡ୍ ଦୃଶ୍ୟ ଉପଭୋଗ କରୁଥିଲେ ସମସ୍ତେ ।
ସାଥିରେ ଥାଆନ୍ତି ଅନ୍ୟ ସହପାଠୀ ରିତା, ମିତା, ଗିତା,ବବୁନ। ସମସ୍ତେ ମିଶି କିଛି ମମ ଖାଇ ଗାଡିରେ ପୁଣି ବସିପଡନ୍ତି।ବର୍ଷାର ହାତ ପାଦ ଥଣ୍ଡା ହୋଇଯାଉଥାଏ।ଏହା ଦେଖି ଶୁଭମ୍ କିଛି କଫି ଆଣି ତାକୁ ପିଇବାକୁ ଦିଏ। ଦୁଇ ତିନି ଘଣ୍ଟା ଯାତ୍ରା ମଧ୍ୟରେ ଗାଡି ପହଞ୍ଚିଦେଇଥିଲା ଚେରାପୁଞ୍ଜି। ରାସ୍ତାଯାକ ଅନ୍ତାକ୍ଷରୀ ଚାଲିଥାଏ ସାଙ୍ଗସାଥି ମଧ୍ୟରେ।
ଚେରାପୁଞ୍ଜି ଦେଖିବା ମାତ୍ରେ ନିଜେ ବର୍ଷା ଅନୁଭବ କଲା ସତେ ଯେମିତି ସ୍ବର୍ଗରୁ ଖଣ୍ଡେ ଖସିପଡିଛି ଏ ମାଟି ଉପରକୁ । ସତରେ ଭୁ-ସ୍ବର୍ଗ । ଲାଗୁଥିଲା ତା ହାତ ମୁଠାରେ ଆକାଶମାନ ରହିଅଛି। ମେଘ ଖଣ୍ଡ ମାନଙ୍କ ସହ ଦେହ ଘସି ହେବାର ମଜ୍ଜା ସେ ଅଙ୍ଗେ ନିଭାଉଥିଲା । ଚାରିପାଖ କେବଳ ସବୁଜ ବନାନିର ସବୁଜିମା । ଅନେକ ଅନୁଭୂତି ସହ ମନକୁ ସତେଜ କରୁଥିଲା । ସବୁଠି ଶୁଭୁଥିଲା ବର୍ଷାର ଝିପି ଝିପି ସହନାଇ ।
ବର୍ଷାର ଏହି ପଦପାତକୁ ଦେଖି ପୁଲକିତ ହୋଇ ଉଠୁଥିଲା ତାର ସହପାଠୀ ଶୁଭମ୍। ତାର ତୋଫା ଗୋରା ଚେହେରା ଆଉ ଆକର୍ଷଣୀୟ ମୁଖମଣ୍ଡଳ, ଗୋଲାପି ରଙ୍ଗର ଡ୍ରେସଟି ଆକର୍ଷିତ କରିଥିଲା ଶୁଭମକୁ। ବର୍ଷାରେ ଓଦା ହୋଇଥିବା ଚୁଟିର ଆଗ ଦୁଇ କେରା ମୁହଁର ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରୁଥିଲା । ବର୍ଷା, ବର୍ଷାରେ ବିଭୋର ହୋଇ ସବୁକିଛି ଭୁଲି ଯାଇଥିଲା । ସେ ଅଜାଣତରେ ତାର ଅସ୍ତିତ୍ବକୁ ହଜାଇଦେଇଥିଲା ନିଜର ସହପାଠୀ ଶୁଭମ୍ ସହମିଶି ।ସବୁକିଛି ଶେଷ ହୋଇଯାଇଥିଲା।ବର୍ଷା ନିଜର ଅସ୍ତିତ୍ବ ଭୁଲିଯାଇଥିଲା।ଦୁହେଁ ମତୁଆଲା ହୋଇ ଅଜସ୍ର ନିବିଡ ଚୁମ୍ବନରେ ହଜିଯାଇଥିଲେ କେହି ମୂହୁର୍ତ୍ତ! ପରଷ୍ପରର ଆଲିଙ୍ଗନରେ ବିତିଯାଇଥିଲା କିଛି ସମୟ ।
ଚେରାପୁଞି ବୁଲିବାର ତୃପ୍ତି ଓ ଆନନ୍ଦ ପୁଣି କିଛି ଉପଭୋଗ କରିବାର ଅନୁଭୂତି ଦୁହିଁକୁ ମନକୁ ଆନ୍ଦୋଳିତ କରୁଥିଲା । ତାପରେ ସମସ୍ତେ ବାହାରି ପଡିଲେ 'ଡାଉକି' (Dawki) । ଡାଉକିରେ ପ୍ରବାହିତ ନଈଟିର ଏପାଖ 'ଭାରତ' ସେପାଖରେ ବଙ୍ଗଳା ଦେଶ । ଖୁବ୍ ଗଭୀର ନଈ, ମନୋରମ ପରିବେଶ । ସେଠାରେ ବୋଟିଂ ର ମଜ୍ଜା ନେଲେ । ସେଠି ବୋଟିଂର ମଜା ନେବା ସମୟରେ ଅଚାନକ ଭସା ବାଦଲରୁ କିଛି ବର୍ଷାରେ ଭିଜିବାର ଅନୁଭୂତି ଦୁହିଙ୍କୁ ଅତିନିକଟତର କରାଇଦେଇଥିଲା।ଏହି ବିରାଟ ପାହାଡରେ ଇକୋ ଶବ୍ଦରେ ଦୁହେଁ ଦୁହିଁଙ୍କ ନାମଧରି ଡାକିବାକୁ ଲାଗିଲେ।ଏହା ପ୍ରତିଧ୍ବନି ହୋଇ ସେହି ନାମଟି ବାରମ୍ବାର ଶୁଣାଗଲା ଦୁହିଁଙ୍କୁ ଠିକ୍ ପ୍ରେମୀଯୁଗଳର ନାମଭଳି।
ବାଟରେ Live root Bridge ଏବଂ Mawlynnong village ଦେଖିବାର ସୁଯୋଗକୁ ହାତଛଡା ମଧ୍ୟ କରିନଥିଲେ । ଏହି ଗ୍ରାମଟି ଏସିଆ ମହାଦେଶର ସ୍ବଚ୍ଛ ଗ୍ରାମ ( Cleanest village ) ଭାବେ ମାନ୍ଯତା ପାଇଛି ଵୋଲି ସେ ବହିରୁ ପଢିଥିଲା। ପ୍ରାୟ 40 ପୁଟ୍ ଚଉଡାର ପାହାଡିଆ ଝରଣାଟିଏକୁ ବିରାଟ ବିରାଟ ବୃକ୍ଷର ଚେର ମାନଙ୍କୁ ପରସ୍ପର ଛନ୍ଦି ହୋଇଥିବା ସୁନ୍ଦର ପୋଲରେ ଛିଡା ହୋଇ କେତେ ଫଟୋ ଉଠାଇଥିଲେ ଦୁହେଁ ।ଚା ବଗିଚାରେ ଆଉକିଛି ମନକୁ ଛୁଇଁଲା ଭଳି ଦୃଶ୍ଯ ଉପଭୋଗ କରି, ବର୍ଷା ଓ ମେଘ ମାନଙ୍କ ସହ ଲଢେଇ କରି ସଂଧ୍ଯାରେ ଫେରିଲେ ସମସ୍ତେ ସିଲଙ୍ଗ ।
ଦଶଦିନର ଷ୍ଟଡିଟୁର ପରେ ସେ ଫେରିଆସିଛି ନିଜ ଘରକୁ।ଏହା ଭିତରେ ସେ ନିଜେ ସବୁ କିଛି ଭୁଲିଯାଇଛି ।ନିଜକୁ ନିଜେ ପଢାଭିତରେ ହଜାଇଦିଏା ଆଉ ତା ସାଙ୍ଗ ଶୁଭମ୍ ଚାଲିଯାଇଥାଏ ବେଙ୍ଗାଲୁରୁ ମାଆର ଅପରେସନ୍ ଲାଗି।
ବର୍ଷା ଦିନେ ତା କଠୋରିରେ ପଢିବା ସମୟରେ ଅଚାନକ କେଉଁଠି ମେଘ ଆସି ଅସରାଏ ଛେଚି ପକାଇଲା।ଖୋଲା ଝରକା ଦେଇ ହାଲକା ଥଣ୍ଡା ପବନ ସହିତ ରୁମ୍ ଭିତରକୁ ପଶି ଆସିଲା କିଛି ବୁନ୍ଦା ବୁନ୍ଦା ପାଣିର ଛିଟିକା । ସେହି ଥଣ୍ଡା ପାଣି ଟୋପା ମାନଙ୍କର ସଂସ୍ପର୍ଶ ସହ୍ୟ ନକରି ପଦାକୁ ବାହାରିପଡିଲା ବର୍ଷା ,ବର୍ଷାରେ ଭିଜିବାକୁ।ତାର ତନୁ,ମନ ସବୁ ଓଦା ହୋଇଗଲା। ତାର ମନେପଡିଗଲା ସେ ଦିନର ସବୁ ସ୍ମୃତି।ଖେଳି ଉଠି ଥିଲା ତା’ର ଦୁଇ ରୋମାଞ୍ଚିତ ଆଖିର ଦିଗ୍ବଳୟରେ ସେ ଦିନର ଘଟଣା ସବୁକିଛି ।
ବାହାରେ ଓଦା ଘାସର ଗାଲିଚା ଉପରେ ନିଜ ପାଦକୁ ପକାଇ ବର୍ଷାର ସେଦିନର ରୋମାଞ୍ଚକର ଅନୁଭୂତି ଦେହରେ ମନରେ ବିଜୁଳି ପରି ସନ୍ତରି ଯାଉଥିଲା ।
ନିଜକୁ ନିଜେ ସେ ଧିକ୍କାର କଲା।
ଏ କ’ଣ… କିଛି ମୁହୁର୍ତ୍ତ ନିଜକୁ ନିଜେ ଅଟକି ନଯାଇ ସମୁଦ୍ର ପରି ଢେଉରେ ନିଜକୁ ଭସାଇଦେଇଥିଲି ! ସତରେ ଆଉ କଣ ଆଗପରି ବାହାରେ ବର୍ଷାର ଭିଜିବାର ମାଦକତା କିଛି ଭଲଲାଗୁନି ।
ସତରେ ସେ କେତେ ତଳକୁ ଖସିପଡିଥିଲା ମନକୁ ମନ ଭାବୁଥିଲା ।ନିଜର ସର୍ବସ୍ବ ହରାଇଦେଲା ଅନ୍ୟଜଣକ ହାତରେ।ବାପା ଵୋଉଙ୍କ ସ୍ବପ୍ନକୁ ଧୂଳିସାତ କରିଦେଇଛି ସେ ନିଜେ।ପଶ୍ଚାତାପ୍ କରି ଆଖିର ଲୁହର ତା ଶରୀର ଓଦାହେବାକୁ ଲାଗିଲା।ବର୍ଷା ମୁଣ୍ଡରେ ହାତ ଦେଇ ନିଜଚୁଟି ତକ ମୁକୁଳା କରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲା।ମୁକ୍ତ ଆକାଶରେ ବର୍ଷାର ଟିପଟିପ୍ ପାଣିରେ ଏବଂ ଆଖିର ଲୁହରେ ଭିଜି ଜୀବନରେ କରିଥିବା ମହାଭୁଲକୁ ପଶ୍ଚାତାପ କରୁଥିଲା ସେ ନିଜେ । ସେ ଦିନର ବର୍ଷାର ଅନୁଭୂତି ତା ଆଖିରେ ଲୁହ ଭରିଦେଇଥିଲା।
ସେ ବାରମ୍ବାର ନିଜକୁ ବୁଝାଇବାକୁ ଚାହୁଁଥିଲା କିନ୍ତୁ ଆଉ ଭାବି ଲାଭ କଣ? କଥାରେ ଅଛି ପରା ହାତରୁ ଯାଏ ଖସି ଭାବୁଥା ଏଠି ବସି।ଦୂରରୁ କବାଟ ପାଖରେ ଠିଆ ହୋଇ ତା ମାଆ ଡାକ ଛାଡୁଥିଲେ ମା ବର୍ଷା ଆଉ ବର୍ଷାରେ ଭିଜେନି ଜ୍ବର ହୋଇଯିବ।ଆଗକୁ ତୋର ପରିକ୍ଷା ଅଛି।