ବ୍ରଏଲର ଚିକେନ
ବ୍ରଏଲର ଚିକେନ
ଆଜିର ଯେନେରେସନରେ ଦେଖିବାକୁ ମିଳୁଛି ଯିଏ ଯେଉଁଠାରେ ଚାକିରି କରିବା ବିଜନେସ କଲା ସିଏ ସେହିଠାରେ ନିଜ ପରିବାର ସହ ସ୍ଥାପିତ ହୋଇଗଲା । କିଛି କାମକାର୍ଯ୍ୟ ପଡିଲେ ନିଜ ବନ୍ଧୁବାନ୍ଧବ ଓ ପରିବାରଜନଙ୍କୁ ସମୟ କାଢି ଭେଟିବାକୁ ଆସିଥାଉ ।ସହରର ଚାରି କାନ୍ଥ ଭିତରୁ ଯେତେବେଳେ ପ୍ରକୃତିର ସବୁଜିମା ଆଖିରେ ପଡେ ମନ ବିଭୋର ହୋଇ ଉଠେ । ଯେତେବେଳେ ଗାଁର ସବୁଜ ବିଲ ପୋଖରୀର କଇଁ ଓ ପଦ୍ମ ଫୁଲ ଦେଖିଥାଉ ସେତେବେଳେ ଲାଗିଥାଏ ଭିନ୍ନ ଏକ ଦୁନିଆଁରେ ଆସି ପହଞ୍ଚି ଅଛୁ । ସବୁ ଚିହ୍ନା ମୁହଁ ଦେଖି ମନ ଆନନ୍ଦରେ ଭରିଉଠେ । ହସଖୁସି, ହୋ ହାଲ୍ଲା,ମାନ ଅଭିମାନ, ପାଟିତୁଣ୍ଡରେ ଘର ଅଗଣା କମ୍ପି ଉଠୁଥାଏ । ସମସ୍ତେ ନିଜନିଜ ପରିବାରର ସମସ୍ୟାକୁ ବଖାଣି ବସନ୍ତି ।ସେଥିରେ ଥାଏ କିଛି ଖୁସିର ମୁହୁର୍ତ୍ତ ଓ କିଛି ଅଭିଯୋଗ ଭରା କଥା ।ପିଲାର ଭବିଷ୍ୟତ କଥା ତ ,କାହାର ବଢିଲା ଝିଅର ବାହାଘର ଚିନ୍ତା । ଅନେକ ଦିନପରେ ଏକତ୍ରିତ ହୋଇଥିବାରୁ କାହାରି ମନରେ ତିକ୍ତତା ନଥାଏ ।ମନେ ପଡିଥାଏ ଛୋଟ ବେଳର ସମସ୍ତ ଦୁଷ୍ଟାମୀ । ଗାଁ ଦାଣ୍ଡ, ଆମ୍ବ ତୋଟା, ପୋଖରୀ ,ନଦୀତୁଠରେ ବିତାଇ ଥିବା ସମୟ ।ଏହି ସମସ୍ତ କଥୋପକଥନରେ କେତେବେଳେ ଯେ କାହା ମୁହଁରୁ କ'ଣ ଶଦ୍ଦ ବାହାରିବ , ତାହା ସ୍ମରଣୀୟ ଓ ନିଆରା ହୋଇଯିବ, ଯାହା ଆମେ କେବେ ଆଗରୁ ଶୁଣି ନଥାଉ ଯେ ଏଭଳି ମଧ୍ୟ କିଏ ଏକ ଶଦ୍ଦ କଥାରେ ପ୍ରୟୋଗ କରିପାରିବ । ସକାଳୁ ଉଠି ସମସ୍ତଙ୍କ ର ଜଳଖିଆ ଚିନ୍ତା,ଆରେ କ'ଣ ଖାଇବା ସଭିଏଁ ଜଳଖିଆରେ! ଜଳଖିଆ ପର୍ବ ସରୁସରୁ ଚିନ୍ତା ପଡ଼ିଲାଣି କ'ଣ ଖାଇବା ମଧ୍ୟାହ୍ନ ଭୋଜନରେ, ସନ୍ଧ୍ୟା ହଉହଉ ଚିନ୍ତା ପଡ଼ିଲାଣି ମୁଁ ରାତିରେ କିଛି ଖାଇବି ନା ଖାଇବି ନାହିଁ, ଖରା ବେଳ ଖାଇବାଟା ବଢିଆ ହୋଇଥିଲା ମୁଁ ବହୁତ ଖାଇ ଦେଇଛି,ହଜମ ହୋଇ ନାହିଁ, ଭାବୁଛି କିଛି ଖାଇବି ନାହିଁ, ପୁଣି ଟିକେ ସମୟ ପରେ ଡିସିସନ ଚେଞ ହୁଏ,ନା ରାତିରେ ଭୋକରେ ଶୋଇବି କେମିତି,ଦୁଇପଟ ରୁଟି ସହିତ ଟିକେ ଡ଼ାଲମା ହେଲେ ଚଳିବ ।
ଆଜିକାଲି ତ ସଭିଏଁ ସୁଗାର ଓ ଡାଇବେଟିସକୁ ସାଙ୍ଗରେ ଧରି ବୁଲୁଛନ୍ତି, ଖାଲି ପେଟରେ ମେଡିସିନ ଖାଇବା କେମିତି ? ଏହି ଭଳି ଗୋଟିଏ ଦିନ ବିତିଗଲା । ତା'ପରଦିନ ସକାଳୁ ପୁଣି ଦିନଟି ଆରମ୍ଭ ହୋଇଲା । ସଭିଏଁ ନିଜ ନିଜ କାମରେ ବ୍ୟସ୍ତ । କେଉଁଠି ଗୁଲିଖଟି ତ କେଉଁଠି ଧାଁ-ଧପଡ । ଜଳଖିଆ ଖାଇବା ସମୟ ହୋଇଗଲା । ସବୁ ମହିଳା ମାନେ ସଭିଙ୍କୁ ଖୁଆଇ ଏକା ସାଙ୍ଗରେ ଖାଇବାକୁ ବସିଲେ ।ଏହି ସମୟରେ ଆଲୋଚନା ହେଉଥିଲା ଆଜି ମଧ୍ୟାହ୍ନର ଖାଇବା ମେନୁ ବିଷୟରେ । ସେତେବେଳେ ଆମ ପରିବାର ର ଦୁଇ ବଡ ଝିଅ ଯାହାଙ୍କର ବୟସ ୭୦ ଉପରେ, ତାଙ୍କର ବାର୍ତ୍ତାଳାପରେ ସଭିଙ୍କ ଧ୍ୟାନ ଯାଉଥାଏ । ସେମାନେ ଚର୍ଚ୍ଚା କରୁଥାନ୍ତି ତା'ଙ୍କ ମଧ୍ୟରୁ ଜଣେ ଆମିଷ ଖାଇବେ ଓ ଅନ୍ୟ ଜଣେ ନିରାମିଷ ଖାଇବେ । ପୁଣି ଆମିଷ ଭିତରେ ମାଛ, ମାଂସ, ଚିକେନ ର ଆଲୋଚନା ଚାଲିଲା । ସେହି ସମୟରେ ପୁଣି ଦେଶି ଚିକେନ ଓ ବ୍ରଏଲର ଚିକେନର ଉପରେ ମତ ପାର୍ଥକ୍ୟ ଚାଲିଲା ।ଏହି ସମୟରେ ବ୍ରଏଲର ଚିକେନକୁ ଜଣେ ବିଧବା କୁକୁଡ଼ାରେ ସମ୍ଭୋଧନ କଲେ ଯାହା ଶୁଣି ସଭିଏଁ ଠୋ ଠୋ ହୋଇ ହସିଲେ । ଏହି ଶବ୍ଦଟି ଶୁଣି ମୁଁ ମଧ୍ୟ ପ୍ରାୟ ଦୁଇ ତିନି ମିନିଟ ହସିଛି, ଯାହା କି ନିୟନ୍ତ୍ରଣ ବାହାରେ ।ମୋ ପାଇଁ ଏହି ଶବ୍ଦଟି ଥିଲା ପୁରା ପୁରି ନୂଆ । ମୁଁ କଳ୍ପନାରେ ମଧ୍ୟ ଭାବି ନ ଥିଲି ଯେ ଏହି ଧଳା ରଙ୍ଗର କୁକୁଡ଼ା ଟିକୁ ତା ରଙ୍ଗ ପାଇଁ କିଏ କେବେ ଆକ୍ଷେପ କରିବ । ମନରେ ଅନେକ ଅଭୁଲା ସ୍ମୃତି ସାଉଁଟି ଫେରିଲୁ ନିଜ ନିଜ କର୍ମକ୍ଷେତ୍ରକୁ ।ଯାହା ସର୍ବଦା ସ୍ମରଣୀୟ ହୋଇ ରହିଗଲା ।