ବୋଉ
ବୋଉ
ବୋଉ ଶବ୍ଦ ହିଁ ଯଥେଷ୍ଟ ଆନନ୍ଦ ପାଇଁ, ବୋଉ ଗାଳି ଯଥେଷ୍ଟ ତୃପ୍ତି ପାଇଁ । ମୁଁ ନିଜକୁ ଧନ୍ୟ ମନେକରେ ଯେ ବୟସର ଅପରାହ୍ନରେ ବି ବୋଉ ମୋ ସାଥିରେ ଅଛି ।
ମୁଁ ପିଲା ଥିଲି, ଭାବୁଥିଲି ବୋଉ ଆମ ଭାଈ ଭଉଣୀଙ୍କ ମଧ୍ୟରେ ମତେ ଟିକେ କମ୍ ଭଲପାଏ । କାହିଁକି ନା ମୁଁ ମଝିଆ । ବୋଉ କହେ... ବଡ଼ ଓ ସାନ ଦୁଇ ଆଖି ହେଲେ ମଝିଆ ହେଉଛି ନାକ । ନାକ ବଞ୍ଚିବା ପାଇଁ ନିହାତି ଆବଶ୍ୟକ ପୁଣି ନାକ ଉଞ୍ଚା ରଖିବା ଆମ ସମାଜରେ ମୁଖ୍ୟ । ବୋଉ କଥାରୁ ମୁଁ କଣ ବୁଝୁଥିଲି କି ନାହିଁ କିନ୍ତୁ ଖୁସି ହେଇ ଯାଉଥିଲି । ବୋଉ ମୋ ପାଇଁ ଥିଲା ପରୀ... ସବୁ ଓ୍ଵିସ୍ ପୂର୍ଣ୍ଣ କରୁଥିଲା ।
କିଶୋର ଅବସ୍ଥାରେ ଭାବିଲି, ବୋଉ ଜନ୍ମ ଦେଇଛି ମାନେ ଆମ ମାନଙ୍କ ଖୁସି ପାଇଁ କରିବନି ତ ଆଉ କିଏ କରିବ .... ପାଠ ପଢାରେ ହେଳା କଲେ ବୋଉ ବାଡେଇ ଗୋଡାଏ । ଆମେ ଭାଈ ଭଉଣୀ ଭାବୁ ବୋଉ ନିଜେ ତ ବେଶୀ ପଢିନି କଣ ବୁଝୁଛି ପାଠ ବିଷୟରେ ଯେ ସଦାବେଳେ ଚିଡି ଚିଡି । ବୋଉକୁ ମୁଁ କେବଳ ଗୃହିଣୀ ଜାଣିଥିଲି ।
ମୁଁ କଲେଜ ପଢୁଆ ଯୁବତୀ ଥିଲା ବେଳେ ନନା ଚାଲିଗଲେ । ଖାଲି ଟଙ୍କା ପଇସା ଗଣି ଶିଖିଥିବା ମୋ ବୋଉ ଜମି ବାଡ଼ି ବୁଝି ବାପାଙ୍କ ଦୋକାନ ସମ୍ଭାଳି ଆମକୁ ଅଭାବ ଅସୁବିଧା ଜଣେଇ ଦେଲାନି । ଆମ ପାଠପଢା ସୁରୁଖୁରୁରେ ଚାଲିଲା । ବୋଉ ଗୃହିଣୀ ସହ ଗୃହକର୍ତ୍ତୀ ହୋଇଥିଲା ।
ଆମେ ଭାଈ ଭଉଣୀ ଯେଝା କର୍ମରେ ବ୍ୟସ୍ତ ହୋଇଗଲୁ । ବୋଉ ଆମ ପାଇଁ ଅଲୋଡ଼ା ନହେଲେ ବି ସେମିତି ଆବଶ୍ୟକ ନଥିଲା । ଆମ ମୁଣ୍ଡକୁ ହାତ ପାଇ ଯାଇଥିଲା । କିନ୍ତୁ ବୋଉ ତା କର୍ତ୍ତବ୍ୟ ଭୁଲି ନଥିଲା । ହାତକୁ ଦିହାତ କରି ଆମ ମାନଙ୍କ ସଂସାର ଗଢିଦେଲା । ହଁ ମ ନିଜ କର୍ତ୍ତବ୍ୟ କରୁଛି ସଂସାରର ସବୁ ବୋଉ ଭଳି... ଆଉ ଅଧିକା କଣ ।
ଏବେ ମୋ ଝିଅ ପୁଅ ଉଚ୍ଚ ପଦସ୍ଥ ଅଧିକାରୀ । ମୋ କଥା ଶୁଣିବାକୁ କାହା ପାଖରେ ସମୟ ନାହିଁ । କିନ୍ତୁ ମୁଁ ମୋ କର୍ତ୍ତବ୍ୟ କରୁଛି । ବୋଉ କଥା ଭାବୁଛି ।
ବୋଉ ଶଯ୍ୟାଶାୟୀ । ସେମିତି କିଛି କଥା କହୁନି । କିନ୍ତୁ ମୁଁ ଘରକୁ ଆସିଛି ବୋଲି ମୋର ଖାଇବା ଶୋଇବାରେ କିଛି ଅସୁବିଧା ହେଉନି ତ ଠାରି ପଚାରୁଛି । ମୁଁ ଏବେ ରିଡାୟର୍ଡ କର୍ମଚାରୀ । ବୋଉର ପ୍ରକୃତ ଅର୍ଥ ବୁଝିଲା ବେଳକୁ ବୋଉ ମାୟା ସଂସାର ମୋହ ଛାଡି ସାରିଲାଣି । ତା ଶେଯ ପାଖେ ବସି ତାକୁ ଚାହିଁ ଦେଲେ ତାର ନିଷ୍ଠା, ତାର ସଂଘର୍ଷର ଚିତ୍ର ଦିଶି ଯାଉଛି । ବୋଉ ମତେ ଦେବୀଙ୍କ ଚଳନ୍ତି ପ୍ରତିମା ପରି ଲାଗୁଛି ।
