ବୋଝ
ବୋଝ
ଯାହା କାନ୍ଧରେ ପୃଥିବୀ ଥୁଆ ହୁଏ ସେ ଆଟଲାସ୍ ହେବାକୁ ବାଧ୍ୟ । ଇଚ୍ଛାକୃତ ଭାବରେ ପୃଥୀବିଟା ଓଲ୍ହେଇଦେଇ ହୁଏନା । କାନ୍ଧ ପୀଡା ହୁଏ , ଦେହ ମଜରା ହୁଏ , ବେକ ବଙ୍କା ହୁଏ କିନ୍ତୁ ଟସ୍ ରୁ ମସ୍ ହେଇହୁଏନି । କେମିତି ଭଲା ହେବ କୁହ ନିଜ କଥା ଆଉ ସଭିଙ୍କ କଥା ଭିତରେ କେତେ ଯେ ଫରକ ଆଃ !....
ଆଟଲାସ୍ କୁ କିନ୍ତୁ କେହି ଦୟା କରେନାହିଁ । କୁହେନି , '' ଦିଅ ମଁ ମୋତେ ଟିକେ ପୃଥିବୀଟା ତୁମ କାନ୍ଧ ପୀଡା
ହେବଣି ।''
କିନ୍ତୁ ଥୋକେ ନିଶ୍ଚିତ କୁହନ୍ତି ,'' କି କାମ କି ହାଁ ? ମୁଁ ଧରିଥିଲେ ଦେଖିଥାନ୍ତ କେମିତି ଚଳେଇଥାନ୍ତି । ନୂଆ ବାଗରେ ଘୁରେଇଥାନ୍ତି । ଛ' ଋତୁ ଜେଗାରେ ନ' ଋତୁ ତିଆରିଥାନ୍ତି । ସମୁଦ୍ରରେ ଜଙ୍ଗଲ ତିଆରିଥାନ୍ତି , ଜଙ୍ଗଲରେ ମାଛ ପହଁରେଇ ଥାନ୍ତି , ଜହ୍ନରେ ଘର ଗଢେଇଥାନ୍ତି , ପାଦ ତଳେ ଚନ୍ଦ୍ର ସୂର୍ଯ୍ୟ ବିଛେଇଥାନ୍ତି ।
ଆଟଲାସ୍ କେବଳ ଶୁଣେ , କାରଣ ସେ ଜାଣେ ବାହୋସ୍ଫୋଟ ମାରୁଥିବା କୁହାଳିଆ ଙ୍କ ଦେଇ କିଛି କାମ ହେଇନି କି ହେବନି। କାରଣ ଯେ କରେ ସେ ହିଁ ଜାଣେ । ପହଁରୁ ଥିବା ଲୋକ ବୁଝେ ପାଣିର ଗଭୀରତା । କୂଳରେ ବସି ପାଣି ଦେଖୁଥିବା ଲୋକ ନିଜକୁ ସନ୍ତରଣ ବିଶାରଦ କହିପାରେ କିନ୍ତୁ ପାଣିକୁ ନ ଓହ୍ଲେଇବା ଯାଏଁ ସବୁ କେବଳ ବେକାର ଗପ.........
******************
ଉଷୁମ କମ୍ବଳ ଭିତରେ ଜାକି ଜୁକି ଶୋଇଥିବା ଅନନ୍ୟା ପ୍ରତି ଖୁବ୍ ଇର୍ଷା କରେ ପ୍ରତୀକ । କେତେ ସହଜରେ ଦୁନିଆ ଯାକର ଟେନ୍ସନ ମୁଣ୍ଡରୁ ଓଲ୍ହେଇ ଦେଇ ରାତି ଭର୍ତ୍ତି ନିଘୋଡ଼ ନିଦ ଯୋଗାଡ଼ି ପାରୁଛି ସ୍ତ୍ରୀ ? ଆଉ ସେ ପୃଥିବୀର ବୋଝ ବୋହି ବୋହି ଅଣନିଶ୍ୱାସୀ ହେଇପଡୁଛି ।
କେଡେ ସହଜରେ ଠପ ଠପ ଲୁହ ଗଡେଇ ସ୍ତ୍ରୀ ବଖାଣି ପାରେ ନିଜ ଭାଗର ଦୁଃଖତକ । ବର୍ଷିପାରେ ଅନିତ୍ୟ ଉପରେ । ତୁମେ ଅଯୋଗ୍ୟ , ତୁମେ ନିପାରିଲାର , ତୁମେ ସ୍ୱାର୍ଥପର , ତୁମେ ଆତ୍ମକୈନ୍ଦ୍ରିକ , ତୁମେ ହୃଦୟହୀନ ଏମିତି ଅଗଣିତ ବିଶ୍ଳେଷଣ ରେ ଭୂଷିତ କରିଦିଏ ଗୋଟେ ମୁହୂର୍ତ୍ତରେ ।
କୌଣସି କୈଫିୟତ ଦେଇ ଚୁପ କରାଯାଇ ପାରେନି ସ୍ତ୍ରୀ କୁ । ସ୍ତ୍ରୀ କିନ୍ତୁ ଚୁପ କରିବାର କଳା ଜନ୍ମରୁ ଶିଖି ଆସିଥାଏ । ଢେର ଦିନର ଯୁଗ୍ମ ଜୀବନର ଏତକ ଉପଲବ୍ଧି । ଆଜିକାଲି ପ୍ରତୀକ ନିଜ ସହ ବା ନିର୍ଜୀବ ଦର୍ପଣ ସହ କଥା ହୁଏ ମନଖୋଲା ।
ବାପା କି ବୋଉ ରୁହନ୍ତି ନାହିଁ ସାଥିରେ , କାରଣ ସେ ଅଯୋଗ୍ୟ ପୁଅଟିଏ । ସୁରକ୍ଷିତ କରିପାରେନି ସେମାନଙ୍କ ଇଚ୍ଛା ଓ ସ୍ୱାଧୀନତା । ସେମାନେ ଏବେ ବହୁତ ଦୂରରେ ଏକା ସହରରେ ରହି । ସ୍ତ୍ରୀ ଦ୍ୱାରା ପରିଚାଳିତ ଗୃହପାଳିତ ମଣିଷଟେ ଆଉ ବାଧ୍ୟ ପୁଅ ହେଇପାରେନି । ଫୋନ୍ ରେ ବୋଉ ଆଉ ଅଧିକାର ଯତେଇ କହେନି ,
'' ଆସିବୁ ଶାମ୍ବ ଦଶମୀ କୁ ତୋ ପାଇଁ ରସଗୋଲା ବଢା ହେବ ।''
ଅନନ୍ୟାର ଅଫିସ ଛୁଟି ନଥାଏ ବୋଉ ଜାଣେ । ଏକୁଟିଆ ପ୍ରତୀକ ଆସିଲେ ସାଇ ପଡ଼ିଶାଙ୍କୁ ଉତ୍ତର ଦେବାକୁ ପଡେ । ବୋହୁ ଅବାଧ୍ୟ ବୋଲି ଟୀକା ଟିପ୍ପଣୀ ଶୁଣିବାକୁ
ହୁଏ । ବୋଉର ଶାଶୁପଣିଆ କୁ ବାଧେ ।
ଅନନ୍ୟାର ମନେ ନଥାଏ ଶାମ୍ବ ଦଶମୀ , ପଣା ସଂକ୍ରାନ୍ତି , ଧନୁ ସଂକ୍ରାନ୍ତି , ବାଟ ଓଷା , ଦ୍ବିତୀୟା ଘାଣ୍ଟ । ଆଧୁନିକ ସ୍ତ୍ରୀ ଏଇ ରୁଢ଼ିବାଦୀ ପରମ୍ପରା ଭିତରେ ନିଜକୁ ବାନ୍ଧି ରଖେନା ।
ବୋଉର ଅଭିମାନ ଭରା ସ୍ୱର ଶୁଣିବାକୁ ହୁଏ , '' ଆଜି ସଂକ୍ରାନ୍ତିରେ ଟିକେ ମନ୍ଦିରରେ ଭୋଗ ଲଗେଇବୁ ।''
ପ୍ରତୀକ ଜୋର ଦେଇ କହିପାରେନି , '' ମୁଁ ଆଜି ଆସିବି ବୋଉ ତୁ ବ୍ୟସ୍ତ ହୋନା ।''କାରଣ ସେ ନିଜେ ସ୍ୱାଧୀନ ନଥାଏ । ସ୍ତ୍ରୀ ଶୁଣେଇ ପାରେ , '' ଏତେ ପୂଜାପାଠ ଲୋଡ଼ା ଥିଲା ତ ଘରୋର ଝିଅଟେ ଖୋଜିଲନି , ଗୋଟେ ସର୍ଭିସହୋଲଡ଼ର କାହିଁକି ଲୋଭ କରୁଥିଲ ?" ନିଜକୁ ଅଧିକ ସଙ୍କୁଚିତ କରେ ଏଇ ଆକ୍ଷେପ ।
ସେଇ ମୁହୂର୍ତ୍ତରେ ପ୍ରତୀକ କାହାର ହୁଏ ??...
ଘରକୁ ନଯାଇ ବୋଉର ଅଭିମାନ ଆଉ ଘରକୁ ଯିବାର ଇଚ୍ଛା ଯତେଇ ସ୍ତ୍ରୀର ଆକ୍ଷେପ ଉଭୟ ବୋହିନିଏ କେବଳ ନିଜ କାନ୍ଧରେ ।
କାହାରି ଆଗରେ ବଖାଣି ପାରେନି ନିଜ ଭାଗର ଅସହାୟତା । କହିପାରେନି ତୁମେ ଦୁହେଁ ମୋତେ ତ୍ରିଶଙ୍କୁ କରନି । ପୁଅଟେ କି ଏମିତି କୁହେ ?......
****************
ଯେବେ ଆସନ୍ତି ମମି ଆଉ ପାପା , ଅନନ୍ୟା କୁ ବେଶ ସହଜରେ ମିଳେ ଛୁଟି । ଅଫିସର ସେଇ ମୁହୂର୍ତ୍ତରେ କେମିତି ଉଦାର ହେଇପାରନ୍ତି ବୁଝାପଡି ନାହିଁ ଆଜିଯାଏଁ ?
କିନ୍ତୁ ବାପା ବୋଉ ଆସିବା ସମୟରେ ଅନନ୍ୟା ଅଫିସରୁ ଫେରୁ ଫେରୁ ଢେର ଡେରି ହେଇଯାଏ । ସେଦିନ ହୋଟେଲ ରୁ ଖାଦ୍ୟ ବରାଦ କରିବାକୁ ପଡେ ପ୍ରତୀକକୁ । ବାପା ଅଭିଯୋଗ କରନ୍ତି , ''ବାହାର ଖାଦ୍ୟ ମୋ ଦେହରେ ଯାଉନି ଆଉରେ ।''
ବୋଉ ବାହାରିପଡି ଜନ୍ତା ରୁଟି ଆଉ ପାଣି ସଂତୁଳା ତିଆରିବାରେ ଲାଗେ । କଷ୍ଟ ହୁଏ ପ୍ରତୀକକୁ । କିନ୍ତୁ ନୀରବ ରହିବା ବ୍ୟତୀତ ଅନ୍ୟ ଉପାୟ ନଥାଏ ।
ବୋଉ ଯେବେ ମନଜାଣି ଚିତୋଉ ପିଠା ତିଆରି କରେ ଅନନ୍ୟା ରୁକ୍ଷ ଭାବେ ମନା କରିଦିଏ , '' ଆପଣ ଜାଣୁ ନାହାନ୍ତି ବୋଉ ସୁଗାର ପେସେଣ୍ଟ ପାଇଁ ଚାଉଳ ଆଉ ନଡ଼ିଆ ଉଭୟ କ୍ଷତିକାରକ ।''
କିନ୍ତୁ ମମିଙ୍କ ହାତ ତିଆରି ଆରିସା ପିଠା ବାଧ୍ୟ କରି ଖୁଆଏ ଅନନ୍ୟା । ବୁଝି ପାରେନି ପ୍ରତୀକ ମିଠାପଣ କେଉଁଥିରେ ଅଧିକ ?.....
*****************
ସାନ ଭଉଣୀ ନିତୁ ଆଉ ଅଭିଜିତ ଯେବେ ଘରକୁ ଆସନ୍ତି ବୋଉର ଖୁସି ଢେର ବଢିଯାଏ । ଜୋଇଁଙ୍କୁ ନେଇ ହଜାରେ ବରାଦ କରିପକାଏ । ଘରେ ଗୋଟେ ଉତ୍ସବ ଲାଗିଯାଏ । ମାସେ ରହିଲା ପରେ ମଧ୍ୟ ନିତୁ ଶାଶୁଘର ବାହାରିଲେ ବୋଉ ସକେଇ ସକେଇ କାନ୍ଦେ ।
କିନ୍ତୁ ପ୍ରତୀକ ଯେବେ ଯିବାର ହୁଏ ସେଇ ନିତୁ ଆଉ ବୋଉ ଏତକ ପସନ୍ଦ କରନ୍ତି ନାହିଁ । ଜଲ୍ଦି ଫେରିବାକୁ ଫୋନ୍ କରାଯାଏ ।ଏମିତି ବି ହୁଏ ସପ୍ତାହେ ଜାଗାରେ ଦୁଇଦିନ ଭିତରେ ଫେରିବାକୁ ହୁଏ ।
ଅବଶ୍ୟ ଆଜିକାଲି ଏମିତି ଘଟୁନି । ସେ ଯେମିତି ବୋଉ ଠୁ ଦୂରରେ ସେମିତି ମମିଙ୍କ ଠୁ ମଧ୍ୟ । ଅନନ୍ୟା ଆଉ ଖୋଜେନି ତାକୁ ନିଜ ଘରକୁ ଯିବା ସମୟରେ । ବେଶ କହିଦିଏ , '' ତୁମ ବୋଉ ଖରାପ ଭାବିବେ , ବେଟର୍ ହେବ ମୁଁ ଏକା ବୁଲିଆସିବି ।''
ପ୍ରତୀକ କହିପାରେନି , '' ବୋଉ ଆଉ ଆଜିକାଲି କିଛି କହୁଛି କେତେବେଳେ ?''
ବୋଉ କିନ୍ତୁ ଯେବେ ଜାଣେ ବୋହୁ ଏକା ଚାଲିଯାଇଛି ସେ ଅଧିକ ଦୁଃଖପାଏ । ବୁଝି ପାରେନି ପ୍ରତୀକ ସେଇ ମୁହୂର୍ତ୍ତରେ ବୋଉକୁ କ'ଣ ଦୁଃଖ ଦିଏ ପୁଅର ଉପସ୍ଥିତି ନା' ବୋହୂର ଅନୁପସ୍ଥିତି ?.......
**********************
ବେଡ଼୍ ଟି ଧରି ପ୍ରତୀକ କେବେ ଅନନ୍ୟା କୁ ନିଦରୁ ଉଠେଇଦେଲେ ସେଇଦିନ ସ୍ପେଶାଲ୍ ହେଇଯାଏ । ଆଉ ହସି ହସି କୁହେ ଅନନ୍ୟା, ତୁମେ ଘରେ ରୁହ , ରେଷ୍ଟ କର ଆଉ ହାଉସ୍ ହଜବ୍ୟାଣ୍ଡ ହେଇଯାଅ ।
କିନ୍ତୁ ରିସେସନ୍ ସମୟରେ ଯେବେ ସତରେ ପ୍ରତୀକ ଘରେ ରହିଯାଇଥିଲା କେତେ ବଦଳି ଯାଇଥିଲା ଅନନ୍ୟା । ସେ ସବୁବେଳେ ଉପଲବ୍ଧ ଥିଲା କିନ୍ତୁ ଅନନ୍ୟା ଦୁରେଇ ଯାଇଥିଲା ଢେର । ତୁମେ ମୋତେ ସମୟ ଦେଉନ ଅଭିଯୋଗ କରୁଥିବା ସ୍ତ୍ରୀ ସୁଖୀ ହେଇନଥିଲା କାହିଁକି ?.......
********************
ଢେର କଷ୍ଟ ବୁଝିବା ସହବାସରେ ଥିବା ମଣିଷ କୁ । କିନ୍ତୁ ତଥାପି ଅଭିଯୋଗ କରିବାର ଅବକାଶ ନଥାଏ । ସ୍ତ୍ରୀ ଟେ ପୁରୁଷକୁ ଦୋଷାରୋପ କରି ଉତାରି ଦିଏ ନିଜ ଭିତରର ଯନ୍ତ୍ରଣା ତକ । କିନ୍ତୁ ପୁରୁଷ ଟେ କାହାକୁ କହିବ ?
ସେ ଶିତିକଣ୍ଠ ଭଳି ବିଷ ତକ ଉଦରସ୍ଥ କରିବାର ଭାଗ୍ୟ ନେଇ ଆସିଛି ଯେ !...
ପ୍ରତୀକ ନିଜକୁ ଦର୍ପଣ ଦେଖିଲା ଟିକେ ଅଧିକ ନିରିଖେଇ , ଆଉ ଖୋଜିଲା ତା' ଭିତରର ସେଇ ଆଟଲାସ୍ କୁ । ଶ' ଅଛି କୁଣ୍ଡଳୀ ମାରିକି ଭିତରେ କିନ୍ତୁ ଦିଶୁନି କାହାରିକୁ । ନା' ନିଜ ଲୋକକଙ୍କୁ ନା' ପର ଲୋକଙ୍କୁ । କ୍ରୋଧ ଆସିଲା ନିଜ ଉପରେ ।
ପୁଣି ଗଭୀର ଚିନ୍ତାକଲା କେମିତି ଦେଖେଇବ ସେ ନିଜର ଛାତିର ଜଖମ , ମନର ମାଇଗ୍ରେନ୍ , ଦେହର ଫ୍ରାକ୍ଚର । ପ୍ରତିପାଦିତ କରିବ ନିଜର ଅସହାୟତା !....
କିନ୍ତୁ ପର ମୁହୂର୍ତ୍ତରେ ନିଜକୁ ବୁଝେଇନେଲା
ଧେତ୍ ଆଟଲାସ୍ କ'ଣ ଥକି ପାରେ ତା'
ଅହଂ କୁ ବାଧିବ ନାହିଁ ......
ନିଜକୁ ଅବଶ୍ୟ ପ୍ରବୋଧନା ଦେଇ ହେବ
'' ସବୁ ପୁଅ ତ ଏମିତି ନା ''
କିଏ ଆଉ ଓଲ୍ହେଇ ପାରୁଛି ନିଜ କାନ୍ଧରୁ ପୃଥିବୀ !..........