Lipi Sahoo

Comedy

4.0  

Lipi Sahoo

Comedy

ବ୍ଲଡ଼ ସୁଗର

ବ୍ଲଡ଼ ସୁଗର

6 mins
136


ଫିରିଙ୍ଗି ବାବୁ ସକାଳୁ ଟହଲି ଦୋକାନ ଆଗ ଦେଇ ଗଲା ବେଳକୁ ଟହଲି ଡାକ ପକେଇଲା , ବାବୁ ଆସୁ ନାହାନ୍ତି ଚା ପିଇ ଦେଇ ଯିବେ । ଫିରିଙ୍ଗି ବାବୁ କହିଲେ , ନାଇଁ ନାଇଁ ଅଫିସ ଟାଇମ୍ ହେଇ ଯାଉଛି ଘରକୁ ଯାଇ ଶିଘ୍ର ବାହାରିବାକୁ ହେବ । ସଂଧ୍ୟା ବେଳେ ଆସିବି । ବଡ଼ ବଡ଼ ପାହୁଲ ପକେଇ ଘର ମୁହାଁ ହେଲେ । 


                ଫିରିଙ୍ଗି ବାବୁ ରେଭିନ୍ୟୁ ଅଫିସ ରେ କିରାଣୀ ଚାକିରି କରନ୍ତି। ଗୋରା ତକ୍ ତକ୍ ଚେହେରା କୁ ମୋଟା ବାଙ୍ଗରା ମଣିଷ । ପ୍ରକୃତରେ ତାଙ୍କ ନାଁ ଗଙ୍ଗାଧର ମହାନ୍ତି । ହେଲେ ସେ ଏତେ ଗୋରା ଯେ ଛୋଟବେଳୁ ସମସ୍ତେ ତାଙ୍କୁ ଫିରିଙ୍ଗି ବୋଲି ଡାକନ୍ତି। ସେଇ ନାଁ ଟା ରହିଯାଇଛି । ବୟସ ପଚାଶ ହେବ । ପନ୍ଦର ବର୍ଷ ହେବ ଏଇ ଅଫିସ ରେ ରହିଲେଣି । ଆଗରୁ କେଉଁ ଆଦିବାସୀ ଅଞ୍ଚଳରେ ଥିଲେ । ବିନା ଟଙ୍କା ପଇସା ରେ କାରବାର କରିବା ଲୋକ । ଯଦି ଓ ଆଜି କାଲିକା ସରକାରୀ ଚାକିରୀ ରେ ଏହା ବିରଳ । ଦରମା ଟଙ୍କ ମୁଠାକ ରେ ଟାଣି ଓଟାରି ସଂସାର ଚଳେଇବା ଏକ କଷ୍ଟକର ବ୍ୟାପାର । ହେଲେ ଫିରିଙ୍ଗି ବାବୁ କେବେ ପାଦ ଖସେଇ ନାହାନ୍ତି କି ପକେଟ୍ ଗରମ କରି ନାହାନ୍ତି । ସଚ୍ଚୋଟ ଲୋକ ବୋଲି କହି ପାରିବା । ତାଙ୍କ ଘରଣୀ ଦୁଲି ବିଲୁକୁଲ ଓଲଟା ସାବନା ରଙ୍ଗର ପତଳା ନହନହକା ଦେହ । ଅଭାବ ଭିତରେ ଘର ଚଳେଇ ଚଳେଇ ଚିଡିଚିଡା ରୋଗ ଟା ଧରିବା ନିହାତି ସ୍ୱଭାବିକ। ବଡ଼ପୁଅ ପଢା ସାରି ଘରେ ବେକାର ବସିଛି । ଚାକିରୀ ଖଣ୍ଡେ ଯୋଗାଡ ହେଇ ପାରିନି । ଝିଅର କଲେଜ ପଢା ସରିବ । ବାହାଘର ଠିକ୍ ହେଇ ପାରିନି । ଏଇ ପରି ଅନେକ ସମସ୍ୟା ଭିତରେ ରୁନ୍ଧି ହେଇ ଯାଆନ୍ତି ଦୁଲି । 


                    ଆଷାଢ଼ ମାସରେ ଘନ କଳାବାଦଲ ଘନେଇ ଆସିଲେ ମୟୁର ନାଚିଲା ପରି ଦୁଲି ସଦାବେଳେ ସମସ୍ୟା ଘେରରେ ରହି କେବେ କେବେ ଦୁଲ ଦୁଲ ନାଚି ପକାନ୍ତି । ସେଇଟା ପରିବାର ସମସ୍ତଙ୍କ ଦେହସୁହା ହେଇଗଲାଣି । ଫିରିଙ୍ଗି ବାବୁ ଙ୍କ ଗୋଟେ ବଡ ସମସ୍ୟା ହେଲା ଟହଲି । ଏହା ଶୁଣି ପାଠକେ ନିଶ୍ଚୟ ଭ୍ରୃକୁଞ୍ଜନ କରିବେ । ବଖାଣୁଚି ଆଜ୍ଞା ଆଗକୁ ଧର୍ଯ୍ୟ ଧରନ୍ତୁ ।


                ଫିରିଙ୍ଗି ବାବୁଙ୍କ ଘର ଆଗ ଛକରେ ଟହଲି ର ଜଳଖିଆ ଦୋକାନ । ଏଇଟା ତା ବାପ ଅମଳର ଦୋକାନ ବେଶ୍ ପୁରୁଣା । ତା'ର ଗରମ ଗରମ ବରା ଆଉ ଜିଲାପି ସେ ଖଣ୍ଡ ମଣ୍ଡଳ ରେ ପ୍ରସିଦ୍ଧ । ନିତି ସକାଳେ ସଞ୍ଜେ ସେଠି ଭିଡ଼ ଜମେ । ଘଣ୍ଟାକ ଭିତରେ ସବୁ ସଫା ହେଇଯାଏ । ଲୋକ ତ ଖାଲି ବୋହି ନେଇ ଯାଆନ୍ତି । ସେଇ ସମୟରେ ଟହଲି କୁ ନିଃଶ୍ୱାସ ନେବାକୁ ବି ବେଳ ନଥାଏ । ଝାଳ ସଡ ସଡ ଗଞ୍ଜି ଟା ଦେହରେ ଅଠା ଭଳିଆ ଲାଖି ଯାଇଥାଏ । ଚୁଲି ମୁଣ୍ଡ ରେ ବସି ବାରଂବାର ଲୁଙ୍ଗି କୁ ଭିଡୁଥାଏ । ପତଳା ଅଣ୍ଟାରେ କୋଉ ଜୋଖି ହେଇ ରହେ । ଛଣା ଛଣି କାମ ସବୁ ସେ ନିଜେ କରେ । ତା ପୁଅ ଗରାଖଙ୍କୁ ଦେବା ଆଉ ପଇସା ରଖିବା କାମ କରେ । ୟେ ତ ଗଲା ଟହଲି ର ସଂକ୍ଷିପ୍ତ ଆତ୍ମକଥା ।


               ଫିରିଙ୍ଗି ବାବୁ ଭାରି ସ୍ବାଭିମାନି ଲୋକ ।ନିଜ ଅଭାବ ଅସୁବିଧା କାହା ଆଗରେ ବଖାଣନ୍ତି ନାହିଁ । ତାଙ୍କୁ ଅତି ନିକଟ ରୁ ଜାଣି ନଥିବା ଲୋକ ଭାବନ୍ତି ସରକାରୀ ଚାକିରୀ ଉପରି ଜୋର୍ ଥିବ । ତାଙ୍କର ପୁଣି ଅଭାବ କ'ଣ ? ଆଉ ଯେଉଁ ମାନେ ଅତି ପରିଚିତ ସେମାନେ ଜାଣନ୍ତି ଫିରିଙ୍ଗି ବାବୁ ଅତି ଦିଲଦାରିଆ ଲୋକ । ପର ପାଇଁ ପାଞ୍ଚ ଦଶ ଖର୍ଚ୍ଚ କରିବାରେ କେବେ ପଛାନ୍ତିନି । ଆଜିକାଲି ଲୋକ ତ ମାଗଣା ପାଇଲେ ଆଗପଛ କିଛି ଦେଖନ୍ତିନି । ଏଇ ଟହଲି ଫିରିଙ୍ଗି ବାବୁ ଙ୍କୁ ଦେବାଳିଆ କରି ସାରିଲାଣି । ଏଇ ଟହଲି ପାଇଁ ତାଙ୍କ ଘରେ କମ୍ ଝଗଡ଼ା !


                କ'ଣ ବୁଝିପାରୁ ନାହାନ୍ତି ଯେ ?ସଞ୍ଜ ନଇଁଲେ କେତେବେଳେ ସହକର୍ମୀ ତ କେତେବେଳେ ସାଙ୍ଗସାଥୀ ନା ନା ବାହାନା କରି ଆସି ପହଞ୍ଚି ଯାଆନ୍ତି ଫିରିଙ୍ଗି ବାବୁ ଙ୍କ ଘରେ । ସେଇ ଟହଲି ଦୋକାନ ର ଗରମ ଗରମ ବରା ଆଉ ଜିଲାପି ଖାଇବା ପାଇଁ । ସିଧା ସିଧା ତ ଖାଇବା ପାଇଁ ତାଙ୍କ ପାଖକୁ ଆସି ହେବନି ଲାଜ ସରମ ବୋଲି କିଛି ଜିନିଷ ଅଛି ନା ନାହିଁ ?କେତେବେଳେ ଅଫିସ କାମ ବାହାନା ତ କେତେବେଳେ ଟିକେ ଦୁଃଖସୁଖ ହେବା ବାହାନା ରେ । ହେଲେ ଫିରିଙ୍ଗି ବାବୁ କୋଉ ଅଜଣା ଚାଉଳ ଖାଉଛନ୍ତି ଯେ ସେମାନଙ୍କ ମନ କଥା ବୁଝି ପାରିବେନି ?

                

          ହଉ , ଚାଲ ଟହଲି ଦୋକାନ ରେ ବସି କଥା ହେବା କହି ଡାକି ନିଅନ୍ତି । ସେ ଭଲ ଭାବରେ ଜାଣନ୍ତି ଘରେ ବସିଲେ ରୋଷେଇ ଘରେ ବେଲା ତାଟିଆ ଉଡିବେ । ଆମର ଢଗ ନାହିଁ ବୋହୂ ସାଆନ୍ତାଣୀ କାହାକୁ କହିବେ , ମାରୁଥାନ୍ତି ଚୂଲି ମୁଣ୍ଡ କୁ । ସେଇ ଭଳିଆ କଥା । ସତ କଥା ବି ଅଭାବି ସଂସାରେ ଏଇ ଉପରି ଖର୍ଚ୍ଚ କୁ କିଏ କେମିତି ସମ୍ଭାଳିବି ଯେ ? ଘର ଖର୍ଚ୍ଚ ଦାୟିତ୍ଵ ଦୁଲି ଙ୍କର ସେଥିରେ ଫିରିଙ୍ଗି ବାବୁ କେବେ ମୁଣ୍ଡ ପୁରାନ୍ତିନି । କେମିତି ଘର ଚଳେ ସେ ଜାଣନ୍ତିନି । ଖାଲି ମାସ ଆରମ୍ଭ ରେ ଟଙ୍କା ତକ ଦୁଲିଙ୍କୁ ଧରେଇ ଦିଅନ୍ତି ବାସ୍ । 

          

           ସବୁବେଳେ ମାସ ଶେଷ କୁ ଟହଲି ଦୋକାନ ରେ ଚାରିଶ ପାଆଁଶ ଟଙ୍କା ବାକି ହେଇ ଯାଇଥାଏ । ସେ କଥା ଫିରିଙ୍ଗି ବାବୁ ଦୁଲିଙ୍କୁ ଜଣାନ୍ତିନି । ହେଲେ ସେ କ'ଣ ୟେତେ ମୂର୍ଖ ଯେ କିଛି ଜାଣି ପାରିବେନି । ସେ ନିଜେ ପା ଫିରିଙ୍ଗି ବାବୁଙ୍କୁ ହାତ ଖର୍ଚ୍ଚ ଦିଅନ୍ତି । ହିସାବ କରିବାରେ ସେ ଭାରି ପକ୍କା । ଆପଣା ସୁନା ତ ଭେଣ୍ଡି ଦୁଃଖ କହିବେ କାହାକୁ ? ହେଲେ ଟହଲି ଫିରିଙ୍ଗି ବାବୁ ଙ୍କ ଦୁଃଖ ବୁଝେ । କେବେବି ବାକି ଟଙ୍କା ମୁହଁ ଖୋଲି ମାଗେନି । ସେ ଯେବେ ଦିଅନ୍ତି ଚୁପଚାପ ରଖିନିଏ । ଟଙ୍କା ପାଇଁ ଅଡି ବସେନି । ଫିରିଙ୍ଗି ବାବୁ ଙ୍କୁ ଠିକ୍ ସେ ଚିହ୍ନି ଥିଲା । ତା ପଇସା କେବେ ବି ଠକବେନି ସେ ଦୃଢ ବିଶ୍ବାସ ତା'ର ଥିଲା ।


                   ସବୁ ଦିନ ସମାନ ଯାଏନି । ଏତ ଦୁନିଆର ରୀତି । ହଠାତ୍ ଫିରିଙ୍ଗି ବାବୁ ଙ୍କ ଦେହ ଖରାପ ହେଲା । ସେ ଡାକ୍ତର ପାଖକୁ ଗଲେ । ଡାକ୍ତର କହିଲେ ଆପଣ ଟିକେ ଆପଣଙ୍କ ବ୍ଲଡ ସୁଗର ଟା ଚେକ୍ କରନ୍ତୁ । ରିପୋର୍ଟ ଆସିଲା ଫାଷ୍ଟିଙ୍ଗ ୨୭୦ । ସାଙ୍ଗେ ସାଙ୍ଗେ ଡାକ୍ତର ଚାବି ମୋଡ଼ି ଦେଲେ ଫିରିଙ୍ଗି ବାବୁ ଙ୍କ। ମିଠା ପାଖ ମାଡିବେନି ଆଉ ତେଲ ମସଲା ଏକଦମ୍ ବନ୍ଦ । ଦେହ ପା କଥା ଡାକ୍ତର ଙ୍କ କଥା ତ ମାନି ବାକୁ ପଡ଼ିବ । ଦୁଲି ତ ପୂରା କଟାସ ଭଳିଆ ଫିରିଙ୍ଗି ବାବୁଙ୍କୁ ଜଗି କି ରହିଲେ । ବାହାର ଖାଇବା ବିଲକୁଲ ବନ୍ଦ କରିଦେଲେ । ସନ୍ଧ୍ୟା ରେ କେହିବି ଘରକୁ ଆସିଲେ ଦୁଲି ଆସି ମନା କରି ଦିଅନ୍ତି ସେ ଘରେ ନାହାନ୍ତି। ବାହାରକୁ ଯାଇଛନ୍ତି । ଏଇ ମିଛ ଆଉ କେତେ ଦିନ ଚାଲନ୍ତା ? ଦିନେ ଧରା ପଡ଼ିଗଲା ଦୁଲି ସମସ୍ତ ଙ୍କୁ ମିଛ କହୁଛନ୍ତି ବୋଲି । ତଥାପି ଫିରିଙ୍ଗି ବାବୁ ନିଜ ଦେହ ଖରାପ କଥା କାହାକୁ ଜଣେଇଲେନି । 

                   ଦୁଲିଙ୍କ ଉଗ୍ରରୂପ କୁ ସମ୍ଭାଳେ କିଏ ? ଫିରିଙ୍ଗି ବାବୁ ହାଚଗୋଡ ଯୋଡ଼ି ରାଣ ନିୟମ ଖାଇଲେ ସେ ବାହାର ଜିନିଷ ଯମା ଛୁଇଁବେନି । ସେ ଟହଲି ଦୋକାନ କୁ ଗଲେ ବି ସେଠି ସେ କିଛି ଖାଇବେନି । ସାଙ୍ଗସାଥୀ ମାନଙ୍କୁ ଆସିବାକୁ ମନା କରନା । ହେଲେ ଦୁଲିଙ୍କ ମନ ବୁଝିଲାନି । କିଛି ଦିନ ପୁଅକୁ ପଠେଇଲେ ବାପା ସେଠି ଖାଉଛନ୍ତି ନା ନାହିଁ ଦେଖିବା ପାଇଁ । ଆଗ ଭଳି ସେମିତି ସନ୍ଧ୍ୟା ଆସର ଚାଲିଲା । ଫିରିଙ୍ଗି ବାବୁ ଯାଆନ୍ତି ସିନା ଦୋକାନ ରେ କିଛି ଖାଆନ୍ତି ନାହିଁ। ସମସ୍ତେ ଜୋର୍ କରନ୍ତି ଖାଉନ ଟିକେ । ହେଲେ ଫିରିଙ୍ଗି ବାବୁ ନା ନା ବାହାନା କରି ଟାଳି ଦିଅନ୍ତି । ଗରମ ଗରମ ବରା ଜିଲାପି ଦେଖି ତାଙ୍କ ଇଚ୍ଛା ହୁଏନି ତା ନୁହଁ । ହେଲେ ରାଣ ନିୟମ କଥା ମନେ ପକେଇ ଲୋଭକୁ ସମ୍ବରଣ କରନ୍ତି । ଟହଲି ବି ଦିନେ ଦିନେ ଜିଗର ଧରେ ବାବୁ ଟିକେ ଖାଆନ୍ତୁ । ଟହଲି କୁ ସଫା ସଫା କହିଦେଲେ ତୁ ଯଦି ଏମିତି ଜିଦ୍ ଧରିବୁ ତୋ ଦୋକାନ କୁ ଆଉ ଆସିବିନି । ସେ ଆଉ ବଳାଏନି ଖାଇବା ପାଇଁ ।


            ଏବେ ଆଉ ଗୋଟେ ନୂଆ ଖର୍ଚ୍ଚ ଯୋଡି ଗଲା । ପ୍ରତି ମାସ ଔଷଧ ଆସେ ଫିରିଙ୍ଗି ବାବୁଙ୍କ ର । ଦୁଲି ଆଉ ଯେତେ ଟାଣିଟୁଣି ଚେଷ୍ଟା କଲେ ବି ସେ ଖର୍ଚ୍ଚ ଉଠେଇବା କଷ୍ଟକର ବ୍ୟାପାର ହୋଇ ଉଠିଲା । ତାଙ୍କ ପାଖରେ ଆଉ ଅନ୍ୟ ଉପାୟ ନଥିଲା । ଯେମିତି ହେଉ ଫିରିଙ୍ଗି ବାବୁ ଙ୍କ ଟହଲି ଦୋକାନ ଖର୍ଚ୍ଚ ବନ୍ଦ କରିବାକୁ ପଡ଼ିବ । ନ ହେଲେ ଘର ଖର୍ଚ୍ଚ ସମ୍ଭାଳି ହେବ ନାହିଁ । କ'ଣ କରିବେ କ'ଣ କରିବେ ? ଭାବିବାକୁ ଲାଗିଲେ । ପୁଅ ସହ କଥା ହେଲେ । ପୁଅ ତ ରାଗିକି କହିଲା ଟହଲି ଦୋକାନ ରେ ଯାଉଛି ନିଆଁ ଲଗେଇ ଦେବି । ନା ଥିବ ବାଉଁଶ ନା ବାଜିବ ବଇଁଶୀ । ଆଜି କାଲିକା ପିଲା ନା ରକ୍ତ ଗରମ ପୁରା । ଦୁଲି ବୁଝେଇଲେ ସେ ଗରିବ ଲୋକ । ତା ଦୋକାନ ପୋଡ଼ି ପାପ ମୁଣ୍ଡେଇବୁ କାହିଁକି ? ଆମେ ଆମର ବ୍ୟବସ୍ଥା କରିବା । ପୁଅ ଟିକେ ଭାବି କହିଲା ଚାଲ ଘର ବଦଳେଇ ଦେବା । ଏଇଠୁ ଦୂରରେ ଘର ନେଲେ ଆଉ କିଛି ଝିଞଟ ରହିବ ନାହିଁ । ଦୁଲିଙ୍କ ମନକୁ କଥାଟା ପାଇଲା । ପୁଅକୁ ଘର ଦେଖିବା ପାଇଁ କହିଦେଲେ ।


                ଦିନେ ଅଫିସ ରୁ ଫିରିଙ୍ଗି ବାବୁ ଫେରୁ ଫେରୁ ଦୁଲି ଶୁଣେଇ ଦେଲେ , ହେଇଟି ଶୁଣୁଛ !! ଆମେ ଏ ଘର ବଦଳେଇ ଦେବା । ପୁଅ ଗୋଟେ ଭଲ ଘର ଦେଖିଛି ବଡ଼ ଘର ଆଉ ଭଡ଼ା କମ୍ । ବଜାର ଠାରୁ ଟିକେ ଦୂର ସିନା ଝିଅର କଲେଜ ପାଖ ଆଉ ତୁମ ଅଫିସ ବି ପାଖ ହବ । ଅଯଥା ଏଠି ବେଶୀ ଭଡ଼ା ଦେଉଛେ । ଫିରିଙ୍ଗି ବାବୁ ହସି ହସି କହିଲେ ମୁଁ ବି ତୁମକୁ ଗୋଟେ ଭଲ ଖବର ଶୁଣେଇବି । ଅଫିସ ପାଖରେ ନୂଆ କ୍ୱାର୍ଟର ଯୋଉ ବନା ଯାଉଥିଲା । ସେ ସବୁ ତିଆରି ସରି ଯାଇଛି । ଆମେ ଏଇ ମାସ ଶେଷରେ ସେଠିକି ସିଫ୍ଟ ହେଇଯିବା । ତମର ଭଡ଼ା ଖର୍ଚ୍ଚ ବି ବଞ୍ଚିଗଲା । ଆଉ ଟହଲି ଠାରୁ ବି ତୁମକୁ ଛୁଟକାରା ମିଳିଗଲା । କ'ଣ ମୁଁ ଠିକ୍ କହିଲି ନା ?


                 ଦୁଲି ଟିକେ ଲାଜେଇ କହିଲେ ଏଇ କଥା ରେ ଟହଲି କୋଉଠୁ ଆସିଲା ? ଫିରିଙ୍ଗି ବାବୁ କହିଲେ , ମୁଁ ସବୁ ଜାଣେ । ତମେ କାହିଁକି ଘର ବଦଳେଇବା କଥା କହୁଚ । ୟେ ଘର ଚଳେଇବା ଦାୟିତ୍ଵ ତମର କେବଳ ନୁହଁ ମୋର ବି । ଯେମିତି ସମସ୍ତ ଙ୍କୁ ଚର୍ଚ୍ଚା କରି କରି ରୋଗ ଟିଏ କିଣିଲି ତାକୁ ଭଲ ବି ମୁଁ କରିବି । ୟେ ପିଲାମାନେ ମୋର ଆଉ ତମେ ବି । ଏତିକି କହି ଦୁଲି ଙ୍କୁ ପାଖକୁ ଟାଣି ଆଣିଲେ । ହେଲେ ମୋ ଭଳି ଗରାଖ କୁ ହରେଇ ଟହଲି ଟା କେମିତି ଚଳିବ ମୁଁ ସେଇ କଥା ଭାବୁଛି । ଦୁହେଁ ମିଶିକି ହସି ଉଠିଲେ ।



Rate this content
Log in

Similar oriya story from Comedy