ଭୋଳା ଶଙ୍କର
ଭୋଳା ଶଙ୍କର
ଭୋଳାକୁ ଛାଇ ନିଦ ହୋଇଥିବ, ହଠାତ ଠକ ଠକ ଶବ୍ଦରେ ତା ନିଦ ଭାଙ୍ଗିଗଲା । ଶବ୍ଦକୁ କାନେଇ ବୁଝିଲା ଏହା ତା ବାରି ଅଗଣାରୁ ଆସୁଛି । ଧୀରେ ଧୀରେ ଯାଇ କବାଟ ଫାଙ୍କର ଯାହା ଦେଖିଲା ତା ଗୋଡ଼ ହାତ ଥରିବାକୁ ଲାଗିଲା । କିଛି ମୁଖା ପିନ୍ଧା ଲୋକ ତା ଗ୍ରିଲ କବାଟଟିକୁ ତାଡୁଛନ୍ତି । ସଙ୍ଗେ ସଙ୍ଗେ ଯାଇ ଡାକ ଛାଡିଲା ଆଗୋ ସରମା ଉଠ ଉଠ ଘରେ ଚୋର ପଶିଲେଣି କଣ କରିବା । ପୁଅକୁ ବି ଡାକ ଛାଡିଲା । ସେମାନଙ୍କୁ ତ ନିଦ ଘାରିଛି କଣ କରିବ ସେ ପାଣି ଲୋଟାଏ ଆଣି ଢାଳିଦେଲା । ଧଡ଼ପଡ଼ ହୋଇ ଉଠି ବସିଲେ ମା ପୁଅ । ସବୁକଥା କହିଲା, ଆମର ତ ସାହି ପଡିଶା କେହି ନାହଁ ଏକଣା ଘର କାହାକୁ ସାହାଯ୍ୟ ମାଗିବା । ସରମା କହିଲା ତମେ ହିଁ କିଛି ଭାବ ।
ଭୋଳା କିଛି ଭାବି କହିଲା -ମୋତେ ହିଁ ସାହସ ବାନ୍ଧି ବାହାରକୁ ଯିବାକୁ ପଡିବ । ମୁଁ ଲାଠି ଆଉ ଗୋଟିଏ ଅଖା ନେଇ ଯାଉଛି ତାଙ୍କୁ ଯଦି କାବୁ କରିନିଏ ତୁମକୁ ଖାସି କି ଇସାରା ଦେବି । ତୁମେ ବାହାରକୁ ଆସିବ ମିଶିକି ପାନେ ଦେବା ସେମାନଙ୍କୁ । କବାଟକୁ ବଡ଼ ସନ୍ତପଣ ସହ ଖୋଲେ ଭୋଳା । କଣ ହେବ କବାଟ କେଁ ଶବ୍ଦ ଛାଡିଲା । ଚୋର ମାନେ ସତର୍କ ହୋଇଗଲେ ଏବଂ ଛପି ଗଲେ । ବାହାରକୁ ଆସି ତନ୍ନ ତନ୍ନ କରି ଚାରିଆଡେ ଖୋଜେ ସେ କିନ୍ତୁ କାହାକୁ ପାଏ ନାହିଁ । ଅନ୍ୟ ମନସ୍କରେ ଅଖାଟିକୁ ଝାଡ଼ି ଦିଏ, ଗୁଣ୍ଡ ନାକ ପାଟିରେ ପଶି ଜୋର ସେ ଖାସିବାକୁ ଲାଗେ । ଭୁଲିଯାଏ ସ୍ତ୍ରୀ କହିଥିବା କଥା ।
ଦୁର୍ଭାଗ୍ୟକୁ କରେଣ୍ଟ ବି ଚାଲିଯାଏ । ଇତି ମଧ୍ୟରେ ସାରମା ଓ ପୁଅ ବାହାରକୁ ଆସନ୍ତି ଠେଙ୍ଗା ଧରି । ଅନ୍ଧାରରେ ଭୋଳାକୁ ଚୋର ଭାବି ବହେ ନାଦି ଦିଅନ୍ତି । ଚିତ୍କାର କରେ ଭୋଳା ସବୁକଥା ସମସ୍ତେ ବୁଝିଲା ବେଳକୁ ଚୋର ମାନେ ଏମାନେ ବାହାରେ ଥିବାର ସୁବର୍ଣ୍ଣ ସୁଯୋଗର ସଦୁପଯୋଗ କରିଦିଏ ।
ଭୋଳା ସତରେ ଭୋଳା, ସେ ତ ଯାହାବି ହେଲେ ମଣିଷ । ମହାଦେବ ଭୋଳ ହୋଇ ଠିକ ଏହିପରି ଭୁଲ କରିବସିଥିଲେ । ଥରେ ମାତା ପାର୍ବତୀ ପ୍ରଭୁଙ୍କୁ ପ୍ରାର୍ଥନା କଲେ -ନାଥ ମୁଁ ଆଜି ଲକ୍ଷ୍ମୀ ଆଉ ସାବିତ୍ରୀଙ୍କ ଘରକୁ ବୁଲିବାକୁ ଯାଇଥିଲି । କି ସୁନ୍ଦର ବୈଭବରେ ପୂର୍ଣ୍ଣ ଭବନ ଆଖି ଲାଖି ଯାଉଛି । ଆମର ଘର ନଥିବାରୁ ମୋତେ ଇଙ୍ଗିତ କରି କେତେ କଣ କହୁଛନ୍ତି । ତେଣୁ ମୁଁ ଅନୁରୋଧ କରୁଛି ଆପଣ ମୋ ପାଇଁ ବି ଭବନ ଗଢି ଦିଅନ୍ତୁ । ଶିବ କହିଲେ - ପ୍ରିୟେ ମୋର ତ ଘର ଦରକାର ନାହିଁ ତମେ ଯଦି କହୁଛ ତୁମ ପାଇଁ ବିଶ୍ୱକର୍ମାଙ୍କୁ କାହି ତୋଳାଇ ଦେବି ।
ବିଶ୍ୱକର୍ମା ପ୍ରଭୁଙ୍କ ଆଦେଶରେ ଏକ ସୁରମ୍ୟ ମହଲ ଗଢ଼ିଦେଲେ । ମା ପାର୍ବତୀ ବହୁତ ଆନନ୍ଦିତ ହେଲେ । ଏପେଟେ ବ୍ରହ୍ମା ଆସି ଶିବଙ୍କୁ କହିଲେ ମହାଦେବ ତୁମ ପରେ ତ ଶନିଙ୍କ ଦୃଷ୍ଟି ପଡ଼ିବାର ଯୋଗ ଅଛି ଯାହା ପ୍ରଭାବରେ ଏତେ ସୁନ୍ଦର ପ୍ରାସାଦ କ୍ଷଣକେ ଧ୍ବଂସ ହେଇଯିବ । ଚିନ୍ତିତ ହୋଇଗଲେ ମହାଦେବ ଚାଲିଲେ ପାର୍ବତୀଙ୍କ ପାଖକୁ ବିଚାର ବିମର୍ଶ ଲାଗି । ଶେଷରେ ଶଙ୍କର କହିଲେ ଦେବୀ ଶକ୍ତି ସ୍ୱରୂପିଣୀ ମା ପାର୍ବତୀଙ୍କ ଘର ଶନି ଭାଙ୍ଗି ଦେଲା ଶୁଣିଲେ ତୁମର ଆଉ ମୋର ବହୁ ଅପଯଶ ହେବ । ତେଣୁ ମୁଁ ଶନି ନିକଟକୁ ଯିବି ଆଉ ତାଙ୍କୁ କହିବି ଆମର ଗୃହ ଉପରେ ଦୃଷ୍ଟି ନ ପକାଇବା ପାଇଁ । ସେ ଯଦି ରାଜି ହୋଇଗଲେ ମଙ୍ଗଳ, ନହେଲେ ମୁଁ ଡମ୍ବରୁ ନାଦ କରିବି ତାହା ଶୁଣି ତୁମେ ଜାଣିଯିବ ସେ ମାନିଲା ନାହିଁ । ଏ ଗୃହକୁ ତୁମେ ନିଜେ ନଷ୍ଟ କେରିଦେବ ,ଏହାଦ୍ୱାରା ଆମେ ଅପଯଶରୁ ବର୍ତ୍ତିଯିବା ।
ତତ୍ପରେ ଶିବ ଶଙ୍କର ଚାଲିଲେ ଶନିଙ୍କ ନିକଟକୁ । ପ୍ରଭୁଙ୍କୁ ଦେଖି ସେ ବହୁତ ଖୁସି ହେଲା ଏବଂ ତାଙ୍କ ପଦ ଧୱତ୍ତ କରି ବନ୍ଦନା କଲା । ଶିବ ଶନିଙ୍କୁ ନିର୍ଦ୍ଦେଶ ଦେଲେ କେବେବି ତାଙ୍କ ଗୃହ ଦୃଷ୍ଟି ନିକ୍ଷେପ ନ କରିବା ପାଇଁ । ସେଥିରେ ହଁ ଭରି ପ୍ରଭୂଙ୍କୁ ଗୁହାରି କଲେ ମୁଁ ଆପଣଙ୍କ ଡମ୍ବରୁ ନାଦ କେବେଠୁଁ ଶୁଣିନି ପ୍ରଭୁ ଟିକେ ବଜାନ୍ତୁ । ସେ ତ ଭୋଳା ଶଙ୍କର ପାର୍ବତୀଙ୍କୁ କହିଥିବା କଥା ଭୁଲି ଖୁସିରେ ଡମ୍ବରୁ ନାଦ କରିବାକୁ ଲାଗିଲେ । ଏପଟେ ମା ପାର୍ବତୀ ବୁଝିଲେ ଶନି ମାନିଲାନି ନିଜ ହାତରେ ସ୍ବପ୍ନର ମହଲଟିକୁ ଭାଙ୍ଗି ଦେଲେ ।
