ବିଜୁଳି
ବିଜୁଳି
ଏକ ବର୍ଷା ବିଧୌତ ରଜନୀ l ବେଙ୍ଗ ମାନଙ୍କର କେଁ..... କଟର ଶବ୍ଦ ସାଙ୍ଗକୁ ଗଛ ପତ୍ର ଗୁଡ଼ାକରେ ଝରି ପଡୁଥିବା ବର୍ଷା ର ବିନ୍ଦୁ ଗୁଡିକ ମିଶି ଏକ ରକମ ର ସ୍ୱତନ୍ତ୍ର ଧ୍ଵନି ତୋଳୁ ଥିଲା l ଆକାଶରେ ଘଡଘଡି ସହ ଅନ୍ଧାରର ବକ୍ଷ ଚିରି ଚମକୁ ଥାଏ ବିଜୁଳି l
ଏମିତି ଏକ ମୁହୂର୍ତ୍ତ ରେ ତର ତର ହୋଇ ଘରକୁ ଫେରୁଛି ସମୀର l ବର୍ଷା ରୁ ବର୍ତ୍ତିବା ପାଇଁ ନାହିଁ ଛତା l ତେଣୁ ବାଟରେ ପଡ଼ିଥିବା ପଲିଥିନ ଟିଏ ଭିଡି ଦେଇଛି ମଥା ପରେ l ପାଖ ଗାଁ କୁ ଯାଇଥିଲା ମୂଲ ଲାଗିବା ପାଇଁ l ଘରେ ଦୁଇ ପୁଅ, ଝିଅ ଆଉ ସ୍ତ୍ରୀ ତା ବାଟ ଚାହିଁ ବସି ଥିବେ l ତେଣୁ ତାର କୁଆଡ଼କୁ ନଜର ନାହିଁ l ସେ ଛୋଟିଆ ଜଙ୍ଗଲ ରେ ଅନ୍ୟ ମନସ୍କ ଭାବରେ ଆଗକୁ ବଢିଲା ବେଳେ କାହା ସ୍ୱର ଶୁଣି ଅଟକି ଗଲା l ଚାହିଁ ଦେଖିଲା ତା ବନ୍ଧୁ ପ୍ରକାଶ l
ସମୀର -ଆରେ ପ୍ରକାଶ, ଏତେ ରାତିରେ ତୁ ଆମ ଗାଁ ରେ କଣ କରୁଛୁ?
ପ୍ରକାଶ -ମାମୁଁ ଙ୍କ ଗ୍ରାମ ରୁ ଫେରୁଥିଲି ଜମି ବିକ୍ରୟ କରି ତୋ କଥା ମନେ ପଡିଲା ତ ଭେଟିବା ପାଇଁ ଆସିଗଲି l କାହିଁକି ଭିଜୁଛୁ! ଏହି ଛତା ତଳକୁ ଆସେ...
ସମୀର ଯାଇ ପ୍ରକାଶ ପାଖରେ ଛିଡା ହେଲା, ଦୁହେଁ ଆଗକୁ ବଢିଲେ l ପ୍ରକାଶ ଏକ ଜରି ପେକେଟ ବାହାର କରି ଧରାଇ ଦେଲା ସମୀର କୁ l
ପ୍ରକାଶ -ଏହାକୁ ନେଇ ମୋ ସ୍ତ୍ରୀ ମୀରା କୁ ଦେଇ ଦେବୁ l ମୋର କିଛି କାମ ଅଛି ମୁଁ ସାରିକି ଯିବି l
କିଛି ବୁଝି ପାରୁନଥିଲା ସମୀର l ପ୍ରକାଶ ର ସବୁକଥା ଅସଂଗତ ଲାଗୁଥିଲା l ତା ଦେହରୁ କେମିତି ଏକ ଦୁର୍ଗନ୍ଧ ବି ବାହାରୁ ଥିଲା l ବିଜୁଳି ଝଲସୁ ଥିଲା କିନ୍ତୁ ତା ମୁହଁ ଟି ସ୍ପଷ୍ଟ ଦେଖାଯାଉନଥିଲା l ହଠାତ କଣ ଗୋଟିଏ ଝୁଣ୍ଟି ପଡିଲା ସମୀର l ତଳେ ପଡି ଡାକିଲା, "ଆରେ ପ୍ରକାଶ ମୋତେ ଟିକେ ଉଠା l" ପ୍ରକାଶ.... ପ୍ରକାଶ... କାହିଁ ପ୍ରକାଶ?
ବର୍ଷା ଧାରା ବନ୍ଦ ହୋଇଯାଇଛି l ସମୀର କଷ୍ଟେ ମଷ୍ଟେ ଝାଡ଼ି ଝୁଡି ହୋଇ ଉଠିଲା l ଚାରି ଆଡ଼କୁ ଚାହିଁଲା କିଏ ନାହିଁ l ସେ ଭାବୁଥିଲା ସେ କଣ ବର୍ଷା ରେ ଭିଜି ସ୍ବପ୍ନ ଦେଖୁଥିଲା!
ପ୍ରକାଶ ତାର କଳ୍ପନା ଥିଲା, ସେ ଘରେ ଶୀଘ୍ର ପହଂଚିବା ପାଇଁ ଜଙ୍ଗଲ ବାଟ ଧରି ଭୁଲ କରିଛି l
ବିଜୁଳି ଆଲୁଅରେ ତା ଆଖି ଝଲସି ଗଲା ସେ ଯେତେବେଳେ ତଳକୁ ଚାହିଁଲା, ଯାହାକୁ ଝୁଣ୍ଟି ସେ ତଳେ ପଡିଥିଲା l ସେ ହେଉଛି ବନ୍ଧୁ ପ୍ରକାଶ ର ଗଳିତ ଶବ l ମୁଖ ମଣ୍ଡଳ ଟି ସେମିତି ସତେଜ ଅଛି l ସମୀର ର ପାଦ ତଳୁ ମାଟି ଯେପରି ଖସି ଗଲା ପରି ଅନୁଭବ ହେଲା l ବଜ୍ର ପଡିଗଲା ଯେପରି ତା ମୁଣ୍ଡରେ l ଛାତି କୁ ପିଟି କାନ୍ଦି ବାକୁ ଲାଗିଲା l ଗାଁ ଲୋକଙ୍କୁ ଡାକି ତା ର ଶବ ସଂସ୍କାର କଲା l
ମନେ ପଡିଲା ତା ସାଙ୍ଗ କିଛି ଦେଇଥିଲା ତାକୁ ଧରି ଚାଲିଲା ବନ୍ଧୁ ଘରକୁ l
**-****
ତାଙ୍କ ଘର ଠାରୁ ବହୁତ ଦୂର ମୋତିପୁର ହେଉଛି ପ୍ରକାଶ ର ଘର l ସମୀର ସେଠି ପହଂଚି ସବୁକଥା କହିଲା l
ମୀରା ସବୁଶୁଣି ଚେତା ଶୂନ୍ୟ ହୋଇ ଭୂମି ରେ ପଡିଗଲା l
ପାଖରେ ଥିଲେ ପ୍ରକାଶ ର ମା l ଘରେ ଶୋକ ର ଛାୟା ଖେଳି ଗଲା l
ପ୍ରକାଶ ର ମା କହିଲେ ବାପ ଆଜି କୁ ପ୍ରାୟ ୧୫ଦିନ ତଳେ ସେ ଯାଇଥିଲା ତୁମ ଗାଁ ପାଖରେ ଥିବା ଜମି ବିକ୍ରି କରି ଟଙ୍କା ଆଣିଲେ ଘରର ବାକି ସୁଝା ହେବ l କିନ୍ତୁ ସେ ଫେରିନଥିଲା, ପୁଲିସ ଖୋଜା ଖୋଜି କରି କିଛି ଲୁଟେରା କୁ ଧରିଥିଲା ଓ ସେମାନେ ତାକୁ ମାରି ଥିବା କଥା ସ୍ୱୀକାର କଲେ କିନ୍ତୁ ତାଙ୍କ ପାଖରେ ଟଙ୍କା ନ ଥିଲା l ରହସ୍ୟ ମୟ ଭାବେ ଉଭେଇ ଯାଇଥିଲା l କିନ୍ତୁ ପୁଅ କୁ ପାଇ ନ ଥିଲା ପୁଲିସ l ମୁଁ ବୋହୂକୁ କଣ ବା କହିବି ସବୁ ଏଇ ଛାତି କୁ ପଥର କରି ସହିଛି l
ସମୀର ସେଇ ପଲଥିନ ପକେଟ ଟି ଧରାଇ ଦେଇ ଅଶ୍ରୁସିକ୍ତ ନୟନ ରେ ଫେରି ଆସିଲା ଗାଁ କୁ l ସବୁ ତାକୁ ଏକ ପ୍ରହେଳିକା ପରି ଲାଗୁ ଥିଲା l ଆଜି ବି ଆକାଶ ରେ ବିଜୁଳି ସେଇ ରାତି ର ସ୍ମୃତି କୁ ସତେଜ କରିଦେଉଥାଏ....

