STORYMIRROR

Kalpana Kumari Pradhan

Tragedy Inspirational

4  

Kalpana Kumari Pradhan

Tragedy Inspirational

କ୍ଲାନ୍ତ ଅପରାହ୍ନ ଓ ସ୍ୱାଭିମାନ

କ୍ଲାନ୍ତ ଅପରାହ୍ନ ଓ ସ୍ୱାଭିମାନ

8 mins
14

 ରୀତା ପାଟି କରି ଉଠିଲା, ଗାଡି ରଖ ବାପା ;ଭାରି ଭୋକ l ଆଉ ମୁଁ ସମ୍ଭାଳି ପାରୁନି l ଅମ୍ବିକା ଦେବୀ ସେଥିରେ ତାଳ ଦେଇ କହିଲେ ସମୟ ସାଢେ ତିନିଟା ବାଜିଲାଣି..! କ 'ଣ ଆଜି ମଧ୍ୟାହ୍ନ ଭୋଜନ କରିବାନି କି? ରାସ୍ତା ସାରା ଭଲ ହୋଟେଲ ଖୋଜି ଖୋଜି ବେଳ ଗାଡିଗଲାଣି l
      ଶରତ ବାବୁ -ଥୟ ଧର, ଏଇ ଆଗରେ ଏକ ସୁନ୍ଦର ହୋଟେଲ l ତାର ଖାଦ୍ୟ ପ୍ରସ୍ତୁତି ଉଚ୍ଚକୋଟୀର, ତୁମମାନଙ୍କୁ ବେଶ ଭଲ ଲାଗିବ l ଶରତ ବାବୁ ଙ୍କ ଗାଡିଟି ଯାଇ ଅଟକିଲା ହୋଟେଲ ଆଗରେ l ଧଡ଼ କରି 
ଗାଡି ରୁ ଡେଇଁ ପଡିଲେ ରୀତା, ମିତା l ଆଉ ଅପେକ୍ଷା ନାହିଁ ପେଟରେ ମୂଷା ମାନେ ଖୁବ ଉପଦ୍ରଵ କଲେଣି ଅପା କହି ଭାରି ବ୍ୟାକୁଳ ହେଉଥାଏ ରୀତା l ମିତା ତାକୁ ବୁଝାଇ ଦୁଇ ଭଉଣୀ ହାତ ଧୋଇ ବାପା ମା ଙ୍କ ସହ ବସିଲେ ଚେୟାର ରେ l ପ୍ରାୟ ହୋଟେଲ ଖାଲି, ଗୋଟିଏ ଟେବୁଲ ରେ ଜଣେ ବୃଦ୍ଧା ଏବଂ ଦୁଇ ଜଣ ବ୍ୟକ୍ତି ବସିଥିଲେ l ଅଡର ନେବା ପାଇଁ ଜଣେ ବୟସ୍କ ବ୍ୟକ୍ତି, ବୟସ ପ୍ରାୟ ଅଶି ହେବ ଆମ ଟେବୁଲ ପାଖରେ ପହଁଚିଲେ l ଖାତା ପେନ ଧାରି ସମସ୍ତଙ୍କର ଖାଇବା ବୁଝି ନେଲେ l ରୀତା ର ବ୍ୟଗ୍ରତା ଦେଖି ଅଡର ନେଉ ଥିବା ବ୍ୟକ୍ତି ଜଣକ କହିଲେ, ଝିଅ କୁ ଭାରି ଭୋକ ବୋଧେ..? ସବୁ ପ୍ରସ୍ତୁତି କରିବା ପାଇଁ କିଛି ସମୟ ଲାଗିବ l ତୁମ ମାନଙ୍କ ପାଇଁ କିଛି ପାମ୍ପଡ ନେଇ ଆସୁଛି ଖାଉଥିବେ l ସେ ଭିତରେ ସବୁ ପ୍ରସ୍ତୁତ ହୋଇଯିବ l 
         ସଭିଙ୍କୁ ଖୁବ ଜୋର ରେ ଭୋକ, ଖାଇବା ରେ ସମସ୍ତେ ବ୍ୟସ୍ତ l କିନ୍ତୁ, ଏ କଣ ରୀତା ମୁହଁ ଫୁଲେଇ ବସିଛି! କଣ ହେଲା ରୀତା କାହିଁକି ଖାଉନୁ...? ବାପା ମୁଁ ପରା ଛତୁ ଚିଲି କହିଥିଲି l ଏତ ପନିର ଚିଲି, ଏହି ସମୟରେ ସେହି ବୟସ୍କ ଲୋକ ଟି ଟେବୁଲ ପାଖକୁ ଆସି କହିଲେ ମାମା ରେ ଏ ବୁଢ଼ା ବାପା ଟା ଭୁଲ କରିଦେଇଛି l ମୁଁ ସଙ୍ଗେ ସଙ୍ଗେ ତୋ ପାଇଁ ବନେଇ ଆଣିଦେଉଛି l ତାଙ୍କ ମୁହଁ ରେ ଭୟ ସ୍ପଷ୍ଟ ବାରି ହେଉଥିଲା l ସେ ଯେବେ ଖାଇବା ଆଣି ପରସି ଦେଲେ ରୀତା କୁ ତାଙ୍କ ସେହି ଥରିଲା ହାତ ଉପରେ ନଜର ପଡିଲା ତାର l ସେ ଭାରି ସ୍ନେହ କରି ବାପା ଙ୍କୁ ଆମକୁ ମିଠା ମିଠା କଥା କହି ଖାଦ୍ୟ ପରସି ଦେଉଥାନ୍ତି l ରୀତା କିନ୍ତୁ ମନ ଭାରି ଅସ୍ଥିର ହୋଇ ଉଠିଲା l ସେ ତା ଭଉଣୀ ଙ୍କୁ ଚୁପି ଚୁପି କହିଲା, ଅପା ତୁ ସେହି ମଉସା ଙ୍କୁ ଦେଖିଲୁ...?
ମିତା -କାହାକୁ, ମୁଁ ବୁଝି ପାରିଲିନି!
ରୀତା -ଯିଏ ଆମକୁ ଖାଇବା ପରସୁଥିଲେ l ତାଙ୍କରି ସେହି ଥରିଲା ହାତକୁ ଦେଖି ମୋତେ ଭାରି ଖରାପ ଲାଗୁଛି l ସେ ଠିକ ରେ ପ୍ଲେଟ ଟିକୁ ଧରିବା ରେ ସେ ଅକ୍ଷମ l ତଥାପି କାହିଁକି ଏତେ କାମ କରୁଛନ୍ତି l ଆମର ଅଜା, ଜେଜେ ବାପା, ମା ' ଙ୍କର ଘରେ ବାପା ମା କେତେ ଯତ୍ନ ନେଉଛନ୍ତି l
ମିତା -ତୁ ପିଲା ଲୋକ, ତାଙ୍କରି କଣ ଅସୁବିଧା ଥିବ l ପାଟି ନ କରି ଖାଇବା ପୁରା ସଫା କରେ ନ ହେଲେ ମା ବିଗିଡ଼ିବେ l
ଦୁଇ ଜଣକ ଏହି ଗପସପ ଦେଖି ପଚାରିଲେ କଣ ହେଲା ପିଲାମାନେ, କଣ ଅସୁବିଧା ହେଲା କି...?
ମିତା -ନାହିଁ ବାପା l (ମିତା ର ବାରଣ ସତ୍ୱେ ରୀତା ସବୁକଥା ବାପା ଙ୍କୁ କହିଲା )
ଶରତ ବାବୁ ରୀତା କୁ କହିଲେ ସୁନା ଝିଅ ବ୍ୟସ୍ତ ହୁଅନି ତୁମେ ଆଗ ଖାଇଦିକରି 
  ପେଟର ଜ୍ୱାଳା ଏବେ ଶାନ୍ତ l ଶରତ ବାବୁ ଏଥର ହୋଟେଲ ମାଲିକ କୁ ନିଜର ବିଲ ପେମେଣ୍ଟ କରି ବାହାରକୁ ବାହାରି ଖୋଜୁଥିଲେ ସେହି ମଉସା ଙ୍କୁ l ବାହାରେ ଗୋଟିଏ କୋଣ ରେ ବାଡ଼ାକୁ ଆଉଜି ବସିଥାନ୍ତି ସେ, ଶରତ ବାବୁ ତାଙ୍କ ପାଖକୁ ଯାଇ ଶହେ ଟି ଟଙ୍କା ତାଙ୍କ ହାତରେ ଦେଲେ l ମଉସା ଚମକି ପଡି କହିଲେ,'ଆରେ ବାବୁ ଏ କଣ....? ମୁଁ ତ ମୋ କାମ କରୁଛି l ଯେତିକି ମାଲିକ ଦେଉଛନ୍ତି ଏ ପେଟ ପାଇଁ ଢେର... (ଅଭିମାନ ତଥା ଯନ୍ତ୍ରଣା ଭରା କଣ୍ଠ ରେ )l ତାଙ୍କ ବିଷୟରେ ଜାଣିବାକୁ ଆହୁରି ଆଗ୍ରହ ବଢିଗଲା l ତାଙ୍କର କାମ ସାରିଥିଲା ହୋଟେଲ ରେ ଆଉ କେହି ବ୍ୟକ୍ତି ନ ଥିଲେ ତେଣୁ ସେ ଟିକେ ଆରାମ କରୁଥିଲେ l ଶରତ ବାବୁ ଙ୍କ ପରିବାର ତାଙ୍କ ପାଖରେ ବସି କିଛି ସମୟ ବାର୍ତ୍ତାଳାପ କଲେ l ରୀତା ଭି ଭାରି ଖୁସି l ସେ ତାଙ୍କର ହାତ ଟିକୁ ଲକ୍ଷ୍ୟ କରୁଥିଲା ଯାହା ଏବେ ବି ଥରୁଥିଲା l ସେ ତାଙ୍କରି ହାତ କୁ ଧରି କହିଲା ମଉସା ତୁମେ କାହିଁକି କାମ କରୁଛ....? ତୁମକୁ ଭାରି କଷ୍ଟ ହେଉଥିବ l ତା ହାତ ଉପରେ ସେ ଅନୁଭବ କଲା ଦୁଇ ଉଷୁମ ଜଳ ବିନ୍ଦୁ ର ସ୍ପର୍ଶ l ସେ ଚାହିଁଲା ତାଙ୍କ ମୁହଁକୁ ସେ ପିଲା ଲୋକ ପରି କାନ୍ଦି ଉଠିଲେ l ବାପା ଆମକୁ କହିଲେ ତୁମେ ଗାଡ଼ିରେ ବସ ମୁଁ ମଉସା ଙ୍କ ସହ କଥା ହେଉଛି l
     ମଉସା, ଶରତ ବାବୁ ଙ୍କ ହାତ ଧରି ଗୋଟିଏ ଗଛ ମୂଳ ରେ ଥିବା ସିମେଣ୍ଟ ଚୌକି ରେ ବସିଲେ l ଗାମୁଛା ରେ ଆଖିରୁ ଲୁହ ପୋଛି କହିଲେ, ବାବୁ ଲାଗୁଛି ତୁମେ ଜଣେ ହୃଦୟବାନ ମଣିଷ l କେତେଦିନ ପରେ ଅନ୍ତର ରେ ଭରି ରହିଥିବା ଅଭିମାନ, ଅଭିଯୋଗ ଗୁଡିକ ଲୁହ ହୋଇ ବୋହିଯିବାକୁ ବାଟ ଖୋଜୁଥିଲେ l ମୋର କାହାକୁ ନେଇ କିଛି ଅଭିଯୋଗ ନାହିଁ, କି ସେମାନଙ୍କ ଉପରେ ଅସନ୍ତୁଷ୍ଟ ହେବାକୁ ମଧ୍ୟ ମୋର ଭାରି ଭୟ l କାଳେ ସେମାନଙ୍କ ଅମଙ୍ଗଳ ହେବ l 
ମଉସା -
     ମୋର ତିନି ପୁଅ ଓ ଗୋଟିଏ ଝିଅ l ମୁଁ ଜଣେ ପରିବା ବ୍ୟବସାୟୀ ଥିଲି l ଗାଁ ଗାଁ ବୁଲି ପରିବା ବିକି ମୁଁ ପିଲାମାନଙ୍କୁ ଉଚ୍ଚ ଶିକ୍ଷିତ କଲି l
ସେମାନଙ୍କ ଛୋଟିଆ ଛୋଟିଆ ଖୁସି କୁ ପୂରଣ କରିବାକୁ ଯାଇ କେତେ ଯେ ନିଜର ଖୁସି ଓ ଇଚ୍ଛା କୁ ଜଳାଞ୍ଜଳି ଦେଉଛି ମୋ ଧର୍ମପତ୍ନୀ ହିଁ ତାର ଚିର ସାକ୍ଷୀ l ସେ ମୋତେ କେତେ କୁହେ ଏସନ ପୁନେଇଁ ର ସମସ୍ତ ଙ୍କ ପାଇଁ ଲୁଗା ପଟା କିଣିଲ, ନିଜ ପାଇଁ ଖଣ୍ଡେ କିଣିଲନି l ହସି ହସି କହି ଦିଏ, ଏତେ ସୁନ୍ଦର ସୁନ୍ଦର ମୋ ପିଲାମାନେ ସେମାନେ ପାରିବାର ହେଲେ କେତେ ପିନ୍ଧିବି l ଛାତି କୁ ଚଉଡା କରି ଗାଁ ରେ ବୁଲି ବୁଲି କହିବି l ଏ ଭିତରେ ଛକରେ ମୋର ଛୋଟିଆ ଦୋକାନ ବି କରିଦେଇଥାଏ l ବଡ଼ ଦୁଇ ପୁଅ ଚାକିରୀ କଲେ ସାନ ପୁଅ ଟି ମୋ ଦୋକାନ ରେ ବସିଲା l ଝିଅ ର ବି ବାହାଘର ଖୁବ ଧୁମ ଧାମ ରେ କରିଦେଲି କାଳେ ମୋ ପୁଅ ମାନଙ୍କୁ ଅଧିକ ବୋଝ ପଡିବ, ଟଙ୍କା ଟିଏ ବି କରଜ କରିନି l ସବୁବେଳେ ନିଜକୁ ଭାରି ଭାଗ୍ୟ ବାନ ମଣୁ ଥିଲି ନିଜକୁ l ତିନି ପୁଅ ଙ୍କ ବାହାଘର ମଧ୍ୟ ସରିଲା l ବୟସ ସେପଟେ ବାରମ୍ବାର ଚେତେଇ ଦେଉଥାଏ ଏବେ ଛାଇ ଲେଉଟାଣି l ଅଗଭଳି ହାଡ଼ଭଙ୍ଗା ପରିଶ୍ରମ କି ଦେହରେ ଯିବ...!
     ବୈଶାଖ ମାସ ର ଧୁ ଧୁ ଖରାବେଳ ମୁଁ ପରିବା ଧରି ଫେରୁଥାଏ l ହଠାତ ମୁଣ୍ଡ ବୁଲାଇ ମୁଁ ସାଇକେଲ ରୁ ପଡ଼ିଗଲି l ପରିବା ଗୁଡିକ ରାସ୍ତା ପଡି ଅଧେ ନଷ୍ଟ ହୋଇଗଲା l ମୋର ଗୋଡ଼ ହାତ ଖଣ୍ଡିଆ ଖାବରା ହେଲା l ଗାଁ ଲୋକ ମୋତେ ନେଇ ଘରେ ଛାଡି ଆସିଲେ l ସେଦିନ ମୁଁ ନିଜକୁ ଆବିଷ୍କାର କଲି l ବୁଝି ପାରିଲି ମୋର ମୂଲ୍ୟ ପୁଅ ମାନଙ୍କ ପାଇଁ କଣ l ଶେଜରେ ପଡି ମୁଁ ଛଟପଟ ହେଉଥାଏ, ପାଖରେ ସ୍ତ୍ରୀ ବସି ଲୁହ ନିଗାଡୁ ଥାଏ , ସେପଟେ ପୁଅ ମାନଙ୍କ ଭିତରେ କଳି l ବଡ଼ ଦୁଇ ପୁଅ କହୁ ଥାନ୍ତି,'ତୁ କାହିଁକି ବାପା ଙ୍କୁ ପରିବା ପାଇଁ କହୁଥିଲୁ, କିଏ ଏବେ ତାଙ୍କ ଦାୟୀତ୍ୱ ନେବ 'l ଆମେ ସହରରେ ରହିଲୁ ଆମ ଖର୍ଚ୍ଚ ଆମକୁ ଢେର ପୁଣି ପୁଅ ପାଠ ପଢିବ l ତୁ ବୁଝେ ଆମେ କିଛି ଜାଣିନୁ କହି, ମୋ ମୁହଁ କୁ ଭି ନ ଚାହିଁ ଚାଲିଗଲେ l ସାନ ପୁଅ ଓ ତା ସ୍ତ୍ରୀ ର କଳି ଗୋଳ ଆମେ କାହିଁକି କରିବା l ଏପଟେ ମୁଁ ଶେଜ ରେ ପଡି ଅନୁଭବ କରୁଥିଲି କଣ୍ଟା ଶେଜରେ ଶୋଇଛି l ଜୀବନ ର ଭଗ୍ନ ସ୍ତୁପ ରେ ଛିଡା ହୋଇ ଲାଗୁଥିଲା ସବୁ ମୋ ଭାବନା ର ବାହାରେ ଘଟି ଯାଉଛି l ହୃଦୟ ଟା ଯେପରି ଭାଙ୍ଗି ଚୁନା ଚୁନା ହୋଇଗଲା l ଚାହିଁଲି ସ୍ତ୍ରୀ କୁ, ସେ ବି ବେଦନାକୁ ଚାପି ରଖିଥିଲା ନିଜର ମଳିନ ଓଠ ତଳେ ଆଜି ସବୁ ଉଦ୍ଗିରଣ ହେବାକୁ ବସିଛି l ସେ ପାଟି କରି କହିଲା କିଏ ବ୍ୟସ୍ତ ହେବା ଦରକାର ନାହିଁ ମୁଁ ଅଛି ତାଙ୍କ ପାଇଁ ମୋ ପାଇଁ ସେ.. l ବହୁତ କିଛି ପାଇଗଲୁ ଜୀବନରେ... l
      ତାର କାନ ଫୁଲ ଦୁଇଟିକୁ ବିକ୍ରି କରି କିଛି ପଇସା ଆଣିଲା l ମୋର ଚିକିତ୍ସା କଲା l ଯାହା ସେ ବାହାଘର ବେଳେ ପିନ୍ଧି ଆସିଥିଲା l ଆଉ ସବୁ ତ ଏ କୂଳମଣି ଙ୍କ ପାଠ ପଢା ପାଇଁ ଆହୁତି ଦେଇଥିଲା l ମୁଁ ସୁସ୍ଥ ହେଲା ପରେ ସ୍ତ୍ରୀ ମୋତେ ସବୁ କଥା କହିଲା କେମିତି ସେମାନେ ଆମକୁ ଖାଇବାକୁ ମୁଠେ ଦେବାକୁ ମଧ୍ୟ ଅମଙ୍ଗ ଅଟନ୍ତି l ମନ ରେ ମୋର ଗୋଟିଏ ପ୍ରଶ୍ନ ସମସ୍ତେ କୁହନ୍ତି, "ଦେଇ ଥିଲେ ପାଇ..."l ମୁଁ ଓ ମୋର ପତ୍ନୀ ମୋର ପିତା ମାତା ଙ୍କୁ ଦେବତା ସମ ମଣି ସେବା କରୁଥିଲୁ l ସେ ଶଯ୍ୟାଶାୟୀ ହୋଇ ଦୀର୍ଘ ଦୁଇ ବର୍ଷ ପଡିଲେ ଏଇ ହାତରେ ସବୁ କରି ମଧ୍ୟ ନିଜକୁ ଅଭାଗା ମଣୁଥିଲି l କାରଣ ପିତା ମାତା ଋଣ କିଏ କେବେ ସୁଝି ପାରେ...? ତେବେ ଏ କି ବିପରୀତ!
     ତଥାପି ହାରିନି ପୁର ଏ ଥରିଲା ହାତ ରେ ବଳ ଆଉ ପେଜୁଆ ଆଖିରେ ଜ୍ୟୋତି ଥିବା ପର୍ଯ୍ୟନ୍ତ ମୋର ଆଉ ମୋ ସ୍ତ୍ରୀ ର ଦାୟୀତ୍ୱ ନେବି l କାହା ଉପରେ ବୋଝ ହେବନି ବୋଲି ତ ଝିଅ କେତେ କହିବା ସତ୍ୱେ ତାରି ଘରେ ଆଶ୍ରୟ ନେଲି ନାହିଁ l ଯେଉଁ ଘର ମୁଁ ଜୀବନ ର ସବୁ କିଛି ଜଳାଞ୍ଜଳି ଦେଇ ଗଢିଥିଲି ମୋର ହେଲାନି ତ.... ଏକ ଦୀର୍ଘ ନିଃଶ୍ୱାସ l 
    ମଉସା ଙ୍କ ଲୁହ ପୋଛି ଦେଇ, ତାଙ୍କୁ ବାଧ୍ୟ କରି କିଛି ଅର୍ଥ ଦେଇ ଏକ ଭାରି ହୃଦୟ ରେ ଫେରିଲେ ଶରତ ବାବୁ l ଜୀବନ, ଜଂଜାଳ ଆଉ ଅପରାହ୍ନ ର ନଗ୍ନ ଚିତ୍ର ତାଙ୍କ ମାନସ ପଟରେ ଉଙ୍କି ମାରୁଥାଏ l ବୟସ ର ଅପରାହ୍ନ ରେ ମଉସା ଙ୍କ ସ୍ୱାଭିମାନ କୁ ସେ ପ୍ରଣିପାତ କଲେ l


Rate this content
Log in

Similar oriya story from Tragedy