ସାୟାହ୍ନ ର ସୂର୍ଯ୍ୟ
ସାୟାହ୍ନ ର ସୂର୍ଯ୍ୟ
ଗ୍ରୀଷ୍ମ ର ଏକ ଅପରାହ୍ନ, ପଶ୍ଚିମ ଆକାଶ ରେ ରବି lନିଧି ମଉସା ଙ୍କ ଚା 'ଦୋକାନ ରେ ଗହଳି ଚହଳି ଜମିଲାଣି l ଗାଁ ଶେଷରେ ଥିବା ଛକ ରେ ମଉସାଙ୍କ ଦୋକାନ l ତାକୁ ଲାଗି ଲମ୍ବି ଯାଇଛି ସଡ଼କ ଟିଏ ସହରକୁ l ସନ୍ଧ୍ୟା ହେଲେ ମଉସା ଙ୍କ ଦୋକାନ ରେ ଖୁବ ଆସର ଜମେ l କି ପିଲା କି ବୁଢ଼ା ସଭିଙ୍କ ମୁହଁରେ ନିଧି ମଉସା l ଖୁବ ହସ ମଜା ମଜଲିସ ସହିତ ଚାରି ଖଣ୍ଡ ମଉଜା ର ଟିକିନିଖି ଖବର ପରିବେଷଣ ହୋଇଥାଏ l ଏ ସବୁ ଭିତରେ କିନ୍ତୁ ଗୋଟିଏ କଥା ନିଧି ମଉସା ଙ୍କ ହସ, ସେ ସଭିଙ୍କୁ ଦେଖି ହସି ଦିଅନ୍ତି ସିନା କିନ୍ତୁ ତାହା କୃତିମ l ସମସ୍ତେ ସହଜ ରେ ବାରି ପାରନ୍ତି ସେ କଥା l
ହଠାତ ବସ ଟିଏ ଆସି ଅଟକିଲା ବରଗଛ ମୂଳେ l ଧୋବ ଫରଫର ଡ୍ରେସ ସାଙ୍ଗକୁ ଧୋବ ଫରଫର ଚୁଟି l ଆଖିରେ ଚଷମା, ହାତରେ ଗୋଟିଏ ବଡ଼ ବ୍ୟାଗ l ହରିପୁର ଗାଁ ରେ କେବେ ତାଙ୍କୁ କେହି ଦେଖିନାହାନ୍ତି l ସମସ୍ତେ ଚକିତ ହୋଇ ଚାହିଁ ଥାନ୍ତି ସେଇ ଆଗନ୍ତୁକ ଙ୍କୁ l ଏ କଣ! ନିଧି ମଉସା ଆଗନ୍ତୁକ ଙ୍କୁ ଦେଖି ଖୁସି ରେ ଆତ୍ମହରା l ଦୌଡ଼ି ଯାଇ, "ରମୁ ".... "ରମୁ "କହି କୋଳାଗ୍ରତ କଲେ l ଦୁଇ ଜଣଙ୍କ ଆଖିରେ ଆନନ୍ଦ ର ଅଶ୍ରୁ l ଆମେ ସମସ୍ତେ ଏକ ନାଟକ ର ଦୃଶ୍ୟ ଦେଖିଲା ଭଳି ଆଶ୍ଚର୍ଯ୍ୟ ହୋଇ ଚାହିଁଥାଉ l
ହଠାତ ନିଧି ମଉସା ଗର୍ଜି ଉଠିଲେ l ତାଙ୍କ ମୁହଁ ପୁଣି ବିଷାଦ ରେ ପୁରି ଉଠିଲା l
ନିଧି ମଉସା - ଛାଡେ.... ଛାଡେ... ଏତେ ଦିନେ ତୋତେ ଏ ମାଟି ମନେ ପଡିଲା?
ଆଗନ୍ତୁକ -ନା ରେ ମୁଁ ହତଭାଗା, ସବୁ ବୁଝିଲା ବେଳକୁ ଆଉ ସମୟ ନାହିଁ l ତୋ ସାଙ୍ଗକୁ କ୍ଷମା କରିବୁନି.....
ନିଧି ମଉସା -ନା ରେ ମୁଁ କ୍ଷମା କରିବାକୁ କିଏ?
ଆଗନ୍ତୁକ -ହଉ ସାଙ୍ଗ, ରାଗ ଛାଡେ ଚାଲେ ଘରକୁ ଟିକେ ଯିବା...
ନିଧି ମଉସା ଚା ଦୋକାନ ରେ କାମ କରୁଥିବା ରଘୁ କୁ ଦୋକାନ ର ଭାର ଦେଇ ଚାଲିଲେ ଗାଁ ଅଭି ମୁଖେ l ଏତିକି ଆମେ ସବୁ ବୁଝିଗଲୁ ସେ ଦୁହେଁ ଘନିଷ୍ଠ ବନ୍ଧୁ l
ନିଧି ମଉସା ଅଭିମାନ ଭରା କଣ୍ଠ ରେ କହିଲେ, ତୋର ଏତେ ଦିନରେ ଗାଁ କଥା ମନେ ପଡିଲା l ଯୌବନ ରେ ଗାଁ ଛାଡି ଗଲୁ ଯେ ଗଲୁ..... ଦିନେ ଫେରି ଚାହିଁଲୁନି l ଆଜି ବି ମୋର ମନେ ଅଛି ତୋ ବାଟ ଚାହିଁ ଚାହିଁ ମାଉସୀ ଶେଷ ନିଃଶ୍ୱାସ ତ୍ୟାଗ କଲେ l ତୋତେ ଦିନେ ନ ଦେଖିଲେ ଯିଏ ଅନ୍ଧୁଣି ହୋଇ ଯାଉଥିଲେ ତାଙ୍କୁ ତୁ ଏକାକୀ କରି ଚାଲିଗଲୁ l ମୁଁ ବା କେତେ ଦମ୍ଭ ଦିଅନ୍ତି ତାଙ୍କୁ l ତୁ କେମିତି ପଥର ହୋଇଗଲୁ ତାଙ୍କର ମୃତ୍ୟୁ ଖବର ପାଇବି ମୋତେ ଟଙ୍କା ପଠାଇଦେଲୁ ତାଙ୍କରି କାର୍ଯ୍ୟ କରିବାକୁ l ଏବେ କାହିଁକି ଆସିଛୁ? କିନ୍ତୁ ରମୁ (ରମାକାନ୍ତ )ନିରବ l ଅସ୍ତମିତ ରବି କୁ ଚାହୁଁଥାଏ, ଗାଁ ର ସେଇ ଖଳା ମାଳ, ପୋଖରୀ, ଆମ୍ବ ତୋଟା ସବୁ କୁ ଚାହିଁ କଣ କଣ ଭାବି ଭାବି ଗୁଣୁଗୁଣୁ ହୋଉଥାଏ l ହଉ ଛାଡେ ଚାଲେ ଆମ ଘରକୁ ଯିବା, ତାପରେ ତୋ ଘରସଫା କରିଦେବି ରାଧୁ କୁ କହି ପରେ ସେଠାକୁ ଯିବୁ l ଚମକି ପଡି ରମାକାନ୍ତ କହିଲେ ନାହିଁ ନାହିଁ ମୋତେ ମୋ ଘରେ ଛାଡି ଦେ.... ଖାସି ଖାସି କହିବାକୁ ଲାଗିଲେ l
ସେ ଘର କଣ ରହିବା ଅବସ୍ଥା ରେ ଅଛି l ଦୀର୍ଘକୋଡିଏ ବର୍ଷ ହେଲା ସେଠି କାହା ପାଦ ପଡିନି l ସବୁ ଭାଙ୍ଗିରୁଜି ଯିବଣି l ମାଉସୀ ଗଲା ଦିନଠୁ ମୁଁ ବି ସେଠାକୁ ଯାଇନି l କିନ୍ତୁ ରମାକାନ୍ତ ଙ୍କ ଏକା ଜିଦ ଚାଲ ଘରକୁ ଆଗ ଯିବା l ତୁ ଏହି ବୟସରେ ମଧ୍ୟ ସେମିତି ଜିଦିଆ ନୁହଁ... l
ରମାକାନ୍ତ ଆଖି ରେ ଅଶ୍ରୁ ର ଧାର ଅବିରତ ବହିବାକୁ ଲାଗିଲା l ଯେଉଁ ଘରେ ସେ ନିଜର ସୁନାଝରା ପିଲାଦିନ ବିତେଇଥିଲେ ତାର ଜରାଜୀର୍ଣ୍ଣ ଅବସ୍ଥା l ଥିରି କରି ଦାଣ୍ଡଦୁଆରକୁ ଠେଲି ଦେଲେ, କେଁ.... କଟ... କଟ ଶବ୍ଦ ରେ ପ୍ରତିଧ୍ୱନିତ ହୋଇଗଲା ଘର ଭିତର l ସେ ବି ଯେପରି ଦୁଃଖରେ ଭାଙ୍ଗି ପଡିଛି l ଭିତରକୁ ପ୍ରବେଶ କଲେ ଦୁହେଁ, ଅନ୍ଧାରରେ କିଛି ଦିଶୁନଥାଏ l ବ୍ୟାଗରୁ ଚାର୍ଜ ଲାଇଟ ଟି ବାହାର କରି ଲଗାଇଲେ ରମାକାନ୍ତ l ଏବଂ ଥମ କରି ବସିପଡିଲେ ଅଗଣାରେ ଥିବା ଖମ୍ବକୁ ଆଉଜି l ନିଧି ମଉସା ବୋତଲରୁ ପାଣି କାଢି ତାଙ୍କୁ ଟିକେ ପିଇବାକୁ ଦେଲେ l ପଚାରିଲେ ମୋତେ କିଛି କହିବୁ,କଣ ହେଇଛି ତୋର ଏତେ ଦିନ ପରେ ଗାଁ କୁ ଫେରିଲୁ ପୁଣି..?
ଟିକେ ରହ ଏଇଠି ମୋ ମା କୋଳରେ ମଥା ରଖି ଶୋଉଥିଲି ମୋତେ ଯେବେ ଭାରି ବ୍ୟସ୍ତ ଲାଗେ l ମୋତେ ଲାଗୁଛି ମୁଁ ଯେପରି ମୋ ମା କୋଳରେ ଅଛି l ଶୁଣିବୁ ମୋ କଥା...
ଅର୍ଥ ପ୍ରାପ୍ତି ର ନିଶା ରେ ମୁଁ ଅନ୍ଧ ହୋଇ ମୁଁ ଛାଡ଼ିଲି ମୋ ଗାଁ l ସହରକୁ ଗଲି ପ୍ରଚୁର ଅର୍ଥ ଅର୍ଜିଲି l ବିଦେଶ ଗଲି ସେଠି ମଧ୍ୟ ସଫଳ ବ୍ୟବସାୟୀ ରୂପେ ପ୍ରତିଷ୍ଠା ପାଇଲି l ଏ ନିଶା ରେ ମୁଁ ଏତେ ମସଗୁଲ ଥିଲି ଯେ ସମ୍ପର୍କ ର ମାନେ ବୁଝିବାକୁ ମୋ ପାଖରେ ସମୟ ନଥିଲା l ଏକମାତ୍ର ପୁଅ ରବି କୁ ମଧ୍ୟ ଉଚ୍ଚଶିକ୍ଷିତ କରାଇଲି l ଏକ ଧନାଢ୍ୟ ବ୍ୟକ୍ତିଙ୍କ ଏକ ମାତ୍ର କନ୍ୟା ସହ ତାର ବିବାହ ମଧ୍ୟ ହେଲା l ଏ ଭିତରେ ମୋର ପତ୍ନୀ ମୋତେ ଛାଡି ଆରପାରି ଚାଲିଗଲା l ତାକୁ ବି କେବେ ଦି ପଦ ମିଠା କଥା କହିନି l କିନ୍ତୁ ମୁଁ ଯେଉଁ ମୋହରେ ଏତେ ଅଣନିଶ୍ୱାସୀ ହୋଇ ଦୌଡ଼ି ଥିଲି ତାହା କେବଳ କୁହୁଡିରେ ପହଁରିବା ଭଳି ଥିଲା l ବୟସର ଅପରାହ୍ନ ରେ ମୁଁ ଥିଲି ପୁରା ଏକୁଟିଆ l ଏତେ ବଡ଼ ପ୍ରାସାଦ ରେ ଅତିଥିଶାଳା ର ଏକ କୋଣ ମୋ ପାଇଁ ଠିକ ବୋଲି ସେ ଦିନ ପୁଅ ମୋ ମୁହଁରେ କହିଦେଇ ଚାଲିଗଲା l ଯାହାକୁ ମୁଁ ନିଜ ଜୀବନର ସବୁଠୁଁ ଅଧିକ ସ୍ନେହ କରୁଥିଲି l ଯାର ସୁନେଲି ଭବିଷ୍ୟତ ପାଇଁ ନିଜକୁ ତିଳ ତିଳ ଜାଳୁଥିଲି l ମୋର ଖାସ କୁଆଡେ ତାଙ୍କୁ ଶାନ୍ତି ରେ ଶୋଇବାକୁ ଦେଉନି l ନିଜ ଗଢ଼ିଥିବା ସୁନାର ସୌଧରେ ମୁଁ ଯେ କେତେ ଅଲୋଡ଼ା ସଭିଙ୍କ ବ୍ୟବହାର ମୋତେ ପ୍ରତି ମୁହୂର୍ତ୍ତ ରେ ଚେତେଇ ଦେଉଥିଲା l ସେ ଦିନ ସକାଳୁ ସକାଳୁ ମୋ ମୁଣ୍ଡ ଘୁରାଇ ଦେଲା l ମୁଁ ଚେତା ହରାଇଲି l ନିଜକୁ ଆବିଷ୍କାର କଲି ହସ୍ପିଟାଲ ବେଡ଼ ରେ ପାଖରେ ଚାକର ନୀଳକଣ୍ଠ l ସେ ମୋତେ କହିଲା ବାବୁ, ସାନବାବୁ ଙ୍କ ଆଜି ବହୁତ କାମ ପୁଣି ଦେବୁର ଆଜି ଜନ୍ମଦିନ ତେଣୁ ମୋତେ.... ସବୁ ବୁଝିଗଲି ମୁଁ l ଡାକ୍ତର ଙ୍କୁ ଠୁଁ ସବୁ ବୁଝିଲି ସେ ମୋର ସବୁ ପରୀକ୍ଷା ନିରୀକ୍ଷା କରି କହିଲେ ମୋର ହାତରେ ସମୟ ବହୁତ କମ l
ସେଠି ରହି ଚିକିତ୍ସିତ ହେଲି l ସେଠି ବେଡ଼ ରେ ପଡି ପଡି ନିଜ ଜୀବନର ଅତୀତ ପୃଷ୍ଠା କୁ ଲେଉଟାଇ ଅଣନିଶ୍ୱାସୀ ହୋଇପଡ଼ିଲି l ଅନୁତାପ ଅନଳ ରେ ପ୍ରତି ମୁହୂର୍ତ୍ତ ରେ ଦଗ୍ଧିଭୂତ ହେବାକୁ ଲାଗିଲି lମନ ପଡିଲା ମୋ ମା 'ସେଇ ଆତୁର ନିବେଦନ, ତୁ ବିଦେଶ ଯାଆନି ରେ ମୋ ଧନ,ସେଠି ତୁ ହଜି ଯିବୁ l" ଏବେ ଜୀବନର ସାୟାହ୍ନ ରେ ମୋ ରବିର ଚେହରା ମୋତେ ଦୂର ଦୂର ପର୍ଯ୍ୟନ୍ତ ଅସ୍ପଷ୍ଟ ପ୍ରତୀତ l ତେଣୁ ଆଜି ମାଟି ମା 'ଆକର୍ଷଣ ମୋତେ ଟାଣି ଆଣିଲା କିନ୍ତୁ ମୋର ପ୍ରାୟଶ୍ଚିତ ପାଇଁ ମୋର...... ହଠାତ ନିରବି ଗଲେ ସେ.....
ରମୁ.... ରମୁ.....ନିଧି ମଉସା କାଳବିଳମ୍ବ ନ କରି ମନୋଜ (ଗାଁ ରେ ଚିକିତ୍ସା କରେ )କୁ ଡାକି ଆଣିଲେ l ସେ ପରୀକ୍ଷା କରି କହିଲା -ଆଉ କିଛି କରିବାର ନାହିଁ ମଉସା, ସେ ଆଉ ନାହାନ୍ତି l ନିଧି ମଉସା ପୁଣି ପାଟି କରି ଡାକିଲେ ରମୁ.... ରମୁ.... ସେଦିନ ଏକଲା କରି ଚାଲିଗଲୁ, ଏତେଦିନ ପରେ ପୁଣି କ୍ଷଣିକ ସୁଖ ର ଲୋଭ ଦେଖେଇ ପୁଣି ଠକି ଚାଲିଗଲୁ..... ମୁଁ କଣ ତୋ ବନ୍ଧୁ ହେବା ପାଇଁ ଯୋଗ୍ୟ ନୁହେଁ l ଛାତି ଫାଟି ଯାଉଥାଏ ଦୁଇ ଆଖିରୁ ଲୁହ ଉଛୁଳା ନଇ ପରି ବହିଯାଉଥାଏ l ସେ ନିରେଖି ଚାହିଁଲେ ରମାକାନ୍ତ କୁ ତାଙ୍କୁ ଲାଗିଲା ଯେମିତି ମାଉସୀ ଙ୍କ କୋଳରେ ସେ ସୋଇଛି, ଏପରି ଦୃଶ୍ୟ ଦେଖି ସେ ଚମକି ପଡିଲେ l ସତରେ ମା ର ମମତା ଆଗରେ ସବୁ ସମ୍ଭବ l ଗାଁ ର ସବୁ ବୟୋଜ୍ୟୋଷ୍ଠ ଲୋକଙ୍କୁ ଡାକି ତାଙ୍କରି ଅନ୍ତିମ ସଂସ୍କାର କଲେ l ତାଙ୍କରି ବ୍ୟାଗ ଟି ଅଗ୍ନି କୁ ସମର୍ପଣ କରିବାକୁ ଯାଉଥିଲେ ସେଥରୁ ଖସି ପଡିଲା ଚିଠି ଟିଏ l ଚିଠି ଟି ଥିଲା ନିଧି ମଉସା ଙ୍କ ଉଦ୍ଦେଶ୍ୟ ରେ l
ସାଙ୍ଗ...ଦୟାନିଧି (ନିଧି ମଉସା )
ମୋତେ ତୋର ସାଙ୍ଗ କହିବାର ଯୋଗ୍ୟତା ଅଛି କି ନାହିଁ ଜାଣେନା କିନ୍ତୁ ମୋର ଛୋଟିଆ ଅନୁରୋଧ ରଖିବୁ, ହୁଏତ ଏ ଚିଠି ପଢିଲା ବେଳକୁ ମୁଁ ଥିବି କି ନଥିବି...... l ମୋର ଶେଷେ ଇଚ୍ଛା ପୂରଣ କରିବୁ ମୋର ସାରା ଜୀବନର ଅର୍ଜିତ ସମ୍ପତି ଏଇ ବ୍ୟାଗ ରେ ଅଛି ଏବଂ ଗାଁ ରେ ଥିବା ସମସ୍ତ ଜମି କଥା ତୁ ବୁଝୁ ତେଣୁ ଏ ସବୁ ଉପଯୋଗ କରି ଆମରି ଘରକୁ ଏକ ଜରାଶ୍ରମ କରି ଗଢ଼ିବୁ l ବୟସର ଅପରାହ୍ନ ରେ ଅବହେଳିତ ହେଉଥିବା ମଣିଷ ଙ୍କୁ ଆଶ୍ରୟ ଦେବୁ l ତାର ନାମ ଦେବୁ "ସାୟାହ୍ନ ର ସୂର୍ଯ୍ୟ "l ମୋର ବିଶ୍ୱାସ ମୋର ଏହି ମହତ ଉଦ୍ଦେଶ କୁ ତୁ ଓ ତୋର ଗଢ଼ିଥିବା ସୁନା ସଂସାର ସହଯୋଗ କରିବେ l ଆଉ ପଦିଏ ମୋ ପୁଅ ରବି କୁ ଚିଠି ଟିଏ ଦେବୁ, କହିବୁ ତୋ ବାପା ପାଇଁ ଆଉ ଚିନ୍ତା କରିବୁନି ସେ ଆଉ କାହାରିକୁ ହଇରାଣ କରିବେନି ସେ ତାଙ୍କ ମା ର ଅଭୟ କୋଳରେ ବିଶ୍ରାମ କରୁଛନ୍ତି..... ଇତି
ରମୁ
