ସାଧନା
ସାଧନା
ଦାଣ୍ଡ ଦୁଆର ମୁହଁରେ ସୁନ୍ଦର ବେଦୀ ଲିପି ଝୋଟି ପଡିଛି, ତାରି ଉପରେ ଶୋଭା ପାଉଛି ସୁନ୍ଦର ପୂର୍ଣ୍ଣ କଳସ ଟିଏ l ଘର ବାହାର ସୁନ୍ଦର ସୁଶୋଭିତ ଆଲୋକ ମାଳା ରେ ସୁସଜ୍ଜିତ l ସମସ୍ତେ ଚଳ ଚଞ୍ଚଳ, ବୋହୂ ଗାଡି ଆସି ଦାଣ୍ଡ ରେ ଠିଆ ହେଲାଣି l ବନ୍ଧୁ ବାନ୍ଧବ ସବୁ ଡାକ ଦେଲେଣି, ନମିତା ଦେବୀ ଗଲେ କୁଆଡେ! ବୋହୂ କୁ ବନ୍ଦାପନା କରି ଘରକୁ ଆଣିବାକୁ ପଡିବ l ତାଙ୍କରି ସାନ ଭାଉଣୀ ମମତା ମାଉସୀ ଭାରି ବ୍ୟସ୍ତ ହୋଇ ତାଙ୍କୁ ଖୋଜୁ ଥାନ୍ତି, ବନ୍ଦାପନା ଥାଳି ସଜଡ଼ା ସରିଛି l ସେ ଯାଇ ଦେଖିଲେ ଘର ବାରି ପଟରେ ନିତ୍ୟାନନ୍ଦ ବାବୁ ଚୌକି ରେ ବସିଛନ୍ତି ପାଖରେ ଛିଡା ହୋଇଛନ୍ତି ନମିତା ଦେବୀ l
ମମତା - ଆଲୋ ନାନୀ ଏଠି କ'ଣ ଖୁଣ୍ଟ ଟି ପରି ଛିଡା ହେଇଛୁ, ବୋହୂ ପରା ଦୁଆରେ ଅଛି l ଆସେ ବନ୍ଦାପନା କରି ଘରକୁ ଆଣିବା l
ନମିତା ଦେବୀ- ତୁ ସେ କାମ ସାରିଦେ....
ମମତା - ସବୁ ମାନଭିମାନ ଛାଡେ ନାନୀ, (ହାତକୁ ଧରି ଟାଣି ନେଇ) ଆ ଯିବା....
ଏପଟେ ଗାଡି ରେ ବସିଥାଏ ସାଧନା l
ନାରୀ ଜୀବନ ର ନୂତନ ମୋଡ଼ର ଏ ହେଉଛି ପ୍ରଥମ ପାଦ l ନିଜର ଆତ୍ମୀୟ ସ୍ୱଜନ ଠାରୁ ବିଦାୟ ନେଇ, ଜନ୍ମ ମାଟି ଠାରୁ ଦୀର୍ଘ ଦୁଇଶହ ତିରିଶ କିମି ଦୂର ରେ ତାର ଏ ନୂତନ ଠିକଣା l ବାପା ଙ୍କ ର ସେହି କାନ୍ଦିଲା ମୁହଁ, ଜେଜେ ମା ଙ୍କ ସ୍ନେହ, ସାଙ୍ଗ ସାଥୀ ଏମିତି ସମସ୍ତ ଙ୍କ କଥା ଭାବି ଅବିରତ ଲୁହ ବହିଯାଉଥାଏ l ପୁଣି କାହିଁକି ଏତେ ବିଳମ୍ୱ ହେଉଛି, କିଏ କାହିଁ ବନ୍ଦାପନା କରିବାକୁ ଆସୁ ନାହାନ୍ତି!
ହଠାତ କାହା ର ସ୍ପର୍ଶ ରେ ସେ ଚମକି ପଡିଲା l ଓଢଣା କୁ ସେ ମହିଳା ଜଣକ ସଜାଡି ଦେଇ ବାମ ଗୋଡ଼ ଟି ଆଗ ବାହାର କରିବାକୁ ନିର୍ଦ୍ଦେଶ ଦେଲେ, କିଛି ଭାବିବାକୁ ସମୟ ନାହିଁ l ଘରକୁ ଧୀରେ ଧୀରେ ମୁଣ୍ଡ ନୂଆଇଁ ଚାଲିଥାଏ, ସେପଟେ କେହି ଜଣେ ମୋ ମୁଣ୍ଡ ଟିକୁ ଆହୁରି ତଳକୁ ଠେଲୁ ଥାନ୍ତି l ହୁଳୁହୁଳି ଶବ୍ଦ ରେ ଘରଟି ପୁରି ଉଠୁଥାଏ l ସବୁ କିଛି ନୁଆଁ ନୁଆଁ ଲାଗୁଥିଲା l ଏପଟେ ନଇଁ ନଇଁ ଅଣ୍ଟା ବିନ୍ଧିଲାଣି l କାହାର ତାଗିଦ ରେ ମୁଁ ପୁଣି ଚମକି ପଡିଲି l ଗୋଟିଏ ଦୀପ ମିଞ୍ଜି ମିଞ୍ଜି ଜଳୁଥାଏ, ଠାକୁର ଘରେ ବୋଧେ l "ଘର ଇଷ୍ଟ ଙ୍କୁ ପ୍ରଣାମ କରେ, ତା ପରେ ଶାଶୁ ଶ୍ୱଶୁର ଙ୍କୁ ମୁଣ୍ଡିଆ ମାରିବୁ l "ତାଙ୍କ ନିର୍ଦ୍ଦେଶ ଅନୁସାରେ ସବୁ କଲି l ତାପରେ ସେ ମୋତେ ଗୋଟିଏ ରୁମ କୁ ନେଇଗଲେ, ସମସ୍ତ ଙ୍କୁ କହିଲେ ତାକୁ ଟିକେ ଏକା ଛାଡି ଦିଅ ଏତେ ଦୂରରୁ ଆସିଛି ଥକି ଯିବଣି l ସେହି ସ୍ୱର ରେ ଯେପରି ଭାରି ଅତ୍ମୀୟତା ଅନୁଭବ ହେଉଥିଲା l କିଛି ସମୟ ପରେ ଜଣେ ମହିଳା ହାତରେ କିଛି ଥଣ୍ଡା ପାନୀୟ ଆଣି ମୋତେ ଦେଲେ, ଏତିକି ଭିତରେ ଜାଣିନେଇଥାଏ ସେ ୟାଙ୍କର ମମତା ମାଉସୀ ବୋଧେ l ମୋ ମଥା ରୁ ଓଢ଼ଣୀ ଟିକୁ ଖସେଇ କହିଲେ, ଏଠି କେହି ନାହାନ୍ତି ଟିକେ ଆରାମ ରେ ବାସେ ଏଇ ପଣା ଟିକୁ ପଇଦେ... ଆଉ ଗୋଟିଏ କଥା କହୁଛି ଶୁଣେ ତୋ ଶାଶୂ କଥା ଜମାରୁ ଦିହକୁ ନେବୁ ନି, ତା ହୃଦୟ ଟା ଭାରି କୋମଳ l ମୁଁ କିଛି ବୁଝି ପାରୁନଥିଲି ତଥାପି ମୁଣ୍ଡ ଟୁଙ୍ଗାରି ଆଜ୍ଞା କହିଲି l
ରାତି ବଢ଼ି ବଢ଼ି ଚାଲିଛି, ରୁମ ଟିର ସାଜ ସଜ୍ଜା ମୋ ମନର ଉଦବିଗ୍ନତା କୁ ଦୁଇ ଗୁଣ କରୁଥିଲା l ଗହଳି ଚହଳି ବି ପତଳା ହେଲାଣି l ସେ କୁଆଡେ ଗଲେ,ଏପଟେ ମାଉସୀ ଏମିତି କାହିଁକି କହିଲେ? କାହିଁ ମୁଁ ଆସିଲା ବେଳଠୁଁ ତାଙ୍କୁ ଦେଖୁନି.....? ମୋ ଉପରେ କ'ଣ ରାଗିଛନ୍ତି..? ମୁଁ ତ କିଛି ଭୁଲ କରିନି!
ଏମିତି ଅନେକ ଭାବନା ରେ ସେ ମଜ୍ଜି ଥିବା ଭିତରେ ଆସି ପହଁଚିଲେ ତାର ସ୍ୱାମୀ ସୁଧୀର, ସଙ୍ଗେ ସଙ୍ଗେ ସେ ଖଟ ରୁ ଓହ୍ଲେଇ ଆସି ମୁଣ୍ଡିଆ ମାରିଲା, ସୁଧୀର ହସି ତା 'ହାତ ଧରି ନେଇ ଖଟ ରେ ବସାଇଲା l ସାଧନା ର ହୃଦ ସ୍ପନ୍ଦନ ବଢ଼ି ଚାଲିଥାଏ, ସୁଧୀର ର ଏହି ସ୍ନେହ ଭରା ସ୍ପର୍ଶ ପାଇ l ସୁଧୀର, ସାଧନା ର ହାତ ଧରି କହିଲା -"ବୁଝିଲ ସାଧନା ତୁମକୁ ପାଇବା ପାଇଁ ମୁଁ କମ କଷ୍ଟ କରିନି, ମୋର ବିଶ୍ୱାସ ତୁମେ କେବେ ମୋତେ ହାରିବାକୁ ଦେବନି "l କିଛି ବୁଝି ପାରିଲାନି ସେ, ଏ କ'ଣ କହୁଛନ୍ତି ସେ! ବାପା ଓ ମଉସା ତ ମିଶିକି ଆମ ବାହାଘର ସ୍ଥିର କରିଥିଲେ ତ..
ସେ ଚୁପି ଚୁପି ପଚାରିଲା ଏମିତି କ'ଣ କହୁଛ? ମୁଁ କିଛି ବୁଝିପାରୁନି..
ସୁଧୀର -ତୁମ ତ ଜାଣ ବାପା ଓ ମଉସା କେତେ ଘନିଷ୍ଠ l ସେ ମୋ ସହ ତୁମ ବଡ଼ ଭଉଣୀ ସୁଧା ର ବାହାଘର ସ୍ଥିର କରିଥିଲେ l ତୁମେ ଏ କଥା ଜାଣିନ,କାରଣ ତୁମେ ମାମୁଁ ଘରେ ରହି ପଢୁଥିଲ l କିନ୍ତୁ ଯେବେ ମୁଁ ବାପା ଙ୍କ ସହ ତୁମ ଘରକୁ ଯାଇଥିଲି, ତୁମେ ପ୍ରଥମ ଦେଖା ରେ ହିଁ ମୋ ମନ କିଣି ନେଇଥିଲ l ତୁମ ଶାନ୍ତ, ସରଳ ଓ ନିଷ୍କପଟ ବ୍ୟବହାର ମୋତେ ବିମୋହିତ କରିଥିଲା l ତେଣୁ ମୁଁ ବାପା ଙ୍କୁ ଅନୁରୋଧ କଲି ତୁମ ସହ ମୋ ବାହାଘର କରିବା ପାଇଁ l ପ୍ରଥମେ ତ ସେ ମୋ ପ୍ରସ୍ତାବ କୁ ପ୍ରତ୍ୟାଖାନ କଲେ... ମୋର ବହୁ ପ୍ରଚେଷ୍ଟା ରେ ସେ ହଁ ଭରିଲେ, କିନ୍ତୁ ମୁଁ ଜାଣେ ସେ ଖୁସି ନାହାନ୍ତି କାରଣ ସେ ସୁଧା କୁ ମନେ ମନେ ଏ ଘରର ବୋହୂ ରୂପେ ଦେଖିଥିଲେ l ମୋ ବୋଉ ତାଙ୍କର ଅନୁଗାମୀ ତେଣୁ ସେ ମଧ୍ୟ ବାପା ଙ୍କ ମତରେ ସହ ମତ l ତେଣୁ ତୁମର ଏ ନୂତନ ଜୀବନ ଏତେ ସହଜ ନ ହେଲେ ମଧ୍ୟ ତୁମେ ମୋ ହାତ ଛାଡିବନି l ଆମେ ଦୁହେଁ ଏକ ମନ ହୋଇ ସଂସାର ରଥ କୁ ଆଗେଇ ନେବା l"
ମନେ ମନେ ନିଜକୁ ଭାରି ଭାଗ୍ୟବାନ ମନେ କରୁଥିଲା ସାଧନା l ତାର ଅଜାଣତରେ କେହି ଜଣେ ତାକୁ ଏତେ ପସନ୍ଦ କରୁଥିଲା l ତା ମନର ସାଦା କାଗଜ ରେ ଆଜି ପ୍ରେମ ଛିଟା ପଡି ଗାଢ଼ ନାଲି ରଙ୍ଗ ରେ ସୁଧୀର ର ନାମ ରଙ୍ଗାୟିତ ହୋଇଗଲା l ସେ ଦୃଢ ପ୍ରତିଜ୍ଞା କଲା ସ୍ନେହ, ଶ୍ରଦ୍ଧା ଓ ଭଲପାଇବା ର ଅପାର ସାଗରକୁ ଢାଳିଦେଇ ସେ ନିଜର ଘରକୁ ବୈକୁଣ୍ଠ କରି ଗଢି ତୋଳିବ l ଦୁଇ ଶରୀର ର ଏକ ପ୍ରାଣ ହୋଇ ମଧୁ ଯାମିନୀ ପହିଲା l ଭୋର ରୁ ଉଠି ସାଧନା ନିତ୍ୟ କର୍ମ ସାରି ଶାଶୂ ଶ୍ୱଶୁର ଙ୍କୁ ଓଳଗି ହେଲା l
ସେମାନେ କିଛି ନ କହି ମୁହଁ ବୁଲାଇ ଚାଲି ଗଲେ l ସାଧନା ମନ କୁ ଦୃଢ କରି ଆଖିରୁ ବହି ଆସୁଥିବା ଲୁହ କୁ ଅଟକାଇ ହସି ହସି ଚାଲିଲା ରୋଷେଇ ଘରକୁ l ମମତା ମାଉସୀ ଙ୍କୁ ପଚାରି ରୋଷେଇ କରିବାକୁ, ମାଉସୀ କହିଲେ -ନୂଆବୋହୂ ଟା ପାଦରୁ ଅଳତା ଛାଡ଼ିନି ତୁ ଏବେ ବସେ, ତୋ ଘର.....ତୋ ଦୁଆର..... ତୁ ହିଁ ସବୁ କରିବି ଏଇ କେତେଟା ଦିନ ଆମେ ପାରେଇ ଦେବୁ, ତୁ ସବୁ ଶିଖିଯିବୁ l
ସେ ଦିନ ଥିଲା ସାଧନା ର ପ୍ରଥମ ରୋଷେଇ l ରୋଷେଇ ବାସ ରେ ଖୁବ ଧୂରନ୍ଧର ସାଧନା, ପିଲାଟି ଦିନରୁ ମା ନାହାନ୍ତି ମାଇଁ ଘରେ ତା ର ଜୀବନ ବିତିଛି... l ଏପଟେ ରୋଷେଇ ରେ ବ୍ୟସ୍ତ ସାଧନା ର କୁଆଡ଼କୁ ନିଘା ନାହିଁ, କିଏ ଆସି ତାକୁ ପଛରୁ ଟାଣି ଧରିଲେ l ସେ ପାଟି କରି ଉଠିଲା ବେଳେ ତା ପାଟି କୁ ଭିଡି ଧରିଲେ l ସେ ଆଉ କେହି ନୁହେଁ.... ସୁଧୀର l ତୁମେ... ଏଠି କ 'ଣ କରୁଛ, ମୋତେ ପୁଣି ଗାଳି ଶୁଣେଇବା ର ଯୋଜନା ଅଛି ନା କ'ଣ l ସୁଧୀର -ରାଗୁଛ କାହିଁକି ଯେ ଏମିତି ଆସିଥିଲି ବାପା, ମା ' ଙ୍କୁ କେଉଁ ଖାଦ୍ୟ ପସନ୍ଦ ନା ପସନ୍ଦ କହିବାକୁ l ହୋଉ ଧନ୍ୟବାଦ.... ମୁଁ ମାଉସୀ ଙ୍କ ଠାରୁ ସବୁ ବୁଝି ନେଇଛି ତୁମେ ଏବେ ଆସିପାର... ହସି ହସି ସୁଧୀର ଚାଲି ଆସିଲା ରୋଷେଇ ଘରୁ l
ସମସ୍ତେ ଖାଇବାକୁ ବସିଲେ, ନିତ୍ୟାନନ୍ଦ ବାବୁ ଆଉ ନମିତା ଦେବି ମନା କରୁଥିଲେ କିନ୍ତୁ ମମତା ମାଉସୀ ତାଙ୍କୁ ବୁଝାଇ ଆଣି ବସାଇଲେ, ଏମିତି ହୁଅନା ବନ୍ଧୁବାନ୍ଧବ କ 'ଣ ଭାବିବେ l ଦୁଇ ଜଣ ଖାଦ୍ୟ ର ମହକ ରେ ବିମୋହିତ ହୋଇ ଗଲେ l ନ ଚାହୁଁଥିଲେ ମଧ୍ୟ ନିତ୍ୟାନନ୍ଦ ବାବୁ ଙ୍କ ପାଟିରୁ ବାହାରି ପଡିଲା -ଶୁଣିଲ ନମିତା ଆଜି ବେସର ଟି ତୁମ ହାତ ତିଆରି ଠୁଁ ବି ବେଶ ଭଲ ଲାଗୁଛି..
ଏପଟେ ରୋଷେଇ ଘରେ ସାଧନା ଏତେ ଖୁସି ହୋଇଗଲା ଯେପରି ସେ ଗୋଟିଏ ବଡ଼ ପରୀକ୍ଷା ରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣ ହେଲା l
ଦିନ ପରେ ଦିନ ବିତି ଚାଲିଲା, ସାଧନା ନିଜର ସେବା, ଶୁଶ୍ରୁଷା ରେ ସମସ୍ତ ଙ୍କୁ ଆପଣାର କରିନେଲା l ସାହି ପଡିଶା ସଭିଙ୍କ ମୁଖରେ ତା 'ର ଭୁରି ଭୁରି ପ୍ରଶଂସା l ଏଥିପାଇଁ ସେ କମ କଷ୍ଟ କରିନି, "କୁହାଯାଏ ଦୁହିତା ଦୁଇ କୁଳକୁ ହିତା "l କିନ୍ତୁ ସେ ଆଉ ଥରେ ବି ବୁଲିକି ଚାହିଁନି, ସେ ନିଜର ସଂସାର ସଜାଡିବା ରେ ଏତେ ବ୍ୟସ୍ତ ଯେ ନିଜର ଶଯ୍ୟାଶାୟୀ ପିତା ଙ୍କୁ ମଧ୍ୟ ଦେଖିବାକୁ ଯାଇପାରିନି l କାରଣ ତା ଶାଶୁ ଙ୍କର ଦେହ ପ୍ରାୟ ଖରାପ ରହୁଥିଲା, ଘରର ସେ ଏକ ମାତ୍ର କୁଳବଧୂ l ସବୁ ଠିକ ହୋଇ ଆସୁଥିବା ବେଳେ ତା ' ଉପରେ ଦୁଃଖର ପାହାଡ଼ ଖସି ପଡିଲା l ଗୋଟିଏ ଦୁର୍ଘଟଣା ରେ ତାର ଶାଶୁ ଚାଲିଗଲେ ଆରପାରିକୁ ଆଉ ନିତ୍ୟାନନ୍ଦ ବାବୁ ଙ୍କର ଗୋଡ଼ ଭାଙ୍ଗି ହେଲେ ସେ ଶଯ୍ୟାଶାୟୀ l
ଗାଁ ଲୋକଙ୍କ ଟୁପୁରୁ ଟାପର ସେ ଦିନ ପଡିଲା ସାଧନା କାନରେ,"ଦେଖ ଜନ୍ମ ହୋଉ ହୋଉ କାଳେ ମା 'କୁ ଖାଇ ଥିଲା ଏବେ ଦେଖ ବାହାଘର ର ବରଷେ ନ ପୁରୁଣୁ ଶାଶୁ!" ନିଜକୁ ଭାରି ଅସହାୟ ମଣୁଥିଲା ସାଧନା l ନିଜ ରୁମ ରେ କବାଟ କିଳି ବୁକୁଫଟା କୋହ କୁ ନିଗାଡ଼ି କାନ୍ଦୁଥିଲା ସେ, ସେପଟେ ସୁଧୀର ର କବାଟ ବାଡେଇ ଡାକୁଥାଏ କିନ୍ତୁ ସାଧନା ନିଜ ଦୁଃଖ ଭିତରେ ଏମିତି ବୁଡି ଯାଇଥିଲା ତାକୁ ଆଉ ବାହାରୁ କିଛି ଶୁଭୁ ନଥିଲା l ତାର ପିଲାଟି ଦିନରୁ ସବୁ କଥା ଗୋଟିଏ ଗୋଟିଏ ଦୃଶ୍ୟ ହୋଇ ନାଚି ଉଠୁଥିଲା ମାନସ ପଟରେ l ସେ ଯେତେବେଳେ ପ୍ରକୃତିସ୍ଥ ହେଲା ସେ ଶୁଣି ପାରିଲା ସୁଧୀର କୁ l କବାଟ ଖୋଲିଲା, ସୁଧୀର ତାକୁ ଆଶ୍ୱାସନା ଦେଲା ଏବଂ କହିଲା-ଇଏ ହିଁ ଆମର ପ୍ରକୃତ ପରୀକ୍ଷା ର ସମୟ l ତୁମେ ଧର୍ଯ୍ୟ ହରା ହୁଅନା, ତୁମେ ଏମିତି ହେଲେ ଘର କୁ, ମୋତେ, ବାପା ଙ୍କୁ କିଏ ସମ୍ଭାଳିବ l ଆଜି ମୁଁ ମଧ୍ୟ ତୁମ ଭଳି ଏତେ ବଡ଼ ଦୁନିଆରେ ନିସ୍ଵ l କଥାରେ ଅଛି ପରା-" ଯାର ମା'ନାହିଁ ତାର କେହି ସାହା ନାହିଁ "l ସାଧନା ଆଖିରୁ ଲୁହ ପୋଛି ଉଠିବସିଲା l ସୁଧୀର ର ହାତ ଧରି କହିଲା, ତୁମେ ବି ଏମିତି ଭାଙ୍ଗି ପଡନା l ବାପା ଙ୍କୁ ଦେଖୁଛ, ତାଙ୍କୁ କିପରି ଆରୋଗ୍ୟ କରିବା ତାହା ଆମ ପ୍ରଥମ କର୍ତ୍ତବ୍ୟ l
ସାଧନା ର ସାଧନା ପଥ ଆହୁରି କଠିନ ହୋଇଗଲା ଯେତେବେଳେ ସୁଧୀର ର ବଦଳି ଅନ୍ୟ ଏକ ଜିଲ୍ଲା କୁ ହୋଇଗଲା l ପୁଣି ଏପରି ଏକ ଜାଗା କୁ ଯେଉଁଠି ସେ ନିଜର ବାପା ଓ ସ୍ତ୍ରୀ କୁ ନେଇ ଯାଇପାରିବ l କାରଣ ବାପା ଶଯ୍ୟାଶାୟୀ, ତାଙ୍କର ଆବଶ୍ୟକତା କି ଆଖିରେ ରଖି ସବୁ ବ୍ୟବସ୍ଥା କରିଥିଲା ଘରେ l ଏବେ ଜଣେ ସମ୍ପର୍କୀୟ ଭାଇ ଆସି ବାପା ଙ୍କ ଚିକିତ୍ସା ବି ଘରେ କରି ଯାଉଥିଲେ l ଏବେ ସବୁ କାମ ଏକୁଟିଆ ସାଧନା କୁ କରିବାକୁ ପଡିବ l ମୁହଁ ରେ ଏକ ଅମଳିନ ହସ ଟିଏ ରଖି ସେଦିନ ବିଦାୟ ଦେଲା ସୁଧୀର କୁ, ପ୍ରତିଶ୍ରୁତି ଦେଇ କହିଲା ଜମା ବ୍ୟସ୍ତ ହୁଅନି ବାପା ଙ୍କ ର କିଛି ଅସୁବିଧା ହେବନି l
ସାଧନା, ଭୋର ରୁ ଉଠି ନିଜର ଶୌଚ ସାରି ଘରର ପୂଜାବିଧି କରି ନିତ୍ୟାନନ୍ଦ ବାବୁ ଙ୍କ ସେବା ଆରମ୍ଭ କରେ l ଗୋଟିଏ ମା ଯେପରି ଛୋଟ ଶିଶୁ ର ଯତ୍ନ ନିଏ ସେପରି ସେ ତାଙ୍କୁ ଗାଧୋଇ ଦିଏ, ଖୁଆଇ ଦିଏ (କେତେ ମନ ଭୁଲାଣିଆ କଥା କୁହେ ) ଏବଂ ଯେ କୌଣସି କାର୍ଯ୍ୟ କଲା ବେଳେ ବି ସେ ନଜର ରଖିଥାଏ ଶ୍ୱଶୁର ଙ୍କ ଉପରେ l ତାଙ୍କ ର ଶଯ୍ୟା ଟିକୁ ସେ ଘୁଞ୍ଚାଇ ଆଣିଥିଲା ରୋଷେଇ ଘର ନିକଟୁ l ନିଜେ ଖାଇଲା ବେଳେ ବି ନଜର ହଟେନି ତାର ନିତ୍ୟାନନ୍ଦ ବାବୁ ଙ୍କ ଉପରୁ l ଯେଉଁ ଲୋକ ମାନେ ତାକୁ ଅଶୁଭ ବୋଲି ଖୁଣ୍ଟା ଦେଉଥିଲେ ସେମାନେ ବି ଚକିତ ହୁଅନ୍ତି ସାଧନା ର କର୍ତ୍ତବ୍ୟ ନିଷ୍ଠା ରେ l ନିତ୍ୟାନନ୍ଦ ବାବୁ ବି ଏବେ ଶଯ୍ୟା ରେ ପଡି, ବୋହୂ ସାଧନା ର ସେବା ଶୁଶ୍ରୁଷା ଦେଖି ଅତୀତ ରେ କରିଥିବା ବ୍ୟବହାର କୁ ଭାବି ମର୍ମାହତ ହୁଅନ୍ତି l କିନ୍ତୁ ସାଧନା, ତାଙ୍କ ଆଖିରେ ଲୁହ ଜକେଇ ଆସିଲେ ସବୁ ବୁଝି ଯାଏ l ତାଙ୍କୁ ଜନ୍ମଦାତ୍ରୀ ମା ପରି ବୁଝେଇଦିଏ l ତା 'ର ଅସୀମ ସ୍ନେହ, ଶ୍ରଦ୍ଧା, ସେବା ରେ ସେ ଖୁବ ଶୀଘ୍ର ଆରୋଗ୍ୟ ହୁଅନ୍ତି l ଏବେ ସେ ଆଗ ଭଳି ଚଲାବୁଲା କଲେଣି l ଏବେ ଘରେ ଖୁସିର ଲହରୀ, ସାଧନା ଏବେ ଏକ ସୁନ୍ଦର ପୁତ୍ର ସନ୍ତାନ ର ଜନନୀ l ନିତ୍ୟାନନ୍ଦ ବାବୁ ଏବେ ନାତି ମୋହରେ, ଦିନ ରାତି ତା '
ସହ ଲାଗିଥାନ୍ତି l ବେଶ ହସଖୁସି ର ପୁରି ଉଠୁ ଥିଲା ସାଧନା ର ସଂସାର କେବଳ ଆଉ ଜଣକ ଶୂନ୍ୟସ୍ଥାନ ତାକୁ ସର୍ବଦା ଦୁଃଖ ଦେଉଥିଲା, ସେ ହେଉଛନ୍ତି ନମିତା ଦେବୀ l ତାଙ୍କ ପାଇଁ ସେ କିଛି କରିପାରିଲାନି ସେ ଅବଶୋଷ ସର୍ବଦା ରହିବ l ସେ ଦିନ ତାରା ଭରା ଆକାଶ ରେ ଖୋଜୁଥିଲା ମାତୃ ସଦୃଶା ଜହ୍ନ କୁ....
