ଭଡ଼ାଘର
ଭଡ଼ାଘର


ସେଦିନ ଅପରାହ୍ନରେ ଭୁବନେଶ୍ବର ଯିବା ପାଇଁ ମୁଁ ବିଜୟୱାଡ଼ା ଷ୍ଟେସନରେ ଅପେକ୍ଷା କରିଥାଏ। ଅସହ୍ୟ ଗୁଳୁଗୁଳି ସହ ବେଳକୁ ବେଳ ଟ୍ରେନ ଆସିବା ବିଳମ୍ବ ହେଉଥିବାରୁ ବିରକ୍ତି ଓ ହତାଶା ମୋର ତୀବ୍ରତର ହେବାରେ ଲାଗିଥାଏ। ଯେହେତୁ ଘରକୁ ଯିବାର ଆଦମ୍ଯ ମୋହରେ ପ୍ରିମିୟମ୍ ତତ୍କାଳରେ ଢେର୍ ଅଧିକ ଦାମରେ ଟିକଟ କରିଥିଲି, ରେଳବାଇ ସହ ସରକାରଙ୍କ ଉପରେ ମଧ୍ଯ ରାଗ ଆସୁଥାଏ।
ସେତେବେଳେ କେହି ମୋତେ ଫୋନ୍ କରୁଥିଲେ ମୁଁ କ୍ରୋଧ ସମ୍ବରଣ କରି ନପାରି ବର୍ଷୁଥିଲି ସରକାରଙ୍କ ଜନମାରଣ ନୀତିକୁ ନେଇ। ଯେବେ ଅର୍ଥନୀତି ବାଟବଣା ହୋଇଯାଏ, ସରକାର ଅଦିନିଆ ରଥଟଣା ଆରମ୍ଭ କରି ଦିଅନ୍ତି। ବିଭିନ୍ନ ସ୍ରୋତରୁ ଆସୁଥିବା ଆୟ ବଢ଼ାଇବା ପାଇଁ ଫନ୍ଦି ଫିକର କରନ୍ତି, ଯାହାର ବୋଝ ସାଧାରଣ ଲୋକଙ୍କ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ପଡ଼େ। ଏଇ ଯେମିତି ରେଳ ଭଡ଼ା ବଢ଼ିବାରେ ଲାଗିଛି ପ୍ରତି ବର୍ଷ। କିନ୍ତୁ ସୁବିଧା ସୁଯୋଗ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆଜିକାଲି ସବୁ କିଛି ପାଇଁ ଚାର୍ଜ୍ ଦେବାକୁ ପଡୁଛି ରେଳଯାତ୍ରା ସମୟରେ। ହୁଏତଃ କିଛି ଲୋକଙ୍କୁ ମାଗଣାରେ ଯୋଗାଇ ଦିଆଯାଉଥିବା ସେବାର ମୂଲ୍ୟ ସକ୍ଷମ ବର୍ଗର ଯାତ୍ରୀଙ୍କ ଠାରୁ ଆଦାୟ କରାଯାଉଛି!
ଦୀର୍ଘ ଆଠ ଘଣ୍ଟା ଧରି ବିଳମ୍ବ, ସେଥିରେ ପୁଣି ରେଳବାଇ କର୍ତ୍ତୃପକ୍ଷଙ୍କ ବାରମ୍ବାର ସେଇ ଖାମଖିଆଲି ପ୍ରତ୍ୟୁତ୍ତର, "ଗାଡ଼ି ବାଟରେ ଅଟକିଛି, ଅପେକ୍ଷା କର ଆସିବ ଘଣ୍ଟାଏ ପରେ"। ମୋ ଜୀବନରେ ଏଭଳି ସ୍ଥିତି ଆଗରୁ କେବେ ଆସି ନାହିଁ। ପ୍ରଥମ ଅନୁଭୂତି କିନ୍ତୁ ମୋର ଧୈର୍ଯ୍ୟ ଚ୍ୟୁତି ଘଟୁଥାଏ ବେଳକୁ ବେଳ। ଠିକ୍ ଏତିକି ବେଳେ ମୋ ସାନଭାଇର ଫୋନ୍ ଆସିଲା ଭୁବନେଶ୍ଵରରୁ, ସବୁ ରାଗ ସୁଝାଇଦେଲି ତା' ଉପରେ ଏକା ନିଃଶ୍ବାସକେ, ଜରୁରୀକାଳୀନ ପରିସ୍ଥିତିରେ ଟିକଟ ଯୋଗାଡ଼ କରିଥିବାର ପ୍ରତିଦାନରେ!
ସ୍ଥିତପ୍ରଜ୍ଞ ପିଲାଟେ ମୋ ଭାଇ। ସେ ସବୁ ଶୁଣି କରି ହସିଲା। ହସିବାର ବି କାରଣ ଥିଲା। ପ୍ରଥମତଃ ଟ୍ରେନ୍ ବିଳମ୍ବିତ ଥିବା ତାକୁ ଜଣା ଥିଲା।ଦ୍ବିତୀୟତଃ ମୋର ରାଗ ବହୁଦିନରୁ ଦେଖିବାକୁ ସୁଯୋଗ ପାଇନଥିବାରୁ ତାକୁ କୌତୁକ ଲାଗୁଥିଲା। ମୁଁ ସେମିତି ଅନର୍ଗଳ କହି ଚାଲୁଥାଏ ଆଉ ସେ ଶୁଣି ଚାଲିଥାଏ। ପରିଶେଷରେ ସେ କହିଲା, "ହଉ ହେଲା, ଯଦି ଏତେ ଡ଼େରି ହେଉଛି ତେବେ ବସାକୁ ଫେରିଯା, କିଏ ତୋତେ ବାଧ୍ଯ କରୁଛି ଏଠିକୁ ଆସିବାକୁ... "
ତା'ର ଏଇ କଥା ପଦକରେ ମୋର ସବୁ କ୍ରୋଧ ଦୂରେଇ ଗଲା। ମୁଁ ଲକ୍ଷ୍ୟ କଲି ଯେ, ଅନତି ଦୂରରେ ଜନୈକ ପ୍ରୌଢ଼ ବ୍ଯକ୍ତି ମୋତେ ଢେର ସମୟ ଧରି ଚାହିଁ ରହି ମୁରୁକି ମୁରୁକି ହସୁଛନ୍ତି। କିଛି ବୁଝିବା ପୂର୍ବରୁ ନିଜକୁ ନିଜେ ଟିକେ ପରଖି ନେଲି କାଳେ କଣ ବିସଙ୍ଗତି ଦେଖି ସେହି ପ୍ରୌଢ଼ ବ୍ଯକ୍ତି ହସୁଥିବେ ବୋଲି ! ପରବର୍ତ୍ତୀ କ୍ଷଣରେ ସେହି ଭଦ୍ର ବ୍ଯକ୍ତି ମୋ ପାଖକୁ ଆସି ସ୍ମିତହସି ପଚାରିଲେ, "ଆଜ୍ଞା! କୁଆଡ଼େ ଯିବେ?" "ଭୁବନେଶ୍ବର" ବିନମ୍ରତାର ସହିତ ପ୍ରତ୍ୟୁତ୍ତରରେ ମୁଁ କହିଲି। "ଆଛା, ମୁଁ ବି ଯାଉଛି ଭୁବନେଶ୍ଵର। ଭଲ ହେଲା, ଦୀର୍ଘ ଯାତ୍ରା ପାଇଁ ସହଯାତ୍ରୀଟିଏ ତ ମିଳିଲା।" କହିଲେ ସେ।
ପରସ୍ପର ସହ ପରିଚୟ ଆଦାନ ପ୍ରଦାନର ପର୍ବ ସମାପନ ଅନ୍ତେ, ଆରମ୍ଭ ହୋଇଥିବା ଆମର ଆଳାପ ବେଶ୍ ସ୍ମୃତି ମଧୁର ହେଉଥିଲା। ଆଉ ଟ୍ରେନ୍ କଥା ମନେପଡ଼ିଲା ନାହିଁ। ଜୀବନର ସତୁରିଟି ଫଗୁଣ ପାର କରିଥିବା ସେହି ଭଦ୍ର ବ୍ୟକ୍ତି ଥିଲେ ଜଣେ କାଶ୍ମୀର ପଣ୍ଡିତ, ନିଜର ପୂର୍ବ ପୁରୁଷଙ୍କ ଭିଟାମାଟିରୁ ବିତାଡ଼ିତ ଦିନେ ଆପଣାର ମଣୁଥିବା ଲୋକଙ୍କ ଦ୍ୱାରା ସରକାରୀ କଳର ନୀରବ ଅଥଚ ପ୍ରଚ୍ଛନ୍ନ ପ୍ରୋତ୍ସାହନରେ! ସର୍ବସ୍ବ ଲୁଟ୍ ହୋଇଯିବା ପରେ ମଧ୍ୟ ସେ ବଞ୍ଚିଛନ୍ତି ଅସୀମ ଧୈର୍ଯ୍ୟ ସହ ଦିନେ ନା ଦିନେ ଉଜୁଡ଼ା ଭିଟାମାଟିକୁ ଫେରି ପାଇବାର ଅନନ୍ତ ପ୍ରତୀକ୍ଷାରେ।
କହୁ କହୁ ସେ ପ୍ରକାଶ କରିଥିଲେ ଯେ, "କାଶ୍ମୀର ଉପତ୍ୟକାର ଅନନ୍ତନାଗ ଜିଲ୍ଲାରେ ଆମର ଥିଲା ପୈତୃକ ଗ୍ରାମ, ସେଠାରେ ଥିଲା ଆମର ବୃହତ୍ତ ଯୌଥ ପରିବାର, ବିସ୍ତୀର୍ଣ୍ଣ ଚାଷଜମି, ବିସ୍ତୃତ ଫଳ ବଗିଚା ଓ ପାରମ୍ପରିକ ହସ୍ତତନ୍ତର ବିଶାଳ ବ୍ୟବସାୟ। ମାତ୍ର ଗୋଟିଏ ରାତିରେ ସବୁକିଛି ଛାରଖାର ହୋଇଯାଇଥିଲା ମୌଳବାଦୀ ଧର୍ମାନ୍ଧମାନଙ୍କ ଦ୍ଵାରା, ଯେଉଁମାନେ ଦିନେ କେବେ ଆମର ଆତ୍ମୀୟ ବି ଥିଲେ। ସେ ରାତିର ଅନୁଭୂତିର କଥା ସ୍ମରଣ କରିବା ମାତ୍ରକେ ଶରୀରର ସମସ୍ତ ଲୋମକୂପରେ ବିସ୍ଫୋରଣ ହୁଏ। ଯେତେ ଭୁଲିଯିବାକୁ ଚେଷ୍ଟା କଲେ ମଧ୍ୟ ଭୁଲି ହୁଏ ନାହିଁ ସେ କାଳ ରାତ୍ରିର ଦୁଃସହ ଅନୁଭୂତି। ଅନେକ ଦିନ ଧରି ଏଯାଗାରୁ ସେଯାଗା ଯାଯାବର ପରି ବୁଲି ବୁଲି ଆମେ ଶେଷରେ ଭୁବନେଶ୍ଵରର ବ୍ରହ୍ମେଶ୍ବରପାଟଣାରେ ରହୁଛୁ, ତା ପୁଣି ଭଡ଼ାରେ। ଛୋଟମୋଟ ବ୍ୟବସାୟରେ ଗୁଜୁରାଣ ମେଣ୍ଟାଇବାକୁ ପଡୁଛି। କେବେ ବି କୌଣସି ସରକାର ଆମର ସାହାଯ୍ୟ କରିବା ପାଇଁ ଆଗେଇ ଆସିନାହିଁ, କାରଣ ଆମେ ନା ଗରିବ ନା ସଂଖ୍ୟାଲଘୁ! ସରକାରୀ ଯୋଜନାରୁ ବି ଆମେ ବିତାଡ଼ିତ। ଯଦି ଏତେ ସବୁ ଘଟଣା ଆମ ସହିତ ଘଟିବା ପରେ ମଧ୍ୟ ଆମେ ନିର୍ବିକାର ହୋଇ ରହିପାରୁଛୁ, ସାମାନ୍ୟ ଟ୍ରେନ୍ ବିଳମ୍ବ ପାଇଁ ଆପଣ କାହିଁକି ଏତେ ପ୍ରତିକ୍ରିୟାଶୀଳ?"
ସେ ପ୍ରଗଳ୍ଭ ହୋଇ କହି ଚାଲିଥାନ୍ତି,"ଚଉଦ ପୁରୁଷର ଭିଟାମାଟିରୁ ବିତାଡ଼ିତ ହେଲା ପରେ, ସତେଯେପରି ଲାଗିଲା କି, ଏହି ଦୁନିଆଁ ଗୋଟିଏ ଭଡାଘର! କିଛି ବି ନୁହେଁ ସ୍ଥିର, ଚିରସ୍ଥାୟୀ। କେବଳ ଦୁନିଆ ନୁହେଁ, ଦେଶ ରାଜ୍ୟ ଜନପଦ ବି ଭଡାଘର। ସେଠି ଶୃଙ୍ଖଳିତ ହୋଇ ରୁହ ସାମର୍ଥ୍ୟ ଅନୁଯାୟୀ ରୋଜଗାର କର, ସଚ୍ଚୋଟ ଭାବେ ସରକାରଙ୍କୁ ଶୁଳ୍କ ଦିଅ ଆଉ ସମୟ ଆସିଲେ ବିନା ଦ୍ୱିଧାରେ ବାହୁଡି ଯାଅ ନିଜ ପୂର, ଯେଉଁଠାରୁ କେହି ତୁମକୁ ଗୃହଶୂନ୍ୟ କରି ବିତାଡ଼ିତ କରିପାରିବ ନାହିଁ । ସରକାର, ଶାସନତନ୍ତ୍ରର ଭରସାରେ ବସି ଯାଅନାହିଁ। କେଉଁଠି କେବେ ବି ବେଶୀ ଆସକ୍ତି ରଖ ନାହିଁ, କିଏ ଜାଣେ କାଲି କଣ ହେବ... "
ମୁଁ ନିଶ୍ଚୁପ ହୋଇ ଶୁଣୁଥାଏ ଯାହା। ମନେ ମନେ କଥା କଥାକେ ସରକାରଙ୍କୁ ଦୋଷାରୋପ କରିବାର ପ୍ରାୟଶ୍ଚିତ୍ତ କରୁଥାଏ...