ଭବିଷ୍ୟ ବାଣୀ-କ୍ଷୁଦ୍ରଗଳ୍ପ
ଭବିଷ୍ୟ ବାଣୀ-କ୍ଷୁଦ୍ରଗଳ୍ପ


ସାଧାରଣତଃ ମଠ ମନ୍ଦିର ମାଡୁନଥିବା ପ୍ରିୟ ବନ୍ଧୁ ଭଗବାନ ବାବୁଙ୍କୁ ସେଦିନ ଅଫିସ୍'ରେ ପରମାର୍ଥିଆ ବେଶରେ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ଶ୍ରୀକାନ୍ତ ବାବୁ। ପଚାରିଲେ...କି'ହୋ ବନ୍ଧୁ ! ହଠାତ୍ ଏ କି ରୂପ !କପାଳରେ ଚିତା ଚଇତନ,ବେକରେ ତୁଳସୀ ମାଳି, ଶ୍ରୀଅଙ୍ଗରେ ଧୋତି ପଞ୍ଜାବୀ ହଠାତ୍ କାୟା ବିବର୍ତ୍ତନ କରିବାର କାରଣ କ'ଣ ବନ୍ଧୁ? କେଉଁ ମାୟାରେ ଛନ୍ଦି ହୋଇ ଗଲ?
ମୁଚୁକୁନ୍ଦିଆ ହସଟିଏ ମୁହଁରେ ଆଙ୍କିଦେଇ ଭଗବାନ ବାବୁ କହିଲେ,କଥା କ'ଣ କି ଆଣ୍ଠୁଆ ବାବାଙ୍କ ଆଶ୍ରମକୁ ଶ୍ରୀମତୀଙ୍କ ସହିତ ଯାଇଥିଲି ତ ସେ କହିଛନ୍ତି ଏଭଳି ପରମାର୍ଥିଆ ବେଶରେ ରହି ଆମେ ଦିଜଣ ବାବାଙ୍କ ପ୍ରସାଦ ସେବନ କଲେ ଆମ ମନସ୍କାମନା ପୂର୍ଣ୍ଣ ହେବ।
ଶ୍ରୀକାନ୍ତ ବାବୁଙ୍କ କୌତୁହଳ ଆହୁରି ବଢିଗଲାକହିଲେ,ମାନେ ମାନେ? ତୁମର ଏ ରାଧେଶ୍ୟାମ ବେଶ ସାଙ୍ଗକୁ ଭାଉଜଙ୍କର ମଧ୍ୟ ରାଧାରାଣୀ ବେଶ !!ଭାଇ ଭାରି ଇଚ୍ଛା ହେଲାଣି ଭାଉଜଙ୍କର ପ୍ରେମମୟୀ ରୂପ ଦେଖିବାକୁ ଚାଲ ମ ତୁମ ଘରକୁ ଟିକିଏ ଯିବା। କିନ୍ତୁ ବନ୍ଧୁ, କାହିଁକି ଏ କୃଚ୍ଛ୍ର ସାଧନା ?କଣ ତୁମର ମନସ୍କାମନା ? ତୁମ ଭଳି ନାସ୍ତିକର କେମିତି ବାବାପ୍ରେମ ଉଦ୍ରେକ ହେଲା?
ଭଗବାନ ବାବୁ ଶ୍ରୀକାନ୍ତ ବାବୁଙ୍କ କାନରେ ଯାହା କହିଲେ,ତାହା ଶୁଣି ଫେଁକିନା ହସିଦେଲେ ସେ। କହିଲେ....କି ମାୟାରେ ବାୟା ! ହଇହୋ ସେ ଭଣ୍ଡ ଆଣ୍ଠୁଆ ବାବା କଥାରେ ବିଶ୍ବାସ କରି ତମେ ଏ ସୁଆଙ୍ଗ କରୁଚ ? ତୁମର ଏ ପରିବର୍ତ୍ତିତ ରୂପଦେଖି ଆମ ଅଫିସରେ ସମସ୍ତେ ହସୁଛନ୍ତି,ଜାଣିଚନା?ବସ୍ ତ ପଚାରୁଥିଲେ ଭଗବାନ ବାବୁଙ୍କୁ କିଛି ମାନସିକ ରୋଗ ଧରିନିତ ?
ଭଗବାନ ବାବୁ କହିଲେ,କିଏ କଣ ଭାବୁଛନ୍ତି ସେଥିରୁ ମୋର କଣ ଯାଏ ଆସେ?ମୋର ବିଶ୍ବାସ ଯେ ବାବାଙ୍କର ପ୍ରସାଦ ସେବନ କରି ତାଙ୍କ ନିର୍ଦ୍ଦେଶରେ ଚଳିଲେ ଆମର ମନସ୍କାମନା ପୂର୍ଣ୍ଣ ହେବ।
ଶ୍ରୀକାନ୍ତ ବାବୁ ହସ ସମ୍ଭାଳି ପାରିଲେ ନାହିଁ।କହିଲେ...ତାହେଲେ କ'ଣ ବାବାଙ୍କ ନିର୍ଦ୍ଦେଶ ଅନୁସାରେ ତମେ ରାତି ଅଧରେ ରାସ ଟେପ୍ ବଜେଇ ରାସଲୀଳା କରୁଚ?ମୁଣ୍ଡରେ ମୟୂର ଚନ୍ଦ୍ରିକି ଖୋସୁଚ ନାଁ ନାହିଁ?
ଭଗବାନ ବାବୁ ବିରକ୍ତ ହୋଇ କହିଲେ, କାହିଁକି ଏତେ ଫେଣେଇ ହଉଚ ଯେ ବାବାଙ୍କ କହିବା ଅନୁଯାୟୀ ଆମେ ରାସ ଗୀତ ଶୁଣି ସହବାସ କଲେ ଆମର ପୁଅଟିଏ ହବ।
ଶ୍ରୀକାନ୍ତ ବାବୁ କହିଲେ, ଅଯଥା କାହିଁକି ପୁଅ ପୁଅ ହଉଚ ଭଗବାନ ବାବୁ ?ପ୍ରଭୁ ତୁମକୁ ତିନୋଟି ଅପୂର୍ବ କନ୍ୟାରତ୍ନ ଦେଇଛନ୍ତି।ସେମାନଙ୍କୁ ମଣିଷ କର।ପୁତ୍ର ଉତ୍ପାଦନ ମାୟାରେ କାହିଁକି ପଡିଛ?
ରାଗିଗଲେ ଭଗବାନ ବାବୁ କହିଲେ ତୁମର ପୁଅଟିଏ ଅଛି ବୋଲି ଏକଥା କହିପାରୁଛ।ଝିଅ ଜନ୍ମ ପର ଘରକୁ।ତାପରେ କିଏ ଆମକୁ ପିଣ୍ଡପାଣି ଦବ?
ଶ୍ରୀକାନ୍ତ ବାବୁ କହିଲେ,ସେସବୁ ବାଜେ କଥା। ଯେଉଁ ମାନଙ୍କର ପୁଅ ନାହାଁନ୍ତି ସେମାନେ କଣ ପିଣ୍ଡ ପାଣି ନପାଇ ଅଥରବାଡୁଆ ଭୂତ ହୋଇ ବୁଲୁଛନ୍ତି ? କିଛି ଉତ୍ତର ନଦେଇ ରାଗିଯାଇ ଚାଲିଗଲେ ଭଗବାନ ବାବୁ।
ଏ ଭିତରେ ଗଡିଗଲା ଆଠମାସ। ଦିନେ କାର୍ଯ୍ୟାଳୟରେ ଭଗବାନ ବାବୁ ଶ୍ରୀକାନ୍ତ ବାବୁଙ୍କ ପାଖରେ ପହଞ୍ଚି କହିଲେ, ଭାଇ ଶୁଣିଲି ତମେ କୁଆଡେ ଭଲ ହାତ ଦେଖୁଚ। ଭବିଷ୍ୟତ କହିପା୍ରୁଚ।କହିଲ କହିଲ ଏଥର ମୋର ଯେଉଁ ପୁଅଟି ହେବ ମାଆ ପରି ଗୋରା ହବ ନାଁ ମୋ ପରି କଳା ହବ?
ଭଗବାନ ବାବୁଙ୍କ କଥାରେ ବେହଦ୍ ହସିଲେ ଶ୍ରୀକାନ୍ତ ବାବୁ କିଏ ତୁମକୁ କହିଲା ମୁଁ ହାତ ଦେଖେ ବୋଲି?ମିଛ କଥା।
ଭଗବାନ ବାବୁ ଛାଡିଲେ ନାହିଁ, ସେମିତି କହିଲେ ହବ?ସୁର ବାବୁ,ଯୁଗଳ ବାବୁ ଅମୀୟ ବାବୁ,ସମସ୍ତେ ତୁମ ପାଖରେ ହାତ ଦେଖାଇଛନ୍ତି। ସମସ୍ତଙ୍କୁ କହିଥିଲ ପୁଅ ହବ ବୋଲି।ତୁମେ ଯାହା କୁହ କୁଆଡେ ସତ ସତ ସବୁ ବାଜେ। ପ୍ଲିଜ ଦୟାକରି କହ ମୋ ପୁଅର ରଙ୍ଗ କଳା ହେବ ନାଁ ଗୋରା ?
ଗଭୀର ଦୃଷ୍ଟିରେ ଭଗବାନ ବାବୁଙ୍କ ମୁହଁକୁ ଚାହିଁଲେ ଶ୍ରୀକାନ୍ତ ବାବୁ ଭାଇ ଭଗବାନ, ମୁଁ କୌଣସି ଜ୍ୟୋତିଷ ନୁହେଁ
।ଥଟ୍ଟା ମଜାରେ ସେମାନଙ୍କ ହାତ ଦେଖି କହିଥିଲି,ବାଜୁ ବାଜୁ ବାଜି ଯାଇଥିବ।ମୋ ପାଖରେ କୌଣସି ଗଣନା ଶକ୍ତି ବା ଅଲୌକିକ ଶକ୍ତି ନାହିଁ।ତୁମେତ ଆଣ୍ଠୁଆ ବାବାଙ୍କ ଆଶୀର୍ବାଦରୁ ପୁତ୍ର ସନ୍ତାନ ପାଇବ ବୋଲି ନିଶ୍ଚିତ।ତାଙ୍କୁ ପଚାର;ସେ ପୁଅର ରଙ୍ଗ ମଧ୍ୟ କହିଦେଇ ପାରିବେ।
....ବାବା ପରା ନାହାଁନ୍ତି,ପାଞ୍ଚ ମାସ ପାଇଁ ଯାଇଛନ୍ତି କାଠମାଣ୍ଡୁ। ପ୍ଲିଜ କୁହ ଭାଇ କୁହନା,ପୁଅର ରଙ୍ଗ ଗୋରା ହେବ ନାଁ କଳା ?
ଭଗବାନ ବାବୁଙ୍କର ଏଭଳି ଯିଦ୍'ରେ ବ୍ୟତିବ୍ୟସ୍ତ ହୋଇ ପଡିଲେ ଶ୍ରୀକାନ୍ତ ବାବୁ ମିଛିମିଛିକା ହାତର ରେଖା ଦେଖି କହିଲେ ଆରେ ଭଗବାନ ବାବୁ,ଏଥର ଭାଉଜଙ୍କ ରଙ୍ଗ ନେଇ ଲକ୍ଷ୍ମୀଟିଏ ତୁମ ଘର ମଣ୍ଡନ କରିବ ।
ରାଗରେ ହାତ ଛିଞ୍ଚାଡି ଚାଲିଗଲେ ଭଗବାନ ବାବୁ । ଯାଉ ଯାଉ ବିଡ଼ି ବିଡ଼ି ହୋଇ କେତେ କଣ ଗାଳିଦେଇ ଗଲେ । ସହକର୍ମୀ ସୁରବାବୁ ଛିଗୁଲେଇ କହିଲେ.... ଶ୍ରୀକାନ୍ତ ବାବୁ ଯାହା ଭବିଷ୍ୟତ ବାଣୀ କରନ୍ତି ଅକ୍ଷରେ ଅକ୍ଷରେ ସତ ହୁଏ ଭଗବାନ ବାବୁ।
ଭାଗ୍ୟମ୍ ଫଳତି ସର୍ବତ୍ର। ଭଗବାନ ବାବୁଙ୍କ ଘରେ ପୁଣି ଗୋଟିଏ କନ୍ୟା ସନ୍ତାନ ଜନ୍ମ ହୋଇଛି।ଖବର ଶୁଣି ଶ୍ରୀକାନ୍ତ ବାବୁ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।
ଝଡ ବେଗରେ ଶ୍ରୀକାନ୍ତ ବାବୁଙ୍କ ପାଖରେ ପହଞ୍ଚି ଅତି ଅଶାଳୀନ ଭାଷାରେ ଗାଳି ଦେଇ ଭଗବାନ ବାବୁ କହିଛନ୍ତି...କି ବନ୍ଧୁ ହୋ ତୁମେ ମୋର?କାଳ ତୁଣ୍ଡିଆ ତୁମେ ଯଦି ଜାଣିଥିଲ ତୁମ ପାଟିରୁ ବାହାରିବା କଥା ସତ ହୁଏ ମୋ ବେଳକୁ କାହିଁକି ଝିଅ ହେବ ବୋଲି କହିଲ? ଆଜିଠୁ ତୁମ ସହିତ ମୁହଁ ଚୁହାଁ ଚୁହିଁ ନାହିଁ।
ସତରେ ସବୁ ସମ୍ପର୍କ ତୁଟେଇ ଦେଲେ ଭଗବାନ ବାବୁ।ମନରେ ବହୁତ କଷ୍ଟ ଆସିଲା ଶ୍ରୀକାନ୍ତ ବାବୁଙ୍କର।ଡର ପଶିଗଲା ମନରେ।ସତରେ କ'ଣ ସେ କାଳତୁଣ୍ଡିଆ !! ଯାହା ଭବିଷ୍ୟତ ବାଣୀ କରିବେ ସବୁ ସତ ହୋଇଯିବ।ତା'ପରଠାରୁ ମିଛିମିଛିକା ହାତ ଦେଖା ଛାଡି ଦେଇଛନ୍ତି ଶ୍ରୀକାନ୍ତ ବାବୁ।
ଏଭିତରେ ବହୁତ ଦିନ ବିତିଯାଇଛି। ଭଗବାନ ବାବୁ ଶ୍ରୀକାନ୍ତ ବାବୁଙ୍କ ସହିତ କଥାବାର୍ତ୍ତା ବନ୍ଦ କରିଦେଇଛନ୍ତି। ବହୁଦିନ ତଳୁ ଓର୍କସ୍ ଡିପାର୍ଟମେଣ୍ଟରୁ ବଦଳି ହୋଇ ଅନ୍ୟ କୁଆଡେ ଚାଲି ଯାଇଛନ୍ତି ଭଗବାନ ବାବୁ।ପରେ ତାଙ୍କର ପୁଅଟିଏ ହୋଇଛି ବୋଲି ଶୁଣିଛନ୍ତି ଶ୍ରୀକାନ୍ତ ବାବୁ। କିନ୍ତୁ ମୁହାଁ ମୁହିଁ କେଉଁଠାରେ କେବେ ଦେଖା ହୋଇନାହିଁ।
ସମୟ କାହାକୁ ଅପେକ୍ଷା କରେ !! ଏ ଭିତରେ ବିତି ଯାଇଛି ଅନେକ ବର୍ଷ। ସେବା ନିବୃତ୍ତିର ଦୁଇବର୍ଷ ହୋଇଗଲାଣି ଶ୍ରୀକାନ୍ତ ବାବୁଙ୍କର। ସହିଦ୍ ନଗର ହାଟରେ ଦିନେ ହଠାତ୍ ଦେଖା ହୋଇଗଲା ଭଗବାନ ବାବୁଙ୍କ ସହିତ। ଶ୍ରୀକାନ୍ତ ବାବୁ ଭାବିଲେ ଭଗବାନ ବାବୁ ବୋଧହୁଏ ମୁହଁ ଫେରାଇ ଚାଲିଯିବେ। କିନ୍ତୁ ଏକଣ ! ଶ୍ରୀକାନ୍ତ ବାବୁଙ୍କୁ ଦେଖି କୁଣ୍ଢେଇ ପକେଇ କାନ୍ଦି ପକେଇଲେ ଭଗବାନ ବାବୁ ! ଭାଇ ମସ୍ତବଡ ଭୁଲ୍ କରିଛି ଜୀବନରେ ତୁମ ସହିତ ସମ୍ପର୍କ ତୁଟେଇ ଦେଇ। ମତେ କ୍ଷମା କରିଦିଅ।
ପ୍ରାରମ୍ଭିକ ସମ୍ଭାଷଣ ପରେ ଭଲମନ୍ଦ ଏବଂ ଗୃହ ଅନାମେୟ କଥା ପଚାରିଲେ ଶ୍ରୀକାନ୍ତ ବାବୁ। ଭଗବାନ ବାବୁ କହିଲେ...ଝିଅ ତିନୋଟି ବାହା ହେଇଯାଇଛନ୍ତି।ପୁଅ ବୋହୂ ବିଦେଶରେ।ତାଙ୍କ ଖୁସିରେ ସେମାନେ ଅଛନ୍ତି। ଚାକିରି କାଳର ସବୁ ସଞ୍ଚୟ ଖର୍ଚ୍ଚ କରି ପୁଅକୁ ପଢେଇଲି।ପୁଅ ଶଶୁର ଘରେ କୁକୁର ହୋଇ ରହିଲା ଆମକୁ ପଚରା ପଚରି ନାହିଁ।
ଚତୁର୍ଥ ଝିଅଟି ଭୁବନେଶ୍ଵରରେ ଦେନାବ୍ୟାଙ୍କରେ ଚାକିରୀ କରୁଛି ବୃଦ୍ଧ କାଳରେ ସେ ହିଁ ଆଶା ଭରସା।
ଆଖିରେ ଦୁଷ୍ଟାମୀ ରଖି ଶ୍ରୀକାନ୍ତ ବାବୁ ପଚାରିଲେ...ଝିଅ ଭାଉଜଙ୍କ ରଙ୍ଗ ଆଣିଚି ନା? ଭଗବାନ ବାବୁ ହସି ହସି କହିଲେ, ହଁ ଭାଇ ତୁମ ଭବିଷ୍ୟତ ବାଣୀ ତାହାହିଁ ଥିଲା ନହେବ କିପରି?
ହଠାତ୍ ଗମ୍ଭୀର ହୋଇଗଲେ ଶ୍ରୀକାନ୍ତ ବାବୁ।ଦେନା ବ୍ୟାଙ୍କର 'ଲୋଗୋ' ତ ଲକ୍ଷ୍ମୀ ଏବଂ ସେ ଭଗବାନ ବାବୁଙ୍କ ହାତ ମିଛି ମିଛିକା ଦେଖି କହିଥିଲେ ଭାଉଜଙ୍କ ରଙ୍ଗ ନେଇ ଘରକୁ ଲକ୍ଷ୍ମୀ ଆସିବ।
ଘରକୁ ଫେରିବା ବେଳେ ଭାବୁଥିଲେ ଶ୍ରୀକାନ୍ତ ବାବୁ ସତରେ କ'ଣ ତାଙ୍କ ତୁଣ୍ଡ.......!!!