STORYMIRROR

Ajit kumar Mishra

Romance

4  

Ajit kumar Mishra

Romance

ବେଲବତୀ କନ୍ୟା

ବେଲବତୀ କନ୍ୟା

8 mins
387


ଏଇଟା ମୋ ଗାଁ। ମୋ ଗାଁ ର ସେ ପୂର୍ବ ସୌନ୍ଦର୍ଯ୍ୟ ଆଉ ଏତେ ଟିକିଏ ବି ଆଖିରେ ସିନା ଦେଖା ଯାଉନାହିଁ, ହେଲେ ମନର ପରଦାରେ ତାର ଅସୁମାରୀ ରୂପ ଏବେବି ଛାପି ହୋଇ ରହିଛି। ସେଇ ପରଦାକୁ ଆଖି ଆଗରେ ରଖି, ପାଦ ବଢାଇ, ଗାଁ ନଦୀର ବାଲୁକା ରାଶିରେ ମୁଁ ଚାଲୁଥିଲି ଆଗକୁ... ଆଗକୁ।


ହାତ ଯୋଡି ମୋର ସବୁଠାରୁ ପ୍ରିୟ ମହାନଦୀକୁ ପ୍ରଣାମ କରି ଆଞ୍ଜୁଳାଏ ପାଣି ଆଣି ମୁଣ୍ଡ ଉପରେ ଛିଞ୍ଚି ହେଇ ପଡ଼ିଲି। ହଠାତ୍ ଦେହରେ ମୋର ଏକ ଅଦ୍ଭୂତ ଶିହରଣ ଖେଳିଗଲା। ମୁହଁ ବୁଲାଇ ପଛକୁ ଚାହିଁଲି। ଗାଁ ଓ ନଦୀକୁ ଭାଗ କରୁଥିବା ସେଇ ଛୋଟିଆ ପାହାଡଟା ଏବେ ବୃକ୍ଷ ଲତାରେ ସାମାନ୍ୟ ଘଞ୍ଚ ହୋଇ ଯାଇଛି। ପାହାଡର ଶୀର୍ଷ ଭାଗରୁ ମୋ ଗାଁ ର ଆରାଧ୍ଯ ଦେବତା ଗଙ୍ଗାଧର ଶିବଙ୍କର ମନ୍ଦିରଟି ଏବେ ଗଛ ଫାଙ୍କ ଦେଇ ଟିକିଏ ଦେଖା ଯାଉଛି। ଦିନେ ସମ୍ପୂର୍ଣ୍ଣ ଶୁଭ୍ର ରଙ୍ଗରେ ଫୁଟି ଉଠୁଥିବା ଏହି ମନ୍ଦିରଟି ଆଜି ଇନ୍ଦ୍ରଧନୁ ପରି ନାନା ରଙ୍ଗ ବେରଙ୍ଗରେ ସୁସଜ୍ଜିତ ହୋଇ ଆଖି ଝଲସାଇ ଦେଉଛି। ମନ୍ଦିରର ମୁଖଶାଳାର ଆକାର ପ୍ରାୟ ଦୁଇ ବା ଅଢେ଼ଇ ଗୁଣ ବଢ଼ାଇ ଦିଆ ଯାଇଛି। ଦିନେ ଏହି ମୁଖଶାଳାର କାନ୍ଥକୁ ଆଉଜି ବସି ମାଳି ଗଡାଉଥିଲା ଗାଁ ର ଆଈ ବୁଢ଼ୀ। ମନ୍ଦିର ଭିତରେ ପ୍ରବେଶ କରିବା ପୂର୍ବରୁ ଆଈ ବୁଢ଼ୀର ପାଦ ଛୁଇଁ, ମୁଣ୍ଡିଆ ମାରି ତା' ଠାରୁ ଆଶୀର୍ବାଦ ନେଇ ଭିତରକୁ ଗଲେ ପ୍ରଭୁ ଗଙ୍ଗାଧରଙ୍କର କୃପା ଦୃଷ୍ଟି ରହିଥାଏ ବୋଲି ଗାଁ ଲୋକମାନେ ବିଶ୍ବାସ କରିଥାଆନ୍ତି।


ଆଈ ବୁଢ଼ୀ। ଗାଁ ର ଜଣେ ବୟୋଜ୍ୟେଷ୍ଠ ବୃଦ୍ଧା। ଛୁଆ ଠାରୁ ଭେଣ୍ଡିଆ ଯାଏ ସମସ୍ତଙ୍କର ସେ ଆଈ। ବୟସ ବୋଧହୁଏ ପ୍ରାୟ ନବେ ସରିକି ହେଇଯିବ। ବ୍ରାହ୍ମଣ ଶାସନର ଟିକିଏ ଆଗକୁ ଫୁଲପଡା ମାଳି ସାହିରେ ତା'ର ଘର। ଶୁଣିଥିଲି ଯେ ତା'ର ଗୋଟିଏ ବୋଲି ପୁଅ, ଛୁଆ ପିଲା ନେଇ କୁଆଡେ ବିଦେଶରେ ରହେ। ଗଙ୍ଗାଧରଙ୍କର ଅପାର କରୁଣାରୁ ତାଙ୍କ ଦୁଆରରେ ଆଈ ବୁଢ଼ୀର ଖାଇବା ପିଇବାରେ କିଛି ଅସୁବିଧା ନାହିଁ। କେବେବି ଜାଣିବାକୁ ଚେଷ୍ଟା କରିନି ଯେ ଆଈର ହାତ ଧରି ସବୁଦିନ କିଏ ପାହାଡ ଉପର ମନ୍ଦିରକୁ ନବା ଆଣିବା କରେ। ରାତି ପାହିବା ପୂର୍ବରୁ ଆଈ ମନ୍ଦିରର ମୁଖଶାଳାର କାନ୍ଥକୁ ଆଉଜି ବସି, ମାଳି ଗଡାଇବା ଆରମ୍ଭ କରି ଦେଇଥାଏ। ମନ୍ଦିର ଭିତରକୁ ଯିବା ପୂର୍ବରୁ ଭକ୍ତ ମାନେ ତା'ର ପାଦ ଛୁଇଁ ମୁଣ୍ଡିଆ ମାରିଲେ ଆଖି ଖୋଲି ହସିଦେଇ ପଦିଏ କଥା ବା ଆଶୀର୍ବାଦରେ ମନ ମୋହି ନିଏ।


ଗାଁ ନଦୀରେ ଏଇଟା ମୋର ନିତି ଦିନିଆ ଗାଧୁଆ ତୁଠ, ବ୍ରାହ୍ମଣ ସାହି ତୁଠ। ବାମ ପଟକୁ ଟିକିଏ ଛାଡି ଝରଣୀ ନାନୀ ତୁଠ। ଝରଣୀ ନାନୀ ତ ଆଉ ନାହିଁ କିନ୍ତୁ ଠିକ୍ ତା'ର ଘର ପଛପଟେ ଏଇ ତୁଠଟି ଥିବାରୁ ତା ନାଁ ଅନୁସାରେ ଏଇ ତୁଠଟି ଆଜିଯାଏ ଝରଣୀ ନାନୀ ତୁଠ ହୋଇ ରହିଛି। ଗାଁ ର ପ୍ରାୟ ଅର୍ଦ୍ଧେକ ସ୍ତ୍ରୀ ଲୋକ ଓ ଝିଅ ମାନେ ବୁଲି ବୁଲି ଆସି ଏଇ ଝରଣୀ ନାନୀ ତୁଠରେ ଗାଧୋଇବାକୁ ଭାରି ପସନ୍ଦ କରନ୍ତି। ପୁରୁଷ ମାନେ ଏହି ତୁଠକୁ ଆସିବାକୁ ଭଲ ପାଆନ୍ତି ନାହିଁ। 


ଆକାଶରେ ପାହାନ୍ତିଆ ତାରା ମଉଳି ଯିବା ପୂର୍ବରୁ ମତେ ଭାରି ଭଲ ଲାଗେ ମୋ ତୁଠରେ ଆସି ପହଞ୍ଚି ଯିବା ପାଇଁ। ସହଳ ସହଳ ବୁଡଟିଏ ପକାଇ କୂଳକୁ ଆସି ଓଦା ଗାମୁଛା ଦୁଇଟିକୁ ଚିପୁଡି, ସେଥିରୁ ଗୋଟିଏ କଛା ମାରି ପିନ୍ଧି ଆରଟି ବେକରେ ଗୁଡାଇ ହେଉଥିବା ବେଳେ ଅପଲକ ନେତ୍ରରେ ଚାହିଁ ରହିଥାଏ ଝରଣୀ ନାନୀ ତୁଠ ଉପର ବନ୍ଧ ଆଡକୁ। ଟିକିଏ ଡେରି ହେଇଗଲେ ମନଟା ଖୁବ୍ ଅଧର୍ଯ୍ୟ ହୋଇ ଉଠେ। ହଠାତ୍ ଦୂରରୁ କେଉଁ ଏକ ଅଜଣା ଜାଗାରୁ ଆସ୍ତେ ଆସ୍ତେ ପାଖକୁ ପାଖକୁ ଭାସି ଆସେ ସେଇ ଚିର ପରିଚିତ ପାଉଁଜିର ଛମ ଛମ ଶବ୍ଦ। ଅଜଣା ଆନନ୍ଦରେ ଦେହ ମୋର ପୁଲକିତ ହୋଇ ଉଠେ। ହେଇଟି ତ ଶେଲୀ ପହଞ୍ଚିଗଲାଣି।


ତଳ ସାହିର ବାବୁଲି କକେଇଙ୍କର ଝିଅ ଶେଲୀ। ସଦ୍ୟ ଯୌବନା, ଗୋରା ତକତକ, ଚିରି ଦେଲା ପରି ଦୁଇଟି ଲମ୍ବା ଲମ୍ବା କଥା କୁହା ଆଖି, ଅଣ୍ଟା ତଳ ଯାଏ କେଶ ରାଶି, କାହାଣୀରେ ପଢ଼ିଥିବା ପରୀ ରାଜକୁମାରୀ ପରି ସୁନ୍ଦର ମୁଖ ମଣ୍ଡଳ। ତା'ର, କଥା କହିବା ବା ହସିବାର ଭଙ୍ଗିରେ ଯେ କେହିବି ସହଜରେ ବାନ୍ଧି ହେଇଯିବ। ବୋଉ କୁହେ ସିଏ କାଳେ ଆମ ଗାଁର ସବୁଠାରୁ ସୁନ୍ଦରୀ ଝିଅ। ପିଲା ଦିନରୁ ମୁଁ ତାକୁ 'ଛେଳି' ବୋଲି ଡ଼ାକି ଚିଡ଼ାଏ। ଏବେ କିନ୍ତୁ ମୋର ଏଇ ଛେଳି ଡାକଟା ଗୋଟିଏ ବାହାନା। ତା ସହିତ କଥା ହେବା ବା ଖେଳିବାର ସୁଯୋଗ। ସମସ୍ତଙ୍କ ସାମନାରେ ଅତି ଅନ୍ତରଙ୍ଗ ଭାବ ଦେଖାଇ ମୁଁ ଛେଳି ବୋଲି ଡାକିଦେଲେ ସେ ରାଗରେ ମୁହଁ ମୋଡିଦେଇ କହେ ମୋ ନାଁ ଛେଳି ନୁହେଁ, ଶେଲୀ। ମତେ ଛେଳି ଡାକିଲେ ମୁଁ କଥା ହେବିନି। ଫିକ୍ କରି ହସି ଦେଇ ମୁଁ କୁହେ, " ଆଲୋ ମୁଁ କଣ କହୁଛି, ତୋ ବୋଉ ତ କହୁଛି ତୁ ଗୋଟେ ନିର୍ବୁଦ୍ଧିଆଟେ। ଏତେ ବଡ଼ ହେଲୁଣି ଟିକିଏ ବି ବୁଦ୍ଧି ହେଉନି। ତୋ ନାଁ ଶେଲୀ ନଦେଇ ଛେଳି ଦେଇଥିଲେ ଭଲ ହେଇଥାନ୍ତା। ମୁଁ ତ କେବଳ ତୋ ବୋଉକୁ ସମ୍ମାନ ଦେଇ ତତେ ଛେଳି ଡାକେ। ତୋର ବୁଦ୍ଧି ହେଇଗଲେ ମୁଁ ବି ତତେ ଶେଲୀ ବୋଲି ଡାକିବି"। 


ବ୍ରାହ୍ମଣ ସାହି ତୁଠରୁ ଝରଣୀ ନାନୀ ତୁଠ ଆଡ଼େ ଚାହିଁ ମୁଁ କହିବାକୁ ଆରମ୍ଭ କରେ " ଆଲୋ ଛେଳି! ଆଜି କଣ ଏତେ ଡେରି? ମନ୍ଦିରକୁ ଯିବୁନି କି?"


- ହଁ ମୁନା ଭାଇ ଯିବି। ଆଜି ଟିକିଏ ଡେରିରେ ନିଦ ଭାଙ୍ଗିଲା ତ। ତମେ କାମ ସାରିଲଣି ଯଦି ଗଲାବେଳେ ବନ୍ଧ ଉପରୁ ମୋ ପାଇଁ ବି ଦୁଇ ଚାରିଟା ଫୁଲ ତୋଳି ନେଇ ଆଗରେ ମନ୍ଦିରକୁ ଚାଲ। ମୁଁ ଜଲଦି ଜଲଦି ବୁଡି ପଡି ପଛରେ ଆସୁଚି। ମନ୍ଦିରରୁ ଜଲଦି ନଫେରିଲେ ବୋଉ ଚିଡୁଚି। ଫେରିଲେ ମୋର କେତେ କାମ। 


ଶେଲୀ ସହିତ ସବୁଦିନ ମନ୍ଦିରକୁ ଯିବା ବାହାନାରେ କିଛି ସମୟ କଟାଇବାର ଏହା ଏକ ଅପୂର୍ବ ସୁଯୋଗ।


ମନ୍ଦିର ଭିତରୁ ନନାଙ୍କର ଡାକ ଶୁଭିଲାଣି... ଗଙ୍ଗାଧର ହେ...! ମୁଖଶାଳାର କାନ୍ଥକୁ ଆଉଜି ଆଖି ବୁଜି ଆଈ ମାଳି ଗଡ଼ଉଛି।


"ଆଈ! ଏଇଠି ମୁଣ୍ଡିଆ ମାରୁଚି"। ଦୁଇ ହାତରେ ଆଈର ପାଦ ଛୁଇଁ ଦିଏ ଶେଲୀ।


ଆଈ ଆଖି ଖୋଲି ଚାହେଁ - କିଏ ତୁ ଶେଲୀ କି ଲୋ? ମନଲାଖି ବର ପ୍ରାପ୍ତ ହେଉ ମା। ଗଙ୍ଗାଧର ତତେ ସାହା ହୁଅନ୍ତୁ।


- ହୁଁ... ମନଲାଖି ବର -


- ଆଈ! ମୁଁ ମୁନା, ମୁଣ୍ଡିଆ ମାରୁଚି।


- ସର୍ବଗୁଣ ସମ୍ପର୍ଣ୍ଣା ବେଲବତୀ କନ୍ୟା ପ୍ରାପ୍ତ ହେଉ।


ଆଈ ମୁହଁରେ ହସ ସହିତ ଗଭୀର ସ୍ନେହର ଆଭାସ।


କିଛିକ୍ଷଣ ପାଇଁ ସ୍ଵପ୍ନର ରାଇଜରେ ବୁଲିଆସେ ମୁଁ। "ଆଈ ତୋ ତୁଣ୍ଡ ସୁତୁଣ୍ଡ ହେଉ"। 


ରାଗରେ ଶେଲୀର ମୁହଁ ପାଚି ଲାଲ୍ ପଡିଯାଏ। "ତୋର ତ ଆଉ କିଛି ନାହିଁ ନା! ମନଲାଖି ବର, ବେଲବତୀ କନ୍ୟା"। 


ମନେ ମନେ ମୁଁ କହେ, "ତୁ କୁଆଡୁ ଜାଣିବୁ ଯେ ମୋର ସେ ବେଲବତୀ କନ୍ୟାଟି କିଏ ଆଉ କୋଉଠି ଅଛି"।


ରାତିରେ ମତେ ଆଉ ନିଦ ହୁଏନି। କେମିତି ଜଲଦି ରାତି ପାହିବ। ପାହାନ୍ତିଆ ତାରା ମଉଳି ଯିବା ଆଗରୁ ମୁଁ ଯାଇ ନଦୀରେ ପହଞ୍ଚି ଝରଣୀ ନାନୀ ତୁଠ ଉପର ବନ୍ଧ ଆଡକୁ ଚାହିଁ ପାଉଁଜିର ଛମ ଛମ ଶବ୍ଦକୁ ଅପେକ୍ଷା କରିଥାଏ। ଠିକ୍ ସେହିଠାରୁ ପଦେ କି ଦି ପଦ କଥାର ଆରମ୍ଭ। "ଆଲୋ ଛେଳି ତୁ ଆଜି କାଲି ଡେରିରେ ଆସୁଚୁ?... ଖୁଡୀଙ୍କର ଦେହ କେମିତି ଅଛି?... ମୁଁ ଫୁଲ ତୋଳି ଆଗରେ ମନ୍ଦିରକୁ ଯାଉଚି, ତୁ କାମ ସାରି ଜଲଦି ଆସେ...."। ଶେଲୀ ପାଇଁ ଟିକିଏ କଷ୍ଟ କରି ବନ୍ଧ ଉପରୁ ଚାରି ଛଅଟା ଫୁଲ ତୋଳି ନେଲେ ସେ ନିଶ୍ଚୟ ମୋ ପାଖକୁ ଫୁଲ ନେବା ପାଇଁ ଆସିବ। ମନ୍ଦିରକୁ ଯିବା ଆସିବା ବେଳେ ଦୁଇ ଚାରି ପଦ କଥା ହେଇପାରେ ସିନା ମନ ଶାନ୍ତି ହୁଏନି। ମୋ ମନର କଥା ଖୋଲି ପଦେ ବି କହିପାରେନି। ବୁଲେଇ ବଙ୍କେଇ ଯାହା କହିଲେ ବି ସେ କିଛି ବୁଝିବି ପାରେନି। ସତରେ ଗୋଟେ ପୁରା ବୋକି ଛେଳିଟେ। ମତେ ବି ଭୟ ଲାଗୁଥାଏ, କାଳେ ରାଗିଗଲା କି? କାଳେ ତା' ବୋଉକୁ କଣ କହିଦବ କି? କାଳେ ଆଉ ଆସିବନି କି?... ଆଶଙ୍କାରେ ଦିନଟିଏ ବିତିଯାଏ ତା ପର ଦିନ ପାହାନ୍ତାରେ ତାକୁ ଦେଖିବା ପର୍ଯ୍ୟନ୍ତ।


ଏମିତି କିଛି ଦିନ ପରେ ହଠାତ୍ ଦିନେ ବୋଉ ମତେ ଡାକି କହିଲା, "ମୁନାରେ! ବାପା ଟିକେ ଆଜି ଆର ସାହି ବୃନ୍ଦାବନ ମଉସାଙ୍କ ଦୋକାନକୁ ଯିବୁ। କିଛି ପରିବା ପତ୍ର, ତେଲ, ପିଆଜ ସବୁ ଆଣି ଆସିବୁ। ଆଉ ଗଲାବେଳେ ବାଟରେ ପଞ୍ଚୁଆ ମା କୁ କହିଦେଇ ଯିବୁ କାଲି ସକାଳେ ଆମ ଘରେ ଟିକିଏ ବଡ ମାଛ ଦେଇଯିବ"।


- ବୋଉ କାଲି କଣ କି? ଏତେ ଦୋକାନ ସଉଦା, ମାଛ ସବୁ ବରାଦ ଦଉଚୁ? ଆଗ୍ରହରେ ମୁଁ ପଚାରିଲି। 


- ଜାଣିନୁ କି, ବାବୁଲି କକେଇଙ୍କର ଝିଅ ଶେଲୀର ଆର ସପ୍ତାହରେ ବାହାଘର। ତାକୁ ପରା କାଲି ପଖାଳ ଖିଆକୁ ଡାକିଚି!


ମୁଣ୍ଡରେ ମୋର ଯେମିତି ବଜ୍ର ପଡିଲା। ସମଗ୍ର ଶରୀରରେ ଏକ କମ୍ପନ ଖେଳିଗଲା।


ଶେଲୀ ତା'ହେଲେ ତା'ର ମନଲାଖି ବର ପାଇଗଲା!


- କୋଉଠି ସେ ବାହା ହଉଚି ବୋଉ?


- ଆମ ନଦୀ ଆରପଟ ଗାଁ ଶଶାଙ୍କରେ।


- ହୁଁ -


ଶେଲୀ... ସିଏ ସିନା ମୋ ପାଇଁ ବେଲବତୀ କନ୍ୟା, ମୁଁ କାହିଁକି ତା'ର ମନଲାଖି ବର ହେବି? ମୁଁ ସିନା ପାଗଳଙ୍କ ପରି ଦିନରାତି ତା କଥା ଭାବୁଚି, ସେ କାହିଁକି ମତେ ମନେ ପକେଇବ? ମୁଁ ବା ତା'ର କିଏ?


ଆଉ ଏ ଗାଁ, ଏଇ ନଦୀ, ବନ୍ଧ, ପାହାଡ କିଛି ବି ମତେ ଭଲ ଲାଗୁନି। ସବୁକିଛି ଖାଁ ଖାଁ ଲାଗୁଛି। ମନ୍ଦିରକୁ ଯିବାକୁ ଆଉ ଇଚ୍ଛା ବି ହେଉନି। ଶେଲୀ ଯିବା ଦିନ ଠାରୁ ଲାଗୁଚି ମନ୍ଦିରରୁ ଯେମିତି ଠାକୁର ବି ଏ ଗାଁ ଛାଡି ଚାଲି ଯାଇଛନ୍ତି। ଧେତ୍... ସେ ଆଈ ବୁଢ଼ୀଟା ମତେ ମୂଳରୁ ବି ଭଲ ଲାଗେନି। ସବୁବେଳେ ବହୁତ୍ ଫୁଟାଣି ମାରେ।


ଯେବେବି ମୁଖଶାଳା ପାଖ ପାଚେରୀ ବା ବନ୍ଧ ଉପରୁ ବଡ ଗଛଟିଏ ଚଢ଼ି ନଦୀ ଆରପଟକୁ ଚାହିଁଲେ ଦୂରରୁ ଶେଲୀ ବା ତା' ଘର କିଛି ବି ଦେଖାଯାଏ ନାହିଁ, ବରଂ ଚାରିଆଡ଼େ ଦେଖାଯାଏ କେବଳ ମାଳ ମାଳ ପର୍ବତ ଓ ସମୟ ସମୟରେ ନଦୀ ଆରପଟୁ ଶୁଭେ କିଛି ଝଣ୍ ଝାଣ୍ ଶବ୍ଦ। ଏଇ ପାହାଡ଼ ପର୍ବତ ଘେରା ଘଞ୍ଚ ଜଙ୍ଗଲ ଭିତରେ ଶେଲୀ ପାଇଛି ତା'ର ମନଲାଖି ବର।


ଦିନେ ବୋଉକୁ ପଚାରିଲି, "ବୋଉ! ସବୁଦିନ ନଦୀ ଆରପଟୁ କଣ ଏମିତି ଝଣ୍ ଝାଣ୍ ଶୁଭୁଚି"? ବୋଉ କହିଲା, ନଦୀ ଆରପଟ ଗାଁର ବୋହୂମାନେ ତାଙ୍କର ଘରୁ ଅଇଁଠା ବାସନ ଆଣି ନଦୀରେ ମାଜୁଛନ୍ତି। ଏବେ ନଦୀ ବଢ଼ି, ପାଣିରେ ତା'ର ଶବ୍ଦକୁ ଟାଣୁଚି। ତତେ ଏତେ ଦୂରରୁ ସେଇ ଶବ୍ଦହିଁ ଶୁଭୁଛି।


ଇସ୍... ମୋ ବେଲବତୀ ତା' ହେଲେ ଏତେ ଦୂରକୁ ଯାଇ ବାସନ ମାଜୁଛି! ଧିକ୍ ମୋତେ, ମୁଁ କିଛି ବି କରି ପାରିଲିନି। ... 


ମୋ ଗାଁ ର ସେ ପୂର୍ବ ସୌନ୍ଦର୍ଯ୍ୟ ଆଉ ଏତେ ଟିକିଏ ବି ନାହିଁ। ଗାଁ ନଦୀର ସେହି ବ୍ରାହ୍ମଣ ସାହି ତୁଠ ବା ମୋର ଅତି ପ୍ରିୟ ଝରଣୀ ନାନୀ ତୁଠ ବୋଲି ଆଉ କିଛି ନାହିଁ। ନଦୀକୁ ବା ଆଉ ଆଜିକାଲି କିଏ ଗାଧୋଇ ଯାଉଛି? ତୁଠ ଉପର ବନ୍ଧଟି ଏବେ ଖୁବ୍ ପ୍ରଶସ୍ତ ହୋଇ କାହିଁ କେତେଦୂରରୁ ଆସି ଗାଁ ପାହାଡ଼ ତଳ ଦେଇ ବହୁତ୍ ଦୂରକୁ ଲମ୍ବି ଗଲାଣି। ତା' ଉପର ଦେଇ ଆଖପାଖ ଗାଁ କୁ ଅନବରତ ଧାଉଁଛି ଶହ ଶହ ଯାନ। ମନ୍ଦିରରୁ ଆଉ ଶୁଭୁନି ଘଣ୍ଟ ଧ୍ୱନି ବା ନନାଙ୍କର 'ଗଙ୍ଗାଧର ହେ... ' ଡାକ। ଏବେ ଯାନ୍ତ୍ରିକ ବାଦ୍ୟ ସହିତ ଅନବରତ ଖୁବ୍ ସୁନ୍ଦର ଭାବରେ 'ଓଁ ନମଃ ଶିବାୟ' ମନ୍ତ୍ର ଗାଉଛି ମନ୍ଦିର ଉପରେ ଲାଗିଥିବା ଡାକବାଜି ଯନ୍ତ୍ରଟିଏ। ନାହାନ୍ତି ଆଉ ମନ୍ଦିରର ସେ ନନା ବା ମୁଖଶାଳାର କାନ୍ଥକୁ ଆଉଜି ବସି ମାଳି ଗଡ଼ାଇ, ସମସ୍ତଙ୍କୁ ହସ ହସ ମୁହଁରେ ଆଶୀର୍ବାଦ ଦେଉଥିବା ଗାଁ ର ସେ ଆଈ ବୁଢ଼ୀ।


ହଠାତ୍ କାହାର ଡାକରେ ପ୍ରକୃତିସ୍ଥ ହୋଇ ଉଠିଲି।


- ମୁନା ଭାଇ!! ନମସ୍କାର। ଚିହ୍ନି ପାରୁଚ ମତେ?


କିଏ ଜଣେ ସ୍ତ୍ରୀ ଲୋକ ଅତି ଆପଣାର ପରି ଲାଗୁଛି। ମାଣିଆବନ୍ଧ ଶାଢ଼ି ଖଣ୍ଡିଏ ଟିକିଏ ସଞ୍ଜତରେ ଗୁଡେଇ ହୋଇ ପଡିଛି। ମୁହଁରେ ହସ, ସେହି ପରିଚିତ ଦୁଷ୍ଟାମି ଭରା ଚାହାଣୀ।


- କ'ଣ ଆଉ ଚିହ୍ନି ପାରୁନ ନା କଅଣ?


- ଏଁ... ଆଲୋ ତୁ ଛେଳି!!! କେବେ ଆସିଲୁ? କେମିତି ଅଛୁ?


- ଧେତ୍... ମୁନା ଭାଇ, ତମର ନା ଆଜି ଯାଏ ସେ ଛେଳି ଡାକ ବଦଳିଲାନି। ମୁଁ ଭଲ ଅଛି। ଦୁଇ ଦିନ ହେବ ଘରକୁ ଆସିଲିଣି। କାଲି ଫେରିଯିବି। ତମେ ବି ଗାଁ କୁ କେବେ ଆସିଲ? ଆଚ୍ଛା ତମେ ଏକୁଟିଆ କଣ କରୁଚ ଏଠି? ଗାଁ ର ରୂପକୁ ଉପଭୋଗ କରୁଚ ନା କଣ?


ମନ୍ତ୍ର ମୁଗ୍ଧ ଭାବରେ ମୁଁ ସବୁ କଥା ଶୁଣି ଯାଉଥିଲି।


-ନାହିଁ ଲୋ, ଏ କଥା ସତ ଯେ ମୁଁ ଏଇ ଗାଁ କଥା ହିଁ ଭାବୁଥିଲି। ତା'ର ସେ ପୂର୍ବ ସୌନ୍ଦର୍ଯ୍ୟ ଆଉ ଏତେ ଟିକିଏ ବି ନାହିଁ। କୁଆଡେ ଗଲା ସେ ନଦୀ ତୁଠ, ସେ ବନ୍ଧ, ସେ ଫୁଲ ଗଛ, ସେ ମନ୍ଦିର, ସେ ଘଣ୍ଟ ଧ୍ୱନି, ଗଙ୍ଗାଧର ହେ ଡାକ, ଆଉ ସେ ଆଈ ବୁଢ଼ୀ...


କଣ ଏତେ ଭାବ ବିହ୍ଵଳ ହେଇଯାଉଚ ଯେ। ମୁନା ଭାଇ ତମେ ଏକା ଆସିଚ ନା ଭାଉଜଙ୍କୁ ବି ଆଣିଚ? ମୁଁ ତାଙ୍କୁ ଟିକେ ଦେଖିଥାନ୍ତି।


ଭାଉଜ! କ'ଣ ବା ବୁଝାଇବି ତାକୁ। ମୁଁ ନିଜେ ବି କିଛି ବୁଝି ପାରୁନି।


- ତୁ ସିନା ନଦୀ ଆରପଟେ ତୋର ମନଲାଖି ବର ପାଇ ଚାଲିଗଲୁ, ହେଲେ ମୁଁ କିନ୍ତୁ ଆଜିଯାଏ ମୋର ବେଲବତୀ କନ୍ୟାକୁ ପାଇନି।


- ମୁନା ଭାଇ ତମେ ସବୁ ମନେ ରଖିଚ ସେ ଆଈ ବୁଢ଼ୀ କଥା! ମଣିଷ ଯାହା ସ୍ଵପ୍ନ ଦେଖେ ସବୁ ସାକାର ହୁଏନାହିଁ। ପିଲାଦିନର ଅସୁମାରୀ ସ୍ଵପ୍ନ ଭିତରେ ମୁଁ ବି ଦିନେ ମୋର ମନଲାଖି ବରକୁ ସ୍ଵପ୍ନରେ ଦେଖୁଥିଲି। ଗୋଟିଏ କଥା କହିବି ମୁନା ଭାଇ! ସେତେବେଳେ ସେ ଛୁଆ ବେଳର ଚପଳତାରେ ଦିନେ ମୋର ମନଲାଖି ବର ଥିଲ ତମେ। ହେଲେ ମୁଁ କଣ ତମକୁ ପାଇଲି? ମୋ ଭାଗ୍ୟରେ ଏଇ ନଦୀ ଆରପଟେ ମୋ ପାଇଁ ବର ଲେଖା ଥିଲା। ମୁଁ ଜାଣିନି ଯେ ତମେ କାହା ପାଇଁ ଆଜି ଯାଏ ଅପେକ୍ଷା କରିଚ। ତମେ ଯାହାକୁ ବି ବାହା ହେବ ସେ ହିଁ ତମ ପାଇଁ ହେବ ବେଲବତୀ କନ୍ୟା।


ଆଖି ଦୁଇଟି ମୋର ବିସ୍ଫାରିତ ହୋଇଗଲା। ଅଚାନକ ମୋ ମନରେ ଅଜସ୍ର ଆନନ୍ଦ ଭରି ଉଠିଲା। ଦୁହେଁ କେବଳ ଅପଲକ ନେତ୍ରରେ ଦୁହିଁଙ୍କୁ ଚାହିଁ ରହିଥିଲୁ।


- ଶେଲୀ!!! -


-କଣ ହେଲା ମୁନା ଭାଇ! ମୋ କଥା ଶୁଣି ଖରାପ ଲାଗିଲା କି? ତମେ ଏତେ ଦିନ ପରେ ଆଜି ମତେ ପ୍ରଥମ ଥର ପାଇଁ 'ଶେଲୀ' ଡ଼ାକିଲ!


- ହଁ, ତୁ ସତ କହିଚୁ ଶେଲୀ। ଆଜି ମୁଁ ତୋ ଠାରେ ଗଭୀର ଜ୍ଞାନର ଆଭାସ ପାଇଛି। ପିଲାଦିନର ଅସୁମାରୀ ସ୍ଵପ୍ନ ସବୁ ସାକାର ହେବ ବୋଲି ଭାବିବା ହିଁ ମୂର୍ଖତାର ପରିଚୟ ଦେବା। ମଣିଷ ଯାହା ସବୁ ସ୍ଵପ୍ନ ଦେଖେ ସେଥିରୁ ଅଧିକାଂଶ କେବଳ ନିଜ ଦ୍ୱାରା ହିଁ ଗଠିତ ମାତ୍ର ଓ ସେ ସବୁ ସବୁବେଳେ ସତ୍ୟରେ ପରିଣତ ହୁଏନାହିଁ। ତୁ ଆଜି ଆଉ ସେ ବୋକି ଛେଳି ହୋଇ ନାହୁଁ। ତୁ ଗୋଟିଏ ବଡ଼ ବୁଦ୍ଧିମତୀ ଝିଅ।


ମନ୍ଦିରର ମୁଖଶାଳା ଆଡକୁ ମୁହଁ ବୁଲାଇ ଚାହିଁଲି।


- ମୋର ସବୁ ମନେଅଛି ଶେଲୀ ସେ ଆଈ ବୁଢ଼ୀ କଥା। ଆଜି ଏତେ ଦିନ ପରେ ମୁଁ ବି ତତେ କହୁଚି ଶେଲୀ, ତୁ ବି ସେଦିନ ଥିଲୁ ମୋର ସେହି ସର୍ବଗୁଣ ସମ୍ପର୍ଣ୍ଣା ବେଲବତୀ କନ୍ୟା। 


Rate this content
Log in

Similar oriya story from Romance