Ajit kumar Mishra

Inspirational

4.5  

Ajit kumar Mishra

Inspirational

ସ୍ମୃତି ଓ ଅନୁଭୂତି

ସ୍ମୃତି ଓ ଅନୁଭୂତି

13 mins
369


ପିଲାଦିନେ ଶୁଣିଥିବା ଗପ ଗୁଡିକ ଭିତରୁ କେତେଗୁଡିଏ ଚରିତ୍ର କୋମଳ ବୟସର ମନ, ପ୍ରାଣ ଅଥବା ଶରୀର ଉପରେ ଗଭୀର ଭାବରେ ପ୍ରଭାବ ପକାଇଥାଏ। କିଛି ଗପଗୁଡିକର ଚରିତ୍ରଙ୍କୁ ନେଇ ଅପରିପକ୍ଵ ବୟସଟି ନିଜକୁ ତା ଭିତରେ ହଜାଇ ଦେଇ, ସେହି ଚରିତ୍ରଗୁଡିକ ପରି ନିଜକୁ ଗଢ଼ି ତୋଳିବାକୁ ବାରମ୍ବାର ଚେଷ୍ଟା କରୁଥାଏ। ମୋ ଜୀବନରେ ମଧ୍ଯ ବୋଉର ପରୀ ରାଣୀ ଓ ସାହସୀ ରାଜକୁମାର ପରି ଗପ, ବାପାଙ୍କର ବିଭିନ୍ନ ବାବାଜୀ, ମୁନିରୂଷି, ତପସ୍ୱୀ ଓ ସନ୍ୟାସୀ ଆଦିଙ୍କର ଗପ ଏବଂ ଜେଜେମାର ରାମାୟଣ, ମହାଭାରତ ଓ ବିଭିନ୍ନ ପୁରାଣ ପୃଷ୍ଠାର ଗପର ଚରିତ୍ର ଗୁଡିକ ଗଭୀର ଭାବରେ ପ୍ରଭାବ ପକାଇଥିଲା। ଏ ସବୁ ଗପର ଚରିତ୍ରଗୁଡ଼ିକୁ ଗୋଳାଇ ମିଶାଇ ମୁଁ ଦିନେ ନିଜକୁ ଏକ ସ୍ଵପ୍ନର ରାଇଜରେ ହଜାଇ ଦେଇଥିଲି। ସେହି କୋମଳ ବୟସରେ ମନର ଏକ ଆବେଗକୁ ନେଇ ପ୍ରାୟ ସମୟରେ ମୁଁ ଚିନ୍ତା କରି ଚାଲିଥିଲି ଯେ, ମୁଁ ବି ଦିନେ ସେହି ମୁନି, ରୂଷିମାନଙ୍କ ପରି ଜଙ୍ଗଲକୁ ଯାଇ ତପସ୍ୟା କରି ଭଗବାନଙ୍କୁ ଦେଖିବି।ତାଙ୍କଠାରୁ ବର ପାଇ ହନୁମାନଙ୍କପରି ବହୁତ୍ ବଳବାନ ହେବି। ମୋର ଏତେ ବଳ ଦେଖି, ପଡ଼ୋଶୀ ଦେଶର ରାଜକୁମାରମାନଙ୍କ ପରି ମୋ ସାଙ୍ଗମାନେ ମୋତେ ଇର୍ଷା କରିବେ। କିନ୍ତୁ କେହିବି ମୋର କିଛି କ୍ଷତି କରି ପାରୁନଥିବେ। ଅର୍ଥାତ୍ ମୋର ବଡ ସ୍ଵପ୍ନଟି ଥିଲା ଯେ ମୁଁ କିପରି ତପସ୍ୟା କରି ଭଗବାନଙ୍କୁ ସନ୍ତୁଷ୍ଟ କରିଦେବି।


ଘଟଣାଟିକୁ ବର୍ଣ୍ଣନା କରିବା ସମୟରେ ଏଠାରେ ଆଉ ଏକ କାହାଣୀକୁ ମଧ୍ଯ ଉଲ୍ଲେଖ କରାଯାଇପାରେ। ପିଲାଦିନେ ଥରେ ମୁଁ ବାପାଙ୍କଠାରୁ ଶୁଣିଥିଲି ଯେ ଭଗବାନଙ୍କୁ ଯିଏ ଯାହା ମାଗେ ସେ ତାକୁ ତାହା ଦିଅନ୍ତି। ଏହି କଥାଟି ସେହି ବୟସରେ ମୋ ମନକୁ ଖୁବ୍ ଛୁଇଁଥିଲା। ଦିନେ ସ୍କୁଲରୁ ଫେରିବା ବାଟରେ ଗାଁ ଶିବ ମନ୍ଦିର ସାମନାରେ ଠିଆ ହୋଇ ଭଗବାନଙ୍କୁ ହାତ ଯୋଡ଼ି ମାଗିଲି, " ଭଗବାନ! ମତେ ଆଜି ଚକୋଲେଟ୍ ଖାଇବାକୁ ମନ ହେଉଚି, ମତେ ଚକୋଲେଟ୍ ଦିଅ"। ସେଠାରେ ପ୍ରାୟ ଦଶ ମିନିଟ୍ ଠିଆ ହୋଇ ମନ୍ଦିର ଦୁଆରକୁ ଚାହିଁ ରହିଲି। କିନ୍ତୁ ଭଗବାନ ବାହାରକୁ ଆସିଲେନାହିଁ କି ଚକୋଲେଟ୍ ଦେଲେ ନାହିଁ। ନିରାଶ ହୋଇ ସେଦିନ ଘରକୁ ଫେରି ଆସିଲି।

ସେଦିନ ବାପା ତାଙ୍କର ଚାକିରୀ କ୍ଷେତ୍ର ଭୂବନେଶ୍ବରରୁ ଘରକୁ ଫେରିଥାଆନ୍ତି। ବାପାଙ୍କୁ ହଠାତ୍ ଘରେ ଦେଖି ଆନନ୍ଦରେ ନମସ୍କାରଟିଏ କରି ତାଙ୍କର ହାତ ବ୍ୟାଗଟି ଖୋଲି ପକାଇଲି। ବାପା ମୋ ପାଇଁ କଣ ଆଣିଛନ୍ତି! ତା ଭିତରେ ଗୋଟିଏ ଖଇରିଆ ରଙ୍ଗର ଚିତ୍ର ବିଚିତ୍ର ଡବାଟିଏ ଦେଖି ତାକୁ ବାହାରକୁ ଟାଣି ଆଣି ଖୋଲିପକାଇଲି। ଇସ୍!... ତା ଭିତରେ ଚକୋଲେଟ୍ ଭର୍ତ୍ତି। ଖୁସିରେ ସେଥିରୁ ଦୁଇ ତିନୋଟି ଚକୋଲେଟ୍ ଉଠାଇନେଇ ବାପାଙ୍କୁ ଯାଇ କହିଲି, "ଆଜି ମୁଁ ମନ୍ଦିର ଯାଇ ଭଗବାନଙ୍କୁ ଚକୋଲେଟ୍ ମାଗିଲି, ସେ ଦେଲେନି। ତମକୁ ମାଗିନି, ତମେ ଆଣି ଦେଇଛ। ସବୁ କଥା ବୁଝିପାରି ବାପା ମୋତେ ବୁଝାଇ କହିଲେ ଯେ, "ଭଗବାନ ହିଁ ତୋତେ ଚକୋଲେଟ୍ ଦେଇଛନ୍ତି, ମୋ ହାତରେ ପଠାଇଛନ୍ତି ପରା"! 


କିନ୍ତୁ ସେ ନିଜେ ଆସି ଦେଲେନି କାହିଁକି? ଆଶ୍ଚର୍ଯ୍ୟ ହୋଇ ମୁଁ ପଚାରିଲି।

"ତୁ ଭଗବାନଙ୍କୁ ଦେଖିଚୁ"? ବାପା ପଚାରିଲେ। 

— ନା..

— ସେ ଦେଖିବାକୁ କେମିତିକା ଜାଣିଚୁ?

— ନା, କିନ୍ତୁ (ଜେଜେ)ମା କହୁଥିଲା ଶିବ ଠାକୁର ବହୁତ୍ ବଡ଼। ଲମ୍ବା ଚୁଟି, ଜଟା ବାନ୍ଧିଛନ୍ତି, ହାତରେ ତ୍ରିଶୂଳ ଧରିଛନ୍ତି, ଆଉ ଗୋଟିଏ ହାତରେ ଡମ୍ବରୁ ବଜାନ୍ତି। ତାଙ୍କ ମୁଣ୍ଡରେ ଜହ୍ନକୁ ଧରିଛନ୍ତି।... ଜହ୍ନ ତ କେତେ ଉପରେ ଅଛି। ସେ କଣ ଏତେ ଲମ୍ବା? ବାପ୍ ରେ... ବେକରେ ବି ତାଙ୍କର ସାପ ଗୁଡେଇ ହେଇ ରହିଚି। ଦେଖିଲେ ତ ଡର ଲାଗିବ। ସେ ବି ବହୁତ୍ ରାଗି।

— ବାସ୍... ତୁ କାଳେ ଡରିବୁ ବୋଲି, କାଳେ ତାଙ୍କର ଆଲୋକ ଓ ଶକ୍ତିକୁ ସମ୍ଭାଳି ପାରିବୁନି ବୋଲି ସେ ତୋ ପାଖକୁ ସିଧା ନଆସି ମୋ ହାତରେ ଚକୋଲେଟ୍ ପଠାଇଲେ। 

— ସତରେ! ଶିବ ତା'ହେଲେ ବହୁତ୍ ଭଲ। ମୁଁ ତାଙ୍କୁ କେମିତି ଦେଖିବି?

— ସେ ତୋର ହୃଦୟରେ ଅଛନ୍ତି। ସବୁବେଳେ ତୋ ପାଖରେ ଅଛନ୍ତି। ତୁ ଯେତେବେଳେ ତାଙ୍କ ପରି ହୋଇଯିବୁ, ସେତେବେଳେ ତାଙ୍କୁ ଦେଖି ପାରିବୁ। ତାଙ୍କୁ ଚକୋଲେଟ୍ ମାଗିବା ପରି, ତାଙ୍କର ଶକ୍ତି ତତେ ଦେବାପାଇଁ ମାଗ। ନିଜେ ସାହସୀ, ବଳବାନ ଓ ନିର୍ଭୀକ ହେବାପାଇଁ ପ୍ରାର୍ଥନା କର।


ବାପାଙ୍କର ଏହି ଉତ୍ତରଟି ମୋର ହୃଦୟର ଗଭୀରତ୍ତମ ପ୍ରଦେଶକୁ ପ୍ରବେଶ କରି ଯାଇଥିଲା। ମୁଁ ସାହସୀ, ନିର୍ଭୀକ ହେବି। ମୁଁ ଡରିବିନି। ମୁଁ ଭଗବାନଙ୍କୁ ଦେଖିବି। ତାଙ୍କ ଠାରୁ ଶକ୍ତି ଆଣି ମୁଁ ବହୁତ୍ ଶକ୍ତିମାନ ହେବି। ମୋଟାମୋଟି ଭାବରେ କହିବାକୁ ଗଲେ ସେହି ଦିନ ହିଁ ମୁଁ ନିର୍ଣ୍ଣୟ କରି ନେଇଥିଲି ଯେ ମୁଁ ତପସ୍ୟା କରିବି।


ସେଦିନ ଥିଲା ଶୁକ୍ରବାର। ତା ପର ଦିନ ଶନିବାର, ଗାନ୍ଧୀ ଜୟନ୍ତୀ ସ୍କୁଲ ଛୁଟି ଓ ପର ଦିନ ରବିବାର ମଧ୍ଯ ଛୁଟି। ମଉକା ଦେଖି ବୋଉକୁ କହିଲି, "ବୋଉ! କାଲି ସକାଳେ ମୋ ସାଙ୍ଗ ତା ଘରକୁ ଯିବାକୁ ମତେ ଡାକୁଛି। କାଲି ଦିନଯାକ ଆଉ ରାତିରେ ବି ତା ଘରେ ରହିବି। ତା ପର ରବିବାର ଦିନ ଘରକୁ ଆସିବି।" ସେହି ସାଙ୍ଗ ମୋର ଥିଲା ପିଲା ଦିନର ସବୁଠାରୁ ପ୍ରିୟ, ବଡ଼ ସାଙ୍ଗ। ମୁଁ ପ୍ରାୟ ତା ଘରକୁ ବାରମ୍ବାର ଯିବା ଆସିବା କରେ। ସେ ମଧ୍ୟ ଆମ ଘରକୁ ଆସି ମୋ ସାଥିରେ ରହେ ବୋଲି ବୋଉ ଜାଣେ। ବିନା ଦ୍ୱିଧାରେ ବୋଉ ସ୍ୱୀକୃତି ଦେଲା " ହଉ ଯିବୁ "।


ଆମ ଗାଁ ପଛପଟ ମହାନଦୀ କୂଳେ କୂଳେ ପଶ୍ଚିମ ମୁହାଁ ହୋଇ ପ୍ରାୟ ବାର କିଲୋମିଟର ପାଖାପାଖି ଚାଲି ଚାଲି ଗଲେ ଗୋଟିଏ ବଡ଼ ପାହାଡ଼ ଉପରେ ଛୋଟ ବଡ଼ ହୋଇ ଅନେକ ଗୁଡ଼ିଏ ଗୁମ୍ଫା ଥିବାର ଥରେ ଦେଖିଥିଲି। ମନେମନେ ସେଦିନ ଠିକ୍ କରିନେଲି ଯେ ସେହି ଗୁମ୍ଫାକୁ ଯାଇ ତପସ୍ୟା କରିବି। ଶୁକ୍ରବାର ରାତିରେ ମତେ ଆଉ ନିଦ ନାହିଁ। ରାତି ପାହିବା ମାତ୍ରେ ମୁଁ ଉଠି, ଜଲଦି ଜଲଦି ସମସ୍ତ ନିତ୍ୟକର୍ମ ସାରି ମୋର ହାଫ ପ୍ୟାଣ୍ଟ ଓ ହାଫ ସାର୍ଟଟିକୁ ପିନ୍ଧି ପକାଇ, ଅଣ୍ଟାରେ ନାଲି ଗାମୁଛାଟିଏ ଭିଡି ଦେଇ ବାହାରି ପଡ଼ିଲି। ଏତେ ସକାଳୁ ଉଠି ନିତ୍ୟକର୍ମ ସାରି ଜଲଦି ପ୍ରସ୍ତୁତ ହୋଇଯିବାର ଦେଖି ବୋଉ ହସି ପକାଇ କହିଲା, "ଆଜି ସାଙ୍ଗ ଘରକୁ ଯିବୁ ବୋଲି ଏତେ ସକାଳୁ ଉଠିପଡି ରେଡି ହେଇଗଲୁଣି"!


ଜଲଦି ଜଲଦି ଜଳଖିଆ କିଛି ଖାଇ ନେଇ ମୁଁ ଘରୁ ବାହାରି ଆସିଲି। ଯଦିଓ ସେ ବୟସରେ ବାର କିଲୋମିଟର ଚାଲି ଚାଲି ଯିବାଟା ମୋ ପାଇଁ ଟିକିଏ କଷ୍ଟକର ଥିଲା, କିନ୍ତୁ ମନର ଆଗ୍ରହ ନେଇ ମୋତେ କିଛି ଜଣା ପଡୁନଥିଲା। ପ୍ରାୟ ଚାରି ଘଣ୍ଟା ଧରି ନଦୀ କୂଳ ବାଲିରେ ଚାଲି ଚାଲି ଯିବା ପରେ ମୋର ନିର୍ଦ୍ଧାରିତ ପାହାଡଟି ପାଖେଇ ଆସିଲା। ଖରା ତାତିରେ ସମୟ ପ୍ରାୟ ଦିନ ଦିପହର ପରି ଲାଗୁଥାଏ। ଶୋଷରେ ତଣ୍ଟି ଶୁଖି ଯାଉଥାଏ। ନଦୀ ବାଲିରୁ ଭାଙ୍ଗି ଟିକିଏ ନଦୀ ଆଡକୁ ମାଡିଗଲି। ନଦୀର ପାଣି ଖୁବ୍ ଥଣ୍ଡା ଓ ଆନନ୍ଦ ଦାୟକ ମନେ ହେଉଥାଏ। ଚାରି ପାଞ୍ଚ ଆଞ୍ଜୁଳା ପାଣି ଟେକି ପିଇଦେଲି। ଆଃ! ପାଣିଟା ଅମୃତ ପରି ଲାଗୁଥିଲା। ଦେହରେ ପୁନର୍ବାର ବଳ ଫେରି ପାଇବା ପରି ଲାଗିଲା। ପୁନର୍ବାର ମୋର ଗନ୍ତବ୍ୟ ପଥରେ ଆଗେଇ ଚାଲିଲି। ଆଉ ମାତ୍ର ପାଞ୍ଚ ସାତ ମିନିଟ୍ ପରେ ମୋର ସେହି ଲକ୍ଷ୍ୟ ପାହାଡ଼ଟି ପହଁଞ୍ଚିଗଲା। ଇସ୍... ପାହାଡ଼ଟା ଏବେ ଗଛ ଲତାରେ କି ଘଞ୍ଚ ହେଇଯାଇଛି! ଆଗରୁ ଥରେ ଏ ଜାଗାକୁ ବୁଲି ଆସିଥିଲି। ସେତେବେଳେ କାଇଁ ଏତେ ଗଛ ନଥିଲା ତ! ପାହାଡ଼ ଉପରକୁ ବହୁତ୍ କଷ୍ଟରେ ଚଢ଼ିବାକୁ ଆରମ୍ଭ କଲି। ପ୍ରାୟ ପନ୍ଦର ମିନିଟ୍ ପରେ ମୋର ସେହି ଗୁମ୍ଫାଟି ଆଖି ଆଗରେ ଦେଖାଗଲା। ମନରେ ଅସୀମ ଆନନ୍ଦର ଲହରୀ ଖେଳିଗଲା।


ଶୁଣିଥିଲି ଯେ ବହୁତ୍ ଦିନ ପୂର୍ବରୁ ଏହି ଗୁମ୍ଫାରେ ମୁନି, ରୂଷିମାନେ ତପସ୍ୟା କରୁଥିଳେ। ଏବେ ଏହି ଗୁମ୍ଫାରେ ମୁଁ ବି ତପସ୍ୟା କରିବି। କିନ୍ତୁ... ଇସ୍... ଗୁମ୍ଫା ଭିତରଟା କି ଅପରିଷ୍କାର ହେଇଛି! ଶୁଖିଲା ପତ୍ର, କାଠି, ଜରି, କାଚ ଆଦିରେ ଭର୍ତ୍ତି। ପାଖ ଗଛରୁ ଡାଳ ଖଣ୍ଡିଏ ଭାଙ୍ଗି ଆଣି ତଳଟି ଓଳାଇ ଟିକିଏ ପରିଷ୍କାର କରିଦେଲି। ଅଣ୍ଟାରୁ ଗାମୁଛାଟି ଖୋଲି ତଳେ ପକାଇ ତା ଉପରେ ବସିପଡ଼ିଲି। ବହୁତ୍ ହାଲିଆ ବି ଲାଗୁଥିଲା। ଭୋକକୁ କିନ୍ତୁ ମୁଁ ସମ୍ଭାଳି ନେଇଥିଲି। ଆଖପାଖ ଚାରିଆଡ଼େ ଆଖି ବୁଲାଇ ଚାହିଁଲି। ଚାରିଆଡ଼େ କେବଳ ଗଛ ଲତା ଓ ଅନାବନା ଲଟା ଭର୍ତ୍ତି। ବହୁତ୍ କଷ୍ଟରେ ଗୁମ୍ଫା ଭିତରକୁ ଟିକିଏ ଆଲୋକ ଆସୁଥିଲା। ଗୁମ୍ଫା ଭିତରଟା ଏତେ ଖରାଦିନେ ବି ଟିକିଏ ଥଣ୍ଡା ଥଣ୍ଡା ଲାଗୁଥିଲା। ଗାମୁଛା ଉପରେ ଦୁଇ ମିନିଟ୍ ଗଡ଼ିପଡ଼ି ତପସ୍ୟା ଆରମ୍ଭ କରିବି ବୋଲି ଭାବିଲି। ଆଖି ଦୁଇଟି ଖୁବ୍ ଜଲଦି ବୁଜି ହୋଇଗଲା।


ବେଶ୍ କିଛି ସମୟ ଅତିବାହିତ ହୋଇଯାଇଥିଲା। ହଠାତ୍ ଆଖି ଖୋଲିଗଲା। ଛାନିଆ ହୋଇ ଉଠି ବସିପଡିଲି। ଏବେ ମତେ ଜଲଦି ତପସ୍ୟା ଆରମ୍ଭ କରିବାକୁ ପଡ଼ିବ। ଗୁମ୍ଫାର ପଥରକୁ ଆଉଜି ଚକାମାଡ଼ି ବସିପଡିଲି। ମନେମନେ ଭଗବାନଙ୍କୁ ଡାକିବାକୁ ଆରମ୍ଭ କରିଦେଲି। ଯଦିଓ ଭଗବାନ କିଏ ଓ ଦେଖିବାକୁ କିପରି ବୋଲି ମୋତେ ଜଣାନଥିଲା ତଥାପି ଜେଜେମା କାହାଣୀର କଳ୍ପିତ ଚିତ୍ର, ବାପା, ମାଆ, ସାଙ୍ଗସାଥୀ ଆଦି ବର୍ଣ୍ଣନା କରିଥିବା ଭଗବାନଙ୍କର ଅନେକ ରୂପ ତଥା ଠାକୁର ଘରର ଖଟୁଲି ଉପରେ ଥୁଆ ହୋଇଥିବା ପିତ୍ତଳ ମୂର୍ତ୍ତି ଆଦି ଗୋଳାଇ ମିଶାଇ ମୋ ଆଖି ଆଗରେ ଭାସି ଉଠୁଥାଏ। ବାରମ୍ବାର ମୁଁ ଡାକୁଥାଏ... ଭଗବାନ... ତମେ ଆସ, ଭଗବାନ ତମେ ଆସ... ତମେ ଆସ... ତମେ ଆସ।

ପ୍ରାୟ ଅଧା ଘଣ୍ଟା ପର ପର୍ଯ୍ୟନ୍ତ ଏହିପରି ଚାଲିବା ପରେ କେଜାଣି କାହିଁକି ହଠାତ୍ ଆଖି ଖୋଲି ଚାହିଁ ଦେଲି। ଇସ୍... ଚାରିଆଡ଼େ କି ଗାଢ ଅନ୍ଧାର! ଲାଗୁଛି ଯେମିତି ରାତି ପ୍ରାୟ ଏଗାର କି ବାର ବାଜି ଯାଇଥିବ। କିନ୍ତୁ ପ୍ରକୃତ ସମୟ ପ୍ରାୟ ଆଗତ ସନ୍ଧ୍ଯା। ସୂର୍ଯ୍ୟ ଅସ୍ତ ହୋଇ ସାରିଲେଣି। ତା'ଛଡ଼ା ପାହାଡ଼ ଉପର ବୃକ୍ଷ ଲତା ଭରା ଘନ ଜଙ୍ଗଲ ସହିତ ସୂର୍ଯ୍ୟଙ୍କର ଅପର ପାର୍ଶ୍ୱରେ ଗୁମ୍ଫାର ମୁହଁ। ଆଲୋକ କୌଣସି ପ୍ରକାର ପ୍ରବେଶ ନକରି ପାରି ଅନ୍ଧାର ହୋଇଯିବାଟା ସ୍ୱାଭାବିକ। ଭୟରେ ଆଉ ଚାହିଁ ପାରିଲିନି। ସାଙ୍ଗେ ସାଙ୍ଗେ ଆଖି ବୁଜି ଦେଲି। ମନେ ମନେ ଚିନ୍ତା କଲି - ନା ମୁଁ ଭୟ କରିବିନି। ପୁଣି ଭଗବାନଙ୍କୁ ଡାକିଲି। ମନରେ କିନ୍ତୁ ଅନ୍ଧକାରର ଭୟଟି ଲଦି ହୋଇ ରହିଥାଏ। ଆଖି ଖୋଲିବାକୁ ସାହସ ହେଉନଥାଏ। ଧୀରେ ଧୀରେ ମୋ ଆଖି ଆଗରେ ମୋର ସାଙ୍ଗ ସାଥି, ମୋର ରାତି ବେଳରେ ଖାଇବା ରୁଟି ତରକାରୀ, ମୋ ବିଛଣା, ବୋଉ, ବାପା ଆଦି ଭାସି ଉଠିଲେ। ... 


ଚଢ଼େଇ ମାନଙ୍କର କିଚିରି ମିଚିରି ଶବ୍ଦ ସହିତ ହାଲୁକା ଆଲୋକରେ ହଠାତ୍ ମୋର ନିଦ ଭାଙ୍ଗିଗଲା। ଇସ୍... ରାତି ପାହି ଗଲାଣି! ମୁଁ ତା'ହେଲେ ଶୋଇ ପଡ଼ିଥିଲି। ମୋର ତପସ୍ୟା ତା'ହେଲେ ଠିକ୍ ହେଲା ନାହିଁ। ଏତେ କଷ୍ଟ କରି ବି ମୁଁ ଶୋଇପଡ଼ିଲି! ମୋର ତପସ୍ୟା ଭାଙ୍ଗିଗଲା। ବହୁତ୍ ମନ ଦୁଃଖ ହୋଇଗଲା। ଛାଡ଼, ଏ ସବୁ ତପସ୍ୟା ବହୁତ୍ କଷ୍ଟକର। ନଖାଇ ନପିଇ, ଘରେ ନରହି ଏତେଦୂର ଜଙ୍ଗଲ ପାହାଡ଼ ଗୁମ୍ଫାରେ ବସି ଏକୁଟିଆ ଅନ୍ଧାରରେ ତପସ୍ୟା କରିବା...ମୋ ଦ୍ୱାରା ହେବ ନାହିଁ। 


 ଗାମୁଛାଟାକୁ ତଳୁ ଗୋଟାଇ ଆଣି ଅଣ୍ଟାରେ ବାନ୍ଧି ଉଠି ଠିଆ ହେଲି। ଧୀରେ ଧୀରେ ଘର ମୁହାଁ ହୋଇ ଫେରି ଚାଲିଲି। 


ଏ' ତ ଥିଲା ମୋର ପ୍ରଥମ ଯୋଗ ସାଧନା ବା ଧ୍ୟାନ ଯୋଗର ଅନୁଭୂତି। ଏବେ ଯିବା ମୋର ଦ୍ଵିତୀୟ ସାଧନାକୁ। ଯାହା ଥିଲା ଜପ ଯୋଗ।


ମୋର ଧ୍ୟାନ ଯୋଗର ଅଳ୍ପ କିଛିଦିନ ପରେ ସାଙ୍ଗମାନଙ୍କ ଠାରୁ ଶୁଣିଲି ଯେ ଗାଆଁକୁ ଜଣେ ବଡ଼ ବାବାଜୀ ଆସିଛନ୍ତି। ସେ ହନୁମାନଙ୍କୁ ପୂଜା କରୁଛନ୍ତି। ମୁହଁରେ ଲମ୍ବା ଦାଢ଼ି ଓ ମୁଣ୍ଡରେ ଝିଅ ପିଲାଙ୍କ ପରି ଲମ୍ବା ଚୁଟି ରଖିଛନ୍ତି। ହାଇସ୍କୁଲ ପାଖ ନଦୀ ବନ୍ଧ ଉପରେ ଚାଲି ଚାଲି କିଛି ଦୂରକୁ ଗଲେ ଯେଉଁଠାରେ ଗାଆଁ ଶେଷ ହୋଇ ଆମ୍ବ ତୋଟା ଆରମ୍ଭ ହୁଏ ଠିକ୍ ସେହି ପାଖରୁ ବନ୍ଧ ଉପରୁ ତଳକୁ ଓହ୍ଲାଇ ପଡିଲେ ଗୋଟିଏ କୁଡିଆ ଘର ଦେଖାଯିବ। ସେଇ କୁଡିଆ ଘରେ ବାବା ଏକା ରହୁଛନ୍ତି।


ବାବାଜୀ, ଲମ୍ବା ଚୁଟି ଓ ଦାଢ଼ି, କୁଡ଼ିଆ ଘର, ଗାଆଁ ବାହାର ଆମ୍ବ ତୋଟା, ହନୁମାନ ପୂଜା... ଏ ସବୁକୁ ନେଇ ମୁଁ କଳ୍ପନା କରିନେଲି ଯେ ଇଏ ନିଶ୍ଚୟ ଜଣେ ରୂଷି ହୋଇଥିବେ। ମୁଁ ନିଶ୍ଚୟ ତାଙ୍କୁ ଦେଖିବି।


ପରବର୍ତ୍ତୀ ରବିବାର ଦିନ ସକାଳ ପ୍ରାୟ ଦଶଟା ସମୟରେ ମୁଁ ବାହାରି ପଡ଼ିଲି ରୂଷିଙ୍କୁ ଦେଖିବା ପାଇଁ। ନଦୀ କୂଳ ବନ୍ଧ ଉପରେ ଚାଲି ଚାଲି ପ୍ରାୟ ପାଖାପାଖି ଅଧା ଘଣ୍ଟା ଯିବା ପରେ, ଆମ୍ବ ତୋଟା ପାଖରେ ସତକୁ ସତ ମୁଁ ଗୋଟିଏ କୁଡ଼ିଆ ଘର ଦେଖିଲି। ସେ କୁଡ଼ିଆ ଉପରେ ଓ ପାଖା ପାଖି ଦୁଇ ତିନୋଟି ସ୍ଥାନରେ ନାଲି ଓ କମଳା ରଙ୍ଗର ପତାକା ଉଡୁଥିଲା। ଏଇଠାରେ ବୋଧହୁଏ ସେ ବାବାଜୀ ରହୁଛନ୍ତି। ବନ୍ଧ ଉପରୁ ତଳକୁ ଗଡ଼ି ଆସିଲି। କେତେବେଳେ କେଜାଣି କେମିତି ଏଠାରେ ଏତେ ବଡ଼ କୁଡିଆ ଘରଟେ ବାବାଜୀ ତିଆରି କଲେ। ଚାରିଆଡ଼େ କେତେ ଛୋଟ ବଡ଼ ଫୁଲ ଗଛ ଭର୍ତ୍ତି। ନାନା ପ୍ରକାର ସୁନ୍ଦର ସୁନ୍ଦର ଫୁଲ ସବୁ ଫୁଟିଛି। ଟିକିଏ ଆଗରେ ଇଟା, ବାଉଁଶ, ମାଟି ଆଦି ଲଗାଇ ଗୋଟିଏ ଛୋଟ ଘରଟିଏ ତିଆରି ହୋଇଛି। ସେ ଘର ଆଗରେ ଘଣ୍ଟି, ପତାକା ଆଦି ବନ୍ଧା ହୋଇଛି। ଘରର କବାଟ ବନ୍ଦ ଅଛି। ଆଗରେ ଦୀପ ଜଳୁଛି। ସାମନାରେ ବାଉଁଶ ତିଆରି ତାଟିଟିଏ କବାଟ ପରି ଦୁଇପଟେ ବାଉଁଶ ଖୁଣ୍ଟକୁ ଲାଗିଛି। ସେ ତାଟି ଖୋଲି ଅକ୍ଲେଶରେ କେହିବି ଭିତରକୁ ଯାଇ ପାରିବ।


ହଠାତ୍ ଶୁଣିଲି ପଛପଟୁ କେହି ଜଣେ ମତେ ପଚାରୁଛି, "କଣ ହେଲା ବାପା"?


ବୁଲିପଡ଼ି ଦେଖିଲି, ଇଏ ବୋଧହୁଏ ସେହି ବାବାଜୀ ବା ରୂଷି। ମୁଣ୍ଡରେ ଲମ୍ବା ଚୁଟି, ମୁହଁରେ କଳା ଦାଢ଼ି। ଗୋଟିଏ ହାତରେ ଧରିଛନ୍ତି ବାଉଁଶର ଗୋଟିଏ ଠେଙ୍ଗା ଓ ଆର ହାତରେ ଖଣ୍ଡିଏ ପୁରୁଣା, ମୋଟା ବହି। ଆଶ୍ଚର୍ଯ୍ୟ ହୋଇ ଚୁପ୍ ଚାପ୍ ତାଙ୍କୁ ଚାହିଁ ରହିଥିଲି।


— କଣ କରୁଛ ବାବୁ ଏଠାରେ? ବାବାଜୀ ପଚାରିଲେ।


— ଆପଣ ଏଠାରେ ଏକୁଟିଆ କ'ଣ କରୁଛନ୍ତି?


— ଆରେ ବାବୁ! ଏକୁଟିଆ କଣ? ଠାକୁର ପରା ଆମ ସାଥିରେ ସବୁବେଳେ ଅଛନ୍ତି!


— ଏଠାରେ କୋଉ ଠାକୁର ଅଛନ୍ତି?


— ଏଇଟି ହନୁମାନଙ୍କର ଆସ୍ଥାନ।


— ଆପଣ ହନୁମାନଙ୍କୁ ଦେଖିଛନ୍ତି?


— ହଁ ବାବୁ, ସେ ଆମ ପାଖରେ ସବୁବେଳେ ଅଛନ୍ତି। ତାଙ୍କୁ ଯେତେବେଳେ ବି ଡାକିଲେ ସେ 'ଓ' କରନ୍ତି।


ମତେ ଏ ସବୁ ଉତ୍ତର ଖୁବ୍ ଅଦ୍ଭୁତ ଓ ଆଶ୍ଚର୍ଯ୍ୟ ଲାଗୁଥାଏ।


— ବାବା ମୁଁ ହନୁମାନଙ୍କୁ ବି ଦେଖି ପାରିବି?


ଏଥର ବାବାଜୀ ଟିକିଏ ହସିଦେଲେ। "ଆସ ବାବୁ, ମନ୍ଦିର ଭିତରକୁ ଆସ"। ବାବାଜୀଙ୍କ ପଛେ ପଛେ ମୁଁ ଚାଲିଲି। ବାବାଜୀ ତାଟି ଆଡ଼େଇ ଛୋଟ ଘରଟିର ସାମନା କବାଟର ଶିକୁଳି ଖୋଲିଲେ। ଆଃ! ଘର ଭିତରଟା ଧୂପ, ଫୁଲ, ଚନ୍ଦନ, କର୍ପୂର, ଘିଅ ଆଦିର ଏକ ଅଦ୍ଭୁତ ବାସ୍ନାରେ ମନକୁ ମୋହି ନେଉଥାଏ। 


ହନୁମାନଙ୍କର ମୂର୍ତ୍ତିକୁ ମୁଣ୍ଡିଆ ମାରି ମୁଁ ବାବାଜୀଙ୍କୁ ପୁଣିଥରେ ପଚାରିଲି," ମୁଁ ହନୁମାନଙ୍କୁ କେମିତି ଦେଖିବି"? କୌଣସି ଉତ୍ତର ନଦେଇ ବାବାଜୀ ସେ ଘରୁ ଗୋଟିଏ ଗିନା, ପୁଳାଏ ଧୂପକାଠି ଓ କିଛି ଫୁଲ ଗୋଟିଏ ବ୍ୟାଗରେ ଭର୍ତ୍ତି କରି ହନୁମାନଙ୍କୁ ପ୍ରଣାମ କରି ବାହାରକୁ ଚାଲି ଆସିଲେ। ପଛେ ପଛେ ମୁଁ ମଧ୍ଯ ହନୁମାନଙ୍କୁ ପ୍ରଣାମ କରି ଚାଲି ଆସିଲି। ବାବାଜୀ ଠାକୁର ଘର କବାଟର ଶିକୁଳି ଲଗାଇ ଦେଲେ।


— ବାବାଜୀ! ମୁଁ ହନୁମାନଙ୍କୁ କେମିତି ଦେଖି ପାରିବି?

ବ୍ୟାଗ ଭିତରୁ ଗୋଟିଏ ଛୋଟ ବହି ବାହାର କରି ବାବାଜୀ ମତେ ଧରାଇ ଦେଲେ। 

— ଏଇ ନିଅ ବାବୁ, ଏଇ ବହିଟିକୁ ସବୁଦିନ ସକାଳେ, ସନ୍ଧ୍ଯାରେ ପଢ଼ିବ।


ବହିଟିକୁ ତାଙ୍କ ହାତରୁ ନେଇ ଦେଖିଲି ଉପରେ ଲେଖା ହୋଇଛି 'ହନୁମାନ ଚାଳିଶା'।

— ତମେ କୋଉ ଶ୍ରେଣୀରେ ପଢୁଛ? —ବାବାଜୀ ପଚାରିଲେ।

— ଷଷ୍ଠ ଶ୍ରେଣୀ। ଏଇଟା ମୋର ସ୍କୁଲ। ସେଠାରୁ ମୋ ସ୍କୁଲଟି ଆଦୌ ଦେଖା ଯାଉନଥିଲେ ବି ସ୍କୁଲ ଆଡକୁ ମୁଁ ଆଙ୍ଗୁଠି ବଢ଼ାଇ ଦେଲି।

"ମୁଁ ହନୁମାନଙ୍କୁ କେମିତି ଦେଖିବି?" ପୁନଶ୍ଚ ବ୍ୟଗ୍ର ହୋଇ ମୁଁ ପଚାରିଲି।

"କୌଣସି ଶନିବାର ଦିନ କଦଳୀ ବଣକୁ ଯାଇ ଏହି ହନୁମାନ ଚାଳିଶାକୁ ଶହେ ଆଠ ଥର ପଢ଼ିଲେ ହନୁମାନ ଦର୍ଶନ ଦେବେ"। ବାବାଜୀ ଉତ୍ତର ଦେଲେ।


ବାଃ ଏତେ ସହଜ! ମୋ ମନରେ ଆନନ୍ଦର ସୀମା ରହିଲା ନାହିଁ। ...


ପରବର୍ତ୍ତୀ ଶୁକ୍ରବାର। ପୂର୍ବ ପରି ବୋଉକୁ କହିଦେଲି,"ବୋଉ କାଲି ସ୍କୁଲରୁ ଫେରି ସିଧା ସାଙ୍ଗ ଘରକୁ ଯିବି। ସେଠାରେ ଖେଳି ସାରି ତାଙ୍କ ଘରେ ଖାଇବି। ଘରକୁ ଆସୁ ଆସୁ ଡେରି ହେବ।" 


ମୁଁ ଜାଣିଥିଲି ଯେ ଆମ ଗାଆଁରୁ ସହର ଆଡକୁ ପ୍ରାୟ ଚାରି କିଲୋମିଟର ଯିବା ପରେ ଡାହାଣକୁ ଗୋଟିଏ ଛୋଟିଆ ରାସ୍ତା ଯାଇଛି। ସେହି ରାସ୍ତାରେ ପ୍ରାୟ ଦୁଇ ତିନି କିଲୋମିଟର ଖଣ୍ଡେ ଆଗକୁ ଗଲେ ରାସ୍ତାର ପାଖେ ପାଖେ ଜଙ୍ଗଲ ପରି ଅସଂଖ୍ୟ କଦଳୀ ଗଛ ଥାଏ। ସେଠାରେ ପାଖ ଗାଆଁର ଲୋକ ମାନେ କଦଳୀ ଚାଷ କରନ୍ତି।


ପର ଦିନ ସକାଳ ପ୍ରାୟ ଆଠଟାରୁ ସ୍କୁଲ ଯିବା ବାହାନାରେ ବହି ବସ୍ତାନି ନେଇ କଦଳୀ ବଣ ଆଡ଼େ ଚାଲିବା ଆରମ୍ଭ ହୋଇଗଲା। ପ୍ରାୟ ସାଢ଼େ ଦଶଟା ପାଖା ପାଖି ମୁଁ ପହଁଞ୍ଚି ଗଲି ନିର୍ଦ୍ଧାରିତ କଦଳୀ ବଗିଚାରେ। ରାସ୍ତାର ଦୁଇ ପାଖ ବିଲରେ ଅନେକ କଦଳୀ ଗଛ ଲାଗିଛି। ପାଖରୁ ଦୁଇ ତିନୋଟି ବିଲ ଛାଡ଼ିଦେବା ପରେ ମୋତେ ଗୋଟିଏ ବଡ଼ ଆଉ ଘଞ୍ଚ ଜଙ୍ଗଲ ପରି କଦଳୀ ବଗିଚାଟିଏ ମିଳିଗଲା। ସେହି ବଗିଚାଟି ମୋ ପାଇଁ ଠିକ୍ ବୋଲି ନିର୍ଣ୍ଣୟ କରି ତା ଭିତରକୁ ପଶିଗଲି। ଯଦିଓ ରାସ୍ତାଟି ଶୂନଶାନ ଥିଲା ଓ ମତେ କେହିବି ଦେଖିନଥିଲେ ତଥାପି ବଗିଚାର ମାଲିକ କଥା ଭାବି ଭୟ ଲାଗୁଥିଲା। କାଳେ ସେ ଆସିଯିବ କି! କାଳେ ମତେ ଦେଖି ଚୋର ଭାବି ବାଡେଇବ କି! ଏ ସବୁ ଆଶଙ୍କା ନେଇ ବଗିଚାର ଟିକିଏ ଭିତରକୁ ଚାଲିଗଲି। ଯେମିତି ମତେ ରାସ୍ତା ଉପରୁ କେହିବି ଦେଖି ନପାରିବେ। ଗଛ ଗୁଡିକ ଭିତରେ ବେଶ୍ କିଛି ଦୂରତା ଥିଲା। ଗୋଟିଏ ଜାଗା ବାଛି, ବସ୍ତାନିଟି ତଳେ ଥୋଇ ଦେଇ ତା ଭିତରୁ ମୋର ନାଲି ଗାମୁଛାଟି ବାହାର କରି ତଳେ ବିଛାଇ ଦେଲି। ତା ଉପରେ ବସି ପଡି ବସ୍ତାନି ଭିତରୁ ହନୁମାନ ଚାଳିଶା ବହିଟି ବାହାର କରି ନେଲି। ଚାରିଆଡ଼େ ଥରେ ନଜର ପକାଇ ବହି ପଢିବାକୁ ଆରମ୍ଭ କଲି। ବହିଟି ଓଡ଼ିଆରେ ଲେଖା ଥିଲା।


ଦୋହା... ଶ୍ରୀ ଗୁରୁ ଚରନ ସରୋଜ ରଜ ... ଓ ଶେଷରେ ମଧ୍ୟ ସେହି ଦୋହା... ହୃଦୟ ବସହୁ ସୁର ଭୂପ। ବାପ୍ ରେ କି କଷ୍ଟ ଲେଖା। କିଛି ବି ବୁଝି ହଉନି। ଥଙ୍ଗେଇ ଥଙ୍ଗେଇ ପଢୁଥିଲି ଓ ଆଙ୍ଗୁଠିରେ ଗଣୁଥିଲି... ଏକ୍... ଦୁଇ... ତିନ... ଚାରି...। ମଝିରେ ମଝିରେ ଗୋଡ଼ ଭାଙ୍ଗୁଥାଏ ଓ ସିଧା କରୁଥାଏ। ଏହିପରି ଶହେ ପୂରଣ ହୋଇଯିବା ପରେ ମୋ ମନରେ ଉତ୍ସାହ ବଢ଼ି ଆସିଲା। ଆଉ ମାତ୍ର ଆଠ ଥର ପରେ ସରିଯିବ। ତା'ପରେ ହନୁମାନ ଆସିବେ। କେତେ ମଜା ହେବ। ଶହେ ଏକ୍... ଶହେ ଦୁଇ... 


... ଶହେ ଆଠ ...। ପ୍ରାୟ ସନ୍ଧ୍ୟା ହୋଇ ଗଲାଣି। ଏବେ ହନୁମାନ ଆସିବେ। ମୁହଁ ଓ ଆଖି ବୁଲାଇ ଆଗ, ପଛ ଓ ଚାରିପଟ ଥରେ ଭଲ ଭାବରେ ଦେଖି ନେଲି। କାହିଁ କେଉଁଠାରେ ତ ହନୁମାନ ଦେଖାଯାଉନାହାନ୍ତି। ବୋଧହୁଏ କିଛି ଭୁଲ ଗଣିଲି। ପୁଣିଥରେ ଲାଗିପଡ଼ି ଆଉ ଦଶ ଥର ପଢିନେଲି। ବାରମ୍ବାର ପଢି ଅଭ୍ୟାସ ହୋଇ ଯାଇଥିବାରୁ ଏହି ଦଶ ଥର ବହୁତ୍ ଜଲଦି ହୋଇଗଲା। ଏବେ ଉଠି ଠିଆ ହୋଇ ଆଉଥରେ ମୋର ଚାରିପାଖକୁ ବୁଲି ବୁଲି ଚାହିଁଲି। ତଳୁ ମୋର ନାଲି ଗାମୁଛା ଓ ବସ୍ତାନିକୁ ଉଠାଇ ଆଣି କଦଳୀ ବଗିଚାର ଚାରିପଟେ ଖୋଜି ଖୋଜି ଘେରାଏ ବୁଲି ଆସିଲି। ପାଖ ବଗିଚା ଗୁଡିକ ଟିକିଏ ଫାଙ୍କା ଦେଖାଯାଉଥାଏ। କାଇଁ କୋଉ ହନୁମାନ। କ୍ରମଶଃ ଅନ୍ଧାର ହୋଇ ଆସିଲାଣି। ଏବେ ପୁରା ନିଶ୍ଚିତ ହୋଇଗଲି ଯେ ହନୁମାନ ଆସିନାହାନ୍ତି। ବାବାଜୀ ମୋତେ ସବୁ ମିଛ କହିଛି। ନିରାଶ ହୋଇ ଚାରିଆଡ଼େ ଆଉଥରେ ମୁହଁ ବୁଲାଇ ଘର ମୁହାଁ ହେଲି।


ଘରେ ପହଞ୍ଚୁ ପହଞ୍ଚୁ ରାତି ପ୍ରାୟ ନଅଟା। ଭାରି ଭୋକ ଲାଗୁଥିଲା। ବୋଉ ପଚାରିଲା "ଖାଇଚୁ"? ମୁଁ କହିଲି, "ନା, ଦିପହରରେ ଖାଇଥିଲି। ଏବେ ତାଙ୍କର ରାନ୍ଧୁଥିଲେ। ମୁଁ ପଳେଇ ଆସିଲି"।

"ଭଲ କଲୁ। ଏତେ ବେଳ ଯାଏ ସେମାନେ ରାନ୍ଧି ନାହାନ୍ତି" ! 


ଖାଇସାରି ଶୋଇବା ବେଳେ ଭାବୁଥିଲି କେମିତି ଆଜି ରାତି ପାହିଯାଉ। ସେ ବାବାଜୀକୁ ଯାଇ ପାନେ ଦେବି। ଲୁଚି ଲୁଚି ଟେକା ମାରିବି। ସାଙ୍ଗମାନଙ୍କୁ ନେଇ ତା କୁଡ଼ିଆ ଭାଙ୍ଗିଦେବି। ମତେ କାହିଁକି ମିଛ କହିଥିଲା, ତାର ଉତ୍ତର ସେ ଦବ ଓ ତାର ଫଳ ଭୋଗିବ। 


ତା'ପର ଦିନ ରବିବାର। ଛୁଟି ଦିନ। ଭାଗ୍ୟକୁ ବୋଉ ଜେଜେମାକୁ କହୁଥିବାର ଶୁଣିଲି, "ଘରେ ଚୁଲି ଜାଳିବାକୁ କାଠ ସରିଆସିଲାଣି। ଭାଗୁଆଳିଙ୍କର କାହିଁ ଆଜି ଯାଏ ଦେଖା ନାହିଁ"। ଜେଜେମା କହିଲା, "ରହ ମୁଁ ଟୁନା ହାତରେ ଖବର ପଠାଉଛି"। ମତେ ହଠାତ୍ ଗୋଟିଏ ବଡ଼ ସୁଯୋଗ ମିଳିଗଲା। କହିଲି, "ମା', ମୁଁ ଯାଉଛି ଭାଗୁଆଳିଙ୍କୁ ଡାକି ଆଣିବି"।


ଭାଗୁଆଳିଙ୍କର ଘରଠାରୁ କିଛି ଦୂର ଆଗକୁ ବନ୍ଧ ରାସ୍ତାରେ ଗଲେ ବାବାଜୀଙ୍କର ମଠଟି ପଡ଼େ। ବହୁତ୍ ଜଲଦି ଭାଗୁଆଳିଙ୍କର ଘରେ ପହଞ୍ଚି ତାଙ୍କୁ ଘରକୁ ଯିବାକୁ କହି ସିଧା ଯାଇ ମଠରେ ପହଁଞ୍ଚିଗଲି। ହଠାତ୍ ମୋତେ ସେଠାରେ ଦେଖି ବାବାଜୀ ଖୁସି ହୋଇଗଲେ।


— ଆସ ବାପା, ଆଜି ସକାଳୁ ସକାଳୁ କଣ ପ୍ରଭୁଙ୍କ କଥା ମନେ ପଡ଼ିଗଲା! ପ୍ରଭୁ ପବନ ପୁତ୍ର ମଙ୍ଗଳ କରନ୍ତୁ। ଆଉ ବାପା ବହି ପଢ଼ୁଛ ତ?

ମୋର ରାଗ ପୁରା ନାକ ଅଗରେ ଥିଲା। କେମିତି ଝଡ଼େଇବି।

— ମତେ କାହିଁକି ମିଛ କହିଲ?

— କଣ ହେଲା ବାବୁ? କିଏ କଣ କହିଲା?

— କାଲି କଦଳୀ ବଗିଚାରେ ଶହେ ଆଠରୁ ଅଧିକ ଥର ସେ ବହି ପଢ଼ିଲି। ହନୁମାନ ଆସି ନାହାନ୍ତି। ପୁରା ମିଛ କହିଛ ମୋତେ।


ବାବାଜୀ କିଛି କ୍ଷଣ ପାଇଁ ସ୍ତବ୍ଧ ହୋଇଗଲେ। ଆଶ୍ଚର୍ଯ୍ୟ ହୋଇ ମୋ ମୁହଁକୁ ଚାହିଁ ରହିଲେ। 


— ତମେ କଦଳୀ ବଗିଚାକୁ ଯାଇ ଏ ବହିଟିକୁ ଶହେ ଆଠ ଥର ପଢିଛ??

— ହଁ, କାଲି ଯାଇଥିଲି। ବହୁତ୍ ବାଟ ଚାଲି ଚାଲି ଗଲି। ଗୋଟିଏ କଦଳୀ ବଗିଚାରେ ବସି ସେ ବହିଟିକୁ ଶହେ ଆଠରୁ ଅଧିକ ଥର ବି ପଢିଛି। କାଇଁ କୋଉ ହନୁମାନ ଆସିଲେ? କେତେ ମିଛ!!


ବାବାଜୀ ଧୀରେ ଧୀରେ ମୋ ପାଖକୁ ଚାଲି ଆସିଲେ। ମୋ ମୁଣ୍ଡକୁ ଆଉଁଷି ଦେଇ କହିଲେ, "ବାବୁ ରେ! ତୁମେ ହନୁମାନଙ୍କର ଜଣେ ବଡ଼ ପ୍ରିୟ ଭକ୍ତ। ତୁମ କଥା ଶୁଣି ମୁଁ ବିଶ୍ୱାସ କରି ପାରୁନି ଯେ ଏ ବୟସରେ ତୁମେ ଏମିତି ସାଧନା କରି ପାରିବ"।


ସ୍ନେହରେ ମୁଣ୍ଡ ଆଉଁଷି ଦେବା ପରେ ମୁଁ ଟିକିଏ ଦବି ଯାଇଥିଲି। 


—ମତେ ଆଗ କୁହ ଯେ କାହିଁକି ମିଛ କହିଲ?

— ନା ବାପା, ମୁଁ ତୁମକୁ କିଛି ମିଛ କହିନି। ପ୍ରଭୁ ତୁମ ପାଖକୁ କାଲି ନିଶ୍ଚିତ ଭାବରେ ଆସିଥିଲେ।

— ମୁଁ ତ ତାଙ୍କୁ ଦେଖିନି?

— ତୁମେ ହନୁମାନଙ୍କୁ ଆଗରୁ ଦେଖିଥିଲ?

— ନା

— ସେ ଦେଖିବାକୁ କିପରି ଜାଣିଛ?

— ହଁ, ଜାଣିଛି। ଦେଖିବାକୁ ପୁରା ମାଙ୍କଡ଼ ପରି, କିନ୍ତୁ ବହୁତ୍ ବଡ଼। ଏତେ ବଡ଼ ଯେ ସୂର୍ଯ୍ୟଙ୍କୁ ବି ଗିଳି ଦେଇଥିଲେ। ବଡ ଲାଞ୍ଜ ଅଛି। ଗଦା ଧରିଥାଆନ୍ତି। ବହୁତ୍ ବଳ ତାଙ୍କର। ବହୁତ୍ ରାକ୍ଷସକୁ ମାରିଛନ୍ତି। ପାହାଡ଼କୁ ଓପାଡ଼ି ଉଡ଼ିକି ପଳେଇ ଯାଆନ୍ତି। ସମୁଦ୍ରକୁ ଡେଇଁ ଆରପାରିକୁ ପଳେଇ ଥିଲେ। ମୁଁ ସବୁ ଜାଣିଛି।

— ଯଦି ଏତେ ବଡ଼ ହନୁମାନ କାଲି ହଠାତ୍ ତୁମ ଆଗରେ ଆସି ଗଦା ଧରି ଠିଆ ହୋଇ ଯାଇଥାଆନ୍ତେ ତା' ହେଲେ ତୁମେ କଣ କରିଥାଆନ୍ତ?

— ହଁ... ଟିକିଏ ଡର ବି ଲାଗିଥାଆନ୍ତା।

— ତା' ହେଲେ... ତୁମେ ଯାହାକୁ ଡାକୁଛ, ସେ ତୁମ ପାଖକୁ ଆସିଲେ ଯଦି ତୁମେ ଡରିବ, ତେବେ କଅଣ ଲାଭ? ପ୍ରଭୁ କାଲି ତୁମ ପାଖକୁ ଆସିଥିଲେ। ମନ୍ତ୍ର ପଢିବା ଶେଷ ପର୍ଯ୍ୟନ୍ତ ସେ ତୁମ ପାଖରେ ଥିଲେ। କିନ୍ତୁ ସ୍ଥୂଳ ରୂପରେ ନୁହେଁ। ତୁମର ମନ୍ତ୍ର ପଢ଼ା ସରିବା ପରେ ସେ ତୁମକୁ ଆଶୀର୍ବାଦ କରି, ତୁମର ଯାହା ଦରକାର ଦେଇକରି ଯାଇଛନ୍ତି। ସେ ଜାଣିଛନ୍ତି ଯେ ତୁମର ପ୍ରକୃତରେ କ'ଣ ଦରକାର।


ବାବାଜୀଙ୍କର କଥାଟା ମୋ ମନକୁ କିଞ୍ଚିତ ମାତ୍ରାରେ ଶାନ୍ତ୍ୱନା ଦେଲା ସତ କିନ୍ତୁ ଭାବୁଥିଲି ହନୁମାନ ମୋତେ ଦେଖା ଦେଇଥିଲେ ଭଲ ହେଇଥାଆନ୍ତା। ମୋର ଯାହା ଦରକାର ମୁଁ ନିଜେ ମାଗିକରି ନେଇଥାଆନ୍ତି। ମନରୁ ରାଗଟା ପୁରା ଥମିନଥିଲା। କିନ୍ତୁ ମୁଁ ସବୁକିଛି ଠିକ୍ ବୁଝି ବି ସାରିଥିଲି।


"ଆସ ବାପା ପ୍ରଭୁ ହନୁମାନଙ୍କର ଦର୍ଶନ କରି ଯିବ"। ବାବାଜୀ କହିଲେ। 

"ନା, ମୋର ଏବେ କାମ ଅଛି। ମୁଁ ଭାଗୁଆଳିଙ୍କର ଘରକୁ ଯିବି"। ରାଗଟି ଥମି ଯାଇଥିଲେ ବି ମୁଁ ତାଙ୍କୁ ତାହା ଦେଖାଇବାକୁ ଚାହୁଁନଥିଲି। ବୁଲିପଡ଼ି ପଛକୁ ଫେରିଲି।


ବାବାଜୀ ମୋର ଫେରିବା ବାଟକୁ କିଛି କ୍ଷଣ ଚାହିଁ ରହିଲେ। ମୁଁ ବି ବାରମ୍ଵାର ପଛକୁ ବୁଲି ତାଙ୍କୁ ଚାହୁଁଥାଏ। ହଁ... ବାବାଜୀ ସତ କହୁଥିଲେ। ଭଗବାନଙ୍କୁ ଦେଖିବାକୁ ହେଲେ ପ୍ରଥମେ ମନରୁ ଭୟକୁ ଦୂର କରିବାକୁ ପଡିବ। ନିର୍ଭିକ, ସାହସୀ, ଓ ବଳବାନ ହେବା ପାଇଁ ତାଙ୍କୁ ହିଁ ପ୍ରାର୍ଥନା କରିବାକୁ ପଡ଼ିବ। ବାପା ବି ତାହା ହିଁ କହୁଥିଲେ ଯେ ସେ ତ ମୋ ପାଖରେ, ମୋ ହୃଦୟରେ ସବୁବେଳେ ଅଛନ୍ତି। ମୁଁ ତାଙ୍କୁ ଦେଖିପାରୁନି କେବଳ ଏଇଥିପାଇଁ ଯେ ମୁଁ ନିଜେ ପ୍ରସ୍ତୁତ ନୁହେଁ। ତାଙ୍କୁ ଦେଖିବା ପାଇଁ ମୁଁ କାହିଁକି ଘର ଛାଡ଼ି ଜଙ୍ଗଲ, ପାହାଡ଼, ଗୁମ୍ଫା, କଦଳୀ ବଗିଚା ଆଦି ବୁଲୁଛି? ମୁଁ ଚେଷ୍ଟା କରି ନିଜେ ଯଦି ତାଙ୍କରି ପରି ହୋଇଯାଏ ତେବେ ମୋତେ ଆଉ ତାଙ୍କଠାରୁ କିଛି ମାଗିବାକୁ ପଡିବନି। ପ୍ରଥମେ ନିଜର ମନ ଓ ଶରୀରକୁ ଠିକ୍ ଭାବରେ ଗଢିଲେ ସିନା ଭଗବାନ ତାଙ୍କର ପ୍ରକୃତ ଶକ୍ତି ଓ ରୂପ ନେଇ ମୋ ପାଖକୁ ଆସି ପାରିବେ!


ଧୀରେ ଧୀରେ ମୁଁ ଘର ମୁହାଁ ହୋଇ ଫେରି ଚାଲିଥିଲି। ବାଲ୍ଯ ବୟସର ବିକଶିତ ମନ ଭିତରେ ଉଠୁଥିବା ଅସୁମାରୀ ପ୍ରଶ୍ନର ସମାଧାନ ମୁଁ ନିଜେହିଁ କରି ଚାଲିଥିଲି। ପୁନଶ୍ଚ ପୂର୍ବ ଦିନର ଘୋଷି ହୋଇଥିବା ମନ୍ତ୍ରଟି ମଧ୍ୟ ବାରମ୍ଵାର ମୋ ମନ ଭିତରେ ଯିବା ଆସିବା କରୁଥିଲା...।


ପବନତନୟ ସଙ୍କଟ ହରନ ମଙ୍ଗଲ ମୂରତି ରୂପ।

ରାମ ଲଖନ ସୀତା ସହିତ ହୃଦୟ ବସହୁ ସୁର ଭୂପ।।



Rate this content
Log in

Similar oriya story from Inspirational