Ajit kumar Mishra

Romance

4.3  

Ajit kumar Mishra

Romance

ଘୃତ ଦାନ

ଘୃତ ଦାନ

3 mins
288


ବୁଲୁ! ଏ ବୁଲୁ! ବୁଲୁଉଉଉ କୁଆଡେ ଯାଇଚି କେଜାଣି ଏ ଟୋକାଟା। ଏକ ସକାଳୁ ଗଲାଣି ଯେ ଆସି ଏଗାର ବାଜିବ, ଏ ଯାଏ ଦେଖା ନାହିଁ କି ଦର୍ଶନ ନାହିଁ। ପାଠ ଶାଠ ତ କୁଆଡେ ଚୁଲିକି ଗଲାଣି ବୋଲ ହାକ ଟିକେ କରିଦବ କଣ। ରାଗ ତମତମ ହେଇ ଖସି ଯାଇଥିବା କାନିଟାକୁ ପଛକୁ ଛାଟି ଦେଇ ଦାଣ୍ଡ ଦୁଆର ଆଡକୁ ଆସୁ ଆସୁ ସାମନାରେ ଶାଶୁଙ୍କୁ ଦେଖି ମୁଣ୍ଡ ଉପରକୁ ଓଢଣୀଟା ଏତେ ଟିକେ ଟାଣି ଦେଇ ବିନୋଦିନୀ କହିଲା, "ବୋଉ, ୟାଙ୍କୁ ମୁଁ ତିନି ଦିନ ହେଲାଣି କହୁଚି ଘରେ ତେଲ ସରିଲାଣି। ଆଜି ରନ୍ଧା ହବ କେମିତି ? ଘଣ୍ଟା ଘଣ୍ଟା ଧରି ଆର ସାହିକୁ ଯାଇ ତାଆସ ବାଡେଇବାକୁ ସମୟ ହଉଚି ଦୋକାନ ସଉଦା ଟିକେ ଆଣି ଦବାକୁ ବି ସମୟ ମିଳୁନି। ଆଉ ସେ ବୁଲୁଟା କୁଆଡେ ସକାଳୁ ଯାଇଚି ଯେ ଏଯାଏ ଦେଖା ନାହିଁ। ବାପାଙ୍କୁ ପାଟେଣା ସାହିରୁ ଯାଇ ଟିକେ ଡାକି ଆଣନ୍ତାନି"।

ଆଲୋ ତୁ ଏମିତି କାହିଁକି ହଉଚୁ? ବିଜୁ ପରା ଦି ମାସ ହେଲାଣି ଦରମା ପାଇନି ଯେ କେଡେ ବିକଳ ହଉଚି। ଦୋକାନ ପଟା ସବୁ ତ ବନ୍ଦ। ତାର କାମ ଆରମ୍ଭ ହେଲେ ସିନା ମାଲିକ ପଇସା ଦବ, ନା କୋଉଠୁ ସେ ଚୋରି କରିବ। ବୁଲୁନା ତ ଉପାଧିଆ ଘର ପିଣ୍ଡାରେ ବସି ପୁତୁଲି ସାଙ୍ଗେ ଖେଳୁଛି। ରହ ତାକୁ ମୁଁ ଡାକି ଆଣୁଚି। ଶାଶୁ ବୁଲିପଡି ଯିବାକୁ ବାହାରିଲେ। ମୁହଁ ଛିଞ୍ଚାଡି ଦେଇ ବିନୋଦିନୀ କହିଲା, "ଆଜି ଶୁଖା ଶୁଖା ରାନ୍ଧି ଦେଇ ତାଙ୍କ ଆଗରେ ଥୋଇଦେବି। ବୁଝିବେ"।

ପଛକୁ ଫେରି ଆସି ଶାଶୁ ଡାକିଲେ, "ଆଲୋ ଟିକେ ରହ, ମୋ ପାଖେ ଭଲ ଗୁଆ ଘିଅ ଟିକେ ଅଛି। ସେଇଥିରେ ଯତରେ କତରେ ଏଇଲେ ଚଳେଇଦେ। ଆଉ ଅଳପ ଦିନ ପରେ ତାର ଅଫିସି ଖୋଲିଗଲେ ସେ ମାସୁଆରୀ ସଉଦା ଆଣିବ ବୋଲି କହୁଥିଲା। ମୁଁ ବୁଲୁନାକୁ ଡାକି ତାକୁ ଅଖିଳ ଦୋକାନକୁ ପଠଉଛି। ଅଳପ ଟିକେ ରନ୍ଧା ତେଲ ଆଣିଥାଉ"। ଶାଶୁଙ୍କ ହାତରୁ ଘିଅ ଶିଶିଟି ନେଇ ତାର ଠିପି ଖୋଲୁ ଖୋଲୁ ବିନୋଦିନୀ ରୋଷେଇ ଘର ଆଡ଼େ ମୁହାଁଇଲା। " ବୋପା ଖଣ୍ଡକ ତ ବାରବୁଲା ରସିକିଆ ଅଣ୍ଡିରା, ଆଉ ଏ ପୁଅ ଖଣ୍ଡକ କୁଆଡୁ ଆସିଲା। ଆସୁ ଆଜି ସେ। ଆଜି ତାର ଦିନେ କୁ ମୋର ଦିନେ"।

ଇସ୍ ହଠାତ୍ ଚମକି ପଡ଼ିଲା ବିନୋଦିନୀ। ରାଗରେ ଠିପି ଖୋଲୁ ଖୋଲୁ ଅଧା ଘିଅ ଛିଟିକି ତାର ଶାଢ଼ୀରେ ଢ଼ାଳି ହେଇଗଲା। ଶାଢ଼ୀ ଉପରୁ ମୁହଁ ଫେରାଇ ଭାତ ବସିଥିବା ଡେକଚି ତଳର ଜଳୁଥିବା ନିଆଁ ଆଡ଼େ ଚାହିଁଲା। ୟା ଭିତରେ ଦଶ ବର୍ଷ ବିତିଗଲାଣି। ଏଇ କାଲି ପରିକା ଲାଗୁଚି। ନୂଆ ପାଟ ଶାଢ଼ୀ ପିନ୍ଧି, ମୁଣ୍ଡରେ ଲମ୍ବା ନାଲି ରଙ୍ଗର ପାଟ ଓଢଣୀ ପକେଇ, କପାଳରେ ହଳଦୀ କୁଙ୍କୁମ ଆଦି ଟିପା ଲଗାଇ, ବିବାହ ବେଦୀରେ ସେଦିନ ସେ ବୋହୁ ସାଜି ବସିଥିଲା। ସମସ୍ତଙ୍କ ଆଗରେ ତା ମୁଣ୍ଡର ଓଢ଼ଣାଟା ଉପରକୁ ଟେକି ଦେଇଥିଲେ ବିଜୟ ବାବୁଙ୍କର ଭଉଣୀ , ତାର ସାନ ନଣନ୍ଦ ଶେଲୀ। ହଠାତ୍ କେହି ଜଣେ ତାଙ୍କର ସାଙ୍ଗ କମେଣ୍ଟ ମାରି କହିଲେ, "ବିଜୁ! ଭାଉଜ ପୁରା ଜଳୁଚନ୍ତି"। ତାର ଲାଜକୁ ବଞ୍ଚେଇବ କଣ, ତାର ମୂର୍ଖ ସାନ ଭଉଣୀଟା ବି ତା ଉପରେ ପୁଣି କହିଲା, "ନାନୀ ମୋର ପୁରା ନିଆଁ ନା"।

ଲଜ୍ଜା ଓ ଅପମାନରେ ବିନୋଦିନୀ ଆଉ କାହାକୁ ଚାହିଁ ପାରିଲାନି। ଆଣ୍ଠୁ ତଳେ ଅଧା ମାଡି ହେଇ ଯାଇଥିବା ତାର ବଡ ନାଲି ପାଟ ଓଢଣୀଟିକୁ ଜୋର୍ ରେ ମୁଣ୍ଡ ଉପରକୁ ଟାଣି ଆଣୁ ଆଣୁ ପାଖରେ ହୋମ ପାଇଁ ଥୁଆ ହୋଇଥିବା ଘିଅ ଗିନାଟାରେ ହାତ ବାଜି ତା ନୂଆ ଶାଢ଼ୀ ଉପରେ ପୁରା ଗିନାଟା ଓଲଟି ପଡିଲା। ଏ ସବୁ ଦେଖି ପାଖରେ ବସିଥିବା ବିଜୟ ବାବୁ ହସି ପକାଇଲେ। ତା ସାନ ଭଉଣୀ ଆଡ଼େ ଚାହିଁ କହିଲେ, "ହେଇଟି ନିଆଁରେ ଘିଅ ପଡିଲା"। ସେଇ ବାଳୁଙ୍ଗା ସାଙ୍ଗଟା ପୁଣି ଥରେ ଚିତ୍କାର କରି କହିଲା, "ବାହାଘର ହୋମ ସରିଗଲା"।

ଇସ୍ ଏ ଲୋକଟା କେଡେ ଅଲାଜୁକଟେ ମ!

ଅପମାନରେ ମୁହଁଟା ପୁରା ନାଲି ପଡି ଯାଇଥିଲେ ବି ବିନୋଦିନୀର ଓଠରେ ଲାଜ ବୋଳା ମୁରୁକି ହସଟିଏ ଫୁଟି ଉଠିଲା। ଏଇଟା କୁଆଡେ ତାର ବିବାହ ଅଗ୍ନିରେ ପ୍ରଥମ ଘୃତ ଦାନ।

- ବୋଉ ନେ!

ଏ ବୋଉ ଏଇଟି ତେଲ ନଉନୁ ହସୁଚୁ କଣ ? ଅଖିଳ ଦୋକାନୀ ଘରକୁ ଯାଇ ପରା ଆଣିଲି! ମତେ ଜଲଦି ଖାଇବାକୁ ଦେଲୁ, ଭୋକ ଲାଗିଲାଣି।

- ଆ ବାପା କୁଆଡେ ଧନ ବୁଲୁଚୁ ସକାଳ ପହରୁ ? ନେ ଏଇ ସିଝା ଅଣ୍ଡାଟା ପାଟିରେ ପୁରେଇ ଦେଇଥା, ମୁଁ ଜଲଦି ଜଲଦି ବାଢ଼ି ଦଉଚି ।


Rate this content
Log in

Similar oriya story from Romance