ବର୍ଷା
ବର୍ଷା
ଓଃ କି ବର୍ଷା ଆଜି ! ସନ୍ଧ୍ୟା ଚାରିଟା ବେଳରୁ ବର୍ଷାଟା ଆରମ୍ଭ ହେଲାଣି ଯେ ଆସି ରାତି ଏଗାରଟା ବାଜିଲାଣି, ବନ୍ଦ ବି ହେଉନାହିଁ। ସନ୍ଧ୍ୟା ଛଅଟା ବେଳକୁ ଯଦିଓ ପୁରା ଛାଡ଼ିନଥିଲା କିନ୍ତୁ ଆଗ ଅପେକ୍ଷା ଟିକିଏ କମ୍ ଥିଲା। ଭାବୁଥିଲି ଏଥର ଛାଡ଼ିଯିବ। କିନ୍ତୁ ଛାଡ଼ିବ କଣ, ଏବେ ତ ସେହି ଚାରିଟା ବେଳର ପ୍ରବଳ ବର୍ଷା ପରି ଆଉଥରେ କୁଢେଇବାକୁ ଆରମ୍ଭ କଲାଣି। ବିଜୁଳି ଚାଲି ଯାଇଥିବାରୁ ଘର ଭିତରଟା ଅନ୍ଧାର ହୋଇ ଯାଇଛି। ବେଡ୍ ରୁମ୍ ପାଖ ଝରକାଟା ବନ୍ଦ ଅଛି। ବାହାରେ ଆକାଶରେ ମାରୁଥିବା ବିଜୁଳି ଝରକାର କାଚକୁ ଭେଦ କରି ଘର ଭିତରଟାକୁ ବାରମ୍ବାର ଆଲୋକିତ କରି ଦେଉଛି। ମନଟି ଆଜି ବହୁତ୍ ଉତ୍ତେଜିତ ଓ ଶରୀରଟି ଫୁର୍ତ୍ତି ଲାଗୁଛି। ଘର ଭିତରେ କିଛି ଆଲୋକର ବ୍ୟବସ୍ଥା କରିବା ପୂର୍ବରୁ ଝରକା ଖୋଲି, ବାହାରକୁ ଚାହିଁ, ପୁଣିଥରେ ବର୍ଷାକୁ ମନ ଭରି ଦେଖିବାକୁ ଇଚ୍ଛା ହେଉଛି। ଝରକାର କବାଟ ଦୁଇଟିକୁ ଦୁଇପଟକୁ ଟିକିଏ ଖୋଲି ଦେବା ମାତ୍ରକେ ସମଗ୍ର ଶରୀରକୁ ବର୍ଷା ପାଣିର ଛିଟା ଆଲିଙ୍ଗନ କରିବା ପାଇଁ ଯେମିତି ଚାହିଁ ବସିଥିଲା। ବର୍ଷା ପାଣିର ପ୍ରବଳ ଗର୍ଜନ ସହିତ ବଉଦ ଖଣ୍ଡ ମାଡ଼ରେ ସମଗ୍ର ରାସ୍ତା ଓ ସାମନା କୋଠା ଘର ଗୁଡ଼ିକ ଆଲୋକିତ ହୋଇ ଉଠୁଥିଲା। ଇଚ୍ଛା ହେଉଥିଲା ଘରୁ ବାହାରି, ସାମନା ଗଳି ରାସ୍ତା ପାର ହୋଇ, କୋଠା ଘର ପଛପଟେ ଥିବା ଛୋଟ ମନ୍ଦିରର ବାରଣ୍ଡା ଉପରକୁ ଆଉଥରେ ଚାଲି ଯାଆନ୍ତି କି ! ଘର ମାଲିକର ଦେହ ଆଜି ଭଲ ନଥିଲା। ମାଲିକ ନୁହେଁ ତ, ମାଲିକାଣୀ ବୁଢ଼ୀ। ଫୋନ କରି ମତେ ଜଣାଇବା ପରେ ତା'ର ରାତି ଖାଇବା ପାଇଁ ବ୍ରେଡ଼୍ ଓ କିଛିଟା ପାରାସିଟାମଲ ନେଇ ଆସିବା ପାଇଁ ବାଇକ୍ ଧରି ବାହାରି ଯାଇଥିଲି। ସମଗ୍ର ଆକାଶଟା ମେଘୁଆ ବାଦଲରେ ଢାଙ୍କି ହୋଇ ରହିଥିଲା। ନଭେମ୍ବର ମାସ। ଏଇଟା ତ ପଣ୍ଡିଚେରୀରେ ବର୍ଷା ଋତୁ। ଆକାଶରେ ମେଘ ଢାଙ୍କି ହୋଇ ରହିବା ସ୍ୱାଭାବିକ।
ବ୍ରେଡ଼୍ କିଣି ସାରି, ପରେ ଔଷଧ ଦୋକାନରୁ ଫେରିବା ବେଳକୁ ଆକାଶଟା ପୁରା ଅନ୍ଧାର ହୋଇ ସାରିଲାଣି। ଠପ ଠପ ବର୍ଷା ବି ଆରମ୍ଭ ହୋଇ ଗଲାଣି। ପଣ୍ଡିଚେରୀର ବର୍ଷା ଏମିତି, ଅଚାନକ। ହଠାତ୍ କେଉଁଠାରୁ କେଜାଣି ଯେ ଏତେ କଳା ହାଣ୍ଡିଆ ମେଘ ମାଡ଼ି ଆସେ ଓ ଆଖି ପିଛୁଳାକେ ପ୍ରବଳ ଭାବରେ ବର୍ଷିବାକୁ ଆରମ୍ଭ କରେ। ବର୍ଷାଟା ବଢ଼ିବା ପୂର୍ବରୁ ଜଲଦି ଘରେ ପହଞ୍ଚି ଗଲେ ଭଲ। ଘରେ ପହଁଞ୍ଚିବା ପାଇଁ ଆଉ ମାତ୍ର ଦୁଇ ମିନିଟର ବାଟ ବାକି ଅଛି। ଆଗ ଗଳିରେ ପଶି ଡାହାଣକୁ ବୁଲି ପଡ଼ିଲେ ଟିକିଏ ଦୂରରେ ମୋର ଘର। ଅଚାନକ ବର୍ଷାର ବେଗ ଖୁବ୍ ଜୋରରେ ବଢ଼ିଗଲା। ଆଗକୁ ଆଉ ବାଇକ୍ ଚଲାଇ ବି ହେଉନାହିଁ। ଅତି ପ୍ରବଳ ବର୍ଷା ସହିତ ଆଖି ଝଲସା ବିଜୁଳି ଓ ଘଡଘଡି ଶବ୍ଦରେ ଛାତି ଥରି ଯାଉଛି। ଏଇଠି କୋଉଠି ଟିକିଏ ଠିଆ ହୋଇ ପଡିଲେ ଭଲ। ରାସ୍ତାର ଡାହାଣ ପାଖରେ ଥିବା ଛୋଟିଆ ମନ୍ଦିରର ସାମନା ବାରଣ୍ଡାକୁ କୁ ଛାଡ଼ି ଆଖପାଖରେ ରହିଯିବାକୁ ଆଉ କୌଣଷି ଠାରେ ଜାଗା ଟିକିଏ ବି ନାହିଁ। ରାସ୍ତା କଡ଼ରେ ବାଇକର ସାଇଡ ଷ୍ଟାଣ୍ଡକୁ ଲଗାଇ ଦେଇ ଦଉଡ଼ି ଯାଇ ବାରଣ୍ଡା ଉପରକୁ ଉଠିଗଲି। ଉପର ପାର୍ଶ୍ଵରେ କେବଳ ମୁଣ୍ଡ ଗୁଞ୍ଜିବା ପରି ଛାତଟିଏ ଅଛି। ମନ୍ଦିରର ଭିତରପାଖକୁ ଛାଡି ବାକି ତିନି ପାଖ ଖୋଲା। ପ୍ରବଳ ବର୍ଷା ଓ ପବନରେ ଯେ କେହି ବି ଏଠାରେ ପୁରା ଭିଜିଯିବ। ଆଗରୁ କେହି ଜଣେ ଝିଅଟିଏ ମଧ୍ୟ ସେଠାରେ ଆଶ୍ରୟ ନେଇଛି। ଚେହେରା ବା ବେଶ ପୋଷାକରୁ ସେ ଏଠାର ତାମିଲ ଝିଅ ପରି ଆଦୌ ଜଣା ପଡୁନାହିଁ। ମୋ ପରି ସେ ମଧ୍ୟ ବର୍ଷାରେ ସମ୍ପୁର୍ଣ୍ଣ ଭାବରେ ଭିଜିଯାଇଛି। କାନ୍ଧ ବ୍ୟାଗଟିଏ ଛାତି ଉପରେ ଘୋଡାଇ ରଖି ଦୁଇ ହାତରେ ଜାବୁଡ଼ି ଧରିଛି। ହାବଭାବରୁ ଜଣା ପଡ଼ୁଛି ଯେ ସେ କୌଣସି କାରଣରୁ ଭାରି ଭୟଭୀତ ଅଛି। ବାରମ୍ଵାର ହାତ ଘଣ୍ଟାକୁ ଚାହିଁ ରାସ୍ତାର ଦୁଇ ପାଖକୁ ଓ ମୋତେ ବୁଲି ବୁଲି ଚାହୁଁଛି। ବୋଧହୁଏ ଏହି ଜାଗାରେ ସେ ଏକା ଥିବାରୁ ମୋତେ ଦେଖି ଭୟ କରୁଛି। ସମ୍ପୂର୍ଣ୍ଣ ଭିଜା ବସ୍ତ୍ର ଓ ଶରୀର। କେଶରାଶିକୁ ଟାଣି ନେଇ ପଛପାଖରେ ପକାଇଥିବା ଗଣ୍ଠିଟି ହୁଗୁଳା ହୋଇ ମୁହଁ ଓ ଦେହ ସାରା ପାଣି ବୋହି ଯାଉଛି। ନା, ତା ଆଡ଼କୁ ଏ ସମୟରେ ଚାହିଁ ତାକୁ ଅପ୍ରୀତିକର ଅବସ୍ଥାରେ ପକାଇବା ଅନୁଚିତ। ମୁହଁ ଫେରାଇ ରାସ୍ତା ଉପରକୁ ଚାହିଁଲି।
ପ୍ରବଳ ବର୍ଷାରେ ରାସ୍ତା ଉପରେ ଆଣ୍ଠୁଏ ସରିକି ପାଣି ଚାଲିଲାଣି। ପିଚୁ ରାସ୍ତା ଯୋଗୁଁ ବାଇକଟି ଦମ୍ଭରେ ଠିଆ ହୋଇଛି। ନହେଲେ କେତେବେଳୁ ଖସି ପଡ଼ନ୍ତାଣି। ବର୍ଷାଟା ଏତେ ଟିକିଏ ଯଦି କମି ଯାଆନ୍ତା ମୁଁ ଘରକୁ ପଳାନ୍ତି। ଆଉ କେତେ ବା ବାଟ? ଏମିତିବି ତ ମୁଁ ପୁରା ଭିଜି ଯାଇଛି। ଆଉ ଟିକିଏ ବାଟ ଭିଜି ବାଇକ ନେଇ ପଳେଇଗଲେ କଣ ବା ବିଗିଡି ଯିବ? ଜଲଦି ଯାଇ ବୁଢ଼ୀକୁ ଔଷଧଟା ଦେଇଦେଲେ ତାର ଜ୍ଵରଟା ଟିକିଏ କମି ଯାଆନ୍ତା ଓ ସେ ଖୁସି ବି ହୋଇଯାଆନ୍ତା। ଭଡ଼ା ଘରେ ରହିଲେ ଏ ସବୁ ତ ଘର ମାଲିକର ଖୁସି ପାଇଁ କରିବାକୁ ପଡ଼ିବ।
ପ୍ରବଳ ବର୍ଷା ସହିତ ବାରମ୍ବାର ଆକାଶର ବୁକୁ ଫଟା ଗର୍ଜନ ଓ ଆଖି ଝଲସା ଆଲୋକ ମନକୁ ଭୟଭୀତ ବି କରି ଦେଉଛି। ପାଖରେ ଆଶ୍ରୟ ନେଇଥିବା ଝିଅଟି ଶଙ୍କାକୁଳ ଦୃଷ୍ଟିରେ ବାରମ୍ଵାର ବୁଲି ମୋତେ ଚାହୁଁଛି। କିଛି ପଚାରିବ ବୋଲି ଭାବୁଛି ବୋଧହୁଏ। ଟିକିଏ ସାହସ ଦେବା ପାଇଁ ମୁହଁ ବୁଲାଇ ତାକୁ ନିରୀକ୍ଷଣ କଲି। ଏପର୍ଯ୍ୟନ୍ତ ବି ଛାତି ଉପରେ କାନ୍ଧ ବ୍ୟାଗଟିକୁ ସେମିତି ଦୁଇ ହାତରେ ଯାକି ଧରିଛି। ହଠାତ୍ ତା'ର ବାମ ହାତ ଉପରେ ମୋର ନଜର ପଡିଗଲା। ଓଡିଆରେ କିଛି ଲେଖା ହୋଇଛି। ଓଃ ଲେଖା ହୋଇଛି 'ବର୍ଷା'। ଝିଅଟି ତେବେ ଓଡ଼ିଆ! ପାଖରେ ଓଡ଼ିଆ ଝିଅଟିଏ ଦେଖି ମନରେ କାହିଁକି ଆତ୍ମୀୟତା ଭରିଗଲା।
– ମାଡାମ୍ ଆପଣ ଓଡ଼ିଆ କି?
ଝିଅଟିର ମନରେ ହଠାତ୍ ଯେମିତି କିଛି ସାହସ ଭରିଗଲା। ଓଠରେ ଛୋଟିଆ ହସଟିଏ ଖେଳିଗଲା। ଏବେ ମୋତେ ବି ସେହି ଏକା ପାଲଟା ପ୍ରଶ୍ନ।
— ହଁ ଭାଇ, ଆପଣ ବି ଓଡ଼ିଆ କି?
— ଆରେ ବେନି ଜନେ ସମ ଦଶା। ଏ ବର୍ଷାଟା କେତେବେଳେ କମିବ କେଜାଣି?
— ଭାଇ ଆପଣ କଣ ଏଇ ପଣ୍ଡିଚେରୀରେ ରୁହନ୍ତି?
— ହଁ, ଏଇ ମନ୍ଦିରର ପଛ ପାଖରେ ମୋର ଘର। ଆଉ ଟିକିଏ ବାଟ ଯାଇ ପାରୁନି। ମୋ ଘର ମାଲିକାଣୀ ବୁଢ଼ୀର ଜ୍ଵର ହେଉଛି ବୋଲି ମୋତେ ଫୋନ କରିଥିଲା। ଔଷଧ ତ ନେଇ ଆସିଲି, କିନ୍ତୁ ତା ପାଖରେ ପହଁଞ୍ଚିବା ପାଇଁ ଆଉ ଯାଇ ହେଉନି। ବହୁତ୍ ସମୟ ଅପେକ୍ଷା କଲିଣି। ଭାବୁଛି ଏଥର ପଳେଇବି। ପୁରା ତ ଭିଜି ସାରିଛି।
ମୋ ଆଡ଼କୁ ଏବେ ସମ୍ପୂର୍ଣ୍ଣ ଭାବରେ ବୁଲିପଡି ସେ କହିଲା, "ଭାଇ ମୋତେ ଟିକିଏ ସାହାଯ୍ୟ କରି ପାରିବେ? ମୋତେ ଟିକିଏ ରେଲୱେ ଷ୍ଟେସନରେ ଛାଡ଼ି ଦେଇ ପାରିବେ? ମୋର ଭୁବନେଶ୍ବର ଟ୍ରେନର ସମୟ ହୋଇଗଲାଣି। ଏତେ ବର୍ଷାରେ ଏଇ ରାସ୍ତା ଦେଇ ଗୋଟିଏ ବି ଅଟୋ ବା କୌଣସି ଗାଡ଼ି ଯିବାର ମୁଁ ଦେଖୁନି। ଷ୍ଟେସନ ଏଠାରୁ କେତେ ବାଟ? ମୋତେ ଭାରି ଭୟ ଲାଗୁଛି। ଟ୍ରେନ ଫେଲ ହୋଇଯିବି ଲାଗୁଛି"।
ଟିକିଏ ଆଶ୍ୱାସନା ଦେବାପରି ମୁଁ ଉତ୍ତର ଦେଲି ଯେ ମାଡାମ୍ ଆପଣ ଆଦୌ ବି ଚିନ୍ତା କରନ୍ତୁ ନାହିଁ। ଭୁବନେଶ୍ଵର ଟ୍ରେନର ଟାଇମ୍ ଛଅଟା ପଇଁଚାଳିଶ। ଆହୁରି ଘଣ୍ଟାଏ ପରେ ସମୟ ଅଛି। ବାଇକରେ ଗଲେ ଏଠାରୁ ମାତ୍ର ପାଞ୍ଚ ସାତ ମିନିଟର ବାଟ। ବର୍ଷା ପାଇଁ ଆଉ ଦୁଇ ମିନିଟ ଅଧିକା ସମୟ ଲାଗିପାରେ। ମୁଁ ଆପଣଙ୍କୁ ଛାଡିଦେବି। କିନ୍ତୁ ତା ପୂର୍ବରୁ ମୋତେ ଔଷଧ ନେଇ ମୋ ଘର ମାଲିକ ପାଖରେ ପହଞ୍ଚିବାକୁ ପଡ଼ିବ। ତା' ଛଡା ଏତେ ବର୍ଷାରେ । ଟିକିଏ କମିଯାଉ!
ଓଠରେ ଏବେ ଏତେ ଛୋଟ ହସଟିଏ ଫୁଟାଇ ଝିଅଟି କହିଲା, "ଭାଇ! ମୁଁ ବି ତ ପୁରା ଭିଜି ଯାଇଛି। ବ୍ୟାଗ୍ ଭିତରେ ବି ମୋର ଲୁଗାପଟା ସବୁ ଭିଜିଯିବଣି। ମତେ ଟିକିଏ ଭୟ ଲାଗୁଛି। ଷ୍ଟେସନରେ ଟିକିଏ ପହଞ୍ଚିଗଲେ ନିଶ୍ଚିନ୍ତ ହୋଇଯିବି"।
— ଠିକ୍ ଅଛି, ଆପଣ ମୋ ସାଥିରେ ଆସନ୍ତୁ। ଔଷଧଟି ଘର ମାଲିକ, ସେ ବୁଢ଼ୀ ପାଖରେ ପହଞ୍ଚାଇ ଦେଇ ମୁଁ ସଙ୍ଗେ ସଙ୍ଗେ ଆପଣଙ୍କୁ ଷ୍ଟେସନରେ ଛାଡ଼ିଦେବି। ବର୍ଷାରେ ଭିଜି ଭିଜି ଦୁଇଜଣ ବାଇକରେ ଘରକୁ ଫେରିବାବେଳେ ମୁଁ ବାଟରେ ପଚାରି ନେଲି," ମାଡାମ୍ ଆପଣଙ୍କର ନାମ କଣ 'ବର୍ଷା' କି? ଏଇ ଆପଣଙ୍କର ହାତରେ 'ବର୍ଷା' ଲେଖିଛନ୍ତି ତ!
— ହଁ ବାଇକ୍ ପଛ ପାଖରୁ ଏକ ଛୋଟିଆ ଉତ୍ତର।
— ପଣ୍ଡିଚେରୀକୁ କିଛି କାମରେ ଆସିଥିଲେ, ନା ଏମିତି ବୁଲି ଆସିଥିଲେ?
— ନା, ମୁଁ ଦୁଇ ଦିନ ହେବ ଆସି ଚେନ୍ନାଇରେ ମୋ ଦାଦାଙ୍କ ଘରେ ଥିଲି। ଆଜି ଏଠାର ଏମ୍.ଭି.ଇ. କଲେଜରେ ମୋର ଗୋଟିଏ ରିଟେନ୍ ଟେଷ୍ଟ ଥିଲା। ପରୀକ୍ଷା ସାରି, ଖାଇ ସାରିବା ପରେ ଦେଖିଲି ଯେ ମୋ ହାତରେ ଏବେ ପ୍ରାୟ ଚାରି ଘଣ୍ଟା ସମୟ ଅଛି। ତେଣୁ ଭାବିଲି ଯେ ଦାଦା କହୁଥିବା ଏଠାର ଶ୍ରୀ ଅରବିନ୍ଦ ଆଶ୍ରମ, ଗଣେଶ ମନ୍ଦିର, ସମୁଦ୍ର କୂଳ ଆଦି ପାଖାପାଖି କିଛି ବୁଲି ଦେଖି ଦେଇ ଯିବି। କିନ୍ତୁ ହଠାତ୍ ଏତେ ଜୋରରେ ବର୍ଷା ହେବ ବୋଲି ମୁଁ ଜାଣି ନଥିଲି। ସମୁଦ୍ର କୂଳରୁ ଦଉଡ଼ି ଦଉଡ଼ି ଆସି ଏଇ ମନ୍ଦିର ବାରଣ୍ଡା ଉପରକୁ ଉଠି ଆସିଲି। ବାଟରେ ଆଉ ରହିବାକୁ କୌଣସି ଠାରେ ଏତେ ଟିକିଏ ବି ଜାଗା ନଥିଲା। ପୁରା ଭିଜିଗଲି। ଭାରି ଭୟ ବି ଲାଗୁଥିଲା ଯେ କେମିତି ଯାଇ ଷ୍ଟେସନରେ ଠିକ୍ ଟାଇମରେ ପହଞ୍ଚିବି। ବାଟ ବି ଜାଣିନି। ଭଗବାନ ଦୟା କଲେ, ଆପଣଙ୍କୁ ପଠେଇଲେ।
ଘର ପହଞ୍ଚିଯାଇଥିଲା। ଗେଟ୍ ଖୋଲି ଭିତରକୁ ଆସିବାକୁ ଇସାରା କଲି। "ବର୍ଷା ମାଡାମ୍, ଆପଣ ଏଇଠାରେ ଟିକିଏ ଅପେକ୍ଷା କରନ୍ତୁ। ଏଇଟା ମୋର ଘର। ଉପର ମହଲାରେ ଘର ମାଲିକ ବୁଢ଼ୀ ଏକୁଟିଆ ରହୁଛି। ମୁଁ ତାକୁ ଔଷଧଟି ଦେଇ ଜଲଦି ପଳେଇ ଆସୁଛି। ତା ପରେ ଆମେ ବାହାରିଯିବା"।
ମୁହଁ ବୁଲାଇ ମୋ ଘର କବାଟରେ ଲାଗିଥିବା ତାଲାକୁ ଚାହିଁଲା ବର୍ଷା। ଯେ କେହି ହେଲେ ବି ପଚାରିବା ସ୍ୱାଭାବିକ ଯେ ଘରେ କଣ ଆଉ କେହି ନାହାନ୍ତି? "ଆପଣ ଏଠାରେ ଏକା ରହୁଛନ୍ତି କି"? ଝିଅଟି ପୁରା ଗାଧୋଇବା ପରି ଭିଜିଯାଇଛି। ଦେହ ସାରା ପାଣି ବୋହି ଯାଉଛି। ଏ ପର୍ଯ୍ୟନ୍ତ ବି ଛାତି ଉପରେ ତାର କାନ୍ଧ ବ୍ୟାଗଟିକୁ ସେହିପରି ଦୁଇ ହାତରେ ଯାକି ଧରିଛି। ଘରକୁ ଯାଇ ତାର ପିନ୍ଧା ଡ୍ରେସକୁ ବଦଳାଇ ଆସିଲେ ନିଶ୍ଚୟ ଭଲ ହେବ। କବାଟର ତାଲାକୁ ଖୋଲୁ ଖୋଲୁ ମୁଁ ଉତ୍ତର ଦେଲି, "ହଁ, ମୁଁ ଏଠାରେ ଏକା ରୁହେ। ଆପଣ ଭିତରକୁ ଯାଇ ଓଦା ଡ୍ରେସ୍ ଚିପୁଡ଼ି ବଦଳାଇ ନିଅନ୍ତୁ। ଏଇ ବାମ ପାଖ ରୁମ୍ ଟି ୱାସ୍ ରୁମ୍। ଜଲଦି ରେଡି ହୋଇ ଯାଆନ୍ତୁ, ମୁଁ ଉପରୁ ଆସୁଛି"।
ଏବେ ଷ୍ଟେସନକୁ ଯିବାର ବେଳ। ଘର ଭିତରକୁ ପଶିବା ପୂର୍ବରୁ ମୁଁ ଡାକ ଦେଲି - ବର୍ଷା ମାଡାମ୍, ରେଡି? ଯିବା ଏଥର? ଆରେ ଆପଣ ଡ୍ରେସ୍ ବଦଳାଇ ନାହାନ୍ତି ଯେ! ଏମିତି ଓଦା ହୋଇ ଯିବେ ନା କଣ?
— ଭାଇ, ଆପଣ ମୋତେ ବର୍ଷା ମାଡାମ୍ ନଡ଼ାକି ଖାଲି ବର୍ଷା ବୋଲି ଡାକନ୍ତୁ। ବର୍ଷାର ଅଧରରେ ସ୍ମିତ ହାସ୍ୟ।
"ବର୍ଷା ତ ପୁରା ଛାଡିନି। ଏବେ ଷ୍ଟେସନକୁ ଗଲେବି ସେଇ ଭିଜି ଓଦା ହୋଇ ଯିବି। ଟ୍ରେନରେ ମୁଁ ଡ୍ରେସ୍ ବଦଳାଇ ନେବି। ଏବେ କେବଳ ଡ୍ରେସକୁ ଚିପୁଡି ଆଉଥରେ ପିନ୍ଧିନେଲି। ଆପଣ ମୋର ନିଜ ଲୋକ ପରି ମୋତେ ବହୁତ ସାହାଯ୍ଯ କରିଛନ୍ତି ଭାଇ। ମୁଁ ସବୁଦିନ ପାଇଁ ଆପଣଙ୍କୁ ମନେ ରଖିବି"।
ବର୍ଷାର କଥାରେ ଅନେକଟା ଆତ୍ମୀୟତା ଭରି ରହିଥିଲା। ତା'ର ସେ ଆତ୍ମୀୟତା ହଠାତ୍ କାହିଁକି ମୋତେ ସ୍ପର୍ଶ କରି ନେଲା। ଇଷତ୍ ହସରେ ତା'ର ଆଖି ଦୁଇଟିକୁ ଚାହିଁଲି। ଏତେ ସମୟ ତା' ସହିତ କଟିବା ପରେ ମଧ୍ଯ କେଜାଣି କାହିଁକି ତା'ର ମୁଖ ମଣ୍ଡଳ ଉପରୁ ମୋର ଚକ୍ଷୁ ଫେରି ପାରିଲା ନାହିଁ। ଲାଗୁଥିଲା ସେ ବି କେହି ଜଣେ ମୋର ଅତି ଆପଣାର। ମୋ ଘରେ, ମୋ ସାମନାରେ ଏକାକୀ କେହି ଜଣେ ଅତି ଅନ୍ତରଙ୍ଗ। ଧୀରେ ଧୀରେ ମୋର ଅଜାଣତରେ କେମିତି କେଜାଣି ତା'ର ଆକର୍ଷଣୀୟ ଶରୀର ଉପରେ ମୋର ଚକ୍ଷୁ ବୁଲି ଆସିଲା। ଛାତି ଉପରେ ଘୋଡାଇ ଧରିଥିବା ଭିଜା ବ୍ୟାଗଟି ଏବେ ତଳେ ଥୁଆ ହୋଇଛି। ଶରୀରର ରଙ୍ଗକୁ ବେଶ୍ ମାନୁଥିବା ରକ୍ତ ବର୍ଣ୍ଣର ଆଦ୍ରବସ୍ତ୍ରକୁ ଭେଦ କରି ଅନ୍ତର୍ବସ୍ତ୍ର ସହିତ ତା'ର ସଦ୍ୟ ଯୌବନର ସୌନ୍ଦର୍ଯ୍ୟ ବାହାରକୁ ଫୁଟି ଉଠୁଥିଲା। ମୁହୂର୍ତ୍ତକ ପାଇଁ ଦୁଇଜଣଙ୍କ ମଧ୍ୟରେ ନୀରବତା ଖେଲିଗଲା। ଏପରି ନିରୀକ୍ଷଣ କରୁଥିବାର ଦେଖି ହଠାତ୍ ସେ ଅପ୍ରସ୍ତୁତ ଭାବରେ ମୋ ଉପରୁ ମୁହଁ ଫେରାଇ ନେଇ ଟିକିଏ ଦୂରକୁ ଚାହିଁଲା। ଶରୀର ସହିତ ଲାଖି ରହିଥିବା ଓଦା କପଡାକୁ ଆଗକୁ ଟାଣୁ ଟାଣୁ କହିଲା ଭାଇ ଯିବା?
— ହଁ ଯିବା। ବର୍ଷା! ଇଉ ଆର୍ ରିଅଲି ସୋ ଓ ପ୍ରେଟି। ଏ ସବୁ ଏଠାରେ କହିବା ଯଦିଓ ମୋ ପକ୍ଷରେ ଉଚିତ୍ ନୁହେଁ, କିନ୍ତୁ ପ୍ରକୃତରେ ଆପଣ ବହୁତ ସୁନ୍ଦର।
— ଭାଇ !
ଗୋଟିଏ ପୁରୁଷ ମୁହଁରୁ ନିଜର ରୂପର ପ୍ରଶଂସା ଶୁଣିଲେ ଯେ କୌଣସି ଝିଅ ହେଲେ ବି ଆନନ୍ଦର ସହିତ କିଞ୍ଚିତ୍ ମାତ୍ରାରେ ସମର୍ପିତ ହୋଇଯାଏ । ହାତ ଦୁଇଟିକୁ କହୁଣି ଠାରୁ ଭାଙ୍ଗିଆଣି ମୋ ଛାତି ଉପରେ ଥୋଇଦେଇ ତା' ଉପରେ ଆଖି ବୁଜି ଆଉଜି ଗଲା ବର୍ଷା। ଅଚାନକ ସମଗ୍ର ଶରୀରରେ ମୋର ଏକ ଶିହରଣ ଖେଳିଗଲା। ବର୍ଷାର ମଥାକୁ ଆହୁରି ନିକଟକୁ ଟାଣି ଆଣି ମୋର ହାତ ଦୁଇଟିକୁ ତା'ର ଭିଜା କେଶରାଶି ଭିତର ଦେଇ ଦୁଇଥର ବୁଲାଇ ଆଣିଲି। ମୁହୂର୍ତ୍ତକ ମଧ୍ୟରେ ଦୁଇଜଣଙ୍କର ଅନ୍ତରଙ୍ଗତା ଅନେକ ଗଭୀରକୁ ଚାଲିଗଲା। କ୍ଷଣିକ ନୀରବତା ମଧ୍ୟରେ ଦୁହେଁ କେବଳ ଅନୁଭବ କରୁଥିଲୁ ଦୁହିଁଙ୍କର ନିଶ୍ଵାସର ଉଷ୍ମତାକୁ। ଏଇ ତ ପରିଚୟ ମାତ୍ର କେତୋଟି ମୁହୂର୍ତ୍ତର। କିନ୍ତୁ ଲାଗୁଥିଲା ଆମ ଦୁଇଜଣଙ୍କର ଅନ୍ତରଙ୍ଗତା ଅନେକ ଦିନର। ଟ୍ରେନ ଛାଡ଼ିବାକୁ ଆଦେଶ ଦେଇ ଷ୍ଟେସନର ଘଣ୍ଟି ବାଜି ଉଠିଲା। ସବୁଜ ପତାକାର ସଙ୍କେତ ପାଇ ପଣ୍ଡିଚେରୀ ଷ୍ଟେସନ ଛାଡ଼ି ଧୀରେ ଧୀରେ ଆଗକୁ ଆଗକୁ ଟ୍ରେନଟି ମାଡ଼ି ଚାଲିଲା। ପାଖ ଝରକା ମଧ୍ୟ ଦେଇ ମିଶି ରହିଥିବା ହାତ ଦୁଇଟି ଧୀରେ ଧୀରେ ଖସି ଯାଉଥିଲା। ଏକ ଆବେଗ ଭରା କଣ୍ଠର ପ୍ରଶ୍ନରେ ହୃଦୟ ବିଚଳିତ ହୋଇ ଉଠୁଥିଲା।
ମୁନା ଭାଇ! ମତେ ମନେ ପକାଇବେ ନା?
କିଛି ଉତ୍ତର ଦେବା ପୂର୍ବରୁ ଟ୍ରେନର ଗତି ବଢ଼ି ଯାଇଥିଲା। ଝରକା ମଧ୍ଯ ଦେଇ ବାହାରେ ହଲାଉଥିବା ହାତଟିକୁ ଅପଲକ ନେତ୍ରରେ ଚାହିଁ ରହି ମୁଁ ମଧ୍ଯ ହାତ ହଲାଇ ବିଦାୟ ଦେଉଥିଲି। ମୁହୂର୍ତ୍ତକ ମଧ୍ୟରେ ଆଖି ସାମନାରୁ ଟ୍ରେନଟି ଅଦୃଶ୍ୟ ହୋଇଗଲା। ଏଇ ତ ଜୀବନର ପଥ। ଚାଲୁ ଚାଲୁ ଅନେକ ଲୋକଙ୍କର ସହିତ ଭେଟ ହୁଏ। ଅନେକ ଲୋକ ରକ୍ତ ସମ୍ପର୍କର ଥାଆନ୍ତି ଓ ଅନେକ ଲୋକ ଜନ୍ମ ଜନ୍ମାନ୍ତରର ସମ୍ପର୍କିତ ପରି ହୃଦୟକୁ ଛୁଇଁ ଯାଆନ୍ତି। କିଛି ଲୋକଙ୍କର ସେହି ହସ ବା ପଦେ କଥା ମାନସପଟରେ ଚିର ଦିନ ପାଇଁ ଆଙ୍କି ହୋଇ ରହିଯାଏ। ଜାଣି ହୁଏନାହିଁ କିଏ ସେ ଚିର ଦିନର ସାଥୀ। ବର୍ଷାର ବେଗ ଆସ୍ତେ ଆସ୍ତେ ବଢ଼ିବାକୁ ଲାଗିଲାଣି। ପ୍ରବଳ ବର୍ଷାରେ ସାମନା କୋଠା ଘର ଗୁଡିକ ଆସ୍ତେ ଆସ୍ତେ ଅଦୃଶ୍ୟ ହୋଇ ଯାଉଛି। ଛିଞ୍ଚଡା ମାରି ଦେହ ସହିତ ଘର ଭିତର ଅଧା ପ୍ରାୟ ଓଦା ହୋଇ ସାରିଲାଣି। ଝରକାର କବାଟ ଦୁଇଟିକୁ ଟାଣି ଆଣି ବନ୍ଦ କରିଦେଲି। ଘର ଭିତରଟା ପୁରା ଅନ୍ଧାର। ନା ଏଥର ମହମବତୀ ଲଗାଇ ଟିକିଏ ଆଲୋକର ବ୍ୟବସ୍ଥା କରିବାକୁ ପଡ଼ିବ। କେତେବେଳେ ଯେ ବିଜୁଳି ଆସିବ ଜଣାନାହିଁ। ବାହାରେ ପ୍ରବଳ ବର୍ଷା। ପଣ୍ଡିଚେରୀର ବର୍ଷା ଏମିତି। ପ୍ରାୟ ସନ୍ଧ୍ୟା ସମୟରୁ ହଠାତ୍ ଆରମ୍ଭ ହୁଏ। ରାତି ସାରା ପ୍ରବଳ ବେଗରେ ଓଜାଡି ଦିଏ। ତା' ପର ଦିନ ସକାଳକୁ କିଛି ନଥାଏ। ଦିନ ସାରା ପୁଣି ସେହି ଖରା। ଲାଗୁଥାଏ ଗତ କାଲିର ବର୍ଷା ଥିଲା ଯେମିତି ଗୋଟିଏ ସ୍ଵପ୍ନ ।

