Ajit kumar Mishra

Romance Tragedy

3  

Ajit kumar Mishra

Romance Tragedy

ରୋଲ ନମ୍ବର ୧୩

ରୋଲ ନମ୍ବର ୧୩

10 mins
139


ଆଗ ଅପେକ୍ଷା ଦେହଟା ଆଜି ଟିକିଏ ଭଲ ଲାଗୁଛି। ପେଟରେ ଥିବା ଦରଜଟି ଅନେକ କମ୍ ଅଛି। ଜ୍ଵର ମଧ୍ଯ ଏବେ ପୁରା ଛାଡ଼ି ଯାଇଛି। ଆଉ ବେଡ୍ ଉପରେ ପଡ଼ି ରହିବାକୁ ଭଲ ଲାଗୁନି। ଟିକିଏ ରୁମ୍ ବାହାରକୁ ଯାଇ ଚଲାବୁଲା କଲେ ମନଟା ବି ଭଲ ଲାଗିବ। ଖଟ ଉପରୁ ଓହ୍ଲାଇ, ହାତରେ ମୋବାଇଲ ଫୋନଟିକୁ ଧରି ଧୀରେ ଧୀରେ ରୁମ୍ ରୁ ବାହାରି ନର୍ସିଂ ହୋମ୍ ର ପ୍ରଥମ ମହଲାର ଡାହାଣ ପାଖରେ ଥିବା ଟିଭି ରୁମ୍ କୁ ଚାଲି ଚାଲି ଆସିଲି। ଟିଭି ଦେଖିବାକୁ ଇଚ୍ଛା ନାହିଁ। ଏବେ କେହି ମଧ୍ୟ ଟିଭି ଦେଖୁନାହାନ୍ତି। ପାଖରେ ପଡ଼ିଥିବା ଚଉକିଟିଏ ଟାଣି ନେଇ ଝରକା ପାଖରେ ବସି ବାହାରକୁ ଚାହିଁ ରହିଲି। 

ଆଃ! ଏଠାରେ କି ସୁନ୍ଦର ଖୋଲା ପବନ ଝରକା ଦେଇ ଘର ଭିତରକୁ ମାଡ଼ି ଆସୁଛି। ଡାହାଣ ପାଖରେ ସମୁଦ୍ରଟି ମଧ୍ୟ ଏଠାରୁ ପରିଷ୍କାର ଭାବରେ ଦେଖା ଯାଉଛି। ସନ୍ଧ୍ୟା ସମୟ। ପରିବେଶ ବଡ଼ ଆରାମ ଲାଗୁଛି।

ନର୍ସିଂ ହୋମ୍ ରେ ମତେ ଦେଇଥିବା ଏଇ ହାଲୁକା ନୀଳ ରଙ୍ଗର ପୋଷାକଟି କେଜାଣି କାହିଁକି ମତେ ଭାରି ଭଲ ଲାଗେ। ତାକୁ ପିନ୍ଧିଲେ ମୁଁ ମୋର ହାଇସ୍କୁଲ ଜୀବନକୁ ଫେରିଯାଏ। କେ.ଜି. ବଏଜ ହାଇସ୍କୁଲରେ ମୁଁ ପଢୁଥିବା ସମୟରେ ଏଇ ରଙ୍ଗର ଶାର୍ଟଟି ଥିଲା ଆମର ଇଉନିଫର୍ମ୍। ତା ସହିତ ଖାକି ରଙ୍ଗର ହାପ୍ ପ୍ୟାଣ୍ଟ। ଅନତି ଦୂରରେ କେ.ଜି. ଗାର୍ଲସ୍ ହାଇସ୍କୁଲ। ତାଙ୍କର ମଧ୍ଯ ଏଇ ଏକା ହାଲୁକା ନୀଳ ରଙ୍ଗର କାମିଜ୍ ସହିତ ଧଳା ରଙ୍ଗର ସାଲୱାର ଓ ଧଳା ରଙ୍ଗର ଉତ୍ତରୀୟ। ସେମାନେ ସମସ୍ତେ ତ ଏଇ ଏକା ରଙ୍ଗର ପୋଷାକ ପିନ୍ଧନ୍ତି। କିନ୍ତୁ କେଜାଣି କାହିଁକି ସୁଚରିତା ରଥକୁ ଏଇ ସ୍କୁଲ ପୋଷାକରେ ଦେଖିଲେ ମତେ ବହୁତ ଭଲ ଲାଗେ। ଅନ୍ୟ ପୋଷାକ ଅପେକ୍ଷା ସେ ଏଇ ସ୍କୁଲ ପୋଷାକରେ ମତେ ବହୁତ ସୁନ୍ଦର ଲାଗେ। ତା'ର ପୋଷାକର ତିଆରି ଶୈଳୀ ଅଥବା ତା'ର ଶରୀରର ସୁନ୍ଦର ଗଠନ ଅବା ମୁଣ୍ଡରେ ଅଙ୍କାବଙ୍କା କରି ବାନ୍ଧିଥିବା ବେଣୀ ମତେ ଖୁବ୍ ଆକର୍ଷିତ କରେ। ଦେହର ରଙ୍ଗ ତୋଫା ଗୋରା ନହେଲେ ମଧ୍ୟ ଗହମର ରଙ୍ଗ ଠାରୁ କମ୍ ନୁହେଁ। ତା'ର ଆକର୍ଷଣୀୟ ମୁଖ ମଣ୍ଡଳ ସହିତ ଚଞ୍ଚଳ ଓ ନିଦୁଆ ଆଖିରେ ମୁଁ ପ୍ରାୟ ବାନ୍ଧି ହୋଇ ହଜିଯାଏ। ସ୍କୁଲ ଡ୍ରେସ୍ ପିନ୍ଧି ଆମେ ଦୁହେଁ ନିଜ ନିଜର ସ୍କୁଲକୁ ଯାଉଥିବା ସମୟରେ ପ୍ରାୟ ସମୟରେ ଆମ ଦୁଇଜଣଙ୍କର ସାମନା ସାମନି ହୋଇଯାଏ। ସେତେବେଳେ ସେହି ଏକା ରଙ୍ଗର ଡ୍ରେସ୍ ପିନ୍ଧି ଥିବାରୁ ମୁଁ ନିଜକୁ କାହିଁକି ବହୁତ ଖୁସି ଅନୁଭବ କରେ। ବାସ୍... ଦୁହେଁ ଦୁହିଁଙ୍କୁ ଟିକିଏ ତେରଛା ନଜର ପକାଇ ଯେଝା ବାଟରେ ଚାଲିଯାଉ। ଏମିତି ଦିନ ପରେ ଦିନ ବିତିଯାଏ।

ସ୍କୁଲ ପରେ ଏବେ କଲେଜ ଜୀବନ। ପ୍ରଥମ ବର୍ଷ। କ୍ଲାସ୍ ରେ ପ୍ରଥମ ଦିନ। ମନରେ ଅପୂର୍ବ ଆନନ୍ଦ ଓ ଶିହରଣ ଭରି ରହିଥାଏ। ସବୁ କିଛି ନୂଆ ନୂଆ ଲାଗୁଥାଏ। ଲାଗୁଥାଏ ଯେମିତି ଆମେ ସବୁ ଏବେ ବଡ଼ ହୋଇ ଯାଇଛୁ। ସ୍କୁଲରେ ସବୁବେଳେ ଆଗ ଧାଡ଼ିରେ ବସିବାକୁ ମତେ ଭଲ ଲାଗେ। କିନ୍ତୁ କଲେଜରେ ଆଗ ତିନି ଧାଡ଼ି ଝିଅମାନେ ବସିବା ପାଇଁ ଛାଡ଼ି ଦିଆ ହୋଇଥାଏ। ନୂଆ ସାଙ୍ଗମାନଙ୍କ ସହିତ ଡାହାଣ ପାଖ ଚତୁର୍ଥ ଧାଡ଼ିର ମଝିରେ ମୁଁ ବସିଥାଏ। ସାର୍ କ୍ଲାସ୍ ଭିତରକୁ ପ୍ରବେଶ କରିବା ଠିକ୍ ପୂର୍ବରୁ ପ୍ରାୟ କୋଡ଼ିଏ ପଚିଶ ଜଣ ଝିଅ ଆସି ବାମ ଓ ଡାହାଣ ପାଖରେ ଛଡା ଯାଇଥିବା ଆଗ ତିନି ଧାଡ଼ିରେ ବସି ପଡିଲେ। ସବୁ ଝିଅଙ୍କ ଉପରେ କ୍ଷିପ୍ର ଗତିରେ ନଜରଟିଏ ବୁଲାଇ ଆଣୁ ଆଣୁ ହଠାତ୍ ଜଣଙ୍କ ଉପରେ ମୋର ଆଖି ଅଟକି ଗଲା। ଆରେ! ଇଏ ତ ସେଇ କେ.ଜି. ଗାର୍ଲସ୍ ହାଇସ୍କୁଲର ଝିଅ ଏବେ ଆମ କ୍ଲାସରେ! ସ୍କୁଲ ଇଉନିଫର୍ମ୍ ଛାଡ଼ି ଅଲଗା ପୋଷାକରେ ଟିକିଏ ଅଲଗା ଲାଗୁଛି। ହଁ, ସିଏ ବି ଟିକିଏ ବଡ଼ ହେଇଗଲାଣି। ମନରେ ମୋର ଅନେକ ଆନନ୍ଦ ସହିତ କଲେଜ ଜୀବନକୁ ନେଇ ଅନେକ ସ୍ଵପ୍ନ ମଧ୍ଯ ଭରି ଚାଲିଥାଏ।

କଲେଜର ପ୍ରଥମ ବର୍ଷର, ପ୍ରଥମ ଦିନର, ପ୍ରଥମ କ୍ଲାସରେ ସମସ୍ତଙ୍କୁ ସ୍ଵାଗତ ଜଣାଇ ପ୍ରଭାକର ସାର୍ ରୋଲ କଲ୍ ଆରମ୍ଭ କଲେ ... ରୋଲ ନମ୍ବର ୱାନ... ରୋଲ ନମ୍ବର ଟୁ... ଥ୍ରୀ... ଫୋର ..... ଇଲେଭେନ... ଟୁଏଲଭ... ଥାର୍ଟିନ୍... ଥାର୍ଟିନ୍ ... ରୋଲ ନମ୍ବର ଥାର୍ଟିନ୍ ସୁଚରିତା ରଥ!

ପାଖର ସାଙ୍ଗଟିଏ ଟିକିଏ ହଲାଇ ଦେଇ ଡାକିଦେଲା ହେଇ...ସୁଚି !

— ଇୟସ୍ ସାର୍

— କ'ଣ ପ୍ରଥମ ଦିନରୁ କ୍ଲାସରେ ଅନ୍ୟମନସ୍କ ରହୁଛ? ନା ତୁମର ରୋଲ ନମ୍ବର ଜାଣିନ? ଆଡମିଶନ ସ୍ଲିପ୍ ଦେଖିଛ ତ?

— ନା ସାର୍ ଆଜି ମୁଣ୍ଡଟି ବହୁତ୍ ବିନ୍ଧୁଛି।

— ଠିକ୍ ଅଛି, ବସ। ବେଶି ରାତି ଅନିଦ୍ରା ହେବନି କି ଖାଲି ପେଟରେ ରହିବନି। ଏ ଦୁଇଟି ମୁଣ୍ଡ ବିନ୍ଧାର ମୂଳ କାରଣ।

ପ୍ରଥମ କ୍ଲାସଟି କେବଳ କଲେଜ ଜୀବନକୁ ସ୍ୱାଗତ ଓ ପରିଚୟ ସହିତ ଅନେକ ଖୁସି ମଜାରେ କଟିଗଲା। ପ୍ରତ୍ୟେକ ମଜା, ଗଳ୍ପ ଓ ପରିଚୟ ମଧ୍ୟରେ ମୋର କେବଳ ଲକ୍ଷ୍ୟ ଥିଲା ଜଣଙ୍କ ଉପରେ। ଜାଣିଗଲି ଯେ ସେ ଝିଅଟିର ନାମ ସୁଚରିତା ରଥ। ତା'ର ରୋଲ ନମ୍ବର ଠିକ୍ ମୋର ରୋଲ ନମ୍ବର ପୂର୍ବରୁ ୧୩। ମୋର ୧୪। ଏ ଖୁସି ମଧ୍ୟରେ କିନ୍ତୁ ମୁଣ୍ଡ ବିନ୍ଧୁଥିବାର ଶୁଣି ମୋ ମନରେ କେମିତି ଟିକିଏ ଦରଦ ଭରିଗଲା। ସାର୍ ଯିବା ପରେ ସମସ୍ତ ଛାତ୍ର ଓ ଛାତ୍ରୀମାନେ ବାହାରକୁ ବାହାରିବା ସମୟରେ ମୁଁ ଜଲଦି ଆଗକୁ ଯାଇ ହଠାତ୍ ବୁଲିପଡ଼ି ତା ମୁହଁକୁ ଟିକିଏ ଚାହିଁଦେଲି। ଚାରି ଚକ୍ଷୁର ମିଳନ ଭିତରେ ଏକ ଆପଣାର ଅନୁଭୂତି ମୋ ଭିତରେ ପ୍ରବେଶ କରିଗଲା। ସୁଚରିତାର ମୁହଁକୁ ଚାହିଁ ଟିକିଏ ହସି ଦେଇ ମୁଣ୍ଡଟି ଟିକିଏ ହଲାଇ ଦେଲି। ଯେମିତି ମୁଁ କହିବାକୁ ଚାହୁଁଛି ଯେ ସବୁ କିଛି ଠିକ୍ ଅଛି। ପ୍ରତିଦାନରେ ସୁଚରିତା ଆଖି ଦୁଇଟିକୁ ଟିକିଏ ବୁଜିଦେଇ ମୁହଁରେ ଇଷତ୍ ହସଟିଏ ଖେଳାଇ ଦେଇ ପୁନଶ୍ଚ ଆଖି ଖୋଲି ଦେଇ ମତେ ଚାହିଁଲା। ବାସ୍ ସେଦିନ ସେତିକି।

ସୁଚିର ହସଟା ମତେ ବହୁତ ଅଦ୍ଭୁତ ଲାଗୁଥିଲେବି ଖୁବ୍ ଆକର୍ଷଣୀୟ ଲାଗେ। ଲାଗୁଥାଏ ଯେ ସେ ଯେମିତି ଆଖିର ଇସାରାରେ କିଛି କହିବାକୁ ଚାହୁଁଛି। ପରବର୍ତ୍ତୀ ଚାରି ପାଞ୍ଚ ଦିନ ମଧ୍ଯ ତାକୁ ଦେଖି ହସିବା ପରେ ସେ ସେହି ଏକା ଉତ୍ତର ଦିଏ। ଟିକିଏ ଆଖି ଦୁଇଟିକୁ ବୁଜି ଦେଇ ଓଠରେ ଇଷତ୍ ହସଟିଏ ଖେଳାଇ ଦିଏ ଓ ପର ମୁହୂର୍ତ୍ତରେ ଆଖି ଖୋଲି ଦେଇ ପୁନର୍ବାର ମତେ ଚାହେଁ। ମୁଁ ଆଖି ଫେରାଇବା ପର୍ଯ୍ୟନ୍ତ ଓଠରେ ତା'ର ସେହି ସୁନ୍ଦର ହସ ଟିକକ ଲାଗି ରହିଥାଏ। ଯେତେ ଚେଷ୍ଟା କଲେ ମଧ୍ୟ ପଦେ ବି କିଛି ପଚାରି ପାରେନା। କେବଳ ଦୁହେଁ ଅନୁଭବ କରୁ ଦୁଇଜଣଙ୍କ ମଧ୍ୟରେ କିଛି ଗୋଟିଏ ଭାବର ଆଦାନ ପ୍ରଦାନ।

ମୁଣ୍ଡ ବ୍ୟଥା କାରଣରୁ ସୁଚରିତା ଅନେକ ଦିନ ଅନୁପସ୍ଥିତ ରହୁଥିଲା। ଅନେକ ସମୟରେ ମଧ୍ୟ କ୍ଲାସରେ ଅନ୍ୟମନସ୍କ ରହୁଥିଲା। ତା'ର ସାଙ୍ଗମାନେ କୁହନ୍ତି ଯେ ଥରେ ଥରେ ତା'ର ଏତେ ମୁଣ୍ଡ ବ୍ୟଥା ହୁଏ ଯେ ସେ କିଛି ସମୟ ପାଇଁ କିଛି ଜାଣିବି ପାରେନାହିଁ। କ୍ରମାଗତ ଭାବେ ପାଞ୍ଚ ଛଅ ଦିନ ଧରି ସୁଚିର ଅନୁପସ୍ଥିତି ମତେ ବହୁତ କଷ୍ଟ ଦେଉଥିଲା। ମନରେ ସବୁବେଳେ କିଛି ଗୋଟାଏ ଆଶଙ୍କା ଭରି ରହୁଥିଲା। ସୁଚିର କ'ଣ ହେଲା? ଦେହ କେମିତି ଅଛି? ଆଜି ସେ କ୍ଲାସକୁ ଆସିବ କି ନାହିଁ? ଏ ସବୁ ପ୍ରଶ୍ନ ମତେ ଅନେକ ସମୟରେ ବିବ୍ରତ କରି ରଖୁଥିଲେ ମଧ୍ୟ କାହାକୁ କିଛି ପଚାରି ପାରୁନଥିଲି। କେହିବି କ୍ଲାସରେ ତା କଥା ଆଲୋଚନା ମଧ୍ଯ କରୁନଥିଲେ। ମନ ଭିତରେ ସୁଚି ପ୍ରତି ମୋର କିନ୍ତୁ କେମିତି ଗୋଟାଏ ଅପଣାର ଭାବ ଗଢ଼ି ଉଠିଥିଲା। ସେ ଏଥର କ୍ଲାସକୁ ଆସିଲେ କିପରି ଭାବରେ ତାକୁ ସ୍ଵାଗତ କରିବି ବା କ'ଣ କହି ଗାଳିଦେବି, ଏ କଥା ଦିନ ରାତି ମୋ ମନ ଭିତରେ ଯିବା ଆସିବା କରୁଥିଲା।


ସେଦିନ ସାଇକେଲ ଚଢ଼ି କଲେଜକୁ ଯିବା ବାଟରେ ଜିତୁ ପାନ ଦୋକାନ ସାମନା ବସ୍ ସ୍ଟପେଜ ପାଖରେ ହଠାତ୍ ସୁଚିକୁ ଦେଖି ଖୁବ୍ ଆନନ୍ଦିତ ହୋଇଗଲି। ପାଖରେ ଜଣେ ଧୋତି ପିନ୍ଧା ବୟସ୍କ ବ୍ୟକ୍ତି ଛିଡ଼ା ହୋଇଥିଲେ। ବୋଧହୁଏ ସୁଚିର ବାପା ହେବେ। ବ୍ରେକ୍ ମାରି ସାଇକେଲରୁ ଓହ୍ଲାଇ ପାଖକୁ ଯାଇ ପଚାରିଲି, "ଆରେ ସୁଚି! କ'ଣ ହେଲା? କଲେଜକୁ ଆଉ ଯାଉନ କାହିଁକି? ହଠାତ୍ ମତେ ପାଖରେ ଦେଖି ସୁଚି ମତେ ଚାହିଁ ଦେଇ ତା'ର ସେହି ଚିରାଚରିତ ଶୈଳୀରେ ଆଖି ଦୁଇଟିକୁ ବନ୍ଦ କରି ଟିକିଏ ହସିଦେଲା ଓ ପୁନର୍ବାର ଆଖି ଖୋଲି ମତେ ଚାହିଁଲା। ମୁହଁରେ ସେହି ସୁନ୍ଦର ହସଟି ସେମିତି ଲାଖି ରହିଥାଏ।

— ବାପା ତୁମେ କ'ଣ ସୁଚି ସାଙ୍ଗରେ ପଢୁଛ? ମୁଁ ତା' ବାପା।

— ମଉସା ନମସ୍କାର। ମୁଁ ସୁଚିର କ୍ଲାସମେଟ୍।

— ବାପା, ଝିଅକୁ ଆଜି ମୁଁ କଟକ ବଡ଼ ଡାକ୍ତରଖାନାକୁ ନେଇ ଯାଉଛି। ତା'ର ଦେହ ଏବେ ବହୁତ୍ ଖରାପ ଅଛି। ଆନେକ ଦିନ ହେବ ତା'ର ମୁଣ୍ଡ ବିନ୍ଧୁଥିଲା। ଏବେ ମଝିରେ ମଝିରେ ସେ ହଠାତ୍ କିଛି ଜାଣି ପାରୁନି କି କିଛି ବୁଝି ପାରୁନି। ଥରେ ଥରେ ପ୍ରାୟ ଦଶ ପନ୍ଦର ମିନିଟ୍ ପୁରା ଚୁପ୍ ଚାପ୍ ହେଇ ଯାଉଛି। ଡାକିଲେ ଶୁଣୁନି ବା ଯାହା ପଚାରିଲେ କିଛି ଉତ୍ତର ବି ଦଉନି। କେବଳ ଗୋଟାଏ ଜାଗାକୁ ସେମିତି ଅପଲକ ଆଖିରେ ଚାହିଁ ରହୁଛି। କେତେ ଏଲୋପାଥିକ, ହୋମିଓପାଥିକ, ଆୟୁର୍ବେଦିକ, କବିରାଜ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କଲିଣି କିନ୍ତୁ କିଛି ଲାଭ ହେଉନି। ଗତ କାଲି ଦିନ ବେଳେ ହଠାତ୍ ଚିତ୍କାର କରି କହିଲା ମତେ କାହିଁକି ଏତେ ଅନ୍ଧାର ଘରେ ପୁରେଇଛ? ଚାରିଆଡ଼େ ଏତେ ଅନ୍ଧାର କାହିଁକି? ଲାଇଟ୍ କାହିଁକି ଲିଭାଇ ଦେଇଛ? ମତେ କିଛିବି ଦିଶୁନି! ପରେ ପରେ ସେ ପାଗଳଙ୍କ ପରି ଏଣୁ ତେଣୁ ଗପିଲା। ତା' ମା ଓ ମୁଁ ବହୁତ୍ ଭୟ କରିଗଲୁ। ପ୍ରାୟ ପାଞ୍ଚ ମିନିଟ ପରେ ସେ ଆପେ ଆପେ ଚୁପ୍ ହୋଇ ଠିକ୍ ହୋଇଗଲା। ଆଜି ଏବେ ମୁଁ ତାକୁ କଟକ ବଡ଼ ଡାକ୍ତରଖାନାକୁ ନେବା ପାଇଁ ବସକୁ ଅପେକ୍ଷା କରିଛି। ଦେଖାଯାଉ ଭଗବାନଙ୍କର କ'ଣ ଦୟା ହେଉଛି। ପିଲାଟା ବହୁତ୍ କଷ୍ଟ ପାଇଲାଣି।

— ରଥ ବାବୁ! ପାନ ରେଡି ହେଇଗଲାଣି, ନେଇଯାଆନ୍ତୁ! 

ଜିତୁ ପାନ ଦୋକାନିର ଡାକ ଶୁଣି ବୁଲିପଡ଼ି ସୁଚିର ବାପା ପାନ ଆଣିବାକୁ ଚାଲିଗଲେ। ମୁଁ ଆଶ୍ଚର୍ଯ୍ୟ ଭାବରେ ସୁଚି ମୁହଁକୁ ଚାହିଁଥାଏ। ସୁଚିର ମୁହଁରେ ପୁନର୍ବାର ସେଇ ଆଖି ବୁଜା ହସ ମୋ ମନରେ ଟିକିଏ ଶାନ୍ତି ଭରିଦେଲା।

— ସୁଚି! କ'ଣ ହେଲା ତୁମର?

ସୁଚିର ମୁହଁରେ ସେଇ ଆକର୍ଷଣୀୟ ହସ ଟିକକ ଲାଗି ରହିଥାଏ।

— ମୁଁ ଭାବୁଛି ଅତ୍ୟଧିକ ମୁଣ୍ଡ ବିନ୍ଧା ପାଇଁ ତୁମର ଏ ସବୁ ହେଉଛି। ମୋର ବି ଥରେ ଥରେ ଏମିତି ହୁଏ। ମୁଣ୍ଡ ବିନ୍ଧିବ ଯେ ବିନ୍ଧିବ, ସକାଳୁ ସନ୍ଧ୍ଯା ଯାଏ ଆଦୌ ଭଲ ହେବନାହିଁ। ଶେଷକୁ ବାନ୍ତି ହେବ ଓ ମୁଣ୍ଡ ବୁଲାଇ ହୋଇ ଚାରିଆଡ଼େ ଅନ୍ଧାର ଦେଖାଯିବ। ତମେ ଜମା ବି ଭୟ କରନାହିଁ। ଔଷଧ ଖାଇଲେ ସବୁ ଠିକ୍ ହୋଇଯିବ। ତମେ ଜଲଦି ଠିକ୍ ହୋଇ ଜଲଦି କ୍ଲାସକୁ ପଳେଇ ଆସ। ସବୁଦିନ କ୍ଳାସରେ ସବୁ ସାରମାନେ ତମର ରୋଲ ନମ୍ବର ୧୩କୁ ପ୍ରାୟ ଦୁଇ ତିନି ଥର ଡାକନ୍ତି ଓ ସବୁଦିନ ତମର ଆବସେଣ୍ଟ ପଡ଼େ। ଜାଣିଛ ସୁଚି! ସତ କହୁଛି, ତମେ ନଆସିଲେ ମତେ କିଛି ବି ଭଲ ଲାଗୁନି।

ପୁନର୍ବାର ତା'ର ସେହି ଆଖି ଦୁଇଟିକୁ ବୁଜି ଦେଇ ଓଠରେ ଅତି ସୁନ୍ଦର ହସଟିଏ ଖେଳାଇ ପରେ ଆଖି ଖୋଲି ମୋ ମୁହଁକୁ ଚାହିଁଲା ସୁଚି। ଓଠରେ ତା'ର ସେହି ହସଟା ମତେ କାହିଁକି ଆଜି ଅନେକ କିଛି କଥା କହୁଥିବା ପରି ଲାଗୁଥିଲା।

— ହଁ...! ସତରେ!... —

— ସତ କହୁଛି ସୁଚି! ଆଉ କାହା କଥା ମୁଁ କିଛି କହି ପାରିବିନି। କିନ୍ତୁ ରୋଲ ନମ୍ବର ୧୩ ରେ ସବୁଦିନ ନୀରବତା ମୁଁ ଆଦୌ ସହ୍ୟ କରି ପାରୁନି।

— ଆଚ୍ଛା! ତେବେ ଗୋଟିଏ କାମ କର। ରୋଲ ନମ୍ବର ୧୩ ରେ ଏଥର ତମେ ପ୍ରେଜେଣ୍ଟ ପକାଇ ଦିଅ।

ସୁଚିର ଓଠରେ ଦୁଷ୍ଟାମିର ହସ। ଆଃ ସେ ବି ସୁନ୍ଦର। ତା'ର ସେ ଦୁଷ୍ଟାମି ଓ ପଦିଏ କଥା ଏ ସମୟରେ ଭଲ ନଲାଗିଲେ ବି କେଜାଣି କାହିଁକି ମତେ ବାନ୍ଧି ନେଇଥିଲା।

— ଚୁପ୍! ଭଲରେ ଯାଇ ଜଲଦି ଭଲ ହୋଇ ଫେରି ଆସ। କ୍ଲାସରେ ସାର୍ ଦେଉଥିବା ନୋଟ ସବୁ ମୁଁ ଲେଖି ରଖୁଥିବି। ଆସିଲେ ମୋ ଠାରୁ ନେଇଯିବ। ସୁଚି ଉପରେ ଅପଣାର ଭାବ ସହିତ କିଛି ଗୋଟାଏ ଅଧିକାର ଥିବା ପରି ମୁଁ ମନେ କରୁଥିଲି।

କଟକ ବସ୍ ଆସି ଯାଇଥିଲା। ଗଭୀର ସ୍ନେହ ବୋଳା ହସଟିଏ ହସି ସୁଚି କହିଲା, "ଆସୁଚି"! ହସିବାକୁ ଆରମ୍ଭ କଲେ ସୁଚିର ଆଖି ଦିଓଟି ଆପେ ଆପେ ବନ୍ଦ ହୋଇଯାଏ। ମତେ ସେତେବେଳେ ସେ ବହୁତ ସୁନ୍ଦର ଲାଗେ। 

— ଉଁ.... ମୋ ସୁନ୍ଦରୀ!... —

ସୁଚୀ ଓ ତା' ବାପାଙ୍କୁ ନେଇ ଧୀରେ ଧୀରେ କଟକ ବସଟି ଅଙ୍କା ବଙ୍କା ରାସ୍ତା ମଧ୍ୟ ଦେଇ ଅଦୃଶ୍ୟ ହୋଇଗଲା।

ପରେ ପରେ ଦୀର୍ଘ ଦୁଇ ମାସର ନୀରବତା। ରୋଲ ନମ୍ବର ୧୩ ଡାକି ସଙ୍ଗେ ସଙ୍ଗେ ଆବସେଣ୍ଟ ପକାଇବା ସବୁ ସାରମାନଙ୍କର ଅଭ୍ୟାସ ହୋଇଗଲାଣି। ପରବର୍ତ୍ତୀ ରୋଲ ନମ୍ବର ୧୪ ହେଉଛି ମୋର। କଟକ ଯିବା ପରଠାରୁ କ୍ଲାସରେ ସୁଚୀକୁ ସମସ୍ତେ ଭୁଲି ଯାଇଥିଲେ। ତା'ର ଅନୁପସ୍ଥିତିକୁ ପ୍ରତ୍ୟେକ ଦିନ କେବଳ ମୁଁ ହିଁ ଅନୁଭବ କରୁଥିଲି। ସେଦିନ ରୋଲ ନମ୍ବର ୧୩ ଡାକିବା ପରେ ରେଜିଷ୍ଟରରେ ନାମ ଦେଖି ଜେନା ସାର୍ କହିଲେ, "ସୁଚରିତା ରଥର ଦୀର୍ଘ ଦିନ ଧରି ଅନୁପସ୍ଥିତ ପରେ ଏବେ ପ୍ରିନ୍ସିପାଲ ଅଫିସ ଆଟେଣ୍ଡାନସ୍ ରେଜିଷ୍ଟରରେ କିଛି ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ମାସ ଏକ ତାରିଖ ଠାରୁ ପରବର୍ତ୍ତୀ ରୋଲ ନମ୍ବର ୧୪ ଠାରୁ ପରିବର୍ତ୍ତିତ ହୋଇ ପୁନଶ୍ଚ ୧୩ ହୋଇ କ୍ରମାନୁସାରେ ପଛକୁ ଆସିବ। ଖାଲି ପଡିଥିବା ସିଟ୍ ପାଇଁ ଆଉ ଜଣେ ଛାତ୍ରଙ୍କୁ ସୁଯୋଗ ଦିଆଯାଇପାରେ "।

ଜେନା ସାରଙ୍କ କଥା ମତେ ଆଦୌ ଭଲ ଲାଗିଲା ନାହିଁ। ପ୍ରିନ୍ସିପାଲଙ୍କ ଉପରେ ବହୁତ୍ ରାଗ ଆସିଲା। ଠିଆ ହୋଇ ପଡ଼ି କହିଲି "ସାର୍ ସୁଚରିତାର ଦେହ ଭଲ ନାହିଁ। ସେ କଟକ ଯାଇଛି ତା'ର ଚିକିତ୍ସା ପାଇଁ। ତା' ପାଇଁ କ୍ଲାସ୍ ନୋଟ ସବୁ ରଖିବା ଦାୟିତ୍ଵ ମତେ ଦେଇ ଯାଇଛି। ସେ ଜଲଦି କ୍ଲାସକୁ ଫେରି ଆସିବ"। 

କ୍ଲାସର ସମସ୍ତ ଛାତ୍ରଙ୍କର ଦୃଷ୍ଟି ମୋ ଉପରେ ହିଁ ଥିଲା।

ହଠାତ୍ କ୍ଲାସ୍ ବାହାରେ ପ୍ରିନ୍ସିପାଲ ଅଫିସ୍ ର ନନ୍ଦ ଭାଇ ଆସି ଜେନା ସାରଙ୍କୁ ବାହାରକୁ ଡାକିଲା। ବାହାରେ ଠିଆ ହୋଇ ଦୁଇଜଣ ପ୍ରାୟ ଦୁଇ ମିନିଟ୍ ପାଇଁ କିଛି କଥା ହେବା ପରେ ନନ୍ଦ ଭାଇ ଫେରିଗଲା ଓ ସାର୍ କ୍ଲାସ୍ ରୁମ ଭିତରକୁ ଫେରି ଆସି କହିଲେ,"ପ୍ରିନ୍ସିପାଲ କଲେଜର ସମସ୍ତ ଛାତ୍ର ଓ ଛାତ୍ରୀମାନଙ୍କୁ ତାଙ୍କର ଅଫିସ୍ ସାମନା ବରଗଛ ମୂଳରେ ଥିବା ଷ୍ଟେଜ ପାଖକୁ ଡାକିଛନ୍ତି। କିଛି ଜରୁରୀ ସୂଚନା ଅଛି"। 

ଅଗତ୍ୟା କ୍ଲାସର ସମସ୍ତେ ସାରଙ୍କ ପଛେ ପଛେ ଷ୍ଟେଜ ପାଖକୁ ବାହାରି ଗଲୁ। ଷ୍ଟେଜ ସାମନାରେ ଆମେ ପହଁଞ୍ଚିବା ପୂର୍ବରୁ କଲେଜର ପ୍ରାୟ ସବୁ ଛାତ୍ରଛାତ୍ରୀ ଷ୍ଟେଜ୍ ପାଖରେ ଓ ଶିକ୍ଷକ ମାନେ ଆସି ଷ୍ଟେଜ ଉପରେ ଅପେକ୍ଷା କରିଥିଲେ। କିଛି ସମୟ ପରେ ପ୍ରିନ୍ସିପାଲ ଆସି ପହଁଞ୍ଚିଲେ। ସଙ୍ଗେ ସଙ୍ଗେ ଚାରିଆଡ଼େ ଏକ ନୀରବତା ଖେଲିଗଲା। ଶିକ୍ଷକ ମାନଙ୍କର ଗହଣରେ ଠିଆ ହୋଇ ପ୍ରିନ୍ସିପାଲ କହିବାକୁ ଆରମ୍ଭ କଲେ...

"ମୋର ଆଦରର ଛାତ୍ରଛାତ୍ରୀ ଓ ମୋର ସହକର୍ମୀ ମାନେ! ଗଭୀର ଦୁଖର ସହିତ ମୁଁ ଏଠାରେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ଆମ କଲେଜର ପ୍ରଥମ ବର୍ଷର ଛାତ୍ରୀ ମିସ୍ ସୁଚରିତା ରଥ ଆମ ଗହଣରେ ଆଉ ନାହାନ୍ତି। ଗତ କାଲି ଦିନ ପ୍ରାୟ ଗୋଟାଏ ସମୟରେ କଟକର ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନରେ ତାଙ୍କର ଦେହାନ୍ତ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର malignancy tumor in brain ଥିବାର ଜଣା ପଡ଼ିଥିଲା। କିନ୍ତୁ ସେତେବେଳକୁ ଏହା spread କରି spinal cord ପର୍ଯ୍ୟନ୍ତ ଚାଲିଯାଇଥିଲା। ଜୀବନର ଶେଷ ମୁହୂର୍ତ୍ତରେ ସେ ତାଙ୍କର ଦୁଇଟି ଯାକ ଚକ୍ଷୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ହରାଇ ଦେଇଥିଲେ। ଅନେକ ଦିନ ଧରି ଅନ୍ଧକାର ମଧ୍ୟରେ ରହିବା ପରେ ଏବଂ ଡାକ୍ତର ମାନଙ୍କର ସମସ୍ତ ଚେଷ୍ଟା ପରେ ଶେଷରେ ଗତ କାଲି ଦିନ ପ୍ରାୟ ଗୋଟାଏ ସମୟରେ ସେ ତାଙ୍କର ଶରୀର ତ୍ୟାଗ କରି ଚାଲି ଯାଇଥିଲେ। ତାଙ୍କର ପାର୍ଥିବ ଶରୀର ଗତ କାଲି ରାତି ଦୁଇଟାରେ ଆସି ତାଙ୍କ ବାସ ଗୃହରେ ପହଁଞ୍ଚିଛି। ଚାଲନ୍ତୁ ଆମେମାନେ ଆଜି ସମସ୍ତେ ମିଶି ତାଙ୍କର ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ୍ ପାଇଁ ନୀରବରେ ଭଗବାନଙ୍କୁ ପ୍ରାର୍ଥନା କରିବା। ଏହା ପରେ ଆଜି ଆମର କଲେଜ ବନ୍ଦ ରହିବ"।

... ମୁଁ ଏ ସବୁ କ'ଣ ଶୁଣୁଛି ହଠାତ୍ କିଛି ବୁଝି ପାରୁନଥିଲି ବା ଏ ସବୁ କଥା ସତ୍ୟ ବୋଲି ଗ୍ରହଣ କରିବାକୁ ମୁଁ ଆଦୌ ବି ପ୍ରସ୍ତୁତ ନଥିଲି। ମୋ ପାଦ ତଳୁ ଯେମିତି ଏ ପୃଥିବୀଟା ଖସି ଯାଉଥିଲା। ଛାତି ଭିତରଟା ଦାଉଁ ଦାଉଁ ହୋଇ ଯାଉଥିଲା। ପେଟ ଭିତରେ କେହି ଗୋଟାଏ ଯେମିତି ମାଡ଼ି ବସି ହଲଚଲ କରି ଦେଉଥିଲା। ଅମାନିଆ ଆଖି ଦୁଇଟିକୁ ସାନ୍ତ୍ଵନା ଦେବାପାଇଁ ହାତ ଦୁଇଟି ମୁହଁ ଉପରକୁ ବାରମ୍ବାର ଚାଲି ଯାଉଥିଲା। ଗୋଟିଏ ବୋକାଙ୍କ ପରି ମୁଁ ଚାହିଁ ରହିଥିଲି ଓ ଚାରିଆଡ଼େ ମୋତେ ଜଳକା ଦେଖା ଯାଉଥିଲା। କାନ ଭିତରେ ସୁଚିର ଶେଷ କଥା ପଦକ ମତେ ବାରମ୍ବାର ଆସି ଆଘାତ ଦେଉଥିଲା... "ରୋଲ ନମ୍ବର ୧୩ ରେ ଏଥର ତମେ ପ୍ରେଜେଣ୍ଟ ପକାଇ ଦିଅ"।

ପ୍ରାର୍ଥନା ସଭାରୁ ହଠାତ୍ ପଛକୁ ବୁଲିପଡ଼ି ଦ୍ରୁତ ଗତିରେ କଲେଜର ସାଇକେଲ ଷ୍ଟାଣ୍ଡ ପାଖକୁ ଯାଇ, ଚାବି ଖୋଲି ମୋର ସାଇକେଲଟିକୁ ଟାଣି ଆଣିଲି। ଆଉ କିଛି ବି ମୋ ମୁଣ୍ଡରେ ପଶୁନଥିଲା। ସାଇକେଲ ଚଢ଼ି କଲେଜ ପରିସର ଛାଡ଼ି ମୁଖ୍ୟ ରାସ୍ତା ଆଡକୁ ଦ୍ରୁତ ଗତିରେ ପାଡେଲ ମାରିବାକୁ ଲାଗିଲି। ଲକ୍ଷ୍ୟ ମୋର କେଉଁଆଡ଼େ ଥିଲା ତାହା ମୁଁ ନିଜେବି ଜାଣେନା। ପଶ୍ଟିମ ପାଖରେ ଅନତି ଦୂରରେ ଥିବା କୋଠା ଘରର ପଛ ପାଖରୁ ଶୁଭୁଥିଲା କାହାର ବିକଳ କାନ୍ଦଣା। ପୂର୍ବ ପାଖର ଶାଳବଣର ଉହାଡରେ ଧୀରେ ଧୀରେ ମିଳାଇ ଯାଉଥିଲା ଏକ ଚିରନ୍ତନ ସତ୍ୟର ସାନ୍ତ୍ଵନା... "ରାମ୍ ନାମ୍ ସତ୍ୟ ହୈ...ହରି ନାମ୍ ସତ୍ୟ ହୈ"।

— ପେସେଣ୍ଟ G-3! ଅଜିତ ଭାଇ! ଆପଣ ଏଠାରେ ଆସି ବସିଛନ୍ତି! ଥଣ୍ଡା ପବନ ବାଜି ଆଖିରୁ ପାଣି ବୋହି ଯାଉଛି। ଭିତରକୁ ପଳେଇ ଆସନ୍ତୁ। ଆପଣଙ୍କର ଡିନର ଓ ମେଡିସିନ୍ ଟେବୁଲ ଉପରେ ଥୁଆ ହୋଇଛି। ଖାଇସାରି ମେଡ଼ିସିନ୍ ଖାଇନେବେ।

ସିଷ୍ଟରଙ୍କର ଡାକରେ ପ୍ରକୃସ୍ଥିତ ହୋଇ ଆଖିର ଲୁହକୁ ଲୁଚାଇ ପୋଛିନେଲି। ଏଁ ହଁ ଆସୁଛି। ଏଠାରେ ଟିକିଏ ଭଲ ଲାଗୁଥିଲା ତ

ଚଉକି ଛାଡି ଝରକା ପାଖରୁ ଧୀରେ ଧୀରେ ମୋର ବେଡ୍ ପାଖକୁ ଯିବାକୁ ବାହାରିଲି। ହାତ ଦୁଇଟି ମୋର ଆପେ ଆପେ ଯୋଡ଼ି ହୋଇ ଯାଉଥିଲା ସେହି ପରମ ସତ୍ୟଙ୍କର ଉଦ୍ଦେଶ୍ୟରେ ।


Rate this content
Log in

Similar oriya story from Romance