STORYMIRROR

Ajit kumar Mishra

Romance

4  

Ajit kumar Mishra

Romance

ଅଡୁଆ ମନ

ଅଡୁଆ ମନ

7 mins
401

କେଜାଣି କାହିଁକି ଶରୀରଟା ଆଜି ବହୁତ୍ ଥକା ଲାଗୁଛି। ବିଛଣା ଛାଡିବାକୁ ଆଦୌ ଇଚ୍ଛା ହେଉନାହିଁ। ରାତି ସାରା ଟିକିଏ ବି ନିଦ ନାହିଁ। ତଥାପି ଖାଲି ମୁହଁ ମାଡ଼ି ପଡ଼ି ରହିବାକୁ ଭଲ ଲାଗୁଛି। ଆଜି କଲେଜ ନଗଲେ ବି ଚଳିବ। କଣଟେ ଏତେ ବିଗିଡ଼ି ଯିବକି? ତିନିଟା ତ କ୍ଲାସ୍ ଆଜି। ସକାଳ ସାଢ଼େ ନଅଟାରେ ଗୋଟେ, ଏଗାରଟାରେ ଗୋଟେ, ପୁଣି ଯାଇ ଦିନ ତିନିଟା। କିନ୍ତୁ ଆଜି ସକାଳ ଆଠଟାରୁ କଲେଜ ଯିବାକୁ ମନରେ ଟିକିଏ ଦ୍ୱନ୍ଦ ଆସୁଛି। ଥରେ ଏହି ସମୟଟିକୁ ମିସ୍ କଲେ ପୁଣି ସନ୍ଧ୍ଯା ସାଢ଼େ ଚାରିଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼େ। ବୋଧହୁଏ ସେ ସକାଳ ନଅଟାରୁ ସ୍କୁଲକୁ ପଳାଉଛି। ଫେରୁଛି ସନ୍ଧ୍ୟା ଚାରିଟାରେ। କେତେବେଳେ ଖାଇବାକୁ ଆସୁଛି ବା ସ୍କୁଲକୁ ଖାଇବା ନେଇଯାଉଛି ଜାଣି ପାରିଲିନି। ଏଇ ସକାଳୁ ସକାଳୁ ମୋର କ୍ଲାସ୍ ଥିଲେ ଯିବା ବେଳକୁ କିମ୍ବା ସନ୍ଧ୍ୟା ସାଢ଼େ ଚାରିଟା ପରେ କ୍ଲାସ୍ ସାରି ଫେରିବା ବେଳକୁ ଦେଖା ହୁଏ।

ସପ୍ତାହରେ ମାତ୍ର ଦୁଇ ଦିନ ଆଠଟା ପଇଁଚାଳିଶରେ କ୍ଲାସ୍ ଆରମ୍ଭ ହେଲେ ମଧ୍ଯ, ଏଇ ପ୍ରାୟ ମାସେ ହେବ ଆଠଟାରେ କ୍ଲାସ୍ ଆରମ୍ଭ ବୋଲି କହି, ଘରୁ ଜଲଦି ବାହାରି ଯିବାକୁ ପଡୁଛି। ନଚେତ୍ ଭେଟ ହେଉନାହିଁ। ଆଜି କାହିଁକି ଆଉ ଜଲଦି ଯିବାକୁ ଇଚ୍ଛା ହେଉନି। ଆଉ କାହିଁକି ବା ଯିବି? ବୋଉ ବି କେତେବେଳୁ ଆସି ଦୁଇ ତିନି ଥର ଡାକ ପକେଇ ଗଲାଣି ଆରେ ମୁନା, ଛଅଟା ବାଜିଲା ମୁନା! ସାଢ଼େ ଛଅ ଆରେ ସାତଟା ପରେ ହେଲାଣି ଉଠୁନୁ! ଆଜି କଣ ସକାଳୁ କଲେଜ ନାହିଁ କି?

ହୁଁ ଯିବି

ଭାବୁଛି ଯିବି। କାଳେ ମୁଁ କିଛି ଭୁଲ ବୁଝିଥିବି। କିଛି ଭୁଲ ଦେଖିଥିବି। କେଜାଣି ଥରେ ଗଲେବି କ୍ଷତି କଣ ? ସବୁଦିନ ପରି ଗୋଲେଇ ଛକ ରାସ୍ତା ଦେଇ ଯିବିକି?

ନା କିଛି ଲାଭ ନାହିଁ। ଅଯଥା ପରିଶ୍ରମ। ଜେଲ୍ ପାଖ ଗଳି ଦେଇ ପଳେଇବି। ଜଲଦି ବି ପହଁଞ୍ଚିଯିବି। ଗୋଲେଇ ଛକ ରାସ୍ତାଟି କିନ୍ତୁ ମୋର ପ୍ରିୟ ରାସ୍ତା। ଛକରୁ ଟିକିଏ ବାମ ପଟକୁ ବୁଲି ପଡ଼ିଲେ ପ୍ରଥମେ ସୁର ନନା ପାନ ଦୋକାନ ପଡ଼େ। ତା ପରେ ତିନି ଚାରୋଟି ଛୋଟ ଛୋଟ ଘର, ପରେ ପରେ ଆବୁରୁ ଜାବୁରୁ ଗଛ, କଣ୍ଟା, ଫୁଲ ଆଦିରେ ଭରା ଖଣ୍ଡିଏ ଛୋଟ ଜାଗା। ଠିକ୍ ସେହି ଜାଗାକୁ ଲାଗି ଅଜଣା ଗଛର ବାଡ଼ ଘେରା ଗୋଟିଏ ବଡ଼ ଘର। ନାନା ରଙ୍ଗର ଫୁଲରେ ଘରଟିର ସାମନା ଭାଗଟି ସୁଶୋଭିତ। ଅନେକ ସମୟରେ ଘର ସାମନାରେ ଗୋଟିଏ ସରକାରୀ ଜିପ୍ ଟିଏ ଥୁଆ ହୋଇଥାଏ। କେହି ଜଣେ ଧନୀ ସରକାରୀ ଲୋକ ରହୁଛନ୍ତି ବୋଧହୁଏ।

ପ୍ରାୟ ଅନେକ ସମୟରେ ତ ମୁଁ ଏହି ବାଟ ଦେଇ କଲେଜକୁ ଯାଇଛି। କିନ୍ତୁ ହଠାତ୍ ସେଦିନ କେମିତି କେଜାଣି ସେ ଘର ଆଡ଼େ ନଜର ପଡ଼ିଗଲା। ସାମନାରେ ଜିପ୍ ଟି ନଥିବାରୁ ଘରର ଦୁଆର ମୁହଁରେ ଲାଗିଥିବା ପରଦା ପର୍ଯ୍ୟନ୍ତ ପରିଷ୍କାର ଦେଖାଯାଉଥିଲା। ଘର ସାମନା ପିଣ୍ଡାକୁ ଲାଗି ଗୋଟିଏ ଛୋଟିଆ ସିମେଣ୍ଟ ବେଞ୍ଚ୍ ଉପରେ କେହିଜଣେ ଝିଅ ବସିଛି। ହଠାତ୍ ମୋର ଚକ୍ଷୁ ବିସ୍ଫାରିତ ହୋଇଗଲା। ଇସ୍... ଏଇ ଘରେ ଗୋଟିଏ ଏତେ ସୁନ୍ଦରୀ ଝିଅଟିଏ ରହୁଛି! ଚକ୍ ଚକ୍ ଚମ୍ପା ଗୋରୀ। କି ସୁନ୍ଦର ଗୋଲ ହସ ହସ ମୁହଁ। ଓଠ ବନ୍ଦ ଥିଲେବି ଲାଗୁଛି ସେ କିଛି ଭାବି ଭାବି ହସୁଛି। ଛୋଟ ଛୋଟ ଆଖି ଦୁଇଟିକୁ କିଏ ଯେପରି ଟାଣି ଦେଇ ଲମ୍ବା କରି ଦେଇଛି। କାନ୍ଧ ତଳ ଯାଏ ଗହଳିଆ ଖୋଲା ଚୁଟି। ବେକ ଠାରୁ ପାଦ ଯାଏ ଖଣ୍ଡିଏ ନୀଳ ରଙ୍ଗର ଡ୍ରେସ୍ ପିନ୍ଧି ମୋ ଆଡ଼କୁ ହିଁ ଚାହିଁଛି। ମୁହୂର୍ତ୍ତକ ମଧ୍ୟରେ ଚାରି ଚକ୍ଷୁର ମିଳନ ଘଟିଲା। ସେ ବି ଯେମିତି ଲୋଭିଲା ଦୃଷ୍ଟିରେ ମତେ ହିଁ ଚାହିଁଛି। ହଁ, ଚାହିଁବନି ବା କେମିତି? ମୁଁ କଣ ଅସୁନ୍ଦର ପିଲାଟେ ହେଇଛି କି? ମୋ ସାଙ୍ଗମାନେ ତ ମତେ ରାଜକୁମାର ବୋଲି ଡାକନ୍ତି। ଏଇ କିଛିଦିନ ତଳେ ବି କଲେଜ ସେକ୍ରେଟାରୀ ପ୍ରାର୍ଥୀ ଥାର୍ଡ ଇୟରର ଜିତୁ ଭାଇ ବି ମତେ କହୁଥିଲେ ଯେ ମୁଁ ପୁରା ଗୋଟେ ହୀରୋ ପରି ଦେଖାଯାଉଛି। ଇସ୍ ଏତେ ସୁନ୍ଦରୀ ଝିଅଟିଏ, ଯେମିତି ମୁଁ ଖୋଜୁଥିଲି ବା କଳ୍ପନା କରୁଥିଲି, ଠିକ୍ ସେହିପରି ଝିଅଟି ଏହିଠାରେ ହିଁ ରହୁଛି। ଆଉ ମୁଁ ବି ତାର ପସନ୍ଦ। ମୁହୂର୍ତ୍ତକରେ ଅନେକ କଳ୍ପନା ଜଳ୍ପନା ଭିତରେ, ଆନନ୍ଦରେ ମୋର ମନ ଭରି ଉଠିଲା। ସମଗ୍ର ଶରୀରରେ ଅଦ୍ଭୁତ ଶିହରଣ ଖେଲିଗଲା।

ସବୁଦିନ ଠିକ୍ ସକାଳ ଆଠଟାରେ ସାଇକେଲ ନେଇ, ଗୋଲେଇ ଛକ ରାସ୍ତା ଦେଇ ମୋତେ କଲେଜ ଯିବାକୁ ପଡ଼େ। ଟିକିଏ ଡେରି ହୋଇଗଲେ ଆଉ ଦେଖା ହୁଏନି। ଏଇ ରାସ୍ତାଟି କଲେଜକୁ ଯିବାକୁ ସିନା ଟିକିଏ ଦୂର ପଡ଼େ ହେଲେ ସାଇକେଲ ତ ଅଛି, କିଛି ଅସୁବିଧା ନାହିଁ। ଏଇଟା ବହୁତ ଭଲ ପିଚୁ ରାସ୍ତା। ସେ ଜେଲ୍ ପାଖ ଗଳି ରାସ୍ତାଟା ଖାଲି ଘାସରେ ଭର୍ତ୍ତି। ବାରମ୍ବାର ତଳେ ଗୋଡ଼ ଲଗେଇବାକୁ ପଡେ। ସକାଳ ସାଢ଼େ ନଅଟାରେ କ୍ଲାସ୍ ଆରମ୍ଭ ହେଉଥିଲେବି ଆଠଟା ସୁଧା ଘରୁ ବାହାରି ତାକୁ ଟିକିଏ ଦେଖିଦେଇ ଗଲେ ଦିନ ଗୋଟାକ ଯାକ ଖୁବ୍ ଆନନ୍ଦରେ ଯାଏ। ସେ ବି ଯେମିତି ସବୁଦିନ ମୋତେ ହିଁ ଅପେକ୍ଷା କରିଥାଏ। ମୁହଁ ବୁଲାଇ ଚାହିଁଦେଲେ ଲାଗେ ସତେ ଯେମିତି ସବୁଦିନ ହଠାତ୍ ବା ଅନ୍ୟମନସ୍କ ଭାବରେ ତା ନଜରଟା ମୋ ଉପରେ ହିଁ ପଡ଼ି ଯାଉଛି। ମୁଁ କିନ୍ତୁ ତାର ଏହି ଅଭିନୟକୁ ଠିକ୍ ବୁଝିପାରେ। ବାସ୍ ସେଇ ଗୋଟିଏ ମୁହୂର୍ତ୍ତ ପାଇଁ ଚାରି ଚକ୍ଷୁର ମିଳନ। ତା ପର ଦିନ ପାଇଁ ଅନେକ ଆଶା, ଆନନ୍ଦ ଓ ଅଜସ୍ର ପରିକଳ୍ପନା ଭରିଦେଇ ସେଇ ଦିନଟି ବର୍ଷଟିଏ ପରି ବିତିଯାଏ। ଏମିତିରେ ପ୍ରାୟ ମାସେ ପାଖାପାଖି କଟି ଗଲାଣି। ଭାବୁଛି କାଲି ଆଡକୁ ଗଲେ ତା ଘର ସାମନାରେ ସାଇକେଲ ବ୍ରେକ୍ ମାରି ଠିଆହୋଇ ପଡ଼ିବି। ଯଦି ପାଖରେ କେହି ଲୋକ ନଥିବେ ତାକୁ ତା'ର ନାଁ ଟି ପଚାରି ଦେବି। କହିଲେ କହିବ। ନକହିଲେ ଟିକିଏ ଭଲରେ ତ ହସିଦବ। ତା ପର ଦିନ ଆଉଥରେ ପଚାରିଲେ ସେ ନିଶ୍ଚୟ ତା' ନାଁ ଟି କହିବ। ଆସ୍ତେ ଆସ୍ତେ ସିଏ ସିମେଣ୍ଟ ବେଞ୍ଚ ଛାଡ଼ି ସାମନା ଗେଟ୍ ପାଖକୁ ଆସିବ। ସବୁଦିନ ଦୁହେଁ ଦୁହିଁଙ୍କୁ ଦେଖି ହସିଦେଇ 'କେମିତି ଅଛ' ଆଦି ପଦେ ପଦେ କଥା ହୋଇ ଚାଲିଯିବୁ। ପରେ ଦିନେ ମୁଁ ତାକୁ 'ଭଲପାଏ' ବୋଲି କହିଦେବି।

ମନରେ ଅସୁମାରୀ ଆଶା ନେଇ ଗୋଲେଇ ଛକ ବାଟ ଦେଇ କଲେଜକୁ ଯାଉଥିବା ବେଳେ ସୁର ନନା ପାନ ଦୋକାନ ପାଖରେ ହଠାତ୍ ସାଇକେଲରେ ବ୍ରେକ୍ ଲାଗିିଗଲା। ଆଗରୁ ସାଇକେଲରେ ପ୍ରସନ୍ନ ସ୍ଵାଇଁ ଆସୁଥିଲା। ପ୍ରସନ୍ନ, ମୋ ସାଙ୍ଗ। ଏଇ ସହରର ଧନୀ ବ୍ୟବସାୟୀ ସାଇରାମ କ୍ଲଥ ଷ୍ଟୋର ମାଲିକର ପୁଅ। ବାଳୁଙ୍ଗାଙ୍କର ଗୁରୁ। ଝିଅ ମାନଙ୍କୁ ପଇସା ଲୋଭ ଦେଖାଇ ପଟାଇବାରେ ଓସ୍ତାଦ। ଏଇ ସହରର ସବୁ ଝିଅମାନଙ୍କୁ ସେ ଚିହ୍ନେ ଓ ସବୁ ଝିଅଙ୍କ ସହିତ ହସି ହସି କଥା ହେବାର ମୁଁ ଜାଣେ। ତାକୁ ମୁଁ ହଜାରେ ଥର ବୁଝାଇ ମନା କରିଥିବି ଯେ ଗୋଲେଇ ଛକ ବାଟ ଦେଇ ଯିବୁନି। ଏ ରାସ୍ତା ସବୁବେଳେ ଭିଡ଼। ବହୁତ ଗାଡ଼ି ମଟର ଯିବା ଆସିବା କରୁଛି। ପ୍ରାୟ ସବୁଦିନ ଏଠାରେ ଛୋଟ ବଡ଼ ଆକ୍ସିଡେଣ୍ଟ ହେଉଛି। ଜେଲ ପାଖ ଗଳିରେ ଗଲେ ବହୁତ ସୁବିଧା। ପୁରା ଫାଙ୍କା ରାସ୍ତା। ଜଲଦି ବି ପହଁଞ୍ଚି ହେଉଛି। ମୁଁ ଏହି ବାଟ ଦେଇ ସବୁଦିନ ଯିବା ଆସିବା କରେ। ତୁ ବି ଏହି ବାଟରେ ଯିବୁ। ମତେ ସେ ହଁ ମାରେ, କିନ୍ତୁ ଆଜି ଦେଖୁଛି, ମୋ ଅଜାଣତରେ ସେ ଲୁଚି ଲୁଚି ଏଇ ଗୋଲେଇ ଛକ ବାଟ ଦେଇ ଯିବା ଆସିବା କରୁଛି। ନିଶ୍ଚୟ ଏଇ ଝିଅଟିକୁ ସେ ଲାଇନ୍ ମାରୁଛି। ତାକୁ କଳା ଜଣା ଅଛି ଓ ସେ ବି ପଇସା ବାଲା। ଏଇ ସୁନ୍ଦରୀ ଝିଅଟି ଉପରେ ତାର ଆଖି ପଡ଼ିଲାଣି ମାନେ ବହୁତ୍ ଜଲଦି ତାକୁ ସେ ପଟେଇ ଦବ। କାରଣ ଜାଣିବା ପାଇଁ ସାଇକେଲରୁ ଓହ୍ଲାଇ ପାଖ ପାନ ଦୋକାନକୁ ପାନ କିଣିବା ବାହାନାରେ ଯାଇ, ଲୁଚି ଲୁଚି ଲକ୍ଷ୍ୟ ରଖିଲି। ପକେଟରୁ କିଛି ଗୋଟିଏ ଜିନିଷ ବାହାର କରି ପ୍ରସନ୍ନ ସେହି ଗଛ ଡାଳ ଘେରା ବାଡ଼ ଆଡକୁ ଚାହିଁଲା। ବୋଧହୁଏ ସେ ଝିଅଟିକୁ ଖୋଜୁଛି। ତା' ସହିତ ପରିଚିତ ହୋଇସାରିଲାଣି ନା କ'ଣ। ହଠାତ୍ ହାତରେ କାଗଜ ପରି ଧରିଥିବା ଜିନିଷଟିକୁ ବାଡ଼ ଡିଆଁଇ ଭିତରକୁ ଫିଙ୍ଗିଦେଲା। ତା' ପରେ ଚାରିଆଡ଼କୁ ଚାହିଁ ଧୀରେ ଧୀରେ ଆଗେଇ ଆସି ମୋ ଉପରେ ନଜର ନପକାଇ ଚାଲିଗଲା। ପ୍ରସନ୍ନ ସ୍ଵାଇଁ ମୋର ସାଙ୍ଗ ନୁହେଁ ସେ ଶତୃ। ତାକୁ ବୋଧହୁଏ ସେ ପଟେଇ ସାରିଲାଣି। ମୁଁ ବୃଥା ପରିଶ୍ରମ କରି ଏତେ ଦିନ ଧରି ଏତେ ବାଟ ଦେଇ ଏଇ ରାସ୍ତାରେ ଯିବା ଆସିବା କରୁଛି। ଭାବୁଥିଲି ଯେ ସେ ମୋତେ ହିଁ ଅପେକ୍ଷା କରେ। କିନ୍ତୁ ଆଜି ଜାଣିଲି ଯେ ସେ ଅପେକ୍ଷା କରେ ପ୍ରସନ୍ନ ସ୍ଵାଇଁକୁ। ତାଙ୍କ ଭିତରେ ଚିଠି ଦିଆନିଆ ବି ଚାଲିଛି ବୋଲି ଏବେ ଜାଣିଲି। ଛାଡ଼ ସାଇକେଲ ଚଢି ଜଲଦି ଏ ଜାଗା ଛାଡ଼ି ପଳାଇଗଲେ ଭଲ। ଆଉ ତା ଆଡ଼େ ବି ମୁହଁ ବୁଲାଇ ଚାହିଁବି ନାହିଁ। ତଥାପି କେଜାଣି କାହିଁକି ଏତେ ରାଗ ଭିତରେ ବି ସେ ଘର ସାମନା ଦେଇ ଚାଲିଯିବା ବେଳେ ଆପେ ଆପେ ମୁହଁଟି ତା' ଘର ଆଡ଼େ ବୁଲିଗଲା । କଣ କରୁଛି ସେ? ଏବେବି ମୋତେ ଅପେକ୍ଷା କରିଛି କି ?

ଏତେଦିନ ପରେ ଆଜି ଦେଖିଲି ଯେ ସେ ବେଞ୍ଚ୍ ଛାଡ଼ି ଆଗକୁ ବାଡ଼ ପାଖକୁ ଆସିଛି। ସେଠାରେ ଲଇଁପଡି ତଳୁ କିଛି ଗୋଟାଏ ଗୋଟାଇ ନେଇ ଉଠିପଡିବା ବେଳେ ପୁନର୍ବାର ଚାରି ଚକ୍ଷୁର ମିଳନ ହେଲା। ହଠାତ୍ ଏତେଦିନ ପରେ ଆଜି ମୋ ଆଖିରେ ଆଖି ମିଳାଇ ଟିକିଏ ହସିଦେଲା। ଏବେ ମୁଁ ନିଶ୍ଚିତ ହୋଇଗଲି ଯେ ପ୍ରସନ୍ନର ତା'ର ଚିଠି ପତ୍ର ଦବା ନବା ଚାଲିଛି। ମୁଁ ଆଜି ଦେଖିଦେଲି ବୋଲି ଲାଜରେ ଓ ଖୁସିରେ ହସିଦେଲା।ରାଗରେ ମୁହଁ ଫେରାଇ ସେ ଜାଗା ଛାଡ଼ି ମୁଁ ଜଲଦି ଚାଲିଗଲି।

ପ୍ରସନ୍ନ ସ୍ଵାଇଁ ଏତେ ଖରାପ ପିଲାଟେ। ଲାଜ ସରମ ଟିକିଏ ବି ନାହିଁ। ପୁରା ମଦୁଆ ଓ ଚୋରଟାଏ। ସବୁବେଳେ ପାନ ଖାଇ ଖାଇ ଦାନ୍ତ ଗୁଡାକ ନାଲି ପଡ଼ିଗଲାଣି। ଦିନ ରାତି ପାଟିରେ ଖଇନି ଯାକି ଯାକି ପାଟିର ଆଁ ଟା ବି ଆଉ ଭଲଭାବରେ ଖୋଲୁନି। ପଇସା ଅଛି ବୋଲି ଗର୍ବରେ ସବୁବେଳେ ସମସ୍ତଙ୍କ ସହିତ ଝଗଡ଼ା କରେ। ଝିଅଟିର ନାଁ ଟା ତ ମୁଁ ଜାଣିନି। ତା' ସହିତ କେବେ କଥା ବି ହେଇନି। ନହେଲେ ତାକୁ ଏ ସବୁ ବୁଝାଇ କହି ଦେଇଥାନ୍ତି ଯେ ପ୍ରସନ୍ନ ସାଥୀରେ ମିଶିବୁନି କି କଥା ବି ହେବୁନି। ନିହାତି ଖରାପ ପିଲାଟାଏ। ବାରମ୍ବାର ମୋ ମୁଣ୍ଡ ଭିତରଟା କେହି ଯେପରି ମନ୍ଥି ପକାଉଥିଲା। ଅନେକ ଗୁଡ଼ାଏ ପ୍ରଶ୍ନ ବାରମ୍ବାର ଉଙ୍କି ମାରି ବିବ୍ରତ କରି ପକାଉଥିଲା। ପ୍ରସନ୍ନ ସ୍ୱାଇଁ ତା' ଘର ଆଡକୁ କଣ ଫୋପାଡ଼ିଲା? ଚିଠି ନା ଆଉ କିଛି ? ସେ ଝିଅଟି ଆଜି ସାମନା ଗେଟ୍ ପର୍ଯ୍ୟନ୍ତ କାହିଁକି ଆସିଥିଲା ? ତଳକୁ ଲଇଁପଡ଼ି ସେ କଣ ଗୋଟାଇ ନେଲା ? ପ୍ରସନ୍ନର ଚିଠି ନା ଆଉ କିଛି? ପ୍ରସନ୍ନ ସ୍ଵାଇଁ ସହିତ ତା'ର ସମ୍ପର୍କ କଣ ? ଏତେ ଦିନ ପରେ ଝିଅଟି ମତେ ଦେଖି କାହିଁକି ହସିଲା? ହସିବା ପାଇଁ କିଛି ବାହାନା ନେଇ ସେ ଗେଟ୍ ପାଖକୁ ଆସିଥିଲା କି? ମୁଁ ମୁହଁ ବୁଲାଇ ପଳାଇ ଆସି ଭୁଲ କଲି କି? ଖଇନି ଖାଇ ଧରା ନପଡ଼ିବା ପାଇଁ ତାର କଭର ଜରି ନା ସିଗାରେଟ ଖୋଳ ଆଦି ବାଡ଼ ଡିଆଁଇ ପ୍ରସନ୍ନ ସ୍ଵାଇଁ ଫୋପାଡି ଦେଇନି ତ? ସେ ଝିଅଟି ତଳୁ ତା'ର ଖସିପଡି ଥିବା କିଛି ଦରକାରି ଜିନିଷ ବା ଫୁଲ ଛିଡ଼ାଇ ଉଠାଉନଥିଲା ତ ? ପ୍ରସନ୍ନ ସ୍ଵାଇଁ ଓ ମୁଁ, ଏହି ଦୁଇଜଣଙ୍କ ମଧ୍ୟରୁ ସେ ଝିଅ କାହାକୁ ବେଶୀ ଭଲପାଏ ? ଓଃ ମୁଣ୍ଡ ଭିତରଟା କଣ ହେଇ ଯାଉଛି। ଅଡୁଆ ସୁତା ପରି ମନଟା ଛନ୍ଦି ହୋଇ ସବୁ କିଛି ଗୋଳମାଳ ହେଇ ଯାଉଛି। ରାତି ସାରା ଛଟପଟ ହୋଇ ନିଦ ଟିକେ ବି ନିଦ ହୋଇନାହିଁ। ଶରୀରଟା ବଡ଼ ଥକା ଲାଗୁଛି। ବିଛଣା ଛାଡିବାକୁ ଆଦୌ ଇଚ୍ଛା ହେଉନାହିଁ। ମୁହଁ ମାଡି ପଡ଼ି ରହିବାକୁ ଭଲ ଲାଗୁଛି। ନା ଆଜି ଏହାର କିଛି ସମାଧାନର ପନ୍ଥା ବାହାର କରିବାକୁ ପଡ଼ିବ।

— ଆରେ ମୁନିଆ ଏ ମୁନୁ

— ହଁ ବୋଉ!

— ଆରେ ବୁଢ଼ା ଆଜି କଲେଜ ଯିବୁନି କି? ଦେହ ଭଲ ଲାଗୁନି କି? ଆଠଟା ବାଜିବ ଯେ !

— ଉଁ ହଁଅଁ ବୋଉ ଯିବି। ଆଉ ସକାଳ ଆଠଟାରୁ କ୍ଲାସ ନାହିଁ। ଆଜିଠାରୁ ଖାଲି ସପ୍ତାହରେ ଦୁଇ ଦିନ ଆଠଟା ପଇଁଚାଳିଶରେ କ୍ଲାସ୍ ଆରମ୍ଭ। ବାକି ସବୁଦିନ ସାଢ଼େ ନଅଟାରୁ। 

— ଭଲ ହେଲା। ଆଉ ତତେ ଏତେ ସକାଳୁ ତରବର ହୋଇ ଧାଇଁକି ଯିବାକୁ ପଡିବନି।

— ହଁ, ଆଜିଠୁ ବି ସେ ଗୋଲେଇ ଛକ ରାସ୍ତା ଦେଇ ଏତେ ବାଟ ବୁଲିକି ବି ଯିବିନି। କିଛି ଲାଭ ନାହିଁ। ଜେଲ ପାଖ ଗଳିରେ ପଶିଗଲେ ଆରାମରେ ଜଲଦି ବି ପହଁଞ୍ଚି ଯିବି।


Rate this content
Log in

Similar oriya story from Romance