Ajit kumar Mishra

Classics Inspirational

4  

Ajit kumar Mishra

Classics Inspirational

ଅଯୌକ୍ତିକ

ଅଯୌକ୍ତିକ

4 mins
3


ଦେବୁର କଥା ଶୁଣି ମୁଁ ବଡ଼ ଦ୍ୱନ୍ଦରେ ପଡ଼ି ଯାଇଥିଲି। ହସିବି କି କାନ୍ଦିବି କିଛି ବୁଝି ପାରୁନଥିଲି। ମନେ ମନେ ଭାରି ରାଗ ବି ମାଡୁଥିଲା। କହିଲା କଣ ନା ତୁ ବଡ଼ ଭାଗ୍ୟବାନ। ମନ୍ଦିରକୁ ଆସିବାଟା ତୋର ସାର୍ଥକ ହୋଇଗଲା ଓ ଭଗବାନଙ୍କର ଆଶୀର୍ବାଦ ଆଜି ତୁ ପାଇ ବି ଗଲୁ। ତା ସହିତ ଅନେକ ପୁଣ୍ଯ ମଧ୍ଯ ଅର୍ଜନ କଲୁ। ମନ ଦୁଃଖ କଲେ କାଳେ ଅର୍ଜିଥିବା ପୁଣ୍ୟତକ ହରାଇବାକୁ ପଡିବ ବୋଲି ଭାବି ମୁଁ ଯେତିକି ଦ୍ୱନ୍ଦରେ ଥିଲି ସେତିକି ଚିନ୍ତା ମଧ୍ଯ ଥିଲା ଯେ ମୁଁ ଏବେ ଏତେବାଟ ଘରକୁ ଖାଲି ପାଦରେ ଫେରିବି କିପରି।


 ସନ୍ଧ୍ୟା ସମୟ। ମନ୍ଦିର ବାହାରେ ଗହଳି ଟିକିଏ କମ୍ ଦେଖା ଯାଉଛି। ରାମେଶ୍ଵରମର ପ୍ରସିଦ୍ଧ ଭଗବାନ ଶିବଙ୍କର ମନ୍ଦିର। ଦିନ ସାରା ପ୍ରବଳ ଗହଳି ରହିବାଟା ଏଠାରେ ସାଧାରଣ ବିଷୟ। ସନ୍ଧ୍ୟା ସମୟରେ ଆଜି ଗହଳିଟା ଟିକିଏ କମ୍ ଥିଲା। ସୁଯୋଗ ନେଇ ଠାକୁରଙ୍କୁ ଯାଇ ଦର୍ଶନ କରି ଫେରି ଆସି ପାରିଲେ ବହୁତ୍ ଭଲ ହେବ। ଡ଼େରି ହେଲେ ଆଉ ଛାଡିବେନି। ମନ୍ଦିର ବନ୍ଦ ହୋଇଯାଇପାରେ। ଆଖପାଖରେ କେଉଁଠି ଚପଲ ରଖିବାକୁ କାଇଁ କେଉଁଠି ଚପଲ ଷ୍ଟାଣ୍ଡଟିଏ ବି ଦେଖାଯାଉନାହିଁ। କାହାକୁ ପଚାରି ବୁଝି ସମୟ ନଷ୍ଟ କରିବା ଅପେକ୍ଷା ସାମନାରେ ଥିବା ଛୋଟ ଦୋକାନର କେବିନ ତଳେ ଲୁଚାଇ ଚପଲ ହଳକ ଗଳାଇ ଦେଇ ରଖିଦେଇ ପଳେଇଗଲେ ଭଲ। ଦେବୁ ମଧ୍ଯ ମୋ କଥାରେ ଏକମତ—ଏଇ ଜାଗାଟି ନିରାପଦ ମନେ ହେଉଛି। କିଏ ବା କାହିଁକି କେବିନ ତଳକୁ ଲଇଁ ଆମର ଚପଲ ଖୋଜିବାକୁ ଯିବ।


ସତରେ ଆମେ ଦୁହେଁ ବହୁତ୍ ଭାଗ୍ୟବାନ। ପ୍ରଭୁଙ୍କର ଦୟାରୁ ଆଜି ଗହଳି ଓ ଲମ୍ବା ଲାଇନ ମଧ୍ୟରେ ଆମର ପ୍ରାୟ ଘଣ୍ଟାଏ ଭିତରେ ଠାକୁର ଦର୍ଶନ ହୋଇଗଲା। ନହେଲେ ତ ଭିଡ଼ ଥିଲେ ଏମିତି ପ୍ରାୟ ତିନି ଘଣ୍ଟା ପାଖାପାଖି ଲାଗିଯାଏ। ଫେରିବା ସମୟରେ ମନ୍ଦିର ଭିତରର ସାଜସଜ୍ଜା ତଥା ଚତୁର୍ପାଶ୍ବରେ ଥିବା ବିଭିନ୍ନ ଦେବାଦେବୀ ଓ ସେମାନଙ୍କର ପୂଜା ଆଳତୀ ଦେଖି, ଦାନ ଦକ୍ଷିଣା ସହିତ ବ୍ରାହ୍ମଣମାନଙ୍କର ଆଶୀର୍ବାଦ ଆଦି ନେଇ ବାହାରକୁ ଫେରିବା ବେଳକୁ ପ୍ରାୟ ଦୁଇ ଘଣ୍ଟା ଅତିବାହିତ ହୋଇ ଯାଇଥିଲା। ଶୁଣିଲି ଯେ ଏବେ ମନ୍ଦିର ବନ୍ଦ ହେବାର ସମୟ। ଶୀଘ୍ର ମନ୍ଦିର ଭିତରୁ ବାହାରି ଯିବା ପାଇଁ ସମସ୍ତଙ୍କୁ ନିର୍ଦ୍ଦେଶ ଦିଆଯାଉଥିଲା।


ମନ୍ଦିର ବାହାରେ ଏବେ ଆଦୌ ଗହଳି ନଥିଲା। କେବିନ ତଳୁ ଆଗ ତା'ର ଚପଲ ହଳକ ବାହାର କରି, ଗୋଡ଼ରେ ଗଳାଇ ଦେଇ ଟିକିଏ ଦୂରକୁ ଯାଇ ଠିଆ ହୋଇ ଦେବୁ ମୋତେ ଅପେକ୍ଷା କଲା। ଚାରିଆଡ଼କୁ ଥରେ ମୁହଁ ବୁଲାଇ ଆଣି ମୁଁ ଦେବୁକୁ ଡାକ ପକାଇଲି, "ଆରେ ଦେବୁ! ମୋ ଚପଲ ହଳକ କାଇଁ ପାଉନି ତ! ଏଇ କେବିନ ତଳେ ରଖିଥିଲେ ତ"? ମୁହଁରେ ଏକ ବିରକ୍ତ ଭାବ ଫୁଟାଇ ଦେବୁ କହିଲା, "ଆଉ କେଉଁଠି? ଏଇଟି ପରା ମୋ ଚପଲ ଏଇ କେବିନ ତଳୁ ବାହାର କରି ମୁଁ ପିନ୍ଧିଲି! ଟିକେ ଭଲରେ ଦେଖ୍, କିଏ କୁଆଡେ ଟିକେ ଦୂରକୁ କି ଭିତରକୁ ଠେଲି ଦେଇଥିବ"।

— ନା ଦେବୁ, ଚାରିଆଡ଼େ ଖୋଜି ସାରିଲିଣି। କାଇଁ କେଉଁଠିବି ପାଉନି। କିଏ ନେଇଗଲା ବୋଧେ ନା କ'ଣ! ପୁରା ନୂଆ ଚପଲ।

— ଆରେ ଟିକେ ଚାରିଆଡ଼େ ଭଲରେ ଖୋଜ। ଠାକୁରଙ୍କ ପାଖକୁ ଆସି ଏମିତି ଛାନିଆ କାହିଁକି ହେଉଛୁ? ମୁଣ୍ଡିଆ ମାରି ଠିକରେ ମନେ ପକା ଯେ ତୁ ଏଇଠି ରଖିଥିଲୁ ନା ଆଉ କେଉଁଠି?

ଏବେ ମୁଁ ସମ୍ପୁର୍ଣ୍ଣ ଭାବରେ ନିଶ୍ଚିତ ହୋଇଗଲି ଯେ ମୋର ନୂଆ ଚପଲ ହଳକ କିଏ ଚୋରିକରି ନେଇ ଯାଇଛି। "ନା ଦେବୁ! ଚପଲ ହଳକ ଗଲା। ନୂଆ କିଣିଥିଲି। ଆଜି ତାକୁ ପ୍ରଥମେ ପିନ୍ଧି ମନ୍ଦିରକୁ ଆସିଥିଲି। ତା ଖଇରିଆ ରଙ୍ଗର ଉପର କଭର ଓ ଡିଜାଇନ ମତେ ବହୁତ୍ ଭଲ ଲାଗିଲା ବୋଲି ଚାରିଶହ ପଚାଶ ଟଙ୍କା ଦେଇ ଆଣିଥିଲି। ଆଜି ଗଲା। ଠାକୁରେ! ମୋ ଚପଲ ହଳକ ମତେ ଫେରେଇ ଦିଅ"।


ହଠାତ୍ ଫିକ୍ କରି ହସି ପକେଇଲା ଦେବୁ। "ତୁ ଯେମିତି କହୁଛୁ ଯେ ଭଗବାନ ତୋ'ର ଚପଲ ହଳକ ଚୋରି କରି ନେଇଯାଇଛନ୍ତି"।

ଗଳାର ସ୍ୱରକୁ ଏବେ ଟିକିଏ ପରିବର୍ତ୍ତନ କରି ପୁନଶ୍ଚ କହିଲା," ତୁ ଜାଣିଛୁ ଯେ ମନ୍ଦିର ପାଖରୁ ଚପଲ ଚୋରି ହେବାଟା ଶୁଭ! ଭଗବାନଙ୍କର ତୋ ଉପରେ ଆଶୀର୍ବାଦ ଅଛି ବୋଲି ତାଙ୍କ ଦୁଆରରୁ ଆଜି ତୋର ଚପଲ ଚୋରି ହେଲା। ଚପଲ ସହିତ ତୋର ସବୁ ଗ୍ରହ ଦୋଷ ମଧ୍ଯ ଚାଲିଗଲା। ଏତେ ଆଉ ମନ ଦୁଃଖ କରନି।


ମତେ ବଡ଼ ବିରକ୍ତ ଓ ଆଶ୍ଚର୍ଯ୍ୟ ଲାଗୁଥାଏ।କ'ଣ ଗୋଟିଏ ପାଗଳ ପରି କଥା ଗୁଡାକ ଦେବୁ କହୁଛି। ମୋର ଚପଲ ଚୋରି ହୋଇଗଲା ଯେ ମୁଁ ଭାଗ୍ୟବାନ ହୋଇଗଲି। ଭଗବାନଙ୍କର ଆଶୀର୍ବାଦ ମୋତେ ମିଳିଲା!! ସେଥିପାଇଁ ମୁଁ ମନ ଦୁଃଖ କରିବି ନାହିଁ ବା କିଛି କହିବି ନାହିଁ?


ମୋ ହାତକୁ ଟିକିଏ ହଲାଇ ଦେଇ ଆଉଥରେ ଦେବୁ କହିଲା — ତୁ ଜାଣିଛୁ ନା ନାହିଁ ଯେ ମନ୍ଦିର ପାଖରୁ ଚପଲ ଚୋରି ହୋଇଗଲେ ଭଲ? କେହି ଜଣେ ଗରିବ ଲୋକଟିଏକୁ ଆଜି ଚପଲ ହଳେ ମିଳିଗଲା। ସେ ପୁଣି ତାଙ୍କରି ଦୁଆରେ। ଆଜି ତାଙ୍କର ଦୁଆରରେ ଥିବା ଅନେକ ଚପଲ ଭିତରୁ ତୋ ଚପଲ କାହିଁକି ହଜିଲା? ନେଇଥିବା ଲୋକ ତ ନିଶ୍ଚୟ ଜାଣିଥିବ ଯେ ତୁ ଠାକୁରଙ୍କ ପାଖକୁ ଯାଇଛୁ, ସେ ମଧ୍ଯ ସେହି ଠାକୁରଙ୍କୁ ଜଣାଇ ତୋ ଚପଲ ନେଇଥିବ ନା! ତୁ ଆଦୌ ଚିନ୍ତା କରନାହିଁ। ପଇସା ଅଭାବରୁ ଚପଲ ହଳେ କିଣି ପାରୁନଥିବା ଲୋକଟିଏ ଆଜି ଭଗବାନଙ୍କର ଦୁଆରୁ ତୋ ଚପଲ ହଳକ ନେଇ ଶାନ୍ତିରେ ଯାଇଛି। ତୁ ପୁଣ୍ୟ ଅର୍ଜ୍ଜନ କରିଛୁ। ଠାକୁରଙ୍କୁ ମୁଣ୍ଡିଆ ମାରି ଖୁସିରେ ଚାଲ। ପାଖ ଦୋକାନରୁ ଆଉ ହଳେ ଚପଲ କିଣିଦବୁ। ଏତେ କଞ୍ଜୁସ ପରି କାହିଁକି ହେଉଛୁ?


ଏ ସବୁ ଅଯୌକ୍ତିକ ଯୁକ୍ତି ଗୁଡ଼ିକ ମୁଁ ଆଦୌ ଗ୍ରହଣ କରି ପାରୁନଥିଲି। ନୂଆ କିଣିଥିବା ଚପଲ ହଳକ ପ୍ରତି ଥିବା ମୋର ଆସକ୍ତିକୁ ମଧ୍ୟ ତ୍ୟାଗ କରି ପାରୁନଥିଲି। ଆଖପାଖରେ ଗଦା ହୋଇ ପଡ଼ିଥିବା ଅନେକ ଚପଲ ଭିତରୁ ମୋ ନୂଆ ଚପଲ ହଳକ ଭଗବାନ ବାଛିଲେ ନା ସେ ଚୋର ବାଛିଲା ବୋଲି ମୁଁ ବୁଝି ପାରୁନଥିଲି। ଦେବୁ ସାମନାରେ ପାଟି ଖୋଲି କିଛି ଜବାବ ଦେଇ ମୋର ଅର୍ଜିତ ପୂଣ୍ୟତକ ନଷ୍ଟ କରିଦେବାକୁ ଭୟ ବି କରୁଥିଲି। ଏତେ ବଡ଼ ଦ୍ୱନ୍ଦ ଭିତରେ ପଡ଼ି ମଧ୍ଯ ଚିନ୍ତା କରି ଚାଲିଥିଲି ଯେ, ଏବେ ମୋତେ କିଛି ଯୁକ୍ତି ନକରି ଖାଲି ପାଦରେ ଫେରିଯିବାଟା ଠିକ୍ ହେବ ନା ଅନ୍ୟ କୌଣସି ଏକ ଭକ୍ତଙ୍କୁ କିଛିଟା ପୂଣ୍ୟ ଅର୍ଜ୍ଜନ କରିବାକୁ ସୁବିଧା ଦେଇ ଭଗବାନଙ୍କଠାରୁ ଆଉ କିଛି ଆଶୀର୍ବାଦ ନେଇ ଯିବାଟା ଠିକ୍ ହେବ। ନିଜର ବିବେକ ବାଧା ଦେଉଥିଲେ ମଧ୍ୟ ଆଖି ଦୁଇଟି ଚତୁର୍ପାଶ୍ବରେ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିବା ଚପଲ ମଧ୍ୟରୁ ମୋ ମାପର ଭଲ ନୂଆ ଚପଲ ହଳେ ଖୋଜି ଚାଲିଥିଲା। ବୁଝି ପାରୁନଥିଲି ଯେ ଏ ସବୁ ମଧ୍ଯ କେତେ ଦୂର ଯୁକ୍ତିଯୁକ୍ତ।



Rate this content
Log in

Similar oriya story from Classics