ବଦଳି ଯାଉଥିବା ରାତି
ବଦଳି ଯାଉଥିବା ରାତି
ସ୍ବପ୍ନ ତ ସ୍ବପ୍ନ । ଜଣାନାହିଁ ସେ ସ୍ବପ୍ନ ରେ କେତେ ବାସ୍ତବତା କେତେ କଳ୍ପନା ଥାଏ । ସମସ୍ତେ ସ୍ଵପ୍ନ ଦେଖିବାକୁ ଭଲ ପାଆନ୍ତି ।ସେ ବି ଭଲ ପାଉଥିଲା ।
ମା ବାପାର ଗୋଟେ ବୋଲି ସନ୍ତାନ ସେ । ଖୁବ୍ ଅଲିଅଳି । ଅସରନ୍ତି ସ୍ନେହ ଆଦରରେ ବଢିଥିଲା । ଏମିତି କିଛି ତା' ଦୁନିଆ ରେ ନ ଥିଲା, ଯାହା ସେ ମାଗିଥିଲା , ଆଉ ପାଇ ନଥିଲା ।
ଏବେ ସେ ନୂଆ ନୂଆ କଲେଜରେ ପାଦ ରଖିଥିଲା । ରହିଥିଲା କଲେଜ ହଷ୍ଟେଲରେ, ମା ବାପାଙ୍କ ଠାରୁ ଦୂରରେ ।
କଟକ ଭଳି ସହରେ । ଆଧୁନିକ ପରିବେଶରେ ।
ଜୀବନ ମନେ ହେଉଥିଲା ଭାରି ରଙ୍ଗୀନ । ରଜନୀଗନ୍ଧାର ମହକରେ ମହକିତ । ଗୋଲାପର ପାଖୁଡାରେ ସୁସଜ୍ଜିତ ।
ଏ ଭିତରେ ବର୍ଷ ଟିଏ ସେ କାଟି ସାରିଥିଲା ସେଇ ଆଧୁନିକତାର ସ୍ପର୍ଶରେ ।
ପାଠ ପଢା ଅପେକ୍ଷା ଫେସନ ଆଡ଼କୁ ଆଜିକାଲି ମନ ତାର ବେଶୀ ଟାଣି ହୋଇ ଯାଉଥିଲା । ଏମିତି ବି ସେ ଦେଖିବାକୁ ସୁନ୍ଦରୀ ଥିଲା । ନ ଚାହିଁ ବି କେତେ ଆଖି ତାକୁ ଚାହିଁ ରହୁଥିଲା ।
ସାଙ୍ଗ ସାଥି ମୁହଁ ରେ ତା'ର ଖୁବ୍ ପ୍ରଶଂସା । ସେମାନେ ତାକୁ କହୁଥିଲେ, ତୋ ପରି ସୁନ୍ଦରୀ ସିନେମା ହିରୋଇନ୍ ହେବା କଥା ।
ଘରେ ମା'ର ସ୍ନେହ କୁ ସେ ପ୍ରଶଂସା ଭାବି ତ ଗର୍ବରେ ଫୁଲି ଉଠୁଥିଲା । ଆଉ ଏବେ ସାଙ୍ଗ ମାନଙ୍କ ପ୍ରଶଂସା ତାକୁ ପଥଭ୍ରଷ୍ଟ କଲା ।
ଆସନ୍ତା ସପ୍ତାହରେ ତା'ର କଲେଜ କାଲଚୁରାଲ୍ ପ୍ରୋଗ୍ରାମ । ଚଳଚ୍ଚିତ୍ର ଜଗତର ଅନେକ ଜଣାଶୁଣା ଆର୍ଟିଷ୍ଟ ଆସୁଛନ୍ତି । ଏଇଟା ତା' ଲାଗି ସୁବର୍ଣ୍ଣ ସୁଯୋଗ । ନିଜ ସ୍ବପ୍ନ କୁ ଚରିତାର୍ଥ କରିବା ପାଇଁ ।
ଆଜି କାଲି ତା'ର ବି ମନ ହେଉଛି , ରାସ୍ତାରେ ବଡ଼ ବଡ଼ ହୋର୍ଡିଂରେ ତା' ଫୋଟ ଝଲସି ଉଠନ୍ତା । ଦାମୀ ପତ୍ର ପତ୍ରିକାରେ ଛପା ହୁଅନ୍ତା । ଟିଭି ପରଦା ଖୋଲିଲେ ତା' ଚେହେରା ଚମକନ୍ତା ।
ଏତେ ସୁନ୍ଦର ଚେହେରା ଥାଇ ଯଦି ସେ ତା'ର ଫାଇଦା ନ ପାଇଲା । ତେବେ ଲାଭ କ'ଣ ତା ସୈାନ୍ଦର୍ଯ୍ଯର ।
କଲେଜ ଫଙ୍କସନ ସରି ଯାଇଥିଲା ।ଯଦିଓ ସେଥିରେ ତା'ର ଅନେକ ଗୁଡ଼ିଏ କାର୍ଯ୍ୟକ୍ରମ ଥିଲା । ତଥାପି ବିଶେଷ ଲାଭାନ୍ନିତ ସେ ହେଲା ନାହିଁ ।
ମନେ ମନେ ସେ ଖୁବ ଛଟପଟ ହେଉଥିଲା । ଗ୍ଲାମର ଦୁନିଆ ତାକୁ ପାଗଳ କରିଥିଲା ।
ଦିନେ ହଠାତ୍ ତା ପାଖକୁ ଜଣକର ଫୋନ ଆସିଲା ।ଫୋନ କରି ଥିବା ବ୍ଯକ୍ତି ନିଜକୁ ଚଳଚ୍ଚିତ୍ର ନିର୍ଦ୍ଦେଶକ ବୋଲି ପରିଚିତ କରାଉଥିଲା ।
ସେ ତାକୁ ଦେଖା କରିବା ପାଇଁ ଡାକିଥିଲା ।
ସେଦିନ ରାତିରେ ତାକୁ ନିଦ ହୋଇନଥିଲା । ସେ ମସଗୁଲ ଥିଲା ସ୍ବପ୍ନର ଦୁନିଆରେ । ଦେଖୁଥିଲା ନିଜକୁ ଗ୍ଲାମର ଜଗତରେ ।
କେତେ କ'ଣ ଭାବି ଚାଲିଥିଲା ସେ ତା ମନେ । ସୈାନ୍ଦର୍ଯ୍ଯରେ କୋଣ ଅନୁକୋଣକୁ ଉପଭୋଗ କରିବାକୁ ଚାହୁଁ ଥିଲା ସେ ଜୀବନେ ।
ରାତି ବଦଳୁ ଥିଲା, ଜୀବନ ଉପତ୍ୟକାରେ । ରକ୍ତର ଢେଉ ଉଠୁଥିଲା ସ୍ନାୟୁତନ୍ତ୍ରୀରେ । ପ୍ରଗଳଭା ହେଉ ଥିଲା ସେ ନିଜେ ନିଜ ଭିତରେ ।
ଏକ ଅସହ୍ୟ ଯନ୍ତ୍ରଣାରେ ଘଣ୍ଟାକୁ ଚାହିଁଲା ସେ । ଅପେକ୍ଷାର ପ୍ରତିଟି ମୂହୁର୍ତ୍ତ ଥିଲା ତା ପାଇଁ ବେଦନା ଭରା ।
ହେଲେ ସମୟର ଯାଏ ଆସେ କେତେ । ସେ ତ ଚାଲିଥାଏ ତା ପଥରେ । ଛନ୍ଦରେ ଲୟରେ ତାଳରେ ।
ସକାଳ ପାହି ସାରିଥିଲା ଆସନ୍ତା କାଲିର ସ୍ବପ୍ନ ନେଇ ।ସେ ପହଞ୍ଚି ସାରିଥିଲା ନିର୍ଦ୍ଦିଷ୍ଟ ଠିକଣାରେ କୁଳ ମର୍ଯ୍ୟାଦା ଡେଇଁ ।
ଜୀବନକୁ ଶ୍ରେଷ୍ଠ କରି ଗଢି ତୋଳିବାକୁ । ନିଜ ଜୀବନ ନିଜ ଇଛା ମୁତାବକ ଜିଇଁ ବାକୁ ।
ସକାଳ ପର୍ଯ୍ୟନ୍ତ ସବୁ ଠିକ୍ ଠାକ୍ ଥିଲା । ଅନେକ କିଛି ସ୍ବପ୍ନ ଖୁସି ଆବେଗ ଜମାଟ ବାନ୍ଧି ଥିଲା । ଉଭୟ ମନ ଓ ଶରୀରେ ଭିତରେ ।
ଏବେ କିନ୍ତୁ କିଛି ବୋଲି କିଛି ନଥିଲା ହାତ ପାପୁଲିରେ । ସେ ବସିଥିଲା ପୋଲିସ ଷ୍ଟେସନ ରେ । ସହସ୍ର ସହସ୍ର ସପ୍ତଫେଣୀର କଣ୍ଟା ଉପରେ । ସବୁ ଆଶା ସବୁ ସ୍ବପ୍ନ ଉଜାଡି ଦେଇ ଭୟେ ଶିହରିତ ସର୍ବାଙ୍ଗ ଶରୀରେ ।
ବୋଧହୁଏ ଏହାହିଁ ନିୟତି । ସେ ଯେଉଁଠି ପାଦ ଦେଇଥିଲା ରଙ୍ଗୀନ ଦୁନିଆର ରଙ୍ଗଶାଳା ଭାବି, ବାସ୍ତବରେ ସେଇଟା ଥିଲା ରମଣ ଶାଳା ।
ଏମିତି କଣ ଅଚାନକ ବଦଳିଯାଏ ଜୀବନ । ଗର୍ବ ତା'ର ଚୂନା ହୋଇ ଟୋପା ଟୋପା ଲୁହ ଗଡିଯାଉଥିଲା ତା ଆଖିରୁ । ସେ ଅସହାୟ ମର୍ମାହତ ମ୍ରିୟମାଣ ।ସତେକି କୋହମିଶା ଲୁହ ଆଉ କୋହରେ ସେ ସ୍ଥାଣୁ ପାଲଟି ଯାଉଥିଲା ।
ଖବର ପହଞ୍ଚି ସାରିଥିଲା ମା' ପାଖରେ । ଫୋନରେ ସେପଟୁ ମା' ର ସ୍ବର । ଶେଷ ଆଶ୍ରା ଜୀବନର ।
ଆତ୍ମପ୍ରତୟ ଆତ୍ମ ବିଶ୍ବାସ ବଢ଼ାଇବା ପାଇଁ । ଜୀବନ ଜିଇଁବା ପାଇଁ ।
ହଁ ଆଜି ତାର ଭାଗ୍ୟ ଟାଣଥିଲା ।ବିରାଟ ବିପଦରୁ ସେ ରକ୍ଷା ପାଇଗଲା । ମୁଖା ପିନ୍ଧା ଲୋକ ପାଖରୁ । କଳଙ୍କ କାଳିମା ଠାରୁ ।
ନୂଆ ଏକ ଆରମ୍ଭ ପାଇଁ । ରାତ୍ରିର ଫର୍ଦ୍ଦରେ ସୁନେଲୀ ସକାଳର ପ୍ରତିଶ୍ରୁତି ଦେଇ ।
(ଅଲିଅଳି ଝିଅ, ମା , ଗର୍ବ )