Satyaprakash Sethy, M. A(UGC NET)

Romance

5.0  

Satyaprakash Sethy, M. A(UGC NET)

Romance

ବାଣୀ ବିହାରରେ ପ୍ରେମର ନବ ଦିଗନ୍ତ

ବାଣୀ ବିହାରରେ ପ୍ରେମର ନବ ଦିଗନ୍ତ

16 mins
263


ଆପଣମାନଙ୍କ ଭିତରେ ଅନେକଙ୍କର ବା ସମସ୍ତଙ୍କର ଏ ଅନୁଭୂତିଟା ଅଛିକି ନାହିଁ, ମୁଁ କହି ପାରିବି ନାହିଁ। ମୋର କିନ୍ତୁ ବଡ଼ ଅନୁଭୂତିଟାଏ ନିଶ୍ଚୟ ଅଛି। ଲେଡିଜ ହଷ୍ଟେଲ ସାମ୍ନା ଓ ସତୀ ଚଉଁରା – ଏ ଦୁଇଟା ପ୍ରେମୀ ଯୁଗଳଙ୍କ ପାଇଁ ପ୍ରକୃଷ୍ଟ କ୍ରୀଡା ଭୂଇଁ। ସେଇଠି ପରା କେତେ କେତେ ପ୍ରେମ କାହାଣୀ ଲେଖି ହୋଇଯାଇଛି। ସେ ଖେଳ ପଡିଆ ହେଉ ବା ପାର୍କ ଅବା ସିନେମା ଗୃହ ଅଥବା ବାଣୀବିହାର ଭିତରେ ଥିବା recreational club ହେଉ ବା library, ସବୁଠି ଗୋଟେ ନିର୍ଦ୍ଧିଷ୍ଟ ନୀତି ନିୟମ ଓ ସମୟ ସୀମା ଅଛି, ଯେ କେତେବେଳେ ଏହା ଖୋଲା ରହିବ ଓ ବନ୍ଦ ରହିବ। କିନ୍ତୁ ମୁଁ ଆଗ ଯେଉଁ ଦିଟା କଥା କହିଲି, ସେ ଦୁଇଟା ସବୁ ବେଳେ ଉନ୍ମୁକ୍ତ ରହେ। ସେଇଠି ପ୍ରେମ ହୁଏ ଆଉ ବୈରାଗ୍ୟ ମଧ୍ଯ ଆସେ। କେତେ କେତେ ସଫଳ ପ୍ରେମ କାହାଣୀ ସେଇଠୁ ପରା ପ୍ରଥମେ ଲେଖା ହୋଇ ବାସ୍ତବତାର ରୂପ ରେଖ ନେଇଛି। ପୁଣି ଅସଫଳତାର ପ୍ରେମ କାହାଣୀ ଅନେକ ରଥୀ ଓ ମହାରଥୀଙ୍କୁ ଘଡିକେ ବିଷାଦିତ କରି ବୈରାଗ୍ୟ ଭିତରକୁ ଠେଲି ଦେଇଥିବା ମଧ୍ଯ ସ୍ପଷ୍ଟ ନଜିର ରହିଛି । ରାତି ନ ପାହୁଣୁ ଏ ପ୍ରେମ ବିପଣନଟି ଖୋଲି ଯାଏ ।ପ୍ରେମ ସୌଦାଗରମାନେ ସେଇଠିକୁ ଭିଡ଼ି ଯାଆନ୍ତି। ନିଜ ପସନ୍ଦର ପ୍ରେମିକା ସହିତ ଘଣ୍ଟା ଘଣ୍ଟା ଧରି ମୁଖଚାଳିକା ଓ ବାକ୍ ବିନିମୟ ବା bargain କଲା ପରେ ପ୍ରେମ ସୌଦା ଧରି ଘରକୁ ଫେରନ୍ତି। ସେଇ ସେତକ ସୌଦାରେ କୁଆଡ଼େ ପ୍ରେମ ଖେଚୁଡ଼ି ତିଆରି ହୋଇ ଜୀବନକୁ ଭାରି ଆନନ୍ଦ ଦିଏ। ସେଇ ଖେଚୁଡିରେ କେତେ ତିକ୍ତ, ଖଟା ଓ ମଧୁର ତଥା ସ୍ୱାଦିଷ୍ଠଯୁକ୍ତ ଅନୁଭବ ସବୁ ଫେଣ୍ଟାଫେଣ୍ଟି ହୋଇ ରହିଥାଏ । ତାହାକୁ ପୁଞ୍ଜି କରି ସେମାନେ ଆଗକୁ ବଢନ୍ତି।

ସମୟ ଉପରାନ୍ତେ ସାଥୀ ଚୟନ ପ୍ରକ୍ରିୟାରେ ପରିସମାପ୍ତି ଟାଣି ହୋଇଯାଏ। ଜୀବନ ଧନ୍ୟ ହୁଏ। ପରସ୍ପର ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ କେତେ ରାଣ ନିୟମ ଖାଆନ୍ତି। ଆଉ ସେଇ ସଙ୍କଳ୍ପ ପୂରା ହୁଏ ଯେତେବେଳେ କିଛି ଦିନ ବ୍ୟବଚ୍ଛେଦ ପରେ ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇ ପଡ଼ନ୍ତି। ବିଦ୍ୟା ଓ ମାମି ଏହିପରି କେତେକଙ୍କ ଭାଗ୍ୟରେ ଏହା ହିଁ ଜୁଟିଛି। କିନ୍ତୁ ଆହୁରି କେତେକଙ୍କ ଭାଗ୍ୟରେ ଏହା ନିଷ୍ପ୍ରହ ହୋଇଉଠିଛି, ଯେତେବେଳେ ଏହି ପ୍ରତିଶ୍ରୁତି ପ୍ରତାରଣାରେ ରୂପାନ୍ତରିତ ହୋଇଯାଇଛି।

ଛାଡ଼ ଏ ସବୁ କଥା। ଏତେ ସୁନ୍ଦର କଥାବସ୍ତୁକୁ ଏମିତି ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୋଡରେ ଆଣି ଛାଡ଼ିବା ଆଦୌ ଉଚିତ୍ ହୋଇ ନାହିଁ। ତେଣୁ ଅସଲ କଥାକୁ ଫେରିବା। ତେବେ କ’ଣ ହୁଏ ସେଇ ସତୀ ଚଉଁରା ମୂଳରେ? ସେଇ କଥାଟା ଆଗ ଟିକେ ବିସ୍ତୃତ ଭାବେ ଆଲୋଚନା ହେଉ ।

ସତୀ ଚଉଁରା ହେଉ ବା ଲେଡିଜ ହଷ୍ଟେଲ ଆଗ – ଏ ଦୁଇଟା ଭାରି ମନୋଲୋଭା ସ୍ଥାନ। ସବୁରି ଘଟଣାର ମୂଳ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ। ସାମ୍ନାରେ ଇଁକଲ ପଟାସର ବଣ, ଗୋଟିଏ ଯୋଡ଼ିଏ ପକ୍କା ଚାନ୍ଦିନୀ, ସାମନ୍ୟ ଘାସର ଗାଲିଚା, ଦିଗନ୍ତ ବିସ୍ତୃତ ଏ ଖୋଲା ପ୍ରାନ୍ତର ଯାହାକି ହୃଦୟ ମଧ୍ୟରେ ପ୍ରେମାନୁରାଗରାଗ ତୋଳିବା ପାଇଁ ବେଶ୍ କ୍ଷମ ଓ ମୁଣ୍ଡ ଉପରେ ବିରାଟ ଶୂନ୍ୟତାର ପାହାଡ଼ – ଏ ଆକାଶ ଯାହାକି ମହାଜାଗତିକ ବସ୍ତୁର ସମାହାର ମହାଶୂନ୍ୟର ପରିକଳ୍ପନା ଗଢି ତୋଳେ ମନ ମଧ୍ୟରେ ଯେତେବେଳେ ମନ କୌଣସି କାରଣରୁ ବିଷାଦିତ ହୋଇଉଠେ। ନହେଲେ ଅନ୍ୟ ଆଧିକାଂଶ ସମୟରେ ଏହି ଇଙ୍କଲ ପଟାସର ହଳଦିଆ ଫୁଲ ଚମ୍ପା ଫୁଲର ସୌନ୍ଦର୍ଯ୍ୟ ଓ ମାଦକତା ଭରି ଦିଏ ମନ ଗହନର ତଳେ। ସେଇଠି ମଧ୍ଯ କେତେଟା ସଦାବିହାରୀ ଗଛ ଭୁଇଁକୁ ଲାଗି ମାଟି ଉପରେ ସଣ୍ଢା ଟେକି ରହିଥାଏ। ସେଇ ସେତିକ ଅଳ୍ପ ବହୁତ ବସ୍ତୁ ପ୍ରେମୀ ଯୁଗଳଙ୍କ ପାଇଁ ପ୍ରେମ ଭାବାବେଗକୁ ପରିବ୍ୟାପ୍ତ କରି ପ୍ରକାଶ କରିବା ପାଇଁ କିଛି କମ୍ ଆୟୁଧ ହୋଇ ନଥାଏ। ବମ୍ବେର ସମୁଦ୍ର କୂଳର ଲଭର୍ସ ପଏଣ୍ଟ ଭଳି ଏଠି ମଧ୍ଯ ଗହଳିପୂର୍ଣ୍ଣ ଜନଗହଳି ଭାରି। ଚାରିଆଡ଼େ ଖାଲି ହଳିହଳି ବହୁ ହଳିଙ୍କର ଆବିର୍ଭାବ। ତେବେ ସମସ୍ତେ ଯେ ସେଠାକୁ ଯାଆନ୍ତି ତାହା ନୂହେଁ। ବିଭୂ ଭଳି ଅନେକ ସେଠାକୁ ଆଦୌ ଯାଆନ୍ତି ନାହିଁ ବା ଭାରତୀ, ପ୍ରଭାତୀ ଓ ଅଳକା ପରି କେତକ ସେଠାକୁ ଆସନ୍ତି ନାହିଁ। କିନ୍ତୁ ଅଳ୍ପ କେତେକ ଯାଆନ୍ତି ଓ ଯେଉଁ କେତେକ ଯାଆନ୍ତି, ସେମାନେ ବାରବାର ସେଠାକୁ ଯାଆନ୍ତି ବା ଆସନ୍ତି । ସକାଳେ ଦେଖିଲେ ସେଇ ସେତକ ଓ ଖରାବେଳେ ବି ସେଇ ସେତକ। ପୁଣି ସନ୍ଧ୍ଯାବେଳେ ବା ମୁହଁସଞ୍ଜ ଯାଏଁ ଅର୍ଥାତ୍ ଗେଟ୍ ବନ୍ଧ ନହେଲା ଯାଏଁ ସେମାନେ ସବୁ ସେଇଠି ସେର ପଶରା ମେଲି ବସିଥାନ୍ତି ଓ ନସରପସର ମଧ୍ଯ ହେଉଥାନ୍ତି। ତେଣୁ ଭାରି ଚିହ୍ନା ମୁହଁ ଲାଗେ, କାରଣ ନିଇତି ସେମାନେ ସେଇଠି ସବୁବେଳେ ଦେଖା ଦିଅନ୍ତି।

ହେଲେ ଏତେ ସମୟ ସେମାନେ କି ଗପ ହୁଅନ୍ତି ଯେ! ଯାହାଙ୍କର ଗପର ଆଦି ଅନ୍ତ ନଥାଏ ନା ଅଛିଣ୍ଡା ଗଣିତର ପାଠ ପରି ଆଦୌ ଛିଣ୍ଡେ ନାହିଁ? ହେଲେ ମୁଁ ତ ଜାଣିଛି ଗପ ବୋଲି ତ ‘ପ୍ରେମ’ ମାତ୍ର ଦୁଇଟି ଅକ୍ଷରର ସମାହାର ଓ ଗୋଟିଏ ଶବ୍ଦ। ସେଇ ସେତକ ପାଠ ପଢା ୟାଙ୍କର କ’ଣ ଏକାବେଳକେ ସରେ ନାହିଁକି ନା ଭାବାର୍ଥଟା ବୁଝୁବୁଝୁ ଡେରି ହୋଇଯାଏ? ନା ପୂର୍ବ ପାଠର ବାରମ୍ବାର ପୁନରାବୃତ୍ତି ଓ ପୁନଃ ଆଲୋଚନା ହୋଇଥାଏ, କାଳେ ଭୁଲିଗଲେ ପରୀକ୍ଷା ଖାତାରେ ଆଉ ମୋଟେ ଲେଖି ହେବ ନାହିଁ? ହଁ ଭାରି ଗୁରୁତ୍ୱପୂର୍ଣ୍ଣ ପାଠଟା ପରା, ଏଥିରେ ଫେଲ୍ ହେଲେ, ଜୀବନଟା ପୂରା ଫେଲ୍ ମାନେ ଅସଫଳ। ତେଣୁ ଆମେ ଯେଉଁମାନେ ପ୍ରେମ କରିନାହାଁନ୍ତି ବା ଏହି ଭଲ ପାଇବାର ବିପକ୍ଷବାଦୀ school of thoughtsର ପ୍ରବକ୍ତାମାନେ ଅଛନ୍ତି ସେମାନେ ତାଙ୍କୁ ଗୌଣ ବା ନଗଣ୍ୟ ମନେ କରି ମନ୍ତବ୍ୟ ଦେବଟା ବୋଧହୁଏ ଠିକ୍ ସିଦ୍ଧ ହୋଇନପାରେ। ପୁଣି ଯେଉଁମାନେ ଏହାକୁ ଅଙ୍କ ପାଠ କହି ଚୂଟୁକିରେ ସମାଧାନ କରିଦେବା କଥା ଚୁଟକଲି ମାରି ଆରାମ ସେ କହି ବାହାସ୍ପୋଟ ମାରନ୍ତି ସେମାନେ ହୁଏତ ପ୍ରେମ କ’ଣ ଠିକ୍ ସେ ବୁଝି ନାହାଁନ୍ତି? ନା ଯିଏ ହୁଏତ ଏକଥା କହିଛନ୍ତି ଯେ – “ପ୍ରେମ ଏକ ଗଣିତ “ସେମାନେ ନିଶ୍ଚିତ ଭୁଲ କଥା କହିଛନ୍ତି? କାରଣ ପ୍ରେମ ପାଠଟା ମହାଭାରତ ଓ ରାମାୟଣ ପରି ନିଶ୍ଚିତ ଭାବେ ବୃହତ ବା ବିଶାଳ। ଯେଉଁ ପାଠଟାକୁ ଏକାବେଳକେ ଓ ଏକା ନିଶ୍ଵାସକେ ସାରିବା ବା ସହଜରେ ହଜମ କରିବା ବୋଧେ କଷ୍ଟକର ପାଠ। ତା ଛଡା ପ୍ରେମ ପାଠଟା ତ ଆଉ ଅଙ୍କ ପାଠ ନୂହେଁ, ଯାହାକୁ ହରି ଦେଲେ ବା ଗୁଣୀ ଦେଲେ ଏକାବେଳକେ ଛିଡି ଯିବ। ଏହା ପରା ସାହିତ୍ୟ, ଯାହା ବୁଝିଲାବାଲାକୁ କେବଳ ବୁଝାହୁଏ ।ଅନ୍ୟ ସମସ୍ତଙ୍କୁ ଦୁର୍ବୋଧ୍ୟପ୍ରାୟ। ତେଣୁ ଏଥିପାଇଁ ବିଦଗ୍ଧ ପାଠକ ଦରକାର। ନହେଲେ ଏଭଳି ରସସିକ୍ତ ସାହିତ୍ୟ (ପ୍ରେମ) ଭିତରେ ପଶି ରସ ଆସ୍ବାଦନ କରିବା କାଠିକର ପାଠ। ତେଣୁ ସହୃଦୟ ପାଠକର ଏଥି ସକାଶେ ନିହାତି ପ୍ରୟୋଜନୀୟତା ଅଛି। ନ ହେଲେ ଅଙ୍ଗୁର ଖଟା ବୋଲି ସେ ଥୁ ଥୁ କରି ଫିଙ୍ଗି ଦେବା କିଛି ବିଚିତ୍ର କଥା ନୂହେଁ। ଏହା ବୈଦେହୀଶ ବିଳାସ ଓ ରସ କଲ୍ଲୋଳ ଭଳି ବୋଧଗମ୍ୟତା ନଥିବା କ୍ଲିଷ୍ଟ ସାହିତ୍ୟ ବି ହୋଇପାରେ ବା ଚତୁର ବିନୋଦ ପରିକା ଅତି କୁତୁକୁତିଆ ବିନୋଦିଆ ସାହିତ୍ୟ ମଧ୍ଯ ହୋଇ ପାରେ, ଯେଉଁଥିରେ ଦିନଦିନ ପ୍ରତିଦିନ ଅତି ରସାଳ ଓ ରସିକତାପୂର୍ଣ୍ଣ କାହାଣୀ ଯୋଡି ହୋଇଯାଇ ପାଠକୀୟ ଆନନ୍ଦାନୁଭୂତିରେ ହୃଦୟକୁ ଦ୍ରବୀଭୂତ କରିଦେଇ ପାରେ, ତେଣୁ ବାରବାର ସେଇ କାହାଣୀ ଶୁଣିବାକୁ ହୁଏତ ଇଚ୍ଛା ବ୍ୟକ୍ତ ହୋଇଥାଇପାରେ। ପୁଣି ଯେହେତୁ ଏହି ପ୍ରେମ ହେଉଛି ଜୀବନ ସୌଦା ଏହାରି ଭିତର ଦେଇ ଜୀବନର ନାନା twist ବା ମୋଡ଼ ଆସିଯାଏ।

କାରଣ ଏଇଠି ଥାଏ ପରା ହର୍ଷ ଓ ବିଷାଦର ଫେଣ୍ଟାଫେଣ୍ଟି ଭାବ ତଥା ବିରହ ଓ ବିଚ୍ଛେଦର ଅପୂର୍ବ ସମାହାର। ଏଠି ରାଗରୁଷା, ଅଭିମାନ, କ୍ରନ୍ଦନରୋଳ, ଅପବାଦ ଓ ବଦାନାମର ଭୟ, ସାହସୀ ହେବାର ବୈଲକ୍ଷଣ, ବୀରତ୍ୱର ପରାକାଷ୍ଠା, ଗିରି ଲଂଘିବାର ଉଦ୍ଦାମ ସଙ୍ଗୀତ, ଜୀବନ ଯୌବନର ଲଢେଇ ଓ ଯୁବାକାଳର ସମସ୍ତ ବୈଭବ – ସବୁ କିଛି ପରା ଏଇଠି ଥାଏ। ତେଣୁ ଏହିପରି ବହୁ ଅଧ୍ୟାୟ ଓ ପୃଷ୍ଠା ପରେ ପୃଷ୍ଠା ବହୁ ପୃଷ୍ଠା ସମ୍ବଳିତ ରାମାୟଣ ଓ ମହାଭାରତ ପରି ଜଟିଳ କାହାଣୀ ପରା ପ୍ରେମ। ସେଥିପାଇଁ ତ ଯେତେ ମାଜିଲେ ଘଷିଲେ ମଧ୍ୟ ଏହି କାହାଣୀଟା ସେଇଦିନ ସେଇଠି ନସରି ଲମ୍ବି ଯାଏ ବହୁ ପ୍ରତୀକ୍ଷିତ ମୁହୂର୍ତ୍ତ ଯାଏଁ ଓ ପ୍ରତ୍ୟହ ନୂଆ ଅଧ୍ୟାୟଟେ ଯୋଡି ହୋଇଯାଏ – ଏହି ପ୍ରେମ ପୁସ୍ତିକାରେ। ସେଇଥିପାଇଁ ତାହେଲେ ଏମାନେ ଏଇଁନ୍ତି ଏଇଠି ବାରବାର ପରସ୍ପର ମିଳନ୍ତି?

ମୁଁ ସ୍ପଷ୍ଟ ଲକ୍ଷ୍ୟ କରିଛି – କେତେବେଳେ ସେମାନେ କଥା ହେଉହେଉ ଫୁର୍ କିନା କେଉଁ ଆଡ଼େ ଉଡିଯାଆନ୍ତି, କେଉଁ ଲାଇବ୍ରେରୀକୁ ନହେଲେ କ୍ୟାଣ୍ଟିନ୍ ଭିତରକୁ ତ ଗଳି ଯାଆନ୍ତି ।ସେଇଠି ପାଖକୁ ଲାଗି ଅଲକାପୁରୀର ଅଲକା ମାର୍କେଟରେ ଗ୍ଲାସ୍ କ୍ୟାଣ୍ଟିନ୍ ଓ ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍ ବୋଲି ଦିଓଟି ତ ଥାଏ। ଆଉ ଯେଉଁଦିନ ଏମାନଙ୍କର ଏଠି ଦେଖା ନଥାଏ, ସେଦିନ ସେମାନେ ନନ୍ଦନକାନନ ବା ପୁରୀ ବେଳାଭୂମିର ସମୁଦ୍ର କୂଳକୁ ବୁଲି ଚାଲିଯାଇଥିବେ ନିଶ୍ଚୟ । ନତୁବା କେତେବେଳେ କେମିତି ଆଇ. ଜି. ପାର୍କ ଓ regional science ପାର୍କ ବା ଖଣ୍ଡ ଗିରି ଓ ଧଉଳି ଗିରି ଆଦି ନିଭୃତ ପାହାଡ଼ ପର୍ବତ ଘେରା ସ୍ଥାନମାନଙ୍କରେ ଅବା ପ୍ରେକ୍ଷାଳୟରେ ମଧ୍ଯ ଏମାନଙ୍କୁ ଆବିଷ୍କାର କରିହୁଏ। ଏମାନଙ୍କୁ ସବୁବେଳେ ଏକାନ୍ତ ଓ ନିରୋଳା ଜାଗା ଦରକାର ପ୍ରେମ ଅଧୀର ଭାବାତୁର ଭାବରେ ଅଧୀର ହେବା ପାଇଁ ବା ଅବଗାହନ କରିବା ପାଇଁ। ତେଣୁ ନିରୋଳା ଓ ଏକାନ୍ତ ପରିବେଶ ଏମାନଙ୍କର ଭାରି ପ୍ରିୟ ଓ ବିପଦମୁକ୍ତ ମଧ୍ଯ। କିନ୍ତୁ ଲେଡିଜ୍ ହଷ୍ଟେଲ୍ ଆଗରେ ଗହଳିଟା ଏମାନଙ୍କୁ ବିଶେଷ କିଛି ଫରକ ପକାଏ ନାହିଁ, ଯେହେତୁ ସମସ୍ତେ ଏକା school of loveରେ ପାଠ ପଢନ୍ତି। ଏଠି କିଏ କାହାକୁ ଚିମୁଟିଲା ବା ଆମ୍ଫୁଡି ପକାଇଲା, ଜଣେ ଅନ୍ୟ ହଳିକୁ ଦେଖି କିଛି ପ୍ରତିକ୍ରିୟା ରଖେ ନାହିଁ। କାରଣ ଏଇଟା ଏଠାକାର ସବୁଦିନିଆ କୌତିକିଆ ଖେଳ।

ସେଦିନ ଜଣେ ବନ୍ଧୁଙ୍କ ସହିତ ସଖା ବା ସହୋଦର ହୋଇ ମୁଁ ସେଠାକୁ ଯାଇଥାଏ, ସେମାନଙ୍କ ଅଦିନିଆ ପ୍ରେମରେ ଗୁରୁ ଗମ୍ଭୀର ହୋଇ ସ୍ରୁଷ୍ଟି ହୋଇଥିବା ଝଡ଼ଟାକୁ ଟିକିଏ ଚାଟୁକ୍ତି ପ୍ରୟୋଗ କରି ପ୍ରଶମିତ କରିବା ପାଇଁ- ଯେହେତୁ ଟୁକୁ ମୋର ସାହାରା ନେଇଥାଏ । ଅବଶ୍ୟ ତୃତୀୟ ଲୋକର ଆବିର୍ଭାବ ଏହି ପ୍ରେମ ବେପାରରେ ଆଦୌ ସ୍ପୃହଣୀୟ ନୁହେଁ। ତଥାପି ଆମେ ତ ବନ୍ଧୁପ୍ରିୟ ସଖା। ତେଣୁ ବନ୍ଧୁଙ୍କ ବିରହ ବେଦନାରେ ଆମ ହୃଦୟ ବିଗଳିତ ହୋଇ ଯାଉଥାଏ। ତେଣୁ ବନ୍ଧୁଙ୍କ ବେଦନାକୁ ଲାଘବ କରିବା ପାଇଁ ଉତ୍ତମ ବନ୍ଧୁର କର୍ତ୍ତବ୍ଯ ପାଳି ମୁଁ ସେଦିନ ଭଦ୍ରଲୋକିଆ ମାନେ ମଧ୍ୟସ୍ଥି ରୋଲଟା କରି ସେଠାକୁ ଯାଇଥିଲି। ଖାସ୍ ଟୁକୁ ଡାକିଥିଲା ବୋଲି ଓ ଟିକିକୁ ଟିକିଏ ବୁଝେଇ ଦେବା ପାଇଁ ଯେ-” ତୁମେ ଯେମିତି ଭାବୁଛ ସେମିତି ମୋଟେ ନୂହେଁ, ବରଂ ଆମ ଟୁକୁ ତୁମକୁ ବହୁତ ଭଲ ପାଏ, ତୁମ ବିନା ସେ ଆଦୌ ବଞ୍ଚି ପାରିବ ନାହିଁ, ଏ କଥାଟା ମୁଁ ତୁମ ଦେହ ଛୁଇଁ ଦୃଢତାର ସହିତ କହିପାରେ “। ଏହି କଥାଟା ଟୁକୁ ମୋତେ ଖଣ୍ଡେ ସିଗାରେଟ୍ ଦେଇ ଓ ପରେ ଗୋଟେ ରୋଲ୍ ଓ ହାଫ୍ ପ୍ଲେଟ୍ ବିରିୟାନୀ ଲାଂଚ ଦେବ ବୋଲି କହି ନେଇଯାଇଥିଲା। ମୁଁ ବି ଭାବିଲି ଏଇ ଏତକ କହିଦେଲେ କେଉଁ ପାପଟା ଆଉ ଲାଗିଯିବ ଯେ! ଆମ ଦ୍ୱାରା ତ ପ୍ରେମ ଫେମ କିଛି ହେଲା ନାହିଁ, ସେ ଯଦି ପ୍ରେମ କରୁଛି କରୁ, ସେଥିରେ ସେ ସଫଳ ହୋଇଗଲେ, ଆମର ଏଇ ଟିକକ ସହାୟତା ପାଇଁ ସେ ହୁଏତ ଜୀବନ ସାରା କୃତଜ୍ଞତା ପ୍ରକଟ କରିପାରେ। ଯାହା ବି ହେଉ ଆଉ ବେଶି ଫେଣେଇ କରି ଏ କଥାଟା କହିବା ନାହିଁ, ମୁଁ କିନ୍ତୁ ଯେଣୁ ଯାଇଥିଲି , ମୁଁ ମୋ କର୍ତ୍ତବ୍ଯଟା ଚଟାପଟ ପୂରା କରିଦେଲି ଓ ସାକ୍ଷ୍ୟ ପ୍ରମାଣ ଦେଇ ସେମାନଙ୍କ ଭିତରେ ସୃଷ୍ଟ ଦୂରିଆକୁ ତତ୍କ୍ଷଣାତ୍ ଦୁରେଇ ଦେଲା ଏବଂ ସନ୍ଦେହ ରୂପକ ଐନ୍ଦ୍ରଜାଲଟାକୁ ମଧ୍ୟ ମୋ ବାକ୍ ଚାତୁରୀରେ କାଟି ସଫା କରିଦେଲି। ସେମାନେ ଏବେ ପରସ୍ପର ଭିତରେ ସମସ୍ତ ମାନ ଓ ଅଭିମାନକୁ କ୍ଷଣକେ ଭୁଲି, ପରସ୍ପର ପ୍ରତି ଆହୁରି ଅଧିକ ଆକୃଷ୍ଠ ହୋଇପଡ଼ି ଭିଡ଼ିଭାଡିକି ଛିଡା ହୋଇଥାନ୍ତି, ଯେମିତି ଆଉ ଦଣ୍ଡେ ଗଲେ ଜଣେ ଆର ଜଣକ ସହିତ ମିଶି ଏକାକାର ହୋଇଯିବେ। ଖାଲି ମୋ ଉପସ୍ଥିତି ବୋଧେ ସେମାନଙ୍କୁ ଅଡୁଆ ବୋଧ କରୁଥାଇ ପାରେ। ମୁଁ ତେଣୁ ପରିସ୍ଥିତିଟାକୁ ଟିକେ ହୃଦୟଙ୍ଗମ କରି ମୋ ପାଇଁ ଗୋଟେ ନିରାପଦ ସ୍ଥାନ ବାଛିନେଇ ତାଙ୍କମାନଙ୍କ ପାଖରୁ ମୋର ଏକ ନିର୍ଦ୍ଧିଷ୍ଟ ଦୂରତା ବଢାଇ ଦେଇ କିଛି ବାଟ ଘୁଞ୍ଚିଯାଇ ଏକ ବ୍ୟବଧାନ ରେଖା ଟାଣି ଦେଲି। ଏଥର ସେମାନେ ନିଜକୁ ଅଧିକ ନିରାପଦ ମଣି ଖୁଲମ୍ ଖୋଲା ସବୁ କଥା ହେଲେ। ମୁଁ ଦୂରରୁ ଥାଇ ସବୁ କଥା କେବଳ ଯାହା ଉପଭୋଗ କରୁଥିଲି ଓ ଅନୁଧ୍ୟାନ ମଧ୍ଯ । ସେମାନେ ଭାରି ଜୋହର୍ ହସାହସି ହେଉଥାନ୍ତି, ବେଶ୍ ଜମି ଉଠୁଥାଏ ସେମାନଙ୍କର ପ୍ରେମାଳପ। ଖାଲି କୁରୁଳି ଉଠି ଜଣେ ଅନ୍ୟ ଜଣଙ୍କ ଉପରେ ଲୋଟି ପଡୁଥାନ୍ତି। କଥା ପ୍ରସଙ୍ଗରେ ଜଣେ ଅନ୍ୟ ଜଣଙ୍କୁ ଛୁଇଁ ଯିବାର ବୋଧେ ଅପଚେଷ୍ଟା କରୁଥାନ୍ତୁ। କିନ୍ତୁ ସେଥିରେ ସେମାନେ କାହିଁ ସେତେଟା ସଫଳତା ବୋଧେ ପାଇ ପାରୁ ନଥାନ୍ତି। ଯାହା ବି ହେଉ ବେଶ୍ ଭାବୋଦ୍ଦୀପକ ଓ କୌତୁହଳପୂର୍ଣ୍ଣ ଥିଲା ସେମାନଙ୍କର କଥାବାର୍ତ୍ତା। ସେମାନେ ବୋଧେ ଏତେବେଳକୁ ଭୁଲି ଯାଇଥାନ୍ତି ମୁଁ ଯେ ଦୂରରେ ଅପେକ୍ଷା କରିଛି ସେମାନଙ୍କୁ, ସାଙ୍ଗ ହୋଇ କ୍ୟାଣ୍ଟିନରେ ଗୋଟେ ଭୂରି ଭୋଜନ କରିବା ପାଇଁ।

ଯାହା ବି ହେଉ ଅନେକ ଦିନର ମୋ ଭିତରର ଅଭିଳାଷା – ସେଠାକାର ଅନୁଭୂତି ସବୁକୁ ଏକଠା କରି କାହାଣୀ ଲେଖିବାର ଲାଳସା ଆଜି ହିଁ ବୋଧେ ଫଳବତୀ ହେବାକୁ ଲାଗୁଥାଏ। ମୁଁ ମୋ ଅନୁସନ୍ଧିତ୍ସୁ ମନୋବୃତ୍ତିର ପରିଚାୟକ ଭାବେ ସମସ୍ତଙ୍କ ଭିତରେ ନିଜକୁ ବା ନିଜ ଭିତରେ ସେମାନଙ୍କୁ ପ୍ରତ୍ୟାରୋପଣ କରି ଦେଖୁଥାଏ। କିଏ କେତେ ରକମର ଢଙ୍ଗଢାଙ୍ଗ ସବୁ ପ୍ରଦର୍ଶନ କରୁଥାନ୍ତି।

କିଏ ତା ପ୍ରେମିକ ଉପରେ ରାଗିକି ଏକଦମ୍ ଖପ୍ପା ତ ଆଉ କେହି ଖୁସିରେ ଲୋଟି ଯାଉଥାନ୍ତି । ଆଉ କେହି କେହି ମାଟିରେ ଅନାବଶ୍ୟକ ଅଙ୍କାବଙ୍କା ଗାରଗୁଡାକ ନିଜ ଗୋଡ଼ର ବୁଢ଼ା ଆଙ୍ଗୁଠିରେ ଟାଣି ଯାଉଥାନ୍ତି, ସେ ହୁଏତ ନିଜ ଭାବନା ଭିତରେ ବୁଡ଼ି ରହି କୌଣସି ଜିନିଷର ହେତୁ ନିଶ୍ଚିତ ଭାବେ ନିରୂପଣ କରୁଥାଇ ପାରନ୍ତି । ଆଉ କେହି କାନ୍ଦି କାଟି କୋଡ଼ି ଛେଚି ହେଉଥାଏ। ପୁଣି କେହି ପାଗଳଙ୍କ ପରି ଉନ୍ମାଦଗ୍ରସ୍ତ ହୋଇ ନିଜ ପ୍ରେମିକ ଛାତିକୁ ଜୋହରରେ ବିଧା ଚାପୁଡ଼ା ଗୁଡ଼ାକ କଷି ଦେଉଥାଏ। ଆଉ କେତକ ତ ବେଶ୍ ଶାଳୀନତା ରକ୍ଷା କରି ସ୍ୱାଭାବସିଦ୍ଧ ଗୁଣରେ କଥା ହେଉଥାନ୍ତି, ଏମାନେ ବୋଧେ ପ୍ରେମରେ ସେତେ ବାଟ ଆଗେଇ ନଥାନ୍ତି ବା ନୂଆ ନୂଆ କରି ପ୍ରେମ କାହାଣୀ ବି ଲେଖୁ ଥାଇ ପାରନ୍ତି। କିନ୍ତୁ ଯେଉଁମାନେ ପ୍ରେମରେ ପି. ଜି. ସାରି ପି. ଏଚ୍. ଡି. ପର୍ଯ୍ୟନ୍ତ ଆଗେଇ ଗଲେଣି ସେଇ କେତେ ଜଣଙ୍କ କଥା ନକହିଲେ ଭଲ। ଇସ୍ କି ଅସ୍ୱାଭାବିକ ଭାବଭଙ୍ଗୀର ପରିପ୍ରକାଶ। ସେଗୁଡାକ ଆଖିରେ ଦେଖି ହେବ ନାହିଁ, ତେଣୁ ନକହିଲେ ବରଂ ଭଲ। ସେଇଠି ମୋ ପାଖକୁ ଲାଗି ହଳେ ପ୍ରେମୀ ଯୁଗଳ ଛିଡା ହୋଇଥାନ୍ତି। ସେମାନଙ୍କ ଭିତରେ କ’ଣ ଏମିତି ମାନ ମନାନ୍ତର ହୋଇଥାଏ କେଜାଣି, ପୁରାପୁରି ଚୁପ୍। କେହି କାହାକୁ କିଛି କଥା ହେଉ ନଥାନ୍ତି, କିନ୍ତୁ ନୀରବରେ ଜଣେ ଜଣଙ୍କ ପାଖକୁ ଖୁବ୍ ଲାଗି କରି ଛିଡା ହୋଇଥାନ୍ତି। ସତେକି କୋଉ ମନ୍ଦିର ଗାତ୍ରରେ ସେମାନେ ଏକକ ଯୁଗଳ ମୂର୍ତ୍ତିଟିଏ। କିନ୍ତୁ ବାକ୍ କହିବାର ଶକ୍ତି ନଥାଏ, ଯେହେତୁ ସେମାନେ ପଥର ମୂର୍ତ୍ତି।

ଅନତି ଦୂରରେ ଅନ୍ୟ ଏକ ଯୋଡି ଛିଡା ହୋଇଥାନ୍ତି। ସେଠି ଜଣେ ପ୍ରେମିକ ତା ପ୍ରେମ ଉପରେ ରାଗି ଚୁପ୍ ହୋଇ ରହିଥାଏ। ତା ପ୍ରେମିକ ଯେତେ ବୁଝାଉଥାଏ _”ଏ ତୁମର କ’ଣ ହୋଇଛି, ତୁମେ କାହିଁକି କିଛି କହୁ ନାହଁ, ସେମିତି ହେଲେ ମୁଁ ସୁଇସାଇଡ କରିଦେବି, ଦେଖ! ତୁମ ବିନା ମୁଁ ବଞ୍ଚି ପାରିବି ନାହିଁ, ତୁମେ ପରା ମୋ ଇହକାଳ ଓ ପର କାଳର ଦେବତା, ତୁମ ନୀରବତା ମୋ ପାଇଁ ଶତ ବୃଶ୍ଚିକର ଜନ୍ତ୍ରଣା, ଦୟାକରି କଥା କୁହା! ପ୍ଳିଜ୍ ତଥାପି ତା ପ୍ରେମିକ ଏମିତି ଆହୁରି କିଛି ନାଟ ତାମସା ଦେଖିବା ପାଇଁ ବୋଧେ ଚୁପି ମାରି ବସିଥାଏ ଓ କଣେଁଇ କଣେଁଇ ତା ଅଲକ୍ଷ୍ୟରେ ହସୁଥାଏ। ମୁଁ କିନ୍ତୁ ଦୁଇ ଜଣଙ୍କର ଭାବାବେଗକୁ ବେଶ୍ ସୁରଖୁରରେ ବୁଝି ପାରୁଥାଏ ।

କେହି କେହି ଯୁଗଳମୂର୍ତ୍ତି ପାଠକୁ ମିଥ୍ୟା ଆଖିଠାର ମାରି ବା ପାଠ୍ଯ ପୁସ୍ତକର ମିଥ୍ୟା ଆଭରଣଯୁକ୍ତ ଆଲୋଚନାକୁ ନେଇ ଆଲୋଚନାରେ ବ୍ୟସ୍ତ ରହିଥିଲେ ହେଁ, ତାରି ଭିତରେ ଲୁଚିଲୁଚି ଓ ଛପି ଛପିକା ପ୍ରେମ କରୁଥାନ୍ତି ଏବଂ ପରସ୍ପରକୁ ପ୍ରେମ ନିବେଦନ କରୁଥିବାର ସ୍ପଷ୍ଟ ଆଭାସ ମିଳି ପାରୁଥାଏ । ଆଉ କେଉଁଠି କେମିତି ପ୍ରେମିକାଟିଏ କାନ୍ଦୁଥାଏ ଓ ତା ପ୍ରେମିକ ବଡ଼ ସରାଗରେ ତାକୁ ବୁଝାଉଥାଏ-“ଏ ତୁମେ କାନ୍ଦ ନାହିଁମ, କାହିଁକି କାନ୍ଦୁଛ, ମୋତେ କହିବନି? ଏ କୁହନା ପ୍ଳିଜ୍!ତୁମେ କାନ୍ଦିଲେନା! ମୁଁ ଆଦୌ ସହି ପାରିବି ନାହିଁ, ମୋ ହୃଦ ମୃଦଙ୍ଗ ଫାଟି ଯିବ, କୁହ! ନହେଲେ ମୁଁ ତୁମ ସହିତ ସତ କହୁଛି କାନ୍ଦି ପକାଇବି”। ପୁଣି କେଣେ ତ ହସର ଜୁଆର ଓ ପ୍ରେମର ଫରୁଆ ଖୋଲି ଯାଉଥାଏ।

ଆଉ ଗୋଟିଏ ଯୋଡ଼ିଏ ଖଣାଗାଢ଼ ସେଇ ଇଁକଲ ପଟାସ୍ ବଣ ଭିତରେ ଥାଏ। ସେଇ ଖଣା ଗାଢ଼ କେମିତି ହେଲା, ତା ସ୍ରୁଷ୍ଟି ରହସ୍ୟ ମୋତେ ଜଣା ନାହିଁ। ହୁଏତ ବିଲୁଆ ବା ଶିଆଳଙ୍କର ଠଣା ଗାତ ବା ବସା ଭାବରେ ଆଗରୁ ବ୍ଯବହୃତ ହେଉଥାଇ ପାରେ। କିନ୍ତୁ ଏବେ ଦେଖିଲି ତାହା ଭାରି ଉପଯୋଗୀ ମାନେ ପ୍ରେମସିନ୍ଧୁ ପାରାବାର। ସେହି ଠଣା ଗାତ ଭିତରେ ଗୋଡ ପୂରାଇ ଦେଇ ଏକହଳି ପ୍ରେମୀଯୁଗଳ ବସି ପଡିଥାନ୍ତି। ସେହି ପ୍ରେମସିନ୍ଧୁ ପାରାବାରେ ପ୍ରେମାମୃତ ରସ ଝରଝର ହୋଇ ବୋହି ଯାଉଥାଏ। ଉଭୟଙ୍କର ଗୋଡକୁ ଗୋଡ ନିଶ୍ଚୟ ବାଜି ଯାଉଥିବ, ଯେଉଁଟାକି ବାହାରକୁ ଦେଖା ଯାଉ ନଥାଏ ।ସେମାନେ ଅହରହ ମୁଣ୍ଡ ହଲାଇ ଟୁଆଁଟୁଇଁ ପରିକା କ’ଣ କଥାବାର୍ତ୍ତା ହେଉଥାନ୍ତି। ଯେମିତିକି ନାଗ ନାଗୁଣୀ ଦିଟା, ଗାତ ଭିତରୁ ଉପରକୁ ଟିକେ ଫଣା ଟେକି ଖେଳୁଛନ୍ତି। ଏହିଭଳି ବହୁବିଧ ଦୃଶ୍ୟ ଓ ଅନେକ ଯୁଗଳ ବନ୍ଦୀଙ୍କର ଭାବ ବିନିମୟ, ଯାହାକୁ ମୋ ପକ୍ଷେ ଏକାକୀ ସବୁ ବର୍ଣ୍ଣନା କରିବା ଅତି ବର୍ଣ୍ଣନୀୟ ହେବ। ତେଣୁ ଏଇଠି ଥୁକୁଲ ପକାଇବା।

ଏ ହେଉଛି ବାଣୀ ବିହାର ଶିକ୍ଷାୟତନ, ଯେଉଁଠି ପ୍ରାପ୍ତବୟସ୍କା ମାନଙ୍କର ଲାଗି ଯାଏ ଅଫୁରନ୍ତ ପ୍ରେମ ମହୋତ୍ସବ। ହେଲେ ଭାଇ! ଇଏ ପ୍ୟାର କା ଲଡୁ ଯୋ ଖାଏଗା ଓ ପସ୍ତାଏଗା ଔର୍ ଯୋ ନେହିଁ ଖାଏଗା ଓ ଭି ପସ୍ତାଏଗା। ତେଣୁ ଜରା ଦେଖ୍ କେ ଚଲୋ ମେରା ଭାଇ!

ଏଣିକି ଘଡିକି ଘଡି ବେଳଟା ଉଚ୍ଛୁର ହେଇ ଯାଉଥାଏ। ସଞ୍ଜବତୀ ଲାଜେଇ ସରୁ ଓଢ଼ଣା ଟାଣି ଅକାଶରେ ମଣ୍ଡରି ଆସୁଥାଏ। ମୁହଁସଞ୍ଜ ହୋଇ ସାରିଥାଏ। ମୋ ଧୈର୍ଯ୍ୟର ବନ୍ଧଗୁଡ଼ାକ ତୁଟି ଯାଉଥାଏ।ଏମିତି କାଙ୍ଗାଳି ଭୋଜନ କରିବା ପାଇଁ ଟୁକୁ କଥାରେ ଆସିଯାଇ ଥାଏ ଯେ, କାହିଁ ବିରିୟାନୀ ଗଣ୍ଡାକ ମୋ ଭାଗ୍ୟରେ ଜୁଟୁ ନଥାଏ ।ପ୍ରେମିକାକୁ ଦୀର୍ଘ ଦିନର ବିରତି ପରେ ପାଇ ଟୁକୁ ମୋ କଥା ସମ୍ପୂର୍ଣ୍ଣ ଭୁଲି ଯିବାକୁ ବସିଥାଏ। ମନେମନେ ଭାବୁଥାଏ – “ଆଉ ଥରେ ଏଇ ଟୁକୁ ଯଦି ମୋତେ ଡାକିଛି ତା ଅବସ୍ଥା ଖରାପ କରିଦେବି। ଭାଇ! ତୋର ଯଦି ଏତେ ପ୍ରେମ ଉଚ୍ଛୁଳୁଛି, ତାହେଲେ ମୋତେ ଏକାବେଳକେ ଗୋଟେ ପ୍ୟାକେଟ୍ ସିଗାରେଟ୍ ଧରେଇ ଦେଲୁ ନାହିଁ! ମୁଁ ଗଞ୍ଜୋଡଟା ବସି ଟାଣିଥାନ୍ତି, ତୁ ତେଣିକି ଯେତେ ପ୍ରେମ କରିବା କଥା କର” । ହେଲେ କ’ଣ କରିଥାନ୍ତି ଆଉ? ମୁଁ ତ ସବୁ କରି ପାରିବି, ହେଲେ ଏଇ ଦୋସ୍ତିଛଡା କାଣ୍ଡଟା କରି ପାରିବି ନାହିଁ। ଯାହା ହେଲେ ବି ବନ୍ଧୁତା ପାଇଁ ମୋର ପରା ଗୋଟେ ସୁଖ୍ୟାତି ଅଛି। ସେଦିନ ପରା ଆମ ଇଉନିଅନ ସେକ୍ରେଟେରୀ, ମାନେ ଏଇ ରାଜେନ୍ଦ୍ରଟାମ! ସମସ୍ତଙ୍କ ଆଗରେ ମୋତେ ଲଙ୍ଘା କରିଦେଲା। ବାର୍ଷିକ ଉତ୍ସବରେ କହୁକହୁ କହିଦେଲା – ଏଇ ପ୍ରକାଶଟା ଭିନ୍ନ୍ ମଣିଷ, ନିଆରା ବ୍ୟକ୍ତିତ୍ୱ, ସମସ୍ତଙ୍କ ଭଲମନ୍ଦକୁ ମଥା ପାତି ଦେବ”। ଏହା ପରେ ବି ମୁଁ କେମିତି ଟୁକୁକୁ ଛାଡ଼ି ପଳାଇଥାନ୍ତି କହୁ ନାହାଁନ୍ତି? ଯାହା ହେଲେ ବି ସାଙ୍ଗ ନା, ସାଙ୍ଗ ପରିକା ଆଉ କୋଉ ଜିନିଷ ଅଛି କି ହେ? ଯାହା ହେଉ ଗଙ୍ଗା ଗଲି ଯେତିକି ଫଳ ପାଇଲି ସେତିକି। ଆଉ ବେଳକୁ ଡାକିଲେ ମୋଟେ ଶୁଣିବି ନାହିଁ। ଏହା ପାଇଁ ମୋର ଗୋଟେ ଦିନ ବରବାଦ ହେଲା। ଅପେକ୍ଷା କରି ରହିବାଟା ବେଶୀ ବଡ଼ କଥା ନୂହେଁ, ମୋର କିନ୍ତୁ ବେଶୀ ରାଗ ଏହି ରଣଚଣ୍ଡି ଗୁଡ଼ାକ ଉପରେ। ଏମାନେ ପରା ଦୁରୂଥାଇ ମୋତେ ଯେମିତି ଖତେଇ ବିଗୁଲେଇ ହୋଇ ହେଁ ହାଁ ହୋଇ ହସୁଛନ୍ତି । ସେମାନେ ବୋଧେ ଭାବୁଛନ୍ତି ମୁଁ ଏଠି ଏକଲା ଛିଡା ହୋଇ ମୋ ପ୍ରେମିକାକୁ ମୁଁ ଅପେକ୍ଷା କରିଛି, ମୋ ପ୍ରେମିକା କିନ୍ତୁ ଠକି ମୋତେ ଆସିଲାନି, ତେଣୁ ମୁଁ ଶିଶୁପାଳ ହୋଇ ଏକାନ୍ତ ଅସହାୟ ହୋଇ ରହିଛି। ଧେତ୍ ସେମାନେ ଯାହା ଭାବିଲେ ମୋର ସେଠୁ କ’ଣ ଗଲା। ତାଙ୍କ କଥାକୁ ମୋର ଢୋ।

ଆଉ ଗୋଟେ କଥା ଟିକେ ଆଉ ଗୋଟେ ପ୍ରକାର ବାଧୁଥାଏ। ସେଇଟା ହେଉଛି ଏହି ଲଭର୍ସ ପଏଣ୍ଟକୁ ଯିଏ ଥରେ ଆସିଛି, ସେ ବଦାନମ ଗଳିରେ ନାଁ ଲେଖିଛି। ପୁଅ ସାଙ୍ଗମାନଙ୍କ କଥା ଅଲଗା, କିନ୍ତୁ ଝିଅ ସାଙ୍ଗମାନେ ପରା ତା ସହିତ ଆଉ ଭଲକି କଥା ହୁଅନ୍ତି ନାହିଁ। ଏହି ପ୍ରେମିକମାନଙ୍କୁ ମଧ୍ଯ ନିର୍ବାଚନ ବେଳେ ଆମ ନେତା ସୁଜିତ୍ ହେଉ କି କାଶିଆ ବା ରାଜିଆ କେହି ସାଙ୍ଗରେ ନେବେ ନାହିଁ। କାରଣ ଏମାନେ ଗଲେ ନିର୍ଦ୍ଧିଷ୍ଟ ପ୍ରେମିକା ବ୍ୟତୀତ ୟାଙ୍କ କଥାରେ ଆଉ କେହି ଭୋଟ ଦେବେ ନାହିଁ। ମୋ ଭାଗ୍ୟ ଖରାପକୁ ସେଦିନ ଠିକ୍ ମୋ ବାଟ ଦେଇ ମାର୍କେଟରୁ କ’ଣ ସବୁ ଧରି ସଙ୍ଘମିତ୍ରା, ଗୀତା, ନୀନା ପ୍ରମୂଖ ଦଳେ ଫେରୁଥିଲେ। ମୋତେ ଯେମିତି ଦେଖିଲେ ଟିକେ ମୁହଁ କୁଞ୍ଚିତ କରିନେଇ ଆପୋଷ କଥା ହେଉଥାନ୍ତି – “ଇଲୋ ଇଏ କ’ଣ ଏଠି? ୟାର ପୁଣି ହିରୋଗିରି କୋଉଦିନ ଠାରୁ କିଲୋ? ପିଲାଟାର ଭାବମୂର୍ତ୍ତି ତାହେଲେ ନଷ୍ଟ ହୋଇଗଲାଣି” । ଏମାନଙ୍କ ଭିତରୁ କାହାକୁ ଗୋଟେ ଡାକ ପକାଇ ଆସୁଥିଲି ଯେ, ହେଲେ ଏମିତି ଗାରେଡେଇ କି ସମସ୍ତେ ଚାହିଁଲେ ଯେ, ମୋର ଏକଦମ୍ ପାଟି ଚୁପ। ଏଥିରେ ଟିକୁ ଉପରେ ମୋର ରାଗ ହେବ ନା ନାହିଁ କହୁ ନାହାଁନ୍ତି। ଶଳା ଇଆ ବୁଦ୍ଧିରେ ପଡିକି ମାନ ମହତ୍ତ ମଣିଷ ସବୁ ସାରିଲା।

ହଁ ସେପଟେ ଟୁକୁ କ’ଣ ମୋ ଆଡ଼କୁ ଅନେଇ ଟିକିକୁ ତ ଇସାରା କରୁଥାଏ। ଶଳା ଭଡୁଆ! ବୋଧହୁଏ ମୋର ଏ ଅସହାୟତା ପାଇଁ ମୋ ଉପରେ ତରସ୍ଥ ଖାଉଥିବ। ହଁ ତ ମୋ ଭାବନାକୁ ବିପର୍ଯ୍ୟସ୍ତ କରି ମୋ ଆଡ଼କୁ କ’ଣ ସେମାନେ ଢଳିଲେଣି। ତେବେ କ’ଣ ଟିକିକୁ କହୁଥିଲା -ବିଚରା ପ୍ରକାଶଟା ଆମ ପାଇଁ ସଜା ଭୋଗୁଛି। ଏକୁଟିଆ ବସି ବସି ବୋର୍ ହୋଇଯିବଣି। ତେଣୁ ଆଜିର ପ୍ରେମ ଆଳାପକୁ ଏଇଠି ସ୍ଥଗିତ ରଖି, ଚାଲ! କ୍ୟାଣ୍ଟିନକୁ ଯିବା – ଅତିଥି ସତ୍କାର କରିବା ପାଇଁ, ଯିଏକି ଏତେ ବେଶୀ କିଛି କଷ୍ଟ ଉଠେଇ ଆମର ବିରହ କଷ୍ଟକୁ ଲାଘବ କରି ପାରିଛି” ।ଏଥର ସତସତିକା ସେମାନେ ମୋ ଆଡ଼କୁ ମାଡ଼ି ଆସିଲେ ଓ ଟୁକୁ ମୋ କ୍ରୋଧ ଦେଖି ଟିକେ ପଛକୁ ରହିଗଲା ଆଉ ଟିକିକୁ ଆଗକୁ ଠେଲି ଦେଲା। ଟିକି ଟିକେ ଗେହ୍ଲେଇ କହିଲା – ମୈତ୍ରେ! ଚାଲ ଯିବା, ଟିକେ ଫଳ ପୁଷ୍ପ ଆହାର କରିବା। ମୋର ରାଗ ଯାହା ହେଉଥାଏ ନା!ଖାଲି ଦାନ୍ତ କଡ଼ମଡ଼ ହୋଇ ଆସୁଥାଏ। ମୁଁ କହିଲି -” କି ମୁଁ ତୁମ ଭଳିଆ ଛେଳି ହୋଇଛି ନା କ’ଣ ଫଳମୂଳ ଆହାର କରିବି? ହକ୍ ମୁଁ ସିଂହ, ମୁଁ ପଶୁ ଶିକାର କରେ।

-ହଁ ଗୋ ମୈତ୍ରେ! ଆମେ ସେ କଥାଟି ଜାଣି। ତୁମେ ଆଗ ଚାଲ! ମୁଁ ଆଜି ଟିପସ୍ ଦେବି, ତେଣିକି ତୁମେ ଛେଳି ଖାଅ ତ ଅବା ବୋଦା ବଳି” ।

ଯାହା ହେଉ ଝିଅ ପିଲା କଥା ତ, ତେଣୁ ରାଗଟାକୁ ଟିକିଏ ସମ୍ବରଣ କରିନେଲି। ଏଣିକି ତିନି ଜଣଯାକ ପାଦରେ ଚାଲିଚାଲି କେଇ ପାହୁଣ୍ଡ ଆଗରେ ଥିବା ଅଲକା ପୁରୀର ଅଲକା ମାର୍କେଟରେ ଥିବା ଗ୍ଲାସ କ୍ୟାଣ୍ଟିନରେ ପହଞ୍ଚିଲୁ।ଏହି ଗ୍ଲାସ୍ କ୍ୟାଣ୍ଟିନ୍ଟା ଭାରି ପରିଷ୍କାର ମାନେ ସଫା ସୁତର। ଆଜି ସିନା ଚଟକିନା ଆମେ ସିଟଟା ପାଇଗଲୁ, ନହେଲେ ସହଜରେ ଏଠି ସିଟ ମିଳେନାହିଁ। କାରଣ ଭାରି ଭିଡ। କ’ଣ ଓ କେତେ ଖାଇଗଲେ ସେଟା ସେତେ ବଡ଼ କଥା ନୂହେଁ, ବରଂ ବଡ଼ କଥା ହେଉଛି ସିଟଟା ଥରେ ଧରିନେଇ ଯୁଗଯୁଗ ଧରି ବସି ରହି ଆପଣା ଭାବର ମଣିଷଟି ସହିତ ପ୍ରେମ ମଧୁର ବାର୍ତ୍ତାଳାପରେ ବେଶ୍ କିଛି ସମୟ ମଜି ଯିବା। ଏଠି ପ୍ରାୟତଃ ସବୁ ଟେବୁଲ୍ ବୁକ୍ ଥାଏ ଓ ସମସ୍ତେ ପାଟି ଚାଳନା କରି ଖାଉଥାନ୍ତି କି ନଖାଉଥାନ୍ତି କିନ୍ତୁ କଥା ହେଉଥାନ୍ତି। ହେଲେ ବଡ଼ ଆଶ୍ଚର୍ଯ୍ୟ କଥା ଆଦୌ କୋଳାହଳ ଶୁଭୁ ନଥାଏ। ଭାରି ନୀରବତା ଜଣା ପଡୁଥାଏ। ଇଏ ପୁଣି କେମିତିକା କଥା। କାରଣ ସେମାନେ ଯାହା ବି କଥା ହେଉଥାନ୍ତି ଖାଲି ପାଟିଟା ଖୋଲି ଚାକୁଳି ଖାଇଲା ପରି କହୁଥାନ୍ତି ଯେମିତି ନିଜ ପ୍ରେମିକା ବ୍ୟତୀତ ଆଉ କାହାକୁ ଶୁଭିବ ନାହିଁ। ହସିଲେ ମଧ୍ଯ କେବଳ ଦାନ୍ତ ନିକୁଟେଇ ଖାଲି ଭାବଟା ଅଭିବ୍ୟକ୍ତ ହେଉଥିବ। ଏମାନେ ତାହେଲେ ସବୁ ଜଡା ନା କ’ଣ? ନା ମୋ ପାଖରେ ସେଇଠି ଟିକି ଓ ଟୁକୁ ତ କ’ଣ କଥା ହେଉଥାନ୍ତି ମୋତେ ଆଦୌ ଶୁଭୁ ନଥାଏ। ପ୍ରେମ କରିବାକୁ ହେଲେ ଏଭଳି କିଛି ଟ୍ରେନିଂ ବି ବୋଧେ ନେବାକୁ ହୋଇଥାଏ। ନା ପ୍ରେମଟା ପରା ବିନା ପଢ଼ା ପାଠ, ଏ ପାଇଁ କୌଣସି ଟ୍ରେନିଂ ନେବାକୁ ହୁଏ ନାହିଁ, ଏହା ହେଉହେଉ ହୋଇଯାଏ – ଏ କଥା ମୁଁ ଶୁଣିଥିଲି ବହୁ ଆଗରୁ। ଏଇଟା ତାହେଲେ ସହରୀ ଆଦବ କାଇଦା ହୋଇଥିବ, ଯାହାକୁ ଆମେ କହନ୍ତି courtesy. କାହିଁକି ନା ଜଣେ ଅନ୍ୟ ଜଣଙ୍କୁ disturb କରିବାକୁ ଉଚିତ୍ ମଣନ୍ତି ନାହିଁ। ନାହିଁମ courtesy ନା ଚୋପା, ଅସଲ କଥା ହେଲା, ତାଙ୍କ ଗୁପଚୁପିଆ ପ୍ରେମର ପରିଭାଷାଟା ଆଉ କେହି ଯେମିତି ଠଉରେଇ ନ ପାରନ୍ତୁ। ସେଇଥିପାଇଁ ତ ସେମାନେ ଅଳ୍ପ କଥା କହୁଥାନ୍ତି, ହେଲେ ଆଖିରେ ଆଖିରେ ଅନେକ ପ୍ରେମ ସମ୍ଭାଷଣ ଓ ପ୍ରେମର ଇସାରା। ଓଃ! କି ସୁନ୍ଦର ଆଖି ଚାଳନା, ତହୁଁ ବଳିକି କଅଁଳେଇ କଥା। ଏଇଥିପାଇଁ ତାହାହେଲେ ଆମ ଟୋକାଟ ଭୋକ ଶୋଷ ଭୁଲି ଏଇଠି ଏମିତି ଆଣ୍ଠଉଛ। ହଉ ଆମର ଏ ନସର ପସର ବେପାରରେ ପଶି କିଛି ଲାଭ ନାହିଁ ବରଂ ପେଟେ କିଛି ଖାଇନେଲେ ଏଇ ପେଟ ବିକିଳିଆଟାର ଆତ୍ମାକୁ ଶାନ୍ତି ।

ପୂର୍ବ ପ୍ରତିଶ୍ରୁତି ମୁତାବକ ମୋ ପାଇଁ ଏଗ୍ ଚିକେନ୍ ରୋଲ୍ ଓ ବିରିୟାନୀ ମଗେଇ ଦେଇ ସେ ଦୁଇଜଣ ଗୋଟେ ଫ୍ରୁଟ ଜୁସ୍ ମଗେଇ ସେଥିରେ ଦୁଇଟା straw ପୂରାଇ ଟାଣିଲେ । ୟାଙ୍କୁ ସତରେ କହିବ ରସିକ ନାଗର। ମୁଁ କହିଲି – “ତୁମେ ଦୁଇଜଣ ଖାଇବ ନାହିଁକିରେ ପିଲେ? ଟୁକୁ କହିଲା – “ନାଁରେ ଭାଇ! ଟିକି ଆଜିକାଲି ଗୁରୁବାର ବ୍ରତ ପାଳୁଛି, ତେଣୁ ମୁଁ ମଧ୍ଯ ସମଧର୍ମ ପାଳନ କରି ଅନାହାର ବ୍ରତ ରଖିଛି ଅର୍ଥାତ୍ (ଯୋଉଟା) ଟିକିର ପସନ୍ଦ (ସେଇଟା) ମୋର ପସନ୍ଦ । ମୋତେ ବଡ଼ ଜୋହର୍ ହସ ଲାଗୁଥିଲା। ଫେଁ କିନା ହସି ଆସୁଥିଲି ତାଳୁକୁ ଉଠିଗଲା। ଟିକି ପଚାରିଲା କ’ଣ ହେଲା କି? ମୁଁ କହିଲି – ନାଇଁମ କିଛି ନୂହେଁ। ବୋଉ ବୋଧେ ମନେ ପକାଉଛି ଯେ, ତା ପୁଅ ତାକୁ ଏଯାଏଁ ସୁନାନଖି ବୋହୂଟେ ଆଣି କାହିଁକି ଦେଇପାରିଲା ନାହିଁ। “ସୁନାନଖି” ଶବ୍ଦଟା ଶୁଣି ସମସ୍ତେ ହୋ ହୋ ହୋଇ ହସି ଉଠିଲେ।ଟିକି କହିଲା – “ମୈତ୍ରେ! ତୁମର ଯୋଉ କଥା ନା, ଖାଲି ତାନା ମାରିବାକୁ ଲୋକେ ପରା ତୁମକୁ ଡାକି ନେବେ”। ଠିକ୍ ଏତିକି ବେଳକୁ ହଷ୍ଟେଲରୁ ଟଙ୍ଗକିନା ଘଣ୍ଟିଟା ବାଜିଲା, ଏଇଟା ହେଉଛି ସତର୍କ ଘଣ୍ଟି ଆଉ ମାତ୍ର 10 ମିନିଟ୍ ଭିତରେ ଝିଅ ମାନଙ୍କୁ ହଷ୍ଟେଲ ଭିତରକୁ ଫେରିବାକୁ ପଡ଼ିବ, ନୋହିଲେ ଗେଟ୍ ବନ୍ଦ ହୋଇଯିବ। ଏଣିକି ବିନା ଗାୟାଳରେ ଗୋରୁ ଗୋଠଯାକ ହଷ୍ଟେଲ ମୁହାଁ ଆଡ଼େଇ ହୋଇଗଲେ। ସମସ୍ତେ ତତ୍ପର ହୋଇଉଠିଲେ। ହାତ ଧରାଧରି ହୋଇ ସାଥି ହୋଇ ହଷ୍ଟେଲ ଗେଟ୍ ଯାଏଁ ସମସ୍ତେ ଆସିଗଲେ। ସେଇଠି ଶେଷ ସମ୍ଭାଷଣ goodnight, by see you କହି ବିଦାୟ ନେବାର ପର୍ବ ଆଜି ରାତିକ ପାଇଁ ଓ “ପୁଣି କାଲି ଦେଖାହେବ” ର ଗୋଟେ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି । ତଥାପି ଏମାନେ ତ କେହି ହଟୁ ନଥାନ୍ତି, ଗହଳି ଟିକେ କମି ଯାଇଥିଲେ ମଧ୍ଯ ଅନେକ ସେଇଠି ସେମିତି ରହି ବହୁ ବେଳ ଯାଏଁ ଦୁଇ ବାହୁକୁ ଉପରକୁ ପ୍ରସାରିତ କରି ଓ ବାଁ ଡାଁ ବଦଳିଆ କରି ହାତ ହଲାଉଥାନ୍ତି, ନିଜ ନିଜ ପ୍ରେମିକା ନିଜ ଦୃଷ୍ଟି ଆଢୁଆଳରୁ ନ ଲୁଚି ଗଲା ପର୍ଯ୍ୟନ୍ତ। ଏଇ ପଞ୍ଝାକ ତେବେ କ’ଣ ବିଲ୍ଵ ମଙ୍ଗଳ, ପ୍ରେମ ପାଗଳ ହୋଇ ଏହି ଇଉକାଲ ପଟାସ ବଣ ଭିତରେ ଲୁଚି ରହିଥିବା କେଇଟା ମାତ୍ର୍ ମେଣ୍ଢାମାରି ବୁଦା ମୂଳେ ଛୁପି ଶୋଇ ରାତି ଉଜାଗର ହେବେ?ଧନ୍ୟରେ ବିଧାତା! ଏଡିକି ଭାଗ୍ୟ ମୋର ହୋଇଲା, ଏ ନୟନ ପୁଣି କ’ଣ ନଦେଖିଲା। ମୁଁ କହିଲି ଆମ ପ୍ରେମିକ ପ୍ରବରକୁ – “ହେ ପ୍ରେମ ଚିନ୍ତାମଣି! ଏଥର ଟିକେ ପ୍ରେମ ଅନୁଚିନ୍ତା ଛାଡ଼ି ମୋ ସହିତ କରିବକି ଟିକେ ହଷ୍ଟେଲ୍ ପ୍ରତ୍ୟାଗମନ? ସେ ଫେଣ୍ଡ୍ରା ମୁହାଁ ଏକ ରକମର ଅନିଛାକୃତ ବାଧ୍ୟ ବାଧକତାରେ ମୁଣ୍ଡ ଟୁଙ୍ଗାରି ଫେରି ଆସୁଥିଲା ମୋ ସହିତ। ହେଲେ ଏହି ସମୟରେ ଘଟଣାକ୍ରମେ ଅନ୍ୟ ଏକ ଦୃଶ୍ୟ ଦୃଶ୍ୟାନ୍ତର ଦେଖିବାକୁ ମିଳିଲା, ଯାହା ମୋତେ ଆଶ୍ଚର୍ଯ୍ୟ ଚକତି କରି ରଖି ଦେଇଥିଲା। ଇଏ ବୋଧେ ଜିନି ଆଉ ଲିଟନ, ମଦ ନିଶାରେ ଫେରୁଥିଲେ ଝୁମିଝୁମି। ମଦ ନିଶାରେ balance fail କରି ମଝିରେ ମଝିରେ ଝୁଣ୍ଟି ପଡୁଥିଲେ ଉଭୟ ଉଭୟଙ୍କ ଉପରକୁ। ତେଣୁ ଇଏ ତା କାନ୍ଧ ଉପରେ ନତୁବା ସେ ତା କାନ୍ଧ ଉପରେ ଭରା ଦେଇ ଆସିଗଲେ ହଷ୍ଟେଲ୍ ଗେଟ୍ ଯାଏଁ। ମୁଁ ଟିକେ ଟିକୁ ହାତଟାକୁ ଭିଡ଼ି ନେଇ ଦଣ୍ଡେ ଅଟକିବାକୁ ଇସାରା ଦେଲି। ଜିନି ନିଶାରେ ବି ମୋତେ ଚିହ୍ନି ନେଇ କହିଲା-” ପ୍ଳିଜ୍ ପ୍ରକାଶ ୟାଙ୍କୁ ଟିକେ ସାଙ୍ଗରେ ତୁମ ହଷ୍ଟେଲ୍ ନେଇ ଯାଅ, ସେ ଆଉ ଅବସ୍ଥାରେ ନାହାଁନ୍ତି “। ସେ ତ ନକହି ଥିଲେ ବି ମୁଁ ମୋ କର୍ତ୍ତବ୍ୟ କରିଥାନ୍ତି। କିନ୍ତୁ ହଷ୍ଟେଲ୍ ଗେଟ୍ ଯେ! ତାଲା। ଏ ଜିନି ଏତେ ରାତିରେ କୁଆଡ଼େ ଯିବ? ଜିନି କିନ୍ତୁ ବେଶ୍ ନିର୍ଭୀକ ଜଣା ପଡୁଥିଲା।ଡାକିଲା – “ଏ ବାହାଦୁର!” ବାହାଦୁର ଆସ୍ଥେପୁଣି ଗେଟଟା ଖୋଲି ଦେଲା ।ଜିନି ଭିତରକୁ ପଶି ଯାଉ ଯାଉ ତା ହାତରେ ପର୍ସରୁ ଖୋଲି ଗୋଟେ ଖଡଖଡିଆ ନୋଟ୍ ଧରେଇ ଦେଇ ନିର୍ବିଘ୍ନରେ ଭିତରକୁ ଚାଲିଗଲା। ସେ ଦୃଶ୍ୟଟା ଆଖି ସାମ୍ନାରୁ ଲିଭି ଯାଉଥିଲା, ଆମେ ଲିଟନକୁ କାନ୍ଧ ଓ ହାତରେ ସାହାରା ଦେଇ ଫେରି ଆସିଥିଲୁ ବଏଜ ହଷ୍ଟେଲ ।  ସେଦିନର ଏ ମାରାଥନ ଦୌଡ଼ ସେଇଠି ସେତିକିରେ ସରି ଯାଇଥିଲା।


Rate this content
Log in

Similar oriya story from Romance