STORYMIRROR

Lalita Mohan Mishra

Romance Others

4  

Lalita Mohan Mishra

Romance Others

ଅନ୍ତରଙ୍ଗ ଉଚ୍ଛ୍ବାସ

ଅନ୍ତରଙ୍ଗ ଉଚ୍ଛ୍ବାସ

11 mins
2.2K


ରାଜପଥ ଉପରେ ଦ୍ରୁତଗାମୀ ବସ୍ ଟି ଅଣନିଶ୍ବାସୀ ହୋଇ ଛୁଟିଛି । ଆସନ୍ତା କାଲି ସକାଳେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ଲାଗି ସେ ଯେମିତି ବ୍ୟସ୍ତ ବିବ୍ରତ । ବସ୍ ଚାଲିଛି ଏବଂ ତାର ଦୁଇ ପାଖର ଦୁଇଧାଡ଼ି ଗଛ ସତେକି ଗତିଶୀଳ ହୋଇପଡିଛନ୍ତି । ଦୁଇ ପାଖର ଦିଗହଜା ବିଲ ଗୁଡ଼ିକ ହତଶ୍ରୀ ଦେଖା ଯାଉଅଛି । ମନ ଯେପରି ତିକ୍ତ ହୋଇ ଉଠିଲାଣି । ଆଗରେ ବସିଥିବା ବାବୁ ଜଣକର ସିଗାରେଟ୍ ଧୂଆଁ ଗୁଡିକ ମୁଖ ମଣ୍ଡଳକୁ ଅଣନିଶ୍ବାସୀ କରି ପକାଉଛି । ତାଙ୍କ ପାଖରେ ବସିଥିବା ଯୁବକଟି ନିଜ ମୋବାଇଲ୍ ରେ ୟୁଟୁବ୍ ଦେଖି ହସିବାରେ ଲାଗିଛି । ସେ ପାଖରେ ଚିତା ଚୈତନ କାଟି ବସିଥିବା ଲୋକଟି ଅନର୍ଗଳ ବକ୍ତୃତା ଦେବାରେ ବ୍ୟସ୍ତ । ଆର ପାଖକୁ ଯେଉଁ ଅର୍ଦ୍ଧ ବୟସ୍କ ଚନ୍ଦା ମୁଣ୍ଡିଆ ଲୋକଟି ବସିଛି, ତାକୁ ଏତେ ନିଦ ଯେ ପାଖରେ ବସିଥିବା ଲୋକଟି ଉପରକୁ ଲୋଟେଇ ପଡୁଛି । କହୁଣି ଖେଞ୍ଚା ଚୁଟି ଭିଡା ଓ ଗେବା ଖାଇ ମଧ୍ୟ ଲୋକଟିର ନିଦ ଭାଙ୍ଗୁ ନାହିଁ । ମୋର ପାଖ ସିଟ୍ ଟି ଖାଲି ପଡିଛି । କିଏ କେଉଁଠୁ ଉଠିବ ବୋଲି ଟିକେଟ୍ କରିଛି କେଜାଣି ? ସୂର୍ଯ୍ୟ ପଶ୍ଚିମାକାଶରେ କେତେବେଳୁ ବୁଡି ଗଲେଣି । ଅନ୍ଧାର ଘୋଟି ଆସିଲାଣି । ଗାଡି ଭିତର ଲାଇଟ୍ ଗୁଡିକ ମନକୁ ଆନ୍ଦୋଳିତ କରୁଛି । ପ୍ରତ୍ୟୁଷ ଏକା ବସି କଅଣ ଗୁଡାଏ ଭାବି ଭାବି ଆଖି ଲାଗି ଯାଇଛି ।


ବସ୍ ଭିତରେ ଥିବା କେତୋଟି କ୍ଷୀଣାଭ ଆଲୋକ ବ୍ୟତୀତ ଅନ୍ୟ ସବୁ ଆଲୋକକୁ ଲିଭାଇ ଦିଆଯାଇଛି । ସେହି ଅନ୍ଧକାର ଶୀତଳ ପବନ ପରିବେଶରେ ଅଧିକାଂଶ ଯାତ୍ରୀ ଶୋଇ ପଡିଛନ୍ତି । ପଛ ସିଟ୍ ରେ ବସିଥିବା ମୋଟା ନିଶୁଆ ଲୋକଟି ବର୍ଷା ରାତିରେ ବେଙ୍ଗ ରଡିକଲା ପରି ଶୋଇ ଘୁଘୁଂଡି ମାରୁଛି । ସବା ପଛ ସିଟ୍ ରେ ବସିଥିବା ଦୁଇଜଣ ମଫସଲୀ ଯାତ୍ରୀ ତାଙ୍କର ଗାଁ ରେ ଏ ବର୍ଷ ଦଣ୍ଡ ନାଟ କେମିତି ହେବ ସେ ବିଷୟରେ କାହାଣୀ ପେଡି ଖୋଲି ଦେଇଛନ୍ତି । କଣ୍ଡକ୍ଟରର ସିଟ୍ ତଳକୁ କ୍ଲିନରଟି ଠିଆ ହୋଇ ବାହାରକୁ ମୁଣ୍ଡ କାଢି ବିଡି ଟାଣୁଛି । ବେଳେ ବେଳେ କଚିମ ମୁଣ୍ଡ କାଢିଲା ପରି ମୁଣ୍ଡଟିକୁ ଓଟାରି ଆଣି ଯାତ୍ରୀ ମାନଙ୍କ ଉପରେ ଆଖି ବୁଲାଇ ଆଣୁଛି । କାହାର ସ୍ପର୍ଶରେ ହଠାତ୍ ଅମାନିଆ ନିଦଟା ଭାଙ୍ଗିଗଲା ପ୍ରତ୍ୟୁଷର । ଦେଖିଲା ଜଣେ ତରୁଣୀ ତାର ପାଖ ସିଟ୍ ରେ ବସିଛନ୍ତି । କେଉଁଠୁ ଉଠିଲେ କେଜାଣି ସେ ଜାଣି ପାରି ନାହିଁ । ତରୁଣୀଙ୍କର ବୟସ କ୍ଷୀଣାଭ ଆଲୋକରେ ସ୍ପଷ୍ଟ ବାରି ହେଉନାହିଁ । ତରୁଣୀଟି ମୁହଁରେ ଓଢଣାଟି ପକାଇ ଦେଇଛନ୍ତି । ତେଣୁ ମୁଖ ମଣ୍ଡଳଟି ସମ୍ପୂର୍ଣ୍ଣ ଜଣା ପଡୁନାହିଁ । ନିଜର ପରିପୃଷ୍ଟ ଶରୀରର ସମସ୍ତ ଭାରା ପ୍ରତ୍ୟୁଷର କାନ୍ଧ ଉପରେ ଲଦି ଦେଇ ଢୁଳେଇ ପଡିଛନ୍ତି । ପ୍ରତ୍ୟୁଷ ଦୁଇ ତିନି ଥର ଡାକିଲେଣି, କିନ୍ତୁ ସମସ୍ତ ପ୍ରୟାସ ବ୍ୟର୍ଥ । ଅଝଟ ଅମାନିଆ ପିଲାକୁ ବାରଣ କରା ଯାଇଥିବା କାର୍ଯ୍ୟରେ ହାତ ଦେଲା ପରି, ଯୁବତୀଟି ଚେଇଁ ଉଠି ଅଳ୍ପ ସମୟ ପାଇଁ ପ୍ରକୃତିସ୍ଥ ହେଲା ପରେ ପୁଣି ପ୍ରତ୍ୟୁଷ ଉପରକୁ ଢୁଳେଇ ପଡିଲା ।


ଯୁବତୀର ମୁଖ ମଣ୍ଡଳକୁ ଭଲ ଭାବରେ ନିରିଖେଇଲା ପ୍ରତ୍ୟୁଷ । ପାନପତ୍ର ପରି ମୁହଁଟି । ଯୁବତୀର ମୁଖ ମଣ୍ଡଳଟି ନିଦ ଅଳସରେ ଦିଶୁଥିଲା ବେଶ୍ ଭିରୁ ମଦିର । ମୁଦ୍ରିତ ପଦ୍ମପାଖୁଡା ପରି ଶାନ୍ତ ନିଥର ଥିଲା ତାହାର ଘୁମନ୍ତ ଆଖି ଯୋଡିକ। ସାନ ସାନ ଭଅଁର ଭଳି କେରି କେରି ଚୂର୍ଣ୍ଣ କୁନ୍ତଳ ତାହାର କପାଳ ଉପରେ ପବନ ପରି ଉଡି ବୁଲୁଥିଲା । ତାହାର ସରୁ ନାକପୁଡାରୁ ନିଶ୍ବାସ ଗୁଡିକ ଆସି ବାଜୁଥିଲା ପ୍ରତ୍ୟୁଷର ଚିବୁକ ଓ ଗଣ୍ଡଦେଶରେ । ନିଜ ଭିତରେ ଏକ ମଧୁର ଭାବାବେଗ ଅନୁଭବ କରୁଥିଲା ପ୍ରତ୍ୟୁଷ । ଆଖିରେ ଆଉ ତାର ନିଦ ନ ଥିଲା । ହଠାତ୍ ସେ ଲକ୍ଷ୍ୟ କଲା - କଣ୍ଡକ୍ଟର ସିଟ୍ ପାଖରେ ଠିଆ ହୋଇଥିବା ସେହି ଟୋକା କ୍ଲିନରଟି ବଲ ବଲ କରି ଚାହିଁ ରହିଛି ଯୁବତୀକୁ । ପବନରେ ଛାତିର ଶାଢୀଟି ଖସି ଯାଉଛି ଯୁବତୀର । ତାହାର ଉଦ୍ଧତ ଛାତିରେ ଯୌବନର ସେହି ବିସ୍ମୟକର କାରୁକାର୍ଯ୍ୟ ମଧ୍ୟରେ ଚକ୍ ଚକ୍ କରୁଛି ତାର ସେହି ସୁନାହାର ଲକେଟ୍ ଟି । ସୁନା ଲକେଟ୍ ଟି ନା ଯୌବନର ବିସ୍ମୟକର କାରୁକାର୍ଯ୍ୟ ଉପରେ... ମୋ ବ୍ୟତୀତ ଯେପରି ଅନ୍ୟ କାହାର ଦୃଷ୍ଟି ନ ପଡୁ । ସେହି ଭାବରେ ପ୍ରତ୍ୟୁଷ ନିଜ ହାତରେ ଶାଢୀଟି ସଜାଡି ଦେଲା ।


ଅଳସ ଆଖି ପିଠାଇ ଚାହିଁଲା ଯୁବତୀଟି । ପୁଣି ଶୋଇଗଲା । ନିଜକୁ ଅସହଜ ବୋଧ ହେଉଥିଲେ ମଧ୍ୟ ଯୁବତୀକୁ ଉଠାଇ ବାକୁ ଚେଷ୍ଟା କରୁ ନ ଥିଲା ପ୍ରତ୍ୟୁଷ । କ୍ଷୀଣାଭ ଆଲୋକରେ ପ୍ରତ୍ୟୁଷକୁ ଯୁବତୀଟି ଚିହ୍ନା ଚିହ୍ନା ଲାଗୁଥିଲା । ଆଉ କ'ଣ ଇଏ ସେ ସୁପ୍ରଭାତି ନୁହେଁ ତ.....


ଏହା ଭିତରେ ବିତିଯାଇଛି ତିନି ଚାରି ବର୍ଷ । ସେଦିନ ବାପାଙ୍କର କଥା ରକ୍ଷା କରି ଝିଅ ଦେଖିବାକୁ ଯାଇଥିଲି ସୁପ୍ରଭାତିକୁ । ଗୋଟିଏ ଚାଉଳରେ ଗଢ଼ା । ମନ ମୋର ଲାଖି ରହିଥିଲା ତାରି ପାଖରେ । ବାପାଙ୍କୁ ନିଜର ମତବ୍ୟକ୍ତ କରି ଦେଇଥିଲା ପ୍ରତ୍ୟୁଷ । ଆପଣଙ୍କର ପସନ୍ଦ ମୋର ପସନ୍ଦ । ସୁପ୍ରଭାତିର ମନ ଆକାଶରେ ଆଶାର ଇନ୍ଦ୍ରଧନୁ । ଷୋଡ଼ଶୀ କୁଆଁରୀ ଆଖିରେ ଚହଲା ସ୍ବପ୍ନର ଢେଉ । ଅନାଗତ ଭବିଷ୍ଯତର ଅସୁମାରୀ ଆଶାରେ ରଙ୍ଗୀନ ହୋଇ ଉଠିଲା ଦିନରାତି । ସେ ବୁଝିପାରି ନ ଥିଲା ଟୋପାଏ ସିନ୍ଦୂର, ଦୁଇପଟ ନାଲିଶଙ୍ଖା ପାଇଁ ନାରୀ ମନର ଏ ଦୁର୍ବାର ଆକର୍ଷଣ, ଅସରନ୍ତି ମମତ୍ବବୋଧ କାହିଁକି ? କିନ୍ତୁ ଦୁର୍ଭାଗ୍ୟ କଥା ହେଲା ପ୍ରତ୍ୟୁଷ ଟିକେ ଦେଖିବାକୁ କଳା । ସୁପ୍ରଭାତି ଦେଖିବାକୁ ଅତି ସୁନ୍ଦରୀ । ପ୍ରତ୍ୟୁଷର ମନ ପାଇଥିଲେ ମଧ୍ୟ ସୁପ୍ରଭାତିର ମାଆ କିନ୍ତୁ ରାଜି ନ ଥିଲେ ଝିଅ ଦେବାକୁ ।


ପ୍ରତ୍ୟୁଷ ସରକାରୀ ଚାକିରୀ କରିଥାଏ । ପ୍ରାଇମେରୀ ଶିକ୍ଷକ ଭାବରେ ନିଯୁକ୍ତି ପାଇଥାଏ ବୋରିଗୁମ୍ମା ବ୍ଳକରେ । ସାଧାରଣ ଶିକ୍ଷକଟିଏ ଏପଟେ ଦେଖିବାକୁ ଭାଲୁ ପରି କଳା କହି ସୁପ୍ରଭାତିର ମାଆ ବିବାହ ପ୍ରସ୍ତାବକୁ ଅସ୍ବୀକାର କଲେ । ସୁପ୍ରଭାତିର ବାପା କିନ୍ତୁ ରାଜି ଥିଲେ । କାହିଁକି ନା ପିଲାଟି ଅତ୍ୟନ୍ତ ଧୀର ସ୍ଥିର ଶାନ୍ତ,ସରଳ, ଭଦ୍ର ଓ ନମ୍ର । ଯାହା ହେଲେ ମଧ୍ୟ ସରକାରୀ ଚାକିରୀଟିଏ କରିଛି ? ସରଳିଆ ପିଲାଟି ପ୍ରତ୍ୟୁଷ । ଲେଖା ଯୋଖା ରେ ଜଣେ ସମ୍ପର୍କୀୟ ମାମୁଁ : ସେଇ ବାହାଘର ପ୍ରସ୍ତାବଟିକୁ ଆଣିଥିଲେ । ଫଟୋ ଦେଖି ଉଭୟ ପରିବାର ପ୍ରଥମେ ସମ୍ମତି ପ୍ରକାଶ କରିଥିଲେ । ଆଉ ତାପରେ ଦେଖା ଚାହାଁ ହୋଇଥିଲା । ସବୁ କଥା ବି ଛିଣ୍ଡି ଯାଇଥିଲା, କେବଳ ନିର୍ବନ୍ଧ ହିଁ ବାକି ଥିଲା ।


ନିର୍ବନ୍ଧ ପୂର୍ବ ରାତିରେ ହିଁ ସବୁ କିଛି ବଦଳି ଯାଇଥିଲା । ସୁପ୍ରଭାତି ମାଆଙ୍କର ପ୍ରଥମରୁ ମନ ଟିକେ ଫିଟି ଯାଇଥିଲା । କିନ୍ତୁ ତାର ବାପାଙ୍କ କଥାରେ, ହଁ ନାହିଁରେ ଚଳେଇ ଦେଇଥିଲେ । ସୁପ୍ରଭାତିର ମାଆକୁ କିଏ କହିଦେଲେ ଯେ ପିଲାଟା ଭାଲୁ ପରି କଳା, ତୁମ ଝିଅ ସହିତ ଯୋଡି ଜମିବନୀ । ଯେମିତି ଜବରଦସ୍ତି ନେଇକି ଥୋଇ ଦେଲା ପରି ଲାଗିବ । ବାସ୍ ଏଇ କୁମନ୍ତ୍ରଣା ଯୋଗୁ ସେଦିନ ରାତି ରେ ମହାଭାରତ । ତା ମାଆ ର ଏକା ଜିଦ, ସେ କଳା ଜ୍ୱାଇଁ କରିବନି । ବାହାଘର ସେଠି ହବନି । ବାପା ତାର କଥା ଦେଇଛନ୍ତି ଆଉ ବାହାଘର ଭାଙ୍ଗିବା ଅସମ୍ଭବ । ବାପା ବୋଉ ଙ୍କ ଭିତରେ ଭୀଷଣ ଝଗଡା । ଦୁହେଁ ଦୁହିଁଙ୍କ ଜିଦ ରେ ଅଟଳ । 


ଶେଷରେ ବୋଉ ର ଜିଦ ରହିଲା କାହିଁକି ନା ସୁପ୍ରଭାତିର ବୋଉ ଆତ୍ମହତ୍ୟା କରିବ ବୋଲି ଡରେଇ ଦେଲା । ବିଚରା ବାପ ଅନ୍ୟୋନ୍ୟ ଉପାୟ ନ ପାଇ କିଛି ଆଳ ଦେଖେଇ ପ୍ରତ୍ୟୁଷ ସହିତ ବାହାଘର କରିବା ପାଇଁ ମନା କରିଦେଲେ । ଲୋକ ହସା ହେଲେ । ସେହିଦିନ ଠାରୁ ସୁପ୍ରଭାତିର ବାପା ବୋଉ ଙ୍କ ଭିତରେ ଆଉ ଭଲ ସମ୍ପର୍କ ନାହିଁ । ବୋଉର ପସନ୍ଦ ରେ ବିବାହ ହେଲା । ଗୋରା ତକ ତକ ରାଜକୁମାର ପରି ବଳିଷ୍ଠ ଚେହେରା ସୂର୍ଯ୍ୟକାନ୍ତ ଙ୍କ ସହିତ ସୁପ୍ରଭାତିର ବିବାହ ହେଲା । ପ୍ରଥମେ ପ୍ରଥମେ ସବୁ ଭଲ ରେ ଚାଲିଲା । ହେଲେ ଧୀରେ ଧୀରେ ସେଇ ଗୋରା ଚେହେରା ପଛ ର କଳା କାରନାମା ଜଣା ପଡିଲା.... ସବୁ ସହିବାକୁ ପଡିଲା ସୁପ୍ରଭାତିକୁ । ସୂର୍ଯ୍ୟକାନ୍ତ ସୁପ୍ରଭାତିର ମନ ଭିତରେ ଥିବା ଅନେକ ଆଶା ଓ ସ୍ବପ୍ନକୁ ସାକାର କରିବା ପାଇଁ ପ୍ରଥମେ ପ୍ରତିଶୃତି ଦେଇଥିଲେ । ପତିପତ୍ନୀର ସମ୍ପର୍କ ଭିତରେ ଭଲ ପାଇବା ଓ ବିଶ୍ବାସର ଦୃଢ଼ତା ଥିଲା ସୁପ୍ରଭାତିର କାମ୍ୟ । କିନ୍ତୁ ଫଳ ସବୁ ଓଲଟା ହେଲା । ବାସର ରାତିରେ ସୂର୍ଯ୍ୟକାନ୍ତ ମାତ୍ରାଧିକ ମଦ୍ୟପାନ କରି ଗୃହ ମଧ୍ୟକୁ ପ୍ରବେଶ କରିଥିଲେ । ଜୀବନର ପ୍ରଥମ ମଧୁର ମୁହୂର୍ତ୍ତଟିକୁ ଲୁହରେ ଭସାଇ ଦେଇଥିଲା ସୁପ୍ରଭାତି । ପ୍ରତିଦିନ ପିଇ କରି ଘରକୁ ଆସିବା ତାଙ୍କର ପଦମର୍ଯ୍ୟାଦର, ଆଧୁନିକତାର ଅଂଶବିଶେଷ ବୋଲି କହିଥିଲେ । ମନଟି କ୍ଷତବିକ୍ଷତ ଲହୁଲୁହାଣ ହୋଇଥିଲେ ମଧ୍ୟ ସେ କ୍ଷତର ଯନ୍ତ୍ରଣା କାହା ଆଗରେ ପ୍ରକାଶ କରି ପାରିଲା ନାହିଁ । କାରଣ "ନାକ କାଟିଲେ ମୁହଁଟି ଯାକ ରକ୍ତ" । ବୋଉ ଭଲ ବର ଦେଖି କରିଛି, କହିବ ଆଉ କାହାକୁ ?


ସୁପ୍ରଭାତି ଚାହିଁଥିଲା ଛୋଟିଆ ସଂସାରରେ ସ୍ବର୍ଗଟିଏ ଗଢିବାକୁ । ପରସ୍ପରର ସ୍ନେହ ପ୍ରେମରେ ହଜିଯିବାକୁ । ପାଖରେ ରହୁଥିବା ଦୈନିକ କୁଲି ମଜୁରିଆ ବାନା ପରିବାରକୁ ଦେଖିଛି । କେତେ ଖୁସି କେତେ ଆନନ୍ଦ ଉଲ୍ଲାସ ସ୍ବାମୀ ସ୍ତ୍ରୀ ମଧ୍ଯରେ । ଦିନଯାକ ପରିଶ୍ରମ କଲେ ମଧ୍ୟ ସନ୍ଧ୍ୟା ବେଳକୁ ସ୍ତ୍ରୀ ପାଇଁ କ'ଣ ଗୋଟିଏ ହାତରେ ଧରି କରି ଆସିଥିବ ! ଆଉ ତାର ସ୍ତ୍ରୀ ପ୍ରତୀକ୍ଷା କରିଥାଏ ବାନା କେତେବେଳେ ଆସିବ ? କେତେ ସ୍ନେହ କେତେ ନିବିଡତା ସେଇ ଅଭାବୀ ସଂସାରରେ । ସବୁ ଦୁଃଖ ଭୋକ ଉପାସ ସହି ସେମାନେ ହସି ହସି ଝଡଝଞାକୁ ସାମନା କରୁଛନ୍ତି । ଜୀବନକୁ ଜୀବନ ଭଳି ଉପଭୋଗ କରୁଛନ୍ତି । ସୁପ୍ରଭାତି ଆଖିରେ ଲୁହ ଆସେ । ସେ ବିଳାସପୂର୍ଣ୍ଣ ଅଟ୍ଟାଳିକା ଭିତରେ ମହାକାଳ ଫଳ ପରି ପୋଡା ଅଙ୍ଗାରକୁ ଅନୁଭବ କରେ.। ଅଥଚ ବାନାର କୁଡିଆଟି କେତେ ସୁନ୍ଦର ?


ସୂର୍ଯ୍ୟକାନ୍ତ ସୁପ୍ରଭାତି ପରି ସୁନ୍ଦରୀ ସ୍ତ୍ରୀ କୁ ପାଇ ବୋଧହୁଏ ଖୁସି ନ ଥିଲେ ? ରାତି ରାତି ଅଫିସ୍ କାମ ବାହାନାରେ ବାହାରେ କଟାଇବା ଗୋଟିଏ ଅଭ୍ୟାସ । ଘରକୁ ଯେବେ ଆସନ୍ତି ଫୋନ୍ ରେ ଖାଲି ଗପିବା । ସ୍ବାମୀ ସ୍ତ୍ରୀ ମଧ୍ଯରେ ସୁଖ ଦୁଃଖ ହସ ଖୁସି ବାଣ୍ଟିବା କେବେ ଜାଣିନାହିଁ ସୁପ୍ରଭାତି । ଏସବୁ କଥା କାହାକୁ କହିବ ? ତାକୁ ନେଇ ବାପା ବୋଉଙ୍କର ମନାନ୍ତର ମତାନ୍ତର... ତାର ମନରେ ଗଭୀର ରେଖାପାତ କରିଅଛି ।


ସ୍ୱାମୀ ନୁହେଁ ସେ ଗୋଟିଏ ନର ପିଶାଚ । ନିଇତି ରାତିରେ ମଦ ପିଇ ସୁପ୍ରଭାତି ସହିତ ଜୋର ଜବରଦସ୍ତ କରି ନିଜ ସ୍ୱାମୀ ପଣିଆ ଜାହିର କରେ । ମା ହବାର ସୌଭାଗ୍ୟ ମିଳିଲା ନାହିଁ ଏ ଯାଏଁ । ନାରୀ ର ଯାହା ସ୍ବପ୍ନ... ସେ ସ୍ବପ୍ନକୁ ସାକାର କରି ଦେଉ ନାହାଁନ୍ତି । ନିଜ ମାତୃତ୍ୱ କୁ ବାରମ୍ବାର ବଳୀ ଦେବାକୁ ଚାପ ସୃଷ୍ଟି କରି ସଫଳ ହେଉଛନ୍ତି। ଏ ଥରକୁ ମିଶାଇ ତିନି ଥର ମାତୃତ୍ୱରୁ ବଞ୍ଚିତ ହେଲାଣି । ସୂର୍ଯ୍ୟକାନ୍ତ ଏତେ ଶୀଘ୍ର ବାପା ହେବାକୁ ଚାହାଁନ୍ତି ନାହିଁ । ଖାଲି ଉପଭୋଗ କରିବାକୁ ଚାହାଁନ୍ତି । ସ୍ତ୍ରୀ ନୁହେଁ କେବଳ ଶଯ୍ୟା ସଙ୍ଗିନୀ ସୂର୍ଯ୍ୟକାନ୍ତ ପାଇଁ । ମୁହଁ ଖୋଲିଲେ ଅତ୍ୟାଚାର ଆହୁରି ବଢିଯାଏ, ସେସବୁ ମନେ ପଡିଲେ ଲୋମ କୂପ ଶିହରୀଯାଏ । ଓଠ ଥରି ଥରି ନିଜ ଭାବନା ରୁ ବିରତ ନିଏ । ସୁପ୍ରଭାତିର ଆଖିରୁ ଲୁହ ଶୁଖେ ନାହିଁ । ମନ ଗମ୍ଭୀର ଆଉ ଉଦାସ ।


ନାରୀ ଜୀବନର ଯେଉଁ ପୂର୍ଣ୍ଣତା ସେ ଆଶା କରିଥିଲା, ବହୁଦୂର ପର୍ଯ୍ୟନ୍ତ ତାହା ସେ ଆଉ ଦେଖି ପାରୁନାହିଁ । ତା' ସଂସାରର ଦିଗହଜା ତରଣୀକୁ ଏ ଶୂନ୍ଯତା ଯେଉଁ ଆଡକୁ ଭସେଇ ନେବ, ସେ ସେ' ଆଡକୁ ଭାସିଯିବ । ଏଣିକି ତାକୁ ସଂସାର ପଥରେ ଏକାକୀ ବାଟ ଚାଲିବାକୁ ହେବ । ଏ କଥା ସବୁ କହିଥିଲା ପ୍ରତ୍ୟୁଷକୁ ତାର ବନ୍ଧୁ ବୈଷ୍ଣବ । ଏହା ଭିତରେ କେତେବେଳୁ ପ୍ରକୃତିସ୍ଥ ହୋଇ ବସିଲାଣି ସୁପ୍ରଭାତି ।


ପାଖରେ ବସିଥିବା ପ୍ରତ୍ୟୁଷକୁ ଦେଖି ସଲ୍ଲଜ କଣ୍ଠରେ କହିଲା, ମୁଁ ଆପଣଙ୍କୁ କେଉଁଠି ଦେଖିଛି ? ପ୍ରତ୍ୟୁଷ ନ ଜାଣି ଥିବାର ଅଭିନୟ କର କହିଲା - ହଁ କେଉଁଠି କେବେ ଦେଖିଥିବେ ? କିଛି ସମୟ ନିରବୀ ଗଲା ସୁପ୍ରଭାତି । ମନେ ପକାଇବାକୁ ବହୁତ ଚେଷ୍ଟା କଲା ! କେଉଁଠି ଦେଖିଛି.... କେଉଁଠି ଦେଖିଛି... ଭାବି ଭାବି ଶେଷରେ ପ୍ରଶ୍ନ କଲା ? ଆପଣ ପ୍ରତ୍ୟୁଷ ବାବୁ କି ? ପ୍ରତ୍ୟୁଷ କଥାକୁ ଭିନ୍ନ ଢଙ୍ଗରେ ନେଇ ପଚାରିଲା ? ଆପଣ କୁଆଡେ ଯିବେ ? କିଏ ସାଥିରେ ଆସିଛନ୍ତି..... ଇତ୍ୟାଦି.. ଇତ୍ୟାଦି...


ସୁପ୍ରଭାତି ସମସ୍ତ ପ୍ରଶ୍ନର ଉତ୍ତର ସଂକ୍ଷିପ୍ତରେ ଦେବାକୁ ଇଛା କଲା । ଜୟପୁର ଡିଇଓ ଅଫିସ୍ ରେ ମୋର ସାର୍ଟିଫିକେଟ ଭେରିଫିକେସନ୍ ପାଇଁ ଆସିଛି । ମୋର ସାଥିରେ କେହି ଆସି ନାହାଁନ୍ତି । ପ୍ରତ୍ୟୁଷ କହିଲା- ଯଦି ଖରାପ ଭାବିବ ନାହିଁ, କଥାଟିଏ କହିବାକୁ ଇଛା କରୁଅଛି । କୁହନ୍ତୁ - ଜୟପୁର ବୋରିଗୁମ୍ମା ଠାରୁ ମାତ୍ର ୨୨-୨୫ କିଲୋମିଟର । ମୋର ଘରେ ଆପଣ ଫ୍ରେସ୍ ହୋଇଯିବେ । ମୁଁ ମୋର ମଟରସାଇକେଲରେ ଆପଣଙ୍କୁ ଜୟପୁର ନେଇଯିବି । ଆପଣଙ୍କର ସାର୍ଟିଫିକେଟ ଭେରିଫିକେସନ୍ କରାଇ ଦେବି । ଯଦି ସନ୍ଧ୍ୟାରେ ଆପଣ ଫେରି ଯିବାକୁ ଚାହିଁବେ ଫେରିଯିବେ । ନାହିଁ ଦିନେ ଦୁଇଦିନ ମଧ୍ୟରେ ଯଦି ପୋଷ୍ଟିଂ ଅର୍ଡର ପାଇଯାଇଛନ୍ତି ଜଏନ୍ କରି ଛୁଟି ନେଇ ପରେ ଘରକୁ ଯିବେ ।


ଅସହାୟ ସମୟରେ କେହି ଜଣେ ସହଯୋଗର ହାତ ବଢାଇ ଥିବାରୁ କୃତକୃତ୍ୟ ହେଲା । କିନ୍ତୁ ମୂଖରେ ପ୍ରକାଶ କଲା ନାହିଁ । ସେଦିନ ପୂର୍ବ ସୂଚନା ମୁତାବକ ଦୁହେଁ ସାର୍ଟିଫିକେଟ ଭେରିଫିକେସନ୍ କଲେ । ଦୁଇଦିନ ମଧ୍ୟରେ ପୋଷ୍ଟିଂ ଅର୍ଡର ପାଇଯିବେ ବୋଲି ଅଫିସ୍ ରେ ଜଣାଇ ଦେଲେ । ପୁଣି ଘରକୁ ଯାଇ ପୁଣି ସଙ୍ଗେ ସଙ୍ଗେ ଫେରିବା କଷ୍ଟକର... ସବୁ କାମ ସାରି ଅଫିସ୍ ଫେରିଲା ବେଳକୁ ପାଞ୍ଚଟା ହୋଇଗଲା । ଗାଡି ଛଅଟା ରେ ଅଛି କ'ଣ କଲେ ଭଲ ହେବ ଚିନ୍ତା କରି ପାରୁ ନ ଥାଏ ସୁପ୍ରଭାତି । ପ୍ରତ୍ୟୁଷ ଅଧିକ କିଛି କହିବାକୁ ଉଚିତ୍ ମଣୁ ନ ଥାଏ । ମଟରସାଇକେଲଟି ଜୟପୁରରୁ ବୋରିଗୁମ୍ମା ଅଭିମୂଖେ ଚଲାଉଥାଏ । ହଠାତ୍ ଅଦିନିଆ ବର୍ଷାଟି କେଉଁଠି ଥିଲା କେଜାଣି ମୂଷଳଧାରାରେ ଅଜାଡିବାରେ ଲାଗିଲା । ଆଖ ପାଖ ଘର ନାହିଁ । ଦୁହେଁ ବର୍ଷାରେ ବୁଡି ଗଲେଣି । ମୁହଁକୁ ମୁହଁ ଦେଖା ଯାଉ ନାହିଁ । ହଠାତ୍ ରାସ୍ତାରେ ଗୋଟିଏ ଅପରିତ୍ୟକ୍ତ ରେଷ୍ଟ ହାଉସ୍ ଦେଖିଲେ । ଭାବ ବିଚାର ନ କରି ଗାଡିଟିକୁ ସାଇଟ୍ କରି ଦୁହେଁ ଉପରକୁ ଉଠିଗଲେ ।


 ଭିତରେ ପଶୁ ପଶୁ ଉଭୟେ ପୁରା ଭିଜି ଯାଇଥିଲେ। ସୁପ୍ରଭାତି ଶାଢ଼ୀ ପିନ୍ଧିଥିଲା। ଅଧା ଭିଜା ଶାଢୀ, ତାର ସୌନ୍ଦର୍ଯ୍ୟକୁ ଅନେକ ଗୁଣ ବଢ଼ାଇ ଦେଇଥିଲା। ନିଜକୁ ଅସହଜ ଅନୁଭବ କରୁଥିଲା ସୁପ୍ରଭାତି । ମନର ଆବେଗକୁ ପରିପ୍ରକାଶ କରି ପାରୁ ନ ଥିଲା। ମୋ ଲାଗି ଆପଣ ଭିଜି ଗଲେ ବୋଲି କହିଥିଲା ପ୍ରତ୍ୟୁଷକୁ । ଛାତି ଉପରେ ଶାଢ଼ୀ ଅଜାଣତରେ ନିଜ ହାତରେ ସଜାଡି ନେଉଥିଲେ। ଦୁଇ ଜଣଯାକ ଓଦା ହେତୁ ଥର ଥର ହେଉଥିଲେ। ଦୁହେଁ ଥର ଥରରେ ଆକର୍ଷଣୀୟ ଲାଗୁଥିଲା ସୁପ୍ରଭାତି । ନିଜର ମୋବାଇଲ୍ ରେ ଏହି ଦୃଶ୍ୟକୁ କଏଦ କରିଥିଲା ପ୍ରତ୍ୟୁଷ । ମନା କରି ପାରୁ ନ ଥାଏ ସୁପ୍ରଭାତି । ଏପଟେ ବର୍ଷା ଛାଡିବାର ନାଁ ଗନ୍ଧ ନାହିଁ । ଧିରେ ଧିରେ ରତ ରତ ଅନ୍ଧାର । ସୁପ୍ରଭାତିର ଦୁଇ ତିନୋଟି ଫଟୋ ଉଠାଉ ଥାଏ ପ୍ରତ୍ୟୁଷ ମୋବାଇଲ୍ ରେ । କାଳେ ଖରାପ ଭାବିବ ଭାବି ଉଠାଇବାକୁ ଭୟ କରୁଥାଏ । କିନ୍ତୁ ପଥର ମୂର୍ତ୍ତିଟିଏ ଭଳି ସ୍ଥାଣୁ ହୋଇ ଛିଡା ହୋଇ ରହିଥାଏ ସୁପ୍ରଭାତି । ନିଁଆ ଆଉ ଘିଅ ଏକାଠି ରହିବା ଏତେ ସହଜ ନୁହେଁ । 


ସୁପ୍ରଭାତି କିଛି ବୁଝିବା ଆଗରୁ ଏକ ସୁନ୍ଦର ଚିହ୍ନା ଚିହ୍ନା ସ୍ପର୍ଶ ଅନୁଭବ ହେଲା ତା' ଛାତି ଉପରେ। ତା' ପରେ, ତା' ଦେହରେ ସଞ୍ଚରି ଗଲା କେମିତି ଗୋଟେ ଉଷ୍ମ ଅଥଚ ସୁନ୍ଦର ଆବେଗ। କିଛି ସମୟ ଭିତରେ ତାର ନାଭି ଗର୍ତ୍ତରେ କାହାରି ଓଦା ଓଠର ସ୍ପର୍ଶ। ଏସବୁ ଏତେ ଶୀଘ୍ର ହୋଇଗଲା, ସେ କିଛି ବି ଚିନ୍ତା ନକରି ଆଖି ବୁଜି ରହିଲା। ଯେତେବେଳେ ସେ ପ୍ରକୃତ ଘଟଣା ଜାଣିଲା, ସେ ଟିକେ ବି ବିରକ୍ତ ହେଲାନି। ଚିତ୍କାର କରିବା ବଦଳରେ ସେ ପ୍ରତ୍ୟୁଷକୁ ବହୁ ଜୋରରେ ଜାବୁଡି ଧରିଲା। ଏବେ ସୁପ୍ରଭାତିକୁ ଲାଗୁଥିଲା ସେ ତାର ପ୍ରିୟ ମଣିଷ ପାଖରେ ଅଛି। ନୀରବ ନିସ୍ତବ୍ଧ ପୃଥିବୀ । ବର୍ଷା ବନ୍ଦ ହୋଇଯିବା ପରେ ବି ଆଖପାଖର ଗଛ ଗହଳରୁ ଝରୁଥାଏ ଟପ୍ ଟପ୍ ପାଣି, ଏକ ମଧୁର ସଙ୍ଗୀତ ଭଳି। ସନ୍ଧ୍ୟା ଆଗମନରେ ପୂର୍ବ ସନ୍ଧ୍ୟାର ଭ୍ରମ । ଚାରିପାଖରେ ତିଆରି ହେଉଥାଏ ଏକ ଅଧିଭୌତିକ ପରିବେଶ । ସୁପ୍ରଭାତି ପ୍ରତ୍ୟୁଷର ଓଠରେ ଓଠ ଥାପି ଅଜାଡି ଦେଲା ସବୁତକ ଅଭୁଲା ସ୍ନେହ । ଆଜିର ଏହି ମହାର୍ଘ୍ୟ ମୁହୂର୍ତ୍ତକୁ ଦୁହେଁ ଅନୁଭବ କରୁଥିଲେ, କେଉଁ ଯୁଗରୁ ମନରେ... ଆତ୍ମାରେ ବସା ବାନ୍ଧି ସେହି ଅବ୍ୟକ୍ତ ଭାବନା ଅବ୍ୟକ୍ତ ପରଶ। ଦେହ ମନରେ ଦୁହିଁଙ୍କ ପରିତୃପ୍ତି ।


ଦୁହେଁ ରାତିରେ ବୋରିଗୁମ୍ମା ଫେରିଥିଲେ । ଦୁଇଦିନ ପରେ ଅର୍ଡର ମିଳିବ, ମୁଁ ମୋର ଜଣେ ସାଙ୍ଗଙ୍କ ବନ୍ଧୁଘରେ ରହିଛି ବୋଲି ଘରକୁ ଫୋନ୍ କରି ଜଣାଇଦେଲା । ରଙ୍ଗ ସିନା କଳା ହେଲେ ହୃଦୟ ଟା ପୁରା ସଫା ଅନୁଭବ କରୁଥାଏ ସୁପ୍ରଭାତି । ମନେ ମନେ ଭାବୁଥିଲା ସେଦିନ ଯଦି ବୋଉ ଜିଦ୍ ନ କରିଥାନ୍ତା ହୁଏତ ଆଜି ଏମିତ ଦିନ ତାକୁ ଦେଖିବାକୁ ପଡି ନଥାନ୍ତା । ନାରୀର ସୌନ୍ଦର୍ଯ୍ୟ ଓ ଶରୀର କେବଳ କାମନାର ସ୍ରୋତସ୍ୱିନୀଟିଏ ନୁହେଁ । ଜୀବନର ଚରମ ବିଶ୍ବାସଘାତକତା ହିଁ ତାକୁ ପରିବର୍ତ୍ତନ କରିଥାଏ । ମନ ଭିତରେ ବିଶ୍ବାସ ଓ ଭରସାର ଦୀପଟିଏ ଜାଳି ବେଳେ ବେଳେ ପ୍ରତୀକ୍ଷା କରିବାକୁ ପଡେ ସୁଖଦ ମୁହୂର୍ତ୍ତକୁ ।


ଦୁହେଁ ଏକାଠି ଏକ ଯୁଗଳବନ୍ଦୀ ଅଭିନୟରେ ଅଭିନୀତ ହେଲେ । ଦୁଇଦିନ ପରେ ପ୍ରତ୍ୟୁଷର ସ୍କୁଲ ଯିବା ରାସ୍ତାର ଦୁଇ କିଲୋମିଟର ପୂର୍ବରୁ ମୂଖ୍ୟ ରାସ୍ତା ଉପରେ ପୋଷ୍ଟିଂ ପାଇଲା ସୁପ୍ରଭାତି । ଦୁଇ ଜଣଙ୍କ ମଧ୍ୟରେ ଆନନ୍ଦ କହିଲେ ନ ସରେ । କିନ୍ତୁ ଜଣେ ଅନ୍ୟ ଜଣକୁ ଏ ଖୁସି ବ୍ୟକ୍ତ କରି ପାରୁ ନାହାଁନ୍ତି । ପ୍ରତ୍ୟୁଷ ସେହି ଦିନ ଠାରୁ ବିବାହ ବନ୍ଧନରେ ବାନ୍ଧି ହେବାପାଇଁ ଇଛା କରି ନାହିଁ । ତାର ବାପା ମାଆ କେତେ ବୁଝାଇଛନ୍ତି, ସେ ଝିଅ ହେଲାନି ବୋଲି ସଂସାରରେ ଆଉ କ'ଣ ଝିଅ ନାହାଁନ୍ତି । ମନର କଥାକୁ ମନରେ ଚାପି ଦେଇ କଥାକୁ ଏଡେଇ ଦିଏ । ହଁ ଦେଖିବା ଏବେ ଟିକେ ସ୍କୁଲ କାମ ଅଧିକ ପଡୁଛି... ଇତ୍ୟାଦି ଇତ୍ୟାଦି । ଥରେ ଅପମାନିତ ହୋଇ ଥିବା ହେତୁ ନିଜର ସୌନ୍ଦର୍ଯ୍ୟ ଏବଂ କଳା ଶରୀର ପାଇଁ ଦୁଃଖିତ ହୁଏ ।


ସୁପ୍ରଭାତି ଚାକିରୀରେ ଯୋଗ ଦେଇ ଆମେ ସାଙ୍ଗ ସାଥି ହୋଇ ଏକାଠି ରହିବୁ ବୋଲି ଘରେ କହି କିଛି ଚଳିବା ଜିନିଷ ନେଇ ପଳାଇ ଆସିଲା । ସୂର୍ଯ୍ୟକାନ୍ତ ଏସବୁ ମାମଲାରେ ହସ୍ତକ୍ଷେପ କଲା ନାହିଁ । ଯେମିତି ଜଣା ପଡୁଥିଲା ସେ ସୁପ୍ରଭାତି ଠାରୁ ଏକାକୀ ଇଚ୍ଛା କରୁଥିଲା । ଏକଦା ସର୍ବୋତ୍ତମ ପୁରୁଷ ସୂର୍ଯ୍ୟକାନ୍ତଙ୍କୁ ଛାଡି ଏକାକୀ ରହିବାରେ ସୁପ୍ରଭାତି ମ୍ରିୟମାଣ ହେଲା ନାହିଁ । ଏକା ଚାଲିବାର ସାହାସ ସଞ୍ଚୟ କଲା । ସାରା ଜୀବନ ନିଜକୁ ବନ୍ଦୀ ଭାବରେ ବିତାଇବା ଠାରୁ ସ୍ବଚ୍ଛନ୍ଦ ପକ୍ଷୀ ଜୀବନ ବିତାଇବାକୁ ଇଛାକଲା । ନାରୀ ମନର ସରଳତା ପତ୍ନୀ ହେବାର ସକଳ ମମତ୍ବବୋଧକୁ, ସ୍ନେହପ୍ରୀତିକୁ ଏକ ସ୍ବାର୍ଥପର ମନୁଷ୍ଯ ଆଉ ଏକ ତ୍ୟାଗୀ ନିଷ୍ଠାପର ପୁରୁଷ ମଧ୍ୟରେ ନିଜ ମନର ନିକିତିରେ ତଉଲୁ ଥିଲା । ସକଳ ଆଶା ବିଶ୍ବାସ ଭାବନା ଆଉ ସମ୍ଭାବନାକୁ ନାରୀର ଦୂର୍ବଳତା ବୋଲି ଯେମିତି କିଏ ଅନୁଭବ କରି ପାରିବେ ନାହିଁ ସେହିପରି ଦୃଢ ହେଉଥିଲା ।


 ପ୍ରତ୍ୟୁଷ ସୁପ୍ରଭାତି ପାଇଁ ଏକ ଘର ବୁଝିଦେଲା । ସେ ସେଠାରେ ରୁହେ କିନ୍ତୁ ପ୍ରତିଦିନ ପ୍ରତ୍ୟୁଷର ଗାଡିରେ ଦୁହେଁ ଯିବା ଆସିବା କରନ୍ତି । ସମ୍ପର୍କ ବେଳକୁ ବେଳ ନିବିଡ ହେବାରେ ଲାଗିଲାଣି । ପତିପତ୍ନୀର ସମ୍ପର୍କ କେବଳ ସାମାଜିକ ମୋହରମରା ଦଲିଲ ନୁହେଁ । ପତିପତ୍ନୀର ସମ୍ପର୍କ ଜଉମୁଦ ଦିଆ ବନ୍ଦ ଲଫାପା । ଯାହାକୁ ମନର ନିଭୃତ କୋଣରେ ସଂଗୋପନରେ ସାଇତି ରଖାଯାଏ, ପ୍ରକାଶ କରି ହୁଏ ନାହିଁ । ନାରୀ ଜୀବନର ଶୂନ୍ଯତା ନିଃସଙ୍ଗତା... ସମାଜ ଆଗରେ ତାକୁ ବିଚଳିତ କରିଥାଏ । ପୁରୁଷ ଜୀବନରେ ନାରୀର ଆବଶ୍ୟକତା ଉପଲବ୍ଧି କରିବା ଏକ ଅବ୍ୟକ୍ତ ଅନୁଭବ ।


ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରିଲେ ନାହିଁ । ବେଳେ ବେଳେ ଏ ତା ଘରେ ରହିଯାଏ, ସେ ଏହାର ଘରେ ରହିଯାଏ । ସମାଜ ଆଖିରେ ଦେଖିବାକୁ ଗଲେ ଦୁହେଁ ପତି ପତ୍ନୀ । ପ୍ରତ୍ୟୁଷ ଅନୁଭବ କରୁଥାଏ - ହୃଦୟର ଗଭୀର ବିଶ୍ବାସ ଦେଇ ଅଶାନ୍ତ ସାଗରକୁ ସ୍ବଚ୍ଛ ସଲ୍ଲିଳା ନିର୍ଝରିଣୀରେ ପରିଣତ କରିପାରେ ନାରୀ । ଦେହ ମନକୁ କୁହୁକ କାହାଣୀର ବାସ୍ତବ ରୂପ ଦିଏ । ନାରୀ ସେ ପ୍ରେମିକା ହେଉ କି ସ୍ତ୍ରୀ ଅମାପ ସୁଖର ପବିତ୍ର କାହାଣୀଟିଏ । ଏବେ ସୁପ୍ରଭାତି ଅନ୍ତଃସତ୍ତ୍ଵା । କିଏ କାହାକୁ ଆଉ କିଛି ବୁଝିବା ମଧ୍ୟ ଦରକାର ନାହିଁ । ସ୍ମିତହାସ୍ୟ ତୋଳିଦେଇ ପ୍ରତ୍ୟୁଷ ହାତରେ ନିଜ ହାତକୁ ଛନ୍ଦିଦେଇ ସୁପ୍ରଭାତି କହିଲା - ଚାଲନା ଫେରିଯିବା ସେହି ଅତୀତ ମୁହୂର୍ତ୍ତକୁ... ଯେଉଁଠି ତୁମେ ଥିବ, ମୁଁ ଥିବି, ଆମ ସଂସାର ଥିବ, ଆଉ ଥିବ ଏ ସୂର୍ଯ୍ୟାସ୍ତର ସୁଖଦ ମୁହୁର୍ତ୍ତ....


ଶୁଣାଯାଉଛି ସୁପ୍ରଭାତି ସୂର୍ଯ୍ୟକାନ୍ତଙ୍କୁ ଛାଡପତ୍ର ଦେଇ ପ୍ରତ୍ୟୁଷ ସାଥିରେ ଗୋଟିଏ କୁଡିଆରେ ଦୁହେଁ ବସା ବାନ୍ଧି ଦେଇଛନ୍ତି ।


Rate this content
Log in

Similar oriya story from Romance