ଅନନ୍ତ ତୃଷ୍ଣା
ଅନନ୍ତ ତୃଷ୍ଣା
ଆହୁତି ଥିଲା ମୋର କଲେଜର ସହପାଠୀ ବନ୍ଧୁ । ବିରାଟ ଧନୀ ଘରର ଅଲିଅଳୀ ଝିଅ । ପ୍ରାଚୁର୍ଯ୍ୟରେ ଭରା ଜୀବନ । ବାପା ସହରର ଜଣେ ଜଣାଶୁଣା ସୁପର୍ କ୍ଲାସ୍ କଣ୍ଟ୍ରାକ୍ଟର , ମାଆ ଜଣେ ସ୍ୱନାମଧନ୍ୟା ସମାଜସେବୀ । କୋଠା ବାଡି, ବଙ୍ଗଳା, ଗାଡି, ଯେମିତି ସବୁ ସୁଖ ଅଜାଡି ଦେଇଥିଲେ ଭଗବାନ ଆହୁତିର ମୁଣ୍ଡରେ । ଏତେ ବଡ ଲୋକ ଘରର ଝିଅ ହୋଇଥିଲେ ବି ତା’ ମନରେ ଟିକିଏ ହେଲେ ଅହଂକାର ନଥିଲା । ରୂପରେ ତ ଖୁବ୍ ସୁନ୍ଦର ଥିଲା ସେ , ମନ ବି ଖୁବ୍ ସୁନ୍ଦର ଥିଲା ତା’ର। କ୍ଲାସ୍ ରେ ସବୁ ଝିଅଙ୍କ ସହିତ ସାଙ୍ଗ ହେଉଥିଲା । ସମସ୍ତଙ୍କୁ ସାଥିରେ ଧରି ନେଇ କଲେଜ୍ କ୍ୟାଣ୍ଟିନ୍ ରେ ଖୁଆଉଥିଲା, କାହାରି ସହିତ କଳି ଝଗଡ଼ା କରିବାର କେହି ଦେଖି ନଥିଲେ ତା’କୁ। ଗୋଟାଏ ରଙ୍ଗୀନ୍ ପ୍ରଜାପତି ପରି ସେ ଉଡି ବୁଲୁଥିଲା। କଟକରେ ତାଙ୍କ ନିଜର ଘର ଥିଲେ ବି ଆମ ସହିତ ଅଧିକାଂଶ ସମୟ ହଷ୍ଟେଲରେ କାଟୁଥିଲା ସିଏ । ପଚାରିଲେ ଉତ୍ତର ଦେଉଥିଲା ଘରେ ଯାଇ କ’ଣ କରିବି ଯେ? ଏଠି ତମ ମାନଙ୍କ ସାଙ୍ଗରେ ଦିନ ଆରାମ ରେ କଟି ଯାଉଛି। ଆମେ ଭାବୁଥିଲୁ ଘରେ ଏକୁଟିଆ ଲାଗୁଥିବାରୁ ସେ ଏମିତି କହୁଛି ସେ।
ଶୈଳ ବାଳା ମହିଳା କଲେଜ୍ ରେ ଗୋଟାଏ ଗ୍ରୁପ୍ ରେ ଥିଲୁ ଆମେ । ଆମେ ସବୁ ସାଧାରଣ ପରିବାରର ଝିଅ ଥିଲୁ , କଥାବାର୍ତ୍ତା, ଚାଲିଚଳଣ, ସଂସ୍କାର ସବୁ ଥରେ ଆମର ନିମ୍ନ ମଧ୍ୟବିତ୍ତ ପଣିଆ ବାରି ହୋଇ ପଡୁଥିଲା କିନ୍ତୁ ଆହୁତି? ସବୁଥିରେ ଥିଲା ସେ ଅନନ୍ୟା। ସବୁବେଳେ ପ୍ରାଣ ଖୋଲା ହସ ହସୁଥିଲା ସେ। ସବୁ ବେଳେ ଟିପ୍ ଟପ୍,ଛଳ ଛଳ ନୃତ୍ୟରତା ଝରଣା ଟିଏ ଭଳି । ସବୁ ସାଙ୍ଗ ମାନଙ୍କ ଭିତରେ ମୁଁ ଥିଲି ତା’ର ପ୍ରିୟ ଓ ସବୁଠୁ ଅନ୍ତରଙ୍ଗ। କ’ଣ କେମିତି ଘଟିଥିଲା କେଜାଣି ଗୋଟିଏ ଆତ୍ମିକ ସମ୍ବନ୍ଧ ହୋଇ ଯାଇଥିଲା ଆମ ଦୁହିଁଙ୍କ ମଧ୍ୟରେ।ଉଭୟ ନିଜ ନିଜର ଏକାନ୍ତ ଆପଣାର ହୋଇ ପଡିଥିଲୁ,ନିଜର ସମସ୍ତ ଗୋପନୀୟ କଥା ପରିପ୍ରକାଶ କରୁଥିଲୁ ପରସ୍ପର ପାଖରେ, କହିବାକୁ ଗଲେ ଆମ ଦୁଇଜଣଙ୍କ ଭିତରେ ଗୋପନୀୟ ବୋଲି ହିଁ କିଛି ନଥିଲା। କଲେଜର ସମସ୍ତେ ଜାଣିଥିଲେ ଆମ ଅନ୍ତରଙ୍ଗତା।
ପ୍ରଥମ ଥର ପ୍ରେମରେ ପଡିବା ବେଳକୁ ଆହୁତି ର ବୟସ ଥିଲା ସତର। ଆମେମାନେ ସେତେବେଳେ ଆଇ ଏ ଫାଷ୍ଟ ଇୟର ର ଶେଷ ପର୍ଯ୍ୟାୟରେ । ହଠାତ୍ ଦିନେ ମୀନା ମାଡାମ୍ ଙ୍କ ଇଂଲିଶ୍ କ୍ଲାସ୍ ଚାଲୁଥିଲାବେଳେ ମୋ କାନରେ ଫିସ୍ ଫିସ୍ କରି କହିଲା ଆହୁତି “ ମାନୀ, ପ୍ଲିଜ୍ ଟିକିଏ ମ୍ୟାନେଜ କରି ଦେବୁ , ମୁଁ ବାହାରକୁ ଯାଉଛି”। ମୁଁ କାହିଁକି, କୁଆଡେ ପଚାରିବା ଆଗରୁ ସେ ଧୀରେ ଧୀରେ ନିଃଶବ୍ଦରେ ବାହାରି ଗଲା ବାହାରକୁ । ମୀନା ମାଡାମ୍ ପ୍ରଚଣ୍ଡ କ୍ରୋଧୀ, ତାଙ୍କ କ୍ଲାସ୍ ରେ ଛୁଞ୍ଚି ଟିଏ ବି ପଡିଲେ ଶବ୍ଦ ହେଲା ଭଳି ନୀରବତା ରହିଥାଏ ସବୁବେଳେ, ସେଥିରେ ଆହୁତିର ଏମିତି ଦୁଃସାହସିକତା ଦେଖି ମୋ ଛାତି ଥରୁଥାଏ। ସେଦିନ ମୋର କପାଳ ଭଲ ଥିଲା ବୋଧହୁଏ, ମୀନା ମାଡାମ୍ ଆହୁତିର ଅନୁପସ୍ଥିତି ଲକ୍ଷ୍ୟ କରି ପାରିଲେନି । କ୍ଲାସ୍ ସରିବା ଯାଏଁ ମୁଁ ମନେମନେ ଈଶ୍ବର ଙ୍କୁ ଡାକୁଥାଏ କେମିତି ଆହୁତି ଶୀଘ୍ର ଫେରି ଆସୁ । ସେ କିନ୍ତୁ ଫେରିଥିଲା ସଂଧ୍ୟା ଛଅଟା ରେ। ତା’ ଆଖିରେ ଚିକିମିକି କରୁଥିଲେ ଗୋଟାଏ ଗଡ ଜିଣି ଆସିବାର ଖୁସି । ସେତେବେଳକୁ କଲେଜରେ କ୍ଲାସ୍ ସାରି ମୁଁ ହଷ୍ଟେଲରେ ପହଞ୍ଚି ଧୁଆଧୋଇ ହୋଇ ବେଡ୍ ଉପରେ ବସି ତା’ରି କଥା ହିଁ ଭାବୁ ଥାଏ । ମତେ ଦୁଇ ହାତରେ ଭିଡିନେଇ ରୁମ୍ ଭିତରେ ଘେରାଏ ନାଚି ଗଲା ଆହୁତି । ମୋ କାନ୍ଧରେ ମୁହଁ ରଖି କହିଲା “ ମାନୀ ! ଆଜି ମୁଁ ଖୁବ୍ ଖୁସି , ଜୀବନର ମାନେ କ’ଣ ସେଇଟା ଆଜି ବୁଝିପାରିଛି ମୁଁ, ଈଶ୍ବର ଙ୍କୁ ସହସ୍ର ଧନ୍ୟବାଦ ସେ ମତେ ତା’ ସହିତ ମିଳେଇ ଦେଲେ”।
ଆହୁତିର କଥାରୁ ବିନ୍ଦୁ ବିସର୍ଗ ବୁଝି ପାରୁ ନଥିଲି ମୁଁ । ସେ କ୍ଲାସ୍ ଅଧାରୁ ଛାଡି ଯିବାର ରାଗ ବି ଥିଲା ମୋ ମନରେ, ହେଲେ ଆହୁତିର ଖୁସିରେ ଝଲସି ଉଠୁଥିବା ମୁହଁ ଟିକୁ ଦେଖି ମୋର ସାହସ ଜବାବ ଦେଇ ଯାଉଥିଲା ତା’କୁ ରୋକିବାକୁ । ମୋର ଅବୁଝା ଆଖିକୁ ଦେଖି ସେ ନିଜେ କହିଥିଲା ତା’ ଖୁସିର ରହସ୍ୟ ରାଜ୍ ଶେଖର ବୋଲି ।
ରାଜ୍ ଥିଲା ଖ୍ରୀଷ୍ଟ କଲେଜ ରେ ବି ଏସ୍ ସି ର ପ୍ରଥମ ବର୍ଷର ଛାତ୍ର । ଜଣେ ଦିଲ୍ଲୀ ବ୍ୟବସାୟୀଙ୍କର ଏକ ମାତ୍ର ପୁଅ। ଏଇଠି କଟକ ବକ୍ସିବଜାରରେ ଥିବା ନିଜର ମାମୁଁ ଘରେ ରହି ପାଠ ପଢିବା ସହିତ ଉଚ୍ଚ ଶିକ୍ଷା ପାଇଁ ତାଲିମ ନେଉଛି। ମାର୍କେଟ୍ ରେ କୋଉଠି ଗୋଟେ ଭେଟ ହୋଇଥିଲା ସେମାନଙ୍କର । ଧୀରେ ଧୀରେ ପରିଚୟ ବଢିଥିଲା ଆଉ ମିଳାମିଶା ବି। ଆଜି ଆହୁତି କୁ ଲଙ୍ଗ୍ ଡ୍ରାଇଭ୍ ରେ ଯିବା ଲାଗି ଆମନ୍ତ୍ରଣ କରିଥିଲା ସେ । ଦୁହେଁ ନନ୍ଦନକାନନ ବୁଲି ଯାଇଥିଲେ, ସେଇଠି ବଟାନିକାଲ୍ ଗାର୍ଡେନ ଭିତରେ ଫୁଲର ସଭାରେ ତା’ର ପ୍ରେମ ଭିକ୍ଷା କରିଛି ରାଜ୍ , ଆଉ ତା’ ସେଇ ପ୍ରେମକୁ ସହର୍ଷେ ସ୍ୱୀକାର କରିଛି ଆହୁତି । ଛାତି ଟା ଧଡଧଡ ହୋଇ ନିଆଁ ଅତଡା ଟାଏ ଖସି ପଡିଲା ମୋର। କ’ଣ କହୁଛି ଏ ପାଗଳ ଝିଅଟା? ସତର ବର୍ଷ ର ଝିଅ, ସେ ପୁଣି ପ୍ରେମରେ ପଡିଛି, ପାଠ ପଢା, କ୍ୟାରିୟର, ବଂଶ ମର୍ଯାଦା ସବୁ ଜିନିଷ କୁ ପଛକୁ ପକାଇ ଉବୁଟୁବୁ ହେଉଛି, କେଉଁ ଅଜଣା ଅଶୁଣା ରାଜ୍ୟ ବାହାରର ଗୋଟିଏ ଛାତ୍ର ସାଥିରେ ? କ’ଣ ତା’ର ହେବ ଯେବେ ତା’ ବାପା ମାଆ ଜାଣିବେ ଏ କଥା ? ଆହୁତିର ବାହୁ ବନ୍ଧନ ତେବେ ବି ଶିଥିଳ ହେଉ ନଥିଲା, ମୁଁ ଜୋର୍ କରି ବାହାରି ଆସିଲି ସେଥିରୁ । ବିରକ୍ତ ହୋଇ କହିଲା “ ତୁ କ’ଣ କହୁଛୁ, କ’ଣ କରୁଛୁ , ଜାଣି ପାରୁଛୁ ତ ଆନି ? ଆମର ଜୀବନ ଏଇ ଆରମ୍ଭ ହୋଇଛି ମାତ୍ର । ଆଗ ପାଠଶାଠ ପଢି ବଡ ମଣିଷ ହେବା, କିଛି ଗୋଟିଏ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଲା ପରେ ଯାଇ ଆଉ ଯୋଉ କଥା । ତା’ ପରେ ତୁ ରାଜ୍ ବିଷୟରେ ବା ଜାଣିଛୁ କ’ଣ ? ତା’ର ଘରଦ୍ବାର,ବଂଶ ପରମ୍ପରା, ପାରିବାରିକ ସ୍ଥିତି , କେତେ ସତ କହୁଛି ତତେ, କିଛି ଜାଣୁ ସେ ବିଷୟରେ? କାହିଁକି ଜାଣି ଜାଣି ନିଆଁକୁ ଡେଉଁଛୁ କହିଲୁ ? ମଉସା ମାଉସୀ ଜାଣିଲେ କ’ଣ ହେବ କେବେ ଭାବିଛୁ? ମୋ କଥା ର କିଛି ବି ପ୍ରଭାବ ପଡୁନଥିଲା ଆହୁତି ଉପରେ । ସେ ପୁରାପୁରି ପାଗଳ ହୋଇ ସାରିଥିଲା ରାଜ୍ ର ପ୍ରେମରେ।ମତେ ଖାଲି ଏତିକି କହିଲା “ ମୁଁ ରାଜ୍ କୁ ବହୁତ୍ ଭଲପାଏ ରେ ମାନୀ, ତା” ବିନା ବଞ୍ଚି ପାରିବିନି”। ଏତିକି କହି ଝଡ ଭଳି ବାହାରି ଗଲା ସେ ।
ଆଗକୁ ଥିଲା ଆମର ଫାଇନାଲ୍ ପରୀକ୍ଷା ଜୀବନର ନୂତନ ଅଧ୍ୟାୟ ଆରମ୍ଭ କରିବାର ବେଳ । ଭଲ ନମ୍ବର ରଖି ପାଶ୍ କରିବାକୁ ହେବ ଗୋଟିଏ ଭଲ କ୍ୟାରିୟର ବାଛିବା ପାଇଁ । ଆମ ସମସ୍ତଙ୍କ ଧ୍ୟାନ ଥିଲା ପାଠରେ । କିନ୍ତୁ ସବୁଠାରୁ ଭଲ ପାଠ ପଢୁଥିବା ଆହୁତି ସେତେବେଳକୁ ପ୍ରେମ ପାଠ ପଡୁଥିଲା ରାଜ୍ ସହିତ । ଆମେ ସମସ୍ତେ ଫାଷ୍ଟ ଡିଭିଜନ ରେ ପାଶ୍ କରିଥିବା ବେଳେ ଆହୁତି ଯାହିତାହି ନମ୍ବର ରଖି ଦ୍ୱିତୀୟ ଶ୍ରେଣୀରେ ପାଶ୍ କରିଥିଲା । ଆମ ସମସ୍ତଙ୍କର ମନରେ ତା’ ପାଇଁ ଦୁଃଖର ସୀମା ନଥିଲା ହେଲେ ତା’ର ମନରେ କୌଣସି ଅବଶୋଷ ନଥିଲା ।ମୁଁ ଏଜୁକେସନ୍ ଅନର୍ସ ରଖି ପଢିଲି ରେଭେନ୍ସା କଲେଜରେ, ଆହୁତି ସେଇ ଶୈଳବାଳା ମହିଳା କଲେଜ୍ ରେ ପଢିଲା। ଅଲଗା କଲେଜ୍, ଅଲଗା କ୍ଲାସ୍ ସମୟ ଯୋଗୁଁ ଆମ ଭିତରେ ଦେଖା ସାକ୍ଷାତ କମ୍ ହେଉଥିଲା କିନ୍ତୁ ପ୍ରତି ସପ୍ତାହରେ ମତେ ଖଣ୍ଡିଏ ଚିଠି ଲେଖିବାକୁ ଭୁଲୁ ନଥିଲା ଆହୁତି। ତା’ର ସପ୍ତାହ ଯାକର ଯାବତୀୟ ହାଲ୍ ହଇକତ ଲେଖି ଚିଠି ଟିଏ ପଠାଉଥିଲା ମୋର ହଷ୍ଟେଲ ଠିକଣାରେ, ମୁଁ ମଧ୍ୟ ତାଙ୍କ ଘର ଠିକଣାରେ ମଝିରେ ମଝିରେ ଚିଠି ଖଣ୍ଡିଏ ଦେଉଥିଲି ।
ଛଅ ମାସ ପରେ ହଠାତ୍ ଗୋଟିଏ ଚିଠି ପାଇଲି ତା’ର , ଯେଉଁଥିରେ ସେ ଲେଖିଥିଲା ରାଜ୍ ଏନ୍ ଡି ଏ ପରୀକ୍ଷାରେ ପାଶ୍ କରିଛି, ଡେରାଡୁନ୍ ଆର୍ମି କଲେଜ୍ ରେ ପଢିବା ପାଇଁ ଯିବ । ସେଠାରୁ ପାଶ୍ କଲାପରେ ତା’ର ପୋଷ୍ଟିଂ ହେଲେ ସେ ମତେ ବାହା ହୋଇ ସାଥିରେ ନେଇଯିବ। ସେତେ ଦିନ ଯାଏଁ ମତେ ଅପେକ୍ଷା କରିବାକୁ ପଡ଼ିବ । କେମିତି ରହିବି ରେ ମାନୀ?
ସେ ତ ଏମିତି ଭାବରେ ମତେ ତା’ ଭଲ ପାଇବାରେ ବାନ୍ଧି ରଖିଛି ଯେ ତା’ ବିନା ମୁହୂର୍ତ୍ତ ଟିଏ ବି ମୁଁ ବଞ୍ଚି ରହିବା ଅସମ୍ଭବ ଆଉ ତିନି ବର୍ଷ?ସେକଥା ମୁଁ କଳ୍ପନା ବି କରି ପାରୁନି । ମୁଁ ଭାବୁଛି ରାଜ୍ କଟକ ଛାଡିବା ପୂର୍ବରୁ ଆମେ କୌଣସି ମନ୍ଦିରରେ ବାହା ହୋଇ ଯିବୁ । ପରେ ବରଂ ସେ ଫେରିଲେ ଅଫିସିଆଲ୍ ମ୍ୟାରେଜ୍ ହେବ । ଖବରଟା ଚମକେଇ ଦେବା ଭଳି ଥିଲା, ଖସି ଗଲା ଗୋଡ ତଳକୁ ତଳକୁ ନ୍ୟାୟରେ ଆହୁତି ଖସି ପଡୁଥିଲା ଘନ ଅନ୍ଧକାରର କୃଷ୍ଣ ଗର୍ତ୍ତ ଭିତରକୁ । ମୁଁ ତା’ର ବନ୍ଧୁ, ଶୁଭାକାଂକ୍ଷୀ ହୋଇ କିଛି କରି ପାରୁ ନ ଥିଲି । କାରଣ ଏତେ ସଂପର୍କ ଭିତରେ ସେ ଥରେ ହେଲେ ମତେ ତାଙ୍କ ଘରକୁ ଡାକି ନଥିଲା କି ତା’ର ବାପା ମାଆଙ୍କ ସହିତ ପରିଚୟ କରାଇ ନଥିଲା । ତଥାପି ମୁଁ ତା’କୁ ସଂକ୍ଷିପ୍ତ ଚିଠି ଟେ ଲେଖିଲି, କିଛି କରିବା ଆଗରୁ ଥରେ ମୋ ସହିତ ଦେଖା କରିବାକୁ । ଚିଠି ଟି ତା’ ପାଖରେ ପହଞ୍ଚି ଥିଲା କି ନାହିଁ ଜାଣେନା ସେ କିନ୍ତୁ ଆସି ନଥିଲା ମତେ ଦେଖା କରିବାକୁ ଅଗତ୍ୟା ମତେ ହିଁ ଦିନେ କ୍ଲାସ୍ ବନ୍ଦ କରି ତା’କୁ ଖୋଜିବା ଲାଗି ଯିବା ପାଇଁ ପଡିଥିଲା ଶୈଳବାଳା ମହିଳା କଲେଜ୍ ।ସେଠାରେ ଯାଇଁ ପୁରୁଣା ବନ୍ଧୁ ମାନଙ୍କୁ ଦେଖା କରି ଆହୁତିକୁ ଟିକେ ଡାକି ଦେବା ଲାଗି କହି ଅପେକ୍ଷା କରି ବସିଲି କଲେଜ୍ ସମ୍ମୁଖରେ ଥିବା ବଗିଚାରେ । ପ୍ରାୟ ଅଧ ଘଣ୍ଟାଏ ପରେ ସେ ଆସିଲା, ତା’ ମୁହଁରେ କିନ୍ତୁ ସେଇ ଚିରାଚରିତ ବିନ୍ଦାସ୍ ଭାବ ନଥିଲା, ଗୋଟିଏ ଚିନ୍ତାର କଳା ବାଦଲ ଢାଙ୍କି ରଖିଥିଲା ତା’ର ସୁନ୍ଦର ମୁହଁଟିକୁ। ତା’ ଆଖି ଦୁଇଟା କେମିତି ଶୂନ୍ୟ ଶୂନ୍ୟ ଦିଶୁଥିଲା, ମତେ ଦେଖି ଶୁଖିଲା ହସ ଟିଏ ହସିଲା ଆହୁତି।ମୁଁ ଅନୁମାନ କରିନେଲି ଯେ ୟା ଭିତରେ ରାଜ୍ ନିଶ୍ଚୟ ଚାଲି ଯାଇଛି ଟ୍ରେନିଂ ପାଇଁ ଡେରାଡୁନ୍ । ମୋର ପ୍ରଶ୍ନିଳ ଆଖି ଘୁରି ବୁଲୁଥିଲା ଆହୁତି ର ମୁହଁ ରେ । ମୁଣ୍ଡ ତଳକୁ ପୋତି ବସି ରହିଥିଲା ସେ ।
କିଛି ସମୟ ପରେ ନୀରବତା ଭାଙ୍ଗି କହିଲା “ ସେ ଚାରି ଦିନ ହେଲା ଟ୍ରେନିଂ ରେ ଗଲେଣି ରେ ମାନୀ! ପୂର୍ବ ଯୋଜନା ମୁତାବକ ଆମେ ଗଡଚଣ୍ଡୀ ମନ୍ଦିର ରେ ମାଳା ବଦଳ କରି ବାହା ହୋଇ ସାରିଛୁ । ସେ ଦିନ ଇନ୍ଦିରା ଲଜ୍ ରେ ଆମର ମଧୁଚନ୍ଦ୍ରିକା ବି ମନେଇ ସାରିଛୁ, ତାଙ୍କ ସ୍ମୃତିକୁ ନେଇକି ମତେ ଏବେ ଅପେକ୍ଷା କରିବାକୁ ହେବ ତିନି ବର୍ଷ । ସେ କହିଛନ୍ତି ପ୍ରଥମ ଛଅ ମାସର ଟ୍ରେନିଂ ପରେ ତାଙ୍କୁ ଛୁଟି ମିଳିବ ଘରକୁ ଆସିବା ଲାଗି, ସେତିକିବେଳେ ସେ ଆସି ଆମ ଘରେ କଥାବାର୍ତ୍ତା କରିବେ ଆଉ ମତେ ନେଇକି ତାଙ୍କର ପରିବାରବର୍ଗଙ୍କୁ ଭେଟ କରାଇଦେବେ” । ମୋର ମୁଣ୍ଡରେ ସେତେବେଳକୁ ବିଶ୍ୱାସ ଅବିଶ୍ବାସର ଗୋଟାଏ ମହାଭାରତ ଯୁଦ୍ଧ ଲାଗି ସାରିଥିଲା । ମୁଁ ଭାବୁଥିଲି ଯଦି ରାଜବୀର୍ ଆହୁତି ର ପରିବାର ସହିତ ଦେଖା କରିବାକୁ ଚାହୁଁଥିଲା ତେବେ ସେ ଏଇଠି ଥିଲାବେଳେ ବି ତ ଭେଟିପାରିଥାନ୍ତା ସେମାନଙ୍କୁ । ନିଜର ଟ୍ରେନିଂ ଆଉ ଚାକିରୀ କଥା କହି ସେମାନଙ୍କ ଅନୁମତି ନେଇ ବାହାଘର ପାଇଁ ଆଗେଇ ଥାଆନ୍ତେ ଦୁହେଁ, ହେଲେ ସେ ସବୁ ନକରି ସେମାନଙ୍କ ଅଜ୍ଞାତରେ ଏସବୁ କଲା କାହିଁକି? ତା’ ମନରେ ଆଉ କିଛି ଦୁରଭିସନ୍ଧି ନାହିଁ ତ?
ଏତେ ସବୁ ଘଟଣା ଘଟି ଯିବା ପରେ ମୋ ମନରେ ଥିବା ସନ୍ଦେହକୁ ଆହୁତି ଆଗରେ ପ୍ରକାଶ କରିବାକୁ ବି ସାହସ ହେଉନଥିଲା ତଥାପି କୁଣ୍ଠିତ ହୋଇ ପଚାରିଲି ତା’କୁ “ ଆନି ! ତୁ ରାଜବୀର୍ ର ଘରର ଠିକଣା ରଖିଛୁ ଟି ? ତା’ର ଡେରାଡୁନ ଆର୍ମି କଲେଜ୍ ର ଆଡ୍ରେସ୍ , କଣ୍ଟାକ୍ଟ ନମ୍ବର ଇତ୍ୟାଦି ଅଛି ତୋ ପାଖରେ? ମାନେ ଯଦି କିଛି ଦରକାର ପଡେ ତୁ ପହଞ୍ଚି ପାରିବୁ ସେଠାରେ? “ ।ଗୋଟାଏ ବେପରୁଆ ହସ ହସି ଆହୁତି କହିଲା “ ମାନୀ ! ତୋର ସବୁବେଳେ ଖାଲି ସମସ୍ତଙ୍କୁ ସନ୍ଦେହ । ଥରେ ପ୍ରେମରେ ପଡିଥିଲେ ସିନା ଜାଣିଥାନ୍ତୁ ପ୍ରେମରେ ସନ୍ଦେହ କରାଯାଏନା ଖାଲି ପ୍ରେମ କରାଯାଏ । ନିଜର ସର୍ବସ୍ଵ ସମର୍ପଣ ହିଁ ପ୍ରକୃତ ପ୍ରେମର ପରିଭାଷା । ମୋ ରାଜବୀର୍ ସବୁ ସନ୍ଦେହର ଉର୍ଦ୍ଧ୍ବରେ, ତାଙ୍କର ପ୍ରେମ ଶାଶ୍ଵତ ନିର୍ମଳ” । ଏତିକି କହି ସେ ତା’ର ଭ୍ୟାନିଟି ବ୍ୟାଗରୁ ଫଟୋଟିଏ କାଢି ତୋଳି ଧରିଲା ମୋ ଆଗରେ । ସଦ୍ୟ ବିବାହିତା ବୋହୂ ଟି ବେଶରେ ଆହୁତି ଆଉ ତା ପାଖରେ ରାଜବୀର୍ ବୋଧହୁଏ । ଆହୁତି ର ମଥାରେ ମଥାଏ ସିନ୍ଦୁର , କପାଳରେ ବଡ ସିନ୍ଦୁର ଟୋପା , ହାତରେ ମୁଠାଏ ଲେଖାଏଁ ନାଲିଚୁଡି , ରାଜବୀର୍ ମୁଣ୍ଡରେ ନାଲି ସିନ୍ଦୁରର ଟୀକା , ଦୁହିଁଙ୍କ ଗଳାରେ ସୁନ୍ଦର ଫୁଲର ଗଜରା , ଦୁହିଁଙ୍କ ମୁହଁରେ ବିଜୟର ହସ । ବୋହୂ ବେଶରେ ଖୁବ୍ ସୁନ୍ଦର ଦିଶୁଥିଲା ଆହୁତି ।
ଆଗରୁ କେବେ ରାଜବୀର୍ କୁ ଦେଖିବାର ସୁଯୋଗ ପାଇ ନଥିଲି ମୁଁ । ଫଟୋ ରେ ସେ ଖୁବ୍ ସୁନ୍ଦର ଦିଶୁଥିଲା । ଯାହାକୁ କୁହନ୍ତି ନାରୀ ମନଲୋଭା ଚେହେରା।ସୁନ୍ଦର ସୁଗଠିତ ଶରୀର,ଆଖିରେ ଗୋଟାଏ ଅଦ୍ଭୁତ ଆକର୍ଷଣ ଥିଲା ଭଳି ମନେ ହେଉଥିଲା। ସୁନ୍ଦର ଭାବରେ ବ୍ୟାକ୍ ବ୍ରାସ୍ କରା ହୋଇଥିବା ବାଳ ରୁ କେରାଏ ଆଗକୁ ଝୁଙ୍କି ପଡିଥିଲା ଯାହା ଆହୁରି ଆକର୍ଷଣୀୟ କରୁଥିଲା ତା’ର ବ୍ୟକ୍ତିତ୍ୱକୁ । ପୋଷାକପତ୍ର ରୁ ଜଣା ପଡୁଥିଲା ସେ ସୁରୁଚି ସଂପନ୍ନ ବୋଲି। ମୋଟାମୋଟି ଭାବେ କହିବାକୁ ଗଲେ ରାଜବୀର୍ ର ଆକର୍ଷଣୀୟ ବ୍ୟକ୍ତିତ୍ୱ ଯେ କୌଣସି ନାରୀକୁ ପ୍ରଭାବିତ କଲା ଭଳି ଥିଲା।ଦୁହିଁଙ୍କ ଜୋଡି ବି ଖୁବ୍ ମାନୁଥିଲା । ମୁଁ ସେମାନଙ୍କ ବିବାହରେ ଖୁସି ହେଉଥିଲି କିନ୍ତୁ ବିବାହର ତରିକା ମତେ ଠିକ୍ ଲାଗୁ ନଥିଲା । ମୁଁ କେବଳ ଏତିକି କହିଲି ତା’କୁ “ ଦେଖ ଆନି ! ଯାହା ହେବାର ହେଲାଣି, ତୁ ଖାଲି ତୋର ବାପା ମାଆଙ୍କୁ ସବୁ ଘଟଣା ଥରେ ଖୋଲି କହିଦେ, ସେମାନେ ନିଶ୍ଚୟ ତୋ କଥା ବୁଝି ପାରିବେ। ପରେ ଆଉ କାହା ମୁହଁରୁ ଶୁଣିଲେ ସେମାନଙ୍କୁ ଖୁବ୍ ବାଧିବ “। ଜିଭ କାମୁଡି କାନରେ ହାତ ଲଗେଇ କହିଲା ଆହୁତି “ ତୁ କ’ଣ ମୋ ବାପା ମାଆଙ୍କୁ ମୋ’ଠୁ ଅଧିକ ଜାଣିଛୁ? ପିଲାଟି ବେଳୁ ଯିଏ ମୋ କଥା ବୁଝି ପାରିଲେନି ସିଏ ଆଜି ବୁଝିବେ? ପିଲାଟି ବେଳୁ ଯେତେବେଳେ ମୁଁ ସେମାନଙ୍କର ସ୍ନେହ, ଆଦର, ସେମାନଙ୍କ ସାନିଧ୍ୟ ଚାହୁଁଥିଲି, ସେମାନେ ମତେ ଆୟା ପାଖରେ ଛାଡି ଯିଏ ଯାହା କାମରେ ବାହାରି ଯାଉଥିଲେ । ପିଲା ବେଳୁ ବାପା ମାଆଙ୍କ ସ୍ନେହ ମୁଁ ଆୟା ପାଖରେ ଖୋଜି ଖୋଜି ନିରାଶ ହେଲି, ରାତିରେ ମାଆର କୋଳ ଖୋଜି ଖୋଜି ଆୟା ର କୋଳରେ ଛଟପଟ ହେଲି । ଆଉ ସେମାନେ ପଇସା ପ୍ରତିପତ୍ତି ପଛରେ ଧାଇଁଲେ, କେବେ ଥରେ କୋଳରେ ଧରିଛନ୍ତି ମୋ ମାଆ? କେବେ ଥରେ କାନ୍ଧରେ ବସେଇଛନ୍ତି ମୋ ବାପା? ଖାଲି “ ହାଲୋ ବେବୀ , ହାଏ ବେବୀ “ କହି ହାତକୁ ହଲେଇ ମତେ ଜଣାଇ ଦିଅନ୍ତି ସେମାନେ ମୋର ଜନ୍ମଦାତା ବୋଲି । ମୁଁ କ’ଣ ଚାହିଁ ଥିଲି ଟଙ୍କାର ଗଦା ଉପରେ ବସିବାକୁ, ଗାଡି ଘୋଡା, ବଙ୍ଗଳା କେବେ ମାଗିଥିଲି କି ସେମାନଙ୍କୁ? ତେବେ କାହିଁକି? କାହିଁକି ସେମାନେ ମୋ ପାଇଁ ସବୁ କରୁଛନ୍ତି ବୋଲି କହନ୍ତି?” ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା ଆହୁତିର ସତେ କି ବାପା ମାଆଙ୍କ ଉପରେ ଥିବା ଅନେକ ଦିନର ଜମାଟ ବନ୍ଧା ଅଭିମାନ ସବୁ ତରଳି ନଈଟିଏ ହୋଇ ବୋହି ଯାଉଥିଲା । ସେମିତି କାନ୍ଦି କାନ୍ଦି କହୁଥିଲା ଆହୁତି “ ଟିକିଏ ବଡ ହେଲାରୁ ସ୍କୁଲ୍ ଗଲି, କଲେଜ୍ ଗଲି, ସାଙ୍ଗସାଥିଙ୍କ ମେଳରେ ଭୁଲିବାକୁ ଚାହିଁଲି ଜୀବନର ସବୁ ଦୁଃଖକୁ ।ଆଉ ତୋ’ ସହିତ ଭେଟ ହେଲା ପରେ ଗୋଟିଏ ସାଙ୍ଗ ନୁହେଁ ଭଉଣୀ ଟିଏ ପାଇଥିଲି ମନର ସୁଖ ଦୁଃଖ ସବୁ ବାଣ୍ଟିଥିଲି ତୋ’ ସହିତ । ସେଇଥିପାଇଁ ତ ତତେ ସବୁ କଥା ଜଣାଇଲି । ତୁ ଯଦି ମୋ କଥା ନ ବୁଝି ପାରିବୁ ଆଉ କିଏ ବୁଝିବ? ମୁଁ ବାପା ମାଆଙ୍କ ସାଥିରେ ଥାଇ କି ନଥିଲା ପରି ।ଖାଲି ଗୋଟାଏ ଘରେ ପାଖାପାଖି ରହୁଛୁ ଆମେ କିନ୍ତୁ ଆମ ମାନଙ୍କ ମନ ଭିତରେ ଯୋଜନ ଯୋଜନ ଦୂରତ୍ବ ରେ ମାନୀ ! ତୁ ସେକଥା ବୁଝି ପାରିବୁନି । ଖୁବ୍ ନିଃସ୍ବ ଥିଲି ମୁଁ କିନ୍ତୁ ରାଜ୍ କୁ ପାଇବା ପରେ ମୁଁ ସବୁକିଛି ପାଇ ସାରିଛି ସେଇ ଅନୁଭୂତିକୁ ସମ୍ବଳ କରି ମୁଁ ରାଜ୍ ର ଆସିବା ପର୍ଯ୍ୟନ୍ତ ଏମିତି ଅପେକ୍ଷା କରି ରହିବି”। ଆହୁତି ର କଥା ଶୁଣି ସାରିବା ପରେ ମୋର ଆଉ କିଛି କହିବାର ନଥିଲା । ମନେମନେ ଈଶ୍ଵର ଙ୍କୁ ପ୍ରାର୍ଥନା କଲି ଆହୁତି ତା’ର ଜୀବନସାଥୀକୁ ନେଇ ଖୁସି ରେ ରହୁ ତା’ର ଜୀବନରେ ଆଉ କିଛି ଅଘଟଣ ନଘଟୁ । ଆହୁତି ଦୁନିଆଁ ଯାକର ଦୁଃଖ ସହିବାଲାଗି ଜନ୍ମ ନେଇଥିଲା ବୋଧହୁଏ ।
ଆମ ଗାଁ ପାଖର ଝିଅ ପ୍ରବୀଣା ମୋଠୁ ଦୁଇବର୍ଷ ସାନ । ସେ ପଢୁଥାଏ ଶୈଳବାଳା ମହିଳା କଲେଜ୍ ରେ ଏବଂ ଆହୁତି ସହିତ ମୋର ବନ୍ଧୁତା କଥା ବି ଭଲ ଭାବରେ ଜାଣି ଥାଏ। ମୁଁ ପରୀକ୍ଷା ପରେ ଗାଁ କୁ ଯାଇଥାଏ ପ୍ରବୀଣା ହଠାତ୍ ଦେଖା ହୋଇଗଲା ଗାଁ ମନ୍ଦିର ରେ। ମତେ ଦେଖି ହାତଧରି ଟାଣି ଟାଣି କରି ନେଇଗଲା ଗୋଟିଏ କଡକୁ ଆଉ ପଚାରିଲା “ଅପା ! ତମର ସାଙ୍ଗ କଥା ଜାଣିଛ?” ମୁଁ କାହା କଥା ବୋଲି ପଚାରନ୍ତେ ସେ ମୁହଁ କୁ ବିକୃତ କରି ଉତ୍ତର ଦେଲା ..“ସେଇମ ତୁମ ସାଙ୍ଗ ଆହୁତି ସିଏ କୁଆଡେ କୁମାରୀ ମାତୃତ୍ବ ଧରି ବୁଲୁଥିଲା । ସବୁବେଳେ ତ ବାହାରେ ବୁଲାବୁଲି କରୁଥିଲା କାହାର ହେଇଥିବ କେଜାଣି? ତା’ ବାପା ମାଆ ତ କୁଆଡେ ସହରର ନାମଜାଦା ମଣିଷ, ସେମାନେ ଲୋକଲଜ୍ଜା ସହି ନପାରି ତା’କୁ ଘରୁ ବାହାର କରିଦେଲେ କୁଆଡେ ଫେରାର ହୋଇ ଯାଇଛି ସେ । କଲେଜ୍ ସାରା ପରା ଡିବି ଡିବି ହୋଇ ବାଜୁଛି ତା’କଥା” । ପ୍ରବୀଣା ର କଥା ଗୁଡିକ ମୋ କାନରେ ତତଲା ଲୁହା ଭଳି ଗଳି ଯାଉଥିଲା କିନ୍ତୁ ତା’କୁ କୌଣସି ପ୍ରକାର ଉତ୍ତର ଦେବା ମୋ ପାଇଁ ସମ୍ଭବ ନଥିଲା । ମୁଁ ଖାଲି ଆହୁତି କଥା ଭାବୁଥିଲି କୁଆଡେ ଯାଇଥିବ ସେ...କ’ଣ ହୋଇଥିବ ତା’ର, ବୋଲି ଚିନ୍ତା କରି ମୋର ଛାତି ଧଡଧଡ ହେଉଥିଲା । ମୋର ସମସ୍ତ ଚିନ୍ତା ଆହୁତିକୁ କେନ୍ଦ୍ର କରି ଘୁରି ବୁଲୁଥିଲା, କିନ୍ତୁ ତା’କୁ ଯୋଗାଯୋଗ କରିବାର କୌଣସି ଉପାୟ ନଥିଲା ମୋ ପାଖରେ । ମନ ବ୍ୟାକୁଳ ହେଉଥିଲେ ବି ମୁଁ ଅନନ୍ୟୋପାୟ ହୋଇ ଚୁପ୍ ରହିବାକୁ ବାଧ୍ୟ ହେଲି ।
ପରୀକ୍ଷା ପରେ ପରେ ଭଲ ପ୍ରସ୍ତାବ ଟିଏ ଆସିବାରୁ ବାପା ମୋର ବାହାଘର କରିଦେଲେ । ବାହାଘରର ଅଳ୍ପ ଦିନ ଭିତରେ ସ୍ୱାମୀଙ୍କ ସହିତ ମୁଁ ଚାଲି ଆସିଲି ଦିଲ୍ଲୀ ତାଙ୍କର କର୍ମକ୍ଷେତ୍ରକୁ। ଦିଲ୍ଲୀରେ ପାଣ୍ଡବ ନଗରରେ ଘରଭଡା ନେଇ ରହିଥାଆନ୍ତି ମୋର ସ୍ୱାମୀ ବୈଜୟନ୍ତ । ପେଷାରେ ସେ ଜଣେ କମ୍ପ୍ୟୁଟର୍ ଇଞ୍ଜିନିଅର । ନୂଆ ନୂଆ ଘରକରଣାରେ ବ୍ୟସ୍ତ ରହି ଧୀରେ ଧୀରେ ବାପଘର, ସାଙ୍ଗସାଥିଙ୍କ ସ୍ମୃତି ଧୂଳିକଣାରେ ଢାଙ୍କି ହୋଇ ପଡୁଥିଲା ବେଳେ ଦିନେ ଦିଲ୍ଲୀର ସରୋଜିନୀ ମାର୍କେଟରେ ଅତର୍କିତ ଭାବରେ ଭେଟ ହୋଇଥିଲା ଆହୁତି ସହିତ । ଗୋଟିଏ ଡ୍ରେସ୍ ଷ୍ଟୋର୍ ରେ କିଛି ଦେଖୁଥିଲା ସିଏ। ସେଇ ଚେହେରା, ସେଇ ହସ, ସେମିତି ବିନ୍ଦାସ୍ ଢଙ୍ଗରେ କଥାବାର୍ତ୍ତା ମଝିରେ ମୁଣ୍ଡରେ ଝୁଲି ରହିଥିବା ବାଳକୁ ପଛକୁ ଛାଟି ପକେଇବାର ଅଭ୍ୟାସ , କିଛି ହେଲେ ବି ବଦଳି ନଥିଲା ତା’ର। ବୋଧହୁଏ ଚାରି ବର୍ଷ ପରେ ତା’କୁ ଦେଖୁଥିଲି ମୁଁ । ତା’ ପାଖରେ ଯାଇ ଠିଆ ହେଲି କାଳେ ଆଉ ସେ ମତେ ଚିହ୍ନି ପାରିବ କି ନାହିଁ ଭାବି। ଆହୁତି ପଛକୁ ବୁଲି ପଡି ମୋ ଆଡକୁ ଚାହିଁ ଗୋଟିଏ ସୁଖଦ ଆଶ୍ଚର୍ଯ୍ୟ ରେ ଝଲସି ଉଠି “ ମୋ ମାନୀ” ବୋଲି ଚିତ୍କାର କୁଣ୍ଢେଇ ଧରି ମତେ ବହେ ଗେଲ କରି ପକେଇଥିଲା । ଭିଡି ଭିଡି ନେଇଥିଲା ସେଇ ପାଖାପାଖି ଥିବା ଗୋଟିଏ ଟି ଷ୍ଟଲ୍ କୁ । ମୋର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନଥିଲା ସେ। ତା’ କଥା କହିଲା “ ଗୁଡାଏ କଥା ତତେ କହିବାର ଥିଲାରେ ମାନୀ ! ହେଲେ ନା ସେତେବେଳେ ସମୟ ଥିଲା ନା ଏବେ ଅଛି କିନ୍ତୁ ଏଥର ମୁଁ ଗୋଟିଏ ଭଲ କାମ ଆରମ୍ଭ କରିଛି । ମୋର ଘଟଣା ବହୁଳ ଜୀବନର ଡାଏରୀ ଲେଖିବାକୁ ଆରମ୍ଭ କରିଛି ତୁ ଏଠି କେମିତି? କ’ଣ ତୋ’ ବର ସାଥିରେ ରହୁଛୁ? ମୁଁ ଏଠାରେ ରହିବାର ତିନି ଚାରିବର୍ଷ ହୋଇଗଲା । ଗଙ୍ଗା ନଦୀ ରେ ଯେତିକି ପାଣି ବୋହିଯାଇଥିବ ଏ ଭିତରେ ମୋର ଜୀବନରେ ବୋଧହୁଏ ତା’ ଠାରୁ ଅଧିକ ଘଟଣା ଘଟିଯାଇଛି । ସବୁକିଛି ଏଇ ଡାଏରୀ ରେ ଲେଖି ରଖିଛି, କେବେ ସୁବିଧା ହେଲେ ପଢେଇବି ତତେ। ମୁଁ ଖାଲି ଆହୁତିର ମୁହଁକୁ ବୋକାଙ୍କ ଭଳିଆ ଚାହିଁ ରହିଥିଲି । ହଠାତ୍ ତା’ ମୋବାଇଲ୍ ଟି ରିଂ ହେଲା , ସେ ତା’ ପର୍ସ ରୁ ମୋବାଇଲ୍ ଟି କାଢି “ ଇଏସ୍, ଆଇ ଆମ୍ କମିଂ “ କହି ଉଠିଲା ଯିବାକୁ । ମୁଁ ଆହୁତିର ହାତରେ ମୋର ଘରର ଠିକଣା ଲେଖା ଥିବା କାଗଜ ଖଣ୍ଡିଏ ଗୁନ୍ଜି ଦେଇ କହିଲି “ କେବେ ସମୟ ସୁବିଧା ଦେଖି ଆସିବୁ କଥା ହେବା “।କାଗଜ ଖଣ୍ଡିକ ମୁଠେଇ ଧରି ସେ ପୁଣି ମତେ ଭାବନାର ସମୁଦ୍ରରେ ବସେଇ ଦେଇ ଝଡ ଭଳି ବାହାରି ଗଲା।
ୟା ଭିତରେ ପୁଣି ବର୍ଷଟାଏ ବିତି ଯାଇଥିଲେ ମଧ୍ୟ ଆହୁତି ସହିତ ମୋର ଆଉଥରେ ଭେଟ ହୋଇ ପାରିନଥିଲା । ମୋର ପ୍ରଥମ ସନ୍ତାନ ବବଲୁ ଆସି ସାରିଥିଲା ଆମ ସଂସାରକୁ ପୂର୍ଣ୍ଣ କରି ।କାର୍ଯ୍ୟ ବ୍ୟସ୍ତତା ଭିତରେ ମୁଁ ଆହୁତି କଥା ପାଶୋରି ଦେଇଥିଲି କହିଲେ ଚଳେ। ଦିନେ ସକାଳ ବେଳା ସ୍ୱାମୀ ବୈଜୟନ୍ତଙ୍କର ଅଫିସ୍ ଯିବା ପରେ ବବଲୁ କୁ ଶୁଆଇ ଦେଉଛି କଲିଂ ବେଲ୍ ବାଜିଲା । କବାଟ ଖୋଲିଲା ବେଳକୁ ପୋଷ୍ଟମ୍ୟାନ୍। ଅନେକ ଦିନ ଧରି ସେଠାରେ ରହୁଥିବାରୁ ଲୋକଟି ସହିତ ଚିହ୍ନା ଜଣା ହୋଇଯାଇଥିଲା। ମୋ ହାତକୁ ବଡ ଲଫାପା ଟିଏ ବଢେଇ ଦେଇ ସେ କହିଲା “ ମାଡାମ୍ ଜୀ! ଆପକା ପାର୍ଶଲ ଆୟା ହୈ , ରଖ୍ ଲିଜିୟେ “। ମୁଁ ଆଚମ୍ବିତ ହେଲି ଏଠି ବିଦେଶରେ ମୋ ନାଁ ରେ ପାର୍ଶଲ କିଏ ପଠାଇବ? ପ୍ରେରକ ସ୍ଥାନରେ ଆହୁତି ର ନାଁ ଦେଖି ଚମକି ଉଠିଲି ମୁଁ । ପାର୍ଶଲ ଟି ଦେଇ ଡାକବାଲା ଫେରି ଯାଇଥିଲା, କିନ୍ତୁ ମୋର ମନ ଛଟପଟ ହେଉଥିଲା ପାର୍ଶଲ ଟି ଖୋଲିବା ପାଇଁ । ତରତରରେ ସେଇଟା ଖୋଲି ପକାଇଲା ବେଳକୁ ଖସିପଡିଲା ଡାଏରୀ ଟିଏ । ମନେ ପଡିଗଲା ଆହୁତି ର କଥା “ ବହୁତ କଥା ତତେ କହିବାର ଥିଲାରେ ମାନୀ “।ପୃଷ୍ଠା ଓଲଟାଇ ଓଲଟାଇ ଦେଖିଲା ବେଳକୁ ଭିତରେ ଭଙ୍ଗାଭଙ୍ଗି ହୋଇ ରହିଛି ମୋ ଉଦ୍ଦେଶ୍ୟ ରେ ଆହୁତି ର ହାତଲେଖା ଚିଠି ଖଣ୍ଡିଏ । ଏକା ନିଶ୍ବାସକେ ପଢି ପକେଇଲି ଚିଠି ଟି।
ଆହୁତି ଲେଖିଥିଲା.... ସ୍ନେହର ମାନୀ !
ସେଦିନ ତତେ କହିଥିଲି ନା ବହୁତ କଥା ଅଛି ତତେ କହିବାକୁ ହେଲେ ସମୟ ସୁବିଧା ଦୃଷ୍ଟିରୁ କହି ପାରିଲିନି । ଜାଣେନି ଏ ଚିଠି ଟି ତୋ ହାତରେ ପହଞ୍ଚିଲା ବେଳକୁ ମୁଁ ଥିବି କି ନଥିବି ତଥାପି ମୋର ଅନୁରୋଧ ତୁ ମୋର ଡାଏରୀଟି ନିଶ୍ଚୟ ଥରେ ପଢିବୁ ତାହେଲେ ବୁଝି ପାରିବୁ ମୋ ହୃଦୟର କଥା । ମତେ ଲାଗେ ଦୁନିଆଁ ରେ ତୁ ଏକମାତ୍ର ଲୋକ ଯିଏ ମତେ ସବୁଠାରୁ ଅଧିକ ବୁଝି ପାରେ , ମୁଁ କ’ଣ ଚାହେଁ, ନ ଚାହେଁ ସେ କଥା ମୋ ମୁହଁ ଦେଖି ବୁଝି ପାରୁ ତୁ। ସେଇଥିପାଇଁ ଏଇ ଡାଏରୀ ଟା ତତେ ଦେଇଗଲି ତୁ ବିଚାର କରିବୁ ମୁଁ ଠିକ୍ କରିଛି ନା ଭୁଲ୍ । ଘର ଛାଡି ଆସିବା ପୂର୍ବର ସବୁ କଥା ତତେ ଜଣା ହେଲେ କାହିଁକି ମୁଁ ଘର ଛାଡି ଆସିଲି ବା ଆସିବାକୁ ବାଧ୍ୟ ହେଲି ସେଇ କଥା କହୁଛି । ରାଜ୍ ବୀର ଟ୍ରେନିଂ ପାଇଁ ଯିବାର ମାସକୁ ପରେ ମୁଁ ଜାଣିଲି ଯେ ମୁଁ ରାଜ୍ ବୀର ର ସନ୍ତାନର ମା ହେବାକୁ ଯାଉଛି । ରାଜ୍ ବୀର ଯିବା ଦିନ ଠାରୁ ତା’ର କୌଣସି ଖବର ଦେଇ ନଥିଲା ଯଦିଓ ମତେ ବାରମ୍ବାର କରି କହି ଯାଇଥିଲା ସେଠି ପହଞ୍ଚି ମତେ ତା’ର ଠିକଣା ଜଣାଇ ଚିଠି ଲେଖିବ ବୋଲି । ତତେ କହିବାକୁ ଭାବି ତୋ ହଷ୍ଟେଲରେ ପହଞ୍ଚିଥିଲି ତୁ ଚାଲି ଯାଇଥିଲୁ ଗାଁ କୁ । ବାଧ୍ୟ ହୋଇ ଘରେ ମାଆଙ୍କୁ କହିଲି, ଘରେ ଗୋଟାଏ ମହାଭାରତ ହୋଇଗଲା ବାପା ମାଆଙ୍କ ଭିତରେ । ମୋ ସମସ୍ୟାର ସମାଧାନ କରିବେ କ’ଣ ମୋର ଏ ସ୍ଖଳନ ଲାଗି ପରସ୍ପରକୁ ଦୋଷାରୋପ କରି ଘର କମ୍ପାଇଲେ , ମୋ କଥା ବାହାର ଲୋକ ଜାଣିଲେ ସେମାନଙ୍କର ଇଜ୍ଜତ ଚାଲିଯିବ ବୋଲି ସେମାନେ ମତେ ବାଧ୍ୟ କଲେ ଗର୍ଭନଷ୍ଟ କରିବାଲାଗି। ମୁଁ ପ୍ରତିବାଦ କଲାରୁ ମାରପିଟ କରି ଗୋଟାଏ ଘରେ ବନ୍ଦ କରିଦେଲେ ମତେ । ଦିନେ ସୁବିଧା ଦେଖି ମୁଁ ଆମ ଚାକର କୁ ହାତକରି ଖସି ଆସିଲି। ସିଧା ଷ୍ଟେସନ୍ କୁ ଯାଇ ଟ୍ରେନ୍ ଧରି ପହଞ୍ଚିଲି ରାଜ୍ ବୀର ମତେ ଦେଇଥିବା ତା’ର ଦିଲ୍ଲୀ ଠିକଣା ରେ । ମୋର ଦୁର୍ଭାଗ୍ୟ, ସେ ଠିକଣା ଭୁଲ୍ ଥିଲା । ସେଠାରେ ସେମିତି ଲୋକ କେହି ନଥିଲେ। ଏତେ ବଡ ସହରରେ ମୁଁ ସଂପୂର୍ଣ୍ଣ ଏକା ଝିଅ ଟିଏ । କୁଆଡେ ଯିବି, କ’ଣ କରିବି ଭାବି ଭୟ ପାଇଯାଉଥିଲି ହେଲେ ମୋ ପେଟରେ ବଢୁଥିବା ସନ୍ତାନର ମୋହ ମତେ ସାହସ ଦେଉଥିଲା । ଘରୁ ଗଲାବେଳେ କିଛି ଟଙ୍କା ଆଉ ସୁନା ଗହଣା ନେଇ ଯାଇଥିଲି ସାଥିରେ । ତା’କୁ ହିଁ ଭରସା କରି ଗୋଟାଏ ଶସ୍ତା ହୋଟେଲ୍ ରେ ରହିଲି। ତା ପରଦିନ ରାଜ୍ ବୀର କୁ ଖୋଜିବା ଲାଗି ଟ୍ରେନ୍ ଧରି ଗଲି ଡେରାଡୁନ। ସେଠାର ମିଲିଟାରୀ ଏକାଡେମୀ ରେ ପହଞ୍ଚିଲା ବେଳକୁ ସେଠାରେ ମତେ ପ୍ରବେଶ କରିବାକୁ ଦେଲେନି କେହି । ଅନନ୍ୟୋପାୟ ହୋଇ ପୁଣି ଫେରିଲି ଦିଲ୍ଲୀ , ଏଇ ଆଶା ରଖି ଯେ ଦିନେ ନା ଦିନେତ ରାଜ୍ ବୀର ର ବାପା ମାଆଙ୍କ ସହ ଭେଟ ହେବ କାରଣ ସେମାନେ ତ ଦିଲ୍ଲୀ ର ବାସିନ୍ଦା କୁଆଡେ ଆଉ ଯିବେ? ତା’ ପରେ ମୋର ତ ଘରକୁ ଫେରିବାର ସବୁ ରାସ୍ତା ମୁଁ ନିଜେ ବନ୍ଦ କରି ଆସିଥିଲି ଆଉ କୋଉଠି ରହିଥାନ୍ତି? ପୁଣି ଫେରିଲି ସେଇ ଶସ୍ତା ହୋଟେଲ୍ କୁ ଯେଉଁଠି ପ୍ରଥମେ ରହିଥିଲି । ଧୀରେ ଧୀରେ ପାଖରେ ଥିବା ପଇସା ସରି ଆସୁଥିଲା, ଆଗକୁ କ’ଣ ହେବ ସେ ଚିନ୍ତା ବି ମାଡି ବସୁଥିଲା। ସେମିତି ଦୁର୍ବଳ ଦେହ ଆଉ ଦୁର୍ବଳ ମନ ନେଇ ଦିନେ ହୋଟେଲ୍ ର ପାହାଚ ଚଢୁ ପାଦ ଖସିଯାଇ ତଳକୁ ଖସିପଡିଲି ମୁଁ । ତିନି ଦିନ ପରେ ଚେତା ଫେରିଲା ବେଳକୁ ମୋର ସର୍ବଶେଷ ସମ୍ବଳଟି ହରାଇ ନିସ୍ୱ ହୋଇ ଯାଇଥିଲି। ରାଜ୍ ବୀରର ଏକମାତ୍ର ସନ୍ତକ ତା’ର ସନ୍ତାନଟି ନଷ୍ଟ ହୋଇ ଯାଇଥିଲା ସେଇ ଦୁର୍ଘଟଣା ରେ । ପାହାଚ ରୁ ଗଡିପଡି ମୋର ମୁଣ୍ଡ ଓ ପେଟରେ ଆଘାତ ଲାଗିଥିଲା, ହୋଟେଲ୍ ର କର୍ମଚାରୀମାନେ ମୋର ରୁମ୍ ଖୋଜାଖୋଜି କରିବା ପରେ ବି କୌଣସି ଯୋଗାଯୋଗ ଠିକଣା ନପାଇବାରୁ ସେଠାରେ ଉପସ୍ଥିତ ଥିବା ଜନୈକ ଯୁବକ ସ୍ୱତଃପ୍ରବୃତ୍ତ ଭାବରେ ମତେ ନେଇ ହସ୍ପିଟାଲରେ ଚିକିତ୍ସା ଆରମ୍ଭ କରାଇଥିଲେ ଆଉ ନିଜର ଆତ୍ମୀୟ ଭଳି ଜଗି ବସିଥିଲେ ମୋର ବେଡ୍ ପାଖରେ । ଅର୍ଦ୍ଧଚେତନ ଅବସ୍ଥାରେ ମୋ ବିଳିବିଳୋଉଥିବା କଥା ଗୁଡିକରୁ ସେ କିଛି ଅନୁମାନ କରିଥିଲେ ବୋଧହୁଏ ସେଥିପାଇଁ ମୋଟେ ମୋର ପାଖ ଛାଡି ଯାଉନଥିଲେ। ତାଙ୍କର ଅଯାଚିତ ସେବା ଶୁଶ୍ରୁଷା ଫଳରେ ନୂଆ ଜୀବନ ପାଇଲି । ଧୀରେ ଧୀରେ ଆମ ଭିତରେ ଅନ୍ତରଙ୍ଗତା ବଢିଲା, ସେଇଟା ପ୍ରେମ ଥିଲା କି ବନ୍ଧୁତା ଠିକ୍ କହି ପାରିବିନି, ତଥାପି ସୁକର୍ଣ୍ଣଙ୍କର ମଣିଷପଣିଆ ଆଉ ଉଦାର ବ୍ୟକ୍ତିତ୍ୱ ଆଗରେ ମୁଁ ଝୁଙ୍କି ପଡିଲି। ମୋର ଅତୀତର ସବୁ ଘଟଣା ଟିକିନିଖି କହିଥିଲି ତାଙ୍କ ଆଗରେ। ସବୁ ଜାଣି ମଧ୍ୟ ସେ ମତେ ଖୁବ୍ ଭଲ ପାଆନ୍ତି ଆଉ ମୁଁ ରାଜି ହେଲେ ସେ ମତେ ନେଇ ଗୋଟିଏ ନୂଆ ଜୀବନର ଶୁଭାରମ୍ଭ କରିବାକୁ ଚାହୁଁଥିବା କଥା କହିଲେ , ଆମେ ହୋଟେଲ୍ ଛାଡି ଗୋଟିଏ ରୁମ୍ ନେଇ ରହୁଥିଲୁ ଏକାଠି ଲିଭିଂ ଇନ୍ ରିଲେସନଶିପ୍ ରେ । ୟା ଭିତରେ ମୁଁ ଗୋଟିଏ ପ୍ରାଇଭେଟ କମ୍ପାନୀ ରେ ରିସେପସନିଷ୍ଟ ଚାକିରୀଟିଏ ଖୋଜି ସାରିଥିଲି, ସୁକର୍ଣ୍ଣଙ୍କର କୌଣସି ଆପତ୍ତି ନଥିଲା କିନ୍ତୁ ମୋର ଅଫିସ୍ ରୁ ଫେରିବାରେ ବିଳମ୍ବ ହେଲେ ସେ ଖୁବ୍ ବ୍ୟତିବ୍ୟସ୍ତ ହୋଇ ପଡୁଥିଲେ, ସେ ମୋ ବିନା ଗୋଟିଏ ମୁହୂର୍ତ୍ତ ଏକା ରହିପାରୁନଥିଲେ ଘରେ ।
ଥରେ ଅଫିସ୍ ରେ କାମ ସରିବା ବେଳକୁ ଖୁବ୍ ଡେରି ହୋଇ ଯାଇଥିଲା। ଅଟୋ ଧରି ଘରେ ପହଞ୍ଚି ବାକୁ ଆହୁରି ଡେରି ହୋଇଯିବ ବୋଲି ଭାବି ମୁଁ ମୋର ସହକର୍ମୀ ନୀଳେଶ କୁ ଲିଫ୍ଟ ମାଗି ଘରକୁ ଫେରିଲି ।ମୋତେ ଅପେକ୍ଷା କରି ବାଲକୋନି ରେ ଛିଡା ହୋଇଥିଲେ ସୁକର୍ଣ୍ଣ । ମତେ ନୀଳେଶ ର ବାଇକ ରୁ ଓହ୍ଲାଇବାର ଦେଖି କ’ଣ ଭାବିଲେ କେଜାଣି ଘରେ ପାଦ ଦେଉ ଦେଉ ବର୍ଷି ଗଲେ ମୋ ଉପରେ।ମୁଁ କୁଆଡେ ସବୁଦିନ ଏମିତି କାହା କାହା ସହିତ ବୁଲାବୁଲି କରି ମସ୍ତି କରୁଛି । ମୋର ମନ ଭରି ଗଲାଣି ତାଙ୍କ ପାଖରେ, ମୋର ଚରିତ୍ରର ଠିକଣା ନାହିଁ ଇତ୍ୟାଦି ଇତ୍ୟାଦି । ମୁଁ ଆଚମ୍ବିତ ହେଲି ନୀଳେଶଙ୍କର ଏତେ ସବୁ ମନଗଢା ଅଭିଯୋଗ ଶୁଣି ।ମନଟା ପୁଣି ଥରେ ଭାଙ୍ଗିଗଲା, ଯେଉଁ ସଂପର୍କରେ ବିଶ୍ୱାସ ନାହିଁ ତା’କୁ ରଖିବା ଠିକ୍ ନୁହେଁ ଭାବି ତା’ପରଦିନ ସେ ଘରୁ ବାହାରି ଆସିଲି ନିଜର ଆଟାଚି ଟି ଧରି। ନୀଳେଶ ଥରଟିଏ ମଧ୍ୟ ମତେ ଅଟକାଇବା ଲାଗି ଚେଷ୍ଟା କଲେନି। ପୁଣି ନୂଆ ଠିକଣା ଖୋଜିବା ଆରମ୍ଭ କଲି। ଏମିତି ପ୍ରେମକୁ ଖୋଜି ଖୋଜି ମୁଁ ହାତ ରୁ ହାତକୁ ବୁଲିବୁଲି ଖେଳନା ଟିଏ ପାଲଟି ଗଲି ରେ ମାନୀ ! ସମସ୍ତେ ମତେ ନେଇ ଫେରୁଛନ୍ତି କିନ୍ତୁ ମୁଁ ସବୁରି ଭିତରେ ଖୋଜି ବୁଲୁଛି ରାଜ୍ ବୀର କୁ । ଦୁନିଆଁ ରେ ସମସ୍ତେ ସତ କହନ୍ତି ରେ ମାନୀ! ନିଜର ପ୍ରଥମ ପ୍ରେମକୁ ମଣିଷ ତା ଜୀବନ ଥିବା ଯାଏଁ ଭୁଲି ପାରେନା । ମୁଁ ବି ଭୁଲି ପାରୁନି ରାଜ୍ ବୀର କୁ । ସବୁ ପୁରୁଷ ଙ୍କ ଭିତରେ ଖୋଜି ବୁଲୁଛି ହେଲେ ପାଉନି। ରାଜ୍ ବୀର ଅନନ୍ୟ ଥିଲାରେ ମାନୀ ! “ ୱାନ୍ ପିସ୍” । ତା’ ପରି କେହି ନୁହେଁ ନା' ନା' କେହି ବି ନୁହେଁ । ତା’କୁ ଖୋଜି ଖୋଜି ମୁଁ ଥକି ଗଲିଣି ଆଉ ପାରୁନି , ତା’ ପାଇଁ ମୋ ମନରେ ଥିବା ପ୍ରେମକୁ ହୃଦୟ ଭିତରେ ସାଇତି ରଖି ମୁଁ ଯାଉଛି ଆରପାରିକୁ। ଭାବୁଛି ଏ ଜନ୍ମରେ ସେ ବୋଧହୁଏ ମୋର ଭାଗ୍ୟରେ ନଥିଲା ଈଶ୍ବରଙ୍କୁ ପ୍ରାର୍ଥନା କରୁଛି ସେ ଆର ଜନ୍ମରେ ମତେ ମିଳୁ । ଯାଉଛି ରେ ମାନୀ ! ଦୁନିଆଁ ରେ ମତେ କିଏ ବୁଝୁ କି ନବୁଝୁ ମୋର ପରବାୟ ନାହିଁ ଅନ୍ତତଃ ତୁ ମୋତେ ବୁଝିପାରିବୁ ବୋଲି ମୋର ଦୃଢ ବିଶ୍ୱାସ । ରହୁଛି
। ଇତି ।
ତୋର ଆନି ।।
ଚିଠି ଟି ଧରି କାଠ ଭଳିଆ ଠିଆ ହୋଇଥିଲି ମୁଁ । ମୋ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା ଆହୁତି ର କଥା ଭାବି ଭାବି । ଟିଭି ନିଉଜ୍ ରୁ ଭାସି ଆସୁଥିଲା ସମ୍ବାଦ “ ନିଶାଶକ୍ତ ଅବସ୍ଥାରେ ଦିଲ୍ଲୀ ସହର ର ଏକ ଆପାର୍ଟମେଣ୍ଟର ଆଠ ମହଲାରୁ ଡେଇଁ ଜଣେ ଯୁବତୀଙ୍କର ଆତ୍ମହତ୍ୟା । ଯୁବତୀ ଜଣଙ୍କର ପରିଚୟ ମିଳି ପାରିନାହିଁ ତାଙ୍କର କେହି ଆତ୍ମୀୟ ଥିଲେ ଏଇ ଫଟୋଟି ଦେଖି ଚିହ୍ନଟ କରିବା ଲାଗି ଅନୁରୋଧ “। ଆହୁତି ର ମୁହଁ ମାଡି ପଡିଥିବା ଶରୀର ଟି ଉଦ୍ ଭାସିତ ହୋଇ ଉଠୁଥିଲା ଟିଭିର ପରଦାରେ।