Lipi Sahoo

Comedy

4.8  

Lipi Sahoo

Comedy

ଅନଲାଇନ୍ ପାଠପଢା

ଅନଲାଇନ୍ ପାଠପଢା

6 mins
250


ରାଜଧାନୀ ଠାରୁ ଶହଶହ କୋଶ ଦୂରରେ ଅବସ୍ଥିତ ଏକ ଉପାନ୍ତ ଅଞ୍ଚଳ । ଜଙ୍ଗଲ ପାହାଡ ସୁଷମାରେ ସୁଶୋଭିତ ଗୋଟିଏ ଛୋଟିଆ ଗାଁ ତେରଛାପଡା । ସରକାର ଙ୍କ ଦୟାରୁ ଯଦିଓ ସେଠାରେ ସଡ଼କ ରହିଛି । ଅଣ୍ଟାପିଠି ସଳଖ ନଥିଲେ ସେଠାକୁ ଯିବା ଦୁଷ୍କର । ବିଜୁଳି ବି ଯାଇଛି ହେଲେ ଅନ୍ଧାର ର ରାଜୁତି ବେଶୀ । ଆଜିକାଲି ଶିକ୍ଷା ସୁଦୂର ପ୍ରସାରୀ ହୋଇଥିବା ଯୋଗୁଁ ଗାଁ ରେ ଅଙ୍ଗନବାଡ଼ି ଆଉ ମାଇନର ଇସ୍କୁଲ ଅଛି । ଦୁଇ କିଲୋମିଟର ଦୂରରେ ହାଇସ୍କୁଲ ଆଉ ପାଞ୍ଚ କିଲୋମିଟର ଦୂରରେ କଲେଜ ଅଛି । ଅବିକଶିତ ବିକାଶ ବୋଲି ମୋଟାମୋଟି କୁହାଯାଇପାରେ । କାହିଁକି ନା ଶ୍ରେଣୀ ଥିଲେ ସାର୍ ନାହାଁନ୍ତି ସାର୍ ଥିଲେ ଶ୍ରେଣୀ ଘର ନାହିଁ । ଆଜିକାଲି କାମଚଳା ବ୍ୟବସ୍ଥା ତ ସବୁଆଡେ ଚାଲିଚି । ଆଉ ପିଲା ବି କୋଉ ସୁଧାର କି ?? ପିଲାମାନେ ଯଉ ବୋବାଲିଆ ହେଉଛନ୍ତି ପାଠପଢା ବି ଠିକ୍ ସେମିତି ବୋବାଲିଆ । 

     

           ସେଥିରେ ଏଇ କରୋନା ଆସି ଦୁଇବର୍ଷ ଭିତରେ ଯେତିକି ଲୀଳା ଦେଖେଇ ସାରିଲାଣି ସବୁ ଭେଲକା ହେଇ ଚାହିଁ ଛନ୍ତି ଯାହା । ତା ଭିତରେ ପିଲାଙ୍କ ପାଠପଢା ଲୀଳା !! କହିଲେ କୂଳକୁଟୁମ୍ବ କୁ ଲାଜ ନକହିଲେ କୂଳ ଭାସିଯାଉଚି ପରି ପରିସ୍ଥିତି । ଆଗ ପାଠପଢ଼ା ବନ୍ଦ ହେଲା ତାପରେ ପରୀକ୍ଷା ବନ୍ଦ ହେଲା । ବିଲେଇ ମୁଣ୍ଡରେ ଶିକା ଛିଡିଲା ପରି ଲାଗିଲା ତଥାକଥିତ ପଢୁଆ ପିଲାଙ୍କୁ । ହେଲେ ସରକାର ଙ୍କ ମୁଣ୍ଡ କୁ କ'ଣ ପିତ ଚଢ଼ିଲା କେଜାଣି ଅନଲାଇନ୍ ପାଠପଢା ଆରମ୍ଭ କରିଦେଲେ । ମୋବାଇଲ ରେ ପିଲେ ପଢ଼ିବେ ଆଉ ସେଇଥିରେ ପରୀକ୍ଷା ଦେବେ । ଶୀତ ଦିନରେ ଖରାଛୁଟିର ମଜା ନେଉଥିବା ପିଲାଙ୍କ ମୁଣ୍ଡ ରେ ଚଡକ ପଡ଼ିଲା । ଆରମ୍ଭ ହେଲା ଅନଲାଇନ୍ କ୍ଲାସ୍ ।


              ବେଶ୍ , ଏଇଠୁ କାହାଣୀ ର ଆରମ୍ଭ । କାହାଣୀ ର ନାୟକ ଗେଣ୍ଡୁ । ଚତୁର୍ଥ ଶ୍ରେଣୀ ର ଛାତ୍ର । ଏତେ ସୁଧାର ପିଲା ଯେ ବିଛୁଆତି ବି ଲାଜେଇଯିବ । ପାଠପଢିବା ଆଉ ଫାଶୀ ଖୁଣ୍ଟରେ ଝୁଲିବା ଏକା କଥା ତା ପାଇଁ । ଯାହାହେଉ ମାଡି ମକଚି ଚତୁର୍ଥ ଯାଏଁ ପହଞ୍ଚି ଯାଇଛି । ସ୍କୁଲ ବନ୍ଦ ହେବା ଦିନରୁ ପାଦ ଆଉ ତା'ର ତଳେ ଲାଗୁନଥିଲା । ଏଇଟା କ'ଣ କମ୍ କଥା ନଗି ମାଷ୍ଟ୍ରଠାରୁ ତାକୁ ରକ୍ଷା ମିଳି ଯାଇଥିଲା । ମାନେ ନଗେନ୍ଦ୍ର ସାର୍ ଗଣିତ ପଢାନ୍ତି । ମାଡ଼ ସିନା ସରକାର ଉଠେଇ ଦେଲେ ।ହେଲେ ନଗି ସାର୍ କଲିକି ଧରି ଟାଣିଦେବେ , କାନକୁ ଏମିତି ମୋଡିବେ ଆଖିରୁ ଜୁଳୁଜଳୁଆ ପୋକ ବାହାରି ଯିବ , ନ ହେଲେ ଆଙ୍ଗୁଠି ମଝିରେ ପେନ୍ ପୁରେଇ ରଗଡି ଦେବେ । ଯମ ତ ଗୋଟେ । ଯିଏ ପଢିଚି ସିଏ ଜାଣିଚି ।

              

            ହେଲେ ଯେତେବେଳେ ଶୁଣା ହେଲା ମୋବାଇଲ ରେ ପଢା ହେବ ଗେଣ୍ଡୁ ର ଖୁସି କହିଲେ ନ ସରେ । ଯାହା ହେଉ ନଗି ସାର୍ ଙ୍କ ଠାରୁ ମୁକ୍ତି ମିଳିଗଲା । 

              

            ଦୌଡ଼ି ଯାଇ ବାପାଙ୍କୁ କହିଲା ମୋର ଗୋଟେ ମୋବାଇଲ କିଣ , ମୁଁ ପାଠ ପଢିବି । ଗଣ୍ଠିଆ ବାପା ଆଖିତରାଟି ଅନେଇଲେ । ଆରେ ଏମିତି ଅନେଇଚ କ'ଣ ?ଆଉ ସ୍କୁଲ୍ ଖୋଲିବନି । ଏଇ ମୋବାଇଲ ରେ ସାର୍ ମାନେ ପାଠ ପଢେଇବେ । 


                  ଆରେ ! ସତେ ନା କ'ଣ ? ଇୟେ କି ଯୁଗ ହେଲା ରେ ବାପା । ଏବେ ପିଲା ମାନଙ୍କୁ ଗୋଟେ ଗୋଟେ ମୋବାଇଲ କିଣିକି ଦେବାକୁ ପଡିବ ? କାଇଁ ସରକାର ଦେଇ ଦେଉ ନାହାଁନ୍ତି ? ସବୁ ତ ଦେଉଛନ୍ତି । 

                  

               ଏଭଳି ଲୋକ ଏମିତି ଭାବିବା ସ୍ୱଭାବିକ । ସେମାନେ ଭାବନ୍ତି ସରକାର ତାଙ୍କ ପରିବାର କୁ ଚଳେଇ ନିଅନ୍ତେ କି ! ଅଭାବ ଏମିତି ଭାବିବା ପାଇଁ ବାଧ୍ୟ କରେ । ତା'ର ଗାଁ ମୁଣ୍ଡରେ ଚା ଜଳଖିଆ ଦୋକାନ , ମୋବାଇଲ ଆଣି ପୁଅକୁ ଦେବ କୋଉଠୁ ? ହଉ ହଉ ଆଣିବା , ଅନ୍ୟ ପିଲାମାନେ ଆଗ ଆଣନ୍ତୁ । ତୁ ନ ହେଲେ ମୋର ଟା ନେଇ ପଢୁଥା । 


             ହେଃ ! ତମେ କିଛି ଜାଣିନ । ସେଥିରେ କ'ଣ ହେବ ? ସେଟା ପା ଶସ୍ତା ଟିପା ମୋବାଇଲ । ଦାମିକା ସ୍ମାର୍ଟ ଫୋନ୍ ଆଣିବାକୁ ପଡ଼ିବ ।


                ସେଟା କେତେ ପଡ଼ିବ ? ବହୁତ ଦାମିକା ହେଇଥିବ ?

                ମୁଁ ଜାଣିନି । ଦୋକାନ ରେ ଯାଇ ପଚାରିଲେ ଜଣାପଡ଼ିବ ।

                 ହଉ ଆଗ ତୋ ସାଙ୍ଗ ରଙ୍କ , ଚେଙ୍ଗ , ନଣ୍ଡା , ଧେଣ୍ଡ କିଣନ୍ତୁ । କୋଉଠୁ ଆଣିଲେ ?? କେତେ ପଡିବଲା ଜଣାପଡି ଯିବ ।

                 ହଉ ! ହେଲେ ଜଲଦି ଆଣିବାକୁ ପଡ଼ିବ ଆଉ ୫/୬ ଦିନ ଭିତରେ କ୍ଲାସ୍ ଆରମ୍ଭ ହେଇଯିବ ।

                   ବାପା ରାଣ ଢିଙ୍କି ଗିଳ ନୀତିରେ ମୋବାଇଲ ଆସିଗଲା । ପଢା ଆରମ୍ଭ ହେଲା । ହେଲେ ସବୁ ଫୁସ୍ ହେଇଗଲା । ଆରେ ନେଟୱର୍କ ଆସିଲେ ସିନା ପାଠପଢା ହେବ ? ସେ ଉପାନ୍ତ ଅଞ୍ଚଳରେ ନେଟ୍ ଭଲା କୋଉ ଭଲ ଆସିବ ? ପିଲାଙ୍କ ଭିତରେ ଭାଳେଣି ପଡ଼ିଲା । ୟେତେ ଟଙ୍କା ଖର୍ଚ୍ଚ କଲେ ହେଲେ ପାଠପଢା ହେଇ ପାରୁନି । ଲାଭ କ'ଣ ? କଲେଜ ପିଲା ଠାରୁ ଆରମ୍ଭ କରି ସ୍କୁଲ ପିଲା ଆଲୋଚନା କରି ସ୍ଥିର କଲେ ପାଖ ପାହାଡ଼ ଉପରକୁ ଯାଇ କ୍ଲାସ୍ କଲେ ନେଟ୍ ଆସିବ ।

                    ପର ଦିନ ସକାଳେ ଛୋଟ ଠୁ ବଡପିଲା ଙ୍କ ଧାଡ଼ି ଛୁଟିଲା ପାହାଡ଼ ଉପରକୁ । ବଡ଼ ବଡ଼ ଗଛ ଘେରା ପାହାଡ଼ । ସେଠି ନେଟ୍ ଆସିଲା ସତ ହେଲେ ବେଳେବେଳେ କଟି ଯାଏ । ପିଲା ସେଠୁ ଗଛ ମାନଙ୍କ ରେ ଚଢ଼ି ପଢ଼ିବା ଆରମ୍ଭ କଲେ । ଗୋଟେ ଗୋଟେ ମାଙ୍କଡ ଛୁଆ ଭଳି ଗଛ ଡାଳରେ ଝୁଲି ପଡିଲେ । ବିଜ୍ଞାନ ଯାହା କହିଛି ସତ କହିଛି । ଆମ ପୂର୍ବଜ ମାଙ୍କଡ ଥିଲେ । ସେଇଥି ପାଇଁ ମଣିଷ ମାନଙ୍କର ମାଙ୍କଡ ପରି ବୁଦ୍ଧି । ଆଉ ଗଛର ଉପକାରିତା ଏଇଥିରୁ ଜଣା ପଡ଼ିଲା । ଗଛ ପଢିବାରେ ବି ସାହାଯ୍ୟ କରେ । ହେଲେ ଲେଖାଲେଖି କରିବାକୁ ଟିକେ ଅସୁବିଧା ହେଲା । ଗଛ ମାନଙ୍କରେ ମଞ୍ଚା ତିଆରି ହେଲା । ପିଲା ଯେମିତି ସୁବିଧା ରେ ବସି ପଢାଲେଖା କରି ପାରିବେ । ପିଲା କ'ଣ ପଢୁଥିଲେ ଭଗବାନ ଙ୍କୁ ଜଣା । ହେଲେ ସେମାନଙ୍କୁ ପିକନିକ୍ କଲା ଭଳି ଲାଗୁଥିଲା । ସକାଳ ପହରୁ ଯାଇ ଦିପହର ପରେ ଫେରନ୍ତି । 


               ଏମିତି ପାଠପଢା ଗେଣ୍ଡୁକୁ ଖୁବ୍ ସୁହାଉ ଥିଲା । ତା'ର କୋଉ ପଢ଼ାରେ ମନ ଥିଲା । କ୍ଲାସ୍ ଆରମ୍ଭରେ ପ୍ରେଜେଣ୍ଟ ପକେଇ ଦେଇ କୋଉ କୋଳି ଗଛରେ ଚଢିଲାଣି ତ କୋଉ କେନ୍ଦୁ ଗଛରେ । ନଗିମାଷ୍ଟ୍ର ର ଡର ବି ନଥାଏ । ମସ୍ତିରେ ତା'ର ଦିନ ଗୁଡା କଟି ଯାଉଥିଲା । ପିଲାର କଚ୍ଚେପୁଅ ବାର ଚାଲିଥିଲା । ହେଲେ ଅନ୍ଧାର ସବୁବେଳେ ରହେନି କି ସତ କେବେ ଲୁଚି ରହେନି । ଦିନେ ନଗି ମାଷ୍ଟ୍ର ଜାଣିଗଲା ଗେଣ୍ଡୁ ଆଉ ତା'ର କେତେଟା ସାଙ୍ଗ ଖାଲି ପ୍ରେଜେଣ୍ଟ ପକେଇ ପଳଉଚନ୍ତି । ପର ଦିନ କ୍ଲାସ ରେ ନଗି ମାଷ୍ଟ୍ର ରାଗକୁ ସମ୍ଭାଳେ କିଏ । କହିଲା କ'ଣ ପାଲା ଚଲେଇଚ ସବୁ ? ଆଜି ସନ୍ଧ୍ୟାରେ ତମ ଘର ମାନଙ୍କୁ ଯାଇ ଘରେ ପଶି ବାଡେବି । କୋଉ ବୋପା ଅଟକେଇବ ଦେଖିବି ।

               

           ଏତିକି ରେ ତ ପ୍ୟାଣ୍ଟ୍ ରେ ସୁସୁ ହେଇଗଲା । ଭାଳେଣି ପଡ଼ିଗଲା ସେମାନଙ୍କ ଭିତରେ । କ'ଣ କରିବା ?ଘରକୁ ଗଲେ ନଗିସାର୍ ତ ମାରିବେ ମାରିବେ ପୁଣି ବାପା ମାନଙ୍କ ଠାରୁ ବି ମାଡ଼ ଖାଇବା । ଘରକୁ ଗଲେ ମରିବା । ଡରିକି ସତ କୁ ସତ ଗେଣ୍ଡୁ ଆଉ ତା ସାଥୀ ଘରକୁ ଫେରିଲେନି । ସନ୍ଧ୍ୟା ହେଲା ଗାଁ ରେ ଭାଳେଣି ପଡ଼ିଲା କିଛି ପିଲା ପାହାଡ଼ ଉପରକୁ ଯାଇଥିଲେ ଫେରି ନାହାଁନ୍ତି । ପାହାଡ଼ ରେ ହେଟା ,ଭାଲୁ , ବଣୁଆ ହାତୀ ପରି ବନ୍ୟପ୍ରାଣୀ ଅଛନ୍ତି । ପିଲା ଗୁଡାଙ୍କ ଜୀବନ ଏବେ ବିପଦରେ । କିଛି ଗାଁ ଲୋକ ନିଆଁ ହୁଳା , ଟର୍ଚ୍ଚ ଆଉ ଲାଠି ଧରି ପାହାଡ଼ ଉପରେ ଚଢିଲେ । ପିଲା ମାନଙ୍କର ନାଁ ଡାକ ପକେଇ ପକେଇ ଖୋଜା ଆରମ୍ଭ ହେଲା । ପ୍ରାୟ ଦୁଇ ତିନି ଘଣ୍ଟା ଖୋଜାଖୋଜି ଚାଲିଲା । ବଡ଼ ପାହାଡଟା ଖୋଜିବା ୟେତେ ସହଜ ନୁହେଁ । ରାତି ବଢି ଚାଲିଥାଏ । ଝିଙ୍କାରି ମାନଙ୍କ ଶବ୍ଦ ବି ବଢି ଚାଲିଥାଏ । ଶେଷରେ ଭାବିଲେ ଆଉ ରାତିରେ ଖୋଜି ଲାଭ ନାହିଁ ବରଂ ସକାଳେ ଆସି ଖୋଜିଲେ ଭଲ ହେବ । ଯେଉଁ ମାନଙ୍କ ପିଲା ହଜିଥିଲେ ସେମାନଙ୍କ ଅବସ୍ଥା ନକହିବା ଭଲ । ଶେଷରେ ସେମାନେ ନିରାଶ ହେଇ ଫେରିଲେ ।

                   ୟେ ଷଣ୍ଢଦଳ ଏକ ପାହାଡ ଖୋଲ ଭିତରେ ଯାଇ ଲୁଚି ଯାଇଥିଲେ । ଦିନ ସାରା ଏପଟ ସେପଟ ହେଇ ପାହାଡ଼ ଖୋଲ ଭିତରେ ଟିକେ ଥଣ୍ଡା ଲାଗିବାରୁ ସମସ୍ତ ଙ୍କୁ ନିଦ ଲାଗିଗଲା । ଏପଟେ ଯେତେବେଳେ ଗାଁ ଲୋକ ଡାକ ବୋବାଳି ଛାଡୁଥିଲେ ୟେ ଦଳ ନିଘୋଡ଼ ନିଦରେ ଶୋଇ ଯାଇଥିଲେ । ରାତି ଅଧରେ ଭୋକ ହେଲା ସମସ୍ତଙ୍କୁ । ସେଇଠୁ ନିଦ ଭାଙ୍ଗିଲା ସେମାନଙ୍କର । ଚାରିଆଡ଼େ କିଟକିଟ ଅନ୍ଧାର ଦେଖି ସବୁ ହାଉଳେଇ ହେଇ କୁଣ୍ଢାକୁଣ୍ଢି ହେଇଗଲେ । ଡରରେ କାହାର ବଚନ ବାହାରୁ ନଥାଏ । ଟିକେ ଖସଖସ କି ସରସର ଶବ୍ଦ ହେଲେ ଆହୁରି ଜୋର୍ ରେ ଜାବୁଡ଼ି ଧରୁ ଥାଆନ୍ତି । ଏବେ ବୁଝିଲେ କେତେ ବଡ଼ ଭୂଲ କରିଛନ୍ତି । ଯଦି ବାଘ କି ଭାଲୁ ହାବୁଡ଼ରେ ପଡିଲେ କ'ଣ ଅବସ୍ଥା ହେବ ? କଥାରେ ଅଛି ପରା ଡର ଯେଉଁଠି ଅନ୍ଧାର ହେବ ସେଇଠି । 

                   ଖୋଲ ସାମ୍ନା ରେ ଏକ ବିରାଟ ମହୁଲ ଗଛ ଥିଲା । ମହୁଲ ବାସ୍ନା ରେ ସେ ଏରିଆ କମ୍ପି ଯାଉଥିଲା । ଗଛ ଚାରିପଟେ ୟେତେ ଜୁଳୁଜୁଳିଆ ପୋକ ଉଡୁଥିଲେ ଯେ ଲିଚୁ ଲାଇଟ୍ ସଜା ହେଲାପରି ଲାଗୁଥିଲା । ଭୋକ ହେଲାଣି ଅସମ୍ଭାଳ । ଆଉ ସହି ହେବନି । ସେମାନେ ବାହାରି ତଳେ ପଡିଥିବା ମହୁଲ ଗୋଟେଇ ଖାଇବାକୁ ଲାଗିଲେ । ୟେତେ ମହୁଲ ଖାଇଗଲେ ଯେ ସମସ୍ତଙ୍କୁ ନିଶା ହେଇଗଲା । ସେଇ ଗଛ ମୂଳରେ ଗଡିଲେ। ଡରଭୟ ସବୁ ଛାଡ଼ିଗଲା ଏକାଥରେ ।

                  ସକାଳୁ ଦେଖିଲା ବେଳକୁ ଭାଲୁ ଆସି ଚାଟୁଥିଲା ସେମାନଙ୍କ ମୁହଁ କୁ । ଭାଗ୍ୟ ଭଲ ଗାଁଲୋକେ ଆସି ପହଁଚିଗଲେ ଠିକ୍ ସମୟରେ । ନହେଲେ କ'ଣ ହେଇଥାନ୍ତା ସେମାନଙ୍କ ର ଭଗବାନ ଙ୍କୁ ଜଣା । ଟେକିଟୁକା କି ସେମାନଙ୍କୁ ଆଣିଲେ ଗାଁଲୋକେ । ହୋସଥିଲେ ସିନା କେହି କ'ଣ କହିଥାନ୍ତେ ? କମ୍ ସେ କମ୍ ହୋସ ଆସିବା ପର୍ଯ୍ୟନ୍ତ ବଞ୍ଚିଗଲେ ସେମାନେ । ଆଉ ସେତେବେଳକୁ ସମସ୍ତ ଙ୍କ ରାଗ ବି ଟିକେ ଥଣ୍ଡା ପଡ଼ି ଯାଇଥିବା ନା ।                  

             ଏଇ ହେଉଛି ଅନ୍ ଲାଇନ୍ ପାଠ ପଢ଼ାର ଇତିବୃତ୍ତି । ଗୋଟେ ଦିନ ରେ ଏଇ ଅନ୍ ଲାଇନ୍ ପଢା ପାଇଁ କେତେ କ'ଣ ଘଟଣା ଘଟୁଛି , କିଏ ତା'ର ଖୋଜଖବର ରଖୁଛି ? ସତ କହିବାକୁ ଗଲେ ଏବେ ବି ଉପାନ୍ତ ଅଞ୍ଚଳର ପିଲାମାନେ ଅନେକ ସୁବିଧା ରୁ ବଞ୍ଚିତ ଅଛନ୍ତି । ହେଲେ ବହୁ ଅସୁବିଧା ସତ୍ତ୍ୱେ ପାଠ ପଢା ଜାରି ରଖିଛନ୍ତି । କମ୍ ସେ କମ୍ ପାଠର ମହତ୍ୱ ତ ବୁଝିଛନ୍ତି , ସେଇଟା ବଡ଼ କଥା । ଗେଣ୍ଡୁ ଭଳି କିଛି ପିଲା ସବୁଠି ଥାଆନ୍ତି । ସେମାନେ କିମ୍ବଦନ୍ତୀ ସୃଷ୍ଟି କରନ୍ତି ।

               


Rate this content
Log in

Similar oriya story from Comedy