Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Arabinda Rath

Romance

4.4  

Arabinda Rath

Romance

ଅମରପ୍ରେମ

ଅମରପ୍ରେମ

9 mins
523


    ତୁମ ପାଖରେ ରହିବା ଦିନକୁ ଦିନ ଅସମ୍ଭବ ହୋଇଗଲାଣି। ବୟସ ଯେତିକି ବଢୁଛି ତୁମର ନୂଆ ନୂଆ ଦୁର୍ଗୁଣ ସବୁ ବାହାରୁଛି । ଦିନରାତି ଅଶାନ୍ତି କରି ମୋ ମୁଣ୍ଡ ଖରାପ କରି ସାରିଲଣି। ମୋତେ ଲାଗୁଛି ଅଳ୍ପଦିନ ଭିତରେ ପାଗଳ ହୋଇ ରାସ୍ତା ରେ ବୁଲିବି। ଯଦି ଭଗବାନ ତୁମ ମୁହଁ କୌଣସି ମତେ ବନ୍ଦ କରାଇ ଦିଅନ୍ତେ ମୁଁ ତାଙ୍କ ପାଖରେ ଚିରକୃତଜ୍ଞ ହୋଇ ରୁହନ୍ତି। ଭୀଷଣ ବିରକ୍ତିରେ ପ୍ରଳାପ କରି ଚାଲିଥିଲେ ମୋହନ। ସେତେବେଳକୁ ସୁଲୋଚନା ଘର ଭିତରେ ସୁକୁସୁକୁ ହୋଇ କାନ୍ଦିବାରେ ବ୍ଯସ୍ତଥିଲେ।

      ବାହାଘରର କୋଡିଏ ବର୍ଷ ପରେ ବି ଘରେ କୁଆଁଡାକ ଶୁଭିଲାନି। ବନ୍ଧୁବାନ୍ଧବ ସାଇପଡିଶା କେତେକଥା କହି ସୁଲୋଚନାଙ୍କୁ ବହୁ ପ୍ରକାର ଗଞ୍ଜଣା ମଧ୍ଯ ଦେଲେ। କିନ୍ତୁ ଭାଗ୍ଯର ଖେଳକୁ କିଏ ବା ଆୟତ୍ତ କରିବ। କିଏ ପିଲା ଜନ୍ମ କରି ନାଳରେ ଫୋପାଡି ଦେଉଛି ତ କାହା ଭାଗ୍ଯରେ ସନ୍ତାନ ଯୋଗ ନାହିଁ। ବାହାଘର ହେବା ଦିନରୁ ଘରେ କେବଳ ସେଇ ଦୁଇପ୍ରାଣୀ। ସବୁବେଳେ ମୁହଁ ଚାହାଁଚୁହିଁ ହୋଇ ରହିଲେ ମନ ଫଟାଫଟି ହେବା ଟା ନିହାତି ସ୍ବାଭାବିକ୍। ତାଙ୍କ ଘରେ ଟଙ୍କାପଇସାର ଅଭାବ ନ ଥିଲା, ଅଭାବ ଥିଲା ଭୋଗ କରିବା ଲୋକଙ୍କର। ଦୁଇଟା ମଣିଷ କଣ ବା ଖର୍ଚ୍ଚ ତାଙ୍କର। ଘରକୁ ଅତିଥି ମାନଙ୍କର ବି ଆଗମନ ସେତେ ଅଧିକା ନ ଥିଲା। ନ ଆସୁଥିଲେ ତାହା ମଧ୍ଯ ଭଲ କଥା। ନ ହେଲେ, ମୋହନଙ୍କ ଘରେ ଖାଇପିଇ ମଉଜ ତ କରିବେ, ଓଲଟା ତାଙ୍କ ଭାଗ୍ଯ ଟା କେଡେ ହୀନିମାନିଆ ବୋଲି ତୁହେଇ ତୁହେଇ ଜଣେଇବେ।

      କେହିକେହି ବଦାନ୍ଯତା ଦେଖେଇ କହିବେ - - କିହୋ ଆମ ଘରେ ତ ପିଲାଛୁଆ ବିଲେଇପିଲା ପରି ବୁଲୁଛନ୍ତି। ଗୋଟେ ହାତର ରୋଜଗାରକୁ ଦଶଟା ପାଟି ଗିଳିବାକୁ ଚାହିଁ ବସିଛନ୍ତି। ତୁମଘରେ ତ ଖାଇବାକୁ ଲୋକ ନାହିଁ। ଆମଘରୁ ପୁଞ୍ଜେ ଛଅଟା ପିଲାଙ୍କୁ ନେଇ ପୋଷ୍ଯ ସନ୍ତାନ କରି ଦିଅନ୍ତନି ! କିଛି ନ ହେଲେ ତୁମ ଅନ୍ତେ ପରିବାର ଟା ଆଗକୁ ତ ବଢି ପାରନ୍ତା। ଏମିତି କଥା ଶୁଣିଲେ ସୁଲୋଚନା ଛାତି ଫଟାଇ କାନ୍ଦିବା ଆରମ୍ଭ କରିଦିଅନ୍ତି। ଦୁନିଆ ଯାକର ଗାଳି ମୋହନଙ୍କ ଉପରେ ବର୍ଷଣ କରି, ଏପରି ଅବସ୍ଥା ପାଇଁ କେବଳ ସେ ଦାୟୀ ବୋଲି ଆକ୍ଷେପ କରନ୍ତି। ବିଚରା ମୋହନ- - - କୌଣସି ମତେ ନିଜକୁ ସାନ୍ତ୍ବନା ଦେଇ ରୁହନ୍ତି। କାହା ପାଟିରେ ବାଡବତା ଦେବା ଏତେ ସହଜ ନୁହଁ ବୋଲି ସେ ସୁଲୋଚନାଙ୍କୁ ବୁଝେଇ ପାରନ୍ତିନି। କିନ୍ତୁ ସେ ଅନୁଭବ କରିପାରନ୍ତି ସୁଲୋଚନାଙ୍କ ମନର ବେଦନା। କାହିଁକି ବିଚାରି ଭାଗ୍ଯରେ ଏତେ ଦୁଃଖ ଲେଖିଲ ବୋଲି ସେ ପ୍ରଶ୍ନ କରନ୍ତି ଭଗବାନଙ୍କୁ। ରୂପରେ ଗୁଣରେ କେହି ସୁଲୋଚନାଙ୍କ ସରି ହେବା ଅସମ୍ଭବ। ସେଥିପାଇଁ ତ ବାହାଘର ପରେ ତାଙ୍କର କେତେ ଶତୃ ଜନ୍ମ ନେଲେ ତା ହିସାବ ନାହିଁ। ଏତେ ସୁନ୍ଦରୀ ଓ ଗୁଣବନ୍ତୀ ନାରୀ ଯେ ମୋହନଙ୍କ ପରି ସାଧାସିଧା ଲୋକ ଭାଗ୍ଯରେ ଥିଲା ବୋଲି ହଜମ କରିବାକୁ ଲୋକଙ୍କୁ ବହୁତ ଦିନ ଲାଗିଗଲା। ପାଖପଡିଶା ମାଇପିଏ ସୁଲୋଚନାଙ୍କ ରୂପଗୂଣର ତେଜରେ ଘାଇଲା ହୋଇ ତାଙ୍କ ବିରୁଦ୍ଧରେ ଲାଗି ଯାଇଥିଲେ। ତାଙ୍କ ଶାଶୁ ଶ୍ବଶୁର ବଞ୍ଚିଥିଲା ବେଳେ ସେମାନଙ୍କ କାନ ରେ ନାନା ଖଚ ଚୁଗୁଲି କରି ସୁଲୋଚନାଙ୍କୁ ଅପଦସ୍ତ କରିବାର ଅପଚେଷ୍ଟା ବି ଜୋର କରିଥିଲେ। କିନ୍ତୁ ସବୁ ପେଞ୍ଚ ଫସର ଫାଟି ଯାଉଥିଲା । ଏମିତି ସୁନାନାକି ବୋହୁ ବିଷୟରେ ଅକଥା କହୁଥିବା ଲୋକଙ୍କ କାନମୁଣ୍ଡା ତତେଇ ଦେଲା ପରି ଉତ୍ତର ମାନ ଶାଶୁଶ୍ବଶୁର ନାଛି ଦେଉଥିଲେ। ତେଣୁ ସେ ପର୍ପଞ୍ଚିଆ ମାଇପିଗଣ କାନମୁଣ୍ଡ ଆଉଁସି ତୁନି ପଡୁଥିଲେ।

      କିଏ ଜାଣିଥିଲା ଯେ ଦଇବ ସୁଲୋଚନାଙ୍କ ଭାଗ୍ଯରେ ଏମିତି ଏକ ଅଭିଶାପ ଝୁଲାଇ ରଖିଛି। ବାହାଘରର ବର୍ଷେ ପରେ ବି ସୁଲୋଚନା କଇଁଆ,ଆଚାର ଆଦି ନ ଖୋଜିବା ଓ ବେଳଅବେଳରେ ବାନ୍ତି ନ କରିବା ଦେଖି ପାଖ ପଡିଶାଏ ଟୁପୁରୁଟାପୁରୁ ହେବା ଆରମ୍ଭ କଲେ। ସତେକି ସେମାନଙ୍କ ହାତରେ ସୁଲୋଚନାଙ୍କୁ ହରାଇବାର ବ୍ରହ୍ମାସ୍ତ୍ର ପଡି ଯାଇଥିଲା। ସେ ଟୁପୁରୁଟାପୁରୁ କଥା ଧିରେଧିରେ କୋଳାହଳର ରୂପ ନେଲା ଓ ତାଙ୍କ ଘରକୁ କେବେ ବୁଲି ନ ଆସୁଥିବା ମାଇପି ମାନେ ଦିନ କୁ ଚାରି ପାଞ୍ଚଥର ବୁଲିବାକୁ ଆସିଲେ। ବୁଲିବାକୁ ଆସିଲେନି ତ ଘରେ ନିଆଁ ଲଗାଇବାକୁ ଆସିଲେ। ବୋହୁ ବିରୁଦ୍ଧରେ ଶାଶୁଶ୍ବଶୁରଙ୍କୁ ଉସୁକାଇବାରେ ଶେଷରେ ସଫଳ ମଧ୍ଯ ହେଲେ।

      ଥରେ ଶାଶୁ ସୁଲୋଚନାଙ୍କୁ ବାଧିଲା ପରି କହିଲେ- - ଆଲୋ ମାଆ - - ଗଛ ଯେତେ ସୁନ୍ଦର ହେଲେ କଣ ହେବ, ଯଦି ସେଥିରେ ଫଳ ନ ଫଳେ ତା'ର କିଛି ମୂଲ୍ଯ ନାହିଁ। ସେମିତି ଗଛରେ ଚଢେଇ ଚିରିଗୁଣୀ ବି ବସନ୍ତିନି। କେତେଦିନ ଏମିତି ଅଫଳନ୍ତି ଗଛ ହୋଇ ରହିବୁ। ଆମର ତ ମୋହନ ଗୋଟିଏ ବୋଲି ପିଲା, ତା ଅନ୍ତେ ଏ ବଂଶ ରହିବ ଟି ?

      ନିଜ ମାଆଠାରୁ ଅଧିକ ଭଲ ପାଉଥିବା ଶାଶୁଙ୍କ ମୁହଁରୁ ଏପରି କଥା ଶୁଣି ସେଦିନ ବହୁତ କାନ୍ଦିଥିଲେ ସୁଲୋଚନା, ସେ ଲୁହ ଆଜିଯାଏ ଶୁଖିନି। ଶାଶୁଶ୍ବଶୁର ମରିବାର କାହିଁ କେତେ ବର୍ଷ ବିତି ଗଲାଣି, କିନ୍ତୁ ସେ ଆଜି ମଧ୍ଯ ଏକ ଅଫଳନ୍ତି ଗଛ। କେତେ ଯେ ଲୋକଙ୍କ ଆକ୍ଷେପ, ଅପମାନ, ଟାହିଟାପରା ଶୁଣିଛନ୍ତି ସେସବୁ ର ହିସାବ ନାହିଁ। ବୟସ ବଢିବା ସାଙ୍ଗକୁ ସେସବୁ ଦେହସୁହା ହୋଇ ଗଲାଣି । କିନ୍ତୁ ଏବେ ମଧ୍ଯ ସେ ରାତି ଅଧରେ ଗୁମୁରି ଗୁମୁରି କାନ୍ଦନ୍ତି। ମୋହନ ତାଙ୍କୁ ଦେଖିଦେଲେ କିଛି ବାହାନା କରି କାନ୍ଦୁରା ମୁହଁରେ ହସ ଫୁଟାଇବାକୁ ଚେଷ୍ଟା କରନ୍ତି ; ମାତ୍ର ପ୍ରତିଥର ଧରା ପଡିଯାଆନ୍ତି। ତାଙ୍କ ଆଖିର ଲୁହ ସଂକ୍ରମିତ କରେ ମୋହନଙ୍କୁ ଓ ସେ ସୁଲୋଚନାଙ୍କୁ କୋଳେଇ ଲୁହ ଗଡାନ୍ତି।

      ସୁଲୋଚନାଙ୍କ ସଂସାର ମୋହନଙ୍କ ଭିତରେ ସିମୀତ ଥିଲା କହିଲେ ଭୁଲ ହେବନି। ସେ ହିଁ ଥିଲେ ସ୍ବାମୀ,ବନ୍ଧୁ,ଦିଗଦର୍ଶକ, ସୁଖଦୁଃଖର ଚିରସାଥୀ ଓ ସମସ୍ତ ସମ୍ପର୍କର ଏକକ ସଜ୍ଞା। ମୋହନଙ୍କ ଅନୁପସ୍ଥିତିରେ ଅଣନିଶ୍ବାସୀ ହୋଇ ଉଠୁଥିଲେ ସୁଲୋଚନା। କିନ୍ତୁ ବୟସ ବଢିବା ସହିତ ସୁଲୋଚନାଙ୍କ ପ୍ରକୃତ୍ତିରେ କିଛି ପରିବର୍ତ୍ତନ ଆସିଥିଲା ଓ ମୋହନଙ୍କ ଉପରେ ପ୍ରଭୂତ୍ବ ଜାହିର କରିବାର ଅଭ୍ଯାସ ତାଙ୍କର ବଢି ଚାଲିଥିଲା। ପିଲା ମାନଙ୍କୁ ଆକଟ କରିବା ପରି ସେ କଥାକଥାରେ ମୋହନଙ୍କୁ ଆକଟ କରିବାରେ ଲାଗୁଥିଲେ। ମନ ଭଲ ଥିଲାବେଳେ ମୋହନ ସେସବୁକୁ ବରଦାସ୍ତ କରିଯାଉଥିଲେ ; ମାତ୍ର କେବେକେବେ ଭୀଷଣ ବିରକ୍ତ ହୋଇ ବେଶ୍ ଭଲମନ୍ଦ କରି ଶୁଣାଇ ମଧ୍ଯ ଦେଉଥିଲେ। ଏକମାତ୍ର ସାହାରା ପାଖରୁ କଠୋର ଶବ୍ଦ ଶୁଣି ସୁଲୋଚନା ଅଭିମାନ କରି ଗୁମ୍ ମାରି ବସୁଥିଲେ ଅନେକ ସମୟ। ପ୍ରଥମେ ମୋହନ ତାଙ୍କୁ ବୁଝାଇ ପ୍ରକୃତିସ୍ଥ କରୁଥିଲେ, କିନ୍ତୁ ପ୍ରକୃତ୍ତିରେ କୌଣସି ପରିବର୍ତ୍ତନ ନ ଆସିବାରୁ ସେ ସୁଲୋଚନାଙ୍କ ଅଭିମାନକୁ ଅଣଦେଖା କରିବା ଆରମ୍ଭ କରି ଦେଇଥିଲେ। ପରିବାରରେ ସେପରି କୌଣସି ଦାୟିତ୍ବ ନଥିବା ହେତୁ ନିଜକୁ ଅଫିସ୍ କାମରେ ନିମଜ୍ଜିତ କରି ରଖୁଥିଲେ ମୋହନ ଓ ସେଥିପାଇଁ ଉପରିସ୍ଥ ଅଫିସରଙ୍କ ପ୍ରୀତିଭାଜନ ହୋଇ ପାରିଥିଲେ। ତାଙ୍କୁ ଲାଗୁଥିଲା ଘରେ ବସି ରହି ସୁଲୋଚନାଙ୍କୁ ସମ୍ଭାଳିବା ଅପେକ୍ଷା ଅଫିସରେ କାମ କରି ନିଜକୁ ବ୍ଯସ୍ତ ରଖିବା କାହିଁ କେତେ ଗୁଣରେ ଶ୍ରେୟସ୍କର।

      ମୋହନ ଅଫିସ ଯିବାପରେ ଘରକାମ ସାରି ସୁଲୋଚନା ପାଖ ପଡୋଶୀ ମାନଙ୍କ ଘରକୁ ଯାଇ ଗପସପ କରୁଥିଲେ। ସେମାନେ ମଧ୍ଯ ତାଙ୍କ ଘରକୁ ଆସି ସମୟ ଅତିବାହିତ କରୁଥିଲେ। ସୁଲୋଚନାଙ୍କ ମନରେ ପିଲା ମାନଙ୍କ ପ୍ରତି ମନରେ ଥିବା ଅନାବିଳ ଭଲପାଇବା କଥାଟି ସମସ୍ତେ ଉଣା ଅଧିକେ ଜାଣିଥିଲେ; ମାତ୍ର ଅନେକ ସମୟରେ ସେ ଭଲପାଇବାର ସୀମା, ସରହଦ ଡେଇଁ ପଦାକୁ ଚାଲିଆସୁଥିଲା। ସେ ସମୟରେ ସୁଲୋଚନା କଣ ପ୍ରତିକ୍ରିୟା ଦେଉଥିଲେ ତାହା କଳନା କରିବା କଷ୍ଟକର ଥିଲା। କେବେ ସେ ରାଗି ଅସ୍ଥିର ହୋଇଯାଉଥଲେ ତ କେବେ ଭଲମନ୍ଦ ଦୁଇପଦ ଶୁଣାଇ ଦେଉଥିଲେ। ତାଙ୍କୁ ଜାଣିଥିବା ଲୋକେ ସିନା ଏପରି ବ୍ଯବହାର କୁ ହଜମ କରିନେବେ, ମାତ୍ର ଅଜଣା ଲୋକେ କାହିଁକି ବା ସହିବେ।

      ସେପରି କିଛି ଘଟିଲା ସେଦିନ। ଏକ ନବଦମ୍ପତ୍ତି ତାଙ୍କ ଘର ପାଖରେ ଘରଭଡା ନେଇ ରହୁଥିଲେ ଓ ସୁଲୋଚନା ତାଙ୍କ ଘରକୁ ସୌଜନ୍ଯମୂଳକ ସାକ୍ଷାତ କରିବାକୁ ଯାଇଥିଲେ। ଦୁର୍ଭାଗ୍ଯବଶତଃ ତାଙ୍କ ପିଲାଟି ଖାଇବନି ବୋଲି ଜିଦି କରି ବହେ ମାଡ ଖାଇ ତଣ୍ଟି ଫଟାଇ କାନ୍ଦିବାରେ ଲାଗଥିଲା। ସେ ସ୍ଥାନରେ ସୁଲୋଚନାଙ୍କୁ ସମ୍ଭାଳିବା କାଠିକର ପାଠ ହୋଇଗଲା। ପିଲାର ମାଆକୁ ମନଇଚ୍ଛା ଗାଳି ଦେଇ ସେ ଯାହାନାହିଁ ତାହା କହିଚାଲିଲେ। ପିଲାର ମାଆ ବି ଛାଡିବା ଲୋକ ନ ଥିଲା, ସେ ସୁଲୋଚନାଙ୍କୁ ପ୍ରତ୍ଯୁତ୍ତରରେ ଯାହା କହିଲା, ବିଚାରି ତଳେ ଲଥ୍ କରି ବସି ପଡିଲେ। ସେ ଚିତ୍କାର କରି ସୁଲୋଚନାଙ୍କୁ ତା ଘରୁ ବାହାରି ଯିବାକୁ କହି କହିଲା- - ତୁ ତ ମୂଳରୁ ବାଞ୍ଝ ପିଲା କଥା କାହିଁ ଜାଣିବୁ। ଯଦି ପିଲା ପାଳିବାର ଏତେ ସଉକି ଅଛି, ନିଜେ ଜନ୍ମ କରି ପାଳେ- - ୟା ତା ଘରେ କାହିଁ ମୁଣ୍ଡ ପୁରାଉଛୁ।

      ସେତିକି ଶୁଣି ବିଚାରି କାନ୍ଦିକାନ୍ଦି ଘରକୁ ଚାଲି ଆସି କବାଟ ବନ୍ଦ କରି ଢେର୍ ସମୟ କାନ୍ଦିଲେ। କିଛି ଅଘଟଣର ଆଶା କରି ପଡୋଶି ମାନେ ମୋହନଙ୍କୁ ଖବର ଦେଲେ। ବହୁତ ସମୟ ବୁଝାଶୁଝା ପରେ ମଧ୍ଯ ସୁଲୋଚନା ପିଲାଙ୍କ ପରି କଇଁକଇଁ କାନ୍ଦି ଚାଲିଥିଲେ। ସେଦିନର ଘଟଣା ପରଠାରୁ ସେ ବାହାରକୁ ବାହାରୁ ନ ଥିଲେ ଓ କାହା ସହିତ ମିଳାମିଶା ମଧ୍ଯ କରୁ ନ ଥିଲେ। ଏବେ ତାଙ୍କ ଦୁନିଆ ପରିଧିରେ କେବଳ ମୋହନଙ୍କ ବ୍ଯତୀତ ଦ୍ବିତୀୟ କେହି ନ ଥିଲେ। ଉପରୋକ୍ତ ଘଟଣାରେ ସୁଲୋଚନାଙ୍କ ଶତ ପ୍ରତିଶତ ଭୁଲ ରହିଛି ଜାଣି ମଧ୍ଯ ନିରୁପାୟ ଥିଲେ ମୋହନ। ସେ କେମିତି ବା ବୁଝାଇଥାନ୍ତେ ଯେ କାହା ପରିବାରରେ ଅନଧିକାର ପ୍ରବେଶ କରି ଉପଦେଶ ଦେବାର ଫଳାଫଳ ଅନେକ ସମୟରେ ଭୟାବହ ହୋଇଥାଏ। ସେ ଯାହା ବି ହେଉ, କିନ୍ତୁ ସେ ଘଟଣା ପରଠାରୁ ସୁଲୋଚନାଙ୍କ ବ୍ଯବହାରରେ ଅନେକ ପରିବର୍ତ୍ତନ ଆସିଯାଇଥିଲା। ସେ ପ୍ରତି କଥାରେ ମୋହନଙ୍କୁ ଦୋଷ ଦେଇ ଆକ୍ଷେପ କରି ଚାଲୁଥିଲେ। ଛୋଟମୋଟ କଥାରେ ଭୀଷଣ ପ୍ରତିକ୍ରିୟାଶୀଳ ହୋଇ ପାଟିତୁଣ୍ଡ କରୁଥିଲେ। କେବେକେବେ ନିଜକୁ ଦୋଷୀ ଭାବେ ଉପସ୍ଥାପିତ କରି ମୋହନଙ୍କ ଗୋଡତଳେ ପଡି କ୍ଷମାଭିକ୍ଷା କରୁଥିଲେ। ମୋହନଙ୍କୁ ଲାଗୁଥିଲା ସୁଲୋଚନାଙ୍କର କାୟା ପରିବର୍ତ୍ତନ ଘଟି ସାରିଛି ଓ ସେ ଯାହା ହାତ ଧରି ବାହାହୋଇ ଥିଲେ, ସେ ସୁଲୋଚନାଙ୍କ ଅସ୍ତିତ୍ବ କାଳର କରାଳ ଗ୍ରାସରେ ନିଶ୍ଚିହ୍ନ ହୋଇସାରିଛି। ଭୀଷଣ ମାନସିକ ସନ୍ତାପରେ ସନ୍ତୁଳି ହୋଇ ଚାଲିଥିଲେ ଦୁଇ ପ୍ରାଣୀ। ସତେକି, ସେମାନଙ୍କ ଭିତରେ ଥିବା ଅନାବିଳ ପ୍ରେମ ଉପରେ କାହା ନଜର ଲାଗି ଯାଇଥିଲା। ଚିରସ୍ମିତ ହାସ୍ଯସମ୍ପର୍ଣ୍ଣ ମୁହଁ ଦୁଇଟିକୁ ଆବୃତ୍ତ କରି ଚାଲିଥିଲା ନିରାଶାରୂପୀ ଅମାବାସ୍ଯାର ଘୋର ଅନ୍ଧକାର ଓ ଘରର ଶାନ୍ତ ପରିବେଶଟି ଧୂମ୍ରାଭ ହୋଇ ଉଠିଥିଲା ଚରମ ଅଶାନ୍ତଭାବରେ। ଏମିତି ବା କେତେଦିନ ଚାଲିଥା'ନ୍ତା।


      ସେଦିନ ସକାଳେ ସୁଲୋଚନାଙ୍କ ସହ ଯୁକ୍ତିତର୍କ ଓ ପାଟିତୁଣ୍ଡ କରି ମୋହନ ଭୀଷଣ ବିରକ୍ତି ରେ ଘରୁ ବାହାରିଗଲେ। ସୁଲୋଚନା ଘର ଭିତରେ ଗୁମୁରି ଗୁମୁରି କାନ୍ଦୁଥିଲେ, ମାତ୍ର ତାହା ମୋହନଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରି ନ ଥିଲା। ଘରକୁ ଫେରିବା ପରେ ସେ ଆବିଷ୍କାର କଲେ ସୁଲୋଚନାଙ୍କୁ ଗାଧୁଆ ଘରେ ଅଚେତ ଅବସ୍ଥାରେ। ବହୁ କଷ୍ଟରେ ତାଙ୍କୁ ଉଠାଇ ଡାକ୍ତରଖାନା ନେଲେ। ଅତି ଉଚ୍ଚରକ୍ତଚାପରେ ସୁଲୋଚନା ଆକ୍ରାନ୍ତ ହୋଇ ଆଂଶିକ ପକ୍ଷାଘାତର ଶିକାର ହୋଇ ଯାଇଥିଲେ। ତାଙ୍କ ଶରୀରର ଅର୍ଦ୍ଧାଂଶ ଅଚଳ ହୋଇ ଯାଇଥିଲା ଓ ସେ ଭଲରେ କଥାବାର୍ତ୍ତା କରି ପାରୁ ନ ଥିଲେ। କେବଳ ଠାର ମାଧ୍ଯମରେ ନିଜର ଅସହାୟତା ଦେଖାଇ ଚାଲିଥିଲେ। ମୋହନଙ୍କୁ ଲାଗୁଥିଲା ସତେକି ତାଙ୍କର ସଂସାର ଚକ ସେହି ସ୍ଥାନରେ ସ୍ଥାଣୁ ହୋଇ ରହିଯାଇଛି। କେମିତି ସୁଲୋଚନା ପୂର୍ବ ଅବସ୍ଥାକୁ ଫେରିବେ ସେହି ଚିନ୍ତାରେ ସେ ଅଥୟ ହୋଇ ଉଠୁଥା'ନ୍ତି। ଚିକିତ୍ସା ଚାଲିଲା, ଔଷଧର ମାତ୍ରା ଦିନକୁ ଦିନ ବଢି ଚାଲିଲା। ମାତ୍ର ସ୍ବାସ୍ଥ୍ଯରେ କୌଣସି ଉନ୍ନତି ପରିଲକ୍ଷିତ ହେଲାନାହିଁ। ଏବେ ମୋହନଙ୍କ ଅଧିକାଂଶ ସମୟ ସୁଲୋଚନାଙ୍କ ଯତ୍ନ ନେବାରେ ଯାଉଥିଲା। ସୁଲୋଚନାଙ୍କ ଆଖିରୁ ଅବାରିତ ଲୁହ ଝରି ଚାଲିଥିଲା ଓ ସେ କେତେ କଣ କହିବାକୁ ଚାହୁଁଥିଲେ ; ମାତ୍ର କହିବେ ବା କିପରି! ଶେଷରେ ଭାଗ୍ଯ ତାଙ୍କର ବାକଶକ୍ତି କୁ ନିଶ୍ଚିହ୍ନ କରି ଦେଇଥିଲା। ପିଲାଙ୍କ ପରି ଏବେ ସୁଲୋଚନାଙ୍କୁ ଗାଧୋଇ ଦେଉଥିଲେ ମୋହନ ଓ ତାଙ୍କର ଯାବତୀୟ ନିତ୍ଯକର୍ମ କରାଉଥିଲେ। ଚାମଚରେ ପାଟି ରେ ଖୁଆଇ ଦେବାଠାରୁ ଆରମ୍ଭ କରି ମୁଣ୍ଡ କୁଣ୍ଡାଇବା କାମ ମଧ୍ଯ ମୋହନଙ୍କୁ କରିବାକୁ ହେଉଥିଲା। ସମସ୍ତ ଯତ୍ନ ସତ୍ତ୍ବେ ଗୋଟିକ ପରେ ଗୋଟିଏ ରୋଗରେ ଆକ୍ରାନ୍ତ ହୋଇ ଚାଲିଲେ ସୁଲୋଚନା। ଓୌଷଧ ଓ କଷ୍ଟର ମାତ୍ରା ବଢିଲା ସିନା, କିନ୍ତୁ ଦେହ ଭଲ ହେବାର କୌଣସି ଲକ୍ଷଣ ଦୃଶ୍ଯ ହେଲା ନାହିଁ। ଡାକ୍ତର ମାନଙ୍କର ସେହି ଗୋଟିଏ ଉତ୍ତର ଥିଲା, ଭୀଷଣ ମାନସିକ ଅବସାଦ ଓ ଚାପ ହେତୁ ସୁଲୋଚନାଙ୍କ ଅବସ୍ଥା ଏହିପରି ହୋଇଛି। ତାଙ୍କ ଶରୀର ଅନେକ ଓୌଷଧକୁ ଗ୍ରହଣ ନ କରିବା ହେତୁ ଅବସ୍ଥା ସଙ୍ଗୀନ ହୋଇ ଚାଲିଛି। 

      ଏବେ ଘରେ ବିରାଜମାନ କରୁଥିଲା ଅସମ୍ଭବ ନୀରବତା, ସେହି ନୀରବତା ଯାହା ପାଇବାକୁ ମୋହନ ଦିନେ ବ୍ଯାକୁଳ ଥିଲେ। କିନ୍ତୁ ନୀରବତା ଯେ ଏତେ କଷ୍ଟଦାୟୀ ହୋଇପାରେ ବୋଲି ସେ କେବେ କଳ୍ପନା ମଧ୍ଯ କରି ନ ଥିଲେ। ସେ ଶୁଣୁଥିଲେ କେବଳ ନିଜର ସ୍ବର ଓ ସୁଲୋଚନାଙ୍କର କ୍ଷୀଣ ଆର୍ତ୍ତନାଦ। କଷ୍ଟ ହେଉଛି କି ବୋଲି ମୋହନ ପଚାରିଲେ ବଡ କଷ୍ଟରେ ମୁଣ୍ଡ ହଲାଇ ସୁଲୋଚନା ନିଜର ଉତ୍ତର ରଖୁଥିଲେ। ଦିନ ବିତିବା ସହିତ ସୁଲୋଚନାଙ୍କ ଶରୀର ଦୁର୍ବଳ ହେବାକୁ ଲାଗିଲା। କାନ୍ଧ ଓ ଗାଲର ହାଡ ସୁସ୍ପଷ୍ଟ ଦୃଶ୍ଯମାନ ହେବା ସହିତ ଚକ୍ଷୁ କୋଟରଗତ ହୋଇ ଚାଲିଥିଲା। ତାଙ୍କ ସୁଗଠିତ ଶରୀରରେ ମାଂସ ଅପେକ୍ଷା ହାଡର ପ୍ରାବଲ୍ଯତା ଅଧିକ ଲାଗୁଥିଲା, ସତେକି ଖୁବ କମ୍ ଦିନ ମଧ୍ଯରେ ପୂର୍ଣ୍ଣଗର୍ଭା ନଦୀ ଶୁଖି ଏକ କ୍ଷୁଦ୍ର ଜଳାଧାରରେ ପରିବର୍ତ୍ତିତ ହୋଇ ଯାଇଥିଲା। ସଦାବେଳେ ସୁଲୋଚନା ଏକ ଲୟରେ ଚାହିଁ ରହୁଥିଲେ ମୋହନଙ୍କୁ, ଯେମିତି ଜନ୍ମଜନ୍ମ ଧରି ବକେୟା ଥିବା କଥା ସେ ଅନବରତ କହି ଚାଲିଛନ୍ତି। ତାଙ୍କ ଗଭୀର ଅର୍ଥପୂର୍ଣ୍ଣ ଚାହାଁଣୀରେ ମୋହନଙ୍କୁ ଦିଶୁଥିଲା ବ୍ଯର୍ଥତା ଓ ଅସମ୍ଫୂର୍ଣ୍ଣତାର କିମ୍ଭୁତକିମ୍ଭାକାର ଭଗ୍ନସ୍ତୁପ। 

      ଏଇ କିଛିଦିନ ତଳେ ସୁଲୋଚନାଙ୍କ କୋଳାହଳରେ ଅତିଷ୍ଠ ହୋଇ ମୋହନ ଚାହିଁଥିଲେ ସମ୍ପୂର୍ଣ୍ଣ ନୀରବତା। ତେବେ....କାହିଁକି ଏ ନୀରବତା ତାଙ୍କ ପ୍ରାଣକୁ ଜାଳିପୋଡି ଧ୍ବଂସ କରି ପକାଉଛି। କାହିଁକି ସେ ଚାହୁଁଛନ୍ତି ପୁଣିଥରେ ସୁଲୋଚନା ନିଜର ପୂର୍ବାବସ୍ଥାକୁ ଫେରି ଯାଆନ୍ତୁ ଓ ପୁଣିଥରେ ତାଙ୍କ ସ୍ବର ଓ କୋଳାହଳରେ ଝଙ୍କୃତ ହୋଇଉଠୁ ତାଙ୍କ ଆତ୍ମା ଓ ଜୀବନ। ସୁଲୋଚନାଙ୍କ ଅକଥ୍ଯ କୁତ୍ସାରଟନା କାହିଁକି ତାଙ୍କୁ ଦୁର୍ମୂଲ୍ଯ ବୋଧ ହେଉଛି, କାହିଁକି ସେ ଚାହୁଁଛନ୍ତି ସୁଲୋଚନାଙ୍କ ତିରସ୍କାରରେ ଗୁଞ୍ଜରିତ ହୋଇଉଠୁ ତାଙ୍କ କର୍ଣ୍ଣଯୁଗଳ। ଏମିତି କେତେ "କାହିଁକି" ର ଗୋଲକଧନ୍ଦାରେ ଆକ୍ତାମାକ୍ତା ହେବା ବେଳକୁ ହଠାତ୍ ମୋହନଙ୍କ ଛାତିରେ ଏକ ତୀବ୍ର ପୀଡା ଅନୁଭୁତ ହେଲା ଓ ସେ ଛାତି କୁ ଛାପିଧରି ସୁଲୋଚନାଙ୍କ ପାଖରେ ଲଥ୍ କରି ବସି ପଡିଲେ। ସୁଲୋଚନାଙ୍କ ଉନ୍ମୁକ୍ତ ଚକ୍ଷୁଯୁଗଳ ଏ ଦୃଶ୍ଯ ଦେଖିବା ପରେ ପ୍ରତିକ୍ରିୟାଶୀଳ ହୋଇ ଉଠିଲେ ଓ ତାଙ୍କ ଓଠରେ କମ୍ପନ ସୃଷ୍ଟି ହେବା ସ୍ପଷ୍ଟ ଦିଶିଲା। ଅଭ୍ଯାସବଶତଃ ସେ ହାତ ଉଠାଇବାକୁ ଚେଷ୍ଟା କଲେ ମାତ୍ର ବିଫଳ ହେଲେ।

      କିଛି କ୍ଷଣପରେ ମୋହନ ପ୍ରକୃତିସ୍ଥ ହେଲେ ଓ ଧିର ପଦକ୍ଷେପରେ ଆଲମାରୀ ପାଖକୁ ଅଗ୍ରସର ହେଲେ। ବିବାହ ସମୟରେ ସୁଲୋଚନା ପିନ୍ଧିଥିବା ପାଟଶାଢୀ,ଅଳଙ୍କାର ଓ ଅନ୍ଯାନ୍ଯ ସାମଗ୍ରୀ ଯତ୍ନ ସହକାରେ ଆଲାମାରୀରୁ କାଢି ଛାତିରେ ଚାପି ଧରି ପିଲାଙ୍କ ପରି କାନ୍ଦି ଉଠିଲେ। ତାଙ୍କ ଦୃଷ୍ଟି ସମ୍ମୁଖରେ ଖେଳି ଚାଲିଥିଲା ବିଭାଘର ଦିନର ସେ ସ୍ବର୍ଣ୍ଣାଭ ମୂହୁର୍ତ୍ତର ଦୃଶ୍ଯରାଜି। ବାହାଘର ଦିନ ନିଜେ ପିନ୍ଧିଥିବା ପୋଷାକ ପିନ୍ଧିସାରି ସେ ସୁଲୋଚନାଙ୍କୁ ନବବଧୂ ରୂପରେ ସଜାଇବାକୁ ଲାଗିଲେ। କଣ ହେଉଛି ବୁଝି ନ ପାରି ସୁଲୋଚନା ନିର୍ମିଶେଷ ପ୍ରଶ୍ନିଳ ନୟନରେ ଚାହିଁ ରହିଥିଲେ ମୋହନଙ୍କୁ। ଅତି ଯତ୍ନରେ ସୁଲୋଚନାଙ୍କୁ ଶାଢୀ ପିନ୍ଧାଇ, ପାଦରେ ଅଳତା ଲଗାଇ, ନାନା ଅଳଙ୍କାରରେ ଭୂଷିତ କରି ନବବଧୂ ବେଶରେ ସଜାଇବା ପରେ ମୋହନ ମନଭରି ଦେଖିବାକୁ ଲାଗିଲେ। ସୁଲୋଚନାଙ୍କ ଶୁଷ୍କପ୍ରାୟ ଓଠରେ ତଡିତ୍ ପ୍ରବାହ ପରି ହସର ଏକ ସୁକ୍ଷ୍ମ ଝଲକ ଖେଳି ନିମିଷକରେ ଅଦୃଶ୍ଯ ହୋଇଗଲା। ସେତିକି ଦେଖି ମୋହନଙ୍କ ଆତ୍ମାରେ ଖେଳିଗଲା ଅପୂର୍ବ ଆନନ୍ଦ ଓ ପ୍ରଶାନ୍ତିର ଫଲ୍ଗୁଧାରା।

      ପୁଣି ସେ ଅନୁଭବ କଲେ ଛାତିରେ ତୀବ୍ରପୀଡା। ଓଃ....କି ଅସହ୍ଯ ଏ ବେଦନା। ଏତିକି କହି ସେ ବଡ କଷ୍ଟରେ ସୁଲୋଚନାଙ୍କ ସୀମନ୍ତରେ ସିନ୍ଦୁରର ଏକ ରେଖା ଟାଣି କପାଳରେ ଚୁମ୍ବନ ଆଙ୍କିଦେଲେ।  କୋହଭରା କଣ୍ଠରେ ସୁଲୋଚନାଙ୍କ ଦେହ ଆଉଁସି କହିଲେ- - ସୁଲୋଚନା, ମୁଁ ତୁମକୁ ବହୁତ୍ ଭଲପାଏ, ଏକଥା କଣ ତୁମେ ଜାଣିନ? ତୁମର ଏ ଅବସ୍ଥା ପାଇଁ ମୁଁ ହିଁ ଦାୟୀ, ଏ ଦୋଷୀକୁ କ୍ଷମା କରିଦେବ। ତୁମେ ଜନ୍ମଜନ୍ମ ପାଇଁ ମୋ ସାଥୀ ହୋଇ ରହିଛ ଓ ରହିବ। ଶପଥ କରି କହୁଛି ଯେ ମୁଁ ତୁମ ପାଖରେ ସର୍ବଦା ଛାଇ ହୋଇ ରହିବି, ମୋ ଶେଷ ନିଶ୍ବାସ ପର୍ଯ୍ଯନ୍ତ- - - -

       ପୀଡାର ମାତ୍ରା ଅତ୍ଯଧିକ ବଢିଯିବା ହେତୁ ମୋହନ ନିଜ ଉପରୁ ନିୟନ୍ତ୍ରଣ ହରାଇ ସୁଲୋଚନାଙ୍କ ଉପରେ ଢଳି ପଡିଲେ। ସୁଲୋଚନାଙ୍କ ଦୁର୍ବଳ ଓ ଚଳତ୍ ଶକ୍ତିବିହୀନ ଶରୀର ମୋହନଙ୍କ ଶରୀର ଭାରରେ କିଛି ସମୟ ପାଇଁ କମ୍ପିତ ହୋଇ ଉଠିଲା ଓ ଏକ କ୍ଷୀଣ ଆର୍ତ୍ତନାଦ ଶୁଭିଲା ; ତାହା ଯନ୍ତ୍ରଣା ବା ଆନନ୍ଦର ଜାଣିବା ସମ୍ଭବପର ନ ଥିଲା। ଅଳ୍ପକ୍ଷଣ ମଧ୍ଯରେ ଚାରିଟି ଚକ୍ଷୁ ସବୁଦିନ ପାଇଁ ସ୍ଥିର ହୋଇଗଲା, କିନ୍ତୁ ଦୁଇଟି ଓଠରେ ଖେଳୁଥିଲା ଚରମପ୍ରାପ୍ତିର ସ୍ବାକ୍ଷର। ଘର ମଧ୍ଯରେ ସଦର୍ପେ ବିରାଜମାନ କରୁଥିବା ନିରବତାକୁ ଭଗ୍ନ କରୁଥିବା ନିଶ୍ବାସପ୍ରଶ୍ବାସର ମୃଦୁ ଶବ୍ଦ ମଧ୍ଯ ନିରବି ଯାଇଥିଲା ଓ  ସେ ସ୍ଥାନରେ ନିରବତା ନିଜର ସମ୍ପୁର୍ଣ୍ଣ ଆଧିପତ୍ଯତା ବିସ୍ତାର କରି ସାରିଥିଲା।

   ତା ପରଦିନ ବହୁ ସମୟ ଯାଏ ମୋହନଙ୍କ କବାଟ ନ ଖୋଲିବାରୁ ପଡୋଶୀ ମାନେ ପୋଲିସ୍ କୁ ଖବର ଦେଲେ। କବାଟ ଖୋଲିବା ପରେ ଆବିଷ୍କୃତ ହେଲେ କୋଳାଗ୍ରତ ଅବସ୍ଥାରେ ବରବଧୂ ବେଶରେ ସଜ୍ଜିତ ଦୁଇଟି ନିର୍ଜୀବ ଶରୀର, ଯେଉଁମାନଙ୍କର ଅମରପ୍ରେମର ଗାଥା ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ସାରିଥିଲା।

           


Rate this content
Log in

More oriya story from Arabinda Rath

Similar oriya story from Romance