Lalita Mohan Mishra

Romance Tragedy

3  

Lalita Mohan Mishra

Romance Tragedy

ଅଦୃଶ୍ୟ ନାୟକ

ଅଦୃଶ୍ୟ ନାୟକ

11 mins
247



ଜୀବନଟା ଏଠି ମିଛ ମାୟାର ସଂସାର । ଜୀବନଟା ଆଜି ଅଛି କାଲି କି ନାହିଁ । ଜୀବନ ପଥରେ କେତେବେଳେ ନୈସର୍ଗିକ ଆନନ୍ଦ ତ ଆଉ କେତେବେଳେ ନିଦାଘର ଦାରୁଣ ରୌଦ୍ରତାପ । ବାସ୍ତବରେ ଦୁଃଖ ନଥିଲେ ସୁଖ ର ଅସ୍ତିତ୍ବ ନାହିଁ ? ହାରିବା ନଥିଲେ ଜିତିବାର ଆନନ୍ଦ ନାହିଁ ? ଅନ୍ଧକାର ନ ଥିଲେ ଆଲୋକର ସତ୍ତା ନାହିଁ ? ରାତି ପରେ ଦିନ ଆଉ ଦିନ ପରେ ରାତି । ଦୁଃଖ ପରେ ସୁଖ ଆଉ ସୁଖ ପରେ ବି ଦୁଃଖ । ଏଣୁ ତ ଜୀବନ ର ଅନ୍ୟନାମ ସଂଘର୍ଷ ! ! ! ଖୋଜିବା ପାଇବା.... ଅଛି ନାହିଁ ର ସମ୍ମିଶ୍ରଣରେ ଆମ ଜୀବନ ! ବଞ୍ଚି ଶିଖିଲେ ଜୀବନ ହୁଏ ମଧୁମୟ l ଜୀବନରେ ଯେତେ ସୁଖ ମିଳିଲେ ବି ମନୁଷ୍ଯ ଅତୃପ୍ତ ଓ ଅଶାନ୍ତ । କାରଣ ଆଶା ପୂରଣ ହେଲେ ଏକ ନୂତନ ଆଶାର ସନ୍ଧାନ । ଅସରନ୍ତି ଆଶା, ଅସୁମାରି ସ୍ବପ୍ନ ରେ ଏ ଜୀବନ । କେବେ ବି ମଣିଷ ଚରମ ତୃପ୍ତି, ଚରମ ସନ୍ତୁଷ୍ଟି ପାଏନି । ତେଣୁ ଏନ୍ତୁଡି ନିଆଁରୁ ଜୂଇ ନିଆଁ ର ମଧ୍ୟବର୍ତ୍ତୀ ସମୟ ସବୁବେଳେ ଅଧୁରା । ଭାବିବାକୁ ଗଲେ ଆଶା ପଛରେ ଦୌଡି ନିରାଶାର ପଦଚିହ୍ନ ।


ଏମିତି କେତେ କ'ଣ ଭାବି ହେଉଥାଏ - ବସ୍ ଷ୍ଟପେଜର ଠିଆ ହୋଇଥିବା ତରୁଣିଟି । ଏଇତ ଶୁଭିଲାଣି ବିଜୁଳିର ଚମକ । ନବ ମୟୂରୀ ବି ନାଚିଲେଣି ଷଡ଼ଜ ଛନ୍ଦରେ । ସେ ନିଶ୍ଚିତ ଆସିବେ ତାଙ୍କର ପ୍ରୀତି ପିଆଲା ରେ ନିଜ ସମ୍ମୋହନୀ ଶକ୍ତିରେ ଭିଜାଇବାକୁ ମୋତେ । ମରୀଚିକା ସମ ଦୂରେ ତୁମେ କିମ୍ପା ଅଛ ? ତୁମ ବିନା ଚଲାପଥ ମୋର ହେଲାଣି ମରୁବାଲି ସମ... ଝାଉଁଳା ଗୋଲାପ ଧରି ଝୁରେ ତୁମକୁ ବ୍ୟାକୁଳ ଚିତ୍ତରେ । ହେ ଅଦୃଶ୍ୟ ପ୍ରେମିକା ! ମୋର ଝାଳ ଜରଜର ହେବଣି ଝିନବାସ, ତୁମ ଦାରୁଣ ନିଦାଘ ତେଜରେ । ତୁମ ଲାଗି ମୋର ଚିନ୍ତା ବଢେ ଅଧାପୋଡା ମନରେ । ତୁମ ବିହୁନେ ମୋର ସ୍ପନ୍ଦନ ବଢିଲାଣି । ତୁମେ କଣ ଅନୁଭବି ପାରୁନାହଁ ? ଅଦୃଶ୍ୟ ରୁ ଦୃଶ୍ୟମାନ ହୁଅ । ଆଡ ରୁଷା ହେଜି ପଦ୍ମଗନ୍ଧା ସମ ପ୍ରବେଶ ମୋ ମନ ଉପବନରେ .. .. 


ଗଜପତି ଜିଲ୍ଲାର ଅନ୍ତିମ ଏବଂ ଗଞ୍ଜାମ ଜିଲ୍ଲାର ପ୍ରାରମ୍ଭ l ପାହାଡ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ l ମନୋରମ ସୌନ୍ଦର୍ଯ୍ୟରେ ଭରପୁର ଏକ ସୁନ୍ଦର ମାର୍ଗ l ବ୍ରହ୍ମପୁର ସେଠାରୁ ପଚାଶ ଷାଠିଏ କିଲୋମିଟର । ଆଗକୁ ଗଲେ ତପ୍ତପାଣି ଉଷ୍ମପ୍ରସ୍ରବଣ । ପଛରେ ଛାଡି ଦେଇଛି ଲୁହାଗୁଡି ଓ କମଳାପୁର । ପର୍ବତରାଜି ତଥା ଘନ ବନରାଜି ବେଷ୍ଟିତ ପ୍ରଶାନ୍ତ ରୂପ । ତପ୍ତପାଣିରେ ସୂର୍ଯ୍ୟୋଦୟ ସୂର୍ଯ୍ୟାସ୍ତ, ଜ୍ୟୋତ୍ସ୍ନାପ୍ଳୁତ ରଜନୀ, ଘନବନ କୁଞ୍ଜ ଅନ୍ତରାଳରୁ ଶୁଣାଯାଉଥିବା ପକ୍ଷୀକୁଳଙ୍କ କାକଳୀ । ବନ୍ୟ ପଶୁ ସମୂହଙ୍କ ଉପସ୍ଥିତି ତଥା ବନପ୍ରଦେଶ ଅନ୍ତର୍ଗତ ଆଦିମ ଆଦିବାସୀଙ୍କ ଗୀତନୃତ୍ୟ ବାଦ୍ୟର ତାନ। ଏହାର ପ୍ରାକୃତିକ ଶୋଭାକୁ ବହୁଗଣିତ କରେ । ଏହି ଦୃଶ୍ୟ ସମୂହ ବହୁ ପ୍ରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । କବି,ଲେଖକ , ପଣ୍ଡିତ, ଭାବୁକ ତଥା ବନଭ୍ରମଣକାରୀ ଏବଂ ନବବିବାହିତ ଦମ୍ପତ୍ତି । ଏ ସମସ୍ତ ପ୍ରକାର ବ୍ୟକ୍ତି ବର୍ଷ ସାରା ଏହାର ଶୋଭା ଆହରଣ କରିଥାନ୍ତି ।


ଲୁହାଗୁଡିରୁରୁ ପୋଡାମାରୀ ଆଡକୁ ଯାଇଛି ସୁନ୍ଦର ସର୍ପିଳ ରାସ୍ତାଟିଏ l ଦୁଇପଟେ ପାହାଡ ଓ ବୃକ୍ଷ ଲତା l ମଝିରେ ମଝିରେ ରାସ୍ତା ଟି ବୃତ୍ତ ପରି ଘୁରି ପୁଣି ଆଗକୁ ଚାଲିଯାଇଛି l ଆଗକୁ ତପ୍ତପାଣି ଘାଟିଟି ଗଡିବାକୁ ହେବ। ଗଡାଣିଆ ରାସ୍ତା ଅତିକ୍ରମ କରୁଥିବା ଯେ କୌଣସି ଭାବୁକ ବ୍ୟକ୍ତିକୁ ଲାଗିପାରେ ଏ ତ ରାସ୍ତା ନୁହେଁ, ଗୋଟିଏ ସୁନ୍ଦର ଜଙ୍ଗଲି କବିତା ! ସେହି କବିତାକୁ ପଢ଼ି ପଢ଼ି ଆଗକୁ ଆଗକୁ ବଢିଚାଲିବାର ଅନୁଭୂତି ଖୁବ ନିଆରା ଓ ମଧୁର l ସେହି ବୃତ୍ତରେ ଛୋଟିଆ ବସ୍ ଷ୍ଟାଣ୍ଡଟେ । ସେଠାରୁ ଛୋଟିଆ ରାସ୍ତାଟେ ଲମ୍ବି ଯାଇଛି ପାଦ୍ରିମା ଗାଁକୁ ।


ସେହି ବସ୍ ଷ୍ଟାଣ୍ଡରେ ଅତି ସୁନ୍ଦର ଲୋଭନୀୟ ବସ୍ତ୍ର ପରିଧାନ କରି ପ୍ରତିକ୍ଷାରତ କଳିକାଟି । ଯିଏ ସେ ରାସ୍ତାରେ ଯାଉଥିବ ନିଶ୍ଚିତ ଆଖିଟି ପଡିବ ତା ଉପରେ । ଦୂରରୁ ଲକ୍ଷ୍ୟ କଲି ଏକାକୀ ତରୁଣୀଟିଏ ନିରବରେ ବସିଛି ଦ୍ବିପହର ସମୟରେ । ତା' ଚାରିପଟେ ନିଃସଙ୍ଗ ପୃଥିବୀ ସମଗ୍ର ସତ୍ତାକୁ ଆବୋରି ବସିଛି। ଦୃଷ୍ଟି ତାର ଲମ୍ବି ଯାଇଛି ସୁଦୂର ପ୍ରାସାରୀ ମାର୍ଗକୁ । ପୁଣି କିଛି ସମୟ ପରେ ବିଚଳିତ ଭାବେ କେଉଁ ଏକ ଅଜଣା ରାଇଜରେ ମଗ୍ନ ରହୁଛି ନିରବରେ। ଦୂରରୁ ଥାଇ ଲକ୍ଷ୍ୟ କଲି , ପାଖକୁ ଗଲି । ତଥାପି ତରୁଣୀଟି ସମ୍ପୂର୍ଣ୍ଣ ଅବିଚଳିତ ଓ ନିର୍ବିକାର। ତାର ଏତାଦୃଶ ଆଚରଣରେ ସମ୍ମୋହିତ ହୋଇ ପଡ଼ିଲି ମୁଁ ।


ଫେରି ଆସିଲି ପଛକୁ । କିଛି ଦୂରରେ ଛିଡ଼ାହୋଇ ଲକ୍ଷ୍ୟ କଲି ତା’ ଆଡକୁ। ଯୌବନର ଅପୂର୍ବ କାଉଁରୀ ପରଶ ଲାଗିଛି ତା’ ଦେହରେ। ଦୁଧ-ଅଳତା ରଙ୍ଗର କୋମଳ ଅଙ୍ଗରେ ସବୁଜ ରଙ୍ଗର ଶାଢ଼ୀକୁ କଫି ରଙ୍ଗର ବ୍ଲାଉଜଟି ଖୁବ୍ ଆକର୍ଷିତ କରୁଥିଲା । ଅଥଚ ତା’ ଗୋରା ମୁହଁଟା କେମିତି କେମିତି ନିଷ୍ପ୍ରଭ ଦିଶୁଥିଲା। ତା’ର ନିରବ ଦୃଷ୍ଟି ପୌଷର ଆକାଶ ପରି ଉଦାସ । ଶୀତଳ ପ୍ରସାରିତ ଏକ କରୁଣମୟ ଅଭିବ୍ୟକ୍ତି। ମନେ ହେଉଥିଲା ସତରେ ତା’ ମନର ସବୁ ଆନନ୍ଦ କି’ଏ ଯେମିତି ବହୁ ଦିନରୁ ପୋଛିଦେଇଛି।


ଏଥର ତରୁଣୀଟି ମୁହଁ ବୁଲାଇ ଏକ ବେଦନାଭରା ନରମ ଦୃଷ୍ଟିପାତ କଲା ମୋ’ ଉପରେ। ପୁଣି ମୁହଁ ତଳକୁ କରି କଣ ଭାବିଲା - ଯାହା ସୁନ୍ଦର, ଯାହା ସତ୍ୟ; ଅସ୍ପଷ୍ଟ , ଯେଉଁଟା ଅନ୍ଧକାର। ଅସୀମ ଅନୁରାଗର ତୀବ୍ର ଆକର୍ଷଣରେ ଆକର୍ଷିତ ହୋଇ ଉଠିଲି ମୁଁ। ଯା’ହେଉ ତରୁଣୀଟି ସହିତ ଦି'ପଦ କଥାବାର୍ତ୍ତା ହେବାର ଖୋରାକ ପାଇଯାଇଛି ଭାବି ମନେ ମନେ ଖୁସି ହେଲି। ଆଉ ଟିକିଏ ପାଖକୁ ଯାଇ ମୁଗ୍ଧ କଣ୍ଠରେ ପଚାରିଲି - ଆପଣ କାହାକୁ ପ୍ରତୀକ୍ଷା କରିଛନ୍ତି କି ? ? 


ଏଥର ତରୁଣୀଟିର ନିରବ ଓଠରେ ଚେନାଏ ହସର ଢେଉ ଖେଳିଗଲା। ଫଗୁଣର ରଙ୍ଗୀନ କୃଷ୍ଣଚୂଡ଼ା ଭଳି ତା’ ହସଟା ପ୍ରଣାବନ୍ତ ମନେ ହେଉଥିଲା। ତା’ ଚଉଡା ଭ୍ରୂ ତଳର ଦୁଇଟି ଘନନୀଳ ଢଳ ଢଳ ଚକ୍ଷୁ ଚଉଡା କପାଳର କ୍ଷୁଦ୍ର କୁଙ୍କୁମ ବିନ୍ଦୁ ସହିତ ଦୋଲାୟିତ କାକାକୃଷ୍ଣ କେଶରାଶି ଅପୂର୍ବ ସୌନ୍ଦର୍ଯ୍ୟ ସୃଷ୍ଟି କରୁଥିଲା। ଯାହାକୁ ଦେଖିଲେ ଯେ କେହି ଆକୃଷ୍ଟ ହୋଇ ପଡିବା କିଛି ଅସ୍ବାଭାବିକ ନୁହେଁ। ପୁଣି ଚାହିଁଲା ସେ ମୋ’ ଆଡ଼କୁ। ଆତ୍ମବିସ୍ମୃତ ହୋଇ ପଡ଼ିଲି ମୁଁ ।


ପାଖକୁ ଯାଇ ପୁଣି ଥରେ ପଚାରିଲି - କାହାକୁ ଅପେକ୍ଷା କରିଛନ୍ତି କି ? କିଛି ସମୟର ନିରବତା ପରେ ପ୍ରଥମେ ମୁଁହ ଖୋଲିଲା ସେ - ଉତ୍ତର ଦେଲା ଜଗାକାଳିଆ ବସଟି ପଳାଇ ଗଲା କି ? ଆଜି ଶନିବାର ତ ସେ ନିଶ୍ଚୟ ଆସିବେ ! ! ତେଣୁ ଅପେକ୍ଷା କରିଛି ? ସତରେ ସେ ଭାରି ଖାମଖିଆଲି ମଣିଷ । ଭାବିଲେ ନିଜକୁ ଦୁଃଖ ଲାଗୁଛି। ପୂର୍ବରୁ ଆଜି ପର୍ଯ୍ୟନ୍ତ ସଦାବେଳେ ଶନିବାରେ ଆସିବେ କହି ଆସୁ ନାହାଁନ୍ତି । ଏବେ କିନ୍ତୁ କେତେ ମାସ ହେଲା ନିରୁଦ୍ଦିଷ୍ଟ । ଅନ୍ତତଃ ସପ୍ତାହକୁ ତ ଥରେ ଦେଖା କରି ଗଲେ କ୍ଷତି କ'ଣ । ଅଭିମାନରେ ଫାଟି ପଡୁଥିଲା ତରୁଣୀଟି। ତା’ ଚମ୍ପକ-ଗୋରା ମୁଖମଣ୍ଡଳ ହଠାତ୍ ରକ୍ତଶୂନ୍ୟ ହୋଇଗଲା ଭଳି ମନେ ହେଲା ମୋର । ମୁଁ ଭାବିଲି କିଛି ଦିନ ତଳେ ଜଗାକାଳିଆ ବସ୍ ଟି ଘାଟିରେ ଦୂର୍ଘଟଣା ଗ୍ରସ୍ତ ହୋଇଥିଲା । ସେଥିରେ କେତେ ଲୋକ ଆରପାରିକୁ ଚାଲିଗଲେ । ଗାଡିଟି ତ ଆଉ ଚାଲୁ ନାହିଁ । ହେଲେ ଏ ଉତ୍ତର ଦେବା ପାଇଁ ଇଛା କଲି ନାହିଁ । 


ବାହାରୁ ଦେଖିଲେ କେତେ ପରିପୂର୍ଣ୍ଣ ଲାଗେ ତରୁଣୀଟି। ଅଥଚ ଭିତରେ ତାର କୁଢ଼ କୁଢ଼ ଶୂନ୍ୟତାର ପାହାଡ। କେତେ ନିଃସ୍ୱ ଜଣାପଡୁଛି ସତରେ !! ଜୀବନ-ବୀଣାରୁ ତାର ବୋଧହୁଏ... ସମସ୍ତ ସୁଖର ତାର ଗୁଡ଼ିକ ଛିଣ୍ଡିଯାଇଛି। ଜୀବନ ନାଟକରେ ସେ ପାଲଟି ଯାଇଛି ଯେମିତି ଜଣେ ଅସଫଳ ଅଭିନେତ୍ରୀ। ପୁଣି ନିଜକୁ ଯଥା ସମ୍ଭବ ସଂଯତ କରି ପଚାରିଲି - ଏଇ ବସ୍ ଟିର ଆସିବା ସମୟ ? ସେ କେଉଁଠୁ ଆସୁଛନ୍ତି ? କିଛି ନ କହି ନିରବ ରହିଲେ ସେ । ତା'ପରେ ପୁଣି ଆରମ୍ଭ କଲେ..... ଭୁବନେଶ୍ବରରୁ ଆସୁଛନ୍ତି । ବ୍ରହ୍ମପୁରରୁ ଏହି ବସ୍ ରେ ଆସିବେ । ସନ୍ଦେହରେ ରହିଲି । କିଛି ଜିଜ୍ଞାସାର ସହ ଆଗକୁ ଗାଡି ଗଡାଇଲି । ଦ୍ବିପହର ସମୟ । ଆଗରେ ଗୋଟିଏ ଛୋଟିଆ ପାନ ଦୋକାନଟିଏ । ସେଠାରୁ କିଛି ତଥ୍ୟ ପାଇବି ଆଶାକରି ଦୋକାନ ଆଗରେ ଗାଡିଟି ରଖିଲି । ପାନ ଖାଇବାର ଉଦ୍ଦେଶ୍ଯ ନ ଥିଲେ ମଧ୍ୟ ପାନ ଖଣ୍ଡେ ମାଗିଲି ।


ଦୋକାନିଟି ପାନ ଭାଙ୍ଗିବା ବେଳେ ପଚାରିଲି ସେ ମ୍ୟାଡାମ୍ କାହାକୁ ଅପେକ୍ଷା କରିଛନ୍ତି ? ପଚାରିଲେ କହୁଛନ୍ତି - ଜଗାବଳିଆ ବସ୍ ଗଲାଣି କି ? ଜଗାବଳିଆ ବସ୍ ତ ଦୁର୍ଘଟଣା ହେବା ଠାରୁ ଆଉ ଚାଲୁ ନାହିଁ । ଦୋକାନିଟି ଯାହା କହିଲା ବିଶ୍ବାସ କରି ପାରିଲି ନାହିଁ । ସେ କହିଲା ମୟୁରୀ କଥା କହୁଛନ୍ତି କି.... ସେ ଯେଉଁ ଅପେକ୍ଷା କରିଛି ତ.... ତାକୁ ଏମିତି ଆପଣ ପ୍ରତି ଶନିବାରରେ ଦ୍ବିପହର ସମୟରେ ସେଠାରେ ଅପେକ୍ଷା କରିବାର ଦେଖିବେ.....


ମୟୁରୀର ବାପା ପାଦ୍ରିମାର ରାଜସ୍ବ ନିରୀକ୍ଷକ । ମୟୁରୀ ଜଗନ୍ନାଥପୁର ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ । କିଛି ବର୍ଷ ପୂର୍ବରୁ ସେ ଦିଗପହଣ୍ଡି ବ୍ଲକରେ ଚାକିରୀ କରୁଥିବା ମନ୍ମଥ ବାବୁଙ୍କ ସହିତ ବିବାହ କରିବା ପାଇଁ ସ୍ଥିର ହୋଇଥିଲା । ଦୁଇ ପରିବାର ଭିତରେ ଭାରି ସମ୍ପର୍କ । ସୁଖରେ ଦୁହେଁ ଜୀବନ ଯାପନ କରିବେ ବୋଲି ଆଶା ବାନ୍ଧିଲେ । ଦୁହିଁଙ୍କର ନିର୍ବନ୍ଧ ଘର ହେଲା । ବିବାହ ତାରିଖ ସ୍ଥିର କରାଗଲା । ଦୁଇମାସ ପରେ ବିବାହ ହୋଇଥାନ୍ତା । ଏକ ଛୁଟିରେ ମନ୍ମଥ ବାବୁ ଏଠାକୁ ଆସିଥିଲେ । ହଠାତ୍ ସେଦିନ ସେ ଛାତିରେ ଯନ୍ତ୍ରଣା ଅନୁଭବ କଲେ । କେଉଁଠିକୁ ନେବେ କଣ କରିବେ ? ଏମିତି ଭାବି ଗାଡିଟିଏ ଡାକି ବ୍ରହ୍ମପୁର ନେଲେ । ବାଟରେ ହୃଦ୍ ଘାତରେ ମନ୍ମଥ ବାବୁ ଆରପାରିକୁ ଚାଲିଗଲେ । ବୋଧହୁଏ ତାଙ୍କର ଆଗରୁ ହାର୍ଟ ପ୍ରୋବ୍ଲେମ୍ ଥିଲା । ବୈବାହିକ ଜୀବନର ଆଶା ମୟୁରୀର ଅଧୁରା ରହିଗଲା ।


ମୟୁରୀ ଭାଙ୍ଗି ପଡିଲା । କିଛି ଦିନ ସ୍କୁଲକୁ ଗଲା ନାହିଁ । ପୁଣି ଅଣ୍ଟା ସଳଖି ଠିଆ ହେଲା । ପାଦ୍ରିମାରେ ମୟୁରୀର ବାପା ବିଶ୍ବନାଥ ବାବୁ ଘର କରିଛନ୍ତି । ତାଙ୍କର ଏକମାତ୍ର ଝିଅ ମୟୁରୀ । ପୈତୃକ ଘର ବ୍ରହ୍ମପୁରରେ । ବିଶ୍ବନାଥ ବାବୁ ମୟୁରୀକୁ ଅନ୍ୟତ୍ର ବିବାହ କରିବାକୁ ଇଛା କଲେ କିନ୍ତୁ ସେ ରାଜି ହେଲା ନାହିଁ । ବାପା ମାଆ ଆଉ ସେତେ ବାଧ୍ୟ କରି ପାରିଲେ ନାହିଁ । ଏବେ କିଛି ଦିନ ହେବ ବିଶ୍ବନାଥ ବାବୁ ଚାକିରୀରୁ ଅବସର ନେଲେ । ସେ ସ୍ବାମୀ ସ୍ତ୍ରୀ କେବେ କେବେ ବ୍ରହ୍ମପୁରରେ ରହୁଛନ୍ତି ତ କେବେ କେବେ ପାଦ୍ରିମାରେ । ମୟୁରୀ କିଛି ଦିନର ବିରତି ପରେ ଫେସବୁକ ପ୍ରେମରେ ପଡିଗଲା ।


ଫେସବୁକରେ ପ୍ରଥମେ କଥା ଆରମ୍ଭ ହୁଏ ଅଜଣା ବ୍ଯକ୍ତିଙ୍କ ସାଥିରେ । ଧିରେ ଧିରେ ବଢିଚାଲେ ଚାଟିଂ, ତା'ପରେ ପ୍ରେମ । ପ୍ରେମରୁ ସମ୍ପର୍କ । ସମ୍ପର୍କ ନାମରେ ଶୀଳ ଅଶ୍ଲୀଳ । ସବୁ କିଛି ଫୋନ୍ ମାଧ୍ୟମରେ । ମୟୁରୀକୁ ଆକୃଷ୍ଟ କରିଥିଲା ଫେସବୁକରେ ଥିବା ନାଁ ଟି ଏବଂ ଫଟୋଟି । ପ୍ରୋଫାଇଲ ରେ ଥିଲା ଏକ ଷ୍ଟାଇଲିସ୍ ଯୁବକର ଛବି । ନାମ ତାର ମଳୟ । ଏମିତି ଜଣେ ବ୍ୟକ୍ତିତ୍ୱ ସହିତ ଏହି ବୟସରେ କି କଥା ହୋଇପାରେ ? ଇନବକ୍ସରେ ମୟୁରୀକୁ ମଳୟ ଭାରି ଭଲ ଲାଗିଲା । ପରେ ଫ୍ରେଣ୍ଡ ରିକ୍ୱେଷ୍ଟ ପଠେଇଥିଲା । ନିଜର ଏକାକିନୀ ଜୀବନ ବଡ ଦୁଃସହ ହୋଇଯାଇଥିଲା ମୟୁରୀର । ଜଣେ ସୁନ୍ଦରୀ, ଶିକ୍ଷିତା, ସ୍ୱାବଲମ୍ବୀ ମହିଳା ଭାବରେ ଭାରି ଖାତିର ଅଛି ସମସ୍ତଙ୍କର । ହେଲେ ତାର ମନର ହୃଦୟର କଥା କାହାକୁ କହି ପାରେନା ! ଭାଗ୍ୟରେ ସେମିତି ଜଣେ ହେଲେ ସୁପୁରୁଷ ମିଳନ୍ତି ନାହିଁ ତାକୁ । ଯାହାକୁ ସେ ନିଜର ପ୍ରେମିକ ବୋଲି ଭାବିବ । ଯାହା ସହିତ ତାର ବିବାହ ସ୍ଥିର ହୋଇଥିଲା ସେ ଅଧା ରାସ୍ତାରେ ଛାଡି ଚାଲିଗଲା । ଏକା ଏକା ଦୁଃସହ ହୋଇ ପଡିଛି ଜୀବନ ।


ମନ୍ମଥ ଚାଲି ଯିବାର ଏହା ଭିତରେ କେତେ ବର୍ଷ ବିତିଗଲାଣି । ଅନ୍ୟ ସହିତ ନୂଆ ସଂପର୍କ ସୃଷ୍ଟି ହୋଇନାହିଁ ମୟୁରୀର ତାହା ନୁହେଁ । ଦଶବର୍ଷ ସାନ ହେବ ସହକର୍ମୀ ମନୋଜ ସହିତ ପ୍ରାୟ ମାସେ ଭଳି ସମ୍ପର୍କ ଥିଲା ମୟୁରୀର । କିନ୍ତୁ ମନୋଜର ବାହାଘର ପରେ ସେ ସମ୍ପର୍କ ଆଉ ଆଗକୁ ବଢେଇବା ପାଇଁ ଚାହିଁଲା ନାହିଁ ମୟୁରୀ । ମନୋଜ ନିଜ ତରୁଣୀ ସ୍ତ୍ରୀ କୁ ଛାଡି ଅନ୍ୟ ସହ ଦିନ କାଟିବାକୁ ସେ ଇଚ୍ଛା କଲା ନାହିଁ ।


ଫେସବୁକ ଏକ ଭୟଙ୍କର ନିଶା ପାଲଟି ଯାଇଛି ମୟୁରୀର । ପ୍ରକୃତରେ କେବଳ ଫେସବୁକର ମୋହ ନୁହେଁ । ମଳୟ ପ୍ରତିଦିନ ପଠାଉ ଥିବା ମେସେଜ୍ । ମଳୟର ମେସେଜ୍ ରେ ବିଭୋର ହୋଇପଡେ ମୟୁରୀ । ସେ ମୟୁରୀ ସହ କେମିତି ଏକାଠି ରହିବ... ଜୀବନ ସାଥି କରିବ.... କେମିତି ତା ଦେହର ପ୍ରତିଟି ଅଙ୍ଗ ପ୍ରତ୍ୟଙ୍ଗକୁ ନିଜ ଓଠରେ ଚୁମି ତାକୁ ଅସ୍ଥିର କରିଦେବ ! ସେସବୁ ପଢ଼ିବା ତା ପାଇଁ ଏକ ପ୍ରକାର ନିଶା ପାଲଟି ଯାଇଛି । ଏଇ ନିଶା ତାକୁ ଅନ୍ୟ ଗୁଡ଼ାଏ ଅସ୍ଥିରତାରୁ ମୁକ୍ତି ଦେଇଛି । ରାସ୍ତା ଘାଟରେ ଚାଲୁଥିବା ବେଳେ ମୟୁରୀ କୌଣସି ପୁରୁଷକୁ ଲୋଭିଲା ଆଖିରେ ଦେଖିନାହିଁ । ମଳୟ ! ମୟୁରୀର ଦୈନନ୍ଦିନ ଜୀବନକୁ ଅନେକ ତୃପ୍ତ ଏବଂ ପୂର୍ଣ୍ଣ କରି ପାରିଛି ଫୋନ୍ ମାଧ୍ୟମରେ । ସେଥିପାଇଁ ସେ ମଳୟ ନିକଟରେ କୃତଜ୍ଞ ।


ଏବେ ସେମାନଙ୍କ ସମ୍ପର୍କ କେବଳ ଫେସବୁକରେ ହିଁ ସୀମିତ ନୁହେଁ । ଦୁଇ ମାସ ଧରି ପ୍ରାୟ ପ୍ରତି ଦିନ ଫୋନରେ କଥା ହେଉଛନ୍ତି ଦୁହେଁ । ଏଇ କେତେ ଦିନ ହେଲା ଭିଡିଓ ଚାଟିଙ୍ଗ କରି କିଛିଟା ହେଲେ ବି ମନ ଓ ଦେହର ଭୋକ ମେଣ୍ଟାଉଛନ୍ତି । ଦୁହିଁଜଣ ଜୀବନ ସାଥି ହେଲେ ଭାରି ଜମିବ । ଏହା ଠାରୁ ଭଲ ଯୋଡି ଆଶା କରିବା ଉଚିତ ନୁହେଁ । ମଳୟକୁ ଆସିବାକୁ ବହୁତ ଥର ଅଫର ଦେଇଛି ମୟୁରୀ ।ମଳୟ ପୂର୍ବରୁ କଥା ଦେଇଥିଲା ଆଗାମୀ ଶନିବାର ଦିନ ନିଶ୍ଚିତ ଯିବି । ଆନନ୍ଦରେ ଉଛୁଳି ଉଠିଥିଲା ମୟୁରୀ । ମଳୟକୁ ଛୁଇଁ ଦେଖିବାକୁ ଚାହେଁ ମୟୁରୀ । ଆଜି ଯାଏ ଫେସବୁକ ଓ ଫୋନ୍ ମାଧ୍ୟମରେ କଥା ହୋଇଛି ଦେଖିଛି । ଏଥର ପ୍ରଥମ କରି ପ୍ରତ୍ୟକ୍ଷ ଭାବରେ ଦେଖିବ ଅନୁଭବ କରିବ । ଯାହା ଯାହା ଭାବିଥିଲା ତାହା ସବୁ ସତ ହେବ । ଗୋଟେ ସପ୍ତାହର ଛୁଟି ପାଇଁ ଆବେଦନ କରିଛି ମୟୁରୀ । ଏଇ ପୁରା ସପ୍ତାହଟା ସେ ମଳୟ ସହ ବିତେଇବାକୁ ଚାହେଁ । ଏକାକାର କରି ଦେବାକୁ ଚାହେଁ ନିଜ ଦେହର ସ୍ବେଦ ରକ୍ତ ଆଉ ଉତ୍ତାପକୁ ମଳୟର ମନ ସହ, ଦେହ ସହ ।


ତା’ପରେ ସାସାଂରିକ ଜୀବନ । ସପ୍ତାହେ ଛୁଟି କଥା ଶୁଣି ଆଜି ସକାଳେ ମନୋଜ ପଚାରୁଥିଲା - କଣ କୁଆଡେ ଯିବାର ଅଛି କି ?? ମୟୁରୀ କହିଲା ! ଯଦି ତୋ ବାହାଘର ନ ହୋଇ ଥାନ୍ତା ଠିକ୍ ନେଇ ଯାଇଥାନ୍ତି ତୋତେ । ମଜା କରି କହିଲା ମୟୁରୀ । ମନୋଜ ପାଇଁ ତା ମନରେ ସେ ପୁରୁଣା ଆକର୍ଷଣ ଆଉ ନାହିଁ । ମୟୁରୀର ଅଜାଣତରେ ମଳୟ ଅନେକ ଦିନ ତଳୁ ମନୋଜର ସ୍ଥାନ ପୂରଣ କରିସାରିଛି । ମନୋଜର ବାହାଘର ପରେ ମଳୟ ଭଳି ଜଣେ ସୁପୁରୁଷର ବହୁତ ଦରକାର ଥିଲା ଜୀବନରେ । ଯିଏ ଆସି ତା’ ଜୀବନର ସବୁ ଦୁଃଖ କଷ୍ଟ ଆଉ ପୁରୁଣା ସ୍ମୃତି କୁ ଭସେଇ ଦେଉ କେଉଁ ଗଭୀର ନଦୀର ପ୍ରଖର ସ୍ରୋତରେ। ବିଛୁଡି ଦେଉ ତା ଜୀବନରେ ସ୍ନିଗ୍ଧ ଶୀତଳ ଆଲୋକ। ସେ ଆଲୋକ ରେ ଆହୁରି ଉଜ୍ଜଳ ହୋଇ ଉଠୁ ସେ। ନୂତନ ଭାବରେ । ସତେ ଯେମିତି ଏଇ ମାତ୍ର ଜନ୍ମ ନେଇଛି। ସତେ ଅବା ଅତୀତ ବୋଲି କିଛି ନଥିଲା ତାର।


ତା ଆଡକୁ ଅନେକ ସମୟ ଧରି ଏକ ଲୟରେ ଚାହିଁ ରହି ମନୋଜ ! ପଚାରୁଥିଲା....


- ପୁଣି କାହା ପ୍ରେମରେ ପଡ଼ିଲ କି ?


- ଆଖି ଆଉ ମୁହଁ ବେଶ ଉଜ୍ଜଳ ଦିଶୁଛି ?


- ମିଠା ହସ ଧାରେ ହସି ମୟୁରୀ କହିଲା, ଘରେ ସବୁ ଠିକ ଠାକ୍ ଚାଲିଛି ତ ??


ମନୋଜର ଉତ୍ତରକୁ ଅପେକ୍ଷା ନକରି ମୟୁରୀ ଅଫିସରୁ ବାହାରି ପଡିଲା। ପ୍ରତିଦିନ ଅପେକ୍ଷା ଆଜି ଟିକେ ବେଳାବେଳି ବାହାରିଛି ଅଫିସରୁ ମୟୁରୀ। ଏବେ ତା ସମ୍ପୂର୍ଣ ଶରୀରରେ ମଳୟ। ସାରା ଦେହରେ କାମନାର ଢେଉ । ଶନିବାର... ଅଫିସରୁ ଫେରି ଗୁଣୁ ଗୁଣୁ ଗୀତ ଗାଉ ଗାଉ ବାଥରୁମରେ ସାୱାର ଖୋଲି ଅନେକ ସମୟ ଧରି ଗାଧେଇଛି। ତା ପରେ ଆଇନା ସାମ୍ନାରେ ଅନେକ ସମୟ ଧରି ନିଜକୁ ସଜେଇ ନେଇଛି। ଶୋଇବା ଘରଟା ସୁନ୍ଦର ଭାବେ ସଜେଇଛି। ବିଛଣାରେ ନୂଆ ଚାଦର ବିଛେଇ ଆଉ ଦୁଇଟା ତକିଆ ଆଣି ରଖିଛି ।


ତିନିକିଆ ବେଡ଼ରୁମ ମଧ୍ୟରୁ ମୟୁରୀର ଗୋଟିଏ ସ୍ବତନ୍ତ୍ର ବେଡରୁମ । ତା ନିଜର ବ୍ୟକ୍ତିଗତ । ଗୋଟିଏ ଅତିଥିଙ୍କ ପାଇଁ। ଅନ୍ୟଟି ବାପା ମା'ଙ୍କର। କମଳା ଘରର ପୁରୁଣା ଭୃତ୍ୟ । ଘରର ଯାବତୀୟ କାମ ସେ ହିଁ କରେ। ବୟସରେ ମୟୁରୀ ଠାରୁ ଢେର ବଡ । ମୟୁରୀ ନିଜ ବଡ ଭଉଣୀ ପରି ଦେଖେ କମଳାକୁ। ତାହାର ଛୋଟିଆ ବଖରାଟେ ବାଡି ପଟକୁ । 


ଏଇ ସଜବାଜ ଦେଖି କମଳା ପଚାରିଲା ? ଆଜି କିଏ ଆସିବେ କି ? ?


- ହଁ ମଳୟ ବାବୁ ଭୁବନେଶ୍ବରରୁ ଆସିବେ ।


- ତାହେଲେ........ 


- ହଁ ଆସିଲେ ଦେଖି ପାରିବ, ହସି ହସି ଉତ୍ତର ଦେଲା ମୟୁରୀ... 


- ଦୁହିଁଙ୍କ ପାଇଁ ରାତ୍ରି ଭୋଜନ ନିମନ୍ତେ ମନ ମୁତାବକ ରୋଷେଇ କରିବା ଲାଗି କମଳାକୁ ପୂର୍ବରୁ କହିଛି । ଆଜି ପୂର୍ଣ୍ଣିମୀ । ବାହାରେ ପୂର୍ଣ୍ଣିମାର ସବୁତକ ଜ୍ୟୋସ୍ନା ବିଛୁଡି ହୋଇ ପଡିବ ତା ଶୋଇବା ଘରେ। ଆଉ ସେଇ ଜ୍ୟୋସ୍ନା ରେ ସାରା ରାତି ଦେହ ଭିଜେଇ ସ୍ନାନ କରିବେ ଦୁହେଁ ମନ ଭରି । ଶୋଇବା ଘରେ ଜୁଇ ଫୁଲର ରୁମ ଫ୍ରେଶନର ସ୍ପ୍ରେ କରିଛି। ନିଜ ଦେହରେ ବି ପରଫିଉମ ମାଖିଚି। ଆଜି ବାଛି ବାଛି ନୀଳ ରଙ୍ଗର ଶାଢ଼ୀ ପିନ୍ଧିଚି ତା ସହ ଲୋ-କଟ ବ୍ଲାଉଜ ବି ଜାଣି ଶୁଣି ପିନ୍ଧିଚି। ବିଭିନ୍ନ ପ୍ରକାର ସୁଗନ୍ଧିତ ଦ୍ରବ୍ଯରେ ନିଜକୁ ବାସ୍ନାୟିତ କରିଛି । ମୁଣ୍ଡରେ କେଇଟା ଶ୍ବେତ କେଶ ରାଶି କୁ ଢାଙ୍କିବାକୁ ଚେଷ୍ଟା କରି ସଫଳ ହୋଇଛି ସେ। ଆଜିର ଦିନରେ ବି ତା ଆକର୍ଷଣୀୟ ଦେହ ସାଙ୍ଗକୁ ମୁଣ୍ଡରେ କେତୋଟି ଧଳା ଚୁଟି ମାନେନା। ମଳୟ ସହ ସେ ସାତ ଦିନ କଟେଇବାକୁ ଚାହେଁ। ଏଇ ସାତଦିନ,ବୟସର ଚିହ୍ନ ସବୁ ମଝିରେ ଆସି ତାକୁ ବିବ୍ରତ କରୁ ସେତକ ସେ ଚାହେଁନି। ଘରକୁ ପ୍ରବେଶ କରୁ କରୁ ତାକୁ ଜାବୁଡି ଧରି ଆଙ୍କି ଦେବି ତା ଗଣ୍ଡ ପ୍ରଦେଶରେ କେତୋଟି ଚୁମ୍ବନ ଏହା ଭାବି ନେଇଛି । ମନେ ମନେ କଳ୍ପନା ରାଇଜରେ ବୁଡି ଅଦ୍ଭୁତ ଆବେଗ ରେ ଆନ୍ଦୋଳିତ ହେଉଥିଲା ତା ଦେହ ମନ ।


ଅନେକ ଆଶା ଅନେକ ସ୍ବପ୍ନ ଅନେକ କଳ୍ପନା ରାଇଜରେ ସେ ବୁଡି ଯାଇଛି । ଏମିତି କେତେ କଣ ଭାବି ଭାବି ବସ୍ ଷ୍ଟାଣ୍ଡରେ ପହଞ୍ଚି ଯାଇଛି ମୟୁରୀ । ବସ୍ ଆସିବାକୁ କିଛି ସମୟ ବାକି ଅଛି । ବ୍ରହ୍ମପୁରରୁ ବସିଲା ବେଳେ ମଳୟ ଫୋନ୍ କରିଥିଲେ । ଆଜି ତାଙ୍କର ମୟୁରୀ ସହିତ ହେବ ପ୍ରଥମ ଦେଖା । ମୟୁରୀ ପାଛୋଟି ନେବା ପାଇଁ ପ୍ରତୀକ୍ଷା କରିଛି । ବସ୍ ଆସିବାର ସମୟ ଗଡି ଗଲାଣି । ଯିଏ ସେ ରାସ୍ତା ଦେଇ ଯାଉଛି, ମୟୁରୀ ଉପରେ ଦୃଷ୍ଟି ନିକ୍ଷେପ ନ କରି ରହି ପାରୁ ନାହିଁ । ମୟୁରୀ ବି ସମସ୍ତଙ୍କୁ ବସ୍ ଆସିବା କଥା ପଚାରୁଛି ।


ପରେ ଜଣେ ଆସି କହିଲେ, ଘାଟିର କିଛି ଦୂରରେ ଜଗାବଳିଆ ବସଟି ଭାରସାମ୍ଯ ହରାଇ ଘାଟି ତଳକୁ ଖସିଗଲା । ସେଥିରୁ କିଛି ଯାତ୍ରୀଙ୍କୁ ବ୍ରହ୍ମପୁର ନିଆ ଗଲାଣି । ସାମାନ୍ୟ ଆହତ ଯାତ୍ରୀ ଅଛନ୍ତି । ମୃତ ଯାତ୍ରୀଙ୍କ ପରିଜନଙ୍କୁ ଯୋଗାଯୋଗ କରା ଯାଉଛି । ମୟୁରୀ ବ୍ୟାକୁଳ ହୋଇ ଦୂର୍ଘଟଣା ସ୍ଥଳକୁ ଯାଇଥିଲା । ସେଠାରେ ଯାଇ ଯାହା ଦେଖିଲା ଧୈର୍ଯ୍ୟ ଧରି ପାରିଲା ନାହିଁ । ସେହି ଦେହ ସେହି ମୁହଁ ରକ୍ତରେ ଜୁଡୁବୁଡୁ । ମୟୁରୀ ସେଠାରେ ପହଞ୍ଚିଲା ବେଳକୁ ମଳୟର ଜୀବନ ପ୍ରଦୀପ କେତେବେଳୁ ଲିଭି ଯାଇଥିଲା । ମୟୁରୀ ସେଠାରେ ଯେମିତି ମାନସିକ ଭାରସାମ୍ୟ ହରାଇ ଦେଲା । କାହାକୁ କିଛି କହିଲା ନାହିଁ । ତାକୁ କେତେଜଣ ଲୋକ ଗାଡିରେ ଆଣି ଘରେ ଛାଡିଦେଲେ । ସବୁଦିନ ପାଇଁ ତାର ସେହି ହସ ଖୁସି ଲିଭି ଯାଇଥିଲା ।


ବହୁଦିନ ବାୟାଣୀ ପରି ବୁଲିଲା । ବିଶ୍ବନାଥ ବାବୁ କେତେ ଡାକ୍ତରଙ୍କୁ ଦେଖାଇଲେ । ଔଷଧ ପତ୍ର କଲେ । ଏବେ ସାମାନ୍ୟ ଭଲ ଅଛି କହିଲେ ଅତ୍ୟୁକ୍ତି ହେବନାହିଁ । ସ୍କୁଲକୁ ଯାଉଛି କିନ୍ତୁ ଶନିବାର ହେଲେ ଏଠାରେ ଆସି ଅପେକ୍ଷା କରୁଛି ।


କେତେ ବସ୍ ଆସୁଛି ଯାଉଛି କେଉଁ ବସରେ ବି ମଳୟ ନାହିଁ । ପର ବସକୁ ଅପେକ୍ଷା କରି ରହିଛି ମୟୁରୀ ଏଥିରେ କାଳେ ମଳୟ ଥିବେ। ଚାହୁଁ ଚାହୁଁ ଦିନ ବାରଟାରୁ ସନ୍ଧ୍ୟା । ହେଲେ ପ୍ରତୀକ୍ଷାର ଅନ୍ତ ନାହିଁ । ଖରାଦିନ ଝାଳରେ ତା ଦେହ ଓଦା ହୋଇଯାଇଥାଏ। ଝାଞ୍ଜି ପବନରେ ତାର ଖୋଲା ଚୁଟି ଫୁରୁଫୁରୁ ହୋଇ ଉଡୁଥାଏ । ଆଉ ତାର କାନର ଝୁଲି ଗୁଡିକ ଗୋରା ଗାଲରେ ବାଜୁଥାଏ ।


କିଛି ସମୟ ପରେ ସନ୍ଧ୍ୟା ହେବାକୁ ଯାଉଛି । ଧିରେ ଧିରେ ବସ୍ ଆସିବା ବନ୍ଦ ହୋଇଗଲାଣି । ଦୋକାନିଟି ଆସି କହିଲା - ଆଲୋ ମା ! ଆଉ କେତେ ସମୟ ଯାଏ ଅପେକ୍ଷା କରିବୁ ଘରକୁ ଚାଲିଯା । ସନ୍ଧ୍ୟା ହେବାକୁ ଯାଉଛି । 


ନାଇଁ ମ ମଉସା ଆଉ ଟିକେ ପରେ ଚାଲିଯିବି।


ସେବେଠୁ ଆଜି ଯାଏ ଶନିବାର ସକାଳ ବାରଟାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବସ୍ ଷ୍ଟାଣ୍ଡ କୁ ଆସେ । ଆଉ ସନ୍ଧ୍ୟା ହେଲେ ଘରକୁ ଚାଲିଯାଏ। ପ୍ରେମର ମାନେ ପ୍ରତୀକ୍ଷା ବୋଲି ନିଜ ମନକୁ ସେ ବୁଝେଇ ଦେଇଛି । ତାର ଏବେ ଯାଏ ବି ବିଶ୍ବାସ ରହିଛି ମଳୟ ଦିନେ ନା ଦିନେ ନିଶ୍ଚୟ ଆସିବେ । କେଜାଣି ଆଉ କେତେଦିନ ଯାଏ ସେ ମଳୟର ଆସିବା ବାଟକୁ ଚାହିଁ ରହିଥିବ.......


Rate this content
Log in

Similar oriya story from Romance