ଅଧୁରା ସ୍ଵପ୍ନ ଭାଗ ୨
ଅଧୁରା ସ୍ଵପ୍ନ ଭାଗ ୨
(ଯେଉଁମାନେ ଟୁଇଷ୍ଟ୍ ବୁଝି ନପାରିବେ ଦୟାକରି ପ୍ରଥମ ଭାଗକୁ ଆଉଥରେ ପଢିନେବେ )
୬ ବର୍ଷ ୧୧ ମାସ ଆଉ ୨୪ ଦିନର ଦୀର୍ଘ ପ୍ରତୀକ୍ଷାର ଆଜି ମୋର ଏମିତି ଭାବରେ ଅନ୍ତ ହେବ ମୁଁ କେବେ ବି ଭାବି ନଥିଲି ଦେବୁନ....
ସେଦିନର ମୋର ସେଇ ବିବଶପଣିଆର ଆଢୁଆଳରେ ହୋଇଯାଇଥିବା ଅକ୍ଷମଣୀୟ ଭୁଲ୍ ପାଇଁ ଆଜି ଯାଏଁ କେବଳ ଜଳି ଆସୁଥିଲି ସିନା... ହେଲେ ଆଜି ତ ପୁରା ଶୂନ୍ୟ ହେଇଗଲି ମୁଁ...
ତୁମେ ଠିକ୍ ମୋ ଆଖି ସାମ୍ନାରେ ଥିଲ... ମୁଁ ଖୁସିରେ ପାଗିଳି ପାଲଟି ଗଲି... ତୁମେ ମୋ ଠାରୁ ଆଖି ଫେରେଇ ନେଲ... ମୁଁ ତୁମ ଅଭିମାନ'ର କାରଣ ବୁଝି ପାରିଲି.. ତୁମେ ଆଗେ ଆଗେ ଚାଲିଗଲ... ଆଉ ମୁଁ ତୁମ ପଛେ ପଛେ ଧାଇଁଗଲି...
ଆଉ ଏତେବଡ଼ ସେଇ ମଲ୍'ର ଭିଡ଼ ଭିତରେ ତୁମେ କୋଉଠି ହଜିଗଲ ଦେବୁନ.. ?
ମୁଁ ତୁମକୁ ଖୋଜି ଚାଲିଲି... ଯେମିତି ମୁଁ ଗଲା ବର୍ଷବର୍ଷ ଧରି ପାଗିଳୀ ଭଳିଆ ଖୋଜି ଚାଲିଥିଲି... ଠିକ୍ ସେମିତି... ମରୁଭୂମିରେ ମୃତ୍ୟୁ ଆସନ୍ନ ତୃଷାର୍ତ୍ତଟିଏ ବିକଳରେ ପାଣିଟୋପେ ପାଇଁ ଆତୁର ହେଲାପରି, ତୁମକୁ ନ'ପାଇ ବିତି ଯାଉଥିବା ପ୍ରତ୍ୟେକଟି କ୍ଷଣରେ ମୁଁ ଧର୍ଯ୍ୟହରା ହେଇହେଇ ଚାଲିଥିଲି..
ଏତେଦିନ ଯାଏଁ ମୋ ଭାଗ୍ୟ ମୋ ସହିତ ଭଲ ଲୁଚକାଳି ଖେଳି ଚାଲିଲା ଦେବୁନ.. ହେଲେ ଶେଷରେ ଆଜି ପୂରାପୁରି ହାରିଗଲି ମୁଁ...
ସବୁ ବର୍ଷପରି ଏଥର ବି ତୁମ ଜନ୍ମଦିନ ପାଳିବାକୁ କେକ୍ କିଣିବାକୁ ତୁମର ଏ ଫେଭରାଇଟ ବେକରୀ ଶପ୍ କୁ ଆସିଥିଲି ଯେଉଁଠି ମୋ ଆଖି ଆଗରେ ତୁମକୁ ଠିଆ ହେଇଥିବାର ଦେଖିବାକୁ ପାଇଲି । ଆଖିକୁ ବିଶ୍ୱାସ ହେଉ ନଥିଲା । ସ୍ବପ୍ନ ସବୁ ହାତପାହାନ୍ତାରେ ଥିଲା । ଏତେ ଦିନର ଅପେକ୍ଷା ପରେ ଶେଷରେ ଖୋଜିଖୋଜି ତ ପାଇଥିଲି ତୁମକୁ.. ହେଲେ ସେତେବେଳକୁ ତୁମେ ଆଉ କାହାର ହେଇ ସାରିଥିଲ...
ବୋଧହୁଏ ମୁଁ ହିଁ ତୁମକୁ ଖୋଜି ପାଇବାରେ ବୋହୁତ ଡେରି କରିଦେଲି ଦେବୁନ...
ତା ନହେଇଥିଲେ ଆଜି ସେ ଜୁଏଲାରୀ ଦୋକାନ ଭିତରେ ମୋ ଦେବୁନ ଆଙ୍ଗୁଳିରେ ଆଉ କିଏ ମୁଦି ପିନ୍ଧୋଉ ନଥାନ୍ତା ....
ତୁମକୁ ତ ଦୋଷ ଦେଇ ପାରିବିନି.... ହେଲେ ଥରୁଟିଏ ସିନା ମୋ ଜାଗାରେ ଠିଆହେଇ ଜାଣିବାକୁ ଚେଷ୍ଟା କରିଥାନ୍ତ ଯେ ତୁମ ନମି କେତେ ନାଚାର ଥିଲା ସେଦିନ....
ଏମିତି ପରିସ୍ଥିତିରେ ଅନ୍ୟ ସମସ୍ତଙ୍କ ଭଳି ମୁଁ ବି ପୁରା ହତବାକ ହେଇ ଯାଇଥିଲି... ତୁମେ ମୋ ନିମନ୍ତ୍ରଣ ରକ୍ଷାକରି ଆସିଥିଲ ବୋଲି ତାର କିଛି ସମୟ ଆଗରୁ ମୁଁ ଖୁସିରେ ନାଚି ଉଠୁଥିଲି... ଅପାର ବାହାଘର ବେଦୀ ପାଖରେ ଠିଆ ହୋଇ ମୁଁ ଆମ ଦୁଇଜଣଙ୍କ ବାହାଘରର ସ୍ବପ୍ନ ଆଉ ସୁନେଲି କଳ୍ପନାରେ ବିଭୋର ଥିଲି....
ବେଳ ଗଡି ଚାଲିଥିଲା । ଆଉ ସେତିକି ବେଳେ ବାପା ହତାଶା ରେ ମ୍ରିୟମାଣ ହେଇ ଆସି ମୋ ଆଗରେ ପହଞ୍ଚିଲେ....
ହାତ ଯୋଡ଼ି ମୋ ପାଖରେ ଠିଆ ହେଇଗଲେ... ଛାତିର କୋହ ସବୁ ତାଙ୍କ ଆଖିରୁ ଲୁହ ଆକାରରେ ଠପ୍ ଠପ୍ ହେଇ ଖସି ପଡୁଥିଲେ...
ମୁଁ ବାପାଙ୍କର ଏମିତି ରୂପ ଆଗରୁ କେବେ ବି ଦେଖି ନଥିଲି...
ମୋ ହାତ ଦୁଇଟାକୁ ନିଜ ପାପୁଲି ଭିତରେ ଜାକି ଧରି ଭୋଭୋ ହେଇ କାନ୍ଦି କାନ୍ଦି କହି ପକେଇଲେ, ଯାହାକି ଏବେ ବି ମୋର ଜଳଜଳ ହେଇ ଠିକ୍ ମନେ ଅଛି.....
" ମୋ ସମ୍ମାନ ଟିକକ ତୁ ବଞ୍ଚେଇ ଦେ ମା... ନହେଲେ ଲୋକ ମାନଙ୍କର ଟାହିଟାପରାରେ କାଲି ସକାଳୁ ମୁଁ ଆଉ ମୁଣ୍ଡ ଉଠେଇ ରାସ୍ତାରେ ଚାଲି ପାରିବିନି ଲୋ... ମୁଁ କଥା ଦେଇ ଦେଇଛି... ସମୁଦୀଙ୍କୁ ବୋହୁତ କଷ୍ଟରେ ମନେଇ ଦେଇଛି... ମତେ ତୁ ଆଉ ନିରାଶ କରିବୁନି ଲୋ ମା.. ନହେଲେ ମୁଁ ଏ ଜୀବନଟା ଏଇଠି ହିଁ ହାରିଦେବି..... "
ବାପାଙ୍କ ନାଚାରପଣିଆ ସେତେବେଳେ ମୋ ବିବଶତା ଠାରୁ ବି ଅଧିକ ଥିଲା । ତୁମେ ଏ ଆଲୋଚନା ଶୁଣି ଭାଇ ସାଙ୍ଗରେ ଟିକେ ଦୂରରେ ଠିଆହେଇ ଯୁକ୍ତିତର୍କ କରୁଥିବାର ଦେଖିଲି... ମୁଁ କିଛି ଭାବି ପାରୁ ନଥିଲି... କଣ କରିବି କଣ ନକରିବି ସବୁ ମୋ ଆୟତ୍ତ ବାହାରେ ଥିଲା । ଗୋଟେ ପଟରେ ବାପା ମୋ ହାତଟାକୁ ନେଇ ତାଙ୍କ ମୁଣ୍ଡ ଉପରେ ଥୋଇ ଦେଇ ମୋ ଠାରୁ ମୋର ସ୍ଵୀକୃତି ଅଡି ବସିଥିଲେ... ସତେ ଯେମିତି ତାଙ୍କର ପିତୃତ୍ଵପଣିଆ ମତେ ତାର ପ୍ରାପ୍ୟ ମାଗି ବସିଥିଲା.... ଆଉ ଏପଟରେ ମୋ ଆଖି ଆଗରେ ହିଁ ମୋର ସ୍ବପ୍ନ ସବୁ ରଙ୍ଗହୀନ ନିଷ୍ପ୍ରଭ ହେବାରେ ଲାଗିଥିଲେ.... ମୁଁ ସେଠି ସେମିତି କିଂକର୍ତ୍ତବ୍ୟବିମୁଢ ଆଉ ନିରୁତ୍ତର ଠିଆ ହେଇ ରହିଥିଲି...
ବୋଉ ମୋ ହାତଧରି କାନ୍ଦି କାନ୍ଦି ମତେ ହଳଦୀ ପାଣିରେ ଗାଧେଇବାକୁ ନେଇଗଲା । ସାହି ମାଇପେ ମୋ ଦେହରେ ହଳଦୀ ମାଖୀ ଦେଉଥିଲେ... ଆଉ ମୁଁ ଶବ'ଟେ ପରିକା ଯାହା ନିଶ୍ଚଳ ବସି ରହିଥିଲି ।
ଆଖି ଉଠେଇ ତୁମକୁ ଆଉଥରେ ଚାହିଁବାକୁ ମୋ ଦେହରେ ଆଉ ବଳ ନଥିଲା ।
ତୁମ ସହ ବିତେଇ ଥିବା ସବୁ ମୁହୂର୍ତ୍ତ, ତୁମ ସହ ସଜେଇ ଥିବା ସବୁ ସ୍ବପ୍ନ, ବାଟସାରା ମୋ ନିଜ ଆଖିରେ ମୋର ଚରିତ୍ରର ଜୀଅନ୍ତା ବ୍ୟବଚ୍ଛେଦ କରିକରି ଚାଲିଥିଲେ !!
ସେଠି ପହଞ୍ଚିଲା ପରେ ମୋ ପାଇଁ ଫୁଲର ଏକ ଶେଯ ମତେ ଅପେକ୍ଷା କରି ରହିଥିଲା... ସତେ ଯେମିତି ଶେଯ ଉପରେ ପଡ଼ିଥିବା ଗୋଲାପର ପାଖୁଡ଼ା ସବୁ ମୋ ଆଡ଼କୁ ଚାହିଁ ମତେ କେବଳ ଧିକ୍କାର ଆଉ ତାତ୍ସଲ୍ୟ କରିକରି ଚାଲିଥିଲେ ।
ସାରାଦିନ ସେଠି ଜଳିଜଳି ଶେଷରେ ମୁଁ ଏସବୁକୁ ଆଉ ସହି ପାରିଲିନି...
ନିଜକୁ ଆଉଥରେ ଆଉ କାହା ଆଗରେ ବାଢ଼ି ଦେବା ଅପେକ୍ଷା ବରଂ ମୁଁ ନିଜକୁ ଈଶ୍ୱରଙ୍କୁ ସମର୍ପି ଦେବାର ନିଷ୍ପତ୍ତି ନେଇଗଲି । ସମସ୍ତେ ମତେ ଏକା କରିଦେଇ ଚାଲିଗଲେ । ସଞ୍ଜୟ ବାବୁ କବାଟ ବାହାରେ ମତେ ଅପେକ୍ଷା କରି ରହିଥିଲେ ।
ଆଉ ମୁଁ ନିରୁପାୟ ଶେଷରେ ମୋର ସେଇ ପାଟ ଓଢଣୀଟା ପଙ୍ଖାରେ ଟାଙ୍ଗି ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲି, ସଞ୍ଜୟ ବାବୁ ଘରର କବାଟ ଭାଙ୍ଗି ମତେ ଉଦ୍ଧାର କଲେ ଆଉ ହସପିଟାଲ ନେଇଗଲେ...
ହସପିଟାଲରେ ମୋର ହୋସ ଆସିଲା ପରେ ସମସ୍ତେ ମତେ ଛି-ଛାକର୍ କରୁଥିଲେ.. ଆମ ପରିବାର, ଆମ ଲାଳନ-ପାଳନ, ଆଉ ଆମ ସଂସ୍କାର ଠାରୁ ଆରମ୍ଭ କରି ଏମିତିକି ଆମ ଦୁଇ ଭଉଣୀଙ୍କର ଚରିତ୍ରକୁ ଆକ୍ଷେପ କରିବାରେ ବ୍ୟସ୍ତ ଥିଲେ... ସେତେବେଳେ ସଞ୍ଜୟ ବାବୁ ନିଜର ମହାନତାର ପରିଚୟ ଦେଇ ଆମ ସପକ୍ଷରେ ବାହାରିଥିଲେ... ମୋ କାନ୍ଧ ଉପରେ ସେ ନିଜର ସାନ୍ତ୍ଵନାର ହାତରଖି ମତେ ଆଶ୍ୱାସନା ଦେଇଥିଲେ... ଗୋଟେ ଭଲ ମଣିଷ ଆଉ ଗୋଟେ ଭଲ ବନ୍ଧୁ ପରି ମୋ ସାଙ୍ଗରେ ମିଶି ତୁମକୁ ଖୋଜିବାରେ ସାହାଯ୍ୟ କଲେ...
ହେଲେ ଆମେ ତୁମକୁ ଆଉ ପାଇଲୁନି... ଶୁଣିଲି ଯେ ଭାଇ ଆଉ ତା ସାଙ୍ଗମାନେ ତୁମକୁ ବୋହୁତ ମାଡ଼ ମାରିଥିଲେ । ତୁମେ ହସ୍ପିଟାଲ୍ ରେ ଆଡ଼ମିଟ୍ ହେଇଥିଲ...ତୁମ ଫୋନ୍ ଆଉ ଲାଗୁ ନଥିଲା । ତେଣୁ ଆମେ ତୁମକୁ ଖୋଜିବାକୁ ହସ୍ପିଟାଲ୍ ଗଲୁ... ସେଠୁ ବି ତୁମେ ଯାଇ ସାରିଥିଲ.... ତା'ପରେ ତୁମ ବସାକୁ ଗଲୁ... ଶୁଣିଲୁ କି ତୁମ ମାମୁ ଆସି ତୁମକୁ ସେଠୁ ସବୁଦିନ ପାଇଁ ଦିଲ୍ଲୀ ନେଇ ଯାଇଥିଲେ ।କିଛି ଦିନ ପର୍ଯ୍ୟନ୍ତ ମୁଁ ତୁମ ଫୋନ୍ କୁ ଅପେକ୍ଷା କରି ବିତେଇ ଦେଲି ସିନା ହେଲେ ଥରେ ବି ତୁମ ଫୋନ୍ ଆସିଲାନି...
ଶେଷରେ ଖୋଜିଖୋଜି କଲେଜ୍ ରେଜିଷ୍ଟରରୁ ତୁମ ଦିଲ୍ଲୀର ଆଡରେସ୍ ବହୁ କଷ୍ଟରେ ଯୋଗାଡ଼ କଲି... ବିନୟ ବାବୁଙ୍କ ସାଙ୍ଗରେ ଆମେ ହନିମୁନର ବାହାନା କରି ଦିଲ୍ଲୀ ଗଲୁ ତୁମକୁ ଖୋଜିବା ପାଇଁ.. ବୋହୁତ କଷ୍ଟରେ ତୁମ ଘରେ ପହଞ୍ଚିଲି... ହେଲେ ତୁମେ ଘରେ ତାଲା ପଡ଼ିଥିଲା । ମୁଁ କାହାଠାରୁ ମଧ୍ୟ ତୁମର କିଛି ଖବର ପାଇଲିନି । ସେଠୁ ବି ଆମେ ଖାଲି ହାତରେ ଫେରି ଆସିଲୁ । ଏମିତିକି ୩ ମାସ ପରେ ଆଉ ଥରେ ମଧ୍ୟ ଯାଇଥିଲୁ ସେଠିକି... ହେଲେ ସେତେବେଳେ ତୁମେ ତୁମ ଘର ଆଉ କାହାକୁ ବିକ୍ରି କରିଦେଇ ସବୁଦିନ ପାଇଁ କୁଆଡେ ଯାଇ ସାରିଥିଲ.... ଆଉ ଦୁନିଆଁର ଏତେବଡ଼ ଏଇ ଭିଡ଼ ଭିତରେ ମୁଁ ହତଭାଗିନି ତୁମକୁ ସବୁଦିନ ପାଇଁ ହଜେଇ ସାରିଥିଲି...
ଆଉ ଆଜି ଏତେ ଦିନପରେ ତୁମକୁ ପୁଣିଥରେ ଆଖି ଆଗରେ ପାଇଲି । ମତେ ଲାଗିଲା ସତେ ଯେମିତି ଈଶ୍ୱର ମୋର ଏତେଦିନର ପ୍ରାର୍ଥନା ଶୁଣି ତୁମକୁ ମୋ ପାଖକୁ ପଠେଇଥିଲେ... ହେଲେ ତୁମେ ତୁମ ଜୀବନ ରାସ୍ତାରେ ଏତେ ବାଟ ଆଗେଇ ଯାଇଥିବ ବୋଲି ମୋର ଆଉ ଧାରଣା ନଥିଲା । ମୋ ପାଇଁ ତ ସମୟ ସେଇ ଗୋଟେ ଜାଗାରେ ହିଁ ଯେମିତି ଅଟକି ଯାଇଥିଲା । ମୁଁ ମୋ ଭୁଲ୍ ପାଇଁ ତୁମ ପାଦତଳେ ପଡି ଥରେ ଖାଲି ଭୁଲ୍ ମାଗିବାକୁ ଚାହୁଁଥିଲି । ତୁମ ଆଖିରେ ହଜି ଯାଇଥିବା ଆମ ସେଇ ସ୍ବପ୍ନକୁ ଖୋଜିବାକୁ ଚାହୁଁଥିଲି । ହେଲେ ବିଧାତାର ନିୟତିରେ ହୁଏତ ତାକୁ ଆଉ କିଛି ହିଁ ଲେଖିବାର ଥିଲା ।
ତୁମେ ତୁମ ନୂଆ ଜୀବନସାଥିଙ୍କ ସାଙ୍ଗରେ ସବୁବେଳେ ଖୁସିରେ ରୁହ ଦେବୁନ.... ମୁଁ ଦୂରରେ ଥାଇ ମଧ୍ୟ ସବୁବେଳେ ସେମିତି ହିଁ ତୁମର ଶୁଭ ମନାସୁଥିବି । ଆଉ ଆମର ସେ ମଧୁର ସ୍ମୃତି ସବୁକୁ ପାଥେୟ କରି ହସିହସି ଏ ଜୀବନଟାକୁ ଏମିତି ହିଁ ବିତେଇ ଦେବି...
ସଞ୍ଜୟ ବାବୁଙ୍କ ସାହାଯ୍ୟ ସହାନୁଭୂତି ମୋ ପାଇଁ ସବୁବେଳେ ଅମୂଲ୍ୟ ହେଇ ରହିବ । ତୁମକୁ ଖୋଜିବାରେ ଭଲ ବନ୍ଧୁଟେ ପରି ମୋ ସହିତ ସେ ମଧ୍ୟ ସମ୍ପୂର୍ଣ୍ଣ ସମର୍ପଣ ଢାଳି ଦେଇଥିଲେ । ତୁମକୁ ଖୋଜିଖୋଜି ନପାଇଲା ପର୍ଯ୍ୟନ୍ତ ଏ ସମାଜ ଆଖିରେ ମୋର ସମ୍ମାନ ଆଉ ମର୍ଯ୍ୟାଦା ପାଇଁ ମତେ ତାଙ୍କର ସ୍ତ୍ରୀ'ର ପରିଚୟ ଦେଇ ଘଣ୍ଟ ଘୋଡେଇ ରଖିଥିଲେ ।
ଅବଶ୍ୟ ମୁଁ ତାଙ୍କୁ ନିଜ ଜୀବନରେ ଆଗକୁ ବଢ଼ିଯିବା ପାଇଁ କାହିଁ କେତେଥର ଯେ ଅନୁରୋଧ କରି ସାରିଥିବି ତାର ହିସାବ ନଥିବ । ହେଲେ ମୋର ସବୁ ଜିଦ୍'କୁ ନିଜ ରାଣ ନିୟମର ବନ୍ଧନରେ ସହଜରେ ବାନ୍ଧି ଦିଅନ୍ତି ସେ... ନିଜ ଗାଁ ଠୁଁ ଦୂର ଗୋଟିଏ ସହରରେ ଗୋଟିଏ ଆପାର୍ଟମେଣ୍ଟ ରେ ପାଖାପାଖି ଦୁଇଟି ଫ୍ଲାଟ୍ ରେ ପଡୋଶୀ ହେଇ ରହିବାକୁ ପସନ୍ଦ କରନ୍ତି ସିନା ହେଲେ ମୋ ଅସଜଡା ଜୀବନଟାକୁ ନସଜାଡି ହେଲା ପର୍ଯ୍ୟନ୍ତ ଅବୁଝା ରାଜାଟେ ପରି ଜିଦ୍ କରିକରି ମୋ କଷ୍ଟରୁ ଖାଲି ଭାଗ ବସେଇ ବସନ୍ତି ।
ହେଲେ ଆଉ ନୁହେଁ.... ମୁଁ ତାଙ୍କୁ ମଧ୍ୟ ଅକାରଣରେ ଆଉ ନିଜ ଦୁଃଖରୁ ଭାଗୀ କରିପାରିବିନି । ସେ ମୋ ଦୁଃଖ ଟିକକ ବୁଝି ପାରିଲେ... ମତେ ବୁଝି ପାରିଲେ... ମୋ ଭାବନାକୁ ସମ୍ମାନ ଦେଲେ ସେତିକି ହିଁ ମୋ ପାଇଁ ଢେର୍... ମୁଁ ତାଙ୍କ ମହାନତା ପାଖରେ ଆଜୀବନ କୃତଜ୍ଞ... ହେଲେ ଆଉ ନୁହେଁ... ମୁଁ ମୋ ଦୁର୍ଭାଗ୍ୟର ଅଡ଼ୁଆ ସୂତା ଭିତରେ ତାଙ୍କୁ ଆଉ ଛନ୍ଦି ରଖି ପାରିବିନି... ଏବେ ତାଙ୍କ ହିତ ପାଇଁ ମୋର ମଧ୍ୟ ଚିନ୍ତା କରିବାର ସମୟ ଆସି ଯାଇଛି... ତାଙ୍କ ତ୍ୟାଗସମ ପ୍ରତିଦାନ ତ ନୁହେଁ... ହେଲେ ତାଙ୍କ ଭବିଷ୍ୟତ ଜୀବନ ପାଇଁ ମୁଁ ତାଙ୍କ ରାସ୍ତାରୁ ନିଜକୁ ଅପସାରିତ କରିନେବା ହିଁ ଏକମାତ୍ର ସମାଧାନ ଯାହା ମୋ ଆଖି ଆଗରେ ଦେଖା ଯାଉଛି....
ଆସନ୍ତା କାଲି ସକାଳ ହେଲା ଆଗରୁ ହିଁ ମୁଁ ଏ ସହର ଛାଡ଼ି ଅନେକ ଦୂରକୁ ଯାଇ ସାରିଥିବି...
ଯେଉଁଠି ମୁଁ ଥିବି... ତୁମର ସ୍ମୃତି ଥିବ...ଆଉ ଭବିଷ୍ୟତରେ ଆମର ଅତୀତକୁ ମୋର ଚିର ବର୍ତ୍ତମାନ ରୂପରେ ସଜେଇ ମୁଁ ତୁମ ଭାବନାରେ ସବୁଦିନ ନିଜକୁ ଏମିତି ହିଁ ହଜେଇ ଚାଲିଥିବି । ନିଜର ଅକ୍ଷମଣୀୟ ଅପରାଧ ପାଇଁ ଅହରହ ଯାହା ଶାସ୍ତି ଖୋଜି ଚାଲିଥିବି... ନିଜର ଭାଙ୍ଗି ଯାଇଥିବା ସ୍ବପ୍ନସବୁକୁ ଏଇ ପାପୁଲିରେ ସାଇତି ଧରି ଲେଖି ଚାଲିଥିବି ବିରହର ଶବ୍ଦକୋଷ ଆଉ ଗାଇ ଚାଲିଥିବି ବିଚ୍ଛେଦର ରାଗ ତରଙ୍ଗିଣୀ...
ସବୁସ୍ଵପ୍ନ ସଜାଡି ରଖିଛି
ମନତଳ କଁଅଳ ଶେଯରେ..
ନିଜେ ନିଜ ଠିକଣା ହଜେଇ
ହଜିଯିବି ମୁଁ ଭିଡ଼ ମଝିରେ...
ସାଉଁଟିବି ତୁମ ମିଠା ସ୍ମୃତି
ହୃଦୟର ଫରୁଆ ଭିତରେ...
ଖୋଜୁଥିବି ତୁମ ହସ ବସି
ପାଉଥିବି ନିତି ମୋ ଆଖି ଲୁହରେ...