The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Debabrata Barik Debunu

Tragedy Inspirational

4.2  

Debabrata Barik Debunu

Tragedy Inspirational

ପୁଅ ଜନ୍ମ ପାଇଁ ମରିବାକୁ ପଡେ

ପୁଅ ଜନ୍ମ ପାଇଁ ମରିବାକୁ ପଡେ

4 mins
23.2K



ଏ ବୋଉ,ବୋଉ ଲୋ, ଏଇ ଦେଖ ମୁଁ କାନ ଧରୁଚି ମୁଁ ଆଉ କେବେ ବି ଦୁଷ୍ଟ ହେବିନି ,ତୋ କଥା ସବୁ ମାନିବି, ତୁ ଯାହା କହିବୁ କରିବି, ପାଠ ପଢିବି ।ଏବେ ତ ମୋ ସହ କଥା ହୋ । ଦେଖ ତୁ କଥା ନ ହେଲେ ମୋ ଆଡ଼କୁ ନ ଚାହିଁଲେ ମୁଁ କାନ୍ଦିବି କହିଦେଉଛି। ଉଠିପଡ଼ ଲୋ ବୋଉ କାନ୍ଦି କାନ୍ଦି କୋହ ଭରା ସ୍ୱରରେ ଡାକି ଚାଲିଥିଲା ମୁନି ତା ବୋଉକୁ । ହେଲେ ମୁନିର ବୋଉ ଶୋଇରହିଥିଲା ସେମିତି ସେଇ ଡାକ୍ତର ଖାନା ବେଡ୍ ରେ । ମୁନି ଆଖିରେ ଆଖିଏ ଲୁହ କିଛି ବୁଝି ପାରୁନଥାଏ। ଛୋଟ ପିଲାଟେ ସେ କଣ ବା ଜାଣିବ। ମୁନି ବାପାଙ୍କ ପାଖକୁ ଦୌଡ଼ି ଯାଇ ପଚାରିବାକୁ ଲାଗିଲା ବାପା ବୋଉର କଣ ହେଇଛି ସେ କଥା ହେଉନି କଣ ପାଇଁ ? ବାପା କିଛି ନ କହି ନୀରବ ରହିଗଲେ ମୁନି ପୁଣି ପ୍ରଶ୍ନ କଲା, ଜେଜେ ବାପା ବୋଉର କଣ ହେଇଛି ସେ ମୋ ସହ କଥା ହେଉନି କଣ ପାଇଁ । ହେଲେ କାହା ପାଖରେ ଉତ୍ତର ନଥିଲା ମୁନି ପଚାରି ଥିବା ପ୍ରଶ୍ନର। ଜଣେ ଜଣଙ୍କ ମୁହଁକୁ ଆଖି ଛଳଛଳ ହୋଇ ଅନାଉଥିଲେ। କାହା ପାଟିରୁ ପଦୁଟିଏ କଥା ବାହାରୁନଥିଲା ।

 ଗାୟତ୍ରୀର ବଡ଼ ଝିଅ ମୁନି । ଏଇ ବର୍ଷ ତାକୁ ଛ‌ଅ ପୁରିକି ସାତ ଚାଲିଲା । ବେଡ଼୍ ପାଖରେ ଠିଆହୋଇ ମୁନି ହଲାଉଛି ତା ବୋଉକୁ। ବୋଉ ଶୋଇଥିବା ବେଡ୍ ପାଖରେ ବସିଥିଲେ ଜେଜେମା,ଜେଜେବାପା,ଦାଦା,ସାନବାପା ଓ ଗାଁର କେତେଜଣ ଲୋକ । ମୁନି ଧିରେ ଧିରେ ଅଧୀର,ଅସ୍ଥିର,ଅବୁଝା ହେବାକୁ ଲାଗିଲା। ସେ ସମସ୍ତଙ୍କ ମୁହଁକୁ ବଲବଲ କରି ଚାହୁଁ ଥାଏ ଆଉ ମନେ ମନେ ଭାବୁଥାଏ ସମସ୍ତେ ଏମିତି ବ୍ୟସ୍ତ ବିବ୍ରତ ହେଉଛନ୍ତି କାହିଁକି ? ଏଇ କେତେ ଦିନ ହେବ ବୋଉ ଭାରି କଷ୍ଟପାଉଥିଲା ।

ସବୁ ବେଳେ ରୋଷେଇ ଘରେ ଲୁଚି ଲୁଚି କାନ୍ଦେ ଆଉ ଜେଜେ ମା ବି ବହୁତ ସମୟରେ ବୋଉକୁ ଗାଳି କରୁଥିଲେ। ମୁନିର ବାପା ଅଟୋ ଚଳାଏ । ଯାହା ରୋଜଗାର କରନ୍ତି ମଦ ପାଣିକୁ ନିଅଣ୍ଟ । ସେଥିରେ ପ୍ରତିଦିନ ତାଳ ପଡ଼ିଲା ପରି ମାଡ଼ ମୁନିର ବୋଉ ଉପରେ । ସେଇଟା ମୁନି ବୋଉର ନିତିଦିନିଆ ଖାଦ୍ୟ । ମୁନି ବୁଝି ପାରେନି କେବଳ ବାପା ମାନେ କଣ ପାଇଁ ବୋଉଙ୍କୁ ମାରନ୍ତି ? କାଇଁ ବୋଉ ତ କେବେ ଦିନେ ବାପାଙ୍କୁ ମାରିନାହି । ଜେଜେ ମା ସବୁ ବେଳେ ମାକୁ ଗାଳି କରେ ବହୁତ କଥା କହେ ଆଉ କହେ ଏଇଥର ପୁଅ ଟିଏ ଘରକୁ ନ ଆସିଲେ ତୁ ଆଉ ଆସିବୁ ନାହିଁ। ସେଇ ଡାକ୍ତର ଖାନାରେ ମରିବୁ। ମୁନି ପିଲା ଲୋକ ତା କୋମଳ ମନ ତଳେ ଆକାଶରେ ଥିବା ତାରା ପରି ଅସଂଖ୍ୟ ପ୍ରଶ୍ନ ? ମୁନି ଭାବେ ବୋଉ କାହିଁକି ସବୁବେଳେ ଏକା ଜନ୍ମ କରୁଛି ? ବାପା କାଇଁ ଜନ୍ମ କରୁ ନାହାନ୍ତି ? ଏସବୁ ବୋଉଙ୍କୁ ପଚାରିଲେ ବୋଉ କହନ୍ତି ପୁଅ ମାନେ କଣ ଜନ୍ମ କରନ୍ତି ? ମୁନି କହିଲା ବୋଉ ଯଦି ମାଡ଼ ଖାଇବ ଝିଅ ପିଲା ଜନ୍ମ କରିବ ଝିଅ,ଘର କାମ ବି କରିବ ଝିଅ ତେବେ ଜେଜେମା,ଜେଜେବାପା,ବାପା ସମସ୍ତେ କାହିଁକି ପୁଅ ପୁଅ ହେଉଛନ୍ତି ? ଜେଜେମାଙ୍କୁ ପଚାରିଲେ କୁହନ୍ତି ନାତି ମୋ କୁଳ ବଢାଇବ ମୋ ପୁଅ ମୁହଁରେ ନିଆଁ ଦେବ। ଝିଅ କଣ କରିବ ସେ ତ ପର ପରିବା। ନିଆଁ ଦେଲେ ତ ମୁହଁ ପୋଡିଯିବ ତେବେ ବି ପୁଅ। ବୋଉ କିଛି ନ କହି ଚୁପ୍ ରହିଯାଏ।

ମୁଁ ପଚାରିଲେ କିଛି ବି କହେନି । ତା ଆଖିରୁ ଲୁହ ପୋଛି ମୋ ମୁହଁକୁ ଆଉଁସି ଦେଇ ମା'ଲୋ ଧନ ଲୋ କହି କହେ ମୁଁ ଯଦି କେବେ ତୋ ପାଖରେ ନ ରହିବି ତୁ ଆମର କାନ୍ଦିବୁ ନାହିଁ, ମନ ଦେଇ ପାଠ ପଢିବୁ ଦୁଷ୍ଟାମି କରିବୁ ନାହିଁ।ତୁ ମୋ ସୁନା ମା ପରା ମୋ କଥା ମାନିବୁ। ମୁଁ ବୋଉକୁ ପଚାରିଲି ତୁ ମତେ ଛାଡି କୁଆଡେ ଯିବୁ ଯେ। ତୁ ଯୁଆଡେ ଯିବୁ ମୁଁ ବି ଯିବି ତୋ ସାଥିରେ କିନ୍ତୁ ବୋଉ କହେ ତୋର ଏଥର ଯଦି ଭାଇଟିଏ ନହୁଏ,ତୋ ବାବା ମୋତେ ରଖିବେ ନାହିଁ ମାମୁଁ ଘରେ ନେଇ ଛାଡି ଦେଇ ଆସିବେ । ମୁନି କହେ କାହିଁକି ଭଉଣୀ ହେଲେ କଣ ଅସୁବିଧା ? ଯିଏ ଆସିବ ସେ ତ ମୋତେ ଦିଦି ବୋଲି ଡାକିବ ମୋ ସାଙ୍ଗେ ଖେଳିବ । ମୁନି ପଚାରିଲା,ସେ କେବେ ଆସିବ ବୋଉ ? ବୋଉ କାନ୍ଦି କାନ୍ଦି କହେ ଆସିବ ସେ ବହୁତ ଶୀଘ୍ର ଆଉ ତୋ ସହିତ ଖେଳିବ। ଏମିତି ଅନେକ ପ୍ରଶ୍ନ କରେ ମୁନି ତା ବୋଉକୁ। ହେଲେ ଆଜି ଡାକ୍ତର ଖାନା ବେଡ୍ ରେ ବୋଉ ଚୁପ୍ ଚାପ୍ ଶୋଇଚି ଆଖି ବନ୍ଦ କରି। ସୁନ୍ଦର ଚାନ୍ଦ ପରି ଦିଶୁଥିବା ମୁହଁ ଟା ଆଜି ଯେମିତି ଅମାବାସ୍ୟା ର ରାତି ପରି ଫିକା ପଡ଼ିଯାଇଛି। ସମସ୍ତଙ୍କ ଆଖିରେ ଅସରା ଲୁହ ମୁହଁରେ ଦୁଃଖର ଜୁଆର । ମୁନି ବୋଉ ପାଖରେ ସେମିତି ବସିଥାଏ ତା ମୁହଁକୁ ଚାହିଁ ।

ଦାଦା ଆସି ମୁନିକୁ କୋଳେଇ ନେଇ କହିଲେ ମା କଣ ଖାଇବୁ ? ମୁନି କାନ୍ଦି କାନ୍ଦି କହିଲା ଦାଦା ଦେଖ ବୋଉ ମୋ ସହିତ କଥା ହେଉନି ।ବୋଉ କହିଥିଲା ମୋର ଗୋଟେ କୁନି ଭାଇ ନ ହେଲେ କୁନି ଭଉଣୀ ଆଣିଦେବ ହେଲେ ଦେଖ ଆଜି କଥା ହେଉନି ମୋ ସହିତ ବୋଉ । କିଛି କହୁନି ।ଦାଦା କୁହ ନା ବୋଉ ମୋ ସହ କଥା ହେବ।ମୋର ଭାଇ ଦରକାର ନାହିଁ ମୋ ବୋଉ ମୋ ସହ କଥା ହେବ କୁହ ଦାଦା କୁହ।ମୁନିର ଏମିତି କଥା ଶୁଣି ମୁନି ଦାଦାଙ୍କ ଆଖିରୁ ଲୁହ ଦୁଇ ଟୋପା ଝରି ପଡିଲା। ଆଉ ଦାଦା କହିଲେ ତୋ ବୋଉ ଭାଇଟେ ଆଣିବା ପାଇଁ ଠାକୁରଙ୍କ ପାଖକୁ ଯାଇଚି।ଆଉ ତୁ ଯେତେବେଳେ ଖୋଜିବୁ ତୋ ବୋଉ ତୋ ପାଖକୁ ଆସିବ। ତୁ ଚଗଲା ହେଲେ ପାଠ ନପଢିଲେ ବୋଉ ଆସିବ ନାହିଁ।ମୁଁ ଦୁଷ୍ଟ ହେବିନି ମୁଁ ପାଠ ପଢିବି, କେବେ ଅଳି ଅଝଟ କରିବି ନାହିଁ ।ଦାଦା ତୁମେ କୁହ ବୋଉକୁ ମୋ ମୋ ସହ ସିଏ କଥା ହେଉ । ମାଲୋ ବୋଲି ଥରେ ଡାକୁ। ମୁନି ଭାରି ଅବୁଝା ଆଉ ଅସ୍ଥିର ହୋଇଗଲା। କେମିତି ବୁଝାଇବେ ଦାଦା ତାକୁ ବୁଝିପାରିଲେ ନାହିଁ। ଦାଦା ମୁନିକୁ କହିଲେ ତୋ ବୋଉ ଭାଇ ଟେ ଆଣିବା ପାଇଁ ଠାକୁରଙ୍କ ପାଖକୁ ଯାଇଚି। ମୁନି କହିଲା ଭାଇ ଆଣିବା ପାଇଁ କଣ ଠାକୁର ପାଖକୁ ଯିବାକୁ ପଡେ ଦାଦା ? ଦାଦା ଧିର ସ୍ଵରରେ କହିଲେ ହଁ ରେ ମା ହଁ, ଯେଉଁ ଜାଗାରୁ କେବେ କେହି ଫେରି ନାହିଁ ଆଉ ଫେରିବ ବି ନାହିଁ ଏତିକି କହି ମୁନିର ଦାଦା ଚାଲି ଗଲେ।ମୁନି ନିର୍ବାକ ହୋଇ ବେଡ୍ ପାଖରେ ସେମିତି ଚାହିଁ ରହିଥାଏ ବୋଉକୁ। କାନ୍ଦି କାନ୍ଦି ଡାକୁ ଥାଏ ବୋଉ ,ଏ ବୋଉ, ଉଠୁନୁ ଘରକୁ ଯିବା ପରା, ମତେ ଭୋକ କଲାଣି, ତୁ ଖାଇବା ପାଇଁ ଦେବୁ ପରା, ଉଠୁ ଏ ବୋଉ। ନର୍ସ ଆସି ମୁନି ମୁହଁକୁ ଆଉଁଷି ଦେଇ କହିଲେ ତୋ ବୋଉ ’ ଆଉ ଉଠିବେନିରେ ମା’ ।ସେ ମରିଯାଇଛନ୍ତି । ମୁନିର କଅଁଳ ମନ ତଳେ ସମୁଦ୍ରର ଢେଉ ।ମନେ ମନେ ଭାବିଲା ମଲେ କଣ ଉଠନ୍ତି ନାହିଁ ? ମଲେ କୁଆଡେ ଯାଆନ୍ତି ? ଦାଦା କହିଥିଲେ ବୋଉ ଠାକୁର ହେଇଯାଇଚି। ହେଲେ ଠାକୁର ହୋଇ କେଉଁଠି ରୁହନ୍ତି ? ପୁଅ ଜନ୍ମ ପାଇଁ କ’ଣ ମରିବାକୁ ପଡେ ? ବୋଉ ଯେମିତି ପୁଅ ପାଇଁ ଠାକୁର ହେଇଗଲା ।କଣ ସେମିତି ମୁଁ ବଡ଼ ହେଲେ ବୋଉ ପରି ପୁଅ ଜନ୍ମ ପାଇଁ ମୋତେ ଠାକୁର ହେବାକୁ ପଡିବ ? 


Msg For You - ଆଜିର ନାରୀ କାଲିର ଭବିଷ୍ୟତ ।ଆଜିର ନାରୀ ସମାଜ ପାଇଁ ଅନେକ ଉଦାହରଣ ସୃଷ୍ଟି କରିଛନ୍ତି। ହେଲେ ମଣିଷ ଆଜିବି ରକ୍ଷଣଶୀଳ ଚିନ୍ତାଧାରାକୁ ଜାବୁଡ଼ି ଧରିଛି ନିଜ ଭିତରେ।।




Rate this content
Log in

Similar oriya story from Tragedy