Debabrata Barik Debunu

Romance Tragedy

2  

Debabrata Barik Debunu

Romance Tragedy

ଅଧୁରା ସ୍ଵପ୍ନ ଭାଗ ୩

ଅଧୁରା ସ୍ଵପ୍ନ ଭାଗ ୩

8 mins
446






( ଛୋଟ ଅନୁରୋଧଟିଏ.. ଗଳ୍ପ'ର ପ୍ରଥମ ଦୁଇଟି ଭାଗ ପଢି ନଥିବା ପାଠକ ମାନେ ପ୍ରଥମେ ସେଇ ଭାଗ ୨ ଟିକୁ ସମ୍ପୂର୍ଣ୍ଣ ପଢିସାରି ହିଁ ତା'ପରେ ଶେଷ ଭାଗ'ଟି ପଢନ୍ତୁ । ତେବେ ଯାଇ ଗଳ୍ପର ପ୍ରକୃତ ସ୍ବାଦ ପାଇ ପାରିବେ ।

  ଶେଷ୍ ଭାଗ -୩

୬ ବର୍ଷ ୧୧ ମାସ ଆଉ ୨୪ ଦିନ .....


ଏତେଦିନ ଧରି ମୁଁ ଖାଲି ଆମ ସଂପର୍କର ସଂଜ୍ଞା ଖୋଜୁଥିଲି ନମିତା ,ଯାହା ଆଜି ପାଇଗଲି । ତୁମ ଆଖିରେ ସ୍ପଷ୍ଟ ଝଲସୁଥିବା ସେ ଭାବନା ସବୁ ମୋତେ ଆଜି ମୋର ପରିସୀମା ଭିତରେ ଆଣି ଠିଆ କରେଇ ଦେଲା । ତୁମ ଆଖିର ଉଜ୍ଜ୍ଜଳତା ଆଜି ବିନା ଉପକ୍ରମଣିକା'ରେ ବି ତୁମ ଦେବୁନର ପରିଚୟ ବାଢ଼ି ଦେଉଥିଲା । ତୁମର ସ୍ବପ୍ନସବୁ ପୁଣି ଆଉଥରେ ଜୀବନ୍ୟାସ ପାଇବାକୁ ଯାଉଥିଲେ । ତୁମର ପ୍ରତୀକ୍ଷା ଶେଷରେ ଯାଇ ତାର ଠିକଣାରେ ପହଞ୍ଚି ସାରିଥିଲା । ପ୍ରେମ ଆଉ ଉତ୍କଣ୍ଠାରେ ତୁମର ଚଞ୍ଚଳ ପାଦ ଦୁଇଟି କଁଅଳା ବାଛୁରୀଟେ ପରି ଧାଇଁ ଯାଇଥିଲେ ଦେବୁନ ପଛେ ପଛେ । ନିୟମ ଅନୁସାରେ ତ ମୁଁ ଖୁସି ହେବାକଥା । ତୁମ ସଫଳତାରେ, ଆଉ ଦେଖିବାକୁ ଗଲେ କେତେକାଂଶ ରେ ମୋ' ନିଜ ସଫଳତାରେ ମଧ୍ୟ ।


ତୁମ ଦେବୁନକୁ ଖୋଜି ଆଣିବା ପାଇଁ ଦିନେ ତୁମ ଲୁହ ପୋଛିଦେଇ ମୁଁ ବି ତ ପଣ କରିଥିଲି... ତୁମ ଆଖିରୁ ଖସି ପଡୁଥିବା ପ୍ରତ୍ୟେକଟି ଲୁହଟୋପା ମୋ ଛାତି ଭିତରେ ସବୁବେଳେ ପଥରତୁଲ୍ୟ ଆଘାତ କରୁଥିଲେ । ଈଶ୍ୱରଙ୍କ ପାଖରେ ତୁମ ମାନସିକ ପାଇଁ ମୁଁ ବି ତ ହାତ ଯୋଡ଼ି ପ୍ରାର୍ଥନା କରି ବସୁଥିଲି.... କେମିତି ତୁମକୁ ତୁମ ଦେବୁନ ମିଳିଯାଉ ବୋଲି । ତୁମ ଓଠରେ ହସ ଆଉଥରେ ତା'ର ଘର କରିଯାଉ ବୋଲି । ତୁମ ସ୍ବପ୍ନର ମରୀଚିକା ଆଉ ମନର ମରୁବାଲି ଉପରେ ମୋର ପ୍ରାର୍ଥନା, ବାଦଲଟେ ସାଜି ଅବିରତ ବରଷୁ ଥାଉ ବୋଲି । ହେଲେ ତୁମେ ଆଜି ଦୂରକୁ ଧାଇଁ ଯାଉଥିଲା ବେଳେ ମୋ ଛାତିରେ କାହିଁକି କେଜାଣି ସ୍ପନ୍ଦନ ବଢ଼ିବଢ଼ି ଚାଲିଥିଲା । କେଉଁ ଏକ ଅଜଣା ଭୟରେ ଦେହଟା ଯେମିତି ଶିହରୀ ଯାଉଥିଲା । ସମୟଟା ସେଇ ମୁହୂର୍ତ୍ତରେ ଥପ୍ କରି ତଳେ ଚକାମୁଠି କରି ବସିପଡୁଥିଲା । ଆଉ ମୁଁ ସେଠି ମୋ ମନ ଆଉ ବିବେକର ଯୁଦ୍ଧରେ ନିରବ ଦେଖଣାହାରୀଟିଏ ସାଜି ଚୁପଚାପ୍ ଯାହା ଠିଆହେଇ ରହିବାକୁ ଚେଷ୍ଟା କରୁଥିଲି ଖାଲି ।


ତଥାପି ଅବୁଝା ଏ ପାଦ ଦୁଇଟି ମୋ ବୋଲ ମାନି ନଥିଲେ । କିଛିବାଟ ଧାଇଁଯାଇଥିଲେ ତୁମ ପଛେପଛେ । ସମ୍ପର୍କର ଏତେବଡ଼ ଡୋର'ଟା ଦାୟିତ୍ବର ଗଣ୍ଠିରେ ଛନ୍ଦିହେଇ ରହିଥିଲା ନା... ବୋଧହୁଏ ସେଇଥିପାଇଁ ।


ମଲ୍'ର ସେ ଭିଡ଼ ଭିତରେ ତୁମେ ପାଗିଳୀଟେ ପରି ତୁମ ଦେବୁନକୁ ଏଠିସେଠି ଖୋଜି ଚାଲିଥିଲ । ଆଉ ଏତେବଡ଼ ସେଇ ଭିଡ଼ ଭିତରେ ଥାଇ ମଧ୍ୟ ମତେ କାହିଁ ବିଲକୁଲ୍ ଏକାଏକା ଲାଗୁଥିଲା କେଉଁ ଏକ ନିର୍ଜନ ଦ୍ଵୀପ'ରେ ସତେ ଅବା ହଠାତ୍ ଯେମିତି ମୁଁ ବାଟବଣା ହେଇ ସାରିଥିଲି । 


ବ୍ୟସ୍ତତା ସେଠି ତୁମ ମନରେ ଥିଲା, ଆଉ ବେଦନା ସବୁ ଏଠି ମୋ ଛାତି ଭିତରକୁ ଘୂର୍ଣିଝଡ଼ ପରି ମାଡି ଆସୁଥିଲେ । ଆକାଂକ୍ଷା ସେଠି ତୁମ ଆଖିରେ ଥିଲା, ଆଉ ଆଶଙ୍କା ସବୁ ମୋ ଆଖି ଆଗରେ ଭାଙ୍ଗି ଆସୁଥିବା ସମ୍ପର୍କର ସେତୁ'ଟେ ଉପରେ ନିଶ୍ଚଳ ଠିଆ ହୋଇ ରହିଥିଲେ । ମନର ଭାବନା ସବୁ ନୈତିକତାର ହାତକଡ଼ି ପିନ୍ଧି ତୁମ ଚାଲି ଯାଉଥିବା ବାଟକୁ ଅପଲକ ବ୍ୟାକୁଳ ନୟନରେ ନୀରବରେ ଖାଲି ଚାହିଁ ରହିଥିଲେ। ପ୍ରେମ ତୁମେ ବି କରି ଚାଲିଥିଲ, ଆଉ ପ୍ରେମ ମୁଁ ବି ତ କରି ବସିଥିଲି । ତୁମକୁ ହିଁ... ଛଅ ବର୍ଷ ଏଗାର ମାସ୍ ଆଉ ଚବିଶ ଦିନ ପୂର୍ବରୁ.. ଆମ ବାହାଘରର ସେ ବେଦୀ ଉପରେ ,ତୁମ ସହିତ ମୋର ସେ ପ୍ରଥମ ଦେଖାରୁ ହିଁ....


ସତ କହୁଛି ନମିତା, ପ୍ରେମ ତ ତୁମପାଇଁ ସେଦିନ ତୁମ ସମର୍ପଣ ଦେଖି ହିଁ ଆମ ସେଇ ବାହାବେଦୀ'ରେ ଅଙ୍କୁରୀ ଉଠିଥିଲା । ତୁମ ବଡ଼ ଭଉଣୀଙ୍କର ଘରୁ ଏମିତି ଅପ୍ରତ୍ୟାଶିତ ଭାବରେ ଚାଲିଯିବାକୁ ନେଇ ସମସ୍ତେ ସିନା ଦୁଃଖୀ ହେଉଥିଲେ ହେଲେ ମୁଁ କିନ୍ତୁ ମନେମନେ ତାଙ୍କୁ ଧନ୍ୟବାଦ୍ ଅଜାଡ଼ି ଦେଉଥିଲି । ବାହାଘର ପାଇଁ "ହଁ " ଭରିବା ଆଗରୁ ମୁଁ ତ ତାଙ୍କ ଫଟୋ ପର୍ଯ୍ୟନ୍ତ ବି ଦେଖି ନଥିଲି, ଖାଲି ବାପାଙ୍କ ନିଷ୍ପତ୍ତିରେ ଆଜ୍ଞାଧୀନ ପୁଅଟେ ପରି ମୁଣ୍ଡ ଟୁଙ୍ଗାରି ଦେଇଥିଲି ଯାହା । ତେଣୁ ତୁମ ଅପା'ଙ୍କ ଚାଲିଯିବା'ଟା ମତେ ବିଶେଷ କିଛି ବିଚଳିତ କରିନଥିଲା ସେଦିନ । ବରଂ ତାଙ୍କର ସାହସିକ ଆଉ ସଠିକ୍ ନିଷ୍ପତ୍ତିର ସମର୍ଥନ କରି ମୁଁ ମଧ୍ୟ ନିଜ ମନକୁ ବୁଝେଇ ଦେଇଥିଲି । ହଁ , ପରିସ୍ଥିତି ଟିକେ ଅଡୁଆ ହେଇ ଯାଇଥିଲା ଅବଶ୍ୟ । ମୁଁ ଏପରିକି ବାପାଙ୍କୁ ସେଠୁ ଫେରି ଆସିବା ସକାଶେ ମନେଇବା ପାଇଁ ମଧ୍ୟ ଚେଷ୍ଟା ବି କରୁଥିଲି... ଆଉ ଏତିକି ବେଳେ ଗୁରୁଜନ ମାନେ ମିଶି ଏମିତି ଏକ ନିଷ୍ପତ୍ତି ନେଇ ବସିଥିଲେ ଯାହାକୁ ମୁଁ ଚେଷ୍ଟାକରି ମଧ୍ୟ ଆଡେଇ ଯାଇ ପାରି ନଥିଲି । 


ସତ କହିବାକୁ ଗଲେ, ତୁମକୁ ସେ ବୋହୂରାଣୀ ବେଶରେ ଦେଖି ମୁଁ ମଧ୍ୟ ଟିକେ ସ୍ୱାର୍ଥପର ହେଇ ଯାଇଥିଲି । ତୁମକୁ ଈଶ୍ୱରଙ୍କ ଆଶୀର୍ବାଦ ଭାବି ନିଜକୁ ମୁଁ ଭାଗ୍ୟବାନ ମନେ କରୁଥିଲି । ମୋର ସେଦିନର ସେଇ ଭାବନା ଟିକକ ପାଇଁ ହିଁ ତୁମେ ଏତେଦିନ ଖାଲି କଷ୍ଟ ପାଇଲ ଯାହା । ଯଦି ପ୍ରଥମରୁ ହିଁ ତୁମ ଆଖିରେ ତୁମ ମନର ସେ ଭାବନା ମୁଠା'କ ପଢି ପାରିଥାଆନ୍ତି ନା, ତେବେ ହୁଏତ ସେ ଅଘଟଣ ଘଟିବାକୁ ଦେଇ ନଥାଆନ୍ତି ମୁଁ...


ତୁମେ ଆମ ଘରକୁ ଆସିଲ, ଆଉ ମୁଁ ବୋକାଟା ତୁମକୁ ନେଇ କାହିଁ କେତେ ସ୍ବପ୍ନ ଦେଖିବାକୁ ଆରମ୍ଭ କରିବସିଲି ।  

ଜେଜେମା'ର ସେ କଥା ଧାଡିକ ମୋର ଏବେ ବି ମନେ ଅଛି..

"ଯିଏ ଯାହା ହାଣ୍ଡିରେ ଚାଉଳ ପକେଇ ଥାଏ ସେ ଯେତେ ଯାହା ହେଉ ପଛକେ , ଶେଷରେ ତା'ରି ଘରକୁ ହିଁ ବୋହୂ ହେଇକି ଆସେ..."

ସବୁବେଳେ ବସିବସି ଭାବେ ଯେ, ତୁମ ଚାଉଳ ଟା ଆମ ହାଣ୍ଡିରେ ଆସି କେମିତି ପଡ଼ିଥିଲା କେଜାଣି ! ଭାବିଦିଏ... ଆଉ ପୁଣି ଜେଜେମା'ର ପାକୁଆ ମୁହଁ'ଟା ମନେ ପକେଇ ଫିକ୍'କିନା ହସିଦିଏ ।


ଯେତେବେଳେ ସେଦିନ ତୁମକୁ ଝରକାରେ ଦେଖିଲି ଯେ , ତୁମେ ଆତ୍ମହତ୍ୟା କରିବାକୁ ଯାଇ ଫ୍ୟାନ୍ ରେ ଝୁଲି ପଡିଲ ମୁଁ ତ ସଂପୂର୍ଣ୍ଣ ମୃତପ୍ରାୟ ହେଇଗଲି ନମିତା । ଆଉ ଯଦି କେଇ ମୁହୂର୍ତ୍ତ ମୁଁ ଡେରି କରି ଦେଇଥାଆନ୍ତି ନା, ତାହେଲେ ତ ନିଜକୁ ଜୀବନଯାକ କେବେ ବି କ୍ଷମା କରି ପାରି ନଥାନ୍ତି ମୁଁ । ତୁମେ ରାତିସାରା ହସ୍ପିଟାଲ୍ ରେ ପଡ଼ିଥିଲ ଆଉ ମୁଁ ବାହାରେ କାଠଗଡ଼ଟେ ପରି ନିଶ୍ଚଳ ବସିରହି ଠାକୁରଙ୍କୁ ଖାଲି ଡାକି ଚାଲିଥିଲି । 


ସେଦିନ ତୁମର ହୋସ୍ ରେ ଆସିବା ଦେଖି ମୁଁ ଜୀବନରେ ହୁଏତ ପ୍ରଥମ ଥର ପାଇଁ ଏତେ ଅଧିକ ଖୁସି ହେଇଥିଲି... 


ମୁଁ ମନଖୋଲି କେବେ ବି ନିଜର ଭାବନା ପ୍ରକାଶ କରି ପାରେନି ନମିତା, ଏହା ଯେ ମୋର ଏକ ଦୁର୍ବଳତା , ଯାହା ମୁଁ ନିଜେ ମଧ୍ୟ ଗ୍ରହଣ କରିନେଇଛି । ରକ୍ଷଣଶୀଳ ଏକ ପରିବାରରୁ ଆସିଥିବା ହେତୁ ଏହା ହୁଏତ ମତେ ବଂଶାନୁକ୍ରମେ ହିଁ ମିଳିଯାଇଛି । 

ଯେତେବେଳେ ତୁମ ମୁହଁରୁ ତୁମ ଦେବୁନ ବିଷୟରେ ଶୁଣିଲି ! ସତ କହୁଛି ନିଜକୁ ବୋହୁତ ତିରସ୍କାର କରିଥିଲି ସେଦିନ । ଅପରାଧୀଟେ ପରି ଲାଗୁଥିଲା ନିଜକୁ । ଯେଉଁ ଦାଗରୁ ଆଜି ପର୍ଯ୍ୟନ୍ତ ବି ନିଜକୁ ମୁକୁଳେଇ ପାରିନି ମୁଁ...


ତୁମ ଅସୁବିଧା ଆଉ ଅଧିକା ବଢେଇବାକୁ ଚାହୁଁ ନଥିଲି ବୋଲି ତୁମ ହାତ ନ ଛାଡ଼ି ବରଂ ଗାଁ ଛାଡ଼ିବାର ନିଷ୍ପତ୍ତି ନେଇଯିବାକୁ ଉଚିତ୍ ମନେ କରିଥିଲି । ସ୍ଵାମୀର ଅଭିନୟ ଭିତରେ ବି ତୁମ ଆଖିରେ ପଡୋଶୀଟିଏ ର ପରିଚୟରେ ମୁଁ ଖୁସି ହେଇ ଆସୁଥିଲି ।


ଏ ସହରକୁ ଆସିଲା ପରେ ମତେ ଏତେ ଭଲ ଚାକିରୀଟେ ମିଳିଯିବ ବୋଲି ମୁଁ ମଧ୍ୟ କେବେ ଆଶା କରି ନଥିଲି । ତୁମେ ମୋର ଗୁଡ୍-ଲକ୍ ଥିଲ ନା ସାଙ୍ଗରେ.. ବୋଧେ ସେଇଥିପାଇଁ.. 


ଘରେ ବସିବସି ମୁଣ୍ଡଟା ତୁମର ଓଜନିଆ ହେଇଯାଉଥିବ ଭାବି ତୁମପାଇଁ ସାଙ୍ଗ ଅଫିସ୍ ରେ ଖାଲି ଥିବା ପୋଷ୍ଟ୍ ରେ ଜଏନ୍ କରିବାକୁ କହିଥିଲି । ଉଦ୍ଦେଶ୍ୟ ଥିଲା ଚିନ୍ତା ଆଉ ଅବସାଦରୁ ମୁକୁଳି ତୁମେ ଏଇ ଦୁନିଆଁ ଭିତରୁ ନିଜପାଇଁ କିଛି ସମୟ ଖୋଜିଆଣ । ନିଜର ଯତ୍ନ ନିଅ ଆଉ ନିଜର ସ୍ୱତନ୍ତ୍ରତା ସୃଷ୍ଟିକର ।


ତୁମର ସବୁ ଇଚ୍ଛା ପୂର୍ଣ୍ଣ ହେଉ ବୋଲି ସବୁବେଳେ ପବିତ୍ର ମନରେ ଈଶ୍ୱରଙ୍କୁ ମାଗି ଆସିଥିଲି । ତୁମେ ତୁମ ଦେବୁନକୁ ଖୋଜି ଚାଲିଥିଲ ଆଉ ମୁଁ ତୁମ ଓଠରେ ହସରୁ ଧାରେ ଖୋଜି ଚାଲିଥିଲି । ଅପେକ୍ଷା ତ ତୁମେ ବି କରିଥିଲ ନମିତା ...ଆଉ ଅପେକ୍ଷା ତ ମୁଁ ବି କରିଥିଲି.... 


ତୁମେ ଜିତିଗଲ ! ତେଣୁ ତୁମ ସହିତ ଆଜି ମୁଁ ବି ତ ଜିତିଗଲି । ଆଜି ତୁମ ଆଖିରେ ଲୁହ ବି ଦେଖିଲି ,ଓଠରେ ହସ ବି ଦେଖିଲି, ଖରା ଆଉ ବର୍ଷାର ଏକକାଳୀନ ଆଗମନରେ ଯେମିତି ଆକାଶରେ ଇନ୍ଦ୍ରଧନୁ ତାର ଉପସ୍ଥିତି ଜାହିର କରେ ଠିକ୍ ସେଇମିତି ଏକ ଇନ୍ଦ୍ରଧନୁ ଆଜି ଆଙ୍କି ହେଇଯାଇଥିଲା ତୁମ ମୁଖମଣ୍ଡଳରେ... ତୁମେ ଧାଇଁଯାଉଥିଲ ତୁମ ଦେବୁନ ଆଡକୁ । ଆଉ ମୁଁ ବି ଧାଇଁ ଯାଇଥିଲି କିଛି ବାଟ ସ୍ଵତଃପ୍ରବୃତ୍ତ ଭାବରେ ।


ହେଲେ କେହି ଯେମିତି ହାତ'ଟାକୁ ମୋର ଟାଣିଧରିଲା ସେଇଠି ଅଧା ବାଟରେ ! ମନ ଆଉ ବିବେକର ଯୁଦ୍ଧରେ ମନ ମୋର ଶେଷରେ ପରାଜିତ ହେଇ ସାରିଥିଲା । ବିବେକ ଆସି ଆସ୍ତେ କରି ମୋ କାନରେ ମତେ ମନେପକେଇ ଦେଉଥିଲା....


ଯେ ମୋ ଯାତ୍ରା ତ ସେତିକି ବାଟ ହିଁ ଥିଲା ତୁମ ସାଥିରେ । ତୁମେ ତୁମ ସ୍ବପ୍ନ ପାଇବାକୁ ଯାଉଥିଲ, ମୋର ବା ଆଉ କଣ ପ୍ରୟୋଜନ ଥିଲା ଯେ ସେଠି... ହୁଏତ ତୁମକୁ ତୁମ ଦେବୁନ ସାଙ୍ଗରେ ଦେଖିଥିଲେ ପାଗଳ ଅବୁଝା ଏ ମନଟାକୁ ବୁଝେଇ ପାରି ଥାଆନ୍ତି କି ନାହିଁ କେଜାଣି...? ସେଥିପାଇଁ ଫେରିଆସିଲି...

ଯାହା ଏ ଜୀବନରୁ ପାଇଲି ସେତିକି ହିଁ ମୋ ପାଇଁ ଢେର୍ ନମିତା, ସେଥିପାଇଁ ବି ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । କେତେ କଥା ଜାଣ ତୁମଠୁ ହିଁ ଶିଖିଛି ମୁଁ । ଆଉ କେତେ କଥା, କେତେ ଯେ ଦୁଷ୍ଟାମୀ ମୋର ତୁମଠୁ ବି ଲୁଚେଇ ରଖିଛି ଆଜି ପର୍ଯ୍ୟନ୍ତ ।


ମୋ ସାଙ୍ଗରେ ତୁମେ କେବେ ବାଇକ୍ ରେ ବସି ଗଲାବେଳେ ଗାଡ଼ିର ଆଗ ମିରର୍ ରେ ଲୁଚି ଲୁଚି ତୁମକୁ ମୁଁ ଦେଖିନେଉଥିଲି ।


ଆମ ସଂପର୍କର ଅଡୁଆ ଏ ସୂତାଖିଅ ବିଷୟରେ ଅବଗତ ନଥିବା ମୋ ସାଙ୍ଗମାନେ ମୋ ଆଗରେ ତୁମକୁ ଭାଉଜ କହି ତୁମ ପ୍ରଶଂସା କରିଦେଲେ ସବୁଥର ଯାକ ଗର୍ବରେ ମୁଁ ଫାଟି ପଡୁଥିଲି । ପ୍ରତିଦିନ ରାତିରେ ଆମ ବାହାଘରର ପୁରୁଣା ଫଟୋ ଆଲବମ୍'ଟା ଖୋଲି ତୁମ ସହ ମନଭରି କେଜାଣି କେତେ କଥା ହେଉଥିଲି ।


ସେଦିନ ତୁମ ହାତର ଶଙ୍ଖା ଭାଙ୍ଗି ଯାଇଥିଲା ବୋଲି ମତେ ଯେତେବେଳେ ତୁମେ ନୂଆ ଶଙ୍ଖା ଦିପଟ କିଣି ଆଣିବାକୁ କହିଥିଲ ସେଦିନ ମୁଁ ଅଫିସ୍ ରେ ମୋ ସାଙ୍ଗମାନଙ୍କୁ ମିଛ'ରେ ଜେଜେମା'ର ଜନ୍ମଦିନ କହି ଭୋଜି ଖୁଆଇ ଦେଇଥିଲି ।


ଚିହ୍ନା ଶାଢ଼ୀ ଦୋକାନୀଟା ଯେତେବେଳେ ହସିକି ମତେ ପଚାରି ଦେଉଥିଲା କି କାହାପାଇଁ ଶାଢ଼ୀ ନେବେ କି ସାର୍... ମୁଁ ବି ଏପଟ ସେପଟ ଚାହିଁ ମୋ ସ୍ତ୍ରୀ ପାଇଁ ସବୁଠୁ ଭଲ ଶାଢ଼ୀ ଦେଖାଅ ବୋଲି କହି ମୁରୁକି ମୁରୁକି ହସି ଦେଉଥିଲି । ତୁମେ କେବେ ଅଫିସ୍ ରୁ ଫେରିବାକୁ ଡେରି କଲେ, ରାସ୍ତାପାଖ ଝରକାଟା ଖୋଲାରଖି ଅପଲକ ନୟନରେ ତୁମ ବାଟ ଚାହିଁ ରହୁଥିଲି । ରାତିରେ ତୁମେ ତୁମ ବାଲକୋନୀରେ ବସି ଡାଏରୀ ଲେଖୁଥିଲା ବେଳେ ମୁଁ ଏପଟେ ମୋ ବାଲକୋନୀର ଲାଇଟ୍ ଲିଭେଇ ଅନ୍ଧାରରୁ ତୁମକୁ ଘଣ୍ଟାଘଣ୍ଟା ଧରି ଦେଖି ଚାଲୁଥିଲି ।


ସେଦିନ ତୁମ ଡ୍ରଇଂରୁମ୍ ରେ ବସିଥିଲା ବେଳେ ତୁମେ ଯେତେବେଳେ ମୋ ପାଇଁ ଚାହା ତିଆରି କରିବାକୁ କହି କିଚେନ୍ କୁ ଚାଲିଗଲ ମୁଁ ତୁମକୁ ଲୁଚେଇ ତୁମ ଡାଏରୀରୁ ପୃଷ୍ଠାଟିଏ ଜାଣ ପଢି ଦେଇଥିଲି । ଆଉ ତା ପରଦିନ ମୋ ନିଜ ପାଇଁ ମଧ୍ୟ ଡାଏରୀ'ଟେ କିଣି ଆଣିଥିଲି ।


ଆଗଛକ ବରଗଛ ମୂଳରେ ବସିଥିବା ଫକୀର ବାବା ମୋ ହାତ ଦେଖି ଯେତେ ମିଠାମିଛ କହିଲେ ବି ବାରମ୍ବାର ରାସ୍ତା କଡ଼ରେ ଗାଡ଼ିଟା ଷ୍ଟାଣ୍ଡ୍ ମାରିଦେଇ ତା ଗାମୁଛାରେ ଶହେଟଙ୍କା ଥୋଇ ମୋ ପାପୁଲିଟା ତା ଆଗକୁ ବଢେଇ ଦେଉଥିଲି ।


ବାହାରେ ଖେଳୁଥିବା ପିଲା ମାନଙ୍କ ଦୋଷ ଦେଉଥିଲି ସିନା ହେଲେ ତୁମକୁ ନିଜ ଗାଡ଼ିରେ ଅଫିସ୍ ଡ୍ରପ୍ କରିବା ପାଇଁ କେତେଥର ତୁମ ସ୍କୁଟି ଚକରୁ ମୁଁ ନିଜେ ହିଁ ପମ୍ପ ଖୋଲି ଦେଇଥିଲି ।


ଏତେଦିନ ଧରି ଆମର ଏତେ ପ୍ରୟାସ ପରେ ମଧ୍ୟ ତୁମ ଦେବୁନ ମିଳିନଥିଲା ବୋଲି ହୁଏତ ମୋ ମନର କେଉଁ ଏକ କୋଣରେ ତୁମପାଇଁ ଆଉଥରେ ସ୍ବପ୍ନ ତିଆରି କରିବାରେ ଲାଗି ପଡ଼ିଥିଲି ।


ସମ୍ପର୍କର ଡୋରଟେ ଲାଗି ରହିଥିଲା ନା, ବୋଧହୁଏ ସେଇଥିପାଇଁ । ହେଲେ ଆଜି ସେ ସଂପର୍କର ଡୋର'ଟା ତୁମେ ଛିଡ଼େଇ ଦେଇ ଚାଲିଗଲେ ମୁଁ ଆଉ ତୁମକୁ ଜମା ମନା କରିବିନି ନମିତା । ତୁମେ ଆଜି ମୁକ୍ତ ଆକାଶର ବିହଙ୍ଗଟେ ପରି ଉଡିଯାଅ ତୁମ ସ୍ୱପ୍ନର ଡେଣାରେ ତୁମ ସୁନେଲି ଭବିଷ୍ୟତର ଉଡାଣ ଭରି । ମୁଁ ତୁମକୁ ତୁମ ଆଗାମୀ ଜୀବନ ପାଇଁ ଶୁଭେଚ୍ଛା ଜଣେଇ

ଚାଲି ଯାଉଛି ଏଇଠୁ...

କେଉଁ ଏକ ଦୂର ସହରକୁ !

ପ୍ରେମିକର ପରିଚୟ ଗୋଟେ ସାଙ୍ଗରେ ନେଇ । ଆଜୀବନ ମୋର ମନ ମନ୍ଦିରରେ ତୁମକୁ ଦେବୀଟିଏ ପରି ସଜେଇ ରଖି ଏ ଜୀବନଟା ଏମିତି ହିଁ ହସିହସି ବିତେଇ ଦେବି ନମିତା ।


ଏତେଦିନ ଧରି ତୁମେ କରିଥିବା ଏଇ ଅପେକ୍ଷାକୁ ଆଜି ମୁଁ ସବୁଦିନ ପାଇଁ ନିଜର ଯୌତୁକ ରୂପରେ ତୁମଠୁ ମାଗି ନେଉଛି... ଖୁସିରେ ରୁହ... ।


ଦୀପ ହେଇ ଜଳୁଥିଲି ସିନା

ଜଳିବାରେ ଥିଲା ଶୀତଳତା,

ପରିଚୟ ହଜିଗଲା ମୋର

ଅସମ୍ପୂର୍ଣ୍ଣ ହେଲା ମୋ ପୂର୍ଣ୍ଣତା..

ଦରିଆରେ ଭାସୁଥିଲି ଏକା

ତୁମେ ଥିଲ ଦୂର ବତୀଘର ,

ବତୀଘର ଲିଭିଗଲା ପରେ

ଚାରିଆଡ଼େ ଅନ୍ଧାର ଅନ୍ଧାର...

ଚାହୁଁଥିଲି ଆଙ୍କିବାକୁ ଦିନେ

ତୁମ ଓଠେ ହସ ଇନ୍ଦ୍ରଧନୁ,

ଧୋଇ କି ପାରିବି ତୁମ ସ୍ମୃତି

ଢାଳି ଗୋଟେ ସାଗର ନୟନୁ...

ଅଜାଣତେ ପ୍ରେମ ହୁଏ ବୋଲି

କାହାଣୀରେ ଶୁଣିଥିଲି କେବେ,

ମିଠାଲାଗେ ଯନ୍ତ୍ରଣା ବି ଆଜି

ପ୍ରେମିକଟେ ହେଲାପରେ ଏବେ..

ପାଇଲି ମୁଁ ସେତିକି ହିଁ ଖାଲି

ଥିଲା ଯାହା ବିଧିର ବିଧାନେ,

ଅଭିଯୋଗ ନାହିଁ କି ନଥିଲା

ତୁମ ପାଇଁ କେବେ ବି ମୋ ମନେ...

ହସୁଥାଅ ତୁମେ ଦୂର ଦେଶେ

ସ୍ବପ୍ନ ବୁଣି ତୁମ ଚଲାପଥେ,

ମିଛେ ଦେବି ଭୁଲେଇ ମନକୁ

ଜହ୍ନ ଦିନେ ମିଳିଥିଲା ମତେ...

ଭୁଲିଯିବ ମତେ ତୁମେ ବନ୍ଧୁ

ପାହାନ୍ତିଆ ଦୁଃସ୍ଵପ୍ନଟେ ଭାବି,

ତୁମ ସ୍ମୃତି ମନରେ ସାଇତି

ଆଙ୍କୁଥିବି ନିତି ତୁମଛବି...

ଆଖିରେ ଆଖିଏ ଲୁହ ନେଇ ଆଜି ଗପଟି ଏଇଠି ସମାପ୍ତ କରୁଛି । ଗପଟି ମୋର ଏଇଠି ହିଁ ସରିଗଲା । ଗପଟି ଲେଖିସାରିଲା ବେଳକୁ ଆଖି ଦୁଇଟି ମୋର ଖୁବ୍ ଓଦା ହେଇ ସାରିଥିଲା । ମୁଁ ମୋ ନିଜ ଭିତରୁ କେଉଁ ଚରିତ୍ର'ଟିକୁ ଆବିଷ୍କାର କରିବି କିଛି ବି ଚିନ୍ତା କରିପାରୁନଥିଲି । 

ରାତି ଢେର୍ ହେଇ ସାରିଥିଲା । ପାଖାପାଖି ସକାଳ ହେବ । ଆଖି ବୁଜିଦେଇ ଈଶ୍ୱରଙ୍କୁ ପଚାରି ବସିଲି... ହେ ପ୍ରଭୁ । ମୋ ମନରେ ଯଦି ତୁମେ ଏମିତି ଭାବନା ଭରିଛ ତେବେ ୟା'ର ଉତ୍ତର ତ ମତେ ଦେଇଦିଅ ଆଗକୁ କଣ ହେଲା ? କଣ ସମସ୍ତେ ଏକ ପରାଜିତ ବିଚ୍ଛେଦକୁ ଆପଣେଇ ନେଲେ ? କଣ ସମସ୍ତେ ହାରିଗଲେ, ସମସ୍ତଙ୍କ ସ୍ବପ୍ନ ଏମିତି ଭାଙ୍ଗିଗଲା ?

- ହେଲେ ପୁଣି ମନରେ ଭାବନା ଆସିଲା, ସମସ୍ତେ ହାରିଲେ କୋଉଠି ଯେ ? ସମସ୍ତେ ତ ଜିତିଗଲେ ପ୍ରେମରେ ତ୍ୟାଗ'ଠୁ ବଡ଼ ବିଜୟ ଆଉ କଣ ଅବା ହେଇପାରେ ?


ମୁଁ ନିଜେ ତ ଏଇ ତିନି ଜଣଙ୍କ ମଧ୍ୟରୁ କାହାର ପ୍ରେମକୁ ମୋର ଏଇ ସାମାନ୍ୟ ମନ ତରାଜୁ'ରେ ତଉଲି ପାରିଲିନି । ମୋ ଆଖିରେ ଜାଣ ସମସ୍ତେ ହିଁ ଯେମିତି ନିଜ ନିଜ ସ୍ଥାନରେ ମହାନ୍ ହେଇ ସାରିଥିଲେ ।

ତେଣୁ ଗଳ୍ପ'ଟି ଅସମ୍ପୂର୍ଣ୍ଣ ଲାଗିଥିବା ପାଠକ/ପାଠିକା ମାନଙ୍କୁ ମୋର ଏତିକି ଅନୁରୋଧ... ପୂର୍ବାପର ସମସ୍ତ ବିଷୟକୁ ଧ୍ୟାନରେ ରଖି ନିଜେ ହିଁ ଠିକ୍ କରି ନିଅନ୍ତୁ... 


Rate this content
Log in

Similar oriya story from Romance