ପ୍ରଶାନ୍ତ କୁମାର ବେହେରା

Romance Tragedy Inspirational

3.8  

ପ୍ରଶାନ୍ତ କୁମାର ବେହେରା

Romance Tragedy Inspirational

ଅଭିଶପ୍ତ ଗନ୍ଧର୍ବ

ଅଭିଶପ୍ତ ଗନ୍ଧର୍ବ

22 mins
124



( ଏ ପୃଥିବୀ ପୃଷ୍ଠରେ ବହୁ କିସମର ଲୋକ ଜନ୍ମ ନିଅନ୍ତି , ନିଜ ନିଜ ଜୀବନ ଜୀଇଁ ସାରି ବିଦାୟ ବି ନିଅନ୍ତି । ଗୋଟେ ଗୋଟେ ଚରିତ୍ର ଲୋକଙ୍କ ଆଖି ଆଢୁଆଳରେ ସବୁଦିନ ପାଇଁ ରହିଯାନ୍ତି । ଲେକମାନେ ସେ ଲୋକକୁ ଦେଖନ୍ତି, ଚିହ୍ନନ୍ତି, କିନ୍ତୁ କେବେ କୌଣସି ପ୍ରକାରର ଗୁରୁତ୍ବ ତାକୁ ଦେଇ ନଥାନ୍ତି । ସେମିତି ଜଣେ ଚରିତ୍ର ଜଗତସିଂହପୁର ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ଆମ ସ୍ୱାମୀ ବିବେକାନନ୍ଦ ସ୍ମାରକ ମହାବିଦ୍ୟାଳୟର ପାଣି ପବନରେ ୧୯୬୫ ମସିହାରୁ ୨୦୦୭ ପର୍ଯ୍ୟନ୍ତ ପାଖା ପାଖି ୪୨ ବର୍ଷ କଟାଇ ଏ ଦୁନିଆରୁ ବିଦାୟ ନେଇଥିଲେ । ତାଙ୍କୁ ନେଇ ମୋର ଏଇ ଗପ - ଅଭିଶପ୍ତ ଗନ୍ଧର୍ବ । )


ସେ ବାହର ଜଗତକୁ ଖୁବ୍ ଖୁସୀ ମିଜାଜ୍ ଓ ସ୍ମିତହାସ୍ୟର ହାଲୁକା ମଣିଷଟିଏ ଭଳି ମନେ ହେଉଥିଲେ ବି ମୁଁ ତାଙ୍କ ଜୀବନର ଅଶ୍ରୁଳ ପୃଷ୍ଠାଟିକୁ ପଢିବାର ପର୍ଯ୍ୟାପ୍ତ ସୁଯୋଗ ପାଇଥିଲି । ତାଙ୍କୁ ଅଦୂରରୁ ଦେଖିବା, ଅନୁଭବ କରିବା ଓ ତାଙ୍କ ବ୍ୟକ୍ତିତ୍ୱକୁ ଆକଳନ କରିବା ବୋଧହୁଏ ଥିଲା ମୋ ପାଇଁ ବିଧି ନିର୍ଦ୍ଧାରିତ । ତାଙ୍କ ସହ ପରିଚୟ ମୋର ଅତି ପୁରୁଣା ହେଲେ ମଧ୍ୟ ହଠାତ୍ ମୁଁ ତାଙ୍କ ନାଁଟି ଦରମା ଖାତାରୁ ପଢି ବିସ୍ମିତ ହେଲି । ପାଖକୁ ଡାକି ତାଙ୍କୁ ତାଗିଦ୍ କରି ପଚାରିଲି - 


" କିଓ ନନା ! କାହାର ନାଁଟାଏ ଆଣି ତୁମ ସ୍ଥାନରେ ଲେଖିଦେଲ ? ଦରମାଟଙ୍କା ଗଣିବା ବେଳେ ତ ଖୁବ୍ ସାବଧାନ -- ଆଉ ଦସ୍ତଖତ କଲାବେଳେ ମନ କେଉଁଠି ରଖିଥିଲ ମ ? ନିଜ ନାଁଟା ବି ମନେ ରହୁନି କେମିତି ତୁମର ? କ'ଣ ବୁଢା ହୋଇ ଆସିଲଣି କି ? ଏ ଚକ୍ରଧର ନାଁଟା କେଉଁଠୁ ପାଇଲ ? "


ସେ ତାଙ୍କ ଗଳା ଯଥାସମ୍ଭବ ନରମ କରି ମୋତେ ଭୁଲେଇବାକୁ ଚେଷ୍ଟାକରିବା ଚକ୍କରରେ କହିଲେ, " ନା ସାର୍ , ମୁଁ ଏମିତି ଟିକେ ଅନ୍ୟମନସ୍କ ହୋଇ ଲେଖିଦେଲି ।"


କି ଆଶ୍ଚର୍ଯ୍ୟ କଥା ? ଏଭଳି ଗୁରୁଚଣ୍ତାଳ ଭୁଲଟିଏ କେବେ ବି କେହି ନିଜ ନାଁ କୁ ନେଇ କରିପାରିବ ନାହିଁ ! ମୁ୍ଁ ଗର୍ଜନ ସୁଲଭ ଢଙ୍ଗରେ ପଚାରିବାରୁ ସେ ହସିହସି କହିଲେ, --


" ଦେଖ ସାର୍, ମୁଁ ସିନା ଏଠି ଏଇ କଲେଜରେ ରଜନୀ ନନା, କିନ୍ତୁ ପ୍ରକୃତରେ ମୋର ଫଟୋ ପରିଚୟ ପତ୍ରରେ ମୋ ନାଁ ଚକ୍ରଧର ମହାପାତ୍ର । ମୋତେ ପରା ଆମ ଗାଁରେ ସମସ୍ତେ ଭାରି ଭଲ ପାଆନ୍ତି, ଶ୍ରଦ୍ଧା କରନ୍ତି । କିଏ ଡାକେ ଚକୁଆ, ଆଉ କିଏ ଡାକେ ଚକରା, ଅଳ୍ପ କେଇଜଣ ବି ଡାକନ୍ତି ଚକ୍ରଧର । କିଛି ଦିନ ତଳେ ଗାଁକୁ ଯାଇଥିଲି ଭୋଟ୍ କଥା ବୁଝିବାପାଇଁ । ସେଇ ନାଁଟି ମନରେ ପଶିଯାଇଛି ତ ସେଇଥି ପାଇଁ ଅନ୍ୟମନସ୍କ ହୋଇ ଲେଖି ଦେଲି । ଖାତାଟା ଦିଅ - ନାଁଟା ଠିକ୍ କରି ଲେଖିଦେବି ।"


ତାଙ୍କ କଥାରେ ମୁଁ ଯେତିକି ଆଶ୍ଚର୍ଯ୍ୟ ହେଲି ସେତିକି ହତବାକ୍ ବି ! ଗୋଟେ ଲୋକର ନାମ ଗାଁ ଭୋଟ ପରିଚୟ ପତ୍ରରେ ଯାହା ତାହା ଚାକିରି କ୍ଷେତ୍ରରେ କେମିତି ଅଲଗା ହୋଇଗଲା ? ପୁରୁଷ ଛା୍ତ୍ରବାସର ଜଣେ କର୍ମଚାରୀ ଭାବରେ ଦରମା ନେବା ସମୟରେ ସେ ଦସ୍ତଖତ କରୁଥିବା ନାମଟି ଥିଲା ରଜନୀକାନ୍ତ ମହାପାତ୍ର । କିନ୍ତୁ ସେଦିନ ଅନ୍ୟମନସ୍କ ହୋଇ ନିଜର ପ୍ରକୃତ ନାମ ଚକ୍ରଧର ମହାପାତ୍ର ଲେଖିଦେଇଥିଲେ । ତେବେ ଏଠି ଜଗତସିଂହପୁରରେ ଗୁପ୍ତନାମ ଧାରଣକରି ରହିବା ସହିତ ଚାକିରି କରିବାର କଣ ଯେ ଉଦ୍ଦେଶ୍ୟ ମୁ୍ଁ ଜାଣିପାରୁ ନଥିଲି ? ସେ ଆମ ଛାତ୍ରାବାସର ବହୁ ପୁରୁଣା କର୍ମଚାରୀ । ମୁଁ କଲେଜରେ ପଢିବା ବେଳେ ବି ତାଙ୍କୁ ଏଠି ଚାକିରି କରିଥିବାର ଦେଖିଥିଲି । ୧୯୬୫ ମସିହା ସୁଦ୍ଧା ଖୁବ୍ କମ୍ ବୟସରୁ ପ୍ରଥମେ ସେ ଲେଡିଜ୍ ହଷ୍ଟେଲରେ ରହି ପିଲାଙ୍କ କଥା ବୁଝାବୁଝି କରିବା ସହିତ ମେସ୍ ର ରେଷେଇଆ ହିସାବରେ କାର୍ଯ୍ୟ କରୁଥିଲେ । ତେବେ ୧୯୭୫ ମସିହା ବେଳକୁ ସେ ଛାତ୍ରାବାସର କର୍ମଚାରୀ ଭାବରେ ନିୟମିତ ଭାବରେ କାର୍ଯ୍ୟ କରି ଆସୁଥିଲେ । ନିଜ ବାସ୍ତବ ନାମକୁ ଲୁଚାଇ ଏକ ଗୁପ୍ତ ନାମରେ ଚାକିରି କରିବା ନିଶ୍ଚେ ଏକ ଅଦ୍ଭୁତ ଘଟଣା ଥିଲା ।


ଏଇ ଗୁପ୍ତ ନାମ ଧାରଣପାଇଁ ମୁଁ ତାଙ୍କୁ ଆଗରୁ ଯତେ ରଜନୀ ନନା ଭାବରେ ଜାଣିଲେ ମଧ୍ୟ ସେ ମୋତେ ଗୋଟିଏ ରହସ୍ୟମୟ କାବ୍ୟ ପରି ମନେହେଲେ । କେହି କେହି ବଦମାସ୍ ପିଲା ତାଙ୍କୁ ମାଇଚିଆ, ଛକ୍କା, ହିଞ୍ଜଡ଼ା ଡାକନ୍ତି ତ ଆଉ କିଏ ଡାକନ୍ତି ନାନୀ ! ଯଦିଓ ସେ ମୋଠାରୁ ବୟସରେ ବହୁତ ବଡ ମୁଁ ତାଙ୍କୁ ପାଖକୁ ଡାକି ପରିହାସ ଛଳରେ କହିଲି, ---- 


" କଣ ରଜନୀ ନନା, ମୋତେ ଭୟ କରୁଛ ? ତୁମ ପାଶବୁକ୍ ର ଟଙ୍କା ସବୁ ଉଠେଇ ନେବା କଥା ଚିନ୍ତା କରୁଛ କି ? ଆଛା କେତେ ଲକ୍ଷ ରଖିଛ ଚକ୍ରଧର ନାଁରେ ? ୪୦ ବର୍ଷର ଚାକିରି ପଇସା ସହିତ ଆଉ ଯେତେ ଯାହା ରୋଜଗାର କରିଛ କାହାକୁ ଦେବ ଶେଷରେ ? ତମେ ତ ସଂସାର ବାନ୍ଧିନ, ପୁଅଝିଅ କେହି ବି ନାହାନ୍ତି । ଏତେ ଗୁଡାଏ ପଇସା ସତରେ କ'ଣ କରିବ ? ତୁମ ବେକର ଏଇ ତିନିଭରିଆ ସୁନା ଚେନ୍ ଟା କାହାକୁ ଦେବ ? "


ତାଙ୍କୁ ଏମିତି ପରିହାସ କରି କହିବାର ଦୁଇଟି ଖୁବ୍ ମଜାଦାର୍ କାରଣ ରହିଛି ମଧ୍ୟ । ପ୍ରଥମ କାରଣଟି ହେଉଛି, ମୁଁ ଯେତେବେଳେ ୨୦୦୬ ମସିହାରେ ହଷ୍ଟେଲ୍ ସୁପରିଣ୍ଟେଣ୍ଡେଣ୍ଟ୍ ହେବାର ଚିଠି କଲେଜ ଅଧ୍ୟକ୍ଷ ଶ୍ରୀଯୁକ୍ତ ବିମଳକୃଷ୍ଣ ଦାସଙ୍କ ଠାରୁ ପାଇଲି । ଅବଶ୍ୟ ତା ପୂର୍ବରୁ ମୁଁ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ୍ ଭାବରେ ୪ ବର୍ଷ ରହିସାରିଥାଏ । କିନ୍ତୁ ମୁଁ ସୁପରିଣ୍ଟେଣ୍ଡେଣ୍ଟ୍ ହେଉଥିବାର ଖବର ପାଇ ରଜନୀ ନନା ଦିନେ ସଂଧ୍ୟାରେ ବିମଳ ସାରଙ୍କ ପାଖରେ ଯାଇ ପହଞ୍ଚି ଖୁବ୍ ମନଦୁଃଖ କରି କହିଲେ, 


" ଆଛା ମୁଁ କଣ ଏମିତି ଶୁଣିଲି ବାବୁ ? ( କଲେଜର ଅଧ୍ୟକ୍ଷମାନଙ୍କୁ ରଜନୀ ନନା ବାବୁ ବୋଲି ସମ୍ୱୋଧନ କରନ୍ତି ) ସେ ବାଳୁଙ୍ଗା ଟୋକାଟା କୁଆଡେ ହଷ୍ଟେଲ୍ ଦାୟିତ୍ୱରେ ରହିବ ? ଗୋଟେ କଥା କହୁଛି ଶୁଣ ! ଆଦୌ ମିଛ ଭାବିବନି । ତା'ର ମୋ ପଇସା ଉପରେ ଭାରି ଲୋଭ । ସେ ଯେତେବେଳେ ଏ କଲେଜରେ ପଢୁଥିଲା, ସେତେବେଳେ ମୋର ପୋଷ୍ଟାଲ ଡିପୋଜିଟ୍ ପାଇଁ ଲଟେରୀ ଉଠିଥିଲା । ସେ କେମିତି ଜାଣିକି ଆସି ମୋତେ କହିଲା - " ତୋର ତ କେହି ନାହାନ୍ତି ? ଏତେ ପଇସା କଣ କରିବୁ ? କିଛି ସେ ପଇସାରୁ ଦେ , ଆମେ ଫିଷ୍ଟ୍ କରି ଖାଇବୁ ।" - ହେଇତି ବାବୁ , ତମକୁ ମୋ ରାଣ, ତାକୁ ଜମା ହଷ୍ଟେଲ୍ ଦାୟିତ୍ୱ ଦିଅନା ! କଲେଜରେ ତ ଶହେ ମାଷ୍ଟର ଅଛନ୍ତି, ତାକୁ ଛାଡି ଆଉ କାହାକୁ ଦାୟିତ୍ୱ ଦିଅ । ନହେଲେ ସତରେ କହୁଛି ବାବୁ, ସେ ମୋର ସବୁ ପଇସା ନେଇଯିବ । "


ତାଙ୍କୁ ବିମଳ ସାର୍ କଣ କହି ବୁଝେଇଥିବେ କେଜାଣି ? ରଜନୀ ନନାଙ୍କ ପରି ଲୋକ ସହଜରେ କିଛି ବୁଝନ୍ତି ନାହିଁ ! ଯାହା ମନରେ ପ୍ରଥମେ ଧାରଣା ପଶିଯାଏ ତାକୁ ଜୀବନସାରା ବୋଧେ ସେମିତି ଧରି ରଖନ୍ତି ! କିନ୍ତୁ ତା ପରଦିନ ବିମଳ ସାର୍ ମୋତେ ଦେଖିବା ମାତ୍ରେ ହସି ହସି ପଚାରିଲେ, " ପ୍ରଶାନ୍ତ, ତମେ ପଢିଲାବେଳେ ରଜନୀକୁ କିଛି କହିଥିଲ କି ? ତାର କଣ ଲଟେରୀ ଉଠିଥିଲା, ତମେ ତାକୁ ଫିଷ୍ଟ କରିବାକୁ ଟଙ୍କା ମାଗିଥିଲ ବୋଲି କହୁଥିଲା ।"


ମୁଁ ଉତ୍ତରରେ ମଧ୍ୟ ହସି ହସି କହିଲି," ମୋର ସେମିତି କିଛି ମନେ ନାହିଁ ସାର୍ , ଶୁଣିଥିବି ଯଦି ଲଟେରୀରେ ଟଙ୍କା ଉଠିଛି ତାହେଲେ ମଜାରେ ଯାଇ ସେମିତି କହିଥିବି ! " 


ବିମଳ ସାର୍ ତାପରେ କହିଲେ, " ତମେ ସୁପରିଣ୍ଟେଣ୍ଡେଣ୍ଟ୍ ହେଉଛ ଜାଣି ସେ ପୁରା ଛାନିଆ ହୋଇ ମୁଣ୍ତ ଖରାପ କରି ବୁଲୁଛି । ସେ ଭାବୁଛି ତମେ ତା ପଇସା ସବୁ ନେଇଯିବ ।" 


ଏଇ କଥା ବିମଳ ସାର୍ ଓ ମୁଁ ଆଲୋଚନା କରି ମନଖୋଲା ହସ ହସିଥିଲୁ ସେଦିନ । 


ଦ୍ୱିତୀୟ ମଜାଦାର୍ କାରଣ ହେଉଛି, ରଜନୀ ନନାଙ୍କର ସେଇ ତିନି ଭରି ସୁନା ଚେନ୍ କୁ ଜଡିତ କରି । ମୁଁ ଯେମିତି କଲେଜରେ ପଢିଲାବେଳେ ତାଙ୍କ ସହିତ ଦୁଷ୍ଟାମି କରୁଥିଲି , ସେମିତି ମଧ୍ୟ ହଷ୍ଟେଲରେ ରହୁଥିବା କିଛି ପିଲା ତାଙ୍କୁ ଚିଡାନ୍ତି । ସେଇ ପିଲାମାନଙ୍କ ଭିତରୁ ଜଣେ ଦୁଷ୍ଟ ପିଲା କଲେଜରେ ପଢିବା ବେଳେ ନନାଙ୍କ ସେଇ ଚେନ୍ କୁ ନେଇଯାଇ ବିକିଦେବାକୁ କହିଥିଲା । ନନା ବି ତା କଥାକୁ ବିଶ୍ୱାସ କରି ସେଇ ପିଲାକୁ ପୁରା ଜଗିରଖି ଚଲନ୍ତି । ମନରେ ସବୁବେଳେ ଭୟ ଥାଏ, କଳେ କେତେବେଳେ ସେ ଚେନ୍ କୁ ଲୁଚାଇ ନେଇଯିବ । ସମୟକ୍ରମେ ସେ ପିଲାର କଲେଜରୁ ପାଠପଢା ମଧ୍ୟ ସରିଗଲା । ୨୦୦୬ ମସିହାରେ କିଛି ଜୁନିଅର୍ ପିଲା ସେଇ ପିଲା ସହିତ ଆଉ କିଛି ପିଲାଙ୍କୁ ହଷ୍ଟେଲକୁ ତାଙ୍କ ଓ୍ୱେଲକମ୍ ଫଙ୍କସନ୍ ରେ ଅତିଥି ଭାବରେ ଡାକିଥିଲେ । 


ସେଇ ଦୁଷ୍ଟ ପିଲାକୁ ରଜନୀ ନନା ଦେଖୁଦେଖୁ ପ୍ରମାଦ ଗଣିବା ଆରମ୍ଭ କଲେ । ମନେମନେ ଭାବିନେଲେ ଆଜି ସୁନା ଚେନ୍ ନିଶ୍ଚେ ସେ ନେଇଯିବ । ତାକୁ ଡରିକି ଅନ୍ୟକାହାକୁ ଚେନ୍ ଦେଲେ ସେ କାଳେ ଫେରାଇବ ନାହିଁ ଏ ଭୟ ମଧ୍ୟ ଥାଏ । କୌଣସି ଜାଗାରେ ଲୁଚାଇ ରଖିଲେ କାଳେ କିଏ ନେଇଯିବ ସେ ଚିନ୍ତା ମଧ୍ୟ ମନରେ ଘାରୁଥାଏ ।


ପରଦିନ ମୁଁ ଯେତେବେଳେ ହଷ୍ଟେଲକୁ ଗଲି ମୋତେ ବହୁତ ଖୁସୀ ହୋଇ କହିଲେ, " ହେଇଟି ସାର୍ , ଶୁଣ ବା ! ସେ ବାଳୁଙ୍ଗା ଟୋକା କାଲି ଆସିଥିଲା । "


ମୁଁ ପଚାରିଲି , " କିଏ ସେ ବାଳୁଙ୍ଗା ? " 


କହିଲେ," ସେଇ ମ ! ଯିଏ ପଢିଲାବେଳେ କହିଥିଲା ମୋ ଚେନ୍ ନେଇ ବିକିଦେବ ବୋଲି । " 


ମୁଁ ହସି ହସି କହିଲି, " ନାଇଁ ମ , ସେ କଣ ସତରେ ନେବାପାଇଁ କହୁଥିଲା ! ସେ ମଜାରେ ଏମିତି କହିଥିବ । "


ସେ ମୋ କଥାରେ ନିଜ କଣ୍ଠସ୍ୱରକୁ ଯଥାସମ୍ଭବ ଚପାଇଦେଇ କହିଲେ, " କାଲି ରାତିରେ ସେ ପରା ମୋ ପାଖକୁ ୩ ଥର ଆସିଥିଲା ସେଇ ଚେନ୍ ନେବା ଚକ୍କରେ । ଚେନ୍ କୁ ମୋ ବେକରେ ନଥିବାର ଦେଖି ଶେଷକୁ ପଚାରିଲା , " ନନା , ତମ ଚେନ୍ କୁଆଡେ ଗଲା କି ? " ମୁଁ ତାକୁ କହିଲି ଗୋପାଳସାଗରରେ ସେ ଦିଦୀଙ୍କ ଘରେ ରଖିଛି ପରା । ସେଉଠୁ ତା ମନ ପୁରା ଶୁଖିଗଲା ।"


ମୁଁ ବି ମଜାରେ କହିଲି," ତାହେଲେ ତମେ ଖୁବ୍ ବୁଦ୍ଧିମାନର କାମ କରିଛ ! ପୁରୁଣା ପିଲାମାନେ ଆସିବେ ବୋଲି ନେଇ ସେଠି ନିରାପଦରେ ରଖିଦେଇଛ । "


ସେ କିନ୍ତୁ ସଙ୍ଗେସଙ୍ଗେ ସୁନା ଚେନ୍ କୁ ନିଜ ଅଣ୍ଟାରୁ କେଉଁଠୁ କାଢି ମୋତେ ଦେଖାଇ କହିଲେ," ନାଇଁ ନାଇଁ, ମୁଁ ତାକୁ ସେମିତି ମିଛରେ କହିଲି ନା ! କାଲି ରାତିରେ ଏଇ ଚେନ୍ କୁ ଜଗିରହି ସାରା ରାତି ଶୋଇନି ! ବେକରେ ପଡିଥିଲେ ସେ ନିଶ୍ଚେ କେତେବେଳେ ନେଇଯାଇଥାନ୍ତା । ମୁଁ ପରା ସାରା ରାତି ଏ ଚେନ୍ କୁ ମୋ ପାଟି ଭିତରେ ଜିଭ ତଳେ ଲୁଚାଇ ରଖିଥିଲି । ସେ କେଉଠୁ ମୋ ଚଲାକି କୁ ଧରିପାରିବ । ସେ ଡାଳେ ଡାଳେ ଗଲେ ମୁଁ ପରା ପତ୍ରେ ପତ୍ରେ ଯିବା ଲୋକ । କାଳେ ନିଦରେ ଶୋଇପଡିଲେ ପାଟିରୁ ବାହାରି ଆସିବ ବା ପେଟକୁ ପଳେଇବ ସେଥିପାଇଁ ସେମିତି ନ ଶୋଇ ବସି ରହିଲି । "


ରଜନୀ ନନାଙ୍କ କଥା ଶୁଣି ଯାହାକୁ କୁହନ୍ତି ମୁଁ ପୁରା ତାଜୁବ୍ ହୋଇଗଲି ! ଗୋଟେ ଲୋକ ବିନା କାରଣରେ ଜଣେ ପୁରୁଣା ଛାତ୍ରକୁ ସନ୍ଦେହ କରି ସାରା ରାତି ଅନିଦ୍ରା ରହି ଜିଭ ତଳେ ତିନି ଭରି ସୁନା ଚେନକୁ କେମିତି ଲୁଚାଇ ରଖିଥିଲା ? ସତରେ ଏ କିସମର ଲୋକ ଥରେ ଯାହାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ ବୋଧହୁଏ ସାରା ଜୀବନ ସେଇ ମନୋଭାବ ନେଇ ରହିଥିବେ ! ଏମିତି ଲୋକକୁ ପୃଥିବୀର କୌଣସି ଶକ୍ତି ବୁଝାଇ ପାରିବ ନାହିଁ । 


ଶେଷକୁ ତାଙ୍କୁ କହିଲି, " ସେ ପିଲା ତମକୁ କେଉଁଠି ବୁଦ୍ଧିରେ ପାରିବ ?


ସେ ମୋ କଥାରେ ଖୁସୀହୋଇ ହସିହସି କହିଲେ, " ସୁନା ଚେନ୍ ନେଇ ପାରିଲାନି, ଓଲଟା ଗଲା ବେଳକୁ ମୋତେ ୧୦୦ ଟଙ୍କା ଖର୍ଚ୍ଚ କରିବାକୁ ଦେଇଗଲା । ବୁଝିଲେ ସାର୍ ସେ କଣ ଦେଇଥାନ୍ତା କି ? ତା ସାମ୍ନାରେ ଅନ୍ୟ ପୁରୁଣା ପିଲାମାନେ ଟଙ୍କା ମୋତେ ଦେବାରୁ , ତା ଇଛା ନଥିଲେ ବି ସେ ବାଧ୍ୟ ହୋଇ ଦେଲା । "


ତାଙ୍କର ଏଇ କଥାରୁ ସନ୍ଦେହ ମଣିଷକୁ କେଉଁ ସ୍ତରକୁ ନେଇଯାଏ ତାହା ସ୍ପଷ୍ଟ ଭାବରେ ମୁଁ ଦେଖିପାରୁଥିଲି ।


ରଜନୀ ନନାଙ୍କ ସହିତ ମିଶିଥିବା ବହୁ ଛାତ୍ରଛାତ୍ରୀଙ୍କର ବିଭିନ୍ନ କିସମର ଅଭିଜ୍ଞତା ତାଙ୍କୁ ଜଡିତ କରି ନିଶ୍ଚିତ ଥିବ । ମୁଁ ଅଧ୍ୟାପକ ହେବାପରେ ମଧ୍ୟ ତାଙ୍କ ସହିତ କରିଥିବା ଏକ ମଜାଦାର୍ ଦୁଷ୍ଟାମି ଆଉ ସେଥି ପାଇଁ ସେ ସାରା ରାତି ବସି ଭଗବାନଙ୍କୁ ଡାକିବା କଥା ମନେପଡିଗଲେ ଏବେ ବି ଖୁବ୍ ଦୁଃଖ ଲାଗେ । 


ଘଟଣାଟି ହେଉଛି ୧୯୯୯ ମସିହାର ଅକ୍ଟୋବର୍ ମାସର ସେଇ କାଳରାତ୍ରୀ ଅର୍ଥାତ୍ ୨୯ ତାରଖର । ସେ ସମୟରେ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟ୍ ଥାଆନ୍ତି ଇତିହାସ ବିଭାଗର ଶ୍ରୀଯୁକ୍ତ ବିଭୁତି ଭୂଷଣ ଦାସ । ( ବିଭୁତି ସାର୍ ଏବେ ଆରପାରିରେ ) । ସେତେବେଳେ ବିଭୁତି ସାର୍ ଗୋପାଳସାଗରରେ ମୋ ପଡିଶା । ସେଇ ମହାବାତ୍ୟା ଦିନ ଜଗତସିଂହପୁରରେ କେଇ ଘଣ୍ଟା ପବନ ଜୋର୍ ରେ ବହିବା ପରେ ପାଖା ପାଖି ଦୁଇଘଣ୍ଟା ସମୟ ପାଇଁ ବାତ୍ୟା ଛାଡିଯାଇଥିଲା । ଆଉ ସେଇ ସମୟ ଭିତରେ କିଛି ଲୋକ ବାତ୍ୟା ଜଗତସିଂହପୁର ସହରର ଅବସ୍ଥା କଣ କରିଛି ଦେଖିବାକୁ ଘରୁ ବାହାରି ଆସି ବଜାର ଘାଟରେ ବୁଲାବୁଲି କରୁଥିଲେ । କିନ୍ତୁ କିଛି ସମୟପରେ ବାତ୍ୟା ଯେମିତି ଯାଇଥିଲା ସେମିତି ହଠାତ୍ ଫେରି ଆସିଲା । ବାହାରେ ବୁଲୁଥିବା ବହୁ ଲୋକ ଘରକୁ ଫେରି ନପାରି ବିଭିନ୍ନ ଯାଗାରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ । ସେଦିନ ରଜନୀ ନନା ମଧ୍ୟ ହଷ୍ଟେଲରୁ ସେଇ ସମୟ ଭିତରେ ବିଭୁତି ସାରଙ୍କ ଘରକୁ ବୁଲି ଆସିଥିଲେ । ଫେରିବା ବେଳେ ଠିକ୍ ଆମ ଘର ସାମ୍ନାରେ ହୋଇଛନ୍ତି ବାତ୍ୟା ଫେରି ଆସିଲା । ସେ ଜୀବନ ବିକଳରେ ଆମ ଘରକୁ ପଳାଇ ଆସିଲେ । ସଂଧ୍ୟା ସମୟରୁ ସାରା ରାତି ସେ ଆମ ଘରେ ଆଶ୍ରୟ ନେଇଥିଲେ । ରାତ୍ରୀରେ ଭାଉଜ କୌଣସି ପ୍ରକାର ଭାତ, ଡାଲି, ଆଉ ଆଳୁ ଚକଟା କରି ଖାଇବାବୁ ଦେବାବେଳେ ପ୍ରଥମେ ସେ କହିଥିଲେ, " ନାଇଁ ମୋତେ ଭୋକ ହେଉନି । " ମୁଁ ବିଗିଡିବାରୁ ଚୁପ୍ ଚାପ୍ ଖାଇଥିଲେ । ବାତ୍ୟା ସେମିତି ଚାଲିଥାଏ । ରାତ୍ରି ୧୧ ପରେ ମୁଁ ଯେଉଁ ରୁମ୍ ରେ ଶୁଏ , ସେଠି ଖଣ୍ତେ ସପ ଆଉ ବେଡସିଟ୍ ତାଙ୍କ ପାଇଁ ପକାଇ ଦିଆଗଲା । ସେ ସେଠି ଆସି ବସି ମୋତେ କହିଲେ, " ସାର୍ ତମ ଭାଉଜ ଭାରି ସୁଆଦିଆ ରାନ୍ଧିଥିଲେ । ପେଟପୁରା ଖାଇଦେଲି । ସତରେ ଭାରି ଭୋକ ହେଉଥିଲା । "


ମୁଁ କହିଲି , " ହେ ! ଭାତ ଡାଲିରେ ପୁଣି ସୁଆଦିଆ କଣ ? ଭୋକ ବେଳେ ସବୁ ସୁଆଦିଆ ଲାଗେ । ହଉ ତମେ ଏଥର ଶୋଇପଡ ।"


ତାଙ୍କୁ ଶୋଇବାକୁ କହି ମୁଁ ଶୋଇବାକୁ ଚେଷ୍ଟା କଲି । ଝରକା ସେପଟୁ ପବନର ବେଗ ଢେର୍ ଅଧିକ ବୋଲି କାନରେ ଆସି ବାଜୁଥାଏ । ଦଶ ମିନିଟ୍ ପରେ ସେ ହଠାତ୍ ମୋତେ ପଚାରିଲେ , " ସାର୍ , ତମ ଘର ନିଅଁ ମଜୁବୁତ୍ ଟି ? "


ରଜନୀ ନନାଙ୍କର ଏଇ କଥାରେ ମନେମନେ ବହୁତ ହସିଲି । କଣ ମନରେ ଆସିଲା କେଜାଣି ପୁଣି କାଇଁ ସେଇ କଲେଜ ପଢିବା ବେଳର ଦୁଷ୍ଟାମି କରିବାକୁ ଇଛା ହେଲା । ତେଣୁ ଖୁବ୍ ସିରିଅସ୍ ଅନ୍ଦାଜରେ କହିଲି , " ବୁଝିଲ ନନା, ଆମ ବାପା ଏ ଘର କରିଛନ୍ତି । ଆମେ ଚାରି ଭାଇରେ ଚାରି ଭଉଣୀ । ଏତେ ପିଲାଙ୍କ ପଢାପଢି ଖିଆପିଆ ବୁଝିଲା ବେଳକୁ ବାପାଙ୍କର ଦରମା ଅଣ୍ଟେନି । ତେଣୁ ଯାଇତାଇ କରି ଏ ଘରଟି କରିଦେଇଛନ୍ତି । ଘରର ନିଅଁ ସେତେ ତଳକୁ ଯାଇନି । "


ମୋର ଏତିକି କଥାରେ ରଜନୀ ନନା ଶୋଇଥିବା ଅବସ୍ଥାରୁ ଉଠିପଡି କହିଲେ, ' ତଳକୁ ଯାଇନି ମାନେ, କଣ ଏମିତି ଉପରେ ଉପରେ ଥୁଆ ହୋଇଛି ଏ ଘର ? " 


ମୁଁ ସେମିତି ମଜାଳିଆ ଢଙ୍ଗରେ କହିଲି , " ହଁ, ସେଇଆ ନୁହେଁ ତ ଆଉ କଣ !"


ସେ ଏଥର ପୁରା ଭୟଭୀତ ହୋଇ କହିଲେ, " କି ଭୁଲ କଲି ? କାଇଁ ଏଠିକି ଆସିଲି ? ଆଉ ଟିକେ ଆଗକୁ ଯାଇଥିଲେ ଇଂଜିନିୟର ଗୌରାଙ୍ଗ ଦାଶଙ୍କ ଘର ଥିଲା, ତାଙ୍କ ଘର ନିଅଁ ବହୁତ ମଜବୁତ୍ । ପିଲର୍ ଦେଇ ଘର କରିଛନ୍ତି ମୋ ଆଖିଆଗରେ । " ( ଇଂଜିନିୟର ଗୌରାଙ୍ଗ ଦାଶ ହେଉଛନ୍ତି ବିଖ୍ୟାତ ଶିକ୍ଷାବିତ୍ ତଥା ଆମ ଶ୍ରୀକୃଷ୍ଣ ଏକାଡେମୀର ଭୂତପୂର୍ବ ପ୍ରଧାନ ଶିକ୍ଷକ ସ୍ୱର୍ଗତ ଯୋଗେନ୍ଦ୍ର ଦାଶଙ୍କ ସୁପୁତ୍ର ଏବଂ ରଜନୀ ନନାଙ୍କର ବନ୍ଧୁବାଂଧବ ମଧ୍ୟ । ତାଙ୍କ ଘର ମୋ ଘର ପାଖରୁ ମାତ୍ର ୫୦ ମିଟର ଦୂରରେ ଅବସ୍ଥିତ । )


ମୁଁ ତାଙ୍କ କଥାଶୁଣି ମନେମନେ ଖୁବ୍ ହସୁଥାଏ । ଶେଷକୁ କହିଲି, " ହଠାତ୍ ପବନ ଆରମ୍ଭ ହୋଇଗଲା, ମୋ ପୁତୁରା ତ ପଡିଶା ଘରକୁ ଯାଇଥିଲା ଆସିପାରିଲାନି ( ସେତେବେଳେ ମୋ ପୁତୁରା ଚିକୁର ବୟସ ମାତ୍ର ୫ ବର୍ଷ , ସେ ବାତ୍ୟା ଛାଡିବାପରେ ଆମ ଘର ସାମ୍ନାରେ ଭଡାରେ ଥିବା ଦୂରସଂପର୍କୀୟ ଅପାଙ୍କ ପାଖକୁ ଯାଇଥିଲା, କିନ୍ତୁ ହଠାତ୍ ପବନ ଆରମ୍ଭ ହେବାରୁ ସେ ମଧ୍ୟ ସାରା ରାତି ତାଙ୍କ ଘରେ ଥିଲା ) , ଆଉ ତମେ କେମିତି ଏତେ ବାଟ ଗୋିରାଙ୍ଗ ବାବୁଙ୍କ ଘରକୁ ଯାଇଥାନ୍ତ ? ଯାହା ହବାର ଥିବ ହେବ,ଯଦି ମରିବା ସମସ୍ତେ ସାଙ୍ଗହୋଇ ମରିବା । ଏବେ ଆଉ କିଛି ଚିନ୍ତାନକରି ଶୋଇପଡ । " ଏତିକି କହି ମୁଁ ଶୋଇଗଲି ।


ରାତି ୪ଟାରେ ମୋ ନିଦ ଭାଙ୍ଗଲା ବେଳକୁ ଯାହା ଦେଖିଲି ଆଶ୍ଚର୍ଯ୍ୟ ହୋଇଗଲି । ରଜନୀ ନନା ପୁରା ପାର୍ଥନା କରିବା ଢଙ୍ଗରେ ହାତ ଯୋଡି ଭଗବାନ୍ ଙ୍କୁ ଡାକି ଚାଲିଛନ୍ତି । ତାମାନେ ସେ ସାରା ରାତି ଅନିଦ୍ରା ରହି ଭଗବାନଙ୍କୁ ଡାକୁଛନ୍ତି ଏ ଘର କେମିତି ସେଇ ବାତ୍ୟା ପବନରେ ଭାଙ୍ଗି ନପଡୁ । ତାଙ୍କ ଅବସ୍ଥା ଦେଖି ଘର ନିଅଁକୁ ନେଇ କାଇଁ ଏମିତିକା କଥା କହିଥିଲି ସେଥିପାଇଁ ମନରେ ଦୁଃଖ ମଧ୍ୟ ଆସିଲା । 


ସତରେ ଏଇ ରଜନୀ ନନା - ଏକ ଅଶ୍ରୁଳ ମହାକାବ୍ୟ । ଏଇ କଲେଜ ସାମ୍ନାରେ ଥିବା ଅଳକା ନଦୀର ସୁପ୍ତ ବାଲୁକା ବେଳାରେ ସତେଯେପରି ସେ ଏକ ଚଳଚଞ୍ଚଳା ନିର୍ଝରିଣୀ । ଜଗତସିଂହପୁର ସହରର ଠିକ୍ ମଝିରେ ସଗର୍ବେ ଠିଆ ହୋଇଥିବା ଶ୍ରୀକୃଷ୍ଣ ଏକାଡେମୀରେ ପଢୁଥିବା ବେଳେ ତାଙ୍କୁ ବହୁବାର ବଜାରଘାଟରେ ସଉଦା କିଣୁଥିବା କିମ୍ୱା ବୁଲୁଥିବାର ଦେଖେ । ସେ ସବୁବେଳେ ପିନ୍ଧିଥାଆନ୍ତି ସଫା ଧଳା ଇସ୍ତ୍ରୀକରା ଧୋତି । ଫୁଙ୍ଗୁଳା ବକ୍ଷରେ ସ୍ୱତନ୍ତ୍ର ଭଙ୍ଗୀରେ ଚଉଡା ହୋଇ ପଡିଥାଏ ଧଳା ସମ୍ୱଲପୁରୀ ଗାମୁଛାଟିଏ - ଯାହା ଝିଅ ପିଲାଙ୍କ ଉତ୍ତରୀ ଭଳି ଶୋଭା ପାଉଥାଏ । ଚିକ୍କଣ କଳାବର୍ଣ୍ଣର ମଧ୍ୟମ ସ୍ୱାସ୍ଥ୍ୟ ଥିବା ଚିରସବୁଜ ଯୁବକଟିଏ । ଆଚରଣରେ ମାତ୍ରାଧିକ ସ୍ନେହଶ୍ରଦ୍ଧାର ନାରୀସୁଲଭତା । ତାଙ୍କର ଏମିତି ଅଜବ ବେଶଭୁଷା ଓ ଆଚରଣ ମୋର କୌତୁହଳୀ କିଶୋର ମନରେ ଗଭୀର ଭାବରେ ପ୍ରଭାବ ବିସ୍ତାର କରିଥିଲା ।


ରଜନୀ ନନାଙ୍କୁ ଦେଖିଲେ ମନେହୁଏ ଏ ସୃଷ୍ଟି କେଡେ ବୈଚିତ୍ର୍ଯମୟ ଆଉ ତାଙ୍କୁ ଯିଏ ଏମିତି କରି ଗଢିଛି ସେ କେତେ ବୈଚିତ୍ର୍ଯତମ ! ମନରେ ସମୟେ ସମୟେ ପ୍ରଶ୍ନ ଆସେ - ଭଗବାନଙ୍କର ଶାପଗ୍ରସ୍ତ ଏ ଗନ୍ଧର୍ବଟି ପ୍ରକୃତରେ କିଏ ? ଇଏ କଣ ଦେବରାଜ ଇନ୍ଦ୍ରଙ୍କ ସଭାର କେଉଁ ନୃତ୍ୟରତା ଅନିନ୍ଦ୍ୟ ସୁନ୍ଦରୀ ଅପ୍ସରା କାହାର ଅଭିଶାପରେ ସେ ଆଜି ବିରାଟପୁରରେ ଛଦ୍ମବେଶ ଓ ଛଦ୍ମନାମରେ ଆତ୍ମ ଗୋପନ କରିଛନ୍ତି ? ନା ଏ ମର୍ତ୍ତ୍ୟପୁରକୁ ରାଜା ପୁରୁ ଭାବରେ ଆସିଛନ୍ତି କେଉଁ ଉର୍ବଶୀର ସାନ୍ନିଧ୍ଯ ପାଇଁ ? ତାଙ୍କ ତପସ୍ୟାର କି ଅନନ୍ତ ପ୍ରତୀକ୍ଷା ଇଏ ! ସତେକି ସେ ସେଇ ମହାରାଜା ଯେ, ଦିନରେ ହୁଅନ୍ତି ଇଳ ଓ ରାତିରେ ହୁଅନ୍ତି ଇଳା !


ମୁଁ ସ୍କୁଲ ଓ କଲେଜରେ ପଢିବାବେଳେ ତାଙ୍କୁ ସେଇ ଦୂରରୁ ଦେଖୁଥିଲି । କିନ୍ତୁ କଲେଜରେ ଅଧ୍ୟାପକ ଭାବରେ ଯୋଗଦେବାର ଆଠ ବର୍ଷପରେ ୨୦୦୧ ରୁ ୨୦୦୫ ଚାରି ବର୍ଷ ସହ-ତତ୍ତ୍ୱାବଧାରକ ଏବଂ ପରେ ୨୦୦୬ରେ ସୁପରିଣ୍ଟେଣ୍ଡେଣ୍ଟ୍ ହେବାପରେ ମୁଁ ତାଙ୍କୁ ଅତି ନିକଟରୁ ଦେଖିଲି ଏବଂ ଚିହ୍ନିଲି ମଧ୍ୟ । ସୁପରିଣ୍ଟେଣ୍ଡେଣ୍ଟ୍ ଦାୟିତ୍ୱ ନେବାପରେ ମୁଁ ପ୍ରାୟ ସବୁଦିନେ ସଂଧ୍ୟାରେ ହଷ୍ଟେଲକୁ ଭିଜିଟ୍ ରେ ଯାଏ । ହଷ୍ଟେଲ ସାମ୍ନାରେ ଚେୟାର ପକାଇ ମୁ୍ଁ ବସିବା ବେଳେ ସେ ନିକଟରେ ଥିବା ସରୁ ସିମେଣ୍ଟ୍ ପିଣ୍ତାରେ ବସି ମୋ ସହିତ କଥା ହୁଅନ୍ତି । ଅନେକ ନିରୋଳା ମୁହୂର୍ତ୍ତରେ ତାଙ୍କୁ ମଜାକଥା କହି ନିଜେ ହାଲୁକା ହେବା ସହିତ ତାଙ୍କ ମୁହଁରେ ଏକ ମଧୁରମିଥ୍ୟା ଜନିତ ଆନନ୍ଦର ପ୍ରଲେପକୁ ମୁଁ ତାଙ୍କ ଅଲକ୍ଷ୍ୟରେ ଅନୁସନ୍ଧାନ କରିଚାଲେ । ସେ ଖୁବ୍ ପୁଲକିତ ମନେହୁଅନ୍ତି । ଗୋଟିଏ ନିଷ୍କପଟ ପ୍ରତିଶ୍ରୁତିର ଆଶ୍ରୟ ନେବାକୁ ଯାଇ ସେ ନିଜକୁ ରାଜା ମନେକରୁଥିବାର ନିଷ୍ଠାପରତାକୁ ନିରୀକ୍ଷଣ କରି ମୁଁ ବେଶୀ ଆନନ୍ଦିତ ହୁଏ । ତାଙ୍କ କଳ୍ପଲୋକରେ ସେ ମୁହୂର୍ତ୍ତକ ପାଇଁ ହେଲେ ବି ଦୈବାତ୍ ସମ୍ରାଟ ବିନିଯାଆନ୍ତି ।


ରଜନୀ ନନା ପିତା ହେବାର ଗୌରବ ପାଇନଥିଲେ ହେଁ ଶହଶହ ପୁତ୍ରସନ୍ତାନଙ୍କ ଜନକ ହେବାର ସୌଭାଗ୍ୟବୋଧରେ ଉଦ୍ଭାସିତ ହୋଇ ଉଠନ୍ତି । ତାଙ୍କ ମୁଖମଣ୍ତଳରେ ଝଲକାଏ ବିଦ୍ୟୁତ୍ ଖେଳାଇ ମୋତେ କହନ୍ତି ତାଙ୍କ ବିଗତ ବୈବାହିକ ଜୀବନର ଭାବବିଭୋର କାହାଣୀ :----


" ହେଇଟି ସାର୍ , ମୋ ସ୍ତ୍ରୀ ଦେଖିବାକୁ ଭାରି ସୁନ୍ଦରୀ । ତା ଦେହ ପୁରା ତୋଫା ଚମ୍ପାଫୁଲ ରଙ୍ଗର । ଯାହାକୁ କୁହନ୍ତି ଗୋଟେ ଚାଉଳରେ ଗଢା । ମୋତେ ସେ ଖୁବ୍ ଭଲପାଉଥିଲା । କିଛି ଲୋକ ଆମ ଖୁସୀ ଦେଖି ଆମକୁ ସହି ପାରିଲେ ନାହିଁ । ବାହାଘରର ଅଳ୍ପ କେଇଟା ଦିନ ପରେ ମୋ ସ୍ତ୍ରୀକୁ ସମସ୍ତେ ଶିଖାଶିଖି କଲେ, ପର ବୁଦ୍ଧିରେ ପଡି ମୋତେ ଛାଡି ଚାଲିଗଲା । କିନ୍ତୁ ମୁଁ ତାକୁ ବହୁତ ଭଲପାଏ , ଏବେ ମଧ୍ୟ ସେ ମୋ ମନରେ ରାଣୀ ହୋଇ ରହିଛି । ସେ ବର୍ତ୍ତମାନ ମଣିଜଙ୍ଗା ମେଡିକାଲରେ ନର୍ସିଆଣୀ । ମୋର ସବୁ ଟଙ୍କା ମୋ ରାଣୀ ନାଁରେ ରଖିଛି । ମୋ ନାଁରେ ବି କିଛି ଅଛି । ସିଏ ଯାହାକୁ କହିବ ସବୁ ଟଙ୍କା ତାକୁହିଁ ଦେବି । ଅବିକା ସିନା ମୋତେ ପଚାରୁନି, ମୁଁ ମରିଗଲେ ସିଏ ବଳେ ଝୁରି ହେବନି ! ସେତିକି ବେଳେ ଯାଇ ତମେ ସାର୍ ତାକୁ ଦେଖିବ ଆଉ ଚିହ୍ନିବ । "


ଏମିତି ବିଭିନ୍ନ ସମୟରେ ସେ ମୋ ସାମ୍ନାରେ ବସି ଗପିଚାଲନ୍ତି । ମୁଁ ଶୁଣୁଥାଏ ଅନିଛା ସତ୍ତ୍ୱେ ବାଧ୍ୟ ଶ୍ରୋତାଟି ଭଳି, ଅନ୍ତତଃ ତାଙ୍କୁ କେତୋଟି ମୁହୂର୍ତ୍ତ ଖୁସୀ ଦେବା ପାଇଁ । ତାଙ୍କ ଅସରନ୍ତି କାହାଣୀ ପେଡି ଫିଟୁଥାଏ, ମୁଁ ବି କିଛି କାହାଣୀ ଶୁଣି ଆତ୍ମମଗ୍ନ ହୁଏ । 


କେତେବେଳେ ମୋତେ ଚେୟାର ଉପରେ ହଲେଇ ଦେଇ ସେ କହନ୍ତି --- " କଣ ସାର୍, ଆକାଶର ତାରା ଗଣୁଛନ୍ତି ନା କ'ଣ ? ରାତି ଆସି ଏତେ ହେଲାଣି, ଚାଲ ଯିବା । ଆଜି ଦିନବେଳା କୁକୁଡା ମାଂସ ତରକାରୀ ଖାଇ ପିଲାମାନଙ୍କର ରାତି ଖାଇବାରେ ଭିଡ ନାହିଁ । ଗଉରା ସମସ୍ତଙ୍କୁ ଖାଇବାକୁ ଦେଇ ସାରିଲାଣି । ଆମ ହଷ୍ଟେଲ ପୁରା ଠିକ୍ ଚାଲିଛି । କିଛି ଆଉ ଅସୁବିଧା ନାହିଁ । ମୁଁ ଆଉ ଗଉରା ତମ ପାଖେ ପାଖେ ଅଛୁ । ତୁମେ ଏଥର ଘରକୁ ଯାଅ ।


ମୁଁ ମଜାରେ କହେ, " କେଜାଣି --- ଗଊରା ସାଙ୍ଗରେ କେତେବେଳେ ଯେ ତମର ଖଣ୍ତଯୁଦ୍ଧ ହୋଇଯିବ, ସେ କଥା କିଏ କହିବ ? ଗତ ଜନ୍ମରେ ତୁମେ ଦୁଇଜଣ ବୋଧେ ଅହିନକୁଳ ଥିଲ । କେତେବେଳେ ଝଗଡା ତ ପୁଣି କେତେବେଳେ ସ୍ନେହପ୍ରେମ । "


ମୋ କଥା ଶୁଣୁଶୁଣୁ ଅଧାହସ ଓଠରେ ସମର୍ଥନ ଚହଲେଇ ପୁନର୍ବାର ସେ ଉଣ୍ତାଳନ୍ତି ଭିନ୍ନ କାହାଣୀର ସୂତ୍ରଟିଏ । 


" ବୁଝିଲେ ସାର୍, ଏମିତି ମୋର ଆଜ୍ଞା ଲେଡିଜ୍ ହଷ୍ଟେଲ୍ ଆଉ ଏ ହଷ୍ଟେଲରେ ରହିବା ୪୦ ବର୍ଷରୁ ଉର୍ଦ୍ଧ ହେଲାଣି । ମୋ ଯବାନ ବେଳୁ ଏ ପିଲାଙ୍କୁ ଜଗିଛି । କେତେ ପିଲା ମୋ ହାତରେ ଉତ୍ତୁରି ସାରିଲେଣି । କେତେ ପିଲାଙ୍କୁ ମୁଁ ଏଇ ହାତରେ ଖୁଆଇଛି, ଗଢିଛି । ନୂଆନୂଆ ଘର ଛାଡିବା ବେଳେ ବାପାବୋଉ କଥା ମନେପକାଇ କାନ୍ଦନ୍ତି । ମୁଁ ତାଙ୍କୁ ପାଖକୁ ଡାକେ, ଗାଳିଦେଇ କହେ --- ହଇରେ ବାଡିପଡା କାନ୍ଦୁଛୁ କାହିଁକି ? ରଜନୀ ନନା କ'ଣ ତୋର ମଲାଣି ଯେ ତୁ ହଇରାଣ ହେବୁ ଏ ହଷ୍ଟେଲରେ । ହଇରେ ମଣିଷ ହେବାକୁ ଆସିଛୁ, ପାଠ ପଢିବୁ -- ଡାକ୍ତର ହବୁ କି ଇଞ୍ଜିନିୟର ହବୁ, ନହେଲେ ଅଫିସର ହବୁ --- ଆଉ ବୋଉ କାନି ତଳେ କଣ ପଶିଥାଆନ୍ତୁ ବୁଢା ହେବାଯାଏ । ଯା' ଯା' -- ମୁହଁ ଧୋଇ ପକା, ମୁଁ ତୋ ପାଇଁ ଭାତ ବାଢିଲିଣି, ଖାଇଦେ । ନେ, ମୋର ଏ ତଉଲିଆରେ ମୁହଁ ପୋଛିପକା ---- ତା' ପରେ ଦେଖିବ ସାର୍, ଛୁଟି ହେଲେବି ସେ ବାଡିପଡା ଆଉ ରଜନୀ ନନାକୁ ଛାଡି ଘରକୁ ବାହାରିବେନି ।"


କିଛି ସମୟ ରେଷ୍ଟ ନେଇ ପୁଣି କଥା ଆରମ୍ଭ କରନ୍ତି ----


" ତୁମେ ପିଲାଦିନୁ ତ ମୋତେ ଦେଖୁଛ । ତୁମେ ସିନା ଏ ହଷ୍ଟେଲରେ ନୂଆ, ମୁଁ କିନ୍ତୁ ପୁରୁଣା ମାଳି । ଏ ବଗିଚାରେ କେତେ ଫୁଲ ଫୁଟେଇଛି । କେତେ ପ୍ରଜାପତି ଉଡେଇଛି । ମୋ ହାତରେ କେତେ ବଡ ବଡ ଅଫିସର୍ ଗଢା ହୋଇଛନ୍ତି । ସାର୍, ଗୋଟେ କଥା କହୁଛି କହାକୁ କହିବନି ! ଏଇ ବିଷ୍ଣୁ - ବିଷ୍ଣୁ ଦାସ ମ ! ଏବେ କଣ ମନ୍ତ୍ରୀ ହୋଇଛି , ତାକୁ ବି ଏଇ ହାତରେ ଲୁଚାଇକି ଏଇ ହଷ୍ଟେଲରେ ଖୁଆଇଛି । ସେ ବି ଭୁଲିନି ରଜନୀ ନନାକୁ ! ଯେଉଁଠି ଦେଖିବ ପଚାରିବ - ନନା କେମିତି ଅଛୁ ? ରାକ୍ଷୀ ପୂର୍ଣ୍ଣିମା କି ଆଉ କେତେବେଳେ ତା' ପାଖକୁ ଗଲେ ଭଲ ପଇସା ଦିଏ । ତାକୁ ଯେମିତି ପଢିଲାବେଳେ ଲୁଚେଇକି ଖାଇବାକୁ ଦେଇଥିଲି, ସେ ବି ତା ଋଣ ଶୁଝିଦେଇଛି । କିନ୍ତୁ ସାର୍, ତମକୁ ମୋ ରାଣ, ଏ କଥା କାହାକୁ କହିବନି ଜମା । "


ରଜନୀ ନନା ତାଙ୍କ ଅସରନ୍ତି କାହାଣୀର ପେଡି ସବୁବେଳେ ସେମିତି ମୋ ଆଗରେ ଖୋଲିଚାଲନ୍ତି । କାହାଣୀର ନାୟକ ନାୟିକା ବଦଳୁ ଥାନ୍ତି । ଚରିତ୍ର ବଦଳୁଥାଏ , ଦୃଶ୍ୟପଟ ବି ବଦଳୁଥାଏ, ହେଲେ ବଦଳନ୍ତି ନାହିଁ ରଜନୀ ନନା ।


ଜଗତସିଂହପୁର ସହରରେ କେଉଁଠି କଣ ଘଟିଲା ସବୁ ତାଙ୍କ ନଖ ଦର୍ପଣରେ ଥାଏ । ମାତ୍ର ଅଧ ଘଣ୍ଟାଏ ତାଙ୍କ ପାଖରେ ବସିଗଲେ ଆମ କଲେଜ ସହିତ ଜଗତସିଂହପୁରର ସମସ୍ତ ଖବର ଜଣେ ପାଇଯିବ । ଆମ କଲେଜ ୧୯୬୩ ମସିହାରେ ପ୍ରତିଷ୍ଠା ହେବାର ଦୁଇ ବର୍ଷପରେ ସେ ଏଠି କାମକରିବା ଆରମ୍ଭ କରିଥିଲେ । ତେଣୁ କଲେଜର ସଂପୂର୍ଣ୍ଣ ଇତିହାସ ତାଙ୍କୁ ମାଲୁମ୍ ଥିଲା । କେଉଁ ଅଧ୍ୟକ୍ଷ କେମିତି ? କେଉଁ କେଉଁ ଅଧ୍ୟାପକ ତାଙ୍କ ଛାତ୍ରୀଙ୍କୁ ପ୍ରେମ ବିବାହ କରିଛନ୍ତି ଇତ୍ୟାଦି ସବୁ କଥା କାହାଣୀ ଭଳି ସେ ମୋ ପାଖରେ ପରଷିଛନ୍ତି ।


ତାଙ୍କର ସେଇ ସବୁ ଗପ ଭିତରେ କଲେଜ ଛାତ୍ରଛାତ୍ରୀଙ୍କ ପ୍ରେମ କାହାଣୀ ବି ଥାଏ । କଥାବାର୍ତ୍ତା , ଚାଲିଚଳନ ସବୁଥିରେ ନାରୀସୁଲଭ ଗୁଣ ଥିବାରୁ ଲେଡିଜ୍ ହଷ୍ଟେଲ୍ ସହିତ ଅନ୍ୟ ଦିବାଧ୍ୟାୟୀ ଛାତ୍ରୀମାନଙ୍କ ସହିତ ଅବାଧ ମିଳାମିଶା କରି ପ୍ରେମ ସଂପର୍କରେ ମଧ୍ୟସ୍ଥି ସାଜୁଥିବାର କଥା ବି ଶୁଣିବାକୁ ମିଳେ । ହଷ୍ଟେଲରେ କେଉଁ ପିଲା ଯଦି ମନ ଦୁଃଖରେ ବସିବାର ନନା ଦେଖନ୍ତି ତାହେଲେ ପ୍ରେମରେ କେଉଁଠି ଅସୁବିଧା ହୋଇଯାଇଛି ବୋଲି ଧରିନେଇ ତାକୁ ବୁଝେଇବାକୁ ଯାଇ କହନ୍ତି, ----


" ହଇରେ କାଇଁ ମୁହଁଟାକୁ ଏମିତି ହାଣ୍ତି ଭଳି କରି ବସିଛୁ ? ସେଇ ଗୋଟାଏ ଝିଅ କଣ ଖାଲି ସୁନ୍ଦରୀ ହୋଇଛି ଏ ଦୁନିରେ ? ମନଦେଇ ପାଠ ପଢେ, ଭଲ ଚାକିରି କରିଗଲେ ଦେଖିବୁ କେତେ ସୁନ୍ଦରୀ ଝିଅ ଆସି ତୋ ପଛରେ ଲାଇନ୍ ଦେବେ ! ସେତେବେଳେ ଏ ରଜନୀ ନନା କଥା ମନେ ପକାଇବୁ ।"


ଆମ କଲେଜର ଇଂରାଜୀ ବିଭାଗର ମୁଖ୍ୟ ତଥା ସୁସାହିତ୍ୟିକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ଆଚାର୍ଯ୍ୟ ଦେଖାହେବାରୁ କହିଲେ, ----


" ପ୍ରଶାନ୍ତ, ତୁମର ରଜନୀ ନନାଙ୍କ ଉପରେ ସେ ତିନିଟା ଭାଗ ପଢି ବହୁତ ଖୁସୀ ଲାଗିଲା । ଖୁବ୍ ଜୀବନ୍ତ ହୋଇଛି ସେ ଲେଖା । ଚମତ୍କାର ଢଙ୍ଗରେ ବସ୍ତବ ଘଟଣାସବୁ ଲେଖିଛ । ମୋର ବି ରଜନୀ ନନାଙ୍କୁ ଜଡିତକରି ବହୁ ସ୍ମୃତି ରହିଛି ଏଇ କଲେଜରେ ପଢିବା ବେଳେ । ୧୯୭୬ରୁ ୧୯୭୮ ଦୁଇବର୍ଷ ହଷ୍ଟେଲରେ ରହିଥିଲି , ଆଉ ସେଇ ସମୟରେ ରଜନୀ ନନା ଖୁବ୍ ସ୍ନେହ ଶ୍ରଦ୍ଧା କରୁଥିଲେ ମୋତେ । ଖାଇବା ସମୟରେ ଲୁଚାଇକି ଆଣି କେଇ ଖଣ୍ତ ମାଂସ ପକାଇଦେଇ କହିବେ - " ତୁ ଭଲପିଲା, ଭଲ ପଢୁଛୁ - ନେ ଚୁପ୍ ଚାପ୍ ଖାଇ ଦେ ! " କଲେଜ ଇଲେକ୍ସନରେ ଠିଆ ହୋଇଥିଲି । ଠିକ୍ ଭୋଟ ପୂର୍ବଦିନ ସଂଧ୍ୟାରେ ଲେଡିଜ୍ ହଷ୍ଟେଲରୁ ଫେରି ମୋତେ କହିଲେ, " ଦୁର୍ଗାରେ ଦେଖୁବୁ, ମୁଁ କହୁଛି - ତୁ ନିଶ୍ଚେ ଜିତିବୁ ! ଲେଡିଜ୍ ହଷ୍ଟେଲରେ ସବୁପିଲାଙ୍କୁ ଠାକୁରଙ୍କ ଧଣ୍ତା ଛୁଆଇଁ ଶପଥ କରେଇଚି- ସମସ୍ତେ କାଲି ତତେ ଭୋଟ୍ ଦେବେ । ଆଉ ସତରେ ତା' ପରଦିନ ଭୋଟରେ ମୁଁ ବହୁ ଭୋଟରେ ଜିତିଲି । ୧୯୭୭ ମସିହା ଫଙ୍କସନ୍ ରେ ମୁଖ୍ୟ ଅତିଥି ଥିବା ସେତେବେଳର ଜଣେ ଭିଭିଆଇପି ଙ୍କ ବେକରେ କିଏ ଯୋତାମାଳ ପକାଇବା ସହିତ ମୋ ନାମରେ କିଛି ଲିଫ୍ଲେକ୍ଟସ୍ ମୋ ଅଜଣାତରେ ଛାପି ବାଣ୍ଟିବାରୁ ପୋଲିସ୍ କେସ୍ ହେବା ସହିତ ମୋତେ ଆରେଷ୍ଟ୍ କରିବାପାଇଁ ହଷ୍ଟେଲରେ ପୁଲିସ୍ ପହଞ୍ଚିବାରୁ ରଜନୀ ନନା କାନ୍ଦିକାନ୍ଦି ତଳେ ଗଡୁଥିବା ଅବସ୍ଥାରେ କହୁଥାଏ --" ଦୁର୍ଗା ମୋ ପୁଅ ପରି ! ସେ ସେମିତିଆ ପିଲା ନୁହେଁ , ମୁଁ ତାକୁ ଠିକ୍ ଚିହ୍ନିଛି । ରଜନୀତି କରି ତାକୁ ଫସେଇ ଦିଆଯାଇଛି । ମୁଁ ତମ ଗୋଡ ଧରୁଛି ତାକୁ ଆରେଷ୍ଟ୍ କରନି ।" 


ଦୁର୍ଗାଭାଇଙ୍କ ପରି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ତ୍ରିପାଠୀ , ଆମ କଲେଜର ପୁରାତନ ଛାତ୍ର, ହଷ୍ଟେଲରେ ୧୯୭୬ ମସିହାରୁ ୧୯୮୦ ପର୍ଯ୍ୟନ୍ତ ଚାରିବର୍ଷ ରହିଥିଲେ, ଯିଏକି ବର୍ତ୍ତମାନ ପାରାଦୀପ ମେଡିକାଲରେ ସିନିଅର୍ ରେଡିଓଗ୍ରାଫର୍ ଭାବରେ କାର୍ଯ୍ୟ କରୁଛନ୍ତ ଏବଂ ଆସନ୍ତା ମାସରେ ଚାକରିରୁ ଅବସର ନେବେ - ମୋତେ ଫୋନ୍ କରି କହିଲେ, :-----


" ସାର୍ , ରଜନୀ ନନାଙ୍କ ଉପରେ ଲେଖୁଥିବା ଲେଖାପଢି ଆପଣଙ୍କ ସହିତ କଥା ହେବାକୁ ମନ ବାଧ୍ୟକଲା । ସେ ଲେଖା ଏତେ ସୁନ୍ଦର ଆଉ ଜୀବନ୍ତ ହୋଇଛି, ମୁଁ ମୋ ସ୍ତ୍ରୀଙ୍କୁ ମଧ୍ୟ କହିଲି ପଢିବାପାଇଁ । ରଜନୀ ନନାଙ୍କ ସହିତ ଚାରିବର୍ଷ କଟେଇଛି । ଆମେ ରହୁଥିବା ୧୦୦ ପିଲାଙ୍କ ଭିତରୁ ଯଦି ଜଣେ ମଧ୍ୟ ଆସି ଖାଇନଥିବ ତାହେଲେ ସେ କେମିତି ଜାଣିପାରି ତା' ପାଇଁ ଖାଦ୍ୟ ଥାଳିରେ ଘୋଡାଇ ରଖିଥିବେ । ମୋ ନିଜ ପାଇଁ ମଧ୍ୟ କେତେଥର ସେମିତି ଖୁବ୍ ଯତ୍ନ ସହକାରେ ଖାଦ୍ୟ ରଖିଥାନ୍ତି । ସତରେ ସେ ବହୁତ ସ୍ନେହୀ ମଣିଷଟିଏ ଥିଲେ । ଆପଣଙ୍କ ଲେଖା ହୃଦୟ ଛୁଆଁ ହେଉଛି । ସେଇଭଳି ଜଣେ ଖୁବ୍ ସାଧାରଣ ମଣିଷ ଉପରେ ଲେଖିଥିବାରୁ ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ।"


ସତରେ ଏମିତି ଦୁର୍ଗା ଭାଇ ଓ ସୁରେଶ ସାର୍ ଙ୍କ ପରି କେତେ ପୁରାତନ ପିଲାଙ୍କର କେତେ ସ୍ମୃତି ରହିଥିବ ରଜନୀ ନନାଙ୍କୁ ଜଡିତ କରି ।


ରଜନୀ ନନାଙ୍କର ଗୋଟିଏ ବିଶିଷ୍ଟ ଗୁଣ ମୁଁ ଲକ୍ଷ କରିଛି - ତାହା ହେଉଛି ସେ ପଇସା ଖର୍ଚ୍ଚ କରିବାକୁ ଆଦୌ ପସନ୍ଦ କରନ୍ତି ନାହିଁ । ମୁଁ ସୁପରିଣ୍ଟେଣ୍ଡେଣ୍ଟ୍ ହେଲାବେଳକୁ ସେ ମାସକୁ ମାତ୍ର ୧୫୦୦ଟଙ୍କା ସହିତ ହଷ୍ଟେଲ ମେସ୍ ରେ ଦୈନିକ ଦୁଇବେଳା ମିଲ୍ ଖାଉଥିଲେ । ଯେଉଁଦିନ ହଷ୍ଟଲ ମେସ୍ ବନ୍ଦରହୁଥିଲା ସେଦିନ ଫୁଡିଙ୍ଗ୍ ବାବଦରେ ଦିନକୁ ୨୦ଟଙ୍କା ଦିଆଯାଉଥିଲା । ମୋ ସମୟରେ ସେ ଦରମାକୁ ବଢାଇ ମାସିକ ୧୭୫୦ଟଙ୍କା ହୋଇଥିଲା । ତେଣୁ ସେମିତି ଦେଖିଲେ ସେ ଗୁଡେ ଦରମା ପାଉନଥିଲେ । କିନ୍ତୁ ଏଇ ଦରମା ବ୍ୟତିତ ତାଙ୍କୁ ବହୁ ପୁରାତନ ଛାତ୍ର ଏବଂ ଜଗତସିହପୁରର ପ୍ରତିଷ୍ଠିତ ଲୋକ କିଛି କିଛି ଟଙ୍କା ମଝିରେ ମଝିରେ ଦିଅନ୍ତି । ମୋତେ ମଧ୍ୟ ଅନେକ ଥର କହିଛନ୍ତି ," ଏ ଧୋତି ଅମକ ଲୋକ ଦେଇଛି, ଏ ଗାମୁଛା ସମକ ଲୋକ ଦେଇଛି ଇତ୍ୟାଦି ଇତ୍ୟାଦି ।" ଦରମା ଟଙ୍କା ସହିତ ପୂର୍ବରୁ ବିଭିନ୍ନ ଲୋକଙ୍କଠାରୁ ପାଇଥିବା ଟଙ୍କାକୁ ମିଶାଇ ପ୍ରତିମାସରେ ସେ ନିଶ୍ଚେ କଲେଜ ପୋଷ୍ଟ୍ ଅଫିସ୍ ରେ ଫିକ୍ସଡ୍ କରିଦିଅନ୍ତି । ଯେଉଁଦିନ ମୋ ପାଖରୁ ଦରମା ନିଅନ୍ତି ସେଇ ଦିନ ନାହାତି କମ୍ ରେ ସେ କଲେଜ ପୋଷ୍ଟ୍ ଅଫିସ୍ ରେ ଦୁଇଘଣ୍ଟା ବସିଥିବାର ମୁଁ ଲକ୍ଷ୍ୟକରେ । ଏଭଳି ଲୋକଙ୍କୁ ବୋଧହୁଏ କୁବେର ଉପାଧି ଦିଆଯିବ - ଯିଏ କୌଣସି ଖର୍ଚ୍ଚ ନକରି ରୋଜଗାରର ସମସ୍ତ ଟଙ୍କା ସଞ୍ଚୟ କରିପକାନ୍ତି !


ନିଜର କେହି ନଥିବାରୁ ଜୀବନର ଶେଷ ଭାଗରେ ଏଇ ରଖିଥିବା ଟଙ୍କା ହିଁ ତାଙ୍କୁ ସହାୟ ହେବ ବୋଲି ବୋଧହୁଏ ସେ ଭାବୁଥିବେ ଆଉ ସେଇଥିପାଇଁ ଗୋଡହାତ ଚଳୁଥିବା ବେଳେ ସେ ସବୁ ଟଙ୍କାକୁ ସଞ୍ଚୟ କରୁଥିଲେ । ତାଙ୍କ ସହିତ ମୋର ଆଉ ଗୋଟେ ଶେଷ ଅଭିଜ୍ଞତା କହି ଏ ଆଲଖ୍ୟକୁ ଶେଷ କରିବି । 


ଦିନେ ସଂଧ୍ୟାରେ ମୋ ପାଖକୁ ଆସିଲେ କିଛି କହିବା ପାଇଁ । ସେ ସିମେଣ୍ଟ ପିଣ୍ତି ଉପରେ ବସି କହିବେ କି କହିବେ ନାହିଁ ଏମିତି ଆଗପଛ ହେଉଥାନ୍ତି । ତାଙ୍କର ବୋଧହୁଏ ଭୟ ଥାଏ କାଳେ ମୁଁ ତାଙ୍କ କଥା ରଖିବି କି ନାହିଁ । ବହୁ ସମୟ ଥଙ୍ଗମଙ୍ଗ ହୋଇ ଶେଷକୁ କହିଲେ , ----


" ସାର୍, ଗୋଟେ କଥା କହିବି, ମନା କରିବେନି ! ଛୁଆବେଳେ ଆମ ଗାଆଁ ପାଖରେ ସେ କସର୍ଦାରେ ଦୋପଟି ମେଳନ ହୁଏ, ସେଠି ବହୁତ ଉଠା ଦୋକାନ ପଡେ, ସେ ଭିତରେ ବୁଲାବୁଲି କରିବାକୁ ଭାରି ଭଲ ଲାଗେ । ଏବେ କୁଆଡେ କଟକର ବାଲିଯାତ୍ରା ପଡିଆରେ ସେମିତି ବହୁତ ବଡ ଆକାରରେ ମେଳା ହେଉଛି । ଶୁଣିଛି ରାତିରେ ଚକ୍ ମକ୍ ଆଲୁଅରେ ବଢିଆ ଦେଖାଯାଏ । ପିଲାଦିନୁ ଇଛା ଅଛି ସେଠି ଟିକେ ଯାଇ ବୁଲି ଅସିବାକୁ । ତମେ ତ ଆମ ଅଫିସର । ଟିକେ ବୁଲେଇ ଆଣିବ ଯଦି ବହୁତ ଧର୍ମ ହେବ । ମୁଁ ବ୍ରାହ୍ମଣ ଲୋକ, ଯାହା ଏ ପାଟିରୁ ବାହାରିବ ସବୁ ସତ ହେବ ! "


ତାଙ୍କ କଥାର ପ୍ରଭାବ ମୋ ଉପରେ କେମିତି ପଡିଲା ଜାଣିନି । କିନ୍ତୁ ସେଇଠି ତାଙ୍କୁ କହିଲି, " ଠିକ୍ ଅଛି, କାଲି ଅପରାହ୍ନ ୪ଟାରେ ତମେ ଆଉ ଗୌରାଙ୍ଗ ରେଡିହୋଇ ଥିବ । "


ତା' ପରଦିନ ତାଙ୍କୁ ଗୋଟେ କାର୍ କରି ବାଲିଯାତ୍ରା ନେଇଥିଲି । ପାଖା ପାଖି ଗୋଟେ କିଲୋମିଟର ଦୂରରେ କାର୍ ରହିଲା । ସେଇ ରାସ୍ତାରୁ ହିଁ ଭିଡଥାଏ । ଚାଲିଚାଲି ଠିକ୍ ସେ ପଡିଆର ଗେଟ୍ ପାଖରେ ପହଞ୍ଚିଛୁ , ରଜନୀ ନନା ସେ ପଡିଆ ଭିତରର ଅସମ୍ଭବ ଭିଡକୁ ଦେଖି କହିଲେ, " ହେଇଟି ସାର୍, ଏ ମଣିଷଗୁଡା କଣ ଏମିତି ପୋକପରି ହାଉଯାଉ ହେଉଛନ୍ତି । ମୁଁ ଯଦି ଏ ଭିଡରେ ହଜିଯିବି ? " ଏତିକି କହି ସେ ଗୌରାଙ୍ଗର ଗୋଟିଏ ହାତକୁ ମାଡି ବସିଲେ । ସେଇ ଭିଡ ଭିତରେ ବହୁ କଷ୍ଟରେ ସେଦିନ ବାଲିଯାତ୍ରା ବୁଲା ହୋଇଥିଲା । ଗୌରାଙ୍ଗ କିଛି ଜିନିସ କିଣିଲା, ରଜନୀ ନନାଙ୍କୁ ମୁଁ କହିଲି ତମେ ବି କିଛି କିଣ । ମୋର ଠିକ୍ ମନେ ଅଛି , ସେ କେବଳ ଦୁଇଟ୍ ଚାହାପିଆ କପ୍ କିଣିଥିଲେ, ଯାହାର ଦାମ୍ ମାତ୍ର ୧୦ଟଙ୍କା ଥିଲା । ସଂଧ୍ୟାରେ ସେଠି ଜଳଖିଆ ଖାଇଥିଲୁ । ଫେରିବାବେଳେ ରାତି ୯ରେ ଫକିରପଡା ପାଖରେ ଥିବା ଗୋଟେ ଢାବାରେ ବଟର୍ ନାନ୍ ସହିତ ଭେଜ୍, ନନ୍ ଭେଜ୍ ଯେମିତି ଇଛା ଦୁଇ ଜଣଙ୍କୁ କହିଥିଲି ଖାଇବାକୁ । 


ପରଦିନ ଆମ କଲେଜର କିଛି ଅଧ୍ୟାପକ ମୋତେ କହିଲେ, " ଆଛା ପ୍ରଶାନ୍ତ, କଲି ତମେ ରଜନୀ ନନାକୁ କଣ ଖାଇବାକୁ ଦେଇଥିଲ କି ? ସେ କହୁଛି - ତୋଫା ଧଳା ପୂର୍ଣ୍ଣମୀ ଜହ୍ନପରି ମୋଟା ରୁଟିରେ ଘିଅ ମରାହୋଇଥିଲା, ଏତେ ନରମ ଯେ ସେମିତି ବିନା ତରକାରିରେ ଖାଇହୋଇଯିବ । "


ଦେଖନ୍ତୁ ଏଠି କେମିତିକା କଥା ! ଗୋଟେ ଲୋକର କେହି ନାହାନ୍ତି, ୪୨ ବର୍ଷଧରି ଆମ କଲେଜରେ ରହି କିଛି କିଛି ରୋଜଗାର କରିଛନ୍ତି, ଆଉ ସେ ଲୋକ ୨୦୦୬ ଯାଏ ନାନ୍ କଣ ମଧ୍ୟ ଜାଣିନାହାନ୍ତି । କିନ୍ତୁ ହାୟ ! ସେ ଟଙ୍କା ପଇସା ସବୁ ସେମିତି ଫିକ୍ସଡ୍ ହୋଇ ରହିଗଲା ! ସେ କିନ୍ତୁ ଚାଲିଗଲେ ! ଟିକେ ବି ସେ ପଇସାକୁ ଆଡ ଅକ୍ଷିରେ ଆନାଇଲେ ନାହିଁ ।


ତାରଖ ସଠକ୍ ମନେନାହିଁ, ବୋଧହୁଏ ନଭେମ୍ବର ମାସ ୨୦୦୬ ମସିହାରେ ରଜନୀ ନନାଙ୍କୁ ବାଲିଯାତ୍ରା ବୁଲେଇ ନେଇଥିଲି । ଫେବ୍ରୁଆରି ମାସରେ ପଞ୍ଚାୟତ ପାଇଁ ଭୋଟ ହେବାର ଥିବାରୁ ଜାନୁଆରୀ ୨୦୦୭ ରେ କାହାକୁ ଭୋଟ ଦେବାଠିକ୍ ହେବ ସ୍ଥିର କରିବାପାଇଁ ଗାଆଁ କୁ ସେ ଯାଇଥିଲେ । ସେଠୁ ଫେରି ଜାନୁଆରୀ ମାସର ଦରମାନେବା ବେଳେ ନିଜ ବାସ୍ତବ ନାମ ଚକ୍ରଧର ମହାପାତ୍ର ଲେଖିଦେଇଥିଲେ ଅକ୍ୱୁଟାନ୍ସ୍ ରେ । ମୋ ଠାରୁ ଗାଳି ଶୁଣିବା ପରେ ପୁଣି ତାକୁ କାଟି ରଜନୀ ମହାପାତ୍ର ବୋଲି ଲେଖିଥିଲେ । ପୋଷ୍ଟ୍ ଅଫିସ୍ ରେ ଥିବା ଟଙ୍କା ଚକ୍ରଧର ମହାପାତ୍ର ନାମରେ କିନ୍ତି ଚାକିରି କରିଥିଲେ ରଜନୀ ମହାପାତ୍ର ନାମରେ ସେବେଠାରୁ ଅର୍ଥାତ୍ ୧୯୬୫ ମସିହାରୁ । ଆଉ ସେଇ ଜାନୁଆରୀ ମାସର ଦରମା ମୋଠାରୁ ନେବା ଥିଲା ଶେଷ ଦରମା ତାଙ୍କର ।


ପଞ୍ଚାୟତ ଭୋଟଦିନ ( ବୋଧହୁଏ ୧୯/୦୨/୨୦୦୭ ) ସକାଳୁ " ଶୋଳପୁଅ ମା" ବସ୍ ରେ ଯିବେବେଲି ତା' ପୂର୍ବଦିନ ସଂଧ୍ୟାରୁ ମୋତେ ୧୦୦ ଟଙ୍କା ଅଡଭାନ୍ସ୍ ମାଗିଲେ । ଆଉ ୧୧ ଦିନ ପରେ ମାସ ପୁରୁଥିବାରୁ ମୁଁ କହିଥିଲି - " ଗାଆଁକୁ ଯାଉଛ, ବୁଲାବୁଲି କରିବ, କିଛି ଅଧିକ ପଇସା ନେଉନ ! " 


ସେ କିନ୍ତୁ ହସିଦେଇ କହିଲେ, " ମୋର ପଇସା କଣ ହେବ ସେଠି ? ଯିଏ ସବୁ ଇଲେକସନ୍ ରେ ଠିଆ ହୋଇଥିବେ ସେମାନେ ପରା କିଛି ପଇସା ଦେବେ ! "


ମୁଁ ତାଙ୍କୁ କହିଲି , " ତହେଲେ ଭୋଟ କାହାକୁ ଦେବ ? "


ଉତ୍ତରରେ ସେ କହିଥିଲେ, " ମୋ ପୁତୁରା ଗୁଡୁ ଯାହାକୁ କହିବ ତାକୁ ହିଁ ଭୋଟ ଦେବି ।"


ବାସ୍ ଏତିକି ଥିଲା ତାଙ୍କର ମୋର ଶେଷ କଥାବାର୍ତ୍ତା । ତା ୨୨/୦୨/୨୦୦୭ ରିଖ ଦିନ ୩ଟାରେ ମୋ ମୋବାଇଲ୍ କୁ ଏକ କଲ୍ ଆସିଲା । ସେ କଲ୍ କରିଥିବା ଲୋକର କଥା ନିମ୍ନରେ ରଖୁଛି :-


" ସାର୍, ନମସ୍କାର । ମୁଁ ଗୁଡୁ କହୁଛି, ରଜନୀ ନନାଙ୍କ ପୁତୁରା । ଦାଦା ଆଜି ସକାଳେ ଖାଇ ସାରିବା ପରେ ତାଙ୍କ ବାମହାତ ଆଉ ଛାତି ବିନ୍ଧିବାରୁ ସେଠି କସର୍ଦାରେ ଦେଖାଇଲି, ସେମାନେ ଗୋଟେ ଇଂଜେକ୍ସନ୍ ଦେଇ କଟକ ପଠାଇଦେଲେ । ଏବେ ମୁଁ କଟକ ପାଖା ପାଖି ହେଲେଣି । ଦାଦା ଆଉ କଥାବାର୍ତ୍ତା କରିପାରୁ ନାହାନ୍ତି । ତିନି ଦିନ ହେବ ଆସିଲେଣି ବୋଲି ଭାରି ବ୍ୟସ୍ତ ହେଉଥିଲେ । ଗତକାଲି ଆପଣଙ୍କ ନମ୍ୱର ଦେଇ କହିଥିଲେ କଥା ହେବାପାଇଁ । "


ମୁଁ କହିଲି, " ଠିକ୍ ଅଛି ବ୍ୟସ୍ତ ହେବାର କିଛି ନାହିଁ, ତମେ ତାଙ୍କ ଟ୍ରିଟମେଣ୍ଟ ଆଗ କର ।" 


ତାପରେ ଠିକ୍ ୪ଟା ବେଳେ ସେ ଫୋନ୍ କରି କାନ୍ଦିକାନ୍ଦି କହିଲେ, " ସାର୍, ଦାଦା ଚାଲିଗଲେ ।"


ବିଶ୍ୱାସ କରିପାରିଲିନି ସେ ଫୋନ୍ କୁ । କୌଣସି ରୋଗରେ କେବେ ପଡୁନଥିବା ଲୋକଟି କଣ ଏମିତି ହଠାତ୍ ଚାଲିଯାଇପାରେ ? 


କିଛି ସମୟପରେ ମୁଁ ଗୁଡୁକୁ ଫୋନ୍ କରି ପଚାରିଲି, " ଏବେ ପୋଗ୍ରାମ କଣ କରୁଛ ? କେଉଁଠିକି ନେବ ତାଙ୍କୁ ? "


ସେ କହିଲେ, " ଗାଆଁରେ ସଂସ୍କାର କରିବୁ ସାର୍ ।"


ମୁଁ କହିଲି, " ଗୋଟେ କାମ କର । ସେ ଲୋକ ଏଇ କଲେଜରେ ୪୦ ବର୍ଷରୁ ଉର୍ଦ୍ଧ ସମୟ କଟେଇଛନ୍ତି । ତାଙ୍କୁ ଏଇପଟେ ଆଣିକି ଆସ । ଗାଡିଭଡା ଯାହା ଲାଗିବ ମୁଁ ଦେବି । "


ମୋ କଥାମାନି ଗୁଡୁ ସେଦିନ ସଂଧ୍ୟା ୮ଟା ସୁଦ୍ଧା ତାଙ୍କ ମର ଶରୀରକୁ ଅଣି ହଷ୍ଟେଲ୍ ସମ୍ମୁଖରେ ପହଞ୍ଚାଇଥିଲା । ଆମ କଲେଜର ପରିଚାଳନା ସମିତିର ସଭାପତି ତଥା ସେତେବେଳେ ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଥିବା ବିଷ୍ଣୁ ଦାସଙ୍କୁ ଫୋନ୍ କରି ରଜନୀ ନନାଙ୍କ ଦେହାନ୍ତ ହେବା କଥା ସଂଧ୍ୟାରୁ କହିଥିଲି । ସେ ବି ଭୁବନେଶ୍ବରରୁ ଆସି ପହଞ୍ଚିଥିଲେ । ବୋଧହୁଏ ରଜନୀ ନନା ତାଙ୍କ ପଢିବା ବେଳେ ଯେଉଁ ଲୁଚାଇକି ଖାଇବାକୁ ଦେଇଥିଲେ ସେଇ ଋଣ ଶୁଝିବାକୁ । ନଚେତ୍ ଯେଉଁଲୋକ ତାଙ୍କ ଭୋଟର୍ ନୁହେଁ, ହଷ୍ଟେଲର ଜଣେ ସାମାନ୍ୟ ତଳିଆ କର୍ମଚାରୀ, ତାକୁ ଶ୍ରଦ୍ଧାସୁମନ ଅର୍ପଣ କରିବାକୁ ରାଜ୍ୟର ଜଣେ କ୍ୟାବିନେଟ୍ ମନ୍ତ୍ରୀ କାହିଁକି ଆସିଥାନ୍ତେ ?


ରଜନୀ ନନାଙ୍କ ମର ଶରୀରକୁ ଦେଖି ବିଶ୍ୱାସ ହେଉନଥାଏ । ସବୁବେଳେ ଗୁଣୁଗୁଣୁ ହୋଇ ଗପି ଚାଲୁଥିବା ମଣିଷଟା ଏକବାରେକେ ନିଷ୍ପନ୍ଦ ହୋଇ ଯାଇଥିଲା । ସମସ୍ତ ହଷ୍ଟେଲ ଛାତ୍ର, ଉପସ୍ଥିତ ଶିକ୍ଷକ ଆଉ ଜଗତସିଂହପୁରର କିଛି ଲୋକ ଶୋକାଭିଭୂତ ହୋଇ ଉଠିଥିଲେ ତାଙ୍କ ଅନନ୍ତ ଶୟନରେ । 


କିନ୍ତୁ ତାଙ୍କ ଶବାଧାରରେ ମୁଣ୍ତପିଟି ସିନ୍ଦୂର ଓ ଶଂଖାର ଅନ୍ତିମ ଅର୍ଘ୍ୟ ଦେବାପାଇଁ ତାଙ୍କ କଳ୍ପିତ ପାଟ୍ଟରାଣୀ ନଥିଲେ । ତାଙ୍କ ମର ଶରୀର ଉପରେ କେହି ' ବାପା ' ବୋଲି ଚିତ୍କାର କରି ଗଡୁନଥିଲେ । ପୁଷ୍ପମାଲ୍ୟ ଶୋଭିତ ସ୍ୱର୍ଗସବାରିକୁ ପଛରୁ ଭିଡିଧରିବାକୁ କେହି ଜଣେ ଖାସ୍ ଅତ୍ମୀୟ ନଥିଲେ । କିନ୍ତୁ ସେଇ ସବୁ ଭିତରେ ପୁରା ନିର୍ବିକାର ହୋଇ ଶୋଇଯାଇଥିଲେ ରଜନୀ ନନା । କଲେଜ ପରିବେଶ ସହିତ ଅଳକା ନଦୀର ସେଇ ସୁପ୍ତ ବାଲୁକା ବେଳା ନିଶ୍ଚୟ ଚିରକାଳ ପାଇଁ ଝୁରୁଥିବ ଏଇ ରଜନୀ ନନାଙ୍କୁ । ସେଦିନ ବିଷ୍ଣୁ ଭାଇ, ଏବେ ରାଜ୍ୟ କାଜୁନିଗମର ଅଧ୍ୟକ୍ଷ ଥିବା ଅମରେନ୍ଦ୍ର ଦାସଙ୍କ ସହିତ ମୁଁ ମଧ୍ୟ ରଜନୀ ନନାଙ୍କ ଶବାଧାରରେ ପୁଷ୍ପମାଲ୍ୟ ଦେଇ ଶେଷ ବିଦାୟ ଦେଇଥିଲି ତାଙ୍କୁ । ତାଙ୍କ ମୃତ୍ଯୁର ଚତୁର୍ଦଶ ଦିନ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଆମେ ଛାତ୍ରାବାସରେ ହନୁମାନ ଚାଳିଷାର ଆୟୋଜନ କରିଥିଲୁ । ସେତେବେଳେ ହଷ୍ଟେଲରେ ରହୁଥିବା ପିଲାମାନଙ୍କର ଏଥିପାଇଁ ସହଯୋଗ ଭୁଲିବାର ନୁହେଁ । 


ଏବେ ଆସିବା ରଜନୀ ନନା ଜୀବନସାରା ସଞ୍ଚିତକରି ରଖିଥିବା ଟଙ୍କା ପଇସା ଉପରକୁ । ତାଙ୍କର ସେହି ଟ୍ରଙ୍କ୍ ଓ୍ୱାଚ୍ ମ୍ୟାନ୍ ରୁମରେ ତାଲାପଡିକି ସେମିତି ଥାଏ । ରଜନୀ ନନା ବିଦାୟ ନେବାର ପ୍ରୟ ୨୦ କି ୨୫ ଦିନ ପରେ ଦିନେ ତାଙ୍କ ପୁତୁରା ଗୁଡୁ ମୋତେ ଫୋନ୍ କରି କହିଲେ," ସାର୍ ,ଆପଣ କେଉଁଠି ଅଛନ୍ତି ? ମୁଁ ଏଠି ହଷ୍ଟେଲରେ ଅଛି , ଦାଦାଙ୍କର ଜିନିସପତ୍ର କେଉଁଠି କଣ ଅଛି ଦେଖିବା ପାଇଁ । "


ସେଦିନ ମୁ୍ଁ କିଛି କାମରେ ଭୁବନେଶ୍ବର ଯାଇଥାଏ । ଗୌରାଙ୍ଗଙ୍କୁ କହିଲି ରଜନୀ ନନାଙ୍କ ବାକ୍ସ ତାଙ୍କୁ ଦେଇଦେବା ପାଇଁ । ପରେ ଜାଣିଲି ରଜନୀ ନନା ଯେତେ ଟଙ୍କା ରଖିଥିଲେ ସେଥିରେ ନୋମିନି କାହାକୁ ରଖିନଥିଲେ । ଗୁଡୁ ତାଙ୍କ ତହସିଲ୍ ରୁ ଲିଗାଲ୍ ହେୟାର୍ ବାହାର କରି ଦାଦାଙ୍କର ଟଙ୍କା ପାଇପାରିଲେ । 


ଏସବୁ ଘଟଣାକୁ ଏକାଠି କଲେ ଯାହା ମନେହୁଏ ତାହା ହେଉଛି ରଜନୀ ନନା ଜୀବନର ସବୁ ଅପ୍ରାପ୍ତକୁ ପ୍ରାପ୍ତି ଭାବରେ ଗହଣ କରିନେଇ ସୁଖୀ ହେବାର ଛଳନା କେବଳ କରୁଥିଲେ । ତାଙ୍କର ଏ ନିଷ୍ଠୁର ନାଟକର ଆକସ୍ମିକ ଯବନିକାପାତର ସୂତ୍ରଧର ପ୍ରକୃତରେ କିଏ ? ତାଙ୍କର ସେଇ ମହାନାଟକର ନାୟକ ଥିଲେ ସେ ନିଜେ ----- ରଜନୀ ନନା - ଚକ୍ରଧର ମହାପାତ୍ର ନା ଚକ୍ରବ୍ୟୁହ ରଚନାକାରୀ ଚକ୍ରଧାରୀ , ତାହା ଆଜି ବି ମୋ ପାଇଁ ପ୍ରଶ୍ନବାଚୀ ହୋଇ ରହିଯାଇଛି ???


            ( ସମାପ୍ତ )



Rate this content
Log in

Similar oriya story from Romance