ଆଳୁଦୋଷ
ଆଳୁଦୋଷ


ରମେଶ ଡ୍ରଇଂ ରୁମରେ ବସି ପେପର ପଢୁଥାନ୍ତି । ହଠାତ ବିକି ତା ପାଠ ପଢା ରୁମରୁ ପଚାରିଲା , " ଡାଡି, ନିଦ୍ରାଳୁ ର ଅର୍ଥ କଣ ?" । ଏହି ଶବ୍ଦଟିକୁ ଶୁଣି ରମେଶ ବାବୁ କିଛି ସମୟ ପାଇଁ ତାଙ୍କର ଅତୀତର ଦୁନିଆକୁ ଚାଲିଗଲେ । ବୋଧହୁଏ ସେହି ଶବ୍ଦ ସହ ରମେଶଙ୍କ ନିବିଡ ସମ୍ପର୍କ ଥିଲା ।ରମେଶଙ୍କ ମାନେ ପଡିଯାଉଥିଲା ତାଙ୍କର ପିଲାଦିନ କଥା । ପିଲାଦିନେ ସେ ଭାରି ସରଳ ଓ ଲାଜକୁଳା ସ୍ଵଭାବର ଥିଲେ ଏବଂ ଭୁତ, ପ୍ରେତ ପ୍ରତି ଥିଲା ତାଙ୍କର ଅହେତୁକ ବିଶ୍ଵାସ ତେଣୁ ପ୍ରତିସମୟରେ ସାହି, ପଡୋଶୀ ତାଙ୍କୁ "ଭୟାଳୁ" ବୋଲି କହୁଥିଲେ ଏବଂ ରମେଶଙ୍କ ବାପା ଏହାକୁ ଏକ ଆଳୁଦୋଷ ବୋଲି ସାହି, ପଡୋଶୀଙ୍କୁ ବୁଝାଉଥିଲେ କାରଣ ଭୟାଳୁ ଶବ୍ଦଟିକୁ ସନ୍ଧିବିଛେଦ କଲେ ଭୟ + ଆଳୁ ହୁଏ ।
ବାପା , ରମେଶଙ୍କ ଏହି ଆଳୁଦୋଷକୁ ଛଡାଇବା ପାଇଁ ଯେଉଁ କୌଶଳ ଆପଣାଇଥିଲେ, ରମେଶ ସେହି ଅତୀତକୁ ସ୍ପଷ୍ଟ ଭାବେ ଦେଖିପାରୁଥିଲା ।ସେଦିନ ଥାଏ ଅମାବାସ୍ୟାର ରାତ୍ର , ଚାରିଆଡେ ଘାନ ଅନ୍ଧକାର । ରମେଶଙ୍କ ଘର ବାରିପଟରେ ଥାଏ ଏକ ବିରାଟ ଅମରୀ ଲଟା , ସମୟ ରାତ୍ର ନଅଟା । ରମେଶଙ୍କୁ ବାପା ଏକ ପ୍ରସ୍ତାବ ଦେଲେ ଓ କହିଲେ , "ଆମ ବାରିପଟ ଅମରୀ ଲଟା ପାଖକୁ ଯାଇ ଯଦି ପୁଣି ନ ଡରି ଫେରିଆସିବୁ , ତେବେ ତୋ ନାମ ଆଗରୁ ଲାଗୁଥିବା "ଭୟାଳୁ " ଶବ୍ଦଟି ମୁଁ ସମସ୍ତଙ୍କୁ କହି ହଟେଇଦେବି । " ବାପାଙ୍କ ଏହି ପ୍ରସ୍ତାବଟିକୁ ଅନିଚ୍ଛା ସତ୍ତ୍ୱେ ନିଜର ସ୍ଵାଭିମାନ ରକ୍ଷା କରିବା ପାଇଁ ସମସ୍ତଙ୍କ ଆଗରେ ରାଜି ହୋଇଗଲା ।
ମନରେ ଡର, ମୁହଁକୁ ଟାଣ କରି ଅଗ୍ରସର ହେଲା ଅମରୀ ଲଟା ଆଡକୁ , ଅମରୀ ଲଟା ଯେତେ ନିକଟତର ହେଉଥାଏ ରମେଶର ହୃଦସ୍ପନ୍ଦନ ସେତିକି ବଢୁଥାଏ । ହଠାତ ରମେଶ ଦେଖିଲା - କିଏ ଜଣେ ଧଳା ଲୁଗା ପିନ୍ଧି ଅମରୀ ଲଟା ମଝିରେ ଠିଆ ହୋଇଛି । ଏହାକୁ ଦେଖି ରମେଶ ଗୋଟିଏ ନିଶ୍ବାସରେ ଘରକୁ ଦୌଡିଲା , ପାଟିରୁ କଥା ବାହାରୁନଥାଏ ଓ ଗୋଡରୁ ମୁଣ୍ଡ ଯାଏଁ ବରଡା ପତ୍ର ଥରିଲା ପରି ଥରୁଥାଏ ।
ପୁଅର ଏଭଳି ଅବସ୍ଥା ଦେଖି ମାଆ ସହି ନ ପାରି ବାପାଙ୍କ ଏଭଳି ସର୍ତ୍ତ କୁ ବିରୋଧ କଲେ ଓ ରମେଶକୁ ନିଜ କୋଳରେ ଧରି ଶୋଇଗଲେ । ରାତିସାରା ରମେଶକୁ ପ୍ରବଳ ଜ୍ଵର । ମା , ବାପାଙ୍କୁ କହୁଥାନ୍ତି , " ସବୁ ତମ ଯୋଗୁଁ ହେଲା , କାଲି ଗାଁ ଠାକୁରାଣୀଙ୍କ ଜାନିକୁ ଡାକିବା ଟିକେ ଝାଡିଦେବ ।" ବାପା ମୁରୁକି ହସି କହିଲେ , " ହଁ ହଁ ନିଶ୍ଚିତ " । ବାପାଙ୍କ ମୁରୁକି ହସିବାର ରହସ୍ୟ ରମେଶ ବୁଝିପାରିନଥିଲା । ଏମିତି ରେ ରାତି ପାହିଗଲା ।
ସକାଳ ୫.୩୦ , ସମସ୍ତେ ଶୋଇଥାନ୍ତି । ବାପା , ରମେଶକୁ ଉଠାଇ ବାରିପଟ ଅମରୀ ଲଟା ଅଭିମୁଖେ ନିଜ ସହ ଯିବାକୁ କହିଲେ କିନ୍ତୁ ରମେଶ ଅମଙ୍ଗ ହେବାରୁ ବାପା ବୁଝାଉଥାନ୍ତି , " ଦିନ ବେଳେ କଣ ଭୁତ, ପ୍ରେତ ଆସନ୍ତି । ରାତ୍ର ସମୟରେ ସେମାନେ ଆସନ୍ତି ନା । "
ଛାତିକୁ ଦମ୍ଭକରି ରମେଶ , ବାପାଙ୍କ ସହ ଅମରୀ ଲଟା ପାଖକୁ ଗଲା ଏବଂ ଯାହା ଦେଖିଲା ସେ ବିଶ୍ଵାସ କରିପାରିଲା ନାହିଂ । ଗୋଟିଏ ଧଳା ଲୁଗା ଅମରୀ ଲଟା ଡାଳରେ ଗୁଡାଇ ହୋଇ ରହିଛି ଯାହା ଗତ ରାତିରେ ଭୂତର ଭ୍ରମ ସୃଷ୍ଟି କରିଥିଲା ।ପ୍ରକୃତ କଥା ଜାଣିବାପରେ କିଛି ସମୟ ଭିତରେ ରମେଶର ଜ୍ଵର ଉଭାନ ହୋଇଗଲା ଏବଂ ବାପା କହିଲେ, " ଜାଣିଛୁ ରମେଶ , ଏହି ଧଳା ଲୁଗା ମୁଁ ହିଁ ଅମରୀ ଲତାରେ ପକାଇଥିଲି , ତୋ ଆଳୁଦୋଷ ଛଡାଇବା ପାଇଁ ମାନେ ଭୟାଳୁ ଦୋଷ । "
ପିଲାଦିନର ଏହି ମଜକଥାରେ ଲୀନ ହୋଇ ରମେଶ ମନେ ମନେ ହସୁଥାଏ । ହଠାତ ବିକି , ରମେଶଙ୍କ କାନ୍ଧକୁ ହଲାଇ ପଚାରିଲା , " ଡାଡି , କୁହନା ନିଦ୍ରାଳୁର ଅର୍ଥ କଣ ? " ରମେଶ ପୁଣି ପୂର୍ବାବସ୍ଥାକୁ ଫେରି ମୁରୁକି ହସି କହିଲେ , " ଏହା ଏକ ଆଳୁଦୋଷ "।