Suneet Kumar Gouda

Tragedy Inspirational

3.9  

Suneet Kumar Gouda

Tragedy Inspirational

କ୍ରିଂ କ୍ରିଂ

କ୍ରିଂ କ୍ରିଂ

2 mins
12K


ଦୀର୍ଘ ପାଞ୍ଚ ମାସ ପରେ ମୁଁ ମୋର ପୁରୁଣା ହିରୋ ସାଇକେଲଟିକୁ ବାହାର କଲି । ଧୂଳି ଧୂସର ହୋଇ କାନ୍ଥକୁ ଆଉଜି ରହିଥିଲା । ସଫା ସଫି କଲା ପରେ ପୁଣି ସେ ଚକଚକ ଦେଖାଗଲା । ହ୍ୟାଣ୍ଡେଲରେ ବ୍ୟାଗକୁ ଝୁଲାଇ ସଉଦା କରିବାପାଇଁ ବଜାରକୁ ବାହାରିଲି । ଅଳ୍ପ କିଛି ବାଟ ଗଲାପରେ ଭେଟିଲି ଗୋପୀ ସାରଙ୍କୁ । ଗୋପୀ ସାର୍ ଆମ ପଡିଶା ଘରେ ରୁହନ୍ତି । ସେ ମଧ୍ୟ ସଉଦା ଆଣିବାପାଇଁ ଯାଉଥାନ୍ତି , ସାଙ୍ଗରେ ଥାଏ ଲେଡି ବାର୍ଡ୍ ସାଇକେଲ ।


- ଆପଣ ବି ବହୁଦିନେ ପରେ ସାଇକେଲଟିକୁ ବହାରକଲେ , ହସି ହସି କହିଲି ଗୋପୀ ସାରଙ୍କୁ

- ହଁ ସାର୍ , ଏଇଟା ପରା କରୋନାର କରାମତି ।

  ଦୁହେଁ ଭାରି ହସିଲୁ । ଏମିତି କରୋନାର ସ୍ଥିତି ବିଷୟରେ କଥା ହେଉଥାଉ ମୋ ସାଇକେଲ ପ୍ୟାଡଲରୁ ଠକ୍ କରି କଣ ଗୋଟାଏ ଶବ୍ଦ ଶୁଭିଲା । ଠିକ୍ ସେହି ସମୟରେ ଗୋପୀ ସାରଙ୍କ ଲେଡି ବାର୍ଡ୍ ସାଇକେଲର ପ୍ୟାଡଲରୁ ମଧ୍ୟ ଅନୁରୂପ ଶବ୍ଦ ଶୁଭିଲା । ବୋଧେ ସାଇକେଲ ଦୁହେଁ ପରସ୍ପରକୁ ଅଭିନନ୍ଦନ ଜଣାଉଥିଲେ । ସାଇକେଲ ଦୋକାନରୁ କିଣା ହୋଇ ଆସିବା ଦିନଠୁ ଦୁହିଁଙ୍କ ଭିତରେ ସମ୍ପର୍କର ସେତୁ ଗଢି ଉଠିଛି । ବହୁଦିନ ପରେ ସେମାନଙ୍କୁ ଏକାଠି ହେବାର ସୁଯୋଗ ମିଳିଛି । ସୁଯୋଗକୁ ହାତଛଡା ନ କରି ଦୁହେଁ ଆରମ୍ଭ କଲେ କଥୋପକଥନ । 


- ହେଲୋ ! ବାର୍ଡ୍ , କେମିତି ଅଛ ?


- ହାଏ! ହିରୋ , ମୁଁ ଭଲ ଅଛି । ତୁମେ କିପରି ଅଛ ? ଲାଜେଇ ହୋଇ ପଚାରିଲା ଲେଡି ବାର୍ଡ୍ ସାଇକେଲ ।


- ହଁ, ବନ୍ଦୀ ଭଳି କଟୁଥିଲା ସମୟ । ତୁମ ସହିତ କଥା ହେବା ପାଇଁ ଅନେକ ଥର ଚେଷ୍ଟା କରିଛି । ବାବୁ ଆଣିଥିବା ହିରୋ ବାଇକ୍ କୁ କେତେ ନେହୁରା ହୋଇଛି ନ ଷ୍ଟାର୍ଟ ହେବାପାଇଁ କିନ୍ତୁ ଗର୍ବୀ ବାଇକ୍ ମୋ କଥା କଣ ଶୁଣେ ।


- ହଁ , ମୁଁ ବି ବାହାରକୁ ଆସି ତମ ସହ ଦି ପଦ କଥା ହେବା ପାଇଁ ଅନେକ ଚେଷ୍ଟା କରିଛି । ବାବୁ ଆଣିଥିବା ସ୍କୁଟିକୁ ମୁଁ ମଧ୍ୟ ତୁମ ଭଳି ଅନେକ ଅନୁରୋଧ କରିଛି କିନ୍ତୁ ସେ ବି ମୋ କଥା ଶୁଣେନି । ଘିଇଁ ଘିଇଁ ହୋଇ ଖତେଇ ହୋଇ ଚାଲିଯାଏ ବାବୁ ସାଙ୍ଗରେ । ମୁହଁକୁ ଫୁଲେଇ କହିଲା ଲେଡି ବାର୍ଡ୍ ।


- ହଉ ଛଡା ସେ କଥା । ମୁଁ ଶୁଣିଲି ଏବେ କଣ ଗୋଟାଏ କରୋନା ବୋଲି ମହାମାରୀ ବ୍ୟାପିଛି । ଭାରି ମାରାତ୍ମକ ପୁଣି ?


- ହଁ ଭାରି ମାରାତ୍ମକ କିନ୍ତୁ ଆମର କିଛି କ୍ଷତି ହେବନି । ସେହି କରୋନା ପାଇଁ ତ ଆମେ ବାହାରକୁ ଆସିପାରିଛେ । ଯାହା ଏ ମଣିଷ ଗୁଡାକ ମରିବେ । 

ଲେଡି ବାର୍ଡ୍ କହିଲା ।


- ଆରେ ଏମିତି କଣ କହୁଛ ! ମଣିଷ ଯଦି ମରିଯାନ୍ତି ଆମର ଅସ୍ତିତ୍ୱ ରହିବ ତ ?


ଏତିକି ବେଳେ ଗୋଟିଏ ଖାଲରେ ମୋର ସାଇକେଲ ଚକଟି ପଡିଯିବାରୁ ହ୍ୟାଣ୍ଡେଲଟି ମୋଡି ହୋଇ ଗୋପୀ ସାରଙ୍କ ପାଖା ପାଖି ପଳାଇଲା ।

- ଆରେ ମୋ ପାଖା ପାଖି ଆସନି । ସାମାଜିକ ଦୂରତା କଥା ଶୁଣିନ କି । ତାଗିଦ କଲା ଲେଡି ବାର୍ଡ୍ ସାଇକେଲ 


ମୁଁ ସଙ୍ଗେ ସଙ୍ଗେ ହ୍ୟାଣ୍ଡେଲକୁ ବଙ୍କେଇ ଗୋପୀ ସାରଙ୍କ ଠାରୁ ଏକ ମିଟର ଦୂରତାରେ ରହିଲି । ଗୋପୀ ସାର୍ ଗୋଟିଏ ମାଛ ଦୋକାନରେ ଅଟକି ଗଲେ ଓ ମୁଁ ପରିବା ଆଣିବା ପାଇଁ ଆଗକୁ ବଢିଲି । ଲେଡି ବାର୍ଡ୍ ସାଇକେଲଟି ହିରୋ ସାଇକେଲକୁ କାଲି ପୁଣି ଭେଟିବା କହିଲା ଓ ମୋ ହିରୋ ସାଇକେଲ ମଧ୍ୟ ତାକୁ ବାଏ କହି ତାଠାରୁ ବିଦାୟ ନେଲା ।


Rate this content
Log in

Similar oriya story from Tragedy