Suneet Kumar Gouda

Abstract

4.1  

Suneet Kumar Gouda

Abstract

ତପ୍ତପାଣିର ତାତି

ତପ୍ତପାଣିର ତାତି

4 mins
148


ବସ୍ ଚାଲିଥାଏ ଘାଟି ଉପରେ । ଚାରିଆଡେ ସବୁଜ ବନାନୀ । ବୃହତକାୟ ଦ୍ରୁମ ଗୁଡିକ ନିଜର ଛାତିକୁ ଫୁଲାଇ ଠିଆ ହୋଇଥାନ୍ତି ସତେ ଯେପରି କୌଣସି ରାଜପ୍ରାସାଦର ପ୍ରହରୀ ଭଳି । ମଝିରେ ମଝିରେ ପାହାନ୍ତିଆ ସୂର୍ଯ୍ୟ ଲୁଚକାଳି ଖେଳୁଥାଏ ଗଛର ପତ୍ର ଆଢୁଆଳରେ , ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ଶୁଣି ଲାଗୁଥାଏ ସତେ ଯେମିତି ଆମକୁ ସେମାନେ ଗୀତ ଗାଇ ସ୍ୱାଗତ କରୁଥାନ୍ତି ।


ହଠାତ୍ ଡାକ ଶୁଭିଲା " ଓହ୍ଲାଇ ଆସ ଓହ୍ଲାଇ ଆସ, ଆମେ ତପ୍ତପାଣିରେ ପହଞ୍ଚିଯାଇଛୁ" । ଏହା ଶୁଣି ମୁଁ ଓ ମୋ ସାଙ୍ଗ ମାନେ ଖୁସିର ଏକ ଚିତ୍କାର ଛାଡିଲୁ କିନ୍ତୁ ସାଙ୍ଗେ ସାଙ୍ଗେ ନିଜକୁ ସଜାଡି ନେଲୁ କାରଣ ବସ୍ ରେ ଥାଆନ୍ତି ଆମର ବରିଷ୍ଠ ଅଧ୍ୟାପକ ଓ ଅଧ୍ୟାପିକା । ରସାୟନ ବିଜ୍ଞାନ (ସମ୍ମାନ) ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଥିଲା ପ୍ରଥମ ବଣଭୋଜି । ଅନ୍ୟ ବିଭାଗର ଛାତ୍ରଛାତ୍ରୀଙ୍କ ତୁଳନାରେ ସବୁଠି ସଂଯମତା ରଖିବାକୁ ପଡୁଥାଏ, ସେଇଟା କଲେଜର ଲ୍ୟାବ୍ ହେଉ କିମ୍ବା ବଣଭୋଜି । ବିଜ୍ଞାନର ଆଦର୍ଶରେ କଲେଜ ପଢୁଆ ଇଛା ଗୁଡାକ ସତେ ଯେମିତି ସଙ୍କୁଚିତ ହୋଇଯାଏ ।


ନିଜ ନିଜର ବ୍ୟାଗ୍ ଧରି ସମସ୍ତେ ବସ୍ ରୁ ଓହ୍ଲାଇଲୁ । H.O.D ସାରଙ୍କ ନିର୍ଦ୍ଦେଶକ୍ରମେ ମୁଁ ଓ ମୋର କିଛି ସାଙ୍ଗ ବସ୍ ଉପରୁ ଭୋଜି ରାନ୍ଧିବା ପାଇଁ ଅଣାଯାଇଥିବା ସମସ୍ତ ସାମଗ୍ରୀକୁ ତଳକୁ ଓହ୍ଲାଇଲୁ । ମହେନ୍ଦ୍ର ସାର୍ ଭୋଜି ରାନ୍ଧିବା ପାଇଁ ସ୍ଥାନ ଚିହ୍ନଟ କଲେ । ଅଧ୍ୟାପକ ହେଲେ ମଧ୍ୟ ତାଙ୍କର ଆଦୌ ଗର୍ବ ନାହିଁ , ଆମ ସହ ସାଙ୍ଗ ଭଳି ମିଶିଯାଆନ୍ତି । ଆମେ ସମସ୍ତେ ଚିହ୍ନଟ ହୋଇଥିବା ସ୍ଥାନ ନିକଟରେ ପହଞ୍ଚିଲୁ ଓ ସଫା ସଫି କରି ରାନ୍ଧିବା ବ୍ୟବସ୍ଥା କଲୁ ।

ମୁନି ଅଜା ଓ ସନିଆ ଭାଇନା ରନ୍ଧା ଦାୟିତ୍ୱରେ ଥାଆନ୍ତି । ମୁନି ଅଜା ଭାରି ମଜାଳିଆ ଲୋକ , ଆମ ବିଭାଗର ପିଅନ ଓ ସନିଆ ଭାଇ କଲେଜର ରାତ୍ର ଜଗୁଆଳି । ଦୁହେଁ ନିଜ ଦାୟିତ୍ୱ ତୁଲାଇବାରେ ପାରଙ୍ଗମ ।


ରୋଷେଇ କାର୍ଯ୍ୟରେ ସାହାଯ୍ୟ କରି ଆମେ ଅଗ୍ରସର ହେଲୁ ତପ୍ତପାଣିର ମୁଖ୍ୟ ଆକର୍ଷଣ 'ଫୁଟନ୍ତା ପାଣି' ଆଡକୁ । ଦେଖି ଆଶ୍ଚର୍ଯ୍ୟ ଲାଗୁଥାଏ ୧୮୦୦ ଫୁଟ ଉଚ୍ଚତାରେ ପଥର ଗର୍ଭରୁ ଫୁଟନ୍ତା ପାଣି ଅନବରତ ନିର୍ଗତ ହେଉଥାଏ । ପାଖରେ ଥାଏ ଶିବଲିଙ୍ଗ ଆକୃତିର ଗୋଟିଏ ମସୃଣ ପଥର , କିଛି ସ୍ଥାନୀୟ ଆଦିବାସୀ ଧୂପ ଦୀପ ଦେଇ ପୂଜା କରଥାନ୍ତି । ବିଜ୍ଞାନ ଛାତ୍ର ହିସାବରେ ଏହା ପୃଥିବୀର ଏକ ଭୌଗୋଳିକ ଘଟଣା ଜାଣି ମଧ୍ୟ ସେମାନଙ୍କ ବିଶ୍ୱାସକୁ ଭାଙ୍ଗିବା ମୋ ପାଇଁ ଉଚିତ୍ ନଥିଲା ତେଣୁ ମୁଁ ମଧ୍ୟ ପାଖ ଦୋକାନରୁ ଗୋଟିଏ ଧୂପ କିଣି ସେହି ଲିଙ୍ଗ ପାଖରେ ଜଳାଇଦେଲି । ହଠାତ୍ ମୁଁ ଦେଖିଲି ସେହି ଆଦିବାସୀଙ୍କ ଧୂପର ଧୂଆଁ ଓ ମୁଁ ଲଗାଇଥିବା ଧୂପର ଧୂଆଁ କିଛି ଉପରକୁ ଯାଇ ପରସ୍ପର ସହ ମିଶିଯାଉଥାନ୍ତି । କିଛି ସମୟର ନୀରବତା ପରେ ଚିନ୍ତା କଲି -ବାସ୍ତବରେ ପ୍ରକୃତି ଆମକୁ ଅନେକ କଥା ଆମ ଅଜାଣତରେ ଆମକୁ ଶିଖାଇଥାଏ । ଏଇ ଯେମିତି ଟିକିଏ ପୂର୍ବରୁ ଦେଖିଥିବା "ଧୁଆଁ ମାନଙ୍କର ମିଳନର ଦୃଶ୍ୟ " ଯେଉଁଠାରୁ ମୁଁ ଶିଖିଲି - ପ୍ରକୃତି ଯଦି ନିଚ୍ଚ ଓ ଉଚ୍ଚ , ଧନୀ ଓ ଗରିବ , ଛୁଆଁ ଓ ଅଛୁଆଁର ପ୍ରଭେଦ ନ ଦେଖି ସଭିଙ୍କୁ ଏକତାର ବନ୍ଧନରେ ବାନ୍ଧିବାକୁ ଚାହେଁ ସେହିପରି ସବୁ ମଣିଷକୁ ଏହି କଥା ବୁଝିବା ଦରକାର । ଏହି କଥାକୁ ଭାବି ଅନ୍ୟ ମନସ୍କ ଥିଲାବେଳେ ହଠାତ୍ ମୋ ପ୍ରିୟ ସାଙ୍ଗ 'ସନ୍ତୋଷ' ଡାକ ପକାଇଲା - "ଆରେ ସୁନୀତ୍ ଏଠାକୁ ଆସ୍ , ବିଦେଶୀଙ୍କୁ ଦେଖିବୁ ଆସ୍ " ।

ତାହାର ଡାକ ଶୁଣି ପହଞ୍ଚିଗଲି ସେମାନଙ୍କ ପାଖେ । ଦୁଇ ଜଣ ବିଦେଶୀ ଯୁବକ ଓ ଯୁବତୀ ପାହାଡର ଗୋଟିଏ ବଡ ପଥର ଉପରେ ବସି ସାଥିରେ ଧରିଥିବା ଦାମୀ କ୍ୟାମେରାରେ ସୁନ୍ଦର ବନାରାଜିର ଫଟୋ ଉଠାଉଥାଆନ୍ତି । ସନ୍ତୋଷ ଓ ମୋର କିଛି ସାଙ୍ଗ ଗୋଟିଏ ନୂଆ ପ୍ରାଣୀକୁ ଦେଖିଲାଭଳି ସେମାନଙ୍କୁ ଚାହିଁ ରହିଥାନ୍ତି , ହେଲେ କଥା ହେବାପାଇଁ କାହାର ସାହସ ନଥାଏ ଠିକ୍ ଏହି ସମୟରେ ନିଜର ବଡୀମା ଦେଖାଇବା ପାଇଁ ଇଂରାଜୀରେ ସେମାନଙ୍କ ସହ କଥାହେଲି ଏବଂ ଜାଣିବାକୁ ପାଇଲି Geographical research କରିବା ପାଇଁ ସେମାନେ ଏଠାକୁ ଆସିଥାନ୍ତି ଓ ନିଜକୁ ଗର୍ବିତ ଅନୁଭବ କଲି ଏଭଳି ମାଟିରେ ଜନ୍ମଲାଭ କରିଥିବାରୁ ଯିଏ ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ଦ୍ୱାରା ବିଦେଶୀଙ୍କୁ ଆକର୍ଷିତ କରିଥାଏ ।


ଏମିତି କଥା ହେଉ ହେଉ ସମୟ ଦିନ ଗୋଟାଏ ହୋଇଯାଇଥାଏ । ସମସ୍ତେ ଭୋଜନ କରିବା ପାଇଁ ପ୍ରସ୍ତୁତ ହେଉଥାନ୍ତି , ନାନା ରକମର ବ୍ୟଞ୍ଜନ ପ୍ରସ୍ତୁତ ହୋଇ ରହିଥାଏ । ପ୍ରଥମେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକା ଭୋଜନ କରିବା ପରେ ଶେଷରେ ଭୋଜନ କରିବା ପାଇଁ ଆମେ ବସିଲୁ । ଶେଷ ପର୍ଯ୍ୟାୟରେ ବସିଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ଖାଇବା ପରେ ସେମାନଙ୍କ ଅଇଁଠା ପତ୍ର ଗୁଡିକୁ ମୁଁ ଏକାଠି କରି ପାଖରେ ଥିବା ପାହାଡର ଖାଲୁଆ ସ୍ଥାନରେ ଫୋପାଡିବା ପାଇଁ ଗଲି ଓ ସେଠି ଯେଉଁ ଦୁର୍ଶ୍ୟ ଦେଖିଲି ତାହା ମୋ ମନକୁ ଆନ୍ଦୋଳିତ କଲା ଓ ନୟନରୁ ସ୍ୱତଃପ୍ରବୃତ୍ତ ଭାବେ ଅଶ୍ରୁ ବହିଗଲା ।

ତିନୋଟି ଲଙ୍ଗଳା ଶିଶୁ ପ୍ରାଣ ବିକଳରେ ଖଲି ପତ୍ରରେ ରହିଯାଇଥିବା ବଳକା ଅଇଁଠା ଖାଦ୍ୟକୁ ଏକାଳୟରେ ଖାଇ ଚାଲିଥାନ୍ତି । ନା ଥାଏ ଲାଜ , ନା ଥାଏ ଭୟ , ଥାଏ ତ କେବଳ ପେଟର ଭୋକ । ମୁଁ ସେଠାରେ ଏକା ନଥାଏ, ଥାନ୍ତି କିଛି ଲମ୍ବା ତାଳ ଗଛ ଯାହାର ପତ୍ରଗୁଡ଼ିକ ଶୁଖି ନଇଁ ଯାଇଥାନ୍ତି , ସତେ ଯେପରି ସେମାନେ ମଧ୍ୟ ଏହି କରୁଣ ଦୃଶ୍ୟକୁ ଦେଖି ଦୁଃଖିତ । ଏଭଳି ଦୃଶ୍ୟକୁ ଦେଖି ଆଖିର ଲୁହକୁ ପୋଛି ଫେରିଲି ମୁଁ ତପ୍ତପାଣିର ମୁଖ୍ୟ ରାସ୍ତାକୁ । ରାସ୍ତାର ଅପର ପାର୍ଶ୍ୱରେ ପାହାଡ଼ ଉପରେ ଦଶ ବାରଟି କୁଡ଼ିଆ ଘର ଓ ଘର ଦାଣ୍ଡରେ କିଛି ରୁଗ୍ଣ ଆଦିବାସୀ । ଗରିବିର କଷାଘାତରେ ଶରୀରଟା ତାଙ୍କ ପତ୍ରଝଡା ଦେଇଥିବା ଥୁଣ୍ଟା ଗଛଭଳି ଦିଶୁଥାଏ ।

କିଛି ସମୟପରେ କିଛି ଦୁଃଖ ଓ ସୁଖ ଅନୁଭୂତି ସାଉଁଟି ସେଠାରୁ ଫେରିବା ପାଇଁ ପ୍ରସ୍ତୁତ ହେଉଥାଉ ହଠାତ୍ ଆକାଶରେ କଳା ମେଘ ଘୋଟି ଅସରାଏ ବର୍ଷା ହୋଇଗଲା । ଧୀରେ ଧୀରେ ବସ୍ ଟି ଘାଟିରୁ ତଳକୁ ଖସୁଥାଏ ଓ ପଛ ସିଟ୍ ରେ ବସି ମୁଁ କାଚ ବାଟେ ପଛକୁ ଦେଖୁଥାଏ । ଘାଟିର ଗଡାଣିଆ ରାସ୍ତାରେ ବର୍ଷା ପାଣି ଧୀରେ ଧୀରେ ବହୁଥାଏ ।

ମୋତେ ଏମିତି ଲାଗୁଥାଏ- ଗଡ଼ାଣିଆ ରାସ୍ତାଟି ସତେ ଯେମିତି ସେ ଭୋକିଲା ଆଦିବାସୀଙ୍କ ଜିଭ ଓ ବର୍ଷା ପାଣି ତାହାର ଲାଳ .......


Rate this content
Log in

Similar oriya story from Abstract