Suneet Kumar Gouda

Tragedy

4.5  

Suneet Kumar Gouda

Tragedy

ଧର୍ମ

ଧର୍ମ

6 mins
327


ଇସ୍ ଏ ପୋକଡା କାଉଟା କଉଠି ଥିଲା କେଜାଣି ବିରକ୍ତ ହୋଇ କହୁଥାନ୍ତି ବାଢେଇ ନାନୀ ।" ତୋତେ ହଗିବାକୁ କୋଉଠେ ଜାଗା ମିଲିଲାନି , ସିଧା ମୋ ହାତରେ ହଗିଦେଲୁ "

ଛି...... ଛି........

"ଏବେ ମୁଁ ଚଉରାରେ କେମିତି ପାଣିଦେବି" କହି ଧପ ଧପ ହୋଇ ଚାଲିଲେ ନଦୀ ଆଡକୁ ।

ବାଢେଇ ନାନୀ ବାରସର ଗାଁର ଷାଠିଏ ବୟସର ଜଣେ ବୃଦ୍ଧା । ଗୋରା ତକ ତକ ଚେହେରା । ବୟସର ଅପରାହ୍ନରେ ପହଁଚିଲେ ମଧ୍ୟ ଦେହେ ତାଙ୍କର ଷୋଳ ବୟସୀ ଯୁବତୀର ବଳ ତେଣୁ ସମସ୍ତେ ତାଙ୍କୁ ବାଢେଇ ମା ବଦଳରେ ଡାକନ୍ତି ବାଢେଇ ନାନୀ । ବ୍ରତ , ଓଷା କରିବାରେ ଓ ଗୀତା, ଭାଗବତ ପଢିବାରେ ସେ ଆଖ ପାଖ ତିନି ଖଣ୍ଡ ଗାଁରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଜାତିରେ ବଢେଇ ହେଲେ ବି ବ୍ରାହ୍ମଣ ମାନଙ୍କଠୁ କୌଣସି ଗୁଣରେ କମ୍ ନଥିଲେ ସେ ।

ଓଦା ସରବର ଦେହରେ ନଦୀରୁ ଫେରି ପଶିଗଲେ ସିଧା ଘରେ । "ପୁଣି ଥରେ ଗାଧୋଇ ଆସିଲ, କି ଅବୁଝା ମଣିଷଟେ କେଜାଣି " ଗମ୍ଭୀର ସ୍ୱରରେ କହୁଥାନ୍ତି ନଟବର ବାବୁ । ନଟବର ବାବୁ ବଢ଼େଇନାନୀଙ୍କ ଗେରସ୍ତ । ପ୍ରଧାନ ଶିକ୍ଷକ ରୂପେ ଅବସର ନେଇଥାଆନ୍ତି । ନିଜର ଆଦର୍ଶ ଓ କର୍ତ୍ତବ୍ୟ ଯୋଗୁଁ ସେ ଗାଁ ଲୋକଙ୍କର ଭାରି ପ୍ରିୟ । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ନଟବର ସାର୍ ଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ ଉଚ୍ଚ ପଦ ପଦବୀରେ ପ୍ରତିଷ୍ଠିତ। ପୁଅ ଦୁଇଟି ମଧ୍ୟ ସେଥିରୁ ବାଦ୍ ପଡ଼ିଥାନ୍ତେ ବା କେମିତି , ବଡ଼ ପୁଅ ଗାଁରେ ଡାକ୍ତର ରୂପେ କାର୍ଯ୍ୟରତ ଓ ସାନ ପୁଅ ISRO ର ଜଣେ ପ୍ରତିଷ୍ଠିତ ଯୁବ ବୈଜ୍ଞାନିକ ।

କିନ୍ତୁ ନଟବର ବାବୁଙ୍କ ଏହି ଆଦର୍ଶ ବାଢେଇ ନାନୀଙ୍କ ଉପରେ କିଛି ବି ପ୍ରଭାବ ପକାଇପାରିନଥାଏ । ଦୁହିଁଙ୍କ ରାସ୍ତା ଥିଲା ଭିନ୍ନ । ଜଣେ ବିଜ୍ଞାନ ପଥ ର ପଥିକ ହୋଇଥିଲା ବେଳେ ଅନ୍ୟ ଜଣେ ଆଧ୍ୟାତ୍ମିକ ପଥ ର ପଥିକ । ଚୁମ୍ବକର ଦୁଇ ସମମେରୁ ପରସ୍ପରକୁ ବିକର୍ଷଣ କଲା ଭଳି ଦୁହିଙ୍କ ଆଦର୍ଶ ସବୁବେଳେ ବିକର୍ଷିତ ହେଉଥାଏ ।

ଗେରୁଆ ମଠା ପିନ୍ଧି ବାଢେଇ ନାନୀ ପୁଣି ଆସିଲେ ଚଉରା ମୂଳକୁ । କ'ଣ ଗୋଟାଏ ଶ୍ଳୋକ ବୋଲୁଥାଆନ୍ତି । ହଠାତ୍ ପଡିଶା ଘରୁ ରମା ମାଉସୀ ଡାକ ପକାଇଲେ " ହଇଲୋ ବଢ଼େଇନାନୀ , ଆଜିକାଲି କଣ ସନ୍ଧ୍ୟାବେଳେ ମନ୍ଦିର ଆସୁନୁ , କ'ଣ ହୋଇଛି ତୋର?" ବାଢେଇ ନାନୀ କିଛି ନ କହି ଶ୍ଲୋକଟିକୁ ଅଧା ପଢି ଘରକୁ ଚାଲିଗଲେ । ବାଢେଇ ନାନୀଙ୍କ ଏମିତି ବ୍ୟବହାର ରମା ମାଉସୀ ଆଗରୁ କେବେ ଦେଖିନଥାନ୍ତି । ଭାରି ମେଳାପୀ ବାଢେଇ ନାନୀ ।

ଆଜିକାଲି ନାନୀ ଭାରି ମନ ମାରି ରହୁଥାନ୍ତି । ସାନ ପୁଅକୁ ସେ ଭାରି ସ୍ନେହ କରନ୍ତି କିନ୍ତୁ ସେ କଣ ସ୍ନେହର ମୂଲ୍ୟ ବୁଝିଲା ? ଗୋଟିଏ ଅଜାତି ଝିଅକୁ ବାହାହୋଇ ବେଙ୍ଗାଲୁରୁରୁ ଖାଲି ଫୋନ କରି ଯାହା ଜଣାଇଥିଲା । ପ୍ରେମ କଣ ଜାତି ଅଜାତି ଦେଖେ ଠିକ୍ ଯେମିତି ନଦୀ ନିଜର ଜଳକୁ ବିତାରିଲାବେଳେ ଜାତି ଅଜାତି ଦେଖିନଥାଏ । ସାନ ପୁଅର ଏଭଳି କାମକୁ ନଟବର ବାବୁ ପ୍ରଥମେ ପ୍ରଥମେ ନିନ୍ଦା କରୁଥିଲେ ମଧ୍ୟ କିଛି ଦିନ ପରେ ବୁଝିଗଲେ କିନ୍ତୁ ବାଢେଇ ନାନୀ ବୁଝୁ ନଥାନ୍ତି । ବୁଝିବେ ବା କେମିତି ଯିଏ ସବୁବେଳେ ମନ୍ଦିରରେ ଓ ସାହି ମହିଳାଙ୍କ ମେଳରେ ଏ ଜାତି ,ଅଜାତି ବାହାଘର ବିରୋଧରେ କେତେ ନା କେତେ କଥା କହି ସମାଲୋଚନା କରୁଥିଲା ଆଜି ତା ନିଜ ଘରେ ସେ କଥା ଘଟିଗଲା । ପୁଅର ବାହାଘର ବିଷୟ କାହାକୁ କହିନଥାନ୍ତି । ଅଜାଗା ଘା ଦେଖି ହୁଏ ନା କାହାକୁ ଦେଖେଇହୁଏ । ଧର୍ମ ବିଷୟରେ ବଡ ବଡ ପ୍ରବଚନ ଦେଉଥିବା ବ୍ୟକ୍ତିଟି ଆଜି ଧର୍ମ ସଂକଟରେ ।

ଶୀତୁଆ ରାତି । ମାଘ ମାସରେ ବାଘ ଭଳି ଶୀତ ହେଉଥାଏ ।ସମସ୍ତେ ନିଜ ନିଜ ଘରେ ନିଘୋଡ଼ ନିଦରେ ଶୋଇଥାଆନ୍ତି । ରମା ମାଉସୀଙ୍କ ବଡ ପୁଅ ରମେଶ ବସ୍ ଷ୍ଟାଣ୍ଡରୁ ଘରକୁ ଫେରୁଥାଏ ,ଠିକ୍ ଘର ପାଖରେ ପହଞ୍ଚିଥାଏ ଘର ଆଗରେ ଥିବା ଭଙ୍ଗାଘରୁ କୁକୁର ଛୁଆ କାନ୍ଦିଲା ଭଳି ଶବ୍ଦ ଶୁଭିଲା । ରମେଶ ଭାରି ପଶୁପ୍ରେମୀ । ପଶୁ ଡାକ୍ତର ରୂପେ ଭୁବନେଶ୍ୱର ରେ ଚାକିରୀ କରେ ।ସଙ୍ଗେ ସଙ୍ଗେ ସେ ଭଙ୍ଗା ଘରକୁ ଗଲା ଓ ଦେଖିଲା ଦୁଇଟି କୁନି କୁନି କୁକୁର ଛୁଆ ମା କୋଳରେ ଜନ୍ମ ସମୟର ପ୍ରଥମ ଡାକ ଦେଉଥାନ୍ତି କିନ୍ତୁ ଦୁଃଖର କଥା ମା କୁକୁରଟି ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ମୃତ୍ୟୁବରଣ କରିଥାଏ । ରାତି ଅନେକ ହୋଇଥିବା ସକାଶେ ରମେଶ ଘର ଆଗରେ ଥିବା ଅଖା ପାପୋଛଟିକୁ ଆଣି ଦୁଇ କୁକୁର ଛୁଆଙ୍କୁ ଘୋଡାଇ ଦେଲେ ଓ ନିଜ ଘରକୁ ଫେରିଗଲେ ।

ସକାଳ ହେଉ ହେଉ ରମେଶ ସିଧା ଦୌଡ଼ିଲେ ସେ ଭଙ୍ଗା ଘରକୁ । କୁନି ଛୁଆ ଦୁଇଟି ମା'ର ସ୍ତନରୁ କ୍ଷୀର ଖାଇବା ପାଇଁ ଚେଷ୍ଟା କରୁଥାନ୍ତି। କି ହୃଦୟାଫଟା ଦୃଶ୍ୟ ! ସେମାନେ କ'ଣ ଜାଣନ୍ତି , ସେମାନଙ୍କ ମା ଏ ଦୁନିଆରେ ଆଉ ନାହିଁ ବୋଲି ତଥାପି ଚାଲିଥାଏ ଭୋକ ମେଣ୍ଟାଇବା ପାଇଁ ଅଦମ୍ୟ ପ୍ରୟାସ । ଏମାନଙ୍କ ପାଇଁ କଣ ଗୋଟାଏ ବ୍ୟବସ୍ଥା କରିବାକୁ ହେବ...... ଏମିତି ଭାବି ରମେଶ ମା କୁକୁରର ମୃତ ଶରୀରକୁ ସେଠାରୁ ବାହାରକରି ନଦୀ ବାଲିରେ ପୋତିଦେଲେ ଓ ଘରକୁ ଫେରି ରମା ମାଉସୀଙ୍କୁ ସବୁ କଥା କହିଲେ ।

ଗୋଟିଏ ଗିନାରେ ଉଷୁମ ଉଷୁମ କ୍ଷୀର ଧରି ଛୁଆ ଦୁଇଟିକୁ ପିଇବାକୁ ଦେଲେ । ଚାକୁଲ୍ ଚାକୁଲ୍ କରି ସବୁ କ୍ଷୀରତକ ଗୋଟିଏ ନିଶ୍ୱାସରେ ପିଇ ଗଲେ । ମା ଓ ପୁଅ ଦୁହେଁ ଦେଖି ଭାରି ଖୁସି ହେଉଥାନ୍ତି । ପୁଣି ଥରେ ଆଉ କିଛି କ୍ଷୀର ଢ଼ାଳିଲେ , ତାକୁ ମଧ୍ୟ ପିଇବାକୁ ଆରମ୍ଭ କଲେ ଓ ଅଧା ପିଇ ଗିନାରୁ ମୁହଁ ବାହାର କରିଦେଲେ । "ବୋଧେ ଭୋକ ମେଣ୍ଟିଗଲା " ରମେଶ ହସି ହସି କହୁଥାନ୍ତି । ଏହି ଭଳି ଭାବେ ଦିନକୁ ଚାରିରୁ ପାଞ୍ଚ ଥର କ୍ଷୀର ଦିଆଯାଉଥାଏ ସେମାନଙ୍କୁ । ସତେ ଯେମିତି ସେମାନେ ରମା ମାଉସୀଙ୍କ ପରିବାରର ସଦସ୍ୟ ହୋଇଯାଇଥିଲେ । ଗୋଟିଏ ମାସ ଭିତରେ ଛୁଆ ଦୁଇଟି ଭାରି ଗୁଲୁଗୁଲିଆ ଦିଶୁଥାନ୍ତି । ସାହିର ରାସ୍ତାରେ ଟୁକୁର୍ ଟୁକୁର୍ ଚାଲିଲା ବେଳେ ତାଙ୍କ ଚାଲି ଦେଖି ସମସ୍ତେ ଖୁସି ହୋଇଯାଉଥିଲେ । ସମୟ କ୍ରମେ ଛୁଆ ଦୁଇଟି ଭଙ୍ଗା ଘରେ ନ ରହି ରମା ମାଉସୀଙ୍କ ଘର ପିଣ୍ଡାରେ ରହୁଥାନ୍ତି । ତାଙ୍କ ପାଇଁ ବିସ୍କୁଟ ଆଟାରେ ତିଆରି ହୋଇଥାଏ ଘର ।

ସକାଳୁ ସକାଳୁ ବାଢେଇ ନାନୀ ଚଉରା ମୂଳରେ ପୂଜା ପାଇଁ ଯେଉଁ ସବୁ ଭୋଗ ରଖିଥାନ୍ତି ବେଳେବେଳେ କୁକୁର ଛୁଆ ଦୁଇଟି ସେଗୁଡିକୁ ଖାଇଦିଅନ୍ତି । ବାଢେଇ ନାନୀ ଅନେକ ଥର ତାଗିଦ୍ କରିଥିବେ ରମା ମାଉସୀଙ୍କୁ ଏହି କୁକୁର ଛୁଆଗୁଡାକୁ ଅନ୍ୟ କେଉଁଠି ଛାଡିବା ପାଇଁ । ରମା ମାଉସୀଙ୍କ ଛାଡିବା ପୂର୍ବରୁ ଭଗବାନ ହିଁ ଗୋଟିଏ ଛୁଆକୁ ଛଡେଇ ନେଇଗଲେ , ଗାଡି ଚକ ତଳେ ଚାପିହୋଇ ମରିଗଲା ଗୋଟିଏ ଛୁଆ । ସାହିର ସମସ୍ତେ ସେ ଦିନ ଭାରି ଦୁଃଖୀ ଥାଆନ୍ତି ଓ ଅନ୍ୟ ଛୁଆଟି ମଧ୍ୟ ସେ ଦିନ କିଛି ଖାଉନଥାଏ , ଖାଲି ଏପଟ ସେପଟ ହେଉଥାଏ । କିଛି ଦିନ ପରେ ପୁଣି ସବୁ ପୂର୍ବ ଭଳି ଠିକ୍ ଠାକ୍ ହୋଇଗଲା ।

ମାର୍ଗଶିର ମାସ ଗୁରୁବାର । ବାଢେଇ ନାନୀ ସକାଳୁ ଗାଧା ପାଧା କରି ଘରେ ଝୋଟି ଚିତା ଦେଇ ଗୋବର ଓ ଫୁଲ ଧରି ଦାଣ୍ଡରେ ଦିଆଯାଇଥିବା ଝୋଟି ମଝିରେ ରଖିବାକୁ ଯାଉଥାଆନ୍ତି। ଗୋବର ଆଉ କଣ ବା ରଖିବେ ଝୋଟି ମଝିରେ କୁକୁର ର ଝାଡା ଦେଖି ରାଗ ତମ ତମ ହୋଇ ଘରକୁ ପଶିଗଲେ । ପାଞ୍ଚ ମିନିଟ୍ ପରେ ଗୋଟିଏ ଜଗରେ ଟକର ମକର ହୋଇ ଫୁଟୁଥିବା ପାଣି ନେଇ ବିଚରା ଛୋଟ କୁକୁରଟା ଉପରେ ଅମାନୁଷିକ ଭାବେ ଫୋପାଡ଼ିଦେଲେ । କୁକୁରଟି ଅସହ୍ୟ ଯନ୍ତ୍ରଣାରେ କାଉଁ କାଉଁ ହୋଇ ନଦୀ ଆଡକୁ ଦୌଡ଼ି ପଳାଇଗଲା । ଦିନ ସାରା ରମା ମାଉସୀ ଭାରି ଖୋଜାଖୋଜି କଲେ , ହେଲେ ଛୋଟ କୁକୁରଟିକୁ ପାଇଲେ ନାହିଁ । ରମା ମାଉସୀଙ୍କ ପରିବାରର ସମସ୍ତଙ୍କ ମୁହଁକୁ ଦାନା ଯାଉନଥାଏ। ପାଳି ପୋଷି ବଡ କରିଥିବା ରମା ମାଉସୀ ଙ୍କ ଭୁଲ ବା କଣ ? କାହାକୁ ଋଷି ସେ ଚାଲିଗଲା ସେଇଟା ଉପରବାଲା ହିଁ ଜାଣନ୍ତି ।

ସମସ୍ତଙ୍କ ଆଖିରେ ଲୁହ । ସାହିର ସମସ୍ତ ଲୋକ ବଢ଼େଇନାନୀଙ୍କ ଦାଣ୍ଡ ଆଗରେ ରୁଣ୍ଡ ହୋଇଥାଆନ୍ତି । "ହଇଲୋ ବାଢେଇ ନାନୀ, ତୋ ମନ ଏବେ ଶାନ୍ତି ହୋଇଗଲା " କାନ୍ଦି କାନ୍ଦି ଡାକ ଛାଡୁଥାନ୍ତି ରାମ ମାଉସୀ । ରମା ମାଉସୀଙ୍କ ଡାକ ଶୁଣି ବାଢେଇ ନାନୀ ପଦାକୁ ଆସିଲେ ଓ ହଠାତ୍ ତାଙ୍କ ମୁହଁରେ ସୂର୍ଯ୍ୟଙ୍କ ପ୍ରଚଣ୍ଡ ରଶ୍ମି ପଡିଲା । ବୋଧହୁଏ ଶୁକ୍ରବାରର ସୂର୍ଯ୍ୟଟା ମଧ୍ୟ ତାଙ୍କ ଉପରେ ରାଗିଥାଏ । ବାଢେଇ ନାନୀ ସୂର୍ଯ୍ୟ କିରଣ ପଡୁଥିବା ଜାଗାରୁ ଟିକେ ଘୁଞ୍ଚିଯାଇ ଚଉରା ମୂଳ ଆଡକୁ ଚାହିଁଲେ । ଆଖିରୁ ତାଙ୍କର ଅଜଣା ଅଶ୍ରୁ ବହୁଥାଏ , ନିଜକୁ ସେ ଅପରାଧୀ ବୋଲି ଭାବୁଥାନ୍ତି । ଚଉରା ମୂଳେ ପଡିରହିଥାଏ ସେହି କଅଁଳ ନିଷ୍ପାପ ଛୋଟିଆ କୁକୁର ଛୁଆ କିନ୍ତୁ ମୃତ ଅବସ୍ଥାରେ।

ସାହି ପଡିଶା ଲୋକେ ଟୁପୁରୁ ଟାପର ହେଉଥାନ୍ତି

" ଅଧର୍ମୀ ବାଢେଇ ନାନୀଟା ବୋଧେ ଧର୍ମ ର ଅର୍ଥ ବୁଝିଲାନି, ବିଚରା କୁକୁର ଛୁଆଟିକୁ ମାରିଦେଲା । "

ସେହି ଦିନଠୁ ବାଢେଇ ନାନୀର ଅହେତୁକ ପରିବର୍ତ୍ତନ ହୋଇଛି । ଅଜାତି ରେ ବାହା ହୋଇଥିବା ସାନ ପୁଅକୁ ନିଜର କରି ବୋହୂକୁ ଘରେ ଜାଗା ଦେଇଛନ୍ତି । ଖରାଦିନେ ପଶୁପକ୍ଷୀଙ୍କୁ ଖାଇବା ଦେବାଠାରୁ ଆରମ୍ଭ କରି ଶୀତଦିନେ ସେମାନଙ୍କ ରହିବା ପାଇଁ ଜାଗା ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସେ ଏକା କରନ୍ତି ତଥାପି ପୂଜାପାଠ ଆଗଭଳି କରୁଥାନ୍ତି ।

ଚଉରା ମୂଳେ ବାଢେଇ ନାନୀ ପାଣି ଦେଉଥାନ୍ତି ହଠାତ୍ ଆକାଶ ଉପରୁ କାଉଟା ତାଙ୍କ ଉପରେ ଝାଡା ଫେରିଦେଲା । ନଟବର ବାବୁ ଏ ଦୃଶ୍ୟ ଦେଖି ଅବାକ୍ ହୋଇ ଚାହିଁରହିଥାନ୍ତି କିନ୍ତୁ ନାନୀ ଆଗଭଳି ନ ରାଗି ହାତକୁ ଧୋଇ ପୁଣି ପୂଜାରେ ଲାଗିଗଲେ ଓ ନଟବର ବାବୁ ଦୀର୍ଘ ନିଶ୍ଵାସ ଛାଡି ଦେଲେ ଏକ ମୃଦୁ ହସ ।


Rate this content
Log in

Similar oriya story from Tragedy