ଅହମିକା
ଅହମିକା
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରତାପରେ ହରିପୁର ଗାଁ ବାସୀ ଭାରି ଅସ୍ତ ବ୍ୟସ୍ତ । ଚତୁର୍ଦିଗ ଜନଶୂନ୍ୟ । ଗାଁ ମନ୍ଦିର ପାଖରେ ଏକ ସୁନ୍ଦର ପୋଖରୀ, କାଚକେନ୍ଦୁ ଭଳି ଜଳ । ଅଧ ଘଣ୍ଟାଏ ହେଲାଣି ବସିଛି ହେଲେ ଗୋଟିଏ ମାଛ ଲାଗିନି ତା ବନିସି କଣ୍ଟାରେ । କୁନା ହରିପୁର ଗାଁର ଏକ ବାରବର୍ଷର ବାଳକ । କୌଣସି କାର୍ଯ୍ୟ କରିବା ପାଇଁ ସେ ସବୁବେଳେ ପଛଘୁଞ୍ଚା ଦିଏ ତେଣୁ ଗାଁରେ ସମସ୍ତେ ତାକୁ କର୍ମକୁଢି଼ଆ କହି ପରିହାସ କରନ୍ତି ।
ଆଜି ଯାହା ବି ହେଉ ଯେମିତି ହେଲେ ଗାଁ ପୋଖରୀରୁ ଗୋଟିଏ ବଡ ମାଛ ଚୋରେଇଆଣିବି ,ଭାରି ଖୁସିହେବେ ଘରେ ଏମିତି ଭାବି ଖରାବେଳଟାରେ ଘରୁ ପ୍ରସ୍ତୁତ ହୋଇ ଆସିଥାଏ କୁନା ।
"ଆରେ ଗୋଟିଏ ହେଲେ ବି କିଏ ଲାଗି ଯାଅରେ, ମୋ ଇଜତ ର ସବାଲ୍ " ମନେ ମନେ ମାଛମାନଙ୍କୁ ନେହୁରା ହୋଇ କହୁଥାଏ କୁନା । ଦୁଇ ତିନି ଥର ଫଟ୍ କରି ବନିସି କଣ୍ଟାକୁ ଟାଣିଲାଣି ହେଲେ ଫଳମ୍ ନାସ୍ତି । କିଛି ସମୟ ପରେ ବନିସି କଣ୍ଟା ର ସୂତାରେ ଲାଗିଥିବା ସୋଲ ଟି ପୁଣିଥରେ ହଲିବାକୁ ଲାଗିଲା । ପୁଣିଥରେ ସଜାଗ ହେଲା କୁନା । ନିଜର ସମସ୍ତ ଶକ୍ତି ଖର୍ଚ୍ଚ କରି ଫଟ୍ କରି ଟାଣିଦେଲା ବନିସି କଣ୍ଟାକୁ । ଏତେ ଜୋରରେ ଟାଣିଲା ଯେ , ସେ ଜାଣିପାରିଲାନି ମାଛ ବନିସି କଣ୍ଟାରେ ଲାଗିଛି କି ନାହିଁ । ବନିସି କଣ୍ଟାଟି ସୂତା ସହ କୁନାର ଠିକ୍ ପଛପଟେ ପଡିଥାଏ । ସଙ୍ଗେ ସଙ୍ଗେ ପଛକୁ ଚାହିଁଲା ।ଗୋଟିଏ ଅଧ କିଲିଆ ମାଛ ପଡିଛି । ଯୁଦ୍ଧ ଜିତିବା ଭଳି ଖୁସି କୁନା ମୁହଁରେ ବାରି ହୋଇଯାଉଥାଏ । ନିଜକୁ ନିଜେ ସାବାସୀ ଦେଉଥାଏ କୁନା । ମାଛକୁ ଓଦା ଗାମୁଛାରେ ଗୁଡ଼ାଇ ଅଣ୍ଟାରେ ବାନ୍ଧି ମନ ଖୁସିରେ ଧାଇଁଲା ଘରକୁ ।
ଦାଣ୍ଡଘରେ ପଡିଶା ଘର ବୁଲି ଆଈ ମନ ଦୁଃଖରେ କୁନା ବୋଉ ସହ କଥା ହେଉଥାଏ । କୁନା ତାଙ୍କୁ ଅତିକ୍ରମ କରି ସିଧା ଧାଇଁଲା ରୋଷେଇ ଘରକୁ ଓ ସାଙ୍ଗରେ ଆଣିଥିବା ମାଛକୁ ଗୋଟିଏ କଂସା ରେ ରଖି ପୁଣି ଦାଣ୍ଡ ଘରକୁ ଆସିଲା । " କଣ ହୋଇଛି ଲୋ ବୁଲି ଆଈ ମନ ମାରି ବସିଛୁ ? ଜାଣିଛୁ , ମୁଁ ଆଜି ସେ ସାମନ୍ତରା ପୋଖରୀରୁ ଗୋଟିଏ ବଢିଆ ରୋହି ମାଛ ଧରି ଆଣିଛି" ଫୁସ୍ ଫୁସ୍ ହୋଇ କହିଲା କୁନା । "ଆରେ ସତରେ ନା କଣ ?" ଏକା ଥରକେ କହି ଉଠିଲେ କୁନା ବୋଉ ଓ ଆଈ । ହଁ ପରା, ଆସୁନ ଦେଖିବ ରୋଷେଇ ଘରେ ରଖିଛି । ଦାଣ୍ଡଘରୁ ସମସ୍ତେ ଚାଲିଲେ ରୋଷେଇ ଘରକୁ । କୁନା
କଂସାରୁ ମାଛଟିକୁ କାଢି ବୋଉ ଓ ଆଈ ସାମନା ରେ ରଖିଲା । ହଠାତ୍ ବୁଲି ଆଈ ଅନ୍ୟ ମନସ୍କ ହୋଇ କଣ ଗୋଟିଏ ଭାବିବାକୁ ଲାଗିଲେ ଓ କିଛି ସମୟ ନିରବ ରହି ପଚାରିଲେ "ହଇରେ ନାତିଆ , ତୁ ଏ ମାଛଟିକୁ କେମିତି ଧରିଲୁ ?"
" ବନିସି କଣ୍ଟାରେ " ଦୃଢତାର ସହ ଉତ୍ତର ଦେଲା କୁନା ।
"କହନା ଲୋ ଆଈ ଏ ମାଛକୁ ଧରିବା ପାଇଁ ମୋତେ ଅଧଘଣ୍ଟାଏ ସମୟ ଲାଗିଲା , ଶେଷରେ ଲାଗିଲା ନା ମୋ ବନିସି କଣ୍ଟାରେ " ବହାଦୁରୀ ମାରି କହୁଥାଏ କୁନା । ହଠାତ୍ ବୁଲି ଆଈର ବଡ ପୁଅ ବୁଲା ଧଇଁ ସଇଁ ହୋଇ ପହଞ୍ଚିଲା ରୋଷେଇ ଘରେ ଓ ବୁଲି ଆଈକୁ କହିଲା "ବୁଝିଲୁ ବୋଉ ଆମ ମାଛଟା ମିଳିଯାଇଛି " ।
"ମିଳିଯାଇଛି କୋଉଠି ଅଛି ?" ଉତ୍କଣ୍ଠାର ସହ ପଚାରିଲା ବୁଲି ଆଈ । ବୁଲା ଆଈର ପୁଅ ବୁଲା ଦୀର୍ଘ ନିଶ୍ଵାସ ଛାଡି କୁନା ଆଣିଥିବା ମାଛ ଆଡକୁ ଅଙ୍ଗୁଳି ନିର୍ଦ୍ଧେଶ କରି କହିଲା " ଏଇଟା ପରା ଆମ ମାଛ "।
"ହଁ ..ହଁ .. ମୋତେ ଆଗରୁ ସେମିତି ଲାଗୁଥିଲା " କହିଲେ ବୁଲି ଆଈ ।
କୁନା ହଠାତ୍ ରାଗିଯାଇ କହିଲା " କଉଟା ତମ ମାଛ ? ମୁଁ କେତେ କଷ୍ଟରେ ବନିସି କଣ୍ଟା ପକାଇ ୟାକୁ ଧରି ଆଣିଛି, ସେ କଥା ମୁଁ ହିଁ ଜାଣିଛି ।"
ବୁଲା କହିଲା " ମିଛ କାହିଁକି କହୁଛୁ କୁନା "
"ମୁଁ ମିଛ କହୁନି" ମୁହଁକୁ ଟାଣ କରି କହିଲା କୁନା ।
ଆଛା ହେଉ ସତଟା ତାହା ହେଲେ କଣ ସମସ୍ତେ ଶୁଣ । ଧୀର ସ୍ଥିର ଭାବେ କହିବା ଆରମ୍ଭ କଲା ବୁଲି ଆଈର ବଡ ପୁଅ । ମୁଁ ଚିଲଟା ପଛେ ପଛେ ଦୌଡୁଥାଏ ହଠାତ୍ ଦୂରରୁ ଦେଖିଲି ଚିଲଟା ତା'ର ପଞ୍ଝାରେ ଧରିଥିବା ମାଛଟିକୁ କୁନାର ଠିକ୍ ପଛ ପଟେ ପକାଇଦେଲା । ମଜାକଥା ହେଲା କୁନା ଯେତେବେଳେ ବନିସି କଣ୍ଟାକୁ ଜୋରରେ ଫଟ୍ କରି ଟାଣିଦେଲା ଠିକ୍ ସେହି ସମୟରେ ଚିଲର ପଞ୍ଝାରୁ ଖସିଗଲା ମାଛଟି । ସେହି ମାଛକୁ ଧରିଆଣିଛି କୁନା ।
ଏକଥା ଶୁଣି କୁନା ବୋଉ ହଠାତ୍ କହିଲା " ହଇଲୋ ବୁଲି ମା , ଏବେ ତୁ ଯେଉଁ ଚିଲ ନେଇଯାଇଥିବା ମାଛ କଥା ମନ ଦୁଃଖରେ କହୁଥିଲୁ ଏଇଟା ସେଇୟା .......ନିଶ୍ଚିତ "।
ସବୁ ଶୁଣି କୁନା ମୁଣ୍ଡ ତଳକୁ କରି ଠିଆ ହୋଇଥାଏ । ମନେ ମନେ ଭାବୁଥାଏ " ଏଥର ବୁଝିଲି....ମାଛଟି କାହିଁକି ବନିସି କଣ୍ଟାରେ ନ ଲାଗି ଅଳ୍ପ ଦୂରରେ ପଡିଥିଲା" । କୁନାର ମାଛଧରିବାର ଅହମିକା ପାଣି ଫୋଟୋକା ପରି କୁଆଡେ ଉଭାନ ହୋଇଗଲା ।