Suneet Kumar Gouda

Inspirational

4.7  

Suneet Kumar Gouda

Inspirational

ଅନୁତାପ

ଅନୁତାପ

4 mins
42


ସରୋଜ ତର ତର ହୋଇ କେଉଁଆଡ଼େ ଯିବାକୁ ପ୍ରସ୍ତୁତ ହେଉଥାଏ । ଘର ଦାଣ୍ଡରେ ଅପେକ୍ଷା କରିଥାଏ ସନ୍ତୋଷ ।- ଆରେ, କେତେ ସମୟ ଲାଗୁଛି ତୋତେ ?- ହଁ ସରିଲା , ଯିବା ଚାଲ୍ । ଠାକୁର ଘରେ ଧୂପ ଦେଉଥିଲି ତ ।

ସରୋଜ ସାଇକେଲ ଚଳାଉଥାଏ ଓ ପଛରେ ବସିଥାଏ ସନ୍ତୋଷ । ଅଣଓସାରିଆ ରାସ୍ତାରେ ପୁଣି ପଛରେ ଜଣକୁ ବସାଇ ସାଇକେଲ ଚଳାଇବା କୌଣସି ଯୁଦ୍ଧ ଜିତିବାଠୁ କମ୍ ନୁହଁ । ଆଗକୁ ଆଉ ଗୋଟିଏ କିଲୋମିଟର ଯିବାକୁ ହେବ । ଗୋଟିଏ କିଲୋମିଟର ସାଇକେଲ ଚଳାଇ ଝାଳରେ ସମ୍ପୂର୍ଣ୍ଣ ଓଦା ହୋଇସାରିଥାଏ ସରୋଜ । ଦୂରତା ଯେତେ କମୁଥାଏ, ତାର ହୃଦସ୍ପନ୍ଦନ ସେତେ ବଢୁଥାଏ ।    ଦେଖୁ ଦେଖୁ ପହଞ୍ଚିଗଲେ ହରିପୁର ଗାଁରେ । ଘର ଆଗରେ ରାଜେଶ , ସରୋଜ ଓ ସନ୍ତୋଷକୁ ଅପେକ୍ଷା କରି ରହିଥାଏ । ଦୁହେଁ ପହଞ୍ଚିଗଲେ ରାଜେଶ ଘରେ । ରାଜେଶ, ଦୁଇ ସାଙ୍ଗକୁ ଘର ଭିତରକୁ ଡାକିନେଲା ।   ରାଜେଶ ହରିପୁର ଗାଁର ପୋଷ୍ଟମାଷ୍ଟରଙ୍କ ଗୋଟିଏ ମାତ୍ର ପୁଅ । ବାପା, ପୁଅର ସମସ୍ତ ଇଚ୍ଛା ପୁରଣ କରନ୍ତି । ଘରେ କମ୍ପ୍ୟୁଟର ସହ ଇଣ୍ଟରନେଟର ସୁବିଧା ମଧ୍ୟ କରିଦେଇଛନ୍ତି । କାଳ ବିଳମ୍ବ ନକରି ରାଜେଶ କମ୍ପ୍ୟୁଟର ଅନ୍ କଲା । ସରୋଜ ଓ ସନ୍ତୋଷ ପାଖରେ ବସି ସବୁ ଦେଖୁଥାନ୍ତି । ରାଜେଶ କମ୍ପ୍ୟୁଟରରେ କଣ ଗୋଟିଏ ଟାଇପ କରିବାରୁ କମ୍ପ୍ୟୁଟର ସ୍କ୍ରିନରେ ଲେଖାଗଲା "ତିରିଶ ମିନିଟ୍ ପରେ ପରୀକ୍ଷା ଫଳ ପ୍ରକାଶିତ ହେବ ।"

  ଦଶମ ଶ୍ରେଣୀରେ ପଢ଼ନ୍ତି ତିନି ବନ୍ଧୁ । ଗାଁରେ ଇଣ୍ଟରନେଟର ସୁବିଧା ନଥିବାରୁ ସରୋଜ ଓ ସନ୍ତୋଷ , ପରୀକ୍ଷାଫଳ ଦେଖିବାପାଇଁ ରାଜେଶ ପାଖକୁ ଆସିଛନ୍ତି । ଦୀର୍ଘ ଗୋଟିଏ ବର୍ଷର ପରିଶ୍ରମର ଫଳ ଆଜି ପ୍ରକାଶିତ ହେବ ।

ଦେଖୁ ଦେଖୁ ଅଧ ଘଣ୍ଟାଏ ହୋଇଗଲା । ପ୍ରଥମେ ରାଜେଶ ତାହାର ରେଜଲ୍ଟ ଦେଖିଲା ଓ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବାରୁ ଖୁସିରେ ନାଚି ଉଠିଲା । ସେହି ସମୟରେ ସାଙ୍ଗର ସଫଳତା ଦେଖି ସରୋଜ ଗୋଟିଏ ମିଛ ମୁରୁକିହସ ଦେଲା କାରଣ ଏବେବି ଏକ ଅଜଣା ଭୟ ତାକୁ ଡରାଉଥାଏ । ସନ୍ତୋଷ ବି ସେକେଣ୍ଡ୍ ଡିଭିଜନରେ ପାସ୍ କରିଛି । ଶେଷରେ ରାଜେଶ, ସରୋଜର ରୋଲ ନମ୍ବର କମ୍ପ୍ୟୁଟରରେ ଟାଇପ କଲା । ସରୋଜ ଏକ ଲୟରେ ଚାହିଁ ରହିଥାଏ କମ୍ପ୍ୟୁଟର ସ୍କ୍ରିନକୁ । ଅନେକ ଅଶୁଭ ଭାବନା ମାଡ଼ିଆସୁଥାଏ ତା ମନରେ । ସେ ଯାହା ଭୟ କରୁଥିଲା ,ତାହା ହିଁ ହେଲା । ଇଂରାଜୀରେ ସତେଇଶି ମାର୍କ ରଖିଥିବାରୁ ସେ ପରୀକ୍ଷାରେ ଫେଲ ହୋଇଯାଇଥିଲା । ଆଖିରୁ ତା'ର ତାଜା ଓ ତତଲା ଲୁହ ଗୁଡାକ ଟପ ଟପ ହୋଇ ତଲେପଡୁଥିଲା । ରାଜେଶ ଓ ସନ୍ତୋଷ ତାକୁ ସାନ୍ତ୍ୱନା ଦେଉଥିଲେ ।- ମନ ଦୁଃଖ କରନା ସରୋଜ , ଆସନ୍ତା ସପ୍ଲିମେଣ୍ଟାରୀ ପରୀକ୍ଷା ଦେଇ ତୁ ପାସ୍ ହେଇଯିବୁ ।

ସରୋଜ ନିରବ ଓ ନିର୍ବାକ ଭାବେ ଠିଆହୋଇଥାଏ ପଥର ଭଳି । ମନରେ ଭାସିଆସୁଥାଏ ବାପାଙ୍କୁ ଦେଇଥିବା ପ୍ରତିଶୃତି ଓ ସୁବ୍ରତ ସାରଙ୍କୁ କରିଥିବା ପ୍ରତିଜ୍ଞା । ସୁବ୍ରତ ସାର୍ କେତେଥର ବୁଝାଇଥିବେ ତା'କୁ ଇଂରାଜୀରେ ଅଧିକ ଫୋକସ କରିବାକୁ କିନ୍ତୁ କାହିଁକି କେଜାଣି ଇଂରାଜୀ ବିଷୟଟା ଭାରି ଡରାଏ ତା'କୁ ।

କିଛି ସମୟ ପରେ ଦୁହେଁ ଗାଁକୁ ଫେଇବାକୁ ବାହାରିଲେ । ଏଥର କିନ୍ତୁ ସାଇକେଲକୁ ଚଳାଉଥାଏ ସନ୍ତୋଷ ଓ ପଛରେ ବସିଥାଏ ସରୋଜ । ସତେ ଯେମିତି ତା ଶରୀରର ସମସ୍ତ ଶକ୍ତି କ୍ଷୟ ହୋଇଯାଇଛି । ସନ୍ତୋଷ ତା'କୁ ଘରେ ଛାଡ଼ି ନିଜ ଘରକୁ ଚାଲିଗଲା ।

ଘରେ କେହି ନଥାନ୍ତି । ବାପା ଓ ବୋଉ ବିଲକୁ ଯାଇଥାଆନ୍ତି । କାନ୍ଥରେ ଲାଗିଥିବା ଧୂଳି ଧୁସରିତ ଘଣ୍ଟାଟିକୁ ଚାହିଁ ସରୋଜ ତା'ର ଅତୀତରେ କରିଥିବା ପରିଶ୍ରମ ବିଷୟରେ ଭାବୁଥାଏ ଓ ଟିକ୍ ଟିକ୍ ଶବ୍ଦ କରି ଘଣ୍ଟାଟି ଯେମିତି କହୁଥାଏ- ତୁ ହାରିଯାଇଛୁ ସରୋଜ , ତୁ   ହାଇଯାଇଛୁ ।ସରୋଜ ସେଠାରୁ ବିରକ୍ତ ହୋଇ ବାଡ଼ି ପଟକୁ ଚାଲିଗଲା । ଯେତେବେଳେ ବି ସରୋଜ ଦୁଃଖରେ ଥାଏ ବାଡ଼ିରେ ବସି ପକ୍ଷୀମାନଙ୍କ କିଚିରି ମିଚିରି ଶବ୍ଦ ଶୁଣି ଦୁଃଖ ଲାଘବ କରେ କିନ୍ତୁ ଆଜି ପକ୍ଷୀମାନଙ୍କର କିଚିରି ମିଚିରି ଶବ୍ଦ ଗୁଡାକ ଅତିଷ୍ଠ କରୁଥିଲେ ସରୋଜକୁ । ତାକୁ ଲାଗୁଥିଲା ପକ୍ଷୀମାନେ ଯେମିତି ତା'ର ବିଫଳତାକୁ ଉପହାସ କରୁଛନ୍ତି । ଏମିତି ଅନେକ କଥା ଭାବୁ ଭାବୁ ତା'ର ନଜର ପଡିଲା କୂଅରେ ଲାଗିଥିବା ଦଉଡ଼ିଟି ଉପରେ । ଦଉଡିଟା ସତେ ଯେମିତି ଭାରି ନିଜର ଲାଗୁଥିଲା ତା'କୁ । ଦଉଡିଟିକୁ ବାଲ୍ଟିରୁ ଫିଟାଇ ଘର ଭିତରକୁ ଚାଲିଗଲା ସେ । 

ମଶିଣାରେ ଶୋଇରହିଥାଏ ସରୋଜ । ବାପା କାନ୍ଥରେ ମୁଣ୍ଡ ଆଉଜାଇ ସ୍ଥାଣୁହୋଇ ବସିଥାନ୍ତି । ବୋଉ କାନ୍ଦି କାନ୍ଦି ବାରମ୍ବାର ବେହୋସ ହେଉଥାଏ । ପାଖରେ ସାଙ୍ଗସାଥି ଓ ସାହି ପଡୋଶୀ ଆଖିରୁ ଲୋତକ ଧାର ଝରାଉଥାନ୍ତି । ଘରେ ଓ ସାହିରେ ଗହଳ ଚହଳ କରୁଥିବା ପିଲାଟା ଆଜି ନିରବ ହୋଇ ଶୋଇରହିଛି । ସରୋଜ ଶରୀରରୁ ତା'ର ଆତ୍ମା ବାହାରି ଏସବୁ ଦୃଶ୍ୟ ଦେଖୁଥାଏ । ସୁବ୍ରତ ସାର୍ ପାଖରେ ଠିଆହୋଇ କହୁଥାନ୍ତି ।- ସରୋଜ ତୁମେ ଏମିତି କାହିଁକି କଲ ! ଇଂରାଜୀରେ କେବଳ ଫେଲ୍ ହୋଇଥିଲ । ପୁଣି ଚେଷ୍ଟାକଲେ ପାସ୍ ହୋଇପାରନ୍ତ । ତୁମ ବାପା ,ମା କଥା ଟିକେ ଭାବିଲନି ।ସାଙ୍ଗମାନେ କହୁଥାନ୍ତି - ତୁ ଫେଲ୍ ହୋଇଗଲୁ ବୋଲି ଆମେ ତୋ ସହ କଣ ସାଙ୍ଗ ହୋଇନଥାନ୍ତୁ !ତୁ ଏମିତି କାହିଁକି କଲୁରେ ସାଙ୍ଗ !ବାପା କାନ୍ଦି କାନ୍ଦି କହୁଥାନ୍ତି- ପ୍ରତିଶୃତି ପୂରଣ ନକରିପାରିଲେ କେହି କେବେ କଣ ନିଜଜୀବନ ହାରିଦିଅନ୍ତି । ଏମିତି ନିର୍ବୁଦ୍ଧିଆ କାମ କେମିତି କଲୁରେ ମୋ ଧନ ।

ସରୋଜର ଆତ୍ମା ଏସବୁ କଥା ଶୁଣି ଭୋ ଭୋ ହୋଇ କାନ୍ଦିବାରେ ଲାଗିଲା କିନ୍ତୁ ତା'ର କାନ୍ଦ କେହି ଶୁଣିପାରୁନଥିଲେ । ସେ ଏଭଳି ଭୂଲ ନିଷ୍ପତି ନେଇଥିବାରୁ ଅନୁତାପର ନିଆଁରେ ଜଳୁଥିଲା । 

ସରୋଜର ବୋଉ ତା'ର ଶବକୁ ହଲାଇ କାନ୍ଦି କାନ୍ଦି ଡାକୁଥିଲେ - ଉଠ୍ ରେ ସରୋଜ , ଉଠ୍ ।ବୋଉର କାନ୍ଦିକି ଉଠାଇବା ଡାକଟା ଧୀରେ ଧୀରେ ରାଗିଲା ଭଳି ଡାକରେ ପରିବର୍ତ୍ତନ ହେଉଥିଲା । ଆଖି ଖୋଲିଲା ବେଳକୁ ବୋଉ ପାଖରେ ବସିଛି । ଏହା ଏକ ସ୍ୱପ୍ନ ଥିଲା ଜାଣିପାରି ସରୋଜ ଏକ ଦୀର୍ଘନିଃଶ୍ଵାସ ଛାଡି ଆସ୍ୱସ୍ତି ପାଇଲା ।

- ସନ୍ତୋଷ ସେତେବେଳୁ ତୋତେ ଅପେକ୍ଷା କରିଛି ଅଥଚ ତୁ ଏଠାରେ ଶୋଇରହିଛୁ । ଆଜି ତୋର ପରୀକ୍ଷା ଫଳ ବାହାରିବ ନା ! ପୁଅରେ ତୁ ପାସ୍ ହେ କି ଫେଲ୍ ହେ , କେବେ ବି କିଛି ଅଶୁଭ କଥା ଭାବିବୁନି ।- ନାଇଁ ବୋଉ , ମୋ ସ୍ବପ୍ନ କେବେ ସତ ହେବନି ।- କି ସ୍ୱପ୍ନରେ ପୁଅ !- ମୁଁ ଆସିଲା ପରେ କହିବି ବୋଉ ।


Rate this content
Log in

Similar oriya story from Inspirational