Suneet Kumar Gouda

Abstract

4.0  

Suneet Kumar Gouda

Abstract

କରୋନା: ଏକ ନୂଆ ଅନୁଭୂତି

କରୋନା: ଏକ ନୂଆ ଅନୁଭୂତି

2 mins
243


ମାର୍ଚ୍ଚ ୨୩ ତାରିଖ । ଲକ୍ ଡାଉନ୍ ଜନ୍ମ ନେବାର ମାତ୍ର ଗୋଟିଏ ଦିନ ହୋଇଥାଏ । ନିୟମ ବେଶୀ କଡା କଡ଼ି ହୋଇନଥାଏ ତଥାପି ଗଞ୍ଜାମ ପୋଲିସ୍ ସକ୍ରିୟ ଥାଏ । ଦେହ ଟିକେ ଭଲ ନଥିବାରୁ ଘରେ କହିଲେ ଡାକ୍ତରଙ୍କୁ ଟିକେ ଦେଖାଇଆସ୍ । ସବୁଆଡେ ଖାଲି କରୋନା । ଟିଭି ଦେଖିଲେ କରୋନା , ମୋବାଇଲ ବ୍ରାଉଜ୍ କଲେ କରୋନା , ପେପର୍ ପଢିଲେ କରୋନା । ଏ ଶବ୍ଦ ଶୁଣି ଶୁଣି ମୋ ଭିତରେ କେମିତି ଗୋଟାଏ ଅଜଣା ଭୟ ସୃଷ୍ଟି ହୋଇଯାଇଥାଏ ତେଣୁ ମୁଁ ବି ଚିନ୍ତାକଲି ଡାକ୍ତରଙ୍କ ଟିକେ ପରାମର୍ଶ ନେଇଯିବା ପାଇଁ ।


ବାଇକ୍ ବାହାର କରି ଚାଲିଲି ଡାକ୍ତରଖାନା ଅଭିମୁଖେ । କିଛି ବାଟ ଯାଇଥାଏ ଆଗରେ ଦେଖିଲି ମାମୁଁ ଘର ଗାଡି ରାସ୍ତା ପାର୍ଶ୍ୱରେ ଅଛି ମାନେ ପୋଲିସ୍ ଗାଡି । ହେଲେ ମୁଁ କାହିଁ ଡରିବି ଯେ ?, ମୁଁ ତ ଡାକ୍ତରଖାନା ଯାଉଛି ଏମିତି ଭାବି ଭାବି ଗାଡିଟିକୁ ଅଣଦେଖା କରି ଅତିକ୍ରମ କରିବା ପାଇଁ ଚେଷ୍ଟା କରୁଥାଏ ହଠାତ୍ ମୋ ଗାଡ଼ି ଆଗରେ ଠିଆ ହୋଇଗଲେ ଜଣେ ନିସୁଆ ପୋଲିସ୍ । ହାତରେ ଥାଏ ନୀଳ ରଙ୍ଗର ହାର୍ଡ ପାଇପ୍ ।

- କୁଆଡେ ....କୁଆଡେ....

ଆଖିକୁ ଢେଲା ଢେଲା କରି ମୋ ଆଡ଼କୁ ଚାହିଁ ଚିତ୍କାର କଲେ ।


- ଆଜ୍ଞା ମୁଁ ଡାକ୍ତରଖାନା ଯାଉଛି ।

ମୁଁ ମଧ୍ୟ ନିର୍ଭୟରେ କହିଲି ।

ପ୍ରେସକ୍ରିପ୍ସନ୍ ଦେଖାଇବା ପାଇଁ କହିଲେ କିନ୍ତୁ ଡାକ୍ତରଖାନା ନ ଯାଇ ପ୍ରେସକ୍ରିପ୍ସନ୍ କେଉଁଠି ପାଇବି ଏହି କଥାକୁ ବୁଝାଇବା ପାଇଁ ଚେଷ୍ଟା କରୁଥାଏ , ସେ ମୋ ପାଖକୁ ଭୋକିଲା ବାଘ ପରି ମାଡ଼ିଆସିଲେ । ବୋଧେ ସେ ବୁଝିବାର ପରିସ୍ଥିତିରେ ନଥିଲେ ।


-" ପ୍ରେସକ୍ରିପ୍ସନ୍ ନାହିଁ, ତମେ ସବୁ ଟୋକା ଗୁଡାକ ମିଛ କହୁଛ" କହି ପାଇପ୍ ରେ ମୋର ଆଣ୍ଠୁକୁ ଦେଲେ ଏକ ଶକ୍ତ ପ୍ରହାର ।

ମୁଁ ସଙ୍ଗେ ସଙ୍ଗେ ରାଗିଗଲି କିନ୍ତୁ ପରିସ୍ଥିତିକୁ ଅନୁଧ୍ୟାନ କରି ସେଠାରୁ ପଛକୁ ଯାଇ ଅନ୍ୟ ଏକ ରାସ୍ତାରେ ଡାକ୍ତରଖାନା ଗଲି । ଡାକ୍ତରଙ୍କୁ ଦେଖାଇ ପ୍ରେସକ୍ରିପ୍ସନ୍ କରି ଔଷଧ ଆଣିଲି ତଥାପି ମୋର ମନଟା ସେହି ପୋଲିସଙ୍କ ପାଖରେ ଥାଏ । ବିନା ଦୋଷରେ ମୁଁ ମାଡ଼ ଖାଇଲି । ସାର୍ଟ ପକେଟରେ ମୋବାଇଲ କ୍ୟାମେରାକୁ ଭିଡ଼ିଓ ମୋଡ଼ରେ ରଖିଲି ଓ ବାଇକ୍ ହ୍ୟାଣ୍ଡେଲରେ ଔଷଧ ଜରିକୁ ଝୁଲାଇ ସେହି ମୁଖ୍ୟ ରାସ୍ତା ଦେଇ ପୁଣି ଫେରିଲି । ମନେ ମନେ ଭାବୁଥାଏ ଏଥର ଯଦି ଅଟକାନ୍ତି , ଭିଡ଼ିଓ କରି ସିଧା ଭାଇରାଲ୍ କରିଦେବି ଯେ ସିଧା ସସପେଣ୍ଡ୍ ହୋଇଯିବେ । ସେହି ନିସୁଆ ପୋଲିସ ପୂର୍ବଭଳି ରାସ୍ତା ପାର୍ଶ୍ୱରେ ଠିଆ ହୋଇଥାନ୍ତି କିନ୍ତୁ ମୋତେ ଆଉ ଅଟକାଇଲେ ନାହିଁ । ବୋଧହୁଏ ସେ ହ୍ୟାଣ୍ଡେଲରେ ଝୁଲୁଥିବା ଔଷଧ ଜରିକୁ ଦେଖିପାରିଥିଲେ ।


ଘରକୁ ଫେରି ଚିନ୍ତାକଲି, ଆଜି ପୋଲିସ୍ ଜଣକ ଯାହା କଲେ ବାସ୍ତବରେ ତାହା କ'ଣ ସମୀଚିନ ଥିଲା । ଆତ୍ମସମୀକ୍ଷା କଲା ପରେ ବୁଝିଲି ସେ ତ କେଵଳ ତାଙ୍କର କର୍ତ୍ତବ୍ୟ କରିଛନ୍ତି । ସେ ବା କେମିତି ଜାଣିଥାନ୍ତେ କଥାଟା ସତ ଥିଲା କି ମିଛ ।


କିଛି ସମୟ ପରେ ବାଥରୁମକୁ ଯାଇ ମାଡ଼ ହୋଇଥିବା ଆଣ୍ଠୁକୁ ଦେଖିଲି । ମୋଟା ପାଇପ୍ ଆକାରର ନୋଳା ବସିଯାଇଥାଏ । ଯେତିକି ଯନ୍ତ୍ରଣା ହେଉଥାଏ ତା'ଠାରୁ ଅଧିକ ହସ ଲାଗୁଥାଏ କାରଣ ପୋଲିସଠୁ ଲାଠିମାଡ଼ ଖାଇବା ଥିଲା ମୋ ପାଇଁ ପ୍ରଥମ ଅନୁଭୂତି । ଭାଗ୍ୟ ଭଲ ମାଡ଼ ଖାଇଲା ବେଳେ କେହି ମୋର ଭିଡ଼ିଓ କରିନଥିଲେ ।


Rate this content
Log in

Similar oriya story from Abstract