Bhagyashree Nanda

Comedy Drama

4.2  

Bhagyashree Nanda

Comedy Drama

ଆକବର ଖାନ ଗୁଡ଼ାଖୁ

ଆକବର ଖାନ ଗୁଡ଼ାଖୁ

5 mins
327



          ଗାଁର ପାଣିପବନର ବାସ୍ନା,ବୋହି ଯାଉଥିବା ନଈର କୂଳୁ କୂଳୁ ଶବ୍ଦ, ଆମ୍ବ ତୋଟାରେ କୋଇଲିର କୁହୁ ତାନ, ଭିଜା ମାଟିର ଆତ୍ମବିଭୋର କରୁଥୁବା ଗନ୍ଧ, ଗାଁ ମନ୍ଦିରରୁ ପଵନରେ ଭାସି ଆସୁଥିବା ମନ୍ତ୍ରପାଠ ଓ ଘଣ୍ଟଧ୍ୱନୀ, ଶଗଡ଼ ଗାଡିର ପ୍ରତିଧ୍ୱନୀ ଆହୁରି ଅନେକ କିଛି ଯାହା ଲେଖିବାକୁ ବସିଲେ ବି ସରିବନି, ସେ ସବୁ ଆଜିର ଏ ସହରୀ ସଭ୍ୟତାରେ ବିଲୁପ୍ତ ପ୍ରାୟ | ସେ ଅନୁଭୂତିକୁ ଖୋଜିବାକୁ ବସିଲେ ଆଖି ପତା ଭିଜିବା ବ୍ୟତୀତ ଆଉ କିଛି ମିଳିବନି | 

           ଆମ ଗାଁଟି ବି ଏଇ ସବୁ ସୌନ୍ଦର୍ଯ୍ୟରେ ଭରପୁର | ପିଢ଼ି ପରେ ପିଢ଼ି ବିତି ଯାଇଥିଲେ ବି, ଗାଁ ଦେଇ ବୋହି ଯାଇଥିବା ନଦୀ ଆଜି ବି ବୋହିବାର ଲାଗିଛି ଓ ଅତୀତର ପୃଷ୍ଠାକୁ ଲେଉଟାଇବାରେ ସହାୟକ ସାଜୁଛି | ଆମ ଘରପାଖରୁ ଖୁବକମ ବାଟପରେ ଆମ ଆମ୍ବ ବଗିଚାଟି ପଡେ, ଯୋଉଠିକି ଠାକୁରାଣୀ ମନ୍ଦିର ଦେଇ ଯିବାକୁ ହୁଏ ଓ ଆମ୍ବ ବଗିଚା ଡେଇଁଲେ ନଈ | ଆମ ଗାଁର ମୁଖ୍ୟ ବଜାରରେ ଆମର ମାଲ ଗୋଦାମ ଥିଲା |ଗୋଦାମର ଜିନିଷ ସବୁ କଟକରୁ ଯାଉଥିଲା | ବାପା କଟକ ଆସି ଜିନିଷ ନେବା ସହ ବିଭିନ୍ନ ରକମର ଭଳିକି ଭଳି ଜିନିଷ ଆମ ପାଇଁ ନିଅନ୍ତି | ଆଉ ବାପା ଯାହା ଖାଦ୍ୟ ଜିନିଷ ନିଅନ୍ତି, ମୁଁ ସ୍କୁଲକୁ ନେଇଯାଏ ଓ ସାଙ୍ଗସାଥୀ ମାନଙ୍କ ସହ ବାଣ୍ଟିକି ଖାଉ | 

           ଖରାଦିନର କଥା | ସ୍କୁଲ ଆମର ଛୁଟି ଥାଏ | ସାଙ୍ଗପିଲାଙ୍କ ସହ ପ୍ରତ୍ୟକଦିନ ଖେଳିବାରେ ଆମେମାନେ ବ୍ୟସ୍ତ | ଖେଳ ଭିତରେ ଆଇସ ପାଇସ, ଲୁଚକାଳୀ, ବୋହୁଚୋରୀ ଇତ୍ୟାଦି ଖେଳଗୁଡିକ ଆମର ମୁଖ୍ୟ ଥିଲା | ମୁଁ ଆଉ ମୋ ନାନୀ,ଆମେ ଦି ଭଉଣୀ ଖେଳୁ ,ଆଉ ଆମସହ ସାଙ୍ଗ ହୁଅନ୍ତି ବାସନ୍ତୀ, ଲତା ଓ ଗୀତା | ଆମେ ସବୁ ସହପାଠୀ ଥିଲୁ ହେଲେ ବାସନ୍ତୀ ଆମ ସାଙ୍ଗରେ ପଢୁନଥିଲା, ବୟସରେ ସେ ଆମମାନଙ୍କ ଠାରୁ ବଡ଼ ଥିଲା, କିନ୍ତୁ ସେ ଆମ ମାନଙ୍କର ଖେଳ ସାଙ୍ଗ ଥିଲା | ତା ଘରର ପରିସ୍ଥିତି ଏତେ ସ୍ୱଚ୍ଛଳ ନଥିଲା ଓ ମା' ରୁଗ୍ଣ ହେଇଥିବା କାରଣରୁ ତାଙ୍କଘରର ସମସ୍ତ କାମ ବାସନ୍ତୀ ହିଁ କରୁଥିଲା | ତାର ଗୋଟେ ବଦଭ୍ୟାସ ଥିଲା ଯେ, ସେ ପ୍ରତିଦିନ ଗୁଡ଼ାଖୁ ଘଷୁଥିଲା | ଗୁଡ଼ାଖୁ ଘଷିବାରେ ସେ ଥିଲା ମାହିର | ଏବେ ସିନା ବଦ ଅଭ୍ୟାସ ବୋଲି କହୁଛି,ହେଲେ ସେତେବେଳେ ସେ ହିଁ ଆମ ସାଙ୍ଗ ମାନଙ୍କ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ଓ ଆମମାନଙ୍କ ମନରେ ଭାରି କୌତୁହଳ ଥିଲା ତା'ଠାରୁ ଟିକେ ଗୁଡ଼ାଖୁ ଘଷିବାର କଳାଟା ଶିଖିବା ପାଇଁ | ଆମ ବାପା ଗୁଡ଼ାଖୁ ଘଷୁଥିଲେ ଓ ଘରେ କାମକରୁଥିବା ଚାକର ପୂଜାରୀ ମଧ୍ୟ୍ୟ ଘଷନ୍ତି | ଆମ ଘରକୁ ବାପା କଟକରୁ ଗୁଡ଼ାଖୁ ନିଅନ୍ତି," ଆକବରୀ_ଗୁଡ଼ାଖୁ" | ସେ ସମୟରେ ଭାରି ପ୍ରସିଦ୍ଧ ସେ ଗୁଡ଼ାଖୁଟି | ସେ ଗୁଡ଼ାଖୁର ବାସ୍ନା କାଳେ ନିଆରା ଓ ସବୁ ଗୁଡ଼ାଖୁ ଘଷାଳୀଙ୍କର ସେଇଥିରେ ହିଁ ଲୋଭଥାଏ | ହେଇଥିବ ଆମେ କୁଆଡୁ ବୁଝିବୁ? ଯିଏ ଘଷେ ସେ ସିନା ବୁଝିବ | ଆମେ ବାସନ୍ତୀକୁ ବହୁଥର କହିଚୁ,ଆମକୁ ବି ଟିକେ ଗୁଡ଼ାଖୁ ଘଷିବାର କଳାଟା ଶିଖେଇବା ପାଇଁ,ହେଲେ ସେ ଆମକୁ ମନାକରେ | ସେଦିନ ଖେଳିସାରି ଆମେମାନେ ଦାଣ୍ଡ ପିଣ୍ଡାରେ ବସିଥିଲୁ | ସନିଆ( ଆମ ଘର ଚାକର ଥିଲା) ଦାଣ୍ଡପିଣ୍ଡାରେ ବସି ଗୁଡ଼ାଖୁ ଘଷୁଥାଏ | ବାସନ୍ତୀ କଣ ଭାବିଲା କେଜାଣି ଆମକୁ ଡାକିକି କହିଲା, "ତୁମେମାନେ ଗୁଡ଼ାଖୁ ଘଷିବା ଶିଖିଵ ବୋଲି କହୁଥିଲ ବା? କାଲି ସକାଳୁ ଗାଧେଇବା ପାଇଁ ଗଲା ବେଳେ, ତୁମଘରେ ଯୋଉ ଗୁଡ଼ାଖୁ ଅଛି ନେଇକି ଆସିବ | ମୁଁ ଶିଖେଇଦେବି ଗୁଡ଼ାଖୁ ଘଷା |" ଆମ ମନ ପୁରାଖୁସୀ | ତା ପରଦିନ ସକାଳୁ ନାନୀ,ମୁଁ,ଲତା,ଗୀତା ଓ ବାସନ୍ତୀ ବାହାରିପଡିଲୁ ନଈକୁ ଗାଧେଇବାକୁ | ଆମେ ସାଙ୍ଗରେ ଗୁଡ଼ାଖୁ ନେବାକୁ ଆଦୌ ଭୁଲିନଥିଲୁ | ଗାଧେଇଲା ବେଳେ ବାସନ୍ତୀ ଆମକୁ କହିଲା,"ଏ ଗୁଡ଼ାଖୁ ଭାରି ନିଆରା ଓ ୟା'ର ବାସ୍ନା ଅତି ସୁମଧୁର | ଦେଖ ମୋତେ,ମୁଁ ଯେମିତି ଘଷିବି,ତୁମେ ମାନେ ମୋତେ ଦେଖିକି ଠିକ ସେମିତି ଘଷ |" ଆମେ ମାନେ ଗୁଡ଼ାଖୁ ଘଷିବା ପାଇଁ ପ୍ରସ୍ତୁତ ହେଇ ବସିପଡିଲୁ ନଈ ପଠାରେ,ପୁରା ଠାଣିରେ | ଗୁଡ଼ାଖୁ ଘଷିବା ଆରମ୍ଭ କଲୁ | ବାସନ୍ତୀ ତ ଅଭ୍ୟସ୍ତ,ସେ ମନଭରି ଉପଭୋଗ କରୁଥିଲା ଆକବରୀ ଗୁଡ଼ାଖୁକୁ | ଆମେ କିଛି ସମୟ ଘଷିବାପରେ ଆଉ କି ଥୟ | ଗୁଡ଼ାଖୁର କଡାରେ ଆମ ମୁଣ୍ଡ ଆଉ ଉଠୁନଥାଏ, ଚତୁର୍ଦ୍ଦିଗ ଅନ୍ଧାର ଦିଶୁଥାଏ | ନଈବାଲିରେ ଚିତପଟାଙ୍ଗ ହୋଇ ଜଣ ଜଣ କରି ଓଲଟିପଡ଼ିଲୁ ମୁଣ୍ଡ ଉଠେଇ ଛିଡାହେଲେ ତ ଘରକୁ ଯିବୁ | ଆମ ଅବସ୍ଥା ଦେଖି ବାସନ୍ତୀ ଗୁଡ଼ାଖୁ ଆଉ ଘଷିବ କଣ,ବିଚାରା ଭୟରେ ଆମକୁ ଜଣ ଜଣ କରି ଉଠେଇବାରେ ବ୍ୟସ୍ତ | କଣଆଉ କରିବ ସେ, ଆମକୁ କହିଲା ନଈ ପାଣିରେ ମୁଣ୍ଡକୁ ବୁଡେଇକି ଧୋଇଦିଅ | ଆମେ ମୁଣ୍ଡ ବୁଡ଼େଇଲା ବେଳକୁ, ଆଉ ଉଠେଇପାରିଲେ ତ | ଆମେ ତ ଚାରିଜଣ ହେଲୁଣି | ସେ ବିଚରା କାହାକୁ ସମ୍ଭାଳିବ ! ଆମେ ଅଧା ପାଣିରେ,ଆଉ ଅଧା ବାଲିରେ | ସେତେବେଳକୁ ଖରା ଆସି ମୁଣ୍ଡ ଉପରେ | ବହୁ କଷ୍ଟରେ ବାସନ୍ତୀର ତତ୍ତ୍ୱାବଧାନରେ ଆମେ ଘର ଅଭିମୁଖେ ବାହାରିଲୁ | ନଈବାଲିରେ ଗୋଡ଼ ଟଳ ମଳ | ୟା ଭିତରେ ବାସନ୍ତୀ,ନଈ କୂଳରୁ ବାଲିଉପରେ ପଡ଼ିଥିବା ତାର ବହୁମୂଲ୍ୟ ସମ୍ପଦ,ଆକବରୀ ଗୁଡ଼ାଖୁକୁ ଅତି ଯତ୍ନର ସହିତ ଅଣ୍ଟାରେ ଆଣି ଖୋସିଦେଇଥାଏ | ଆମ ଅବସ୍ଥା ପୁରା ଶୋଚନୀୟ ।ନଈକୂଳରୁ ଘରକୁ ଯିବା ପାଇଁ,ଆମ ଆମ୍ବବଗିଚା ଦେଇ ଯିବାକୁ ହବ | ବାଟରେ ସିଝୁଗଛ | ଆମେ ଆଉ ଚାଲିବା ପରିସ୍ଥିତିରେ ତ ନଥାଉ, ଘୁଷୁଡ଼ି ଘୁଷୁଡ଼ି ଯିବା ଆରମ୍ଭ କଲୁ | ସିଝୁ ଗଛର କଣ୍ଟାରେ ଦେହହାତ, ଲୁଗାପଟା ଛିଣ୍ଡି ଗଲାଣି, ବାଟରେ ପଡିଥିବା ଯେତେ ପ୍ରକାରର ମଳମୂତ୍ର ଇତ୍ୟାଦିକୁ ବି ଆମର ନିଘା ନାହିଁ | ଆମେ ତ ଗୁଡ଼ାଖୁର ନିଶାରେ ପୁରା ଚିତପଟାଙ୍ଗ | ଭାରି କଷ୍ଟରେ ଆମେମାନେ ଯାଇ ଆମ୍ବତୋଟାରେ ପଂହଁଚିଲୁ | ଆମ୍ବଗଛ ମୂଳେ ଯାଇ ଲୋଟିପଡ଼ିଲୁ | ପୁଣି ସେଠୁ ଘରକୁ ଯିବାକୁ ହବ | ବାସନ୍ତୀ କହିଚାଲିଥାଏ, ଆଜି ମୁଁ ମଲି, ତୁମେ ମାନେ ଏମିତି ଗୁଡ଼ାଖୁ ଘଷିକି ହଉଛ ବୋଲି ଘରେ ଯଦି ଜାଣିବେ ମୋ ଭେଳା ବୁଡିବ ସେଠି କିଛିସମୟ ବିଶ୍ରାମ ନେବା ଭିତରେ,ଠାକୁରାଣୀ ମନ୍ଦିର ଆମ ସାମ୍ନାରେ | ଜୀବନ ବିକଳରେ ଠାକୁରାଣୀ ଙ୍କୁ କେତେ କଣ ମାନସିକ କରିଦେଇଥାଉ |

          ଖରା ଆସି ମୁଣ୍ଡ ଉପରେ ହେଲାଣି | ଘରୁ,ନଈ ଅଭିମୁଖେ ଗାଧେଇବା ପାଇଁ ବାହାରିବା ବହୁ ସମୟ ହେଇଗଲାଣି | ଲୋକ ସବୁ ବିଲ କାମ ସାରି ଖରାବେଳେ ପଖାଳ ଗଣ୍ଡେ ଖାଇବା ପାଇଁ ଘରକୁ ଫେରିଲେଣି | ଆମେ କିନ୍ତୁ ଗୁଡ଼ାଖୁ ଘଷି ଆମ୍ବ ଗଛମୂଳେ ପଡିଚୁ | ଟିକେ ଭଲ ଲାଗିଲା ପରେ ଉଠିକି ଘରକୁ ବାହାରିଲୁ | ଯିଏ ଯାହା ଘରକୁ ଗଲେ | ବାସନ୍ତୀ ଆମକୁ ଆମ ଘର ଦାଣ୍ଡରେ ଛାଡିକି ନାକ ସିଧା ତା ଘରକୁ ଚାଲିଗଲା | ଆମେ ଘରକୁ ଆସିଲା ପରେ ମୁଁ ଆଉ ଜାଣିନି ନାନୀ କୁଆଡେ ଗଲା | ମୁଁ ଏକ ମୁଁହା ହୋଇ ଶୋଇବା ଘରକୁ ଯାଇ ଶୋଇପଡ଼ିଲି | ବୋଉ ଆମର କେତେବେଳଠୁ ଆମକୁ ଖୋଜୁଥିଲା | ଆମେ ପଂହଁଚିଲା ପରେ ଭଜାଭଜି ଖଡ଼ିକା ଧରି ପଂହଁଚିଗଲା | (ଏଠି କହି ରଖୁଛି ,ଭଜାଭଜି ଖଡ଼ିକା ହେଉଛି, ମୁଢିଭଜା ଖଡ଼ିକା | ଯାହା ବୋଉ ବ୍ୟବହାର କରେ ଆମକୁ ମାରିବା ପାଇଁ | ଆମର ସେ ଭଜାଭଜି ଖଡ଼ିକାକୁ ପ୍ରାଣେଭୟ |) ବୋଉ ଆସି ପଂହଁଚିଗଲା ମୋ ପାଖେ | ନାନୀର ତ ପତ୍ତା ନାହିଁ | ମୁଁ ଭାବିଚି ଯେ ଖଟ ଉପରେ ଶୋଇଛି ବୋଲି, ହେଲେ ମୁଁ ଶୋଇଥିଲି ଖଟ ତଳେ | ବୋଉ ଆସିକି ମୋତେ ଟାଣି ଆଣିଲା ଆଉ ପଚାରିଲା "ସେତେବେଳୁ ଯାଇଛ ଦି'ଜଣ ,ଏତେ ବେଳ ହେଲାଣି ନଈକୂଳରେ କଣ କରୁଥଲ ?" ମୁଁ ଆଉ କଣ କହିପାରୁଛି ଯେ ଆକବର ଗୁଡ଼ାଖୁର କମାଲ ବିଷୟରେ | ଦି ପାହାର ଦବ ବୋଲି ବାହାରିଥିଲା ହେଲେ,ମୋ କାନ୍ଦ ଦେଖିକି ଖଡ଼ିକାରେ ମାରିବା ପାଇଁ ଉଚେଇକି ପୁଣି ରହିଗଲା | ଆଉ ବାହାରିଲା କୋଠଗାଡ଼ିଆରେ ବୁଡି ମରିବା ପାଇଁ | କୋଠଗାଡ଼ିଆ ହେଉଛି ଆମ ବାଡି ପଛପଟେ ଥିବା ଗାଡ଼ିଆଟେ, ଯେଉଁଠି ଆଣ୍ଠୁଏରୁ ବି କମ ପାଣି ଥାଏ, ସେଠି ବୁଡିବାର ପ୍ରଶ୍ନ ବି ଉଠେନି,ଆଉ ମରିବା ତ ଦୂରର କଥା | ହେଲେ ବୋଉ ବୁଡିମରିବା କଥା କହିଲା ମାନେ,ଆମେ ଭାବୁ ସେ ବୋଧେ ସତରେ ମରିଯିବ | ସେ ମୋତେ କହିକି ବାହାରିଗଲା ବାଡ଼ି ଆଡ଼କୁ | ମୁଁ ଚାଲିଲି ତାକୁ ଅଟକେଇବା ପାଇଁ ତା ପଛେ ପଛେ ବୋଉ କିଛି ବାଟ ଯାଇଛି କି ନାହିଁ ଅଟକିଗଲା | ବାଡ଼ିତଳେ ଯିବାବାଟରେ ଗୋଟେ ବଡ଼ ଚାକୁଣ୍ଡା ଗଛଟେ ଥିଲା | ସେ ଯାଇକି ସେଇଠି ଅଟକି ଗଲା | ମୁଁ କଣ ହେଲା ବୋଲି ଦେଖିଲା ବେଳକୁ, ମୋ ନାନୀ ଖଟ ଭାବିକି ଚାକୁଣ୍ଡା ଗଛ ଉପରେ ପେଟେଇକି ଶୋଇଛି | ବୋଉ ତ ରାଗିକି ନିଆଁ | ତାର କୋଠଗାଡ଼ିଆରେ ବୁଡି ମରିବାକୁ ରଦ୍ଦ କରି ନାନୀକୁ ସେଇଠୁ ଘୋଷାଡିକି ଘରକୁ ଆଣିଲା | 

ଗୁଡ଼ାଖୁ ନିଶା ସେତେବେଳକୁ ପ୍ରାୟ ଉତୁରିଗଲାଣି ଆମର | କିନ୍ତୁ ଯାହା କୁହନ୍ତୁ ନାଁ କାହିଁକି,ଆକବର ଖାଁ ଗୁଡ଼ାଖୁର ବାସ୍ନା ସତରେ ଥିଲା ନିଆରା | ଆମ ପାଟିରୁ ଯାଇନଥାଏ | ସେ ଆମକୁ ଆଉ ପଚାରିବ କଣ ଓ ଆମେ ମାନିବା ଯାଏଁ ବି କଥା ଗଲାନି, ସିଧା ଉତ୍ତମ ମଧ୍ୟ୍ୟମ ଚାଲିଲା | ଗୋଟେ ବି ମାଡ଼ ତଳେ ପଡିଲାନି | ସେଦିନ ପରଠୁ ଆମେ ଆକବର ଖାଁ ଗୁଡ଼ାଖୁ ଘଷିବା ତ ଦୂରର କଥା, ଗୁଡ଼ାଖୁ ଡବା ଥୁଆ ହଉଥିବା ଜାଗାକୁ ବି ଯାଉନଥିଲୁ | ଆଉ ବାସନ୍ତୀ ଭୟରେ କୁଆଡେ ଗଲା କେଜାଣି ! ଚାରିଦିନ ଯାଏଁ ତା ଦର୍ଶନ ବି ଆମେ ପାଇନୁ ।


Rate this content
Log in

Similar oriya story from Comedy