Bhagyashree Nanda

Tragedy

3  

Bhagyashree Nanda

Tragedy

ଟ୍ରାନ୍ସଫର

ଟ୍ରାନ୍ସଫର

6 mins
187



     ଫୋନଟା ରିଙ୍ଗ ହେଉଥାଏ | ମୌସୁମୀ ରୋଷେଇ ଘରେ ଥାଏ | ଚଳ ଚଞ୍ଚଳ ହୋଇ ଧାଇଁ ଆସିଲା ଫୋନ ଉଠେଇବା ପାଇଁ | ଉଠଉ ଉଠଉ କଟିଗଲା | ସେ ଏପଟୁ ଲଗେଇଲା | ରାଜେନ୍ଦ୍ର ଫୋନ କରିଥିଲା | ସେପଟୁ ରାଜେନ୍ଦ୍ର ଗପି ଚାଲିଥିଲା,ହେଲେ ମୌସୁମୀ କିଛି ନକହି ଚୁପ ଚାପ ଶୁଣୁଥାଏ | କିଛି ସମୟ ପରେ ରାଜେନ୍ଦ୍ର ପଚାରିଲା ,"କଣ ! କିଛି କହିବ ନାଁ ଖାଲି ଶୁଣୁଥିବ ?" ମୌସୁମୀ ଏପଟୁ ସେଇ ଅଭିମାନ ଭରା କଣ୍ଠରେ କହିଲା , "କଣ କହିବି ? ତୁମ ଟ୍ରାନ୍ସଫର କଥା ବୁଝିଲ କି ନାହିଁ ? ମୁଁ ଆଉ ଏକା ଏକା ଏମିତି ରହି ପାରିବିନି | ଚାକିରୀ ଆଉ କରିପାରିବିନି | ତୁମେ ୟା ଭିତରେ ଆସିଯାଅ ନହେଲେ ମୁଁ ଚାକିରୀ ଛାଡିକି ତୁମ ପାଖକୁ ଚାଲିଯିବି |" ଯେତେବେଳେ କଥା ହେଲେ ମୌସୁମୀର ସେଇ ଗୋଟିଏ କଥା ରାଜେନ୍ଦ୍ର ସହିତ,ଟ୍ରାନ୍ସଫର କଥା | 


    ରାଜେନ୍ଦ୍ର ସହ ମୌସୁମୀର ବିବାହ ପ୍ରାୟ ୨୧ ବର୍ଷ ହେଇଯିବ | ହେଲେ ଦୁଇଜଣଙ୍କର ଗୋଟିଏ ବୋଲି ଦୁଃଖ,ବହୁତ ଚେଷ୍ଟା କରି ମଧ୍ୟ୍ୟ ପିଲାଟିଏ ହେଲାନାହିଁ | ରାଜେନ୍ଦ୍ର ସରକାରୀ ଚାକିରିଆ | ଚାକିରୀ ଆରମ୍ଭରୁ ବିଭିନ୍ନ ସ୍ଥାନକୁ ଟ୍ରାନ୍ସଫର ହୁଏ | ବିବାହର ପ୍ରଥମରୁ ବାହାରେ ଏକାଠି ସାଙ୍ଗ ହୋଇ ରହୁଥିଲେ | କିନ୍ତୁ ୧୨ ବର୍ଷ ହେବ ରାଜେନ୍ଦ୍ର ବିହାରର ପାଟନାରେ ରୁହେ ଆଉ ମୌସୁମୀ ଓଡିଶାରେ | ମୌସୁମୀ ଶିକ୍ଷକତା ଆରମ୍ଭ କରିବା ଦିନରୁ ଓଡିଶାରେ | ରାଜେନ୍ଦ୍ର ପନ୍ଦର ଦିନରେ ଥରେ ଆସେ ମୌସୁମୀ ପାଖକୁ,ଆଉ ରହିକି ଯାଏ | ମୌସୁମୀ ଦୁହିଁଙ୍କ ସ୍ବପ୍ନର ତିଆରି ଘରେ ଏକା ରହିଆସୁଥାଏ | ରାଜେନ୍ଦ୍ର ଏବେ ବଡ଼ ଅଫିସର ହେଇଯିବା ପରେ ତା' ଟ୍ରାନ୍ସଫର ଆଉ କୁଆଡେ ହଉନଥାଏ | ହେଲେ ମୌସୁମୀର ସେଇ ଗୋଟେ ଅଭିଯୋଗ ଯେ ଟ୍ରାନ୍ସଫର ନେଇ ପାଖକୁ ଚାଲିଆସିଲେ ଦୁହେଁ ମିଶିକି ରୁହନ୍ତେ | ପିଲାପିଲି ନଥିବାର ଦୁଃଖ ମୌସୁମୀକୁ ବହୁତ କଷ୍ଟ ଦିଏ | ସେ ଭାବେ ଦୁହେଁ ଏକାଠି ରହିଲେ ଆଉ ଏତେ ଦୁଃଖ ଲାଗନ୍ତାନି | ଆଉ କିଛି ବର୍ଷ ପରେ ରାଜେନ୍ଦ୍ର ଅବସର ଗ୍ରହଣ କରିବ | ସେ ବି ଭାବେ ଚାକିରୀର ଶେଷ ପର୍ଯାୟ ତା ଘରେ ଅତିବାହିତ କରନ୍ତା | ଆଉ ଅବସର ପରେ ସବୁ ସମୟ ନିଜ ସ୍ତ୍ରୀ ମୌସୁମୀକୁ ଦିଅନ୍ତା | ପିଲା ନ ଥିବାର ଦୁଃଖ ରାଜେନ୍ଦ୍ର ବେଶୀ କରୁନଥିଲା କାରଣ ତା ପାଇଁ ମୌସୁମୀ ହିଁ ସବୁକିଛି ଥିଲା | ତା' ସ୍ତ୍ରୀ, ତା' ପିଲା , ତା' ସାଙ୍ଗସାଥୀ ସବୁ କିଛି | ଦୁହେଁ ଦୁହିଁ ଙ୍କୁ ଏତେ ଭଲ ପାଉଥିଲେ ଯେ ତାଙ୍କ ଭିତରେ ଥିବା ଦୁଇଟି ଅଲଗା ଅଲଗା ସ୍ଥାନର ଦୂରତା ବହୁତ କମ ପଡିଯାଉଥିଲା | ଦୁହେଁ ଚାଁହୁଥିଲେ ଏକାଠି ରହିବାକୁ | ହେଲେ କର୍ମ ଓ କର୍ତ୍ତବ୍ୟ ଆଗରେ ସବୁ ମଣିଷଙ୍କ ପରି ସେମାନେ ମଧ୍ୟ୍ୟ ପରିସ୍ଥିତିର ଦାସ ପାଲଟିଯାଇଥିଲେ | ଦୁହିଁଙ୍କର ଚେଷ୍ଟା ଆଉ ଆଶା ଥିଲା ରାଜେନ୍ଦ୍ରର ଚାକିରୀର ଟ୍ରାନ୍ସଫର ପାଇଁ | ଯାହାକି ଶତ ଚେଷ୍ଟା ପରେ ମଧ୍ୟ୍ୟ ସମ୍ଭବ ହେଉନଥାଏ | 

      ୟା ଭିତରେ ଆଉ ଛ' ମାସ ବିତିଗଲା | ମୌସୁମୀ ତା ଶିକ୍ଷକତାରୁ ଫୁରସତ ପାଇଲେ ସ୍କୁଲରୁ ଆସିକି ରାଜେନ୍ଦ୍ର ପାଖରେ ଛୁଆଙ୍କ ଭଳି ଅଳି କରେ ଟ୍ରାନ୍ସଫର ନେଇ ଆସିବାକୁ | ହେଲେ ରାଜେନ୍ଦ୍ରର ଟ୍ରାନ୍ସଫର ହେଉନଥାଏ | ଦିନେ ମୌସୁମୀ ସ୍କୁଲରୁ ଆସି ରାଜେନ୍ଦ୍ର କୁ ଫୋନ କରି କହିଲା ,"ଏଇ ଛୁଟିରେ ଆସ , ମୁଁ ଏଥର ଯିବି ତୁମ ସହ |" ରାଜେନ୍ଦ୍ର ଆଶ୍ଚର୍ଯ୍ୟ ହୋଇଗଲା ଯିଏ ଘର ଛାଡି କୁଆଡେ ଯିବନି କହୁଥିଲା ସେ କେମିତି ଆସିବା କଥା କହୁଛି ? ପଚାରିଲା ," ସ୍କୁଲରୁ କେତେଦିନ ଛୁଟି ଆଣିବ ?" 

ମୌସୁମୀ ଟିକେ ଗମ୍ଭୀର ହେଇ ଉତ୍ତର ଦେଲା ," ଯେତେଦିନ ଇଚ୍ଛା ରହିବି,ଏକାଥରେ ତୁମ ଟ୍ରାନ୍ସଫର ହେଲା ପରେ ଯାଇ ଆସିବି " ରାଜେନ୍ଦ୍ର ପଚାରିଲା ," ଆଉ ତୁମ ସ୍କୁଲ ?"

ମୌସୁମୀ ଟିକେ ଚୁପ ହେଇଗଲା ଆଉ ତାପରେ ଉତ୍ତର ଦେଲା, " ମୋତେ ଆଉ ଏ ଏକୁଟିଆ ଜୀବନ ଭଲଲାଗୁନି, ତୁମର ତ ଟ୍ରାନ୍ସଫର ହେଇପାରୁନି , ମୁଁ ଖାଲି ସମୟ ଅତିବାହିତ କରିବାକୁ ସିନା ଚାକିରୀ କରୁଛି ,ହେଲେ ମୁଁ ଖୁସୀ ରେ ରହି ପାରୁନି| ଏକୁଟିଆ ରହିବାଟା ମୋ ପକ୍ଷେ ଆଉ ସମ୍ଭବ ନୁହେଁ | ପଇସାର ତ ଅସୁବିଧା ବି ନାହିଁ | ସେଥିପାଇଁ ସବୁଆଡୁ ସବୁକିଛି ଚିନ୍ତାକରି ମୁଁ ଚାକିରୀ ଛାଡିଦେଇଛି | ଏଥର ଆମେ ଦି ଜଣ ଏକାଠି ଗୋଟେ ଜାଗାରେ ରହିବା | ତୁମ ଟ୍ରାନ୍ସଫର ହବା ପର୍ଯ୍ୟନ୍ତ ମୁଁ ତୁମ ପାଖରେ ରହିବି |" ରାଜେନ୍ଦ୍ର ଚୁପ ଚାପ ଶୁଣୁଥାଏ | ମୌସୁମୀ ଯେ କେତେ ଏକା ହେଇଯାଇଛି,ତାହା ସେ ଚିନ୍ତା କରିବାକୁ ଚାହିଁଲେ ବି କରିପାରୁନଥାଏ | ଖୁସୀ ହେଇଗଲା ଶୁଣିକି ମୌସୁମୀ ଆସିବ | ହେଲେ ଦୁଃଖ ଏତିକି ପୁଣି କିଛିଦିନ ଏଠି ଘରେ ବସିବା ପରେ ସେ ନିଜକୁ ଏକୁଟିଆ ମନେ କରିବନି ତ ! "ନାଁ ! ମୁଁ ତାକୁ ଯଥେଷ୍ଟ ସମୟ ଦେବି,ସେ କେବେ ଏକା ବୋଲି ନିଜକୁ ମନେ କରିବନି |" ମନେ ମନେ କହିଉଠିଲା ରାଜେନ୍ଦ୍ର | ଆଉ ମୌସୁମୀ ଆସି ରହିବା ଉପଯୋଗୀ ସମସ୍ତ ବ୍ୟବସ୍ଥା କରିବାରେ ବ୍ୟସ୍ତ ହେଇଗଲା | ଚାରିଦିନ ପରେ ରାଜେନ୍ଦ୍ର ବାହାରିପଡିଲା ମୌସୁମୀ ପାଖକୁ | ତା ଖୁସୀର ସୀମା ନଥାଏ | ସମସ୍ତଙ୍କୁ କହିକି ଯାଇଥାଏ,ଏଥର ଯାଉଛି ସିନା ଏକା,ହେଲେ ସାଙ୍ଗରେ ମ୍ୟାଡାମଙ୍କୁ ନେଇକି ଆସିବି | ସେପଟେ ମୌସୁମୀର ଖୁସୀ କହିଲେ ନସରେ | ତା ପାଦ ଆଉ ତଳେ ଲାଗୁନଥାଏ | ରାଜେନ୍ଦ୍ର ଆସି ପଂହଁଚିଲା ଶନିବାର ଦିନ | ତା ପର ଶନିବାର ଦୁହେଁ ସାଙ୍ଗରେ ପାଟନା ଯିବେ | ଆସିବା ପରେ କିଣା କିଣି , ବୁଲା ବୁଲି ଆଉ ପ୍ୟାକିଙ୍ଗରେ ଦୁହେଁ ବ୍ୟସ୍ତ | ଦୁହିଁଙ୍କ ଖୁସୀରେ ଘର ଖାଲି ଉଛୁଳି ଉଠୁଥାଏ | ଯିବା ଆଗରୁ ରାଜେନ୍ଦ୍ରର ଗୋଟେ ଦିନ ପାଇଁ ମୀଟିଙ୍ଗ ଥାଏ ସମ୍ବଲପୁରରେ | ମୌସୁମୀ ବି ବାହାରିପଡିଲା ସମ୍ବଲପୁର ଯାଇ ବୁଲିକି ଆସିବ | ଜିଦ କରି ବାହାରିପଡିଲା ରାଜେନ୍ଦ୍ର ସହ | ଦୁହେଁ ବୁଧବାର ଭୋରୁ ଭୋରୁ କାରନେଇ ବାହାରିପଡିଲେ ସମ୍ବଲପୁର ଅଭିମୁଖେ | ମୌସୁମୀ ଏଥର ଭାରି ଖୁସୀ ଥାଏ | ତା ଏକାକୀ ଜୀବନ ଶେଷ ହେବା ଖୁସୀ, ତାକୁ ପଲ୍ଲବିତ କରୁଥାଏ, ଆଉ ମାତ୍ର ଦୁଇଦିନ ପରେ ସେ ପାଟନା ଚାଲିଯିବ | ଦୁହେଁ ଆନନ୍ଦରେ ଯାଇ ମା' ସମଲେଶ୍ୱରୀଙ୍କୁ ଦର୍ଶନ କଲେ ଆଉ ସେଇଦିନ ଫେରିଆସିବେ ଘରକୁ ମନସ୍ଥ କରିଥିଲେ | କାମ ସାରି ବାଟରେ ଫେରୁଥାନ୍ତି | କିଛି ବାଟ ଆସିବା ପରେ ଅଧବାଟରେ ଆଗରୁ ଗୋଟେ ଗାଡିଆସି ତାଙ୍କ କାରକୁ ଧକ୍କା ଦେଲା | ଅଳ୍ପକେ ବ୍ରେକ ଦେଇଦେଲା ରାଜେନ୍ଦ୍ର | ଭୟରେ କହିଉଠିଲା ," ଭଗବାନ ଆମକୁ ଉଦ୍ଧାର କରିଦେଲେ ମୌସୁମୀ | ନହେଲେ ଆଜି ଆମ ଦୁହିଁଙ୍କର କଣ ଯେ ହେଇଥାନ୍ତା, କିଛି କହିହେଇନଥାନ୍ତା |" ଏତିକି କହି ଗାଡି ଟିକେ କଡ଼ରେ ରଖିଲା ଓ ମୌସୁମୀ ଆଡ଼କୁ ଚାହିଁଲା ବେଳକୁ ସେ ଚେତାଶୂନ୍ୟ ହୋଇ ପଡ଼ିରହିଛି | ଯେତେ ଡାକିଲେ ବି ଶୁଣୁନି | ତା ମୁଣ୍ଡ ଯାଇ ଗାଡି କାଚରେ ଜୋରସେ ପିଟିହେଇ ନାକ ଓ କାନ ରୁ ରକ୍ତ ବାହାରୁଚି | ରାଜେନ୍ଦ୍ର କଣ କରିବ କିଛି ଜାଣି ପାରୁନଥାଏ | ଲୋକ ଆସି ରୁଣ୍ଡ ହେଇଗଲେଣି | ଆମ୍ବୁଲାନ୍ସ ଆସିକି ଦି'ଜଣଙ୍କୁ ହସ୍ପିଟାଲ ନେଇଗଲା | ମୌସୁମୀ ସେପରି ଚେତାଶୂନ୍ୟ ହୋଇ ପଡିରହିଥାଏ | ହସ୍ପିଟାଲରେ ଡାକ୍ତର ଦେଖିଲା ପରେ ମୌସୁମୀକୁ ମୃତ ବୋଲି ଘୋଷଣା କଲେ | ରାଜେନ୍ଦ୍ର ସ୍ଥାଣୁ ପାଲଟି ଯାଇଥାଏ | ନାଁ ମୁଁହରୁ କଥା ବାହାରୁଥାଏ,ନାଁ କିଏ କଣ କହୁଛି ଶୁଭୁଥାଏ | ଆଖିରୁ ଲୁହ ନୁହେଁ ଲହୁ ବାହାରୁଥାଏ | ମୌସୁମୀର ନିର୍ଜୀଵ ଶରୀର ନିକଟେ ନିଷ୍ପାପ ଶିଶୁ ଟିଏ ପରି ବସି ଚାହିଁରହିଥାଏ | ଭାବୁଥାଏ କାଳେ ତା ମୌସୁମୀ ଉଠିବସିବ | ଆଉ କହିବ," ପାଟନା ଯିବା ବା ! ବସିଛ କଣ ? ନେଇଚାଲ ମୋତେ ଆଉ ଏକା ରହି ରହି ଭଲ ଲାଗୁନି" ହେଲେ ନାଁ ! ମୌସୁମୀ ସବୁଦିନ ପାଇଁ ଚାଲିଯାଇଛି | ରାଜେନ୍ଦ୍ର ଆଜି ଏକା |

ମୌସୁମୀର ଶବ ସତ୍କାର ସରିଲା | ତା ସାଙ୍ଗେ ସାଙ୍ଗେ ରାଜେନ୍ଦ୍ର ଜିଅନ୍ତା ଶବଟିଏ ପାଲଟି ଯାଇଥିଲା | ଆଉ ତା କର୍ମସ୍ଥଳୀକୁ ଯାଇ ପାରିଲାନି | ଯୋଉ ଘରେ ମୌସୁମୀ ବାର ବର୍ଷ ଏକା କାଟିଥିଲା,ଆଜି ରାଜେନ୍ଦ୍ର ଏକୁଟିଆ ସେ ଘରେ ମୁକ ପାଲଟି ବସିରହୁଥିଲା | ଦେହ ଅସୁସ୍ଥତାର ମେଡିକାଲ ରିପୋର୍ଟ ଦେଖାଇ ଘରେ ଛୁଟି ରେ ରହୁଥିଲା | ମୌସୁମୀ ବିନା ଆଉ ଫେରିପାରିଲାନି ଏକୁଟିଆ ନିଜ କର୍ମସ୍ଥଳୀ କୁ | ଦୁହିଁଙ୍କ ସ୍ବପ୍ନର ସହରକୁ ମୌସୁମୀ ଭାଙ୍ଗିଦେଇ ଚାଲିଯାଇଥିଲା ବହୁଦୂରକୁ | ରାଜେନ୍ଦ୍ର ଇତି ମଧ୍ୟ୍ୟରେ ଚାକିରୀରୁ ଆଗୁଆ ଅବସର ନେଇଯିବ ଭାବିସାରିଥିଲା | ଆଉ ଚେଷ୍ଟା ବି କରୁଥିଲା ଅବସର ପାଇଁ |


      ୟା ଭିତରେ ସମୟ ଚାଁହୁ ଚାଁହୁ କେତେବେଳେ ଆଠମାସ ବିତି ଯାଇଥିଲା | ରାଜେନ୍ଦ୍ର ଦିନକୁ ଦିନ ମୌସୁମୀର ସ୍ମୃତିରେ ଅଧୀର ହୋଇ ଉଠୁଥିଲା | ମୌସୁମୀ ଏତେ ବଡ଼ ଘରଟା ଭିତରେ,କେତେ ଏକା ହେଇଯାଇଥିଲା ତାହା ରାଜେନ୍ଦ୍ର ଭଲରୂପେ ଅନୁମାନ କରିପାରୁଥିଲା | କାରଣ ରାଜେନ୍ଦ୍ର ସେଇ ଘରେ ଏତେ ମାସ ଧରି ଏକାନ୍ତ ନିସଙ୍ଗ ଜୀବନଟିଏ ଅତିବାହିତ କରିଆସୁଥିଲା |

        ଦିନେ ରାଜେନ୍ଦ୍ରକୁ ଅଫିସରୁ ଫୋନ ଆସିଲା ତା'ର ପାରିବାରିକ ସ୍ଥିତି ପାଇଁ, ମାନସିକ ସ୍ଥିତିକୁ ଦ୍ରୁଷ୍ଟିରେ ରଖି,ତା'ର ଟ୍ରାନ୍ସଫର ନିଜ ଘରପାଖକୁ କରାହୋଇଯାଇଛି | ରାଜେନ୍ଦ୍ର ଭୋ ଭୋ ହୋଇ କାନ୍ଦି କହି ଉଠିଲା ,"ଯିଏ ଟ୍ରାନ୍ସଫର କଥା କହି କହି ମରିଗଲା,ଆଜି ତା' ମୃତ୍ୟୁ ହିଁ ମୋ ଟ୍ରାନ୍ସଫରର କାରଣ ସାଜିଲା | ଭଗବାନଙ୍କର ଏ କି' ବିଚିତ୍ର ନିୟମ ! ସେ ବଞ୍ଚିଥିଲେ ଖୁସୀ ରେ ତା ପାଦ ତଳେ ଲାଗିନଥାନ୍ତା |" ଦୁଇଦିନରେ ନୂଆ ଜାଗାରେ ଯୋଗ ଦେବାକୁ ପଡିବ | ରାଜେନ୍ଦ୍ର ଦୁଇଦିନ ପରେ ଅଫିସ ଗଲା,ଅଥଚ କାର୍ଯ୍ୟରେ ଯୋଗ ଦେଲାନି ବରଂ ଚାକିରୀରୁ ସବୁଦିନ ପାଇଁ ଅବସର ନେଇଗଲା | 

ଅବୋଧ ଶିଶୁଟିଏ ପରି ମୌସୁମୀ ଫୋଟୋକୁ ଚାହିଁରହି କହୁଥିଲା , "ମୌସୁମୀ ଏବେତ ତୁମେ ଚାଁହୁଥିବା ଟ୍ରାନ୍ସଫର ହେଇଗଲା, ହେଲେ ମୁଁ ଅବସର ନେଇ ଚାଲି ଆସିଲି ଆମ ଘରେ ସବୁ ସମୟରେ ତୁମ ପାଖେ ପାଖେ ରହିବା ପାଇଁ | ତୁମପାଇଁ, ଆଉ ମୋ ପାଇଁ ଅନେକ ସମୟ ଏବେ , ଅଥଚ ଦେଖ, ତୁମେ ଏକା ରହିବନି ବୋଲି ମୋତେ ଏକା ଛାଡ଼ିଦେଇ ଚାଲିଗଲ | ତୁମବିନା ଏ ନିଷ୍ଠୁର ଜୀବନକୁ, ମୁଁ କେମିତି ଏକା କାଟିବି ? ଏ ପରିଣତ ବୟସର ଅପରାହ୍ନରେ ତୁମବିନା ଜୀବନଟା ମୋର ଅଭିଶପ୍ତ ହୋଇ ରହିଗଲା | ସମୟ ତ ବିତିଚାଲିବ, ଅଥଚ ମୁଁ,ଆମ ଅତୀତର ସ୍ମୃତି ସବୁକୁ ସାଉଁଟି,ତାରି ଭିତରେ ନିରବରେ ତୁମକୁ ହିଁ ଖୋଜୁଥିବି |"


Rate this content
Log in

Similar oriya story from Tragedy