Bhagyashree Nanda

Children Stories

4.4  

Bhagyashree Nanda

Children Stories

ଅନିବାର୍ଯ୍ୟ_ନିୟତି (ଶେଷ_ଭାଗ)

ଅନିବାର୍ଯ୍ୟ_ନିୟତି (ଶେଷ_ଭାଗ)

4 mins
207



          ନାରାୟଣଦେବ ଯେତେବେଳେ ଜାଣିବାକୁ ପାଇଲେ ଯେ, ସାଧୁଜଣକ ମାଳତୀପୁର ଗ୍ରାମରେ ରାତ୍ରିରେ ଅବସ୍ଥାନ କରିବେ ବୋଲି, ସେ ଆଉ କାଳବିଳମ୍ବ ନକରି ସାଧୁଙ୍କୁ ଭେଟିବାକୁ ବାହାରି ପଡିଲେ । ସାଙ୍ଗରେ ନିଜ ଅସୁସ୍ଥ ପୁତ୍ର ବିଷ୍ଣୁପଦ ଓ ପତ୍ନୀ ଲୀଳାବତୀଙ୍କୁ ନେବା ପାଇଁ ଉତ୍ସାହ ପ୍ରକାଶ କଲେ ଏବଂ ଲୀଳାବତୀଙ୍କୁ ଏ ସମ୍ପର୍କରେ ଜଣାଇଲେ । ଲୀଳାବତୀ ସାଧୁଙ୍କୁ ଭେଟିବା କଥା ଶୁଣି ବହୁତ ଆନନ୍ଦିତ ହୋଇଗଲେ,ଅଥଚ ନଦୀ ଅତିକ୍ରମ କରିକି ଯିବାପାଇଁ ପଡିବ ଚିନ୍ତାକରି ଭୟଭୀତ ହୋଇଗଲେ । ନଦୀରେ କୁମ୍ଭୀର ମାନଙ୍କ ଭୟ, ପୁଣି ପୁଅର ଏ ପ୍ରକାର ଅବସ୍ଥା ।ଲୀଳାବତୀ ସ୍ୱାମୀଙ୍କୁ ପରାମର୍ଶ ଦେଲେ ନ ଯିବା ପାଇଁ । ଅଥଚ ନାରାୟଣଦେବ ନଛୋଡବନ୍ଧା ।ସେ ସାଧୁଙ୍କୁ ଭେଟିବା ପାଇଁ ବାରବର୍ଷ ଧରି ଅପେକ୍ଷା କରି ରହିଥିଲେ ଆଉ ଏ ସୁଯୋଗ ହାତଛଡା କରିବାକୁ ଚାଁହୁନଥିଲେ । ସମସ୍ତ ଅନୁଚରୀ ଓ ଦାସଦାସୀଙ୍କୁ ଆଦେଶ ଦେଲେ ଯଥା ଶୀଘ୍ର ନଦୀ ପାର ହୋଇ ଯିବାପାଇଁ ସମସ୍ତ ପ୍ରକାରର ଆୟୋଜନ କରିବା ନିମନ୍ତେ ।ପାରିଷଦବର୍ଗ ତୁରନ୍ତ ସମସ୍ତ ବନ୍ଦୋବସ୍ତ କରିବାରେ ଲାଗିପଡ଼ିଲେ । ନାରାୟଣଦେବ, ଲୀଳାବତୀଙ୍କୁ ନିର୍ଦ୍ଦେଶ ଦେଲେ ବିଷ୍ଣୁପଦକୁ ନିଦ୍ରାରୁ ଉଠାଇ କିଛି ଖାଦ୍ୟ ଓ ପାନୀୟ ଦେବା ନିମନ୍ତେ ।ଲୀଳାବତୀଙ୍କ ନିକଟରେ ଅନ୍ୟ କୌଣସି ବିକଳ୍ପ ନଥାଏ । ତାଙ୍କର ଇଚ୍ଛା ନଥାଇ ମଧ୍ୟ୍ୟ, ସ୍ୱାମୀଙ୍କ ଆଂଜ୍ଞାକୁ ମାନିବା ଉଦ୍ଦେଶ୍ୟରେ ବିଷ୍ଣୁପଦର କକ୍ଷକୁ ଗଲେ ।

        ସେପଟେ ସନ୍ୟାସୀ ଗ୍ରାମବାସୀଙ୍କ ନିକଟରୁ ସମସ୍ତ କଥା ଶୁଣି ସାରିବା ପରେ, ନିଜ ଶିଷ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଲେ ଯଥାଶୀଘ୍ର ନାରାୟଣଦେବଙ୍କ ଗୃହକୁ ଯିବା ନିମନ୍ତେ,ସମସ୍ତ ପ୍ରକାରର ବ୍ୟବସ୍ଥା ଓ ବନ୍ଦୋବସ୍ତ କରାଇବା ପାଇଁ । ଗ୍ରାମର ମୁଖିଆ ଆୟୋଜନରେ ଲାଗିପଡ଼ିଲେ,

ଯେପରି ବିନା ବିଘ୍ନରେ ସାଧୁ ନଦୀପାର ହୋଇ ସୋମପୁରକୁ ଯାଇପାରିବେ । ସାଧୁ ନଦୀ ତଟରେ ନିଜ ଶିଷ୍ୟମାନଙ୍କ ସହିତ ପହଁଞ୍ଚିଗଲେ ।

        ସେପଟେ ଲୀଳାବତୀ ପୁତ୍ରର କକ୍ଷରେ ଉପସ୍ଥିତ ହୋଇ ଯାହା ଦେଖିଲେ ଆଉ ନିଜକୁ ସମ୍ଭାଳି ପାରିଲେନି । ଚିତ୍କାର କରି ସମସ୍ତଙ୍କୁ ଡାକ ପକାଇଲେ । ଲୀଳାବତୀଙ୍କ ଚିତ୍କାର ଶୁଣି ସମସ୍ତେ ଆସି କକ୍ଷରେ ପଂହଁଚିଗଲେ । ବିଷ୍ଣୁପଦ ନିସ୍ତେଜ ହୋଇ ବିଛଣାରେ ପଡି ରହିଥାଏ । ପୁରା ଶରୀର ନୀଳବର୍ଣ୍ଣ ହୋଇ , ଶୀତଳ ହୋଇଯାଇଥାଏ । ତୁରନ୍ତ ବୈଦ୍ୟରାଜ ଆସି ପଂହଁଚିଗଲେ । ବିଷ୍ଣୁପଦର ନାଡି ପରୀକ୍ଷା କରି ଦେଖିଲେ ଯେ, ପିଲାଟି ଶରୀରରୁ ପ୍ରାଣବାୟୁ ଉଡିଯାଇଛି ।

ଚତୁର୍ଦିଗରେ ଏକ ପ୍ରକାରର ନୀରବତା ଖେଳିଗଲା । ଲୀଳାବତୀ ଓ ନାରାୟଣଦେବ, ପୁତ୍ରର ମୃତ ଶରୀରକୁ ଜାବୁଡି ଧରି କଇଁ କଇଁ ହୋଇ କାନ୍ଦିବାରେ ଲାଗିଲେ । ସମସ୍ତ ସେବକ ସେବିକା , ପାରିଷଦ ବର୍ଗଙ୍କ ଆଖିରେ ଅଶ୍ରୁ । ଏଇ ସମୟ ଭିତରେ ସମସ୍ତ କୋଳାହଳକୁ ଅତିକ୍ରମ କରି ସାଧୁ ନିଜ ଶିଷ୍ୟ ମାନଙ୍କ ସହ,ନାରାୟଣଦେବଙ୍କ ଗୃହରେ ପ୍ରବେଶ ହେଲେ । ଆସିବା ସମୟରେ ବିଷ୍ଣୁପଦର ମୃତ୍ୟୁ ଖବର ଦ୍ୱାର ନିକଟରେ ଜାଣିବାକୁ ପାଇଥିଲେ ।

        ସାଧୁଙ୍କୁ ଦେଖି ନାରାୟଣଦେବ ଓ ଲୀଳାବତୀ ତାଙ୍କ ଚରଣ ତଳେ ଲୋଟି କାନ୍ଦିବାକୁ ଲାଗିଲେ । ପୁତ୍ର କିପରି ଜୀବିତ ହୋଇପାରିବ ସେ ଉପାୟ ଜଣାଇବାକୁ ଅନୁରୋଧ କଲେ । ସାଧୁ ସେମାନଙ୍କ ମନର ବେଦନାକୁ ଉତ୍ତମ ରୂପେ ବୁଝିପାରୁଥିଲେ । ସେମାନଙ୍କୁ ଭୂମିପରୁ ତୋଳି ଆଣି ସାନ୍ତ୍ୱନା ଦେବା ଉଦ୍ଦେଶ୍ୟରେ କହିଲେ ବିଧତାର ନିୟମ ଆଗରେ ଆମେ ତୁଚ୍ଛ ମାତ୍ର ।ମୃତ୍ୟୁ ଚିରନ୍ତନ ସତ୍ୟ । ସେହି ସତ୍ୟ ହୃଦୟ ବିଦାରକ ହେଲେ ମଧ୍ୟ୍ୟ ଆମକୁ ସେହି ସତ୍ୟକୁ ଗ୍ରହଣ କରିବାକୁ ପଡିବ ।ହେଲେ ପିତାମାତାଙ୍କ ମନ କାହୁଁ ବୁଝିବ ! ସେମାନେ ସନ୍ୟାସୀଙ୍କୁ ପ୍ରଶ୍ନ କରିବାକୁ ଲାଗିଲେ ଯେ,ଏହା କିପରି ସମ୍ଭବ ବୋଲି ? ଯେହେତୁ ସନ୍ୟାସୀଙ୍କ ଭବିଷ୍ୟବାଣୀ ଥିଲା ପୁତ୍ରର ମୃତ୍ୟୁ ଯୋଗ କୁମ୍ଭୀର ଦ୍ୱାରା ହିଁ ଅଛି,ଅଥଚ ଏପରି ମୃତ୍ୟୁ କିପରି ଗ୍ରହଣୀୟ ! ସାଧୁ ମଧ୍ୟ୍ୟ କିଛି ସମୟ ନୀରବ ହୋଇଗଲେ ଆଉ ଚିନ୍ତା କରିବାକୁ ଲାଗିଲେ ଯେ,ତାଙ୍କ ଭବିଷ୍ୟବାଣୀରେ କୋଉଠି ଭୁଲ ରହି ଯାଇନି ତ ? ମୃତ ଶିଶୁ ପୁତ୍ରର ମୃତ୍ୟୁର କାରଣ,ତା ପାଦରେ ଲାଗିଥିବା ଆଘାତ କାରଣରୁ । ହେଲେ ଏହା କିପରି ସମ୍ଭବ ? ସାଧୁ ଜାଣିବାକୁ ଚାହିଁଲେ ,ପୁତ୍ରକୁ ଆଘାତ କିପରି ଲାଗିଲା ।ନାରାୟଣଦେବ ଜନ୍ମଉତ୍ସବ ଦିନ ଘଟିଥିବା ସମସ୍ତ ଘଟଣାବଳୀକୁ ସମ୍ପୂର୍ଣରୂପେ ଜଣାଇଲେ । ସାଧୁ ସବୁକଥା ଶୁଣି ଯେଉଁ ସ୍ଥାନରେ ପୁତ୍ରକୁ ଆଘାତ ପ୍ରାପ୍ତ ହୋଇଥିଲା, ସେ ସ୍ଥାନଟିକୁ ଦେଖିବା ନିମନ୍ତେ ଇଛା ପ୍ରକାଶ କଲେ ।ନାରାୟଣଦେବ,ସାଧୁଙ୍କୁ ସାଙ୍ଗରେ ନେଇ ଉଦ୍ୟାନରେ ପଂହଁଚିଲେ ଏବଂ ସାଧୁଙ୍କୁ ସେ ସ୍ଥାନଟି ଦେଖାଇଲେ । ସାଧୁ ଦେଖିଲେ ଗୋଟେ ନିମ୍ବ ଗଛ ମୂଳେ ଭୂମି ଉପରକୁ ଏକ ଧାରୁଆ ହୋଇ କିଛି ବାହାରିକି ରହିଛି । ସେ ସ୍ଥାନକୁ ତୁରନ୍ତ ଖୋଦନ କରିବାକୁ ନିଜ ଶିଷ୍ୟମାନଙ୍କୁ ଆଦେଶ ଦେଲେ ।ଆଦେଶପାଇ ଶିଷ୍ୟ ମାନେ ଭୂମିକୁ ଖୋଇବାରେ ଲାଗିଲେ ଓ ତନ୍ମଧ୍ୟରୁ ଏକ ଅସ୍ଥି ବାହାରକଲେ ।ସାଧୁ ସେହି ଅସ୍ଥିଟିକୁ ହାତରେ ଧରି ନିରୀକ୍ଷଣ କରି ଜାଣିବାକୁ ପାଇଲେ ତାହା ଏକ କୁମ୍ଭୀରର ଅବଶେଷ ଅସ୍ଥି ଅଟେ । ନାରାୟଣଦେବଙ୍କୁ ଏ ସମ୍ପର୍କରେ ଅବଗତ କରାଇଲେ । ପୁନଃଖୋଦନ ପରେ ସେହି ସ୍ଥାନରୁ ସୁବର୍ଣ୍ଣ ରଙ୍ଗର ଭଗବାନ ବିଷ୍ଣୁଙ୍କର ଏକ ପ୍ରତିମୂର୍ତ୍ତିଟିଏ ଉଦ୍ଧାର ହେଲା ।

        ନାରାୟଣଦେବ ଓ ଉପସ୍ଥିତ ସମସ୍ତ ପାରିଷଦବର୍ଗ ଆଶ୍ଚଯ୍ୟ ଚକିତ ହୋଇ ଚାହିଁରହିଥାନ୍ତି । ସାଧୁ ନାରାୟଣଦେବଙ୍କ ମସ୍ତକରେ ହାତ ବୁଲାଇ ଆଣି କହିଲେ, ପ୍ରଭୁଙ୍କର ନିୟତି ସର୍ବଦା ଅନିବାର୍ଯ୍ୟ । ଆମେ ସମସ୍ତେ ମାଧ୍ୟମ ମାତ୍ର । ପାଣିକୁ ନଯିବାର ସମସ୍ତ ବ୍ୟବସ୍ଥା ସତ୍ୱେ ମଧ୍ୟ୍ୟ ମୃତ୍ୟୁର ଯୋଗ ଟଳି ପାରିଲା ନାହିଁ ।ପୁତ୍ରର ମୃତ୍ୟୁ କୁମ୍ଭୀର କାରଣରୁ ହିଁ ହୋଇଅଛି ଯାହା ପୂର୍ବରୁ ସ୍ଥିର ଥିଲା । ପୁତ୍ର ବିଷ୍ଣୁପଦ ସ୍ୱୟଂ ଭଗବାନ ବିଷ୍ଣୁ ହିଁ ଥିଲେ ଏବଂ ସେ ଆମ ମାନଙ୍କ ଗହଣକୁ ପୁନଶ୍ଚ ଫେରିଆସିଛନ୍ତି ।

        ନାରାୟଣଦେବ ପୁତ୍ରର ଅନ୍ତିମ କ୍ରିୟା ସୁଚାରୁରୂପେ ସମାପନ କଲେ । ଉଦ୍ୟାନର ନିମ୍ବ ଗଛ ମୂଳେ ଏକ ମନ୍ଦିର ନିର୍ମାଣ କରାଇ, ସାଧୁଙ୍କ ଉପସ୍ଥିତିରେ ଭଗବାନ ବିଷ୍ଣୁଙ୍କର ପ୍ରତିମୂର୍ତ୍ତିଟିକୁ ସେହି ସ୍ଥାନରେ,ସାଧୁଙ୍କ ଦ୍ୱାରା ପ୍ରତିଷ୍ଠା କରାଇଲେ । 

         ମନ୍ଦିର ତୋଳାହୋଇ ମୂର୍ତ୍ତୀ ପ୍ରତିଷ୍ଠା ପରେ ,ଲୀଳାବତୀ ଓ ନାରାୟଣଦେବଙ୍କୁ ଅନୁଭବ ହେଉଥିଲା ସେମାନେ ଭଗବାନ ବିଷ୍ଣୁଙ୍କ ରୂପରେ ନିଜର ପୁତ୍ର ବିଷ୍ଣୁପଦକୁ ଫେରିପାଇଛନ୍ତି । ସେ ଦୁହିଁଙ୍କ ଅବଶିଷ୍ଟ ଜୀବନ ସେହି ମନ୍ଦିରରେ ଭଗବାନ ବିଷ୍ଣୁଙ୍କ ଚରଣରେ ତାଙ୍କରି ସେବାରେ ଅତିବାହିତ ହୋଇଥିଲା ।


                        


Rate this content
Log in