Bhagyashree Nanda

Drama

4.5  

Bhagyashree Nanda

Drama

ହର୍ଲିକ୍ସ ଡବା

ହର୍ଲିକ୍ସ ଡବା

7 mins
283



           ସେଦିନ ସକାଳ ଯାଇ ସଞ୍ଜ ହେଲା ,ସଞ୍ଜ ଗଡି ରାତିହେଲା, ଅଥଚ ଝିଲ୍ଲୀର ଦେଖା ନଥିଲା । ସ୍ଵପ୍ନା ପୁରା ବ୍ୟସ୍ତ ହେଇପଡ଼ିଲାଣି । ଝିଲ୍ଲୀର ଫୋନ ବି ଲାଗୁନି କି,ସେ ବି ଆସୁନି । ଝିଲ୍ଲୀ ହେଉଚି ସ୍ୱପ୍ନା ଘରେ କାମ କରୁଥିବା ଚାକରାଣୀର ନାଁ। ପ୍ରାୟ ଦେଢ ବର୍ଷ ହବ କାମ କରୁଛି। ସ୍ବାମୀ ମରିଯିବା ପରେ,ସେ ତାର ଦୁଇଟି ପୁଅ ଆଉ ଗୋଟେ ଝିଅକୁ ଧରି ରୁହେ ଓ ପରଘରେ କାମ କରି ଚଳେ । ପିଲାମାନଙ୍କୁ ମଣିଷ କରିବାର ବୋଝ ତା ମୁଣ୍ଡରେ । ଯେବେ ବି ତାର ଅସୁବିଧା ଥାଏ, କି ଦେହ ଖରାପ ଥାଏ ସେ ସ୍ୱପ୍ନାକୁ ଜଣେଇକି ରୁହେ ,ହେଲେ ଆଜି ସେ ,ନାଁ ଆସିଛି ,ନାଁ ନ ଆସିବା କଥା ଜଣେଇଛି। ଘରକୁ ଆଜି ସ୍ୱପ୍ନାର ଶାଶୁ ଓ ଶ୍ୱଶୁର ଆସିଛନ୍ତି | ଘରେ କେତେ କାମ ପଡିଛି,ସେପଟେ ବାସନ ବି ମାଜିବା ପାଇଁ ଗଦା ହେଇଛି। 

ସ୍ଵପ୍ନା ଖାଲି ରାଗିକି ରକ୍ତ ଚାଉଳ ଚୋବାଉଛି,‘ତାକୁ ଜଲ୍ଦି ଆସିବା ପାଇଁ ଆଜି କହିଥିଲି ଅଥଚ ସେ ଜମାରୁ ବି ଆସିଲାନି । ସେ ଆଉ ଆସିବା ଦରକାର ନାହିଁ ।‘ ଏତିକି କହୁ କହୁ ତା ଶାଶୁ ଆସି ପହଞ୍ଚିଗଲେ । ଦେଖିଲେ ସ୍ଵପ୍ନା ରାଗରେ ଗର ଗର ହଉଥାଏ । ତା ଶାଶୁ ପଚାରିଲେ “କଣ ହେଇଛି ମା ? କିଏ ଆସିଲାନି ?” ସ୍ଵପ୍ନାର ଶାଶୁ ଶ୍ବଶୁର ଗାଁ'ରେ ରୁହନ୍ତି ଆଜି ଆସି ପହଁଚିଛନ୍ତି । କିଛି ମାସ ରହିବେ ତାଙ୍କ ପୁଅ ଓ ବୋହୁଙ୍କ ପାଖରେ । ଶ୍ବଶୁରଙ୍କ ଦେହ ଖରାପ ଥିବାରୁ ଡାକ୍ତରଙ୍କୁ ଦେଖେଇବେ । ପ୍ରଭାତ ସେଥିପାଇଁ ଆର ସପ୍ତାହ ଅଫିସରୁ ଛୁଟି ନେଇଛନ୍ତି, ବାପାଙ୍କୁ ଡାକ୍ତର ଦେଖେଇବା ପାଇଁ ନେବେ । 

      ପ୍ରଭାତ ଆଉ ସ୍ଵପ୍ନାର ବିବାହ ପ୍ରାଏ ଦୁଇ ବର୍ଷ ହେଇଯିବ । ଏବେ ସ୍ଵପ୍ନା ଛ' ମାସର ଗର୍ଭବତୀ ଅଛି । ଶାଶୁ ଶ୍ବଶୁର ଏକାଥରେ ନାତି କି ନାତୁଣୀ ହେଲେ ଦେଖିକି ଯିବେ । 

      ଝିଲ୍ଲୀ ଆସେ ବୋଲି ସ୍ଵପ୍ନାର କିଛି ଚିନ୍ତା ନଥାଏ । ସେ ଘରର ସବୁ କାମ କରିଦିଏ । ଝାଡୁ ପୋଛା ଠୁ ଆରମ୍ଭ କରି ପରିବା କଟା,ବାସନ ମଜା,ଲୁଗା ସଫା ,ଘର ସଜାଡ଼ିବା ସବୁ କରେ । ସ୍ଵପ୍ନା ଖାଲି ରୋଷେଇ କରେ । ଝିଲ୍ଲୀ, ସ୍ୱପ୍ନାର ହାତରୁ ଛଡେଇ ନେଇ କାମ କରିଦିଏ । ଆଜି ଶାଶୁ ଶ୍ବଶୁର ଆସି ପହଞ୍ଚିବା ପରେ ସ୍ଵପ୍ନାର କାମ ବଢି ଯାଇଛି । ଆଉ ଠିକ ସମୟରେ ଝିଲ୍ଲୀର ଦେଖା ନାହିଁ । ସ୍ଵପ୍ନା ନିଜେ ସବୁ କାମ କରୁଥାଏ ଆଉ ଝିଲ୍ଲୀ ଉପରେ ଗର ଗର ହେଉଥାଏ । ଶ୍ଵଶୁର ସେପଟେ ଚା’ ପିଇବାକୁ ମାଗିଲେଣି । ସ୍ଵପ୍ନା ବାସନ ଗଦା ଭିତରୁ ଚା’ ସସପେନଟିକୁ ଖୋଜିବାରେ ବ୍ୟସ୍ତ । ତାକୁ ବାହାର କରିବ ବା କେମିତି ? ତା ଉପରେ ତ ଅଇଁଠା ବାସନ ଗଦା ହେଇଚି । ସସପ୍ୟାନ କାଢିବା ପାଇଁ ଅଧା ବାସନ ମାଜିଲା । ତାପରେ ଯାଇ ସସପ୍ୟାନଟିକୁ କାଢିଲା ଓ ଚା’ ବସେଇଲା । ସ୍ୱପ୍ନାର ଅବସ୍ଥା ଦେଖି ଶାଶୁ କହିଲେ ରାତି ପାଇଁ ରୋଷେଇ ସେ କରିଦେବେ । ସ୍ଵପ୍ନା ଟିକେ ଆଶ୍ଵସ୍ତ ହେଲା । ଆଉ ଚା’ ପିଇ ସାରି ବାସନ ସବୁ ଧୋଇଦେବ ଭାବିଲା । ଏଇ ସମୟ ଭିତରେ ପ୍ରଭାତ ବି ଅଫିସରୁ ଆସିକି ପହଞ୍ଚିଗଲେ । ସ୍ୱପ୍ନାକୁ ରାଗୁଥିବାର ଦେଖି ସବୁ କଥା ପଚାରି ବୁଝିଲେ ଆଉ କହିଲେ ‘ବ୍ୟସ୍ତ ହୁଅନି ସେ କାଲି ଆସିଯିବ , ତାର ଦେହ ପା' ବୋଧେ କଣ ଖରାପ ହେଇଥିବ ।“

ତା ପରଦିନ ସକାଳେ ଝିଲ୍ଲୀ ଆସିକି ପହଞ୍ଚିଗଲା ଆଉ କହିଲା,”ସାନ ପୁଅ ଦେହ ଭୀଷଣ ଖରାପ । ଝାଡା ବାନ୍ତି ବନ୍ଦ ନ ହେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଲା । ମୁଁ ଆଜିଟା ତା ପାଖେ ଡାକ୍ତରଖାନାରେ ରହିବି କାଲିଠୁ କାମ କରିବାକୁ ଆସିବି । ଆଉ ଦିଦି କିଛି ପଇସା ଦେଇଥାନ୍ତୁ, ପୁଅ ପାଇଁ ଔଷଧ ଆଉ ହର୍ଲିକ୍ସଟିଏ ନେଇଥାନ୍ତି । ଏ ମାସ ଦରମାରେ କାଟିକି ରଖିଦେବେ|“ 

ସ୍ଵପ୍ନା କିଛି ପଇସା ଦେଇ ତାକୁ ବିଦା କରିଦେଲା । ଆଜି ବି ସ୍ଵପ୍ନା ସେମିତି ରାଗୁଥାଏ । କହୁଥାଏ," ସେ ଖାଲି ବାହାନା କରିବ, ଆଉ ପଇସା ନେବାର ତରିକା ସବୁ ତାକୁ ମାଲୁମ । ତାକୁ ମୁଁ ଏଥର କାଢିଦେବି ଆଉ ଜଣେ ନୂଆ ଲୋକ ରଖିବି । ତିନିଶହ ଟଙ୍କା ଆଜି ନେଲା ପୁଅ ଦେହ ଖରାପ କହିକି ,ଏ ମାସ ଦରମାରୁ ତ କାଟିବି ଆଉ କାମ ବି ଡବଲ କରେଇବି ତାକୁ । ଗୋଟେ ଧନ୍ଦା ଚଳେଇଛି ।“ ସ୍ଵପ୍ନାର ଶାଶୁ ସୀତାଦେବୀଙ୍କୁ ଏସବୁ ଟିକେ ଖରାପ ଲାଗୁଥାଏ । ସେ ଭାରି ଦୟାଳୁ ଲୋକ। ସେ କାହା ଦୁଃଖ ସହି ପାରନ୍ତିନି । ସ୍ଵପ୍ନାକୁ ବୁଝେଇଲେ ଯେ ,ତାର କିଛି ପ୍ରକୃତରେ ଅସୁବିଧା ଥାଇପାରେ ଅଥଚ ସ୍ଵପ୍ନା ତାଙ୍କୁ ଓଲଟି କହିଲା “ଆପଣ କିଛି ଜାଣି ନାହାନ୍ତି ମା’ । ଏମାନେ ଏମିତି ଠକାନ୍ତି । ଶାସନ ନକଲେ ମୁଣ୍ଡରେ ଚଢିକି କଥା କହିବେ ।“ ସୀତା ଦେବୀ ଚୁପ ରହିଗଲେ । 

ତା ପରଦିନ ଝିଲ୍ଲୀ ସକାଳୁ ଆସିଲା କାମ କରିବାକୁ । ମୁଁହ ଶୁଖିଯାଇଛି । ଆଖି ଛଳ ଛଳ । ସୀତା ଦେବୀ ଦେଖିକି ପଚାରିଲେ,’ମା ରେ ତୋ ପୁଅ ଦେହ ଏବେ କେମିତି ଅଛି ?’ ସେ କହିଲା,’ ଭଲ ହେଇନି ମା' । ଡାକ୍ତର କହିଲେ ଡାକ୍ତରଖାନାରୁ ଘରକୁ ନେଇଯିବାକୁ । ହେଲେ ସେ ଉଠି ପାରୁନି ବିଛଣାରୁ ।‘ ପୁଅ ଝିଅ ଦୁହେଁ ଜଗିକି ବସିଛନ୍ତି ତା ପାଖେ । ଟିକେ ପରେ ଟିକେ ଚିନି ଲୁଣ ପାଣି ପିଆଉଛନ୍ତି । ମୁଁ ଗଲା ବେଳକୁ ତା ପାଇଁ ଔଷଧ ନେଇକିଯିବି । ‘ ଏତିକି ବେଳେ ସ୍ଵପ୍ନା ଡାକିଲା ଝିଲ୍ଲୀକୁ ଆଉ କହିଲା,’ ତୁ କଥା ହବୁ ପରେ ଆଗ କାମ ସାରିଦେ । ମୁଁ କାଲିର ସବୁ ବାସନ ପକେଇଦେଇଛି । ତୁ ଆଗ ମାଜିଦେ ଯାଇକି |‘ ଝିଲ୍ଲୀ ପ୍ରତି ସ୍ଵପ୍ନାର କଥାରେ କୌଣସି ସମବେଦନା ନଥିଲା,ଅଥଚ ତାକୁ କହିଲା,”ତୁ ଗଲା ବେଳେ ଗୋଟେ ହର୍ଲିକ୍ସ ଅଛି ,ନେଇଯିବୁ । ତୋ ପୁଅକୁ ଦବୁ ଖାଇବାକୁ ।“ ଝିଲ୍ଲୀ ‘ହଉ ଦିଦି’ ବୋଲି କହିକି କାମରେ ଲାଗିପଡ଼ିଲା। ସୀତା ଦେବୀ ମନେ ମନେ ଖୁସୀ ହଉଥାନ୍ତି, ଆଉ ଭାବୁଥାନ୍ତି ଯେ,ତାଙ୍କ ବୋହୁ କଠୋର ଦିଶୁଚି ସିନା ହେଲେ ହୃଦୟରେ କିନ୍ତୁ ଦୟା ଅଛି । ଝିଲ୍ଲୀ କାମ ସାରି ବାହାରିଲା,ଆଉ ଗଲାବେଳେ ସ୍ଵପ୍ନା ହର୍ଲିକ୍ସ ଡବାଟି ଦେବାପାଇଁ କାଢିଲା । ଝିଲ୍ଲୀ ବାହାରେ ଠିଆ ହେଇଥାଏ, ସୀତା ଦେବୀଙ୍କ ହାତକୁ ସ୍ଵପ୍ନା ବଢେଇଦେଲା ବୋତଲଟା ଦେବାକୁ । ସୀତାଦେବୀ କଣ ଭାବିଲେ କେଜାଣି ବୋତଲଟିକୁ ଖୋଲିଦେଲେ ଆଉ ଦେଖିଲେ ତା ଭିତରର ହର୍ଲିକ୍ସ ଶୁଖିକି ମୁଣ୍ଡା ହେଇଯାଇଛି ।ତାଙ୍କ ମୁଁହଟା ଶୁଖିଗଲା ଆଉ ସ୍ଵପ୍ନାକୁ କହିଲେ ‘ତାକୁ ହର୍ଲିକ୍ସ କିଣିବାକୁ ମୁଁ ପଇସା ଦେଇଦଉଛି । ତୁ ଏ ଡବା ରଖିଦେ’ । ସ୍ଵପ୍ନା ଚିଡିଉଠି କହିଲା, ‘ୟା କୁ ନଷ୍ଟ କାଇଁ କରିବା ? ତାକୁ ଦେଇଦେଲେ ତା ପୁଅ ଖୁସିରେ ଖାଇଦେବ । ‘ ଏତିକି କହି ନିଜେ ନେଇ ଝିଲ୍ଲୀକୁ ଦେଇଦେଲା ଡବା । ଝିଲ୍ଲୀ ଚାଲିଗଲା ପରେ ସ୍ଵପ୍ନା ତା ଶାଶୁ ଙ୍କୁ ବୁଝେଇଲା , “ମା ଦେଖନ୍ତୁ ମୁଁ କିଛି ନଷ୍ଟ ନକରି ସବୁ କିଛି ଝିଲ୍ଲୀକୁ ଦେଇଦିଏ । ସେମାନେ ହେଲେ ଗରିବ ଲୋକ, କୋଉଠୁ ପାଇବେ ଭଲ ମନ୍ଦ ଜିନିଷ ? ମୁଁ ସବୁବେଳେ ବଳିପଡ଼ିଥିବା ତରକାରୀ, ପିନ୍ଧା ଲୁଗା , ଅଦରକାରୀ ପ୍ରତ୍ୟକଟି ଜିନିଷକୁ ନଷ୍ଟ ନକରି ତାକୁ ଦେଇଦିଏ । ସେ ବି ଖୁସୀ ଖୁସୀରେ ନେଇଯାଏ ସବୁକିଛି ଆଉ ଆମ ଘର ବି ସଫା ହେଇଯାଏ ।“ ସୀତାଦେବୀ ବୋହୁର ଘର ସଫା କରିବା ବୁଦ୍ଧିକୁ ପ୍ରଶଂସା କରିବେ କି ବୋହୁ ଭିତରେ ଥିବା ଅମଣିଷତ୍ଵକୁ ତିରସ୍କାର କରିବେ ବୁଝି ନ ପାରି ଚୁପ ଚାପ ଭିତରକୁ ଚାଲିଗଲେ । 

ଚାରି ପାଞ୍ଚ ଦିନ ବିତିଗଲା । ଝିଲ୍ଲୀ ସବୁଦିନ ଆସେ କାମ କରିବାକୁ । ସୀତା ଦେବୀ ତାର ପୁଅ ବିଷୟରେ ପଚାରି ବୁଝିନିଅନ୍ତି । ପାଞ୍ଚଦିନ ପରେ ତା ପୁଅ ଦେହ ଭଲ ହେଇଯାଇଥାଏ । ସେଦିନ ସନ୍ଧ୍ୟାରେ ଝିଲ୍ଲୀ କାମ ସାରି ଗଲା । ସେ ଯିବାର କିଛି ସମୟ ପରେ କିଏ ଆସିକି କବାଟ ବାଡ଼େଇଲା । ସ୍ଵପ୍ନା ଭାବିଲା ପ୍ରଭାତ ବୋଧହୁଏ ଆସିଗଲେ ଅଫିସରୁ । ଯାଇକି କବାଟ ଖୋଲିକି ଦେଖିଲା ବେଳକୁ ଝିଲ୍ଲୀ ଛିଡା ହେଇଛି ଆଗରେ । ଭାବିଲା,” କାମ ସାରିକି ତ ଯାଇଥିଲା, ପୁଣି କାହିଁକି ଆସିଛି ? ବୋଧହୁଏ ପଇସା କିମ୍ବା ଛୁଟି କି ଆଉ କିଛି ଦରକାର ଥିବ । କଣ କହୁଛି କହୁ,ମୁଁ ତାର ସବୁଦିନ ପାଇଁ ଛୁଟି କରିଦେବି |“ ସୀତା ଦେବୀ ବି ସ୍ଵପ୍ନା ପଛରେ ଛିଡା ହେଇଥାନ୍ତି । ଝିଲ୍ଲୀ ଗୋଟେ ପଲିଥିନ ବ୍ୟାଗରୁ ଗୋଟେ ଟିଫିନ ଆଉ ହର୍ଲିକ୍ସ ଡବାଟିଏ ବାହାରକଲା । ସେ ଟିଫିନରେ ସ୍ଵପ୍ନା ଦୁଇଦିନ ପୂର୍ବରୁ ଝିଲ୍ଲୀକୁ,ରାତିର ବଳିପଡ଼ିଥିବା ତରକାରୀ ଦେଇଥିଲା ଆଉ ଏଇଟା ତ ସେ ଦେଇଥିବା ସେଇ ହର୍ଲିକ୍ସର ଡବା । ସୀତା ଦେବୀ କହିଲେ , “ଏଇୟାକୁ ଦବାକୁ ତୁ ଆସିଚୁ ? କାଲି ସକାଳେ ଦେଇଥାନ୍ତୁ ଆଣିକି” । ଝିଲ୍ଲୀ କହିଲା ,”ନାଇଁ ମା ସକାଳକୁ ବାସୀ ହେଇଯାଇଥାନ୍ତା। ପୁଅ ଦେହ ଖରାପ ଯୋଗୁ ମାନସିକ କରିଥିଲି ତ ସତ୍ୟନାରାୟଣ ପୂଜା କରିବାକୁ ସେଇ ଭୋଗ ନେଇକି ଆସିଛି ଏ ଟିଫିନରେ । ଆଉ ଏ ହର୍ଲିକ୍ସ ଡବାରେ ମୁଁ ତିଆରି କରିଥିବା କୋଳି ଆଚାର ଅଛି । ଦିଦି ଖଟା ଆଣିବା କଥା କହୁ ନଥିଲେ ? କୋଳି ଆଚାର ସେ ଭାରି ଭଲ ପାଆନ୍ତି । ଏଇ ସମୟରେ ତାଙ୍କ ଇଚ୍ଛା ପୂରଣ ନହେଲେ ଛୁଆ ପାଟିରୁ ପରା ଲାଳ ବୋହିବ। ମୁଁ ନିଜେ ବଜାରରୁ କୋଳି ଆଣିକି ତିଆରି କରିଛି ଦିଦିଙ୍କ ପାଇଁ । ମୋର ଭଲ ଡବା ନଥିଲା । ଆପଣ ଦେଇଥିବା ହର୍ଲିକ୍ସକୁ ଭାରି ଖୁସୀହେଇ ତିନି ଭାଇ ଭଉଣୀ ଖାଇଦେଲେ । ଦି'ଦିନ ରେ ଡବା ଖାଲି । ମୁଁ ସେଇ ଡବାଟିକୁ ସଫାକରି ସେଥିରେ ଆଚାର ନେଇ ଆସିଲି । କଣ ବା ମୁଁ ଦେଇ ପାରିବି ଆଉ ?” ଏତିକି କହି ପଲିଥିନ ବ୍ୟାଗଟିକୁ ବଢାଇଦେଲା ସ୍ଵପ୍ନା ହାତକୁ ଆଉ ଚାଲିଗଲା ସେ । ସ୍ଵପ୍ନା କବାଟ ପାଖରେ ଛିଡା ହୋଇ ଝିଲ୍ଲୀର ଯିବା ବାଟକୁ ଚାହିଁରହିଥାଏ । ସୀତାଦେବୀଙ୍କ ଆଖି ଲୁହରେ ଛଳ ଛଳ ହେଇଯାଇଥାଏ । ଦୁହେଁ ଆବାକ ହେଇ ଚାହିଁରହିଥାନ୍ତି ଦୁହିଁଙ୍କୁ । ଆଉ ମନେ ମନେ ନିଜକୁ ପ୍ରଶ୍ନ କରୁଥାନ୍ତି ପ୍ରକୃତ ଗରିବ କିଏ ? ଏତିକି ବେଳେ ପ୍ରଭାତ ଅଫିସରୁ ଆସିକି ପହଞ୍ଚିଗଲେ । ଆଉ ସୀତାଦେବୀ ସ୍ଵପ୍ନାର କାନ୍ଧରେ ହାତମାରି ତାକୁ କହିଲେ , “ମା’ରେ , ସେ ପ୍ରସାଦ ଟିକେ ଟିକେ ସମସ୍ତଙ୍କୁ ବାଣ୍ଟିଦେ । ପ୍ରସାଦ ପାଇକି ତା ପୁଅକୁ ସମସ୍ତେ ଆଶୀର୍ବାଦ କରନ୍ତୁ । ଆମେ ମାନେ ହେଲୁ ବଡ ଘରେ ରହୁଥିବା ବଡଲୋକ ଯାହାର ହୃଦୟ ଅତ୍ୟନ୍ତ ଛୋଟ , ଆଉ ଝିଲ୍ଲୀ ହେଉଛି ଛୋଟଘରେ ରହୁଥିବା ଗରିବ ଶ୍ରେଣୀୟ ଲୋକ ଅଥଚ ମହାନ ହୃଦୟର ମଣିଷ ଟିଏ ।“ ସ୍ଵପ୍ନା ତା ଶାଶୁଙ୍କ କଥାର କିଛି ଉତ୍ତର ଦେଇ ପାରିଲାନି । ମୁହଁ ଶୁଖେଇ ଭିତରକୁ ଚାଲିଗଲା ।

ତହିଁ ପରଦିନ ସକାଳେ ଝିଲ୍ଲୀ ଆସିଲା ଓ ସବୁଦିନ ପରି କାମରେ ଲାଗିପଡ଼ିଲା । ସେ ଯିବା ବେଳକୁ ସ୍ଵପ୍ନା ତାକୁ ଅଟକାଇଲା ଓ ତା ହାତକୁ ନୂଆ ହର୍ଲିକ୍ସ ଡବାଟିଏ ଆଉ କିଛି ଫଳ ବଢାଇଦେଲା । କହିଲା “ଏସବୁ ତୋ ପିଲାମାନେ ଖାଇବା ପାଇଁ । ଆଉ ତୋ ସାନ ପୁଅ ଏବେ ବି ସୁସ୍ଥ ହେଇନି ସେଥିପାଇଁ ଏଇ ହର୍ଲିକ୍ସ ଟିକେ ଟିକେ ଗୋଳିକି ଦବୁ ପିଇବାକୁ ।“ ସୀତାଦେବୀ ଛିଡା ହୋଇ ଦେଖୁଥାନ୍ତି । ବୋହୁ ଏଥର ପୁରୁଣା ଅଦରକାରୀ ହର୍ଲିକ୍ସ ନୁହେଁ ବରଂ ଦୋକାନରୁ କିଣିକି ନୂଆ ଡବାଟିଏ ଦେଇଛି, ଆଉ ବାସୀ କି ପଚାଶଢା ଫଳ ନୁହେଁ,ତଟକା ଫଳ ଦେଇଛି । ତାଙ୍କ ବୋହୁର ଏ ପ୍ରକାର ପରିବର୍ତ୍ତନରେ ସେ ଭାରି ଖୁସୀ ହେଉଥାନ୍ତି ଓ ମନେ ମନେ ଝିଲ୍ଲୀର ମହାନତା ଆଗରେ ମୁଣ୍ଡ ନୂଆଉଁଥାନ୍ତି ।

        ଆଜିକାଲି ଆମର ଏ ବ୍ୟସ୍ତବହୁଳ ଜୀବନରେ ଆମମାନଙ୍କ ଘରର କାମ କରିବା ପାଇଁ ଲୋକଟିଏ ନିହାତି ଆବଶ୍ୟକ | ଯାହାକୁ ଆମେ ଚାକର ବା ଚାକରାଣୀ ବୋଲି ସମ୍ବୋଧନ କରିଥାଉ | ସେମାନେ ଆମମାନଙ୍କ ଠାରୁ ଯଥେଷ୍ଟ କମ ଶ୍ରେଣୀୟ ବା ବର୍ଗର ହୋଇଥାଇପାରନ୍ତି ହେଲେ ସେମାନେ ବି ଆମ ମାନଙ୍କ ଭଳି ମଣିଷ | ଆମପାଇଁ ଯାହା ହାତପାହାନ୍ତାରେ ଉପଲବ୍ଧ ସେମାନଙ୍କ ପାଇଁ ସାତସ୍ବପ୍ନ | ହେଲେ ଆମର ଅଦରକାରୀ ପଦାର୍ଥ ସବୁକୁ ଘରେ କାମକରୁଥିବା ଲୋକଙ୍କୁ ବା ଗରିବ ଲୋକଙ୍କୁ ଦାନ ଦେବାରେ କୌଣସି ପ୍ରକାରର ଯଥାର୍ଥତା ନଥାଏ | ଯାହା ଆମପାଇଁ ଅଦରକାରୀ ଓ ଫିଙ୍ଗବାଯୋଗ୍ୟ ସେ ଖାଦ୍ୟ ହେଉ ବା ଚିରାଫଟା ଲୁଗା ହଉ, ସେସବୁ ସେମାନଙ୍କ ପାଇଁ ମଧ୍ୟ୍ୟ ଅଦରକାରୀ | ବରଂ କୌଣସି ଭଲମନ୍ଦ ଦିନରେ ବା ପର୍ବ ପର୍ବାଣୀରେ,କିଛି ନୂଆବସ୍ତ୍ର ବା କିଛି ଭଲଖାଦ୍ୟ ଯାହା ଘରେ ପ୍ରସ୍ତୁତ ହେଇଥିବ, ସେସବୁ ଆମେ ଆମମାନଙ୍କ ଘରେ ଅଇଁଠାବାସନ ମାଜୂଥବା ଚାକର ଚାକରାଣୀଙ୍କୁ ଦେଇ ତାଙ୍କ ମୁଂହରେ ଟିକେ ହସ ଫୁଟାଇ ପାରିବା |


Rate this content
Log in

Similar oriya story from Drama