Bhagyashree Nanda

Drama Others

4.1  

Bhagyashree Nanda

Drama Others

ସହରୀ ଝିଅ

ସହରୀ ଝିଅ

6 mins
288



          ଦିନ ଗଡିଯାଇ ସଞ୍ଜ ଆସି ହେଲାଣି ଅଥଚ, ଲାବନ୍ୟା ଦେବୀ ପୁରୁଣା ଆଲବମଟିକୁ ଖେଳାଉ ଖେଳାଉ, କେତେବେଳେ ପୁରୁଣା ସ୍ମୃତି ଭିତରେ ହଜିଯାଇଥିଲେ କେଜାଣି, ସେ ନିଜେ ବି ଜାଣି ନଥିଲେ । ଆଖିରୁ ବୋହି ଯାଉଥାଏ ଲୁହର ଧାରା, ପୁରୁଣା ଅନୁଭୂତି ସବୁ ସତେଜହୋଇ ଆଖି ଝରକାରୁ ପଦାକୁ ବାହାରି ଆସୁଥିଲେ ।     

ଆଲବମର ପ୍ରଥମପୃଷ୍ଠା ଆରମ୍ଭ ହୋଇଥିଲା ନିତିନର ଛୋଟବେଳର ଫୋଟଗୁଡ଼ିକରୁ । ତାଙ୍କ ଏକମାତ୍ର ଗେଲ୍ହାପୁଅ ନିତିନର ଛୋଟବେଳର ଫୋଟଗୁଡିକୁ ଦେଖୁଦେଖୁ ସତେ ଯେମିତି ତାଙ୍କର ପ୍ରଥମକରି ମା' ହେବାର ଅନୁଭୂତି ଏକଦମ ସତେଜ ହୋଇଉଠିଥିଲା । ଅଠରବର୍ଷ ବୟସରେ ରୁପେଶଙ୍କ ସହ ତାଙ୍କର ବିବାହ ହୋଇଥିଲା । ବିବାହର ଚାରିବର୍ଷ ଯାଏଁ ପିଲାପିଲି ନହେବା କାରଣରୁ କେତେ ଲୋକଙ୍କଠାରୁ, କେତେକଥା ଶୁଣିବାକୁ ପଡିଥିଲା ତାର ହିସାବ ନାହିଁ । ଚାରିବର୍ଷ ପରେ ନିତିନ ଜନ୍ମ ହୋଇଥିଲା । ନିତିନର ଜନ୍ମରେ ଲାବନ୍ୟା ଓ ରୁପେଶ ସତେ ଯେମିତି ନୂଆ ଜୀବନ ପାଇଥିଲେ । ପୁଅଟି ହେବାପରେ ସେମାନେ ଆଉ ଦ୍ଵିତୀୟ ସନ୍ତାନ ଚାହିଁନଥିଲେ । ନିତିନ ସେମାନଙ୍କର ସବୁକିଛି ଥିଲା ଓ ଅତି ଗେଲବସରରେ ସେ ବଢିଥିଲା । 


         ଆଲବମର ଆଉକିଛି ଫର୍ଦ୍ଦ ଲେଉଟାଇବା ପରେ ନିତିନର କଲେଜ ବେଳର ଫୋଟୋଗୁଡିକ ବାହାରିଥିଲା । ସେ ଅତ୍ୟନ୍ତ ମେଧାବୀ ଛାତ୍ରଟିଏ ଥିଲା । ପାଠପଢା ସରିବାପରେ ତୁରନ୍ତ ତାକୁ ସରକାରୀ ଚାକିରୀଟିଏ ମଧ୍ୟ ମିଳିଯାଇଥିଲା । ପ୍ରଥମକରି ଯେବେ ଚାକିରୀରେ ଯୋଗ ଦେଇଥିଲା, ବାପା, ମା' ଓ ଜେଜେବାପାଙ୍କ ସାଙ୍ଗରେ, ସେଦିନ ଫୋଟୋଟିଏ ଉଠିଥିଲା,ଯାହା ଆଲବମ ଭିତରେ ଆଜି ମଧ୍ୟ ସେମିତି ସାଇତା ହୋଇରହିଛି । ଲୁହ ଢଳଢଳ ଆଖିରେ ଲାବନ୍ୟା ଗେଲ କରୁଥାନ୍ତି ନିତିନର ଫୋଟୋକୁ । ଚାକିରୀ କରିବାପରେ ସରକାରୀ କ୍ୱାଟରଟିଏ ମିଳିଯାଇଥିଲା । ବାପା,ମା' ଓ ଜେଜେବାପାଙ୍କୁ ଗାଁ' ଛାଡି ତା ପାଖରେ ଆସି ରହିବାକୁ,ଜିଦି କରିବସିଥିଲା ନିତିନ । ବାଧ୍ୟ ହୋଇ ସେମାନେ ସମସ୍ତେ ଯାଇ ନିତିନ ପାଖରେ ରହିଥିଲେ । ପ୍ରତ୍ୟେକ ବାପା, ମା' ନିଜ ପିଲାଠାରୁ ଯାହାସବୁ ଆଶାକରନ୍ତି, ସେ ସବୁକିଛି ସେମାନଙ୍କ ଜୀବନରେ ଥିଲା । ଜୀବନଟା ଖୁବ ସରଳ ଓ ସୁନ୍ଦର ଭାବେ ଆଗକୁ ବଢିଚାଲିଥିଲା । 


          ଆଲବମର ପରଫର୍ଦ୍ଦଟିରେ ନିତିନ ଓ ନିଧିର ବିବାହର ଫୋଟ ସବୁଥିଲା । ସହରରେ ଚାକିରୀ କରିବା ସମୟରେ ନିତିନର ଦେଖାହେଇଥିଲା ନିଧି ସହିତ । ନିଧିର ବାପା ଜଣେ ପ୍ରତ୍ତିପତ୍ତଶିଳ ବ୍ୟକ୍ତିଥିଲେ । ଅମାପ ସମ୍ପତ୍ତିର ମାଲିକ ସେ ଏବଂ ତାଙ୍କର ଏକମାତ୍ର ଝିଅଥିଲା ନିଧି । ସହରରେ ଜନ୍ମ ଓ ପାଠପଢା । ଗାଁ କଣ ସେ ଜାଣିନି । କିଛି ଦିନର ବନ୍ଧୁତ୍ୱପରେ ନିତିନ ଓ ନିଧି ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା ଓ ଦୁହେଁ ବିବାହ କରିବାର ଜିଦ କରିବସିଥିଲେ । ଲାବନ୍ୟା କିନ୍ତୁ ପୁଅର ଏଭଳି ଜିଦକୁ ବିଲକୁଲ ବି ସମର୍ଥନ କରୁନଥିଲେ । ସେ ନିତିନ ପାଇଁ ଏକ ଗାଉଁଲି, ପାଠୁଆ ଓ ସଂସ୍କାରୀ ବୋହୁଟିଏ ଚାଁହୁଥିଲେ । ଯିଏ ଏକ ମଧ୍ୟବିତ୍ତ ପରିବାରରୁ ହେଇଥିବ ଓ ଘରସଂସାର ସୁଚାରୁ ରୂପେ ସମ୍ଭାଳି ପାରିବ । ତାଙ୍କ ନଜରରେ, ନିଧି ଥିଲା ସମ୍ଭ୍ରାନ୍ତ ପରିବାରର ଓ ସହରୀ ଝିଅ, ସେ ସଂସ୍କାର କଣ ଜାଣିନଥିବ । ଶାଶୁ ଶଶୁରଙ୍କୁ ସେ ଅଣଦେଖା କରିବ ଏବଂ ପୁଅକୁ ନେଇ ଅଲଗା ରହିବ । ଲାବନ୍ୟାଙ୍କ ମନରେ ଠିକ ସେଇସବୁ ଚିନ୍ତାଧାରା ଥିଲା ,ଯାହା ସାଧାରଣତଃ ଲୋକମାନଙ୍କ ମନରେ କୋଉଠି ନା କୋଉଠି ବସା ବାନ୍ଧିଥାଏ, ସହରର ପ୍ରତ୍ୟେକଟି ଝିଅମାନଙ୍କୁ ନେଇ । ରୁପେଶବାବୁ କିନ୍ତୁ ପୁଅକୁ ସମର୍ଥନ କରୁଥିଲେ । ହେଲେ ଲାବନ୍ୟାଙ୍କ ଏଭଳି ଚିନ୍ତାଧାରା, କେବେକେବେ ତାଙ୍କୁ ମଧ୍ୟ ଦ୍ୱନ୍ଦ୍ୱରେ ପକାଉଥିଲା । ସବୁ ସତ୍ତ୍ବେ ନିତିନ ଓ ନିଧିର ଜିଦ ଆଗରେ ଦୁଇପରିବାର ମୁଣ୍ଡ ନୁଆଇଁଥିଲେ । ବହୁ ଆଡ଼ମ୍ବରରେ ବିବାହକାର୍ଯ୍ୟ ଶେଷ ହୋଇଯାଇଥିଲା । ନୂଆବୋହୁଟିଏ ଘରକୁ ଆସିବା ଖୁସୀରେ ସମ୍ପୂର୍ଣ ଘରଟି ଉଛୁଳି ପଡୁଥିବା ସମୟରେ କିନ୍ତୁ ଲାବନ୍ୟା ଏ ବିବାହରେ ବିଲକୁଲ ବି ଖୁସି ହେଇନଥିଲେ । ବିବାହ ସମୟର ଆଲବମରେ ଥିବା ଲାବନ୍ୟାଙ୍କ ପ୍ରତ୍ୟେକଟି ଫୋଟୋ ଆଜି ବି ତାଙ୍କ ଅପ୍ରୀତିକର ମନୋଭାବକୁ ପ୍ରକାଶ କରୁଥିଲା । ବାହାଘର ପରେ ନିଧି ଓ ନିତିନ, ନିତିନର କ୍ୱାଟରରେ ଆସି ରହିଲେ ହେଲେ ଲାବନ୍ୟା ଓ ରୁପେଶ ପୁଅବୋହୁଙ୍କ ସହିତ ଆଉ ଆସିନଥିଲେ । ସେମାନେ ଗାଁ' ରେ ରହିଲେ ଏବଂ ପୁଅ ବୋହୁ ଯେତେ ବାଧ୍ୟ କଲେ ବି ସେମାନେ ଆଉ ତାଙ୍କ ନିକଟକୁ ଆସିନଥିଲେ । ଯେବେ ବି ଛୁଟିହୁଏ, ନିତିନ ଓ ନିଧି ଗାଁ'କୁ ଯାଇ ବୁଲିଆସନ୍ତି । ହେଲେ ଲାବନ୍ୟା କେବେ ମଧ୍ୟ ନିଧିକୁ ଆପଣାଇ ପାରୁନଥିଲେ । ସମସ୍ତଙ୍କ ସାମ୍ନାରେ ନିଧିକୁ ବାରମ୍ବାର ସହରୀ ଝିଅ, ସଂସ୍କାର ଶିଖିନି କହି ଅପମାନ ଦେଉଥିଲେ । ଶାଶୁଙ୍କ କଥାରେ ନିଧି ଖାଲି ହସିଦିଏ ଓ କୁହେ ଧୀରେଧୀରେ ଆପଣଙ୍କଠାରୁ ସବୁକିଛି ଶିଖିଯିବି । 


ଏଇ ଭିତରେ ବିବାହ ଦେଢ଼ବର୍ଷ ବିତିଯାଇଥିଲା ଏବଂ ନିଧି ମା' ହେବାକୁ ଯାଉଥିଲା । ଯେତେବେଳେ ଲାବନ୍ୟା ଜାଣିଲେ ଯେ ସେ ଜେଜେମା' ହେବାକୁ ଯାଉଛନ୍ତି ତାଙ୍କ ଖୁସିର ସୀମା ରହିନଥିଲା । କିନ୍ତୁ ମନେ ମନେ ଭାବୁଥାନ୍ତି, "ପିଲାଟିଏ ହେଲାପରେ ନିଧି କଣ ଆଉ ଗାଁ'କୁ ଆସିବ ! ଏବେଠୁ ପିଲା ଜନ୍ମ ହେବାଯାଏଁ ସେ ଯାଇ ତା ବାପଘରେ ରହିବ । ବାପାର ତ କିଛି ଅଭାବ ନାହିଁ ଝିଅର ଓ ପିଲାର ସମସ୍ତ ପ୍ରକାର ସୁବିଧା କରେଇଦେବେ । ସ୍ତ୍ରୀ ବାପଘରେ ରହିଲେ ମୋ ପୁଅ ବି ଯାଇ ରହିବ । ସେ ଆଉ ଆମକୁ ପଚାରିବନି । ବୁଢାକାଳ ଆମର ଏକାକୀ ହତାଶରେ ବିତିବ । ଏତେ ପାଠପଢ଼େଇ ମଣିଷ କରିଥିଲୁ ଅଥଚ ଆମ ପୁଅ, ସହରୀଝିଅ ବୁଦ୍ଧିରେ ଆମକୁ ଆଉ ପଚାରିବନି ।" ଏଇ ସବୁକଥା ଚିନ୍ତା କରିକରି ଲାବନ୍ୟା ଖାଇବା ପିଇବା ମଧ୍ୟ ଛାଡିଦେଲେ । ବୋହୂର ପାଞ୍ଚମାସ ପୁରି ଛ'ମାସ ଯେବେ ଚାଲିଲା, ନିତିନ ଦିନେ ଆସି ଗାଁ'ରେ ପଂହଁଚିଲା ଏବଂ ଲାବନ୍ୟା ଓ ରୁପେଶଙ୍କୁ ସାଙ୍ଗରେ ନେଇଗଲା ତା ପାଖକୁ । ସେପଟେ ନିଧି ଚାହିଁ ବସିଥାଏ କେତେବେଳେ ଶାଶୁ ଓ ଶ୍ୱଶୁର ଆସିବେ । ଲାବନ୍ୟା ସିନା ପୁଅ କଥାମାନି ଚାଲି ଆସିଥିଲେ ଅଥଚ ନିଧିପ୍ରତି ତାଙ୍କ ମନୋଭାବ ପୂର୍ବପରି ରହିଥାଏ । ସବୁବେଳେ ରୁପେଶବାବୁଙ୍କୁ କୁହନ୍ତି, ବଡ଼ଘର ଝିଅ ନାଁ କାମ ତ କରିବା ଏବେ କଷ୍ଟହବ, ସେଥିପାଇଁ ଶାଶୁକୁ ନେଇଆସିଲା ଚାକରାଣୀ କରି ରଖିବ । ନିଧିର ପ୍ରତିଟି କଥା ଓ କାର୍ଯ୍ୟକଳାପକୁ ସେ ବାରୁଥାନ୍ତି । ପୁଅକୁ ସବୁବେଳେ କହୁଥାନ୍ତି,"ତୁ ଆମର ଗୋଟେ ବୋଲି ପୁଅ, ଆମ ବୃଦ୍ଧାବସ୍ଥାରେ ତୁ ଆମକୁ ଛାଡିଦେଇ, ବୋହୁଘରେ ଯଦି ଘରଜ୍ୱାଇଁ ହେଇ ରହିବୁ ଆମ ଅବସ୍ଥା କଣହବ !" ନିତିନ ଜାଣିଥାଏ ମା'ଙ୍କ ଚିନ୍ତାଧାରା ନିଧିପ୍ରତି ଏବେଯାଏଁ ବି ପରିବର୍ତ୍ତନ ହେଇନି ବୋଲି । ସେ ହସିହସି କୁହେ "ତୁମ ବୃଦ୍ଧାବସ୍ଥାରେ, ମୁଁ ସେବାକରେ କି ନକରେ, ନିଧି କିନ୍ତୁ କରିବ । ସେ ସହରୀଝିଅ ହେଇଥାଇପାରେ ହେଲେ ସେ ଜଣେ ଉଚ୍ଚଶିକ୍ଷିତା ଓ ଉଚ୍ଚସଂସ୍କାରୀ । ତାକୁ କୌଣସି ବି ଗୁଣରେ କେହି ପାରିବେନି ।" ପୁଅ ମୁଁହରୁ ବୋହୁପ୍ରତି ଏତେ ପ୍ରଶଂସା ଶୁଣି , ଲାବନ୍ୟା ସହଜରେ ହଜମ କରିପାରନ୍ତିନି, ମନମାରି ରୁହନ୍ତି । ମନେମନେ ଭାବନ୍ତି ଆମପୁଅ ଆଉ ଆମର ହେଇନାହିଁ ସେ ବୋହୁ କଥାରେ ସମ୍ପୂର୍ଣରୂପେ ଉଠବସ ହଉଚି । ଏସବୁ କିନ୍ତୁ ରୁପେଶବାବୁଙ୍କୁ ଜମା ବି ଭଲ ଲାଗେନି । ସେ ନିଧିକୁ ନିଜ ଝିଅପରି ସ୍ନେହକରନ୍ତି ଓ ତାକୁ ବୁଝାନ୍ତି ଶାଶୁକଥା ନଧରିବାକୁ । ନିଧି କେବେହେଲେ ବି ଶାଶୁଙ୍କର କୌଣସି କଥାରେ ମନଦୁଃଖ କରେନି ।

      

     ଆଉ କିଛିଫର୍ଦ୍ଦ ଆଲବମକୁ ଲେଉଟେଇବା ପରେ, ତା ପରଫର୍ଦ୍ଦରେ ଆୟୁଷର ଏକୋଇଶିଆ ବେଳର ଫୋଟୋଗୁଡିକ ଥାଏ । ଲୁହ ଛଳଛଳ ଆଖିରେ, ଫୋଟସବୁ ଝାପ୍ସା ଦିଶୁଥାଏ । ଅତୀତଟା ସତେଯେପରି ବର୍ତ୍ତମାନ ହୋଇ, ଲାବନ୍ୟାଙ୍କ ସମ୍ମୁଖରେ ଦଣ୍ଡାୟମାନ । ସେଇ ଅତୀତରୁ ସୁନ୍ଦର ଅନୁଭୁତି ସବୁକୁ ସାଉଣ୍ଟିବାର ବୃଥା ଚେଷ୍ଟାମାତ୍ର । ସେଇସବୁ ଫୋଟରେ ସଂମ୍ପୂର୍ଣ ପରିବାର ଶେଷଥର ପାଇଁ ଏକାଠି ହେଇଥିଲେ, ଏକାଠି ଖାଇଥିଲେ ଆଉ ଖୁବ ଖୁସୀମଜା କରିଥିଲେ । ଫୋଟସବୁ ସତେଯେମିତି ଆଜିବି ଜୀବନ୍ତ ଲାଗୁଥିଲା । ଲାବନ୍ୟା ଶୁଣିପାରୁଥିଲେ ନିତିନ କେମିତି ଥଟ୍ଟା କରି ହସୁଥିଲା ଆଉ କହୁଥିଲା, "ମା ତୁମେ ଏଥର ଆଉ କୁଆଡେ ବି ଯାଇପାରିବନି । ତୁମ ନାତିର ସ୍ନେହରେ ଏଇଠି ବାନ୍ଧିହେଇ ସାରାଜୀବନ ପାଇଁ ରହିଯିବ ।"


     ଠିକ ଏତିକିବେଳେ ଆୟୁଷ ଆସି ଲାବନ୍ୟାଙ୍କ କାନ୍ଧରେ ଲାଉ ହେଇପଡିଲା । ଲାବନ୍ୟା ତା ମୁଣ୍ଡକୁ ଆଉଁଷିଦେଇ ଗେଲ କରିଦେଲେ । ତା ପଛେପଛେ ନିଧି ଆସି ଶ୍ରାଦ୍ଧ ପାଇଁ ଚିଠାଟିଏ ଦେଖେଇଲା ଓ କହିଲା ,'ଏଗାର ବର୍ଷ ବିତିଗଲାଣି ତଥାପି ପ୍ରତିବର୍ଷ ପରି ଏଥର ବି ଆପଣ ପୁଣି ଆଲବମ ଧରି ଦିନସାରା ବସିଛନ୍ତି କଣ ମିଳେ ଆପଣଙ୍କୁ ଏ ଲୁହସବୁ ଢ଼ାଳିଲେ ! ଖାଲିଯାହା ଆଖି ପରିସ୍କାର ହୁଏ । ଏ ବୋହିଯାଉଥିବା ଲୁହ,ନାଁ ମନ ହାଲକା କରିପାରେ ନାଁ ଅତୀତକୁ ଲୁଚେଇ ପାରେ । ମନର ଦୁଃଖ ଓ ଆଘାତ ସବୁ ତ,ଆଜିବି ତାଜା ହୋଇରହିଛି ।' ସେପଟେ ରୁପେଶବାବୁ ଆସି, ନିଧି ପଛରେ ଛିଡାହୋଇ, ଆଖିର ଲୁହକୁ ଲୁଚେଇ ପୋଛୁଥାନ୍ତି । ଆୟୁଷ ଆଲବମ ଛଡେଇନେଇ ଫୋଟଗୁଡ଼ିକୁ ଦେଖିବାକୁ ଲାଗିଲା । ତା'ପର ଫୋଟ ଗୁଡିକରେ, ନିତିନର ଫୋଟ ଆଉ କେଉଁଠି ବି ନଥିଲା । 

 

          ଆୟୁଷ ଯେତେବେଳେ ମାତ୍ର ଦୁଇମାସର ହେଇଥିଲା,ଏକ ସଡକ ଦୁର୍ଘଟଣାରେ ନିତିନ ସମସ୍ତଙ୍କୁ ଛାଡି ଆରପାରିକୁ ଚାଲିଯାଇଥିଲା । ଏ ଖବର ପାଇବାପରେ,ନିଧି ମାନସିକ ସନ୍ତୁଳନ ହରେଇବସି ପାଗେଳୀ ପ୍ରାୟ ହେଇଯାଇଥିଲା । ନିଧିର ବାପା,ମା ଆସି ନିଧି ଓ ଆୟୁଷକୁ ତାଙ୍କଘରକୁ ନେଇଯାଇଥିଲେ । ଆଉ ଗଲାବେଳେ କହିଯାଇଥିଲେ, "ଜ୍ୱାଇଁ ତ ଚାଲିଗଲେ, ଏତେ ଛୋଟଛୁଆକୁ ନେଇ ଆମଝିଅ ଆଉ କେମିତି ଚଳିବ ? ସେ ଓ ନାତି ଏଥର ଆମଘରେ ସବୁଦିନପାଇଁ ରହିବେ ।" 

ଲାବନ୍ୟା ଓ ରୁପେଶ, ନିଜ ଏକମାତ୍ର ପୁଅକୁ ହରାଇ, ନିଜକୋଳ ଖାଲି ହେଇଯିବା ଯନ୍ତ୍ରଣାକୁ ଛାତିରେ ଚାପି, ଗାଁ' କୁ ଫେରିଯାଇଥିଲେ । ଗାଁ'କୁ ଆସିବାପରେ, ଲାବନ୍ୟା ସତେଯେମିତି ମୁକ ପାଲଟିଯାଇଥିଲେ । କାହାସହ କଥା ହୁଅନ୍ତିନି, କେବେ ତାଙ୍କୁ କେହି କୋଉଠି ଦେଖିବାକୁ ବି ପାଆନ୍ତିନି, ନିଜକୁ ସବୁବେଳେ କୋଠରୀରେ ବନ୍ଦ କରିରଖନ୍ତି । 


         ଏସବୁ ଭିତରେ କିଛିମାସ ବିତିଯାଇଥିଲା । ପ୍ରାୟ ଏଗାରମାସ ପରେ, ଦିନେ ନିଧି ଆସି ପଂହଁଚିଥିଲା ଗାଁ'ରେ । ସାଙ୍ଗରେ ଆୟୁଷ ବି ଆସିଥାଏ । ନିତିନ ସରକାରୀ ଚାକିରୀ କରିଥିବାରୁ ତା ମୃତ୍ୟୁପରେ ନିଧିର ଯୋଗ୍ୟତା ଅନୁଯାୟୀ ତାକୁ ଏକ ଚାକିରୀ ମିଳିଯାଇଥାଏ । ନିଧି ଗାଁ'କୁ ଆସିଥିଲା ସାଙ୍ଗରେ ଶାଶୁ,ଶଶୁରଙ୍କୁ ତା ପାଖକୁ ନେଇଯିବା ଉଦ୍ଦେଶ୍ୟରେ । ଜିଦକରି ଲାବନ୍ୟା ଓ ରୁପେଶଙ୍କୁ ଗାଁ'ରୁ ସହରକୁ ନେଇଆସିଥିଲା । ସେଦିନ ପରଠୁ ଆଜିଯାଏଁ ସେମାନେ ଏକାଠି ରହିଆସୁଛନ୍ତି । ନିତିନ ଯିବାପରେ, ନିଧିକୁ ଏକ ନୂଆଜୀବନ ଗଢିବାପାଇଁ ତା ପରିବାର ତରଫରୁ ସମସ୍ତ ସମର୍ଥନ ମିଳିବା ସତ୍ବ୍ବେମଧ୍ୟ, ସେ ନିଜ ଶାଶୁ, ଶ୍ୱଶୁରଙ୍କ ସହ ସାରାଜୀବନ ରହିବାପାଇଁ ସ୍ଥିର କରିଥିଲା । ରୁପେଶ ଓ ଲାବନ୍ୟା, ଆୟୁଷକୁ ପାଖରେ ପାଇ ନିତିନକୁ ହରାଇବା ଦୁଃଖ କିଛିମାତ୍ରାରେ ଲାଘବ କରିପାରୁଥିଲେ । ନିଧି ନିଜର ସମ୍ପୂର୍ଣ ଜୀବନ ନିଜ ପରିବାରର ଖୁସି ପାଇଁ ସମର୍ପି ଦେଇଥିଲା । ଲାବନ୍ୟା, ନିଧିର ସଂସ୍କାର ଆଗରେ ସର୍ଵଦା ମୁଣ୍ଡ ନୁଆଁଉଥିଲେ । ପୁଅର ପ୍ରତିଟି ଶବ୍ଦ ତାଙ୍କ କାନରେ ସବୁବେଳେ ପ୍ରତିଧ୍ବନିତ ହେଉଥିଲା, "ତୁମ ବୃଦ୍ଧାବସ୍ଥାରେ ମୁଁ ସେବାକରେ କି ନକରେ, ନିଧି କିନ୍ତୁ କରିବ । ସେ ସହରୀ ଝିଅ ହୋଇଥାଇପାରେ, ହେଲେ ସେ ଜଣେ ଉଚ୍ଚଶିକ୍ଷିତା ଓ ଉଚ୍ଚସଂସ୍କାରୀ ।"


Rate this content
Log in

Similar oriya story from Drama