Bhagyashree Nanda

Tragedy

4  

Bhagyashree Nanda

Tragedy

ବୋଉର_ଶେଷଚିଠି

ବୋଉର_ଶେଷଚିଠି

4 mins
324



         ସକାଳୁ ସକାଳୁ ରଘୁନାଥବାବୁ ଚାହା କପଟି ହାତରେ ଧରି ଅତି ଵ୍ୟସ୍ତହୋଇ ତାଙ୍କ ପତ୍ନୀ ଯଶୋଦାଙ୍କୁ କହୁଥାନ୍ତି, "ଏତେବର୍ଷ ହେଲା ଗାଁ' ଘରର,ସମସ୍ତ ଦରକାରୀ କାଗଜପତ୍ର ଭାଇଙ୍କୁ ରଖିବାକୁ ଦେଇଥିଲି,ହେଲେ ଭାଇ କୋଉଠି ରଖିଦେଇଛନ୍ତି କେଜାଣି ପାଉନାହାନ୍ତି | ମୁଁ ନିଜେ ରଖିଥିଲେ ଭଲହୋଇଥାନ୍ତା | ତଥାପି ଦୁଇଦିନରୁ ମୁଁ ବି ଖୋଜୁଛି,ହେଲେ କୋଉଠି କାଇଁ ମିଳୁନି |" 

ଯଶୋଦା କହିଲେ, "ତୁମେ ତ ସବୁ ଜାଗାରେ ଦେଖିସାରିଲଣି,ହେଲେ ତୁମର ସେ ପୁରୁଣା ବାକ୍ସଟିକୁ ଟିକେ ଖୋଲିକି ଦେଖୁନ,କାଳେ କିଛି ମିଳିଯିବ | " ରଘୁନାଥବାବୁ କହିଲେ," ଆରେ ନାଁ, ସେ ବାକ୍ସଟାରେ କିଛିନାହିଁ, କେଉଁକାଳରୁ ସେ ଥୁଆହେଇଚି,ଆଉ ତା ଭିତରେ ପୁରୁଣା କାଗଜପତ୍ର କିଛି ଅଛି, ଯାହା ମୋ ଚାକିରୀ କାଳରେ ଦରକାରୀ ଥିଲା,ହେଲେ ଏବେ ନିହାତି ଅଦରକାରୀ ହୋଇଯାଇଛି |" ଏତିକି କହି ରଘୁନାଥବାବୁ ଚା' ପିଇସାରି, କପଟିକୁ ଥୋଇଦେଇ, ଗଲେ ତାଙ୍କ କୋଠରୀ ଭିତରକୁ | 

          ଚାକିରୀରୁ ଅବସର ଗ୍ରହଣ କରିବା ଆଠବର୍ଷ ହେଇଗଲାଣି | ତାଙ୍କ ବଡ଼ଭାଇ,ସୋମନାଥ ମଧ୍ୟ୍ୟ ସରକାରୀ ଚାକିରିଆ ଥିଲେ | ଦୁଇଭାଇ ଅବସର ପରେ ଭୁବନେଶ୍ୱରରେ ଘରକରି ରହି ଆସୁଛନ୍ତି | ଗାଁରେ ପୈତୃକ ସମ୍ପତି କହିଲେ କେବଳ ଘରଡିହ ଖଣ୍ଡକ ଅଛି | ଦୁଇଭାଇ ବୋଉର ଶୁଦ୍ଧିକ୍ରିୟା ପରଠୁ, ଆଜିଯାଏଁ ପଚିଶବର୍ଷ ହେଲାଣି ଆଉ ଗାଁ'କୁ ଯାଇନାହାନ୍ତି, ଦୁଇଜଣଙ୍କୁ ତ ଏବେ ବୟସ ହୋଇଗଲାଣି | ଆଉ ତାଙ୍କ ପିଲାମାନେ ଚାକିରୀକରି ସବୁ ବାହାରେ ରହୁଛନ୍ତି | ବୁଝାବୁଝି କରିବାକୁ କେହି ନଥିବାରୁ, ଘରଡିହଟିକୁ ବିକ୍ରି କରିଦେଲେ ଭଲହବ ମନସ୍ଥକରି ସେଇ ଯୋଜନାରେ ଲାଗିଛନ୍ତି | 

           ରଘୁନାଥବାବୁ କିଛି ଚିନ୍ତାକରି, କଣ ମନହେଲା କେଜାଣି, ଘରର ଚାଜା ଉପରେ ଥୁଆ ହୋଇଥିବା ପୁରୁଣା ବାକ୍ସଟିକୁ ତଳକୁ ଓଲ୍ହାଇ ଆଣିଲେ,ବାକ୍ସଟି ରଘୁନାଥବାବୁଙ୍କ ଚାକିରୀ ଆରମ୍ଭ ସମୟର | ସେ ସମୟରେ ବାକ୍ସଟି ଅତି ଆବଶ୍ୟକ ଥିଲା | କିଛି ଦରକାରୀ କାଗଜପତ୍ର, ଟଙ୍କାପଇସା ରହୁଥିଲା,ଆଉ ବିଭାଘର ପରେ ଧର୍ମପତ୍ନୀଙ୍କ ସୁନାଗହଣା ମଧ୍ୟ୍ୟ ରହୁଥିଲା | ହେଲେ ସମୟ ଗଡ଼ିବା ସହିତ ଆଉ ଏ ବାକ୍ସଟି କାହିଁ କେଉଁକାଳରୁ ବ୍ୟବହୃତ ହେଉନି | ତା ଉପରେ ଅଳନ୍ଧୁ ଓ ଧୂଳିର ଆସ୍ତରଣ ଜମିଯାଇଛି | କଳଙ୍କିଲଗା ତାଲାଟି ବି ଆଉ ଖୋଲିହେଉନି | ରଘୁନାଥବାବୁ ବହୁତ କଷ୍ଟରେ ବାକ୍ସଟିକୁ ଖୋଲିଲେ | 

           ଖୋଲିବାପରେ ତା ଭିତରେ ବାସ କିଛି ପୁରୁଣା କାଗଜପତ୍ର ଥିଲା | କାଗଜ ସବୁ ରହିରହି ହଳଦିଆ ପଡ଼ିଗଲାଣି | ଖୋଲିକି ଗୋଟିଗୋଟି କରି ଦେଖିଲେ,ହେଲେ କେଉଁଟି ବି ଆଉ ଦରକାର ଉପଯୋଗୀ ନୁହଁ | ଫିଙ୍ଗିବେ ବୋଲି କାଢିକି ଥୋଇଲେ | ବାକ୍ସ ତଳେ ଖବରକାଗଜ ଖଣ୍ଡେ ପଡିଥାଏ, ପୁରୁଣା କାଗଜର ବାସ୍ନା ଭାରି ନିଆରା ଲାଗୁଥାଏ | ବାକ୍ସରେ ତ କିଛିନାହିଁ, ବନ୍ଦ କରିବାକୁ ଗଲାବେଳେ ଖବର କାଗଜଟିକୁ କାଢିକି ବାକ୍ସଟିକୁ ଟିକେ ପୋଛିଦେଇ ଝାଡିଦେଲେ | ଏକ ଫିକା ନେଳି ରଙ୍ଗର କାଗଜଟିଏ ତଳେ ଗଳିପଡିଲା | ଯାହାକୁ ସେ ସମୟରେ ଅନ୍ତର୍ଦେଶୀୟ ପତ୍ର (Inland letter) ବୋଲି କୁହାଯାଉଥିଲା | ହାତରେ ଉଠେଇ ଆଣି ଦେଖିଲେ ଯେ, ଚିଠିଟି ୧୯୯୬ ମସିହାର | ଠିକଣାରେ ଲେଖା ହୋଇଛି ତାଙ୍କ ନିଜ ନାଁ,"ରଘୁନାଥ ମିଶ୍ର" | ସେ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ଯେ,ଏତେ ବର୍ଷ ହେବ ଚିଠିଟି ଯେମିତି ଆସିଥିଲା,ଠିକ ସେମିତି ଅଛି | ଅଠା ଖୋଲା ହୋଇନି,କି ପଢା ବି ହୋଇନି | ଭାବିଲେ ଏ ଚିଠିଟି, ସେ ସମୟରେ ବୋଉ ହିଁ ଦେଇଥିବ | ସେ ଚିଠିଟିକୁ ଖୋଲିଲେ ଓ ପଢିବାକୁ ଲାଗିଲେ | 


"ସ୍ନେହର ରଘୁ,

          ମୋର ସ୍ନେହାଶୀର୍ବାଦ ନବୁ, ଯଶୋଦାକୁ ମୋର ସ୍ନେହଦବୁ | ଛୁଆ ଦୁହିଁଙ୍କୁ ମୋର ସ୍ନେହାଶିଷ ଜଣେଇବୁ | ଭଗବାନଙ୍କ ଦୟାରୁ ତୁମେମାନେ ସମସ୍ତେ ଭଲରେ ଥିବବୋଲି ମୋର ଆଶା | ବାପା ଯିବାପରଠୁ ତୁମେ ଦୁଇଭାଇ ଆଉ ଗାଁ'କୁ ଆସିନ | ଆସିକି ଟିକେ ବୁଢ଼ୀ ମା'ଟାକୁ ଦେଖି ଯାଅନ୍ତନି ! ଛୁଆମାନଙ୍କୁ ଦେଖିବାକୁ ମୋର ଭାରି ମନହଉଚି | ଦିନକୁଦିନ ମୋ ଦେହଟା ବି ଖରାପ ହେବାକୁ ଲାଗିଲାଣି | ଅଶୀବର୍ଷ ବୟସରେ ନିଜେ ରନ୍ଧାବଢ଼ା କରି ଖାଇବାଟା,ମୋ ପକ୍ଷେ ଭାରି କଷ୍ଟ ହୋଇପଡୁଛି | ବେଳାଏ ଖାଇଲେ,ବେଳାଏ ଓପାସ ରହୁଛି | ବାଁ' ପଟ ଗୋଡ଼ଟା ଫୁଲିବାଯୋଗୁଁ ମୁଁ ଆଉ ବେଶୀ ଚଲାବୁଲା କରିପାରୁନି | ବର୍ଷାହେଲେ ଘରେ ପାଣିପଶୁଛି | ଭାଇନାକୁ କହିବୁ ଆସିପାରନ୍ତା ଯଦି, ଘରଟିକେ ଛପର ହେଇଯାଆନ୍ତା | ବାପାରେ,ତୁମେ ଦୁଇଭାଇ ଟିକେ ଆସିକି,ମୋତେ ନେଇ ଯାଅନ୍ତନି ତୁମ ପାଖକୁ, ବାପାଙ୍କ ଯିବା ପରେ ଏକୁଟିଆ ଏ ଘରଟାରେ ରହିବାକୁ ମନ ଲାଗୁନିରେ |

           ତୁ ତ ଜାଣିଚୁ,ଭାଇନା ଚାକିରୀ କରିବ ବୋଲି ବାପା ସ୍କୁଲ ପାଖ ଜମିଟିକୁ ବିକ୍ରିକରି ପଇସା ନେଇ ଦେଇଥିଲେ | ଚଳିବାକୁ ଆଉ କଣ ଵା ଥିଲା ଆମ ପାଖେ ! ତାପରେ ଯେବେ ତୁମେ ଦୁଇଜଣ ସହରରେ ଜାଗାକିଣିବ ବୋଲି ପଇସା ମାଗିଲ, ସେତେବେଳେ ଟଙ୍କା ଯୋଗାଡ଼ କରିବା ବାପାଙ୍କ ପକ୍ଷେ ସମ୍ଭବ ନଥିଲା | ଭାରି ଚିନ୍ତାରେ ସେ ରହୁଥିଲେ | ବହୁତ ଚିନ୍ତା କରିବା ପରେ, ଆମ ଘରଡିହଟିକୁ ବନ୍ଧାପକେଇ ଦେଇଥିଲେ ଏବଂ ଯେତିକି ପଇସା ଯୋଗାଡ଼ କରିପାରିଥିଲେ, ତୁମଦୁହିଁଙ୍କୁ ନେଇ ଦେଇଆସିଥିଲେ | ଘରଡିହଟି ବାପାଅଜା ଅମଳର ଥିଲା | ବାପା ଭାବିଥିଲେ ତୁମେଦୁହେଁ ପଇସା ସୁଝିଦେଇ ତାକୁ ମୁକୁଳେଇ ଆଣିବ | ହେଲେ ତୁମେ କେହିବି ତ ଆଉ ଆସିଲନି | ସେଇ ଚିନ୍ତାରେ ଝୁରି ଝୁରି ବାପା ସବୁଦିନପାଇଁ ମୋତେ ଏକାଛାଡି ଚାଲିଗଲେ | ବାପା ଯିବାପରେ,ମୋର ଯୋଉ ସୁନାଚୁଡ଼ି ଦୁଇପଟ ଥିଲା,କୁନାବଣିଆ ପାଖେ ବନ୍ଧାଦେଇ ପଇସା ଆଣିଥିଲି ଓ ଆମ ପୂର୍ବପୁରୁଷଙ୍କ ସନ୍ତକ ଘରଡିହଟିକୁ ମୁଁ ମୁକୁଳେଇ ଆଣିଛି | ମୋ ପାଇଁ, ବାପା ଭାରିକଷ୍ଟରେ ସେ ଚୁଡ଼ିଦୁଇଟି କରିଥିଲେ, ସେଥିରେ ବାପାଙ୍କ ସ୍ମୃତିଅଛି | ସମୟକାଢି ତୁମେ ଦୁଇଭାଇ ଯଦି ଟିକେ ଗାଁ'କୁ ଆସନ୍ତ,ପଇସା ସୁଝିଦେଇ ମୋ ଚୁଡ଼ି ଦୁଇପଟ ମୁକୁଳେଇ ଆଣିଥାନ୍ତ | 

           ଆଉ କଣ ବା ଲେଖିବି, ଏତିକିରେ ରହୁଛି | ତୁମ ଦୁହିଁଙ୍କ ଅପେକ୍ଷାରେ ରହିଲି | 

                   ଇତି 

                   ବୋଉ " 

        

             ଚିଠିଟି ପଢିସାରିବା ବେଳକୁ, ଆଖିଲୁହରେ ରଘୁନାଥ ବାବୁଙ୍କୁ ସବୁକିଛି ଝାପ୍ସା ଦେଖା ଯାଉଥାଏ | ଏଇ ଚିଠିଟି ବୋଉର ଶେଷଚିଠି ଥିଲା | ତା'ପରଠୁ ଆଉ କେବେହେଲେ ବି ଗାଁ'ରୁ ବୋଉପାଖରୁ ଚିଠି ଆସିନଥିଲା, କିମ୍ବା ରଘୁନାଥ ବାବୁ ଓ ତାଙ୍କ ବଡ଼ଭାଇ ମଧ୍ୟ୍ୟ ବୋଉ କାଇଁ ଚିଠି ଦେଉନି ବୋଲି ଖବର ବି ନେଇନଥିଲେ | ଛବିଶ ବର୍ଷ ତଳେ, ରଘୁନାଥବାବୁ ଯେତେବେଳେ ଏ ଚିଠିଟି ପାଇଥିଲେ, ବୋଉ ପୁଣି ପଇସା ମାଗିଥିବ,ନହେଲେ ପାଖକୁ ଆସି ରହିବାକଥା ଲେଖିଥିବ ବୋଲି ଭାବିଥିଲେ ଓ ଚିଠିଟିକୁ ଖୋଲିକି ପଢି ବି ନଥିଲେ | ଏ ଚିଠିଟି ପାଇବାର ବର୍ଷକପରେ ସନିଆ ଆସି, ବୋଉ ଚାଲିଯିବାର ଖବର ଦେଇଯାଇଥିଲା | ଦୁଇଭାଇ ଯାଇଥିଲେ ଓ ବୋଉର ଅନ୍ତେଷ୍ଟିକ୍ରିୟା ଓ ସୁଧଘର କାମସାରି ପୁଣି ଫେରିଆସିଥିଲେ | ସେଦିନ ପରଠୁ ଆଉ ଆଜିଯାଏଁ କେବେହେଲେ ବି ଗାଁ'କୁ ଯାଇନାହାନ୍ତି | 

            ସେଇଦିନ ହିଁ ରଘୁନାଥବାବୁ ବଡ଼ଭାଇଙ୍କୁ ବୋଉର ଚିଠିଟି ପଢ଼େଇଲେ ଓ ତହିଁ ପରଦିନ ଦୁଇଭାଇ ଗାଁ'ରେ ଯାଇ ପଂହଁଚିଲେ | ଶେଷ ସମୟରେ ବୋଉ ମୁକୁଳେଇ ଆଣିଥିବା, ଘରଡିହଟିକୁ ବିକ୍ରି କରିବାକୁ ନୁହଁ ବରଂ ବୋଉର ଶେଷଇଚ୍ଛା ଓ ତା ଅତିପ୍ରିୟ ବାପାଙ୍କ ସନ୍ତକ ଚୁଡ଼ି ଦୁଇପଟକୁ ମୁକୁଳେଇବା ପାଇଁ | 

ଅଥଚ ବିଧିର ବିଧାନ ଏପରି ଥିଲା ଯେ,ଗାଁ'ରେ ଖବର ନେବାରୁ ସେମାନେ ଜାଣିବାକୁ ପାଇଲେ,କୁନାବଣିଆ ମରିବା ଆଜକୁ ପନ୍ଦରବର୍ଷ ବିତିଗଲାଣି | ତା'ର ଗୋଟେବୋଲି ପୁଅ, ଯିଏ ବାହାରେ ଚାକିରୀ କରି ରହୁଛି | ତାଙ୍କ ପରିବାରରେ ଆଉକେହି ବଣିଆବୃତ୍ତି କରୁନାହାନ୍ତି | ବୋଉର ଚୁଡ଼ି ବିଷୟରେ,ତା ଘରଲୋକ ବି କେହି କିଛି କହି ପାରିନଥିଲେ | ପଶ୍ଚାତାପରେ ଏବଂ ଖାଲିହାତରେ ଦୁଇଭାଇ ଫେରିଆସିଥିଲେ | 

            ବୋଉର ଚୁଡ଼ି ଆଉ ତା' ଶେଷଚିଠିଟି ସାରାଜୀବନ ପାଇଁ ରଘୁନାଥବାବୁ ଓ ତାଙ୍କ ବଡ଼ଭାଇଙ୍କ ପାଇଁ ଏକ ଅବଶୋଷ ହୋଇ ରହିଯାଇଥିଲା | ଶେଷବସ୍ଥାରେ ବୋଉ, କେତେ ଯେ ଏକାହୋଇ ଦୁଇପୁଅଙ୍କ ଅପେକ୍ଷାରେ କାଳାତିପାତ କରିଥିବ, ତାର ଅନୁମାନ କରିବା ମଧ୍ୟ୍ୟ ଅସମ୍ଭବ ଥିଲା |


Rate this content
Log in

Similar oriya story from Tragedy