ରାକ୍ଷୀ ଏକ ସମ୍ପର୍କର ବନ୍ଧନ
ରାକ୍ଷୀ ଏକ ସମ୍ପର୍କର ବନ୍ଧନ
ଅରୁ ଆଜି ଘରକୁ ଫେରିଲା ବେଳକୁ, ସବୁବର୍ଷ ପରି ଏବର୍ଷ ବି ମୁଁହ ଶୁଖେଇକି,କାନ୍ଦି ବୋବେଇ ଫେରୁଛି । ପ୍ରତିବର୍ଷ ରାକ୍ଷୀପୂର୍ଣ୍ଣିମା ପାଖେଇ ଆସିଲେ ଆଠଦିନ ଯାଏଁ ଅରୁର ସେମିତି ଅବସ୍ଥା ହେଇଯାଏ ।
ଦଶବର୍ଷର କୁନିଝିଅ ଟିଏ ଅରୁଣିମା । ବାପା ଓ ମା'ଙ୍କର ଗୋଟିଏ ବୋଲି ଝିଅ । ମା ଗେଲ୍ହାରେ ଡାକନ୍ତି 'ମୋ ରାଣୀ', ଆଉ ବାପା ଡାକନ୍ତି 'ଅରୁ' ।ଆଦେଶ ଓ ଆଶା ବିବାହ କରିବାପରେ, ପ୍ରଥମେ ପୁଅଟିଏ ଜନ୍ମ ହୋଇ କିଛିଦିନ ଭିତରେ ମରିଯାଇଥିଲା । ତାପରେ ଆଉ ପିଲାଛୁଆ କିଛି ହେଉନଥିଲେ । କେତେ ଡେରିରେ ଯାଇ ଏ ଝିଅଟିର ଜନ୍ମ । ଦୁହିଁଙ୍କ ପ୍ରାଣର କେନ୍ଦ୍ର ଏଇ ଅରୁଣିମା । ସେ ଜନ୍ମ ହେବାପରେ ଆଉ ପିଲା ଛୁଆ କରିବାକଥା ସେମାନେ ଚିନ୍ତା ମଧ୍ୟ୍ୟ କରିନାହାନ୍ତି । ପୁଅଟିଏ ହଉ ବୋଲି ଆଶା ବି କରିନାହାନ୍ତି ।
ଅରୁଣିମା ଧୀରେ ଧୀରେ ବଡ଼ହେଲା ଯେବେ,ତାକୁ ଘରେ ସାଙ୍ଗଟିଏ ଦରକାର ହେଲା । ଘରେ ସବୁବେଳେ କୁହେ, ମୋର ଭାଇ କିମ୍ବା ଭଉଣୀଟେ ଥିଲେ ଖେଳିଥାନ୍ତି । ହେଲେ ସ୍କୁଲ ଗଲାପରେ ସାଙ୍ଗ ପିଲାଙ୍କଠୁ ରାକ୍ଷୀ ସମ୍ପର୍କରେ ଜାଣିବା ପରଠୁ,ଏବେ କିଛି ବର୍ଷ ହେଲା ତାର ଭାଇଟିଏ ଦରକାର ହଉଚି । ପ୍ରତିବର୍ଷ ରାକ୍ଷୀ ଆସିଗଲେ ଯେବେ ଦୋକାନ ବଜାରରେ ରାକ୍ଷୀ ମିଳେ, ଜିଦି କରି ଆଠ,ଦଶଟା ବିଭିନ୍ନ ପ୍ରକାରର ରାକ୍ଷୀ ସେ କିଣିଆଣେ । ସେମିତି ସାଇତିକି ରଖେ,ଆଉ କାହାକୁ ବାନ୍ଧି ନପାରି, ରାକ୍ଷୀ ସବୁକୁ ଦେଖିକି କାନ୍ଦେ ।
ସ୍କୁଲରେ ସାଙ୍ଗସାଥୀ ମାନେ ଗପି ଚାଲନ୍ତି, ଭାଇ ମାନଙ୍କ ସହ ରାକ୍ଷୀ ପୂର୍ଣ୍ଣିମାକୁ କେତେ ଆନନ୍ଦ ଆଉ ଖୁସୀର ସହ କେମିତି ମନାନ୍ତି । ଭାଇକୁ ରାକ୍ଷୀ ବାନ୍ଧିସାରି ମିଠା ଖୁଆନ୍ତି, ଆଉ ରାକ୍ଷୀ ବାନ୍ଧିବା ବଦଳରେ କେତେ ସାରା ଉପହାର ବି ପାଆନ୍ତି । କେବେ ଭାଇ ଚୋକଲେଟ ଦିଏ, ତ ଆଉ କେବେ ପେନଟିଏ,ଆଉ କେବେପୁଣି ନୂଆ ଡ୍ରେସ । ଯାହା ବି ହଉ ଉପହାର ମିଳିବାଟା ଥୟ ।ଯଦି ଉପହାର ନମିଳେ ଜିଦିକରି ଭାଇ ପାଖରୁ ଆଣନ୍ତି । ଆଉ ରାକ୍ଷୀ ବାନ୍ଧିବା ବଦଳରେ ଭାଇ ତା ଭଉଣୀକୁ ରକ୍ଷା କରିବ ବୋଲି କଥା ମଧ୍ୟ୍ୟ ଦିଏ ।
ଏତେ ସବୁ ଶୁଣିବା ପରେ, ଅରୁ ମନଦୁଃଖ କରେ ଓ କାନ୍ଦି କାନ୍ଦି ଘରକୁ ଆସେ,ଆଉ ଘରେ ଜିଦ ଧରେ ରାକ୍ଷୀ ବାନ୍ଧିବା ପାଇଁ ଭାଇଟେ ତାର ନିହାତି ଦରକାର ଆଉ ତା ସହିତ ଉପହାର ବି ଦରକାର ।
ଆଦେଶ ଓ ଆଶା ଆଉ କଣ ବା କରିବେ ! ନିରୁପାୟ ହୋଇ ଦୁହେଁ ଦୁହିଁଙ୍କ ମୁଁହକୁ ଅନାଇ ରୁହନ୍ତି । ଆଉ ଅରୁକୁ ବୁଝେଇବାକୁ ଚେଷ୍ଟା କରନ୍ତି । ଆଶା କୁହନ୍ତି, ତୁ ସେସବୁ ରାକ୍ଷୀ ନେଇ ଠାକୁରଘରେ ଶ୍ରୀଜଗନ୍ନାଥଙ୍କୁ ବାନ୍ଧି ଦେ,ତୋ ମନ ବୁଝିଯିବ । କାରଣ ଶ୍ରୀଜଗନ୍ନାଥ ଆମର ଆରାଧ୍ୟ୍ୟ ଦେବତା, ଏବଂ ପ୍ରତିବର୍ଷ ମହାପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥ ମଧ୍ୟ୍ୟ, ତାଙ୍କ ଭଉଣୀ ସୁଭଦ୍ରା ହାତରୁ ରାକ୍ଷୀ ବାନ୍ଧନ୍ତି । ଦୁଇ ଭାଇଙ୍କ ଭୁଜ ପାଇଁ ବାସୁଙ୍ଗା ପାଟରେ ଦୁଇଟି ଲେଖାଏଁ, ଚାରୋଟି ବଡ଼ ରାକ୍ଷୀ, ଭିନ୍ନ ଭିନ୍ନ ଚାରି ରଙ୍ଗ ନାଲି,ହଳଦିଆ, ବାଇଗଣି ଓ ନେଳି ଦେଇ ପ୍ରସ୍ତୁତ ହୋଇଥାଏ । ଏଥିପାଇଁ ବଡ଼ ବଡ଼ ଡୋରୀ ବି ପ୍ରସ୍ତୁତ ହୁଏ । ଏହାସହ ଚାରୋଟି ଗୁଆମାଳ ମଧ୍ୟ୍ୟ ଚାରି ପ୍ରକାର ରଙ୍ଗ ଦେଇ, ଚଉବନଟି ଗୁଆରେ ପ୍ରସ୍ତୁତ ହୋଇଥାଏ । କେବଳ ଶ୍ରୀବଳଭଦ୍ର ଏବଂ ଶ୍ରୀଜଗନ୍ନାଥଙ୍କ ପାଇଁ ନୁହେଁ, ବରଂ ପାର୍ଶ୍ୱ ଦେବାଦେବୀଙ୍କ ନିମନ୍ତେ ବି ପନ୍ଦରରୁ ଅଧିକା ରାକ୍ଷୀ ପ୍ରସ୍ତୁତ ହୋଇଥାଏ ।
ହେଲେ ଅରୁ ତ ଏକଜିଦିଆ । ତା ଛୁଆ ମୁଣ୍ଡରେ ଏତେସବୁ ଶ୍ରୀଜଗନ୍ନାଥ ସଂସ୍କୃତିର କଥା କିଛି ପଶେନି । ତାକୁ ତା ନିକଟରେ ଭାଇଟିଏ ହିଁ ଦରକାର ।
ଏବର୍ଷ କିନ୍ତୁ ସବୁବର୍ଷଠୁ ଅରୁର ଦୁଃଖ ବଢିଯାଇଛି । କାଇଁକି ନାଁ ତାଙ୍କ ଘର ପାଖେ ଆସି ଯୋଉ ନୂଆ ଭଡାଟିଆ ରହିଛନ୍ତି, ସେମାନଙ୍କ ଝିଅ ଲିପା ,ଅରୁ ସାଙ୍ଗର । ଦୁଇ ଭାଇରେ ଲିପା ଗୋଟେ ଭଉଣୀ । ରାକ୍ଷୀ ବିଷୟରେ ସେ,ଅରୁ ସହ କେତେ ଯେ ଗପ ଗପୁଚି , ତାର ହିସାବ ନାହିଁ । ଠିକ ତା ସାଙ୍ଗ ମାନଙ୍କ ଭଳି । ରାକ୍ଷୀ ଦୁଇଦିନ ଆଗରୁ ସବୁବର୍ଷ ପରି,ଅରୁ ଏଥର ବି ଭଳିକି ଭଳି ରାକ୍ଷୀ କିଣିକି ଆଣିଛି । ଲିପାକୁ ଦେଖେଇଲା ଯେବେ, ଲିପା ହସି ହସି ଗଡ଼ିଗଲା । ଆଉ ଥଟ୍ଟା କରି କହିଲା ତୋର ତ ଭାଇ ନାହିଁ, ତୁ ଏତେ ସବୁ ରାକ୍ଷୀ କାହାକୁ ବାନ୍ଧିବୁ ବୋଲି କିଣିଚୁ ? ଅରୁ ଆଉ କି ସମ୍ଭାଳି ହଉଚି । ତାର ଆଉ ଏ ବର୍ଷ ଗୋଟେ ଭାଇ ନୁହଁ, ଏକାଥର ଦି' ଦିଟା ଭାଇ ଦରକାର ।ରାକ୍ଷୀ ପୂର୍ଣ୍ଣିମା ଦିନ ସକାଳୁ ନଖାଇ ନ ପିଇ କାନ୍ଦୁଚି ବସିକି । ଆଦେଶ କାଲି ତା ପାଇଁ ନୂଆ ଡ୍ରେସଟେ ଆଉ ତା ମନ ପସନ୍ଦର ଗୋଟେ କଣ୍ଢେଇଟେ ଆଣିଛନ୍ତି । ହେଲେ ସେ ତାକୁସବୁ, ଆଡ଼ ଆଖିରେ ବି ଦେଖୁନି, କି ଛୁଇଁନି ।
ଦିନ ଏଗାରଟା ବେଳେ ଲିପା ଆସିଲା ଖେଳିବା ପାଇଁ ଡାକିବାକୁ । ଆଉ ସାଙ୍ଗରେ ଅରୁକୁ ଦେଖେଇବା ପାଇଁ ନେଇକି ଆସିଥିଲା ଗୋଟେ ବଡ଼ ଚକୋଲେଟଟେ, ଆଉ ଦିଟା ବଡ଼ ବଡ଼ କଣ୍ଢେଇ, ଯାହା ରାକ୍ଷୀବାନ୍ଧିବା ବଦଳରେ ଉପହାର ସ୍ୱରୂପ, ତାକୁ ତା' ଭାଇ ମାନେ ଦେଇଛନ୍ତି । ଅରୁ ଲିପାକୁ ସିଧା ସିଧା ମନା କରିଦେଲା ଖେଳିବାକୁ ଯିବନି ବୋଲି । ଆଉ ଲିପା ଗଲା ପରଠୁ ବସିକି କାନ୍ଦୁଚି । ଖାଇବାକୁ ବି ଆସୁନି । ଆଦେଶ ଆଉ ଆଶା ଦୁହେଁ ବି ଖାଇନାହାନ୍ତି ।
କିଛି ସମୟ ଦୁହେଁ ବସିକି କିଛି କଥାହେଲେ, ତାପରେ ଅରୁ ପାଖକୁଗଲେ । ଆଦେଶ, ଅରୁକୁ କହିଲେ, "ଯା' ତୋ ରାକ୍ଷୀ କୋଉଠି ଅଛି ଆଣିକି ଆସେ, ବାନ୍ଧିବାକୁ ଯିବୁ ଭାଇକୁ, ଆଉ ଉପହାର ବି ନବୁ ।" ଅରୁ ଏକଥା ଶୁଣି ଖୁସୀରେ ଉଠିଗଲା ଏଇୟା ଭାବିକି,ସତରେ ସେ ବି ତା' ଭାଇକୁ ରାକ୍ଷୀ ବାନ୍ଧିବ? ସବୁତକ ରାକ୍ଷୀ ଧରିକି ଆସିଲା । ଦୁହେଁ ଅରୁକୁ ନେଇ ଚାଲିଗଲେ ଠାକୁର ଘରକୁ । ଆଶା ପୂଜାଥାଳି ସଜେଇଦେଲେ । ଅରୁ ଉପହାର ମିଳିବା ଖୁସୀରେ ,ଆଉ ରାକ୍ଷୀ ବାନ୍ଧିବା ଅନୁଭୂତି ଖୁସୀରେ ରାକ୍ଷୀ ଧରି ଠିଆ ହୋଇଗଲା । ଆଦେଶ ନିଜ ହାତ ଆଗକୁ ବଢ଼ାଇଦେଲେ ଆଉ ଅରୁକୁ କହିଲେ "ବାନ୍ଧି ଦେ' ମୋ ହାତରେ ରାକ୍ଷୀ । କାରଣ ଯୋଉ କୁନି ଝିଅର ଭାଇ ନଥାଏ, ତାକୁ ରକ୍ଷା କରିବାପାଇଁ ତା ବାପା ହିଁ ଥାନ୍ତି । ବାପା ବି ଭାଇଟେ ପରି ପ୍ରତିଟି ପାଦରେ ତାଙ୍କ ଝିଅ କୁ ଘୋଡେଇ ରଖନ୍ତି । ଆଜି ପରଠୁ ଆଉ କୌଣସି ବର୍ଷ ବି ତୁ କାନ୍ଦିବୁନି ।ଗୋଟେ ଝିଅପାଇଁ ତା ଜୀବନର ପ୍ରତିଟି ସୋପାନରେ,ଭାଇ ଆଉ ବାପା ଦୁହେଁ ପରସ୍ପର ସହିତ ସମାନ ଭାବେ ଜଡିତ । ଦୁହିଁଙ୍କର କର୍ତ୍ତବ୍ୟ ଓ ଧର୍ମ, ସେ ଝିଅର ସମ୍ମାନ ରକ୍ଷା କରିବା, ସ୍ନେହ ଆଦର ଦେବା ଏବଂ ଦୁନିଆ ନିକଟରେ ସର୍ବଦା ସୁରକ୍ଷା ପ୍ରଦାନ କରିବା । କାରଣ ରାକ୍ଷୀ କେବଳ ଯେ, ଭାଇ ଭଉଣୀର ସ୍ନେହର ଡ଼ୋରୀଟିଏ ସେକଥା ନୁହେଁ ବରଂ ରାକ୍ଷୀ-ଏକ ସମ୍ପର୍କର ବନ୍ଧନ । ମୁଁ ତୋତେ ବାପା ହୋଇ ସ୍ନେହ ଆଦର କରିବି ଓ ଭାଇ ହୋଇ ସୁରକ୍ଷା ଦେବି ।"
ବାପାଙ୍କ ଠାରୁ ଏତେ ସବୁ କଥାଶୁଣି ଅରୁ କଣ ବୁଝିଲା କେଜାଣି, ଖୁସୀରେ ଖିଲିଖିଲି ହୋଇ ହସି ଉଠିଲା, ଆଉ ଯେତେଟା ରାକ୍ଷୀ ଏବର୍ଷ କିଣିଥିଲା, ସବୁତକ ସେ ବାପାଙ୍କ ହାତରେ ବାନ୍ଧି ପକାଇଲା ।
ଆଶା ନୀରବରେ ଏମାନଙ୍କୁ ଚାହିଁ ରହିଥାନ୍ତି ଓ ତାଙ୍କ ଅଜାଣତରେ କେତେବେଳେ ଆଖିରୁ ଦୁଇ ଧାର ଅଶ୍ରୁ ବୋହି ଆସିଛି । ଚୁପ କରି ହାତରେ ଲୁହ ପୋଛି ଆଣିଲେ ଏବଂ କହି ଉଠିଲେ ଭଗବାନ ଏମିତି ବାପା ଓ ଭାଇ ପ୍ରତ୍ୟକ ଝିଅକୁ ଦିଅନ୍ତୁ । ଯେମିତି ଭାଇ ନଥିବାର ଦୁଃଖ କୌଣସି ବି ଝିଅ ନକରୁ । ଅରୁକୁ ଦୁହେଁ କୋଳେଇ ନେଲେ । ଅରୁର ଖୁସୀ କହିଲେ ନସରେ । ଆଶା ଦୁହିଁଙ୍କୁ ଖାଇବା ପାଇଁ ଡାକିଦେଇ ନିଜେ ଖାଦ୍ୟ ବଢିବା ପାଇଁ ଚାଲିଗଲେ ।
