Bhagyashree Nanda

Children Stories

4.0  

Bhagyashree Nanda

Children Stories

ଅନିବାର୍ଯ୍ୟ_ନିୟତି ଭାଗ_୨

ଅନିବାର୍ଯ୍ୟ_ନିୟତି ଭାଗ_୨

4 mins
172


   

     ନାରାୟଣଦେବ ଏବଂ ଲୀଳାବତୀ ସାଧୁଙ୍କୁ ପ୍ରଣିପାତ ଜଣାଇ କିଛି ଉପହାର ଭେଟି ସ୍ୱରୂପ ସାଧୁଙ୍କୁ ସମର୍ପି ଥିଲେ | ବହୁ ସମ୍ମାନର ସହ ସାଧୁଜଣଙ୍କୁ ନିଜ ଗୃହକୁ ଆତିଥ୍ୟ ଗ୍ରହଣ କରିବା ନିମନ୍ତେ ନିମନ୍ତ୍ରଣ ଜଣାଇଲେ | ନାରାୟଣଦେବଙ୍କ ପ୍ରସିଦ୍ଧି ସମ୍ପର୍କରେ ସାଧୁ ଜଣକ ପୂର୍ବରୁ ଅବଗତ ଥିଲେ | ସେ ମଧ୍ୟ୍ୟ ନାରାୟଣଦେବଙ୍କ ଆତିଥ୍ୟର ନିମନ୍ତ୍ରଣକୁ ସାଦରେ ଗ୍ରହଣ କଲେ | ଯଜ୍ଞ ସମ୍ପାଦନ କରି ନାରାୟଣଦେବଙ୍କ ଗ୍ରାମକୁ ଯାଇ,ତାଙ୍କ ଗୃହରେ ଆତିଥ୍ୟ ଗ୍ରହଣ କରିବେ ବୋଲି କଥା ମଧ୍ୟ୍ୟ ଦେଲେ | ଏଥିରେ ଖୁସି ହୋଇ ନାରାୟଣଦେବ ସାଧୁଙ୍କର ଆସିବା ନିମନ୍ତେ ସମସ୍ତ ବ୍ୟବସ୍ଥା କରିଦେଇ ନିଜ ଗ୍ରାମକୁ ଫେରିଆସିଲେ |

     ଯଜ୍ଞ ସୁଚାରୁରୂପେ ସମ୍ପାଦନ କରି କିଛିଦିନ ପରେ ସାଧୁ ଜଣକ ନାରାୟଣଦେବଙ୍କ ଗ୍ରାମରେ ଆସି ଉପସ୍ଥିତ ହେଲେ ଏବଂ ନାରାୟଣଦେବଙ୍କ ଗୃହରେ ଆତିଥ୍ୟ ଗ୍ରହଣ କଲେ | ସାଧୁଙ୍କ ଅତିଥି ସତ୍କାର ଯେପରି ସୁଚାରୁରୂପେ ହେବ ସେଥିପ୍ରତି ନାରାୟଣଦେବ ନିଜେ ସମସ୍ତ ତଦାରଖ କରୁଥିଲେ | ବିଭିନ୍ନ ସାତ୍ତ୍ୱିକ ବ୍ୟଞ୍ଜନର ଆୟୋଜନ ସହ କିଛି ଧର୍ମଚର୍ଚ୍ଚାର ଆୟୋଜନ ମଧ୍ୟ ହୋଇଥିଲା | ସାଧୁ ଏବଂ ତାଙ୍କ ଶିଷ୍ୟମାନେ ନାରାୟଣଦେବଙ୍କ ଗୃହରେ ଉପସ୍ଥିତ ହେଲାପରେ କିଛି ଭୋଜନ ଗ୍ରହଣ କରି,ବିଶ୍ରାମ ନେବା ନିମନ୍ତେ ଅଗ୍ରସର ହେଲେ | 

     ସାଧୁଙ୍କ ବିଶ୍ରାମ ସମାପ୍ତ ହେବାପରେ ନାରାୟଣଦେବ ଏବଂ ଲୀଳାବତୀ ଏକାନ୍ତରେ ସାଧୁଙ୍କୁ ଭେଟିବା ନିମନ୍ତେ ତାଙ୍କ ବିଶ୍ରାମ କକ୍ଷ ମଧ୍ୟକୁ ଗଲେ | ସାଧୁଙ୍କୁ ଭେଟି ସେମାନେ ନିଜର ପୁତ୍ର କିମ୍ବା କନ୍ୟା ସୁଖରୁ ବଞ୍ଚିତ ଥିବାର ଦୁଃଖ ଜଣାଇଲେ ଏବଂ କିଛି ଉପଚାର ସମ୍ବନ୍ଧରେ ଜାଣିବାକୁ ଇଚ୍ଛା ପ୍ରକାଶ କଲେ | 

ସାଧୁ ସେମାନଙ୍କ ସମସ୍ୟା ଶୁଣି କିଛି ସମୟ ଧ୍ୟ୍ୟାନରେ ବସିଲେ ଏବଂ ସେମାନଙ୍କୁ କିଛି ପ୍ରତିକାର ଜଣାଇଲେ | ଆସନ୍ତା ବର୍ଷ ସୁଦ୍ଧା ସେମାନଙ୍କ କୋଳକୁ ପୁତ୍ରଟିଏ ଆସିବ ବୋଲି ସ୍ପଷ୍ଟ କଲେ | ପତିପତ୍ନୀ ଦୁହେଁ ଖୁସୀରେ ସାଧୁଙ୍କ ଚରଣ ସ୍ପର୍ଶ କଲେ | କିନ୍ତୁ ସାଧୁ କିଛି ସମୟ ନୀରବ ରହି ନାରାୟଣଦେବ ଓ ଲୀଳାବତୀଙ୍କ ସମ୍ମୁଖରେ ଏକଥା ମଧ୍ୟ୍ୟ ସ୍ପଷ୍ଟ କଲେ ଯେ, ଏ ସୁଖ ବେଶୀଦିନ ପର୍ଯ୍ୟନ୍ତ ରହିବନାହିଁ | ପୁତ୍ରଟିକୁ ଯେବେ ବାରବର୍ଷ ହେବ, ଏକ କୁମ୍ଭୀର ତାର ମୃତ୍ୟୁର କାରଣ ହେବ ଏବଂ ସେ ପୁତ୍ରଟି ମୃତ୍ୟୁବରଣ କରିବ | ଏକଥା ଶୁଣି ଦୁହେଁ ଆଉ କୋହ ସମ୍ଭାଳି ପାରିଲେନି | କଣ ତାର ପ୍ରତିକାର ବୋଲି ପ୍ରଶ୍ନ କରିବାରୁ ସାଧୁଜଣଙ୍କ ସ୍ମିତହାସ୍ୟ ଦେଇ ଜଣାଇଲେ, ନିୟତିର ନିୟମ ନିକଟରେ ଆମେମାନେ ସାମାନ୍ୟ ମନୁଷ୍ୟ ମାତ୍ର | ଯାହା ଘଟିବା ସୁନିଶ୍ଚିନ୍ତ, ତାହା ଅବଶ୍ୟ ଘଟିବ | ନାରାୟଣଦେବ ଏବଂ ଲୀଳାବତୀଙ୍କ ଜୀବନରେ, ବେଶୀ ଦିନ ପର୍ଯ୍ୟନ୍ତ କୌଣସି ପୁତ୍ର କିମ୍ବା କନ୍ୟାର ସୁଖ ନାହିଁ ବୋଲି ସାଧୁ ସ୍ପଷ୍ଟ କଲେ ଏବଂ ତହିଁ ପରଦିନ ପ୍ରାତଃକାଳରେ ସାଧୁ ଜଣଙ୍କ ନାରାୟଣଦେବଙ୍କ ଗୃହରୁ ବିଦାୟ ନେଇ ନିଜ ଲକ୍ଷ୍ୟପଥରେ ଅଗ୍ରସର ହେଲେ |

    

     କିଛିଦିନ ବିତିଗଲା | ଲୀଳାବତୀଙ୍କ ଦେହ ଅସୁସ୍ଥତା ରହିବା ଯୋଗୁଁ ବୈଦ୍ୟରାଜ ଆସି ପରୀକ୍ଷା ନିରୀକ୍ଷା କରି ଜଣାଇଲେ ଯେ, ଲୀଳାବତୀ ଗର୍ଭବତୀ ଅଛନ୍ତି | ଏତେ ବର୍ଷର ଅପେକ୍ଷା ଅନ୍ତେ, କୋଳକୁ ପିଲାଟିଏ ଆସିବା ଖୁସୀ ସେମାନଙ୍କୁ ଯେତିକି ଆନନ୍ଦ ପ୍ରଦାନ କରୁଥିଲା ସାଧୁଙ୍କ ଭବିଷ୍ୟବାଣୀ ସେ ଦୁହିଁଙ୍କୁ ସେତିକି ବ୍ୟଥିତ କରୁଥିଲା | 

କିଛିଦିନ ପରେ ଲୀଳାବତୀ ପୁତ୍ର ସନ୍ତାନଟିଏ ଜନ୍ମ ଦେଲେ | ନାମକରଣ ଉତ୍ସବରେ ପିଲାଟିର ନାମ ବିଷ୍ଣୁଦେବ ରଖାଗଲା | ଶିଶୁଟି ଏତେ ସୁନ୍ଦର ଚେହେରା ଏବଂ ତେଜୀୟାନ ଥିଲା, ସମସ୍ତେ ବିଷ୍ଣୁଦେବକୁ ସ୍ୱୟଂ ବିଷ୍ଣୁଙ୍କ ଅବତାର ବୋଲି କହୁଥିଲେ | ଧୀରେ ଧୀରେ ବିଷ୍ଣୁଦେବ ବଡ଼ ହେଉଥିଲା | ପିଲାଟିଦିନୁ ରୂପ ସହିତ,ବହୁ ଜ୍ଞାନ ଓ ଗୁଣର ଅଧିକାରୀ ଥିଲା ବିଷ୍ଣୁଦେବ | ହେଲେ ପିଲାଟି ଜନ୍ମ ପରଠୁ ଲୀଳାବତୀଙ୍କ ଶରୀର ସର୍ବଦା ଅସୁସ୍ଥ ରହୁଥିଲା | ସାଧୁଙ୍କ ଭବିଷ୍ୟବାଣୀ ତାଙ୍କୁ ସର୍ବଦା ମାନସିକ ବିଷାଦ ପ୍ରଦାନ କରୁଥିଲା ଏବଂ ସେ ଧୀରେ ଧୀରେ ଶଯ୍ୟାଶାୟୀ ହୋଇପଡିଥିଲେ | 

     ୟା ଭିତରେ ଦଶବର୍ଷ ଅତିକ୍ରମ କରିସାରିଥାଏ | ବିଷ୍ଣୁପଦକୁ ଏଗାର ବର୍ଷ ହୋଇସାରିଥାଏ | ଏଥର ବିଷ୍ଣୁପଦକୁ ପ୍ରତିମୁହୂର୍ତ୍ତରେ କିଛି ଦାସଦାସୀ ଜଗି ରହୁଥିଲେ | ଘରର ଉଦ୍ୟାନ ପାରିହୋଇ ପୁତ୍ରକୁ ବାହାରକୁ ଖେଳିବା ନିମନ୍ତେ, ନାରାୟଣଦେବ ଯିବାକୁ ଦେଉନଥିଲେ | କାଳେ କେବେ ସାଙ୍ଗ ମାନଙ୍କ ସହ ନଈ ପଠାକୁ ଚାଲିଯିବ, ସେ ଡରରେ ମୁଖ୍ୟଦ୍ଵାରଟି ପ୍ରାୟତଃ ବନ୍ଦ ରହୁଥିଲା | ନାରାୟଣଦେବ ସ୍ୱୟଂ ନିଜେ ଏଥି ସବୁ ପ୍ରତି ବିଶେଷ ରୂପେ ଧ୍ୟାନ ଦେଉଥିଲେ | ଗ୍ରାମସାରା ସମସ୍ତେ ସାଧୁଙ୍କ ଭବିଷ୍ୟବାଣୀ ସମ୍ପର୍କରେ ଅବଗତ ଥିଲେ | ସମସ୍ତେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ କିପରି ଏତେବଡ଼ ବିପଦ ଟଳିଯାଇ ପିଲାଟିକୁ ନୂତନ ଜୀବନ ମିଳିପାରିବ | 

    ବାରବର୍ଷ ହେବାକୁ ଆଉ କିଛିଦିନ ବାକି ଥାଏ | ପ୍ରତି ମୁହୂର୍ତ୍ତରେ ଯେପରି ବିପଦ ଆଶଙ୍କା ଥିଲା ପରି ନାରାୟଣଦେବଙ୍କୁ ମନେ ହେଉଥିଲା | ନାରାୟଣଦେବ ଏବଂ ଲୀଳାବତୀ ନିରୁପାୟ ହୋଇ ଈଶ୍ୱରଙ୍କୁ ଉପାସନା କରୁଥିଲେ | ସେହି ତ୍ରିକାଳଦର୍ଶୀ ସନ୍ୟାସୀଙ୍କୁ କିପରି ଆଉଥରେ ଭେଟିପାରିବେ, ସେଇ କଥା ସେମାନେ ସର୍ବଦା ମନେ ମନେ ମନାସୁଥିଲେ | ପାଖ ଆଖ ସମସ୍ତ ଗ୍ରାମରେ,ପ୍ରତି ଗ୍ରାମବାସୀଙ୍କ ନିକଟରେ ଖବର ଥିଲା ଯେ, ନାରାୟଣଦେବ ସେଇ ସାଧୁଙ୍କ ବାଟଚାହିଁ ବସିଛନ୍ତି | 

    ବାରବର୍ଷ ପୁରିଗଲା | ପିଲାଟି କେଉଁଆଡେ ମଧ୍ୟ ଯାଉନଥିଲା | ନିଜ ପୁତ୍ରର ଜନ୍ମଦିନ ଉତ୍ସବକୁ ବହୁ ଆଡ଼ମ୍ବର ସହକାରେ ମନାଇବା ନିମନ୍ତେ ନାରାୟଣଦେବ ସମସ୍ତ ପ୍ରକାରର ଆୟୋଜନ କରିଥିଲେ |     

    ଦିନ ଦ୍ୱିପ୍ରହର ସମୟ | ଜନ୍ମଦିନ ଉତ୍ସବ ନିମନ୍ତେ ଗୃହରେ ସମସ୍ତ ଅତିଥି ଏବଂ ବିଷ୍ଣୁଦେବର ସବୁ ସାଙ୍ଗସାଥି ଉପସ୍ଥିତ ଥିଲେ | ବିଷ୍ଣୁଦେବ ନିଜ ଗୃହର ଉଦ୍ୟାନ ପରିସରରେ ସାଙ୍ଗମାନଙ୍କ ସହ ଖେଳୁଥିଲା | ଖେଳୁ ଖେଳୁ ଉଦ୍ୟାନର ଏକ କୋଣକୁ ଚାଲିଯାଇଥିଲା | କିଛି ତୀକ୍ଷ୍ଣ ବସ୍ତୁରେ ଆଘାତ ପାଇ ହଠାତ ତଳେପଡି ଅଚେତ ହୋଇଗଲା | ସାଙ୍ଗମାନେ ପାଖକୁ ଯାଇ ଦେଖିଲେ ବିଷ୍ଣୁଦେବ ପାଦରୁ ରକ୍ତସ୍ରାବ ହେଉଅଛି | ଖବରପାଇ ନାରାୟଣଦେବ ଓ ତାଙ୍କ ପତ୍ନୀ ଲୀଳାବତୀ ଧାଇଁ ଆସିଲେ | ନାରାୟଣଦେବ ପିଲାଟିକୁ କୋଳରେ ଉଠାଇ ଵୈଦ୍ୟଙ୍କ ନିକଟକୁ ନେଇଗଲେ | ବୈଦ୍ୟରାଜ ଗୋଡ଼ରେ ମଲମ ଲଗାଇ ଭଲରୂପେ ପଟି କରିଦେଲେ | ଆଉ ସମ୍ପୂର୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ବିଛଣାରୁ ନଉଠିବା ପାଇଁ ପରାମର୍ଶ ଦେଲେ | 

     କିଛିଦିନ ବିତିଗଲା | ଧୀରେ ଧୀରେ ବିଷ୍ଣୁପଦର ଶରୀର ଅଧିକ ଅସୁସ୍ଥ ହେବାରେ ଲାଗିଲା | ସ୍ୱାସ୍ଥ୍ୟ କ୍ଷୀଣ ହେଲା | ବିଷ୍ଣୁପଦ ଆଉ ଖାଦ୍ୟ ପାନୀୟ ମଧ୍ୟ୍ୟ ଗ୍ରହଣ କରୁନଥାଏ | ପୁତ୍ରର ଏଭଳି ଅବସ୍ଥା ଦେଖି ନାରାୟଣଦେବ ଓ ଲୀଳାବତୀ ଦିନକୁ ଦିନ ଵାକଶୂନ୍ୟ ଏବଂ ମର୍ମାହତ ହେଇପଡୁଥିଲେ | 

     ଦିନେ ଗ୍ରାମର ନଦୀ ଅପରପାର୍ଶ୍ୱରେ ଅବସ୍ଥିତ ମାଳତୀପୁର ଗ୍ରାମଦେଇ ସେହି ତ୍ରିକାଳଦର୍ଶୀ ସାଧୁ ତାଙ୍କ ଶିଷ୍ୟମାନଙ୍କ ସହ ଅତିକ୍ରମ କରୁଥାନ୍ତି | ମାଳତୀପୁର ଗ୍ରାମରେ ସେ ଗୋଟେ ରାତ୍ରି ଯାପନ କରିବେ ବୋଲି ବ୍ୟବସ୍ଥା ହୋଇଥାଏ | ସାଧୁଜଣଙ୍କ ଗ୍ରାମବାସୀଙ୍କ ନିକଟରୁ ନାରାୟଣଦେବଙ୍କର ପୁତ୍ର ବିଷ୍ଣୁପଦର ଅବସ୍ଥା ସମ୍ପର୍କରେ ଅବଗତ ହେଲେ |


            .......କ୍ରମଶଃ



Rate this content
Log in