Bhagyashree Nanda

Tragedy

4.8  

Bhagyashree Nanda

Tragedy

ନାଲି ଶାଢ଼ୀ

ନାଲି ଶାଢ଼ୀ

5 mins
510



“ମ୍ୟାଡାମ,କଣ ଏ ନାଲି ଶାଢୀଟି ପ୍ୟାକ କରେଇ ଦେବି ତ ?” ସିପ୍ରା ନୀରବ ଥିଲା । କିଛି ଉତ୍ତର ନଥିଲା ତା ନିକଟରେ । କିଛି ସମୟ ପରେ କହିଲା, ”ନାଁ ,ଏ ନାଲିରଙ୍ଗର ଶାଢୀ ନୁହଁ । କିଛି ଅଲଗା ଦେଖାନ୍ତୁ।“ ଶାଢୀ ଗୋଟେ ନାରୀର ଏମିତି ଏକ ବସ୍ତ୍ର ଯାହା ସମାଜର ପ୍ରତିଟି ନାରୀର ଅତିପ୍ରିୟ । ଆଉ ସିପ୍ରାର ନାଲିରଙ୍ଗର ଶାଢ଼ୀ ଥିଲା ସବୁଠୁ ପ୍ରିୟ । ହେଲେ,ସମୟର ସ୍ରୋତରେ ଭାସିଆସି ଆଜି ସିପ୍ରା ଏମିତି ଏକ କୂଳରେ ଲାଗିଛି, ଯେଉଁଠି ତାର ଯେଉଁସବୁ ଅତିପ୍ରିୟ ଥିଲା, ସେ ସବୁ ଆଜି ସେ ଘୃଣା କରୁଛି ଓ ସେ ସବୁଠୁ ଆଜି ସିପ୍ରା ନିଜକୁ ଦୂରେଇ ରଖୁଛି । 


           ସିପ୍ରା କେବଳ ଯେ ଏକ ଝିଅର ନାମ ତାହା ନୁହଁ, ସିପ୍ରା ଯାତନା ଓ ବିଡମ୍ବନାର ଏକ ସ୍ବରର ନାମ । ସିପ୍ରା ଏକ ଅଗ୍ନିର ନାମ ଯାହା କୁହୁଳୁଥିଲା ବର୍ଷ ବର୍ଷ ଧରି, ଗୋଟେ ନାରୀର ଅନ୍ତର୍ନିହିତ ସ୍ଵର ରୂପରେ । ସିପ୍ରା କେଉଁ ଏକ ଗାଁର ଉଣେଇଶି ବର୍ଷ ବୟସର, ପାଠୁଆ ସଂସ୍କାରୀ ଝିଅଟିଏ ଥିଲା ।ରୂପ ଯେପରି,ଗୁଣ ବି ସେପରି । ସେ ଗୋଟେ ବୋଲି ଝିଅ ଥିଲା ଓ ତାର ସାନ ଭାଇଟିଏ ଥିଲା । ସିପ୍ରା, ଉଚ୍ଚ ପାଠ ପଢିବାରେ ଇଚ୍ଛା ରଖୁଥିଲା ଅଥଚ ବିବାହ ଉପଯୋଗୀ ବୟସରେ ଉପନୀତ ହେବା ପରେ ସବୁ ବାପା ମା’ଙ୍କ ପରି ସିପ୍ରାର ବାପା ମା’ ମଧ୍ୟ ତା ପାଇଁ ବରପାତ୍ର ଖୋଜିବାରେ ଲାଗିଲେ । ବହୁ ପ୍ରସ୍ତାବ ମଧ୍ୟରୁ,ସମ୍ବିତର ପ୍ରସ୍ତାବକୁ ସେମାନେ ମନସ୍ଥ କରାଇଲେ ବିବାହ ଦେବା ପାଇଁ ।


ସମ୍ବିତ ଭୁବନେଶ୍ଵରରେ ରହୁଥିଲା । ବାପା ମା’ଙ୍କର ଗୋଟିଏ ବୋଲି ପୁଅ । ଏକ ବେସରକାରୀ କମ୍ପାନୀରେ ଚାକିରୀ ମଧ୍ୟ୍ୟ କରୁଥିଲା । ସବୁ ବ୍ୟବସ୍ଥା ସରିବା ପରେ ବହୁ ଆଡମ୍ବରର ସହକାରେ ସମ୍ବିତ ସହିତ ସିପ୍ରାର ବିବାହ ସମ୍ପନ୍ନ ହୋଇଗଲା । କଅଁଳ ବୟସରେ ପ୍ରତ୍ୟକଟି ଝିଅ ପରି, ସିପ୍ରା ମଧ୍ୟ ସଂସାର ଗଢିବାର ଅନେକ ସ୍ବପ୍ନ ନେଇ ନୂଆଘରେ ପାଦ ଥାପିଲା । ତା ଜନ୍ମିତ ଘରୁ ସବାରିରେ ଯାତ୍ରା ଆରମ୍ଭ କରିଥିଲା ଶାଶୁଘର ଅଭିମୁଖେ,ଆଉ ଯେଉଁ ଯାତ୍ରା କୋକେଇରେ ଦିନେ ସେଇ ଶାଶୁଘରେ ସମାପ୍ତ ହେବ ସେଇ ଆଶା ସହକାରେ। 


ବିବାହ ପରେ ଶାଶୁଘରର ସେ କୁଳବଧୂ ଥିଲା । ଘରର ସଂମାନ ରକ୍ଷା କରିବା ଓ ପ୍ରତ୍ୟକଟି ପାଦ ରେ ସ୍ଵାମୀର ସହଯୋଗ କରିବା ତାର ଧର୍ମ ଥିଲା , ଯେପରି ତା ମା’, କରୁଥିଲେ ,ତା ଶାଶୁ କରୁଥିଲେ , ତାଙ୍କ ମା' ମଧ୍ୟ କରୁଥିଲେ । ପିଢୀ ପରେ ପିଢୀ ଯେଉଁ ପରମ୍ପରା ଗୋଟେ ନାରୀର ଧର୍ମ ରୂପେ ଏ ଦୁନିଆ ଆଗରେ ଦର୍ଶାଯାଇ ଆସିଛି, ଠିକ ସେହିପରି । 


  ବାହାଘରର କିଛିଦିନ ଶାଶୁଘରେ ରହିବା ପରେ,ସମ୍ବିତ ସହିତ ସିପ୍ରା ସହରକୁ ଚାଲିଆସିଥିଲା। ନୂଆ ସହର, ନୂଆ ସଂସାର ତାକୁ ବ୍ୟତିବ୍ୟସ୍ତ କରିଦେଉଥିଲା । ଏ ସବୁ ସହିତ ଖାପଖୁଆଇ ଚଳିବାର ଚେଷ୍ଟା ମଧ୍ୟରେ,ତା ଦ୍ଵାରା କାଳେ କିଛି ଭୁଲ ହେଇଯିବ ସେଇ ଡର ସିପ୍ରାକୁ ଲାଗିରହୁଥିଲା । ହେଲେ ସମ୍ବିତ କେବେ ବି କୌଣସି ବିଷୟରେ ଅଭିଯୋଗ କରୁନଥିଲା, କି ସିପ୍ରାର କୋଉ କାମର ପ୍ରଶଂସା ବି କେବେ କରୁ ନଥିଲା । ଅଭିଯୋଗ ନଥିଲା ସେଥିପାଇଁ ସିପ୍ରାର ଭୟ ନଥିଲା ଅଥଚ ପ୍ରଶଂସା ବି ନଥିଲା ସେଥିପାଇଁ ତାର ମନଦୁଃଖ ହଉଥିଲା । ହଁ କିଛି ଲୋକ ଏମିତି ବି ହେଇଥାନ୍ତି ଭାବି ସିପ୍ରା ଚଳେଇ ନଉଥିଲା,ସମୟ ଅନୁସାରେ ଦୁହେଁ ଦୁହିଁଙ୍କୁ ବୁଝିପାରିବେ ଏଇ ଆଶାନେଇ ।


ୟା ଭିତରେ କିଛି ସମୟ ବିତିଯାଇଥିଲା । ସମ୍ବିତ ତା ଚାକିରୀ ଜୀବନରେ ଏତେ ବ୍ୟସ୍ତ ରହୁଥିଲା ଯେ,ତା ନିକଟରେ ସିପ୍ରା ପାଇଁ ବିଲକୁଲ ବି ସମୟ ନଥିଲା । ଧୀରେ ଧୀରେ ତାର ବ୍ୟବହାର ସିପ୍ରା ପ୍ରତି ପରିବର୍ତ୍ତନ ହେବାରେ ଲାଗିଲା। କଥା କଥାରେ ସିପ୍ରା ଉପରେ ରାଗିବା, ଜଲ୍ଦି ଅଫିସ ବାହାରିଯିବା ଓ ରାତିରେ ଡେରିରେ ଫେରିବା, ଗାଳି କରିବା, ହାତ ଉଠେଇବା ,ଏମିତି ବହୁତ କିଛି । ତାଙ୍କ ଭିତରର ଦୂରତା ଧୀରେ ଧୀରେ ବଢିବାରେ ଲାଗିଲା । ନିଜ ଅଫିସରେ କିପରି ଉଚ୍ଚପଦବୀକୁ ଯିବ ଓ ଅଧିକ ପଇସା ଉପାର୍ଜନ କରିବାର ନିଶା ଯେପରି ସମ୍ବିତକୁ ଲାଗିରହୁଥିଲା । ସିପ୍ରାର ବିନା ଅନୁମତିରେ ଘରକୁ ନିଜ ଅଫିସର ମାନଙ୍କୁ ସମ୍ବିତ ନେଇ ଆସୁଥିଲା ଓ ମଧ୍ୟରାତ୍ରି ଯାଏ ଖାଇବା ପିଇବାର ଆୟୋଜନ ପ୍ରାୟ ସମୟରେ ଲାଗି ରହୁଥିଲା । ଏସବୁ ସିପ୍ରାକୁ ପସନ୍ଦ ନ ଆସୁଥିଲେ ବି,ତା ପାଖରେ ଆଉ କୌଣସି ଉପାୟ ବି ନଥିଲା । ଧୀରେ ଧୀରେ ଏ ସବୁକିଛି ବଢିବାରେ ଲାଗିଲା । ସମ୍ବିତର ଅନୁପସ୍ଥିତିରେ ମଧ୍ୟ ତାର ସାଙ୍ଗସାଥି ଓ ଅଫିସର ମନେ ତା ଘରକୁ ଆସିବାରେ ଲାଗିଲେ । ସିପ୍ରାର ବାରମ୍ବାର କହିବା ସତ୍ବେ ମଧ୍ୟ ସମ୍ବିତ ଏ ସବୁକୁ ପ୍ରଶ୍ରୟ ଦେଉଥିଲା ।


ଏହିପରି କିଛିଦିନ ବିତିଗଲା । ଦିନେ ସମ୍ବିତ, ତାର ଉପର ଅଫିସରଙ୍କୁ ଘରକୁ ଡାକିଥାଏ ଓ ସିପ୍ରାକୁ କହିଥାଏ ଭଲ ଭଲ ରୋଷେଇ କରି ଖାଇବାର ଆୟୋଜନ କରିବା ପାଇଁ । ସେଦିନ ସେ ସିପ୍ରା ନିକଟକୁ ସନ୍ଧ୍ୟାରେ ଆସି ତାକୁ ଗୋଟେ ବ୍ୟାଗ ଧରେଇଲା ଓ କହିଲା ଖୋଲିକି ଦେଖ ତୁମ ପସନ୍ଦର ଜିନିଷ ଅଛି । ସିପ୍ରା ବ୍ୟାଗ ଖୋଲି ଦେଖେ ତ , ତା ଭିତରେ ଏକ ନାଲି ରଙ୍ଗର ଖୁବ ସୁନ୍ଦର ଶାଢ଼ିଟିଏ ଥିଲା । ସିପ୍ରା ଶାଢ଼ିଟିକୁ ଦେଖି ବେଶ ଖୁସୀ ହେଇଗଲା । ସମ୍ବିତ କହିଲା, ଆଜି ତୁମେ ସଂଧ୍ୟାରେ ଏଇ ଶାଢ଼ିଟିକୁ ପିନ୍ଧିବ, ଘରକୁ ଆଜି ଅତିଥି ବି ଆସିବେ । ମୋର ପ୍ରୋମସନ ଆଗକୁ ଅଛି,ଆଉ ସେଥିପାଇଁ ତୁମର ସହଯୋଗ ମୋତେ ଦରକାର । ସିପ୍ରା ବି ଚକିତ ହେଇଗଲା ଓ ପଚାରିଲା, ”ମୋର କି ସହଯୋଗ ଦରକାର ତୁମ ପ୍ରୋମସନ ପାଇଁ ?” ସମ୍ବିତ କହିଲା,” ମୋ ଉପର ଅଫିସର ମାନେ ତୁମକୁ ଦେଖି ବହୁତ ଖୁସୀ ଓ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି। ସେମାନେ ଏଥର ଯେତେବେଳେ ବି ଘରକୁ ଆସିବେ ତୁମେ ସେମାନଙ୍କୁ କିପରି ଖୁସୀ କରେଇବ ସେସବୁ ତୁମ ଉପରେ ରହିଲା । ତୁମେ ଯେପରି ଭଲରୂପେ ସେମାନଙ୍କ କଥା ବୁଝିବ । ବୁଝିପାରୁଥିବ ମୁଁ କୋଉ ବିଷୟରେ କହୁଛି ।“


ସମ୍ବିତର ଏପରି କଥା ଶୁଣି ସିପ୍ରାର ପାଦ ତଳୁ ମାଟି ଖସିଗଲା । ତାକୁ ଆଉ କିଛି ବୁଝିବାକୁ ବାକି ନଥିଲା । ଯାହାକୁ ନିଜର ଇହକାଳ ପରକାଳର ଦେବତା ରୂପେ ଅଗ୍ନିକୁ ସାକ୍ଷୀ ରଖି ବେଦୀରେ ବସି ବାହାହେଇଥିଲା,ସେ ତାକୁ ଏପରି ପ୍ରସ୍ତାବ କେବେ ଦେଇ ପାରିବ ସେକଥା ସେ ଭାବିପାରୁନଥିଲା । ସମ୍ବିତ ଦିନେ ଏତେ ତଳକୁ ଖସିଯିବ ସେକଥା ସିପ୍ରା କେବେ ଚିନ୍ତା କରି ପାରିନଥିଲା । ବାହାଘର ପରେ ଘରସଂସାର ଗଢିବାର ରଙ୍ଗୀନ ସ୍ବପ୍ନ ସବୁ ତାର ସେଇ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୁରମାର ହେଇଯାଇଥିଲା । ହେଲେ ସିପ୍ରା ଯେପରି ଥିଲା ନିରୂପାୟ । ସମୟର ଧାରାରେ ତା ପାଦ ନାଁ ଆଉ ଆଗକୁ ଯାଉଥିଲା, ନାଁ ଆଉ ପଛକୁ ଫେରିପାରୁଥିଲା । 

 କିଛିଦିନ ବିତିଯାଇଥିଲା , ସମ୍ବିତର ପ୍ରୋମସନ ହେଇଯାଇଥିଲା । ଉଚ୍ଚ ପଦବୀରେ ସମ୍ବିତ ଅଧିକୃତ ହୋଇସାରିଥିଲା । ଆଉ ସେଥିପାଇଁ ସିପ୍ରାକୁ ବଲିଦାନ ଦେବାକୁ ପଡିଥିଲା ।ସମ୍ବିତ ଯାହାକୁ ଚିରଦିନ ରକ୍ଷା କରିବାର ପ୍ରତିଶୃତି ସହ ବିବାହ କରିଥିଲା ତାକୁ ଦୁନିଆ ଆଗରେ ନିଲାମ କରି ସାରିଥିଲା । ଯେଉଁ ଶଙ୍ଖା ଓ ସିନ୍ଦୁର ତାକୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଥିଲା ତାହା ହିଁ ତାକୁ ସମାଜରେ ଅସୁରକ୍ଷିତ କରିଦେଇଥିଲା । ଏସବୁ ସହିତ ସମ୍ବିତ ଓ ସିପ୍ରାର ସମ୍ପର୍କ ମଧ୍ୟ୍ୟ ମରି ସାରିଥିଲା । ସିପ୍ରା ସବୁଦିନ ପାଇଁ ସମ୍ବିତକୁ ଛାଡି ,ସେ କଳଙ୍କିତ ଜୀବନରୁ ଏବଂ ସେ ଦୁନିଆରୁ ବହୁତ ଦୂରକୁ ଚାଲିଯାଇଥିଲା ।


ସମ୍ବିତ ସହିତ ବିବାହ ବିଚ୍ଛେଦ କରି ଏପରି ଏକ ଅଭିଶପ୍ତ ନାୟିକା ଜୀବନର ବହୁ ଉର୍ଦ୍ଧକୁ ଉଠି ସାରିଥିଲା ସିପ୍ରା । ଜୀବନର ଏତେବଡ଼ ଝଡ଼କୁ ନ ଡରି ସାମ୍ନା କରିଥିଲା । ଯେତିକି ପାଠ ପଢିଥିଲା ସେଇଥିରେ ଛୋଟିଆ ଚାକିରୀଟିଏ କରି, ଏକୁଟିଆ ନିରାଡମ୍ବର ଜୀବନଟେ ଅତିବାହିତ କରିବାରେ ଲାଗିଲା । 

 ନାଲିରଙ୍ଗ ଶାଢୀ ହଉ କିମ୍ବା ନାଲି ଚୁଡି ହଉ ,ଯେବେ ବି ସେସବୁ ସିପ୍ରା ସାମ୍ନାକୁ ଆସିଯାଏ ତା ଭିତରେ ଥିବା କୁନି ବୟସର ନାଲି ଟୁକୁଟୁକୁ ସାଧବ ବୋହୁଟି ପୁଣି ଜୀବିତ ହୋଇଉଠେ ଓ ଫେରଯାଏ ପୁଣି ଅତୀତର ସେଇ ଦରଭଙ୍ଗା ଅନୁଭୂତି ଭିତରକୁ । ହବନି ବା କେମିତି ? ତାର ବି ତ ଜୀବନକୁ ନେଇ ଅନେକ କିଛି ସ୍ବପ୍ନ ଥିଲା,ସେସବୁ ଦୁଃସ୍ବପ୍ନରେ ପରିଣତ ହେଇଯିବ ସେକଥା କି ସିପ୍ରା ଜାଣିଥିଲା । 


ସିପ୍ରାର ନୀରବତାକୁ ଭାଙ୍ଗିବାକୁ ଯାଇ ,

ଦୋକାନୀ ପଚାରିଲା, “ମ୍ୟାଡାମ, ଏ ସବୁ ଆମର ଏବେ ନୂଆ କଲେକ୍ସନ ଆସିଛି । ୟା ଭିତରୁ କିଛି ଯଦି ପସନ୍ଦ ହେଉଛି ଦେଖନ୍ତୁ ।“ ସିପ୍ରା ଅତୀତର ସ୍ମୃତିରୁ ନିଜକୁ ଫେରାଇ ଆଣି ନିଜକୁ ଉପସ୍ଥିତ କରାଇଲା ଓ ସାମ୍ନାରେ ଥିବା ଶାଢ଼ୀ ସବୁକୁ ଦେଖିବାରେ ଲାଗିଲା । ଏକ ଫିକା ନେଳିରଙ୍ଗର ଶାଢୀଟିଏ ବାଛି ତାକୁ ପ୍ୟାକ କରିଦେବାକୁ ଦୋକାନୀକୁ କହିଲା ।


Rate this content
Log in

Similar oriya story from Tragedy