ଯୁବାବସ୍ଥା -ଏକ ଅମୂଲ୍ୟ ନିଧି
ଯୁବାବସ୍ଥା -ଏକ ଅମୂଲ୍ୟ ନିଧି
ଧଇଁସଇଁ ହୋଇ ଢେର୍ ବାଟ
ଦଉଡ଼ିବା ପରେ
ହଲିହଲି ଝୁଲିଝୁଲି,
ଚାଲୁଥିଲା ମୋ ବିଶାଳ ଶକଟ।
ହସୁଥିଲା ହେମନ୍ତ ସକାଳର
ଶାନ୍ତ ସ୍ନିଗ୍ଧ ସବୁଜ ରାଣୀ
କାଚ ଝରକାର ସ୍ବଛ ପରଦାରେ
ପାରୁଥିଲି ଦେଖି ।
ଆଗକୁ ଆଗକୁ ଯାଉଥିଲି ମୁଁ
କି ପଛକୁ ଯାଉଥିଲା ସେ,
ଥିଲା ଏକ ଚକ୍ଷୁଭ୍ରାନ୍ତି
ଦୃଶ୍ୟାତୀତ ହେଉଥିଲେ
ଘନ ବନାନୀ, ହସନ୍ତ ଧାନକ୍ଷେତ,
ଅଚଳ ପାହାଡ ପର୍ବତ,
ଠିକ୍ ଯେମିତି
ବିତିଥିବା ଦିନ ସବୁ ମୋର ।
କେବେ ଚାଲିଛି,
ତ ପୁଣି କେବେ ଅଣନିଶ୍ବାସୀ ଦଉଡ
ତା ଭିତରେ ପାର ହୋଇଗଲା
କେତେବେଳେ ଯୁବାକାଳର
ସୁନ୍ଦର ସୁନେଲି ଉର୍ଜାମୟ ମୂହୁର୍ତ୍ତସବୁ।
ଥିଲା ମୁଠେଇବାର ଅପପ୍ରୟାସ,
ହେଲେ "ସମୟ " ସେ
ଅଣାୟତ୍ତ, ସୃଷ୍ଟିକର୍ତ୍ତାଙ୍କର ମୁଠିର ବି।
ବୟସର ଆସନ୍ନ ସୂର୍ଯ୍ୟାସ୍ତ ରେ
ଭାବୁଛି ବସି ମୁଁ,
ଦିନ ଥାଉ ଥାଉ, କିଛି ପାଦ ଆଉ
ଥାଆନ୍ତି କି ଚାଲି, ମଧ୍ୟାହ୍ନ ବେଳାରେ ।
କେତେ କେତେ ରଥୀ
ସ୍ବର୍ଣ୍ଣାକ୍ଷରେ ନାମ ନିଜ,
ଇତିହାସେ ଗଲେ ଲେଖି।
ଟିକି ବାଜି ରାଉତ,
ତାରୁଣ୍ଯରେ ପାଦ ନଥିଲା ଥାପି
ରଖିଦେଲା ଜୀବନକୁ ବାଜି ।
ବିବେକାନନ୍ଦ-
ଚିକାଗୋର ଧର୍ମସଭା ପରେ
ମହକିଲା ନାମ ଭାରତମାତାର ।
କୁନ୍ତଳା କୁମାରୀ ଆମ
ଦରଦଭରା ଜୀବନର ଅନ୍ୟ ଏକ ନାମ।
ସ୍ମୀତା, ମଧୁବାଲା, ମୀନାକୁମାରୀ
କଳାର ଆକାଶେ ତାରକା ଆଜି,
ଖସିବା ଆଗରୁ ବୟସର ଛାଇ
ଦିନେ ଯାଇଥିଲେ ଲୁଚି ।
ହେ ମୋର ଯୁବାପିଢି !
ପଦ୍ମପତ୍ର ପାପୁଲିରେ ନ ରହିବ ଏ ଯମାନୀ,
ବେଳ ଥାଉ ଥାଉ ଯାଅ କିଛି କରି
ଦେଶ ଦଶ ଲାଗି
ଲଭିବ ଜୀବନେ ଅସୀମ ତୃପ୍ତି ।