STORYMIRROR

Sunita Kar

Abstract Classics Others

4  

Sunita Kar

Abstract Classics Others

ଘର ମୋ ମନ୍ଦିର

ଘର ମୋ ମନ୍ଦିର

1 min
293


ସୁରୁଜ ଉଇଁଲେ ଉଙ୍କିମାରେ 

ମୋ ଶୋଇବା ଘରର ଗବାକ୍ଷ ଫାଙ୍କରେ 

ତା’ର ଢେର୍ ଆଗରୁ 

ତା’ ଆସିବା ଖବର 

ଦେଇଯାଏ କାକପକ୍ଷୀ,

ଫୁକୁରୁ ଫୁକୁରୁ ଡେଇଁ ଡେଇଁ 

ପାଚେରୀ ଉପରେ 

ବାଡି ଅଗଣାରେ ।


ବୁଢୀ‘ମା ଥୋଇ ଦିଏ

ମୁଠାଏ ଚାଉଳ ଅଗଣାରେ ନେଇ 

ଖବରୀ ସେ, 

ଫେରିଯିବ କେମିତି ବା 

ବିନା ଅଭ୍ଯର୍ଥନାରେ?

ସେଇଠୁ ଶିଖିଲି ମୁଁ 

ଅତିଥି ସେବା - ଆମ ପରମ ସଂସ୍କାର ।


କଡ ଲେଉଟାଇଲେ ଦେଖେ 

ସକାଳୁ ସକାଳୁ ଲଗାଇଦିଅନ୍ତି ବାପା 

ଆଲେକ୍ସାରେ ବିଷ୍ଣୁସହସ୍ରନାମ

ଶୁଭଲକ୍ଷ୍ମୀଙ୍କର ସୁଲଳିତ ସ୍ବର 

ଜେଜେଙ୍କର ମୁଖେ ଫୁଟେ 

ଆଭା ସହସ୍ର କମଳର।

ହାତେ ଧରି ଚା’କପ୍ 

ସାଥେ ବିସ୍କୁଟ କେଇଖଣ୍ଡି

ଠିଆ ହୋଇଥାଏ ବୋଉ ଗୋଡ ଭାଙ୍ଗି 

ଜେଜେଙ୍କ ହାତେ ଦେବାଲାଗି ।

ସେଇଠୁ ଶିଖିଲି -

ପିତା ମାତା ସେବା ଯତ୍ନ 

ଶ୍ରେଷ୍ଠ ଧର୍ମ ଆମ ।


ସମୟଟା କେଉଁ ଖଞ୍ଜରେ 

ଟିପେଇ ଟିପେଇ ଚାଲିଯାଏ 

ଆଳସୀ ପାହାନ୍ତିରୁ 

ଚଳଚଞ୍ଚଳ ଦିନଟିକୁ ,

ଶେଯ ଛାଡି ଗଲି ଛାତକୁ 

ରଂଗ ବେରଙ୍ଗ ଫୁଲରେ ଭରା 

ହସନ୍ତ ଗଛ ସବୁ, 

ଛୁଇଁ ଛୁଇଁ ଗଲେ 

ସବୁଜ ସଜଳ ଅନେକ ଲହରୀ 

ଭିଜେଇ ଦେଇଯାଏ 

ପ୍ରାଣର ବେଳାଭୂମିକୁ,

ବାରିପାରେ ମହକ 

ବାପାବୋଉଙ୍କ ପ୍ରୟାସର।


ଛାତରେ ଶୁଖୁଛି ଓଦା ଲୁଗା 

ବୋଉର ବମକେଇ 

ଜେଜୀର ସମ୍ବଲପୁରୀ 

ଜେଜେଙ୍କ ଖୋର୍ଦ୍ଧା ଗାମୁଛା ,

ତଳକୁ ଆସିଲେ ବୈଠକ ଘରେ 

କମକୁଟା କାଠର ଫ୍ରେମ୍ ରେ 

ତ୍ରିମୂର୍ତ୍ତି – ଜଗା ବଳିଆ ସାଥେ ଭଗିନୀ, 

ଆଲମିରାର କାଚ ଦେଇ ଚମକୁଛି 

ରଜତ କୋଣାର୍କ ଚକ୍ର, 

ଶିଡିଘର କାନ୍ଥଡାରେ 

ନାଚୁଛି ମୟୁରୀ 

ପିପିଲିର ଚାନ୍ଦୁଆ ଛାତିରେ ।


ମୋ ଘରର କୋଣ ଅନୁକୋଣ 

ସଜେଇ ରଖିଛି ତା’ ବୁକୁରେ 

ସଂସ୍କୃତି, କଳାକୃତି ଆମ

ମନ ଆକାଶ ମୋ’ ଭରପୁର 

ଅଛି ଆମ ବିସ୍ତର ସଂସ୍କାର

ଛନ୍ଦି ହୋଇଯାଏ ଜୀବନର ଛନ୍ଦ ଏଠି 

ଏଇ ମୋର ଘର 

ଏଇ ମୋ’ ପାଠାଗାର 

ଏଇ ମୋ’ ମନ୍ଦିର ।


    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract